Unknown

 

 

 

 

 

 

 

 

 

ଟଙ୍କାଗଛ

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

କେନ୍ଦୁଝର ରାଜ୍ୟର ସୀମାରେ ସୁନାଘାଇ ନାମରେ ଗୋଟିଏ ପର୍ବତ ଅଛି । ପର୍ବତଟି ଅତି ବଡ଼ କିମ୍ବା ଅତି ସାନ ନୁହେଁ–ତାହା ମଧ୍ୟଭଳିଆ । ପର୍ବତର ପାଦଦେଶରେ ଗୁରୁପାଦତଳେ ଶିଷ୍ୟବୃନ୍ଦ ବସିଲା ପ୍ରାୟ କିମ୍ବା ଦେବପାଦ ତଳେ ପୂଜାପୁଷ୍ପପୁଞ୍ଜ ପ୍ରାୟ ଶୀତଳପୁର ଗ୍ରାମ ଅବସ୍ଥିତ । ଗ୍ରାମର ଉପକଣ୍ଠରେ କୋକିଳାକ୍ଷୀ ନଦୀ କଳକଳ ନାଦରେ ବହିଯାଉଅଛି । ଦୂରରୁ ତାହା ଭକ୍ତ କଣ୍ଠରେ ତୁଳସୀମାଳା ପ୍ରାୟ ସୁନ୍ଦର ଦିଶେ । ଗ୍ରାମଟି ପର୍ବତର ପାଦଦେଶଠାରୁ କଟିପର୍ଯ୍ୟନ୍ତ ବିସ୍ତୃତ-। ଦେଖିଲା ମାତ୍ରେ ବୋଧହୁଏ, ଯେମନ୍ତ କି ସୁନ୍ଦରୀ ନଗରୀରାଣୀ ନୀଳପାଟରଚିତ ଅପସର ଉପରେ ଦେହଭାର ନ୍ୟସ୍ତ କରି ଆରାମରେ ବସିଅଛନ୍ତି । ଗ୍ରାମରେ ପ୍ରାୟ ପଞ୍ଚଶତାଧିକ ଘର । ଛତିଶ ପାଟକର ଲୋକ ବାସ କରନ୍ତି । ଘରଗୁଡିକ ଧାଡ଼ି ଧାଡ଼ି ହୋଇ ନିର୍ମିତ । ମଧ୍ୟରେ ପ୍ରଶସ୍ତ ପଥ । ଗ୍ରାମର ଶାଖାପ୍ରଶାଖା ସୁଦ୍ଧା ଅଳ୍ପ ନୁହେଁ । ରାସ୍ତାଗୁଡ଼ିକ ଛକିମୟ । ପର୍ବତ ଶିଖର ଉପରୁ ଚାହିଁଲେ ଗ୍ରାମଟି ନିପୁଣ ଶିଳ୍ପୀ ଅଙ୍କିତ ଖଣ୍ଡିଏ ଛବି ପରି ସୁନ୍ଦର ଦିଶେ । ଗ୍ରାମର ଛକି ରାସ୍ତାମାନ ଗିରିଦେବତାଙ୍କର ଅସଂଖ୍ୟ ପଶାପାଲି ଏକତ୍ର ବିସ୍ତୃତ ହେଲାପ୍ରାୟ ବଡ଼ ରମଣୀୟ ବୋଧହୁଏ । ଘରଗୁଡ଼ିକ ସେହି ପଶାପାଲିର ସାର, କିଏ ଯୁଗ ବାନ୍ଧିଅଛି–କିଏ ଡବଲ ଯୁଗ ବାନ୍ଧିଛି–କେତେ ବା ଯୁଗ ନ ବାନ୍ଧି ଇତସ୍ତତଃ ରହିଅଛି । ଗ୍ରାମବାସୀଏ ସମସ୍ତେ ଚାଷୀବନ୍ଦୀ ଲୋକ; ସୁତରାଂ ନବୀନ ଶିକ୍ଷା ବା ନବୀନ ସଭ୍ୟତାର ଜ୍ୱାଳାକର ଉଜ୍ଜ୍ୱଳ ଆଲୋକ ସେମାନଙ୍କ ହୃଦୟରେ ସ୍ଥାନ ପାଇ ନାହିଁ । ସମସ୍ତେ ଅପ୍ରବାସୀ, ଚାଷବାସ କରି ବଞ୍ଚନ୍ତି । ନିଜର ଗ୍ରାମଟି ସେମାନଙ୍କ ନିକଟରେ ବିଶାଳ ସଂସାର । ନିଜର ଗ୍ରାମ ଛାଡ଼ି କେହି କେବେ ବିଦେଶ ଯାଇଥିବାର ଶୁଣାଯାଇ ନାହିଁ । ଏହେତୁ ସାହରିକ ଦୂଷିତ ଚାତୁରୀ ବା ଅତିସିହାଣପଣ ସେମାନଙ୍କୁ ସ୍ପର୍ଶ କରି ପାରି ନାହିଁ ।

 

ଗ୍ରାମର ଆଉ ଗୋଟିଏ ବିଶେଷତ୍ୱ ଏହି ଯେ, ଗୋଟିଏ ଗୋଟିଏ ସାହି ଗୋଟିଏ ଜାତି ସକାଶ ନିର୍ଦ୍ଦିଷ୍ଟ । ଅର୍ଥାତ୍‍ ବ୍ରାହ୍ମଣ ସାହିରେ କେବଳ ବ୍ରାହ୍ମଣ ବ୍ୟତୀତ ଅନ୍ୟ ଜାତିର ଘର ନାହିଁ । ସେହିପରି କରଣ ସାହିରେ କେବଳ କରଣ, ଧୋବା ସାହିରେ କେବଳ ଧୋବା, ଏହିପରି ପ୍ରତି ସାହିରେ ଗୋଟିଏ ଗୋଟିଏ ଜାତି ବାସ କରନ୍ତି । ଏଡ଼େ ବଡ଼ ଗ୍ରାମ, ଏତେ ଲୋକଙ୍କର ବାସ; ମାତ୍ର ଗ୍ରାମଟି ପରିଷ୍କାର ପରିଚ୍ଛନ୍ନ, ଯେପରି କି ପରିଚ୍ଛନ୍ନତା ରୂପ ଧରି ହସିଖେଳ ଗ୍ରାମସାରା ବୁଲୁଅଛି । ଗ୍ରାମର ପବିତ୍ରତା କେତେବେଳେ ମଳିନ ହୁଏ ନାହିଁ । କଥାରେ କହନ୍ତି, ଗାଁ ପରିମଳ ଧୋବାତୁଠରୁ ଜଣା । ଶୀତଳପୁର ଗ୍ରାମର ପରିଚ୍ଛନ୍ନତା ଦେଖିଲେ ଗ୍ରାମବାସୀଙ୍କର ହୃଦୟ ନିହିତ ସ୍ୱରୁଚିର ସୁନ୍ଦର ପରିଚୟ ମିଳେ । ଗ୍ରାମମୁଣ୍ଡରେ ଚଣ୍ଡୀଙ୍କର ମନ୍ଦିର । ମନ୍ଦିରଟି ପ୍ରସ୍ତରନିର୍ମିତ ଏବଂ ଅପାଦମସ୍ତକ ଚାରୁଶିଳ୍ପକଳାରେ ମଣ୍ଡିତ । ତାହା ଅତୀତର ଅମର ମୋହନ ମାଧୁରୀ ବୋଳି ହୋଇ ସଦର୍ପରେ ଉଭା ହୋଇଅଛି । ମନ୍ଦିରଟି ଉଜ୍ଜ୍ୱଳର ଅତୀତ ଶିଳ୍ପସମୃଦ୍ଧିର ମୂକସାକ୍ଷୀ । ତାହାକୁ ଦେଖିଲେ ଖଣ୍ଡିଏ ପ୍ରାଚୀନ ଇତିହାସ ପାଠକଲା ପ୍ରାୟ ବୋଧହୁଏ । କି ପ୍ରେମର ଅମର ଭାଷା ମନ୍ଦିରର ପାଷାଣ ହୃଦୟରେ ନୀରବରେ ଧ୍ୱନିତ ହେଉଅଛି, ତାହା ଶୁଣିଲେ ଏବଂ ପାଷାଣ ଛନ୍ଦରେ ରଚିତ କି ସ୍ୱପ୍ନ ସଙ୍ଗୀତ ମନ୍ଦିର ଦେହରେ ମୂର୍ଚ୍ଛିତ ହୋଇଅଛି, ତାହା ପାଠ କଲେ, ଆଉ ଶିଳ୍ପକଳାର ସୌନ୍ଦର୍ଯ୍ୟର ଉଚ୍ଛ୍ୱାସ ଅନନ୍ୟମନା ହୋଇ ଅନୁଧ୍ୟାନ କଲେ ଦର୍ଶକର ହୃଦୟ ନିର୍ବାକ ବିସ୍ମୟରେ ଅଭିଭୂତ ହୁଏ । ମନ୍ଦିରମଧ୍ୟସ୍ଥ ଚଣ୍ଡୀମୂର୍ତ୍ତି କି ସୁନ୍ଦର ! ସତେ ଯେପରି ଦର୍ଶନମାତ୍ରେ ଦେବୀ ଦର୍ଶକର ଅନ୍ତଃକରଣର ଅନ୍ତସ୍ତଳନିହିତ ଭକ୍ତ-ବିତ୍ତ ନିଃଶେଷ କରି ଜୁରି ନେଉଅଛନ୍ତି । ମୂର୍ତ୍ତିଟି ସ୍ୱୟଂ ବିଶ୍ୱବିଧାତାଙ୍କର କିମ୍ବା ଶୋଭାଦେବୀଙ୍କର କାହାର ପୂଜାପ୍ରତିମା, ତାହା କିଏ କହିପାରିବ ? ମୁଖ ଏବଂ ନେତ୍ରରୁ ଆନନ୍ଦ ଏବଂ ତୃପ୍ତିର ଅମୃତଧାରା ଝରିପଡ଼ୁଅଛି । ପ୍ରଶସ୍ତ ଲଲାଟ ପଟରେ ଅପୁର୍ବ ଅମରୀ ପ୍ରତିଭା ଖେଳି ବୁଲୁଅଛି । ଦେହକାନ୍ତି ସିନ୍ଦୂର ରାଗରେ ସମୂଜ୍ଜ୍ୱଳ ଏବଂ ସୁମଧୁର । ଯେମନ୍ତ କି ଔଜ୍ଜ୍ୱଲ୍ୟ ମାଧୁର୍ଯ୍ୟକୁ କୋଳରେ ଧରି ବସିଅଛି । ଅଧରସୁପ୍ତ ପ୍ରଦୀପ୍ତ ହାସ୍ୟରେଖା ସ୍ୱର୍ଗରୁ ଗୋଟାଏ ମହିମାର ରଶ୍ମି ଛିଡ଼ିପଡ଼ିଲା ପ୍ରାୟ ପ୍ରତୀୟମାନ ହୁଏ । ମନ୍ଦିର ସମ୍ମୁଖରେ ବୃହତ୍‌ ପୁଷ୍କରିଣୀ ସେବାଦାସୀରୂପେ ଦେବୀଙ୍କୁ ଖଟିଅଛି । ପୁଷ୍କରିଣୀଟି କମଳ, କୁମୁଦ, କହ୍ଲାର ପ୍ରଭୃତିରେ ଅଳଂକୃତ । ତହିଁରେ ନାନାଜାତୀୟ ପକ୍ଷୀ ଦୂର୍ବୋଧ୍ୟ ‘‘କେଁକଟ୍ର’’ ଭାଷାରେ ପରସ୍ପରକୁ ସମ୍ଭାଷଣ କରୁଅଛନ୍ତି । ସମସ୍ତେ ଏକାବେଳକେ ସ୍ନେହ-ପ୍ରେମାଳାପରେ ନିଯୁକ୍ତ; କିନ୍ତୁ କାହା କଥା କିଏ ଶୁଣୁଛି, ତାହା ଜାଣିବାର ଉପାୟ ନାହିଁ । ସେମାନଙ୍କର ଏହି କଳ କୋଳାହଳର ମଧୁର ବାଣୀ ଶୁଣିଲେ ଚିତ୍ତ ମୁଗ୍‌ଧ ହୁଏ; ମାତ୍ର ପ୍ରମତ୍ତ ହୁଏ ନାହିଁ । ସେମାନେ କେବଳ ଗଳ୍ପାମୋଦରେ କାଳହରଣ କରୁ ନାହାନ୍ତି । କୀଟପତଙ୍ଗ ଧରି ଉଦରନାମକ ଧ୍ୱଂସପଟୁ ଦେବତାଙ୍କୁ ମଧ୍ୟେ ମଧ୍ୟେ ଉତ୍ସର୍ଗ କରୁଅଛନ୍ତି । ସରସୀସମୀରର ଲୀଳା ଅକଥନୀୟ । ସେ କେତେବେଳେ କେତେ ରଙ୍ଗ କରୁଅଛି ! ସେ କେବେ ପକ୍ଷୀଗୁଡ଼ିକୁ ଯୁଥଭ୍ରଷ୍ଟ କରି ଏକ ପାଖରୁ ଅନ୍ୟ ପାଖକୁ ଭସାଇ ଘେନିଯାଉଅଛି । କେବେ ବା ଲୁଚି ଲୁଚି ଆସି ପଛରୁ ଫୁଲର ଦେହ ଫୁଙ୍କି ଦେଇ ହୋ ହୋ ରବରେ ହସି ହସି ଫୁଲର ସୁରଭି ଚୋରି କରି ତାହାକୁ ନିଜ ଦେହରେ ବୋଳିହୋଇ ପଳାଇ ଯାଉଅଛି । ଦୁଷ୍ଟ ଅବାଧ୍ୟ ପିଲାତୁଲ୍ୟ ଏହିପରି ସେ କେତେ ଉପଦ୍ରବ କରୁଅଛି, ସେଥିରେ କଳନା ନାହିଁ ।

 

ଗାଁଆର ମୁଣ୍ଡରେ ସିଦ୍ଧେଶ୍ୱର ଶିବଙ୍କର ମନ୍ଦିର । ମହାଦେବଙ୍କ ପରି ମନ୍ଦିରଟି ନିରାଡ଼ମ୍ବର ଏବଂ ନିରଳଙ୍କାର । ବାହନ ବୃଷଭ ମନ୍ଦିର ମଧ୍ୟରେ ଶୋଇ ସ୍ୱୀୟ ପ୍ରଭୁଙ୍କ ଅଖଣ୍ଡ ଧ୍ୟାନରେ ନିମଗ୍ନ ରହିଅଛି । ଗ୍ରାମବାସୀଏ ଏହାକୁ ‘‘ବାସୁଆ ବଳଦ’’ ବୋଲି କୁହନ୍ତି । ଏହା ବ୍ୟତୀତ ଗ୍ରାମର ମଧ୍ୟଭାଗରେ ଆଉ ଗୋଟିଏ ରମଣୀୟ ମନ୍ଦିର ଅଛି । ସେଥିରେ ପ୍ରତାପୀ ଦେବତା ଗୋପୀନାଥ ଅଧିଷ୍ଠିତ । ଏହି ମନ୍ଦିର ସମ୍ମୁଖରେ ତିନିଗୋଟି ପ୍ରକାଣ୍ଡ ବଙ୍ଗଳା ଅଛି । ସାଧୁ, ସନ୍ଥ ବା ଅତିଥି ଅଭ୍ୟାଗତ ଆସିଲେ ସେଠାରେ ରହନ୍ତି । ଗୋପୀନାଥ ଦେବଙ୍କ ମନ୍ଦିର ସଂଲଗ୍ନରେ ଗୋଟିଏ ପୋଥିଗାଦି ଅଛି । ସେଥିରେ ତାଳପତ୍ରଲିଖିତ ଶାସ୍ତ୍ରପୁରାଣଠାରୁ କାବ୍ୟନାଟକ ପର୍ଯ୍ୟନ୍ତ ଅନେକ ସଦ୍‌ଗ୍ରନ୍ଥ ସଞ୍ଚିତ ହୋଇଅଛି । ପ୍ରତ୍ୟହ ସନ୍ଧ୍ୟା ସମୟରେ ସେଠାରେ ପୁରାଣ ଆଦି ପାଠହୁଏ । ସମୟ ସମୟରେ ଗ୍ରାମବାସୀଙ୍କର ଦୋଷାପରାଧର ପଞ୍ଚାୟତ ବିଚାର ମଧ୍ୟ ସେହିଠାରେ ହୁଏ । ଏହି ତିନି ଦେବତାଙ୍କ ନୀତି ଚଳିବା ସକାଶ ମରହଟ୍ଟା ସୁବାଦାର ଭୋଁସଲା ରଘୁଜି ଯଥେଷ୍ଟ ଭୂସମ୍ପତ୍ତି ଖଞ୍ଜିଦେଇ ଯାଇଅଛନ୍ତି । ସେଥିରେ ଆୟରେ ଦେବଦେବୀଙ୍କର ସେବା ସୂଚାରୁରୂପେ ଚଳି ଆସୁଅଛି । ମରହଟ୍ଟାମାନେ ଅତ୍ୟାଚାରୀ ଶୋଷଣପଟୁ ଥିଲେ ସତ୍ୟ; ମାତ୍ର ଦେବଭକ୍ତି ସେମାନଙ୍କର ଗୋଟିଏ ପ୍ରଶଂସନୀୟ ଗୁଣ ଥିଲା । ଚନ୍ଦ୍ରର କିରଣ ଚନ୍ଦ୍ରକଳଙ୍କକୁ ଘୋଡ଼ାଇ ରଖିଲା ପ୍ରାୟ ଏହି ମହତ୍‌ ଗୁଣଟି ସେମାନଙ୍କର ସମସ୍ତ ଦୋଷ ଢାଙ୍କି ରଖିଅଛି । ବର୍ତ୍ତମାନ ଉତ୍କଳର ମଠବାଡ଼ିମାନଙ୍କରେ ଯେଉଁ ସବୁ ଭୂସମ୍ପତ୍ତି ଦେବପୂଜାର ସମ୍ବଳ ଅଛି, ସେଥିମଧ୍ୟରୁ ଅଧିକାଂଶ ମରହଟ୍ଟା ରାଜପ୍ରଦତ୍ତ । ସେମାନଙ୍କର ଏହି ମହାଦାନ ସେମାନଙ୍କୁ ଚିରସ୍ମରଣୀୟ କରି ରଖିଅଛି ଏବଂ ଚିରକାଳ ରଖିଥିବ । ଏଥିରେ ସନ୍ଦେହର ଅବକାଶ ମାତ୍ର ନାହିଁ-। ସୂକୀର୍ତ୍ତିହିଁ ମାନବକୁ ଅମର କରି ରଖେ । ସୂକୀର୍ତ୍ତି ଅମରତ୍ୱର ପ୍ରାଣପୋଷୀ ପୁଷ୍ଟିକର ଖାଦ୍ୟ-

•••

 

ଦ୍ୱିତୀୟ ପରିଚ୍ଛେଦ

 

ଶୀତଳପୁର ଗ୍ରାମର ଯେଉଁ ସବୁ ଉନ୍ନତିର ଆଭାସ ଦିଆଗଲା, ତାହା ମୂଳରେ ନିଶ୍ଚୟ ଜଣେ କର୍ମକୁଶଳ ବ୍ୟକ୍ତିଙ୍କର ମଙ୍ଗଳ ହସ୍ତ ଲୁକ୍‌କାୟିତ ଅଛି । ମସ୍ତକଶୂନ୍ୟର ମସ୍ତକ-ବ୍ୟଥା ଯେପରି ଅସମ୍ଭବ, କର୍ତ୍ତାଶୂନ୍ୟ କର୍ମ ସେହିପରି ଅସମ୍ଭବ । ଫୁଲହାର ମଧ୍ୟସ୍ଥ ସୂତା ପରି କାର୍ଯ୍ୟ ମଧ୍ୟରେ କାରଣ ଅପ୍ରକଟ ଥାଏ । କର୍ମ ଥିଲେ କର୍ତ୍ତା ଅବଶ୍ୟ ଅଛି, ପଣ୍ଡିତମାନେ ଏହି ସୂତ୍ର ଧରି ଈଶ୍ୱରଙ୍କ ଅସ୍ତିତ୍ୱ ପ୍ରମାଣିତ କରନ୍ତି । ଶୀତଳପୁର ଗ୍ରାମର ଉନ୍ନତିରେ ଜଣେ କର୍ତ୍ତା ଅଛନ୍ତି–ସେ ହେମହରି ସାମନ୍ତ । ହେମହରି ଜାତିରେ କ୍ଷତ୍ରିୟ, ତାଙ୍କର ପୂର୍ବପୁରୁଷମାନେ ଦକ୍ଷିଣରୁ ଆସି ଏହି ଗ୍ରାମରେ ବାସ କରିଥିଲେ । ହେମହରି ଅବସ୍ଥାପନ୍ନ ବ୍ୟକ୍ତି । ସେ କେନ୍ଦୁଝର ରାଜାଙ୍କ ନିକଟରୁ ୨୫ ବାଟି ନିଷ୍କର ଭୂମି ପାଇଥିଲେ । ସେହି ଭୂମିର ଆୟରେ ତାଙ୍କର ସଂସାରଯାତ୍ରା ସୁଖସ୍ୱାଚ୍ଛନ୍ଦ୍ୟରେ ନିର୍ବାହିତ ହୁଏ । ଏହା ବ୍ୟତୀତ ସେ ଜଣେ ଆଦର୍ଶ କୃଷକ । ଧାନ, ମୁଗ, ରାଶି, ହରଡ଼ ଓ ଆଖୁଚାଷ ପ୍ରଭୃତିରୁ ୧୦/୧୫ ହଜାର ଟଙ୍କା ତାଙ୍କର ବାର୍ଷିକ ଆୟ ହୁଏ । ସେ ଜଣେ ସତ୍ୟନିଷ୍ଠ, ନ୍ୟାୟପ୍ରାଣ, ସଚ୍ଚରିତ୍ର ଏବଂ ଦୟା ଧର୍ମପରାୟଣ ପରୋପକାରୀ ବ୍ୟକ୍ତି । ଅତିଥିଅଭ୍ୟାଗତ ଦ୍ୱାରରୁ କେବେ ନିରାଶ ହୋଇ ଫେରନ୍ତି ନାହିଁ । ଅଧିକନ୍ତୁ ସେ ଗୁପ୍ତଦାନରେ ମହାଦାତା । ତାଙ୍କର ଦକ୍ଷିଣ ହସ୍ତର ଦାନ ବାମ ହସ୍ତ ଜାଣିପାରେ ନାହିଁ । କୃତୀ ବ୍ୟକ୍ତିମାନଙ୍କ ବୈଚିତ୍ରମୟ କର୍ମଜୀବନ ପଛରେ ଏହିପରି ଅନେକ ମଣିମାଣିକ୍ୟ ଲୁକ୍‌କାୟିତ ଥାଏ, ତାହା ଲୋକଲୋଚନର ଆଗୋଚର ।

 

ସାମନ୍ତେ ଭାଗ୍ୟଧର ପୁରୁଷ; ସୁତରାଂ ଅଭାବର କଶାଘାତ ତାଙ୍କୁ ଜୀବନରେ କେବେ ସହ୍ୟ କରିବାକୁ ପଡ଼ିନାହିଁ । ଗ୍ରାମର ପ୍ରତ୍ୟେକ କଲ୍ୟାଣ କାର୍ଯ୍ୟରେ ସେ ପୁରଶ୍ଚର ହୋଇ ବାହାରନ୍ତି-। ଗ୍ରାମରେ କେହି ଆପଦବିପଦରେ ପଡ଼ିଲେ ପ୍ରାଣପଣ ଯତ୍ନରେ ସେ ତାହାକୁ ଉଦ୍ଧାର କରନ୍ତି । ଏହି ହେତୁ ସମସ୍ତେ କହନ୍ତି–‘‘ସାଆନ୍ତେ ରାଜା ନ ହେଲେ ସୁଦ୍ଧା ଏ ଗ୍ରାମର ରାଜାଠାରୁ ବଳନ୍ତି ।’’ କେବଳ କହନ୍ତି ନାହିଁ, ରାଜାତୁଲ୍ୟ ଭକ୍ତିଶ୍ରଦ୍ଧା ମଧ୍ୟ ପ୍ରଦର୍ଶନ କରନ୍ତି । ଗ୍ରାମବାସୀମାନେ କେହି ଭାଗରେ, କେହି ବା ଖଜଣା ଦେଇ ସାମନ୍ତଙ୍କ ଜମି ଚାଷ କରନ୍ତି । ଅଭାବ ପଡ଼ିଲେ ଧାନ କିମ୍ବା ଟଙ୍କା କରଜ ନିଅନ୍ତି । ସାଧାରଣ ସୁଧଜୀବୀ ବାର୍ଦ୍ଧୁଷିକ ପରି ସାମନ୍ତେ ଖାତକର ତଣ୍ଟି ଚିପି ତାହାର ଶୋଣିତ ଶୋଷଣର ବ୍ୟବସ୍ଥା କରନ୍ତି ନାହିଁ । ତାଙ୍କର ସୁଧର ହାର ଟଙ୍କାରେ ମାସିକ ଅଧ ପାହୁଲେ ଏବଂ ଦଶ ପୁଡ଼ି ଧାନରେ ଏକପୁଡ଼ି । ପୂନେଇ ପର୍ବରେ ଗ୍ରାମବାସୀଏ ନିମନ୍ତ୍ରିତ ହୋଇ ତାଙ୍କ ଘରେ ଆହାର କରନ୍ତି । ତାଙ୍କ ଘରେ ଥରେ ଯାହାର ପତ୍ର ପଡ଼ିଅଛି, ସେ କହେ ଘରପରି ଘରଟାଏ ଏକା-! ବାସ୍ତବରେ ତାଙ୍କର ନରଦୁର୍ଲଭ ଦେବ ବ୍ୟବହାରରେ ଆବାଳବୃଦ୍ଧ ସମସ୍ତେ ସନ୍ତୁଷ୍ଟ, ଏହା ବୋଲିବା ଦ୍ୱିରୁକ୍ତି ମାତ୍ର । ସାମନ୍ତଙ୍କ ପରି ହୃଦୟୀ ଜଗତରେ ବିରଳ ପରିଲକ୍ଷିତ ହୁଅନ୍ତି । ଯେଉଁଦିନ ସେ ପରୋପକାରର ସୁବିଧା ପାଆନ୍ତି, ସେଦିନକୁ ସେ ସୌଭାଗ୍ୟର ସୁଦିନ ବୋଲି ମନେ କରନ୍ତି । ମାତ୍ର ଏତେ ସୁଖ, ଏତେ ସୌଭାଗ୍ୟରେ ସୁଦ୍ଧା ସାମନ୍ତଙ୍କ ଜୀବନରେ ଗୋଟାଏ ଅପୂର୍ଣ୍ଣତା ରାଜପଣ କରୁଥିଲା । ବିଧାତା ସୃଷ୍ଟିରେ କିଛିହିଁ ପରିପୂର୍ଣ୍ଣ ନୁହେଁ । ଦରିଦ୍ରର ଧନର ଅଭାବ, ଧନୀର ପୁତ୍ରକନ୍ୟା ଅଭାବ, ଏହିପରି ଗୋଟାଏ କୌଣସି ନା କୌଣସି ଅପୂର୍ଣ୍ଣତା ସମସ୍ତଙ୍କ ପ୍ରାଣରେ ଲାଗି ରହିଅଛି । ପୂର୍ଣ୍ଣତାପ୍ରଦାନ ଯେପରି ବିଧାତାଙ୍କର ମାନହାନିକର । ମନୁଷ୍ୟ ଅବସ୍ଥାର ଦାସ; ମାତ୍ର ଅବସ୍ଥା ମନୁଷ୍ୟର ଦାସ ନୁହେଁ । ହେମହରିଙ୍କ ଜୀବନ-ଗ୍ରନ୍ଥର ଶେଷ ଅଧ୍ୟାୟ ଦୁଃଖପୂର୍ଣ୍ଣ ଥିଲା । ଦୁଃଖ-ବଜ୍ରସୂଚିର ପ୍ରଚଣ୍ଡ ଆଘାତ ତାଙ୍କର ହୃଦୟ-ପଞ୍ଜରକୁ ଚୂର୍ଣ୍ଣୀଭୁତ କରିଦେଇଥିଲା । ଗତ ସନ ବୈଶାଖ ମାସରେ ତାଙ୍କର ଗୁଣବତୀ ସତୀ ସହଧର୍ମିଣୀ ନଶ୍ୱର ଇହଧାମ ତ୍ୟାଗକରି ଅବନିଶ୍ୱର ଅନନ୍ତ ଧାମକୁ ଚାଲିଯାଇଛନ୍ତି । ସେ ସ୍ମୃତିର ଅଗ୍ନିରେଖା ଅବଧି ନିଭି ନାହିଁ । ସେହି ନିଦାରୁଣ ସ୍ମୃତିର ତଣ୍ଟି ଚିପି ମାରିବାକୁ ଯେତେ ଚେଷ୍ଟା କଲେହେଁ ସେ ମଲା ନାହିଁ । ଯେତେ ଥର ମରେ, ପୁଣି ପର ମୁହୂର୍ତ୍ତରେ ଜୀଇଉଠେ । ଦୂର୍ଜନର ପରମାୟୁ ଅଧିକ, ଏହା ସ୍ୱତଃ ସିଦ୍ଧ କଥା ।

 

କେତେ ଲୋକ ଆସି କେତେ କଥା କହି ବୁଝାଇଲେ । କେହି କହିଲା–‘‘ଜୀବନ ସିନା ମୃତ୍ୟୁ ମହାସମୁଦ୍ରର କ୍ଷୀଣ ଲହରୀ । ତାହା ଏହି ମାତ୍ର ଅଛି, ଏହି ମାତ୍ର ନାହିଁ । ଆପଣ ସେଥିପାଇଁ ଦୁଃଖ କରନ୍ତୁ ନାହିଁ ।’’ କେହି କହିଲା, ‘‘ଆପଣ ଦ୍ଵିତୀୟ ସଂସାର କରନ୍ତୁ ।’’ ସାମନ୍ତେ ହସି ହସି କହିଲେ, ‘‘ଏ ତ ଆଚ୍ଛା ଉପଦେଶ ! ଶ୍ମଶାନ ପଥରେ ଚାଲୁଁ ଚାଲୁଁ ପୁଣି କୌତୁକ ସୁଆଙ୍ଗ କାହିଁକି ? ସେ ମୋର ଇନ୍ଦ୍ରିୟଚରିତାର୍ଥକାରିଣୀ ସ୍ତ୍ରୀ ଥିଲା ନାହିଁ, ସେ ମୋର ରୋଗର ଚିକିତ୍ସକ, ଶୋକର ସାନ୍ତ୍ୱନା, ବିପଦର ମନ୍ତ୍ରୀ ଏବଂ ଗୃହର ଅଳଙ୍କାର ସ୍ୱରୂପ । ତାହା ଅଭାବରେ ଧୂମ-ମଳିନ କାଚାଧାରମଧ୍ୟସ୍ଥ ଦୀପଶିଖା ପରି ମୋର ଗୃହ ହତଶ୍ରୀ ଦିଶୁଅଛି । ତାହାର ଅମର ସ୍ମୃତି ଗଗନପବନରେ ତରଙ୍ଗିତ ହୋଇ ରହିଅଛି । ତାହାର ଗୁଣ ମୋତେ କନ୍ଦାଉଅଛି । ସଂସାରରେ ଗୁଣବତୀ ସ୍ତ୍ରୀ ମନୁଷ୍ୟର ଦ୍ୱିତୀୟ ଜୀବନ । ତାହାର ପବିତ୍ର ଅଧିକାରୀ ମୁଁ ଅପରକୁ ଦେବାକୁ ଏକାନ୍ତ କୁଣ୍ଠିତ । ମୃଗୁଣୀ ବ୍ୟତୀତ ବାଘୁଣୀ କି ମୃଗର ବ୍ୟଥା ବୁଝିବ ? ଚନ୍ଦନ ବ୍ୟତୀତ ଅଗ୍ନି କି ଦାହଶାନ୍ତିର ହେତୁ ହେବ ? ବର୍ଷାର ବାରିପ୍ରବାହ ତୁଲ୍ୟ ମୋର ଚିନ୍ତାଧାରା ଖରଗତିରେ ପ୍ରବାହିତ ହେଉ ଅଛି ସତ୍ୟ; ମାତ୍ର ତାହା ତାହା ପାଇଁ ନୁହେଁ । ସେ ସତୀ ଶିରୋଭୂଷା, ହସି ହସି ସତୀ ସ୍ୱର୍ଗକୁ ଚାଲିଯାଇଅଛି ! ତାହା ପାଇଁ ଶୋକ କରି ମୁଁ ତାହାର ମୁକ୍ତିପଥର କଣ୍ଟକ ହେବି କାହିଁକି ? ମୋର ଦୁଃଖ ମୋର ବାଳିକା କନ୍ୟା ସକାଶ । ସେ ତାହା ମାତାର ସ୍ମୃତିର ମୁକୁର ସ୍ୱରୁପ । ରୂପ ଅଳଙ୍କାର ରୂପକୁ ଉଜ୍ଜ୍ୱଳ କଲା ପରି ସେ ଉଭୟେ ଉଭୟକୁ ସୁନ୍ଦର କରିଥିଲେ । ତାହାର ଦେବୀକଳ୍ପା ଜନନୀ ତାହାଠାରେ ନିଜର ଅନେକ ଗୌରବମୟ ପବିତ୍ର ନିଦର୍ଶନ ରଖିଯାଇଅଛି । ହାୟ ! ମାତୃହରା ମା ମୋର କିପରି ବଞ୍ଚିବ ? ଉଷାର ଅଙ୍କଭ୍ରଷ୍ଟ ହୋଇ କୁଆଁ ତାରାଟି କେତେ କ୍ଷଣ ବଞ୍ଚିପାରେ ? ଦୂରନ୍ତ ବାତ୍ୟା ଲତାକୁ ଉପାଡ଼ିଦେଲେ ସୁକୁମାର ଫୁଲଟି ମଉଳି ଝଡ଼ିପଡ଼ିବ ସିନା ! ମୃଗୁଣୀକୁ ବ୍ୟାଘ୍ର ଭକ୍ଷଣ କଲେ ଦୁଗ୍‌ଧଜୀବୀ ମୃଗଶିଶୁର ଯେଉଁ ଦଶାହୁଏ, ମୋର କନ୍ୟାଟିର ସେହି ଦଶା ହେବ, ଏହା ଭାବି ମୁଁ ଦୁଃଖିତ ଏବଂ ଚିନ୍ତିତ । ନଚେତ୍‌ ସେ ତ ମୋତେ ଅର୍ଦ୍ଧମୁକ୍ତ କରିଦେଇଅଛି, ଏହା ତ ମୋ ଭାଗ୍ୟରେ ମନ୍ଦର ଭଲ । ଏ ସଂସାର ବଡ଼ ବିଷମ । ଏଠାରେ ଯାହାର ବନ୍ଧନ ଯେତିକି ଛିଡ଼ୁଥିବ, ସେ ତେତିକି ମୁକ୍ତ ହେଉଥିବ । ଯେଉଁମାନେ ଚିରକୁମାର, ସେମାନେ ସମ୍ପୂର୍ଣ୍ଣ ବନ୍ଧନମୁକ୍ତ ଏବଂ ସୌଭାଗ୍ୟବାନ୍‌ । ସେମାନଙ୍କର ସ୍ୱାଧୀନଚିନ୍ତା ସଂସାରରେ ପ୍ରତିହିତ ହୁଏ ନାହିଁ । ଯାହା ପାଇଁ ସଂସାରରେ କେହି କାନ୍ଦିବାକୁ ନାହିଁ । ସେ ଧନ୍ୟ । ତାହାର ଜୀବନ ଚିରଜୀବିତ । ଅନ୍ୟଥା କୁଟୁମ୍ବୀ ଲୋକର ଜୀବନ ମୃତ ଏବଂ ଅସାତ । ତାହାର ଇଚ୍ଛା ଏକଆଡ଼େ ଯାଏ ଏବଂ କାର୍ଯ୍ୟ ଅନ୍ୟଆଡ଼େ ଯାଏ । ସେ ଶୃଙ୍ଖଳାବଦ୍ଧ ଏବଂ ତାହାର କାମନା ବିଶୃଙ୍ଖଳ । ତାହାର ମନ ସୁଦ୍ଧା ତାହାର ନୁହେଁ, ସେ ପରିବାର ହସ୍ତର କ୍ରୀଡ଼ାପିତୁଳା ଏବଂ ନାକଫୋଡ଼ା ବଳଦ !

 

ସମୟ ଏବଂ ନଦୀ ସ୍ରୋତ କେବେ ପଛକୁ ଫେରି ଚାହାନ୍ତି ନାହିଁ କିମ୍ବା କାହାରିକୁ ଅପେକ୍ଷା କରନ୍ତି ନାହିଁ । ସେମାନେ ସର୍ବଦା ସମାନଭାବରେ ଚାଲିଥାଆନ୍ତି । ଦେଖୁଁ ଦେଖୁଁ କେତେ ବର୍ଷ ଚାଲିଗଲା । ସାମନ୍ତଙ୍କ କନ୍ୟା କିଶୋରୀମଣି ଉପଯୁକ୍ତା ହେବାରୁ ସାମନ୍ତେ ତାହାକୁ ସତ୍‌ପାତ୍ରରେ ଅର୍ପଣ କରି ତାହା ସମ୍ବନ୍ଧରେ ନିଶ୍ଚିତ ହେଲେ ତାଙ୍କର ସନ୍ତାନ ତିନୋଟି, ଦୁଇଟି ପୁତ୍ର ଏବଂ ଗୋଟିଏ କନ୍ୟା । ଜ୍ୟେଷ୍ଠ ପୁତ୍ର ଗୋପାଳର ସ୍ୱଭାବ ଚରିତ୍ର ଠିକ୍‌ ପିତାଙ୍କ ପରି । ସୁବର୍ଣ୍ଣରୁ ଅଳଙ୍କାର ଜାତ ହେଲା ପ୍ରାୟ ସେ ପିତୃ ସଦ୍‌ଗୁଣର ଉପଯୁକ୍ତ ଦାୟାଦ । ମାତ୍ର ସାନ ପୁଅଟି ତାର ଠିକ୍‌ ବିପରୀତ । ସେ ଭାରି ଖୁଜୁବୁଜିଆ, ଗାଁ ପିଲାଙ୍କ ସଙ୍ଗରେ ଖୂରେଇ ହୋଇ ଲାଗିବା ତାହାର ଗୋଟାଏ ପ୍ରକୃତି । ୧୫/୧୬ ବର୍ଷର ହେଲାଣି, ତଥାପି ଅନକ୍ଷର । ନାମ ମଧୁ, କିନ୍ତୁ ସ୍ୱଭାବ ବଡ଼ ତିକ୍ତ । ସାଆନ୍ତେ ତାକୁ ପଢ଼ାଇବାର ବ୍ୟବସ୍ଥା କରି ଝଙ୍କଡ଼ରୁ ଜଣେ ଓଝା ଅବଧାନ ଅଣାଇଲେ । ସେ କାଳର ଓଝାମାନେ ଖଣ୍ଡେ ଖଣ୍ଡେ ନିଆଁ ମୁଣ୍ଡା କିମ୍ବା ଜଣେ ଜଣେ ଦୁର୍ବାସା ଋଷିତୁଲ୍ୟ ଥିଲେ । ସେମାନେ ଅଭିମାନରେ ଗୋଟିଏ ଗୋଟିଏ ହିମାଳୟ ପର୍ବତ । ନିଜକୁ ମୁଁ ବୋଲି କହିଲେ ସେମାନଙ୍କର ମାନ ହାନି ହୁଏ, ସୁତରାଂ ଆମେ ବୋଲି କହନ୍ତି । କଥା କଥାକେ ରୁଷା, କଥା କଥାକେ ଅପମାନ । ଯାହାହେଉ ମଧୁ ଯେପରି କାମୁଡ଼ା ଘୋଡ଼ା ଅବଧାନ ତାହାକୁ ସେହିପରି ସୈତାନ ସଇଷ ମିଳିଲା । ମାତ୍ର ମଧୁର ଅଦୃଷ୍ଟ ଭଲ, ଅବଧାନେ ଦିନେମାତ୍ର ରହି ଚିର ବିଦାୟ ନେଲେ । ନୈଶ ଭୋଜନ ସମୟରେ ଦୈବାତ୍‌ ଅବଧାନଙ୍କ ଭାତରୁ ଗୋଟାଏ ଧାନ ବାହାରିଲା । ଆଉ ସମ୍ଭାଳେ କିଏ ? ରାଗରେ କଣ୍ଟିଆ ମାଛ କରି କଁ କଁ ହୋଇ ଧଡ଼ପଡ଼ ଉଠିପଡ଼ି କହିଲେ–

‘‘କୁଣ୍ଡା ସଲ ସଲ ପେଜ ବଲ ବଲ ଗୁଣ୍ଡାକେ ଛ ଗଣ୍ଡା ଧାନ,

ଖାଆନ୍ତି କି ଏହା ଗଣ୍ଡାକଡ଼ା ଡକା ପିଣ୍ଡାବସା ଅବଧାନ ।’’

ଯେତେ ବୁଝାଇଲେ ଅବଧାନେ ଆଉ ରହିଲେ ନାହିଁ । ତହିଁ ଆରଦିନ ସକାଳୁ ଉଠି ବୁଜୁଳାବୁଜୁଳି ଏବଂ ପୋଥିପତ୍ର ଧରି ଚାଲିଗଲେ । ମଧୁ ମହା ଖୁସି, ଢାଳି ଚାପଡ଼ା ମାରି କହିଲା,–

 

‘‘କେଉଟ, ଯେଉଁ ବାଟେ ଆସିଥିଲ ସେହି ବାଟେ ନେଉଟ ।’’

ପଛରେ ଶୁଣାଗଲା, ଅବଧାନେ ଯିବାବେଳେ ବାଟରେ ରାନ୍ଧୁଣୀର ଚୌଦପୁରୁଷ ଉଦ୍ଦେଶ୍ୟରେ ନାନା ଅଖାଦ୍ୟ ଏବଂ ଅପେୟ ପଦାର୍ଥରେ ଶ୍ରାଦ୍ଧ ବାଢ଼ି ବାଢ଼ି ଯାଉଥିଲେ । ଆହୁରି ମଧ୍ୟ ଛଟା ମେଲି କହୁଥିଲେ,–

 

ଶୀତଳପୁରିଆ ପଢ଼ନ୍ତି ପାଠ,

ଯେବେ ପଢ଼ନ୍ତି ଦିନା ଆଠ ଆଠ,

ଯେବେ ନ ବରଷେ ପାଣି,

ତେବେ ଯାଆନ୍ତି ତେଣ୍ଡା ଟାଣି ।

 

ସେ କାଳର ଓଝାମାନେ ଛଟା, ଢଗ ଏବଂ ତୁଣ୍ଡେ ତୁଣ୍ଡେ ଅନୁପ୍ରାସ ରଖି କବିତା ରଚନାରେ ଖୁବ୍‌ ନିପୁଣ ଥିଲେ । ପୁଣି ଶିଷ୍ୟକୁ ଗାଳିମାଡ଼ରେ ସମ୍ବର୍ଦ୍ଧନା କରିବାକୁ ମଧ୍ୟ ତତୋଽଧିକ ନିପୁଣ ଥିଲେ । ସେମାନଙ୍କର କୀର୍ତ୍ତିକାହାଣୀ ଲେଖି ବସିଲେ ମହାଭାରତ ଭଳି କେତେ ଖଣ୍ଡ ପ୍ରକାଣ୍ଡ ପୋଥି ହେବ । ଗର୍ବରେ ତ ନବାବଙ୍କ ନାତି ତାଙ୍କୁ ସରି ନୁହେଁ ।

 

ଅନନ୍ତର ଅନ୍ୟ ଜଣେ ଶିକ୍ଷକ ଅଣାଇ ମଧୁର ଶିକ୍ଷାର ବ୍ୟବସ୍ଥା କରାଗଲା । କାଳିଦାସଙ୍କ ପରି ମଧୁଟି ମା ସରସ୍ୱତୀଙ୍କର ବରପୁତ୍ର, ସୁତରାଂ ମହାଶ୍ରୁତିଧର । ଗଣ୍ଡାକ ଚାରିକଡ଼ା ବୋଲି ଆଜି ତାକୁ ଶିଖାଇ ଦେଇ କାଲି ପାଚାରିଲେ, ଛ’ କଡ଼ା କିମ୍ବା ତେର କଡ଼ା କହେ । ଗୁରୁଦେବ ଛାତ୍ରର ଏହି ଅସାଧାରଣ ସ୍ମୃତିଶକ୍ତିରେ ତାଟଙ୍କା ହୋଇ କୃତାର୍ଥ ମଣନ୍ତି ଏବଂ ତାହାକୁ ଜନ୍ତୁ ବିଶେଷ ବୋଲି ଅଭିହିତ କରନ୍ତି । କେବେ ଅବା ପୁରସ୍କାର ସ୍ୱରୂପ ଗୋଟି କେତେ ମଧୁର ପ୍ରହାର ସ୍ନେହୋପହାର ପ୍ରଦାନ କରନ୍ତି । ମଧୁର ବିଚାରା ନାଚାର ହୋଇ ଲୁଚେ । ଥରେ ଥରେ ତାହାକୁ ୪/୫ ଦିନଯାଏ ଗଛରେ ଚଢ଼ି ଲୁଚିବାର ଦେଖାଯାଇଅଛି । ସାମନ୍ତଙ୍କ ହାଣ୍ଡିଶାଳ ଘର ଓଳିରେ ଗୋଟାଏ ପ୍ରକାଣ୍ଡ ଝଙ୍କାଳିଆ ତେନ୍ତୁଳି ଗଛ ଅଛି । ସେହି ଗଛଟି ମଧୂସୂଦନଙ୍କର ମହଦାଶ୍ରୟ । ରାତ୍ରିରେ ସମସ୍ତେ ଖାଇସାରି ଶୋଇଲେ ମଧୁ ଗଛରୁ ଓହ୍ଲାଇ ହାଣ୍ଡିଶାଳରେ ପଶି ପଖାଳର ସଦ୍‌ବ୍ୟବହାର କରି ଶୋଇପଡ଼େ ଏବଂ ରାତି ନ ପାହୁଣୁ ପୁଣି ଗଛକୁ ଉଠି ଆତ୍ମଗୋପନ କରେ । ପିତା ପୁତ୍ରର ଏହିପରି ବ୍ୟବହାରରେ ବିରକ୍ତ ହୋଇ ତାହାର ପଢ଼ାଶୁଣା ବନ୍ଦ କରିଦେଲେ ଏବଂ ମନେ ମନେ ଭାବିଲେ, ନପଢ଼ିଲା ତ ନାହିଁ ମନକୁ ବାଧିଲେ ମା’ ଛେଉଣ୍ଡ ପିଲାଟା ପୁଣି କି ଉପଦ୍ରବ କରି ବସିବ । ଆଉ ପଢ଼ି ଅବା କଣ କରିବ, ଚାକିରି କରିବାକୁ ତ ଯିବ ନାହିଁ ? ମୋର କଅଣ ଅଭାବ ଯେ, ପର ଗୋଡ଼ତଳେ ମୁଣ୍ଡ ବିକିବ ? ବଢ଼ିଲେ, ବୁଦ୍ଧି ହେଲେ, ବେଳେ ଚାଷବାସରେ ଲାଗିବ । ମଳୁ ଯାହା ଖୋଜୁଥିଲା, ବୈଦ୍ୟ ତାହା ବତାଇଲା । ସୂତରାଂ ମଧୁ ସେହିଦିନଠାରୁ ଶିକ୍ଷାରେ ଜଳାଞ୍ଜଳି ଦେଇ ତାସ, ପଶା ନେଇ ବସିଲା । କିନ୍ତୁ ଅବଧାନେ ଯେ ଏତେ ମାରିଥିଲେ, ତାଙ୍କ କହୁଣୀରେ ଉପଯୁକ୍ତ ଗୁରୁଦକ୍ଷିଣା ନ ଦେଲେ ତାକୁ ଆଜୀବନ ଋଣୀ ହୋଇ ରହିବାକୁ ହେବ । ଏହା ଭାବି ଗୁରୁଙ୍କର ଗୋଟିଏ କୁଶପିତୁଳା ପ୍ରସ୍ତୁତ କରି ତାହା ଅଗ୍ନି ଦେବଙ୍କୁ ସମର୍ପଣ ପୂର୍ବକ ସେ ଋଣରୁ ମୁକ୍ତ ହେଲା । ଗୁରୁଦେବ ଏହା ଶୁଣି ଛାତ୍ରକୁ ଆର୍ଶୀବାଦ କରି କହିଲେ ‘ତୁ ଜହ୍ନିଫୁଲର ପରମାୟୁ ଘେନି ବଞ୍ଚିଥା’ରେ ମଧୁଆ ।’

 

ଦିନେ ହେମହରି ସାଆନ୍ତେ ବଡ଼ ପୁଅକୁ ଡାକି କହିଲେ,- ଗୋପାଳ, ମୋର ତ ଜୀବନର ସନ୍ଧ୍ୟାକାଳ ଉପସ୍ଥିତ, ଏଣିକି ଅନ୍ଧକାର ମାଡ଼ି ଆସିବ । ଏ ସଂସାର ସଂସାର–ନୁହେ ଅସାର । ଏଠାରେ ଲୋକେ ଉପାଧି ଖୋଜି ଖୋଜି ବ୍ୟାଧିଗ୍ରସ୍ତ ହୁଅନ୍ତି, ତଥାପି ଲାଳସା ପୂର୍ଣ୍ଣ ହୁଏ ନାହିଁ । ଶେଷରେ ଅତୃପ୍ତ ଲାଳସାର ଦୁର୍ବହ ଭାର ହୃଦୟରେ ବହନ କରି ହାହାମୟ ଜୀବନ ଘେନି ସଂସାରରୁ ଫେରି ଆସନ୍ତି । ଆସକ୍ତି-ଅନଳ ବଡ଼ ଦୁର୍ବାର, କୋଟି ବ୍ରହ୍ମାଣ୍ଡ ଜାତ କଲେ ସୁଦ୍ଧା ସେ ତୃପ୍ତ ହୁଏ ନାହିଁ । ମନୁଷ୍ୟ ମାଟିର ସନ୍ତାନ, ଦୁଇଦିନେ ମାଟିରେ ମିଶିଯିବ । ଭ୍ରାନ୍ତ ମନୁଷ୍ୟ ଏହି କଠୋର ସତ୍ୟ ଭୁଲିଯାଇ ବିଷୟ ନିଶାରେ ଭୋଳ ହୋଇଥାଏ । ଯେଉଁ କୃତୀ ପୁରୁଷ କର୍ମରୂପ ଅଗ୍ନି ପରୀକ୍ଷାରେ ଶରୀର ଏବଂ ମନ ବିଶୁଦ୍ଧ କରିପାରେ, ତାହାରି ସୌଭାଗ୍ୟ-ଶୂକ୍ତିକାରେ ଦେବ କୃପାରୂପ ସ୍ୱାତୀ ନକ୍ଷତ୍ରର ବୃଷ୍ଟିବାରିପାତ ହୋଇ ମୁକ୍ତିରୂପ ମୁକ୍ତା ଲାଭହୁଏ । ସ୍ୱର୍ଗର ଗୌରବମାଲ୍ୟର ସେହି କେବଳ ଅଧିକାରୀ । ଏହା ଭାବି ମୁଁ ପାର୍ଥିବ ନଶ୍ୱର ବିଷୟ-ରାଜ୍ୟରୁ ଅବସର ନେବାକୁ ଇଚ୍ଛା କରିଅଛି । ଏଣିକି ଦଶର ଏବଂ ଦେଶର ସେବା କରି ପରକାଳର ସମ୍ବଳ ସଂଗ୍ରହ କରିବି । ତୁ ଦୁଇବର୍ଷ ବିଷୟବାଡ଼ି ଯେପରି ରକ୍ଷଣାବେକ୍ଷଣ କରୁଛୁ, ସେହିପରି କରୁଥା । ଆର୍ଶୀବାଦ କରୁଛି–ଈଶ୍ୱର ତୋତେ ସର୍ବଦା ସୁମତି ପ୍ରଦାନ କରନ୍ତୁ । ମୁଁ କାଲିଠାରୁ ଗ୍ରାମର ଉନ୍ନତିରେ ଆତ୍ମନିୟୋଗ କରିବି ।’’ ପିତାଙ୍କର ଏହି ସାଧୁ ପ୍ରସ୍ତାବରେ ସାଧୁ ପୁତ୍ର ସମ୍ମତ ହୋଇ କହିଲା, ‘‘ପିତଃ, ଆପଣ ଦୂରତୀର୍ଥକୁ ଗଲେ ବିଷୟ ସମ୍ଭାଳିବାକୁ ମୋର ବହକ ଖଟନ୍ତାନାହିଁ । ମାତ୍ର ଆପଣ ତ ଏହିଠାରେ ରହିବେ । ଆପଣଙ୍କ ଉପଦେଶମତେ କାର୍ଯ୍ୟ କରିବି, ଏଥିରେ ମୋର ଚିନ୍ତା ବା ଭୟ କଅଣ ? ମୁଁ ଅଯୋଗ୍ୟ ହେଲେ ସୁଦ୍ଧା ଆପଣଙ୍କ ଅବ୍ୟର୍ଥ ଦେବ-ଆର୍ଶୀବାଦ ମୋତେ ନିଶ୍ଚୟ ସୁପଥ ଦେଖାଇବ । ହିମାଳୟ ପଦ-ପ୍ରାନ୍ତରେ କ୍ଷୁଦ୍ରତରୂପ୍ରାୟ ମୁଁ ଆପଣଙ୍କ ପଦତଳେ ବସି ନୀତି ଉପଦେଶ ଗ୍ରହଣ କରିବି, ଏହା ତ ମୋର ସୌଭାଗ୍ୟର କଥା ।’’ ଏହା ଶୁଣି ପିତା କହିଲେ, ‘‘ଗୋପାଳ, ଦୂର ତୀର୍ଥକୁ କାହିଁକି ଯିବି ? ତୀର୍ଥ ଦର୍ଶନରେ ପୂଣ୍ୟ ବା ମୁକ୍ତି ଥିଲେ ଆଜନ୍ମ ତୀର୍ଥବାସୀଙ୍କର ପାପ ବ ବନ୍ଧନ କଅଣ ? ତୀର୍ଥର ମହାତ୍ମ୍ୟ ଅସ୍ୱୀକାର୍ଯ୍ୟ ନୁହେ; ମାତ୍ର ତୀର୍ଥ ମାନବକୁ ଯାହା ଦାନ କରେ, ତାହା ଯେବେ ଏହି ଗ୍ରାମରୁ ମିଳିପାରେ, ତାହାହେଲେ ଏହି କ୍ଷୁଦ୍ର ଗ୍ରାମଖଣ୍ଡି ସୁଦ୍ଧା ତୀର୍ଥ ହୋଇପାରେ । ଏହା ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ ସ୍ୱାସ୍ଥ୍ୟପ୍ରଦ ହୁଏ, ଆଉ ଏହାର ପ୍ରତ୍ୟେକ ଅଧିବାସୀ-ହୃଦୟରୁ ଦ୍ୱେଷ, ଈର୍ଷା, ପାପ, ତାପ ଇତ୍ୟାଦି ଦୂରୀଭୂତ ହୋଇ ସ୍ନେହ, ପ୍ରେମ, ମୈତ୍ରୀ, ଦୟା, କ୍ଷମା, ସାଧୁତା ପ୍ରଭୃତି ପ୍ରକୃତ ଧର୍ମଭାବରେ ସମସ୍ତେ ମଣ୍ଡିତ ହୁଅନ୍ତି, ତେବେ ଏ ସ୍ଥାନ ଦେବବାଞ୍ଛିତ ପୂଣ୍ୟତୀର୍ଥରେ ପରିଣତ ନ ହେବ କାହିଁକି ? ଅଧିକନ୍ତୁ ମାତୃସମା ମାତୃଭୂମିଠାରୁ ବଳି ତୀର୍ଥ କେଉଁଠାରେ ଅଛି ? ସ୍ୱର୍ଗ ଯାହାକୁ ସରି ନୁହେ, ଆଉ କିଏ ବା ତାହାର ସମାନ ହେବ ? ଏ ଶରୀର ମାତୃମହୀର ଅଂଶରୁ ଜାତ ହୋଇଅଛି । ସୁତରାଂ ଶେଷରେ ତାହାରି ଅଂଶ ତାହାରି ଦେହରେ ମିଶାଇବା ହିଁ କର୍ତ୍ତବ୍ୟ ଏବଂ ଧର୍ମ । ଅତଏବ ତୀର୍ଥମୃତ୍ୟୁରେ କେଉଁ କାରଣ ଅଛି ?’’ ଏହା ଶୁଣି ଗୋପାଳ ଆନନ୍ଦ ଗଦ୍‌ଗଦ୍‍ କଣ୍ଠରେ କହିଲା, ‘‘ପିତଃ, ଆଜି ମୁଁ ଆପଣଙ୍କ ମୂଖରୁ ତୀର୍ଥତତ୍ତ୍ୱ ଶୁଣି କୃତାର୍ଥ ହେଲି । ଆପଣ ନର ନୁହନ୍ତି, ଦେବତା । ମୁଁ ଦେବପିତାଙ୍କର ପୁତ୍ର ବୋଲି ବାସ୍ତବରେ ଗର୍ବ ଅନୁଭବ କରୁଅଛି । ମୋର ଏ ଗର୍ବ ନିରର୍ଥକ ନୁହେ, ପ୍ରତ୍ୟୁତ ସତ୍ୟାନୁପ୍ରାଣିତ ।’’ ପିତା ପୁତ୍ରର ଏବଂବିଧ ବାକ୍ୟ ଶୁଣି କହିଲେ, ‘‘ଗୋପାଳ, ପ୍ରାଣର ଗୋପାଳ, ତୋ ପରି ଗୁଣଧର ସୁପୁତ୍ର ଏବଂ ବଧୂ-ମାତାଙ୍କ ପରି ଲକ୍ଷ୍ମୀକଳ୍ପା ସୁବଧୂ ପାଇ ମୁଁ ନିଜକୁ ଧନ୍ୟ ମଣିଅଛି । ଉଭୟେ ଦୀର୍ଘଜୀବୀ ହୋଇ ସଂସାରରେ ଅକ୍ଷୟ କୀର୍ତ୍ତ ଉପାର୍ଜନ କର, ମୋର ଏହି ଆଶୀର୍ବାଦ ।’’

 

ହେମହରି ସାମନ୍ତ ଗ୍ରାମରୁ କେତେ ଜଣ ନିଜର ମନୋମତ ଚରିତ୍ରବାନ୍‌ ସହକାରୀ ବାଛିନେଇ ସେମାନଙ୍କ ସାହାଯ୍ୟରେ ଗ୍ରାମର ସଂସ୍କାରରେ ପ୍ରବୃତ୍ତ ହେଲେ । ବସନ୍ତ ଏବଂ ମହାମାରୀରେ ପ୍ରତିବର୍ଷ ଗ୍ରାମର ଅନେକ ଲୋକ ମରନ୍ତି । ସେଥିରେ କାରଣ ପାନୀୟ ଜଳର ଅଭାବ । ସାମନ୍ତଙ୍କର ଦୃଷ୍ଟି ପ୍ରଥମେ ସେହି ଦିଗରେ ପଡ଼ିଲା । ତହୁଁ ସେ ଗ୍ରାମବାସୀଙ୍କୁ ଡକାଇ, ଗୋଟିଏ ସ୍ଥାନ ଦେଖାଇ ଦେଇ କହିଲେ, ‘‘ତୁମ୍ଭେମାନେ ପ୍ରତ୍ୟହ ବିଲରୁ ଫେରିଲାବେଳେ ବୋଝେ ଲେଖାଏଁ ମାଟି ଏହିଠାରୁ ଖୋଳିନେଇ ଗ୍ରାମର ମଝି ଦାଣ୍ଡରେ ପକାଇବ । ମଝି ଦାଣ୍ଡଟା ଏପରି ଖାଲ ଯେ, ବର୍ଷା ହେଲେ କାଦୂଅରେ ଅତି କଦର୍ଯ୍ୟ ହୋଇଯାଏ । ସେହିପରି କରିବାରୁ ଅଳ୍ପଦିନ ମଧ୍ୟରେ ଗୋଟିଏ ସୁପେୟ ଜଳର ପୁଷ୍କରିଣୀ ଖୋଳା ହୋଇଗଲା । ଅଧିକନ୍ତୁ ଯାତ୍ରା ଦେଖା, କୋଳି ବିକା ଏକ ସଙ୍ଗରେ ହେଲାପରି ଗ୍ରାମ ମଧ୍ୟରେ ଗୋଟିଏ ପ୍ରଶସ୍ତ ସଡ଼କ ପ୍ରସ୍ତୁତ ହୋଇଗଲା-। ଅଥଚ ଗୋଟାଏ ପଇସା ଖର୍ଚ୍ଚ ହେଲାନାହିଁ । ତହିଁ ପରେ ସାଆନ୍ତେ କହିଲେ, ‘‘ଗାଧୋଇବା ସମୟରେ ସମସ୍ତେ ପୁରୁଣା ପୋଖରୀରୁ ମେଞ୍ଚାଏ ଲେଖାଏଁ ଦଳ ଏବଂ ପଙ୍କ ନେଇ ଆଡ଼ିରେ ପକାଇବ ।’’ ଏହି କୌଶଳରେ ମାସକ ମଧ୍ୟରେ ପୁରୁଣା ପୋଖରୀ ଦୁଇଟିର ସଂସ୍କାର ହୋଇଗଲା-। ଶସ୍ୟ ଅମଳ ସମୟରେ ପ୍ରତ୍ୟେକ ଚାଷିଠାରୁ କିଛି ଶସ୍ୟ ଆଦାୟ କରି ସେହି ଶସ୍ୟ-ବିକ୍ରୟଲବ୍‌ଧ ଅର୍ଥରେ ଗୋଟିଏ ପାଣ୍ଠି କରାଗଲା । ଗ୍ରାମର ପଞ୍ଚାୟତ ବସାଇ ହାରିଫେରାଦି ବୁଝାଗଲା । ସ୍ଥଳ-ବିଶେଷରେ ଦୋଷୀକୁ ସାମାନ୍ୟ ଅର୍ଥଦଣ୍ଡ ହୁଏ । ତାହା ଅର୍ଥ ପାଣ୍ଠିକୁ ଆହୁରି ପୃଷ୍ଟ କଲା । ପାଣ୍ଠିର ଅର୍ଥରେ ପାଠଶାଳା, ଔଷଧାଳୟ, ପାନ୍ଥଶାଳା ପ୍ରଭୃତି ସ୍ଥାପିତ ହେଲା । ଗ୍ରାମର ଉପକଣ୍ଠରେ ଗୋଟିଏ ସାପ୍ତାହିକ ହାଟ ବସିଲା । ତଦ୍ଦ୍ୱାରା ଗ୍ରାମବାସୀଙ୍କର ବିକା କିଣାର ସୁବିଧା ହେଲା । ଏହିପରି ଯେଉଁ ଦିଗରେ ଯାହା ଅଭାବ ଦେଖା ଗଲା, ତାହା ପୂର୍ଣ୍ଣ କରି ଦିଆଗଲା-। ଏହିପରି କରିବା ଦ୍ୱାରା ଗ୍ରାମଟି ଗୋଟିଏ ସହର ତୁଲ୍ୟ ସର୍ବାଙ୍ଗସୁନ୍ଦର ହୋଇ ଉଠିଲା-। ନାଗରିକ ଉପାଦାନର ଆଉ ଅଭାବ ରହିଲା ନାହିଁ । ଗ୍ରାମବାସୀମାନେ ପରମୁଖାପେକ୍ଷୀ ନ ହୋଇ ସ୍ୱାବଲମ୍ବୀ ହୋଇ ଉଠିଲେ । କେତେ ଜଣ ସ୍ୱେଚ୍ଛାସେବକ ବାହାରି ରାତିରେ ଜଗି ଗ୍ରାମକୁ ଚୋର ଖଣ୍ଟ ଉପଦ୍ରବରୁ ରକ୍ଷା କଲେ । ଲୋକଙ୍କର ସଦ୍ଭାବ ସଂପ୍ରୀତି କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ଗ୍ରାମଟି ଗୋଟିଏ ପରିବାର ତୁଲ୍ୟ ହୋଇ ରହିଲା । ଯେଉଁମାନେ ରାଜକୀୟ ସାହାଯ୍ୟ ବ୍ୟତୀତ ଗ୍ରାମର ଶ୍ରୀବୃଦ୍ଧି ଅସମ୍ଭବ ବୋଲି ଉଚ୍ଚ ଚିତ୍କାରରେ ଗଗନପବନ ବିଦୀର୍ଣ୍ଣ କରନ୍ତି, ସେମାନେ ଶୀତଳପୁରର ଉନ୍ନତି ଦେଖି କିଛି ଶିକ୍ଷା କରିବେ କି ?

•••

 

ତୃତୀୟ ପରିଚ୍ଛେଦ

 

ସୁନାଘାଇ ପର୍ବତର ସର୍ବୋଚ୍ଚ ଚୂଡ଼ା ବଡ଼ ଭୀଷଣ ଏବଂ ଦୂରାରୋହ । କେବଳ ଦୂରାରୋହ କାହିଁକି ଅନାରୋହ କହିଲେ ସୁଦ୍ଧା ଅତ୍ୟୁକ୍ତି ହେବନାହିଁ । ଯେମନ୍ତ କି ଖଣ୍ଡେ ପ୍ରଶସ୍ତ ପୃଥୁଳ ପାଷାଣ କାଟିଦେଲା ପ୍ରାୟ ସରଳ ଭାବରେ ଠିଆ ହୋଇଅଛି । ତଳୁ ପ୍ରାୟ ୫୦ ହାତ ପର୍ଯ୍ୟନ୍ତ ବୃକ୍ଷଲତାଶୂନ୍ୟ । ଉପରେ ଗୋଟାଏ ବିରାଟବପୁ ଦୈତ୍ୟ ବିକଟମୁଖ ବ୍ୟାଦାନ କରି ଉଭା ହେଲାପ୍ରାୟ ଦେଖାଯାଏ । ଚୂଡ଼ା ଉପରେ ପ୍ରକାଣ୍ଡକାୟ ତରୁ, ଗହଳ ଲତା ଏବଂ ବିସ୍ତୃତ କଦଳୀବନ ସେହି ମହାଦୈତ୍ୟ ମସ୍ତକସ୍ଥ ଅଯତ୍ନବିନ୍ୟସ୍ତ କେଶରାଶି ପରି ପ୍ରତୀୟମାନ ହୁଏ । କଦଳୀଗଛଗୁଡ଼ିକ କେହି ପୀତ, କେହି ଅପୀତ, ଏବଂ କେହି ବା ହରିତ୍‌ ବର୍ଣ୍ଣର ଫଳକାନ୍ଦିରେ ଆନତ । ତଳୁ ତାହା ଦେଖି ମର୍କଟଯୂଥର ରପନା ଲାଳାୟିତ ହୁଏ । ତହୁଁ ସେମାନେ ଶତ ଅସମ୍ଭାଳ ଆଶା-ଭାର ହୃଦୟରେ ବହନ କରି ଅଧୀର ଆଗ୍ରହରେ ଉପରକୁ ଉଠିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ସହସ୍ର ଚେଷ୍ଟାରେ ସୁଦ୍ଧା ପହଣ୍ଡେ ଅଗ୍ରସର ହୋଇପାରନ୍ତି ନାହିଁ । ଅଗ୍ରସର ହୋଇପାରନ୍ତି ନାହିଁ । ଚୂଡ଼ାଟା ଏପରି ପିଚ୍ଛିଳ ଯେ, ଗୋଡ଼ ଦେବାର ଉପାୟ ନାହିଁ । କପିକୁଳର ସହସ୍ର ଲମ୍ଫଝମ୍ଫ ବିଫଳ ହୁଏ । ଯେତେବେଳେ ସେମାନେ ଅକୃତକର୍ମା ହୋଇ ଅତୃପ୍ତ ବାସନାର ବ୍ୟର୍ଥଭାର ବହନ କରି ଫେରି ଯାଆନ୍ତି, ସେତେବେଳେ ବୋଧ ହୁଏ ମନକୁ ଏହିପରି ପ୍ରବୋଧ ଦିଅନ୍ତି-‘‘ଛି, କଦଳୀ ଫଳଗୁଡ଼ାକ ବଡ଼ ବିସ୍ୱାଦୁ, କୋଚିଳା-କରଞ୍ଜ-ପତ୍ର ଭୋଜୀ ଭଦ୍ର ମର୍କଟ ମହାଜାତିର ଖାଦ୍ୟ ନୁହେ । ଇତର ଅସଭ୍ୟ ମାନବଜାତି ସକାଶେ ବିଧାତା ତାହା ସୃଷ୍ଟି କରିଅଛନ୍ତି । ବାନରଜାତି ବରଂ ଅନାହାରରେ ମରିବ, ମାତ୍ର ଏ ରୂପ କଦର୍ଯ୍ୟ ଉଦରସ୍ଥ କରି ଉଦରକୁ ଅପବିତ୍ର କରିବା ତାହାର ଧର୍ମ ନୁହେଁ । ଘୃଣ୍ୟ ତୁଚ୍ଛ କଦଳୀଫଳରେ କଞ୍ଚା ଲାଉ କଖାରୁର ମାଧୁରୀ ଅଛି, ନା ରସଗନ୍ଧ ଅଛି ? ଆମ୍ଭେମାନେ ସ୍ୱୟଂ ଭଗବାନ ରାମଚନ୍ଦ୍ରଙ୍କର ବାହନ, ସୁତରାଂ କଦଳୀ ଖାଇ ଜାତି ହରାଇଲେ ସେ କି ଆଉ ଆମ୍ଭମାନଙ୍କୁ ପୂର୍ବପରି ସ୍ନେହ କରିବେ ? ବରଂ ଜାତିଭ୍ରଷ୍ଟ ହେବା ହେତୁ କୁମ୍ଭୀପାକ ତୀର୍ଥକୁ ପଠାଇବାର ବ୍ୟବସ୍ଥା କରିବେ । ଇଃ, କଦଳୀ ଫଳଗୁଡ଼ାକ ପୁଣି କି ଦୁର୍ଗନ୍ଧ ତାହା ପେଟ ଭିତରକୁ ଗଲେ ଜନ୍ମକାଳର ମାତୃସ୍ତନ୍ୟ ସୁଦ୍ଧା ଉଦ୍‌ଗୀରିତ ହୋଇ ପଡ଼ିବ । ମୁର୍ଖ ନିର୍ବୋଧ ମାନବଗୁଡ଼ାକ କିପରି ତାକୁ ଖାଆନ୍ତି ? ହଁ ନ ଖାଇବେ ବା କାହିଁକି, ସେମାନେ ତ ଆଉ ଉପାଦେୟ ଖଦ୍ୟପ୍ରିୟ ବାନରଜାତି ପରି ସୁକୁମାର ନୁହନ୍ତି । ବିଶ୍ୱବିଶ୍ରୁତ ବାନରଜାତି ପରି ଯେଉଁମାନେ ସୁନ୍ଦର ହୋଇପାରନ୍ତି ନାହିଁ, କିମ୍ବା ବୁଦ୍ଧିମାନ୍‌ ହୋଇ ପାରନ୍ତି ନାହିଁ, ବିଶ୍ୱବିଶ୍ରୂତ ବାନରଜାତି ପରି ଯାହାର ମସ୍ତିଷ୍କ ବା ପ୍ରତିଭା ନାହିଁ, ସେ କି ଗୋଟାଏ ଜାତିରେ ଲେଖା ? ମାନବଜାତି ସୃଷ୍ଟି କରିବା ବିଧାତାର ଗୋଟାଏ ପ୍ରକାଣ୍ଡ ଭୁଲ କିମ୍ବା ବିଦ୍ରୂପାତ୍ମକ ଖିଆଲ ଛଡ଼ା ଆଉ କିଛି ନୁହେ ।’’

 

ଗଛମାନଙ୍କର ପ୍ରକାଣ୍ଡ ଚେର ଦ୍ୱାରା ପାଷାଣଚୂଡ଼ା ଅନେକଧା ବିଦୀର୍ଣ୍ଣ ହୋଇ ଯାଉଅଛି-। ଗଛମାନଙ୍କୁ ସ୍ଥାନ ଦେବାରୁ ତାହାର ଏହି ଫଳ ଲାଭ ହୋଇଅଛି । ବୋଧହୁଏ ପ୍ରଥମେ ଜନ୍ମ ସମୟରେ ଗଛ କହିଥିବ,–‘‘ଭାଇ ପାଷାଣ, ସମସ୍ତେ କାଳର ଅଧୀନ । ତାହାର ଧ୍ୱଂସନିପୁଣ ଅମଙ୍ଗଳ ହସ୍ତ ସମୟରେ ସମସ୍ତଙ୍କୁ ସଂସାରରୁ ପୋଛିଦେବ, ଏହା ଧ୍ରୁବ ସତ୍ୟ । ତୁ ମୋତେ ନିଜ ବକ୍ଷରେ ଟିକିଏ ସ୍ଥାନ, ଦେଲେ ମୁଁ ତୋତେ କଠୋର ବଜ୍ର ବନ୍ଧନରେ ଏପରି ବାନ୍ଧି ରଖିବି ଯେ, କାଳର କି ସାଧ୍ୟ ଯେ ତୋତେ ସ୍ପର୍ଶ କରିପାରିବ ? ଅଧିକନ୍ତୁ ମୁଁ ତୋର ଟାଙ୍ଗରା ମୁଣ୍ଡରେ ଛତାରୂପେ ରହି ଖରାବର୍ଷା ପ୍ରଭୃତି ପ୍ରକୃତିର ଉଗ୍ର ଉପଦ୍ରବରୁ ଅନନ୍ତକାଳଯାଏ ତୋତେ ରକ୍ଷା କରିବି ।’’ ପାଷାଣ ଗଛର ଏହି ଷଡ଼ଯନ୍ତ୍ର ବୁଝି ନପାରି ମହାଉପକାରୀ ଜ୍ଞାନରେ ତାହାକୁ ସ୍ଥାନ ଦେଲା । ସେହି ଅପରିଣାମଦର୍ଶିତାର କୁଫଳ ଏବେ ତାକୁ ଭୁଞ୍ଜିବାକୁ ହେଉଅଛି । ଅବିଶ୍ୱାସୀ ଗଛ ତାହାର ହୃଦୟର ଶୋଣିତ ଶୋଷଣପୂର୍ବକ ତାହାକୁ ଏବେ ଶୋଷଣ କରିବାକୁ ବସିଅଛି । ଖଳ ଲୋକ ଏହିପରି ମଧୁର କଥାରେ ଚିତ୍ତ ହରଣ କରି ସରଳ ଲୋକକୁ ନଷ୍ଟ କରେ । ଶେଷରେ ନିଜେ ସୁଦ୍ଧା ନଷ୍ଟ ହୁଏ । ତାହା ପ୍ରତାରଣାର ଅନିବାର୍ଯ୍ୟ ପୁରସ୍କାର । ଧର୍ମ ପାଖରେ କାହାରି ପ୍ରତାରଣା ଚଳିପାରେନାହିଁ, ଧର୍ମ ସମଦର୍ଶୀ ଏବଂ ଦୋଷୀର ଦଣ୍ଡଦାତା ।

 

ଚୂଡ଼ାର ଉପରିସ୍ଥ ଅରଣ୍ୟ ବୃକ୍ଷମାନଙ୍କର କାରାଗାର ସ୍ୱରୂପ । ତତ୍ରତ୍ୟ ସମସ୍ତ ସମସ୍ତ ବୃକ୍ଷର ହସ୍ତପଦ ଚୋରଖଣ୍ଟ ପରି ନିବିଡ଼ ଲତାବନ୍ଧନରେ ଆବଦ୍ଧ ପ୍ରଥମରେ ବଡ଼ ସୁଖସ୍ପର୍ଶ ଏବଂ ମଧୁରସ ଥିଲା, କିନ୍ତୁ ବର୍ତ୍ତମାନ ଜ୍ୱାଳାପ୍ରଦ । ସେଥିରେ ବୃକ୍ଷର ପ୍ରାଣ ଓଷ୍ଠାଗତ । କେବଳ ଗୋଟିଏ ଗୋଟିଏ ପତ୍ର ଲତାସନ୍ଧିରୁ ବାହାର କରି ତଦ୍ଦ୍ୱାରା ଅତି କଷ୍ଟରେ ନିଃଶ୍ୱାସ ମାରି ତ୍ରାହି ମଧୁସୂଦନ ଡାକୁଅଛି । ସ୍ଥାନେ ସ୍ଥାନେ ଫୁଲ ଫୁଟି ବନ ଆଲୋକିତ କରି ବସିଅଛି । ଫୁଲ ସମୂହ ଭାବମଗ୍ନ ହୋଇ ମୁଗ୍‌ଧପ୍ରାଣରେ ପକ୍ଷୀସଙ୍ଗୀତ ଶ୍ରବଣ କରୁଅଛନ୍ତି । ବେଳେ ବେଳେ ଭ୍ରମର ଏବଂ ପ୍ରଜାପତି ଆସି ଗୋପନରେ ଫୁଲ କାନରେ କଅଣ କହିଯାଉଅଛନ୍ତି । ତାହା ଶୁଣି ଫୁଲ ସ୍ରୋତମଧ୍ୟସ୍ଥ ପାଣିବେତ ପରି ଭୟରେ କମ୍ପି ଉଠୁଛି । ସେଠାରେ ଗୋଟାଏ ଗୁମ୍ଫା ଥିବାର ପୂର୍ବରୁ ଉକ୍ତ ହୋଇଅଛି । ତାକୁ ଦେଖିଲେ ଅତୀତର ବ୍ୟଥା ଆସି ହୃଦୟରେ ଆଘାତ କରେ । ପୂର୍ବେ ଗିରିଗୁହାମାନ ଆଧ୍ୟାତ୍ମିକ ସମ୍ପଦର ଆଳୟ ଥିଲା । ତାହା ଭାରତୀୟ ଶାସ୍ତ୍ର ପୁରାଣର ଆଦିଜନ୍ମସ୍ଥାନ ବା ଅନ୍ତୁଡ଼ିଶାଳ । ତ୍ରିକାଳଜ୍ଞ ମୁନିଋଷିମାନେ ତାହାର ଶାନ୍ତିମୟ କ୍ରୋଡ଼ରେ ବସି ଭବିଷ୍ୟତ ବଂଶଧରମାନଙ୍କ ହିତ ସକାଶେ ବହୁ ଚିନ୍ତା କଳ୍ପନା କରୁଥିଲେ । ତାଙ୍କର ସେହି କଳ୍ପନାରୁ ଅସଂଖ୍ୟ ମଣିମୁକ୍ତା ଝରି ପଡ଼ୁଥିଲା । ସେହି ରତ୍ନରାଜି ଏକା ଭାରତ କାହିଁକି, ବର୍ତ୍ତମାନ ସମଗ୍ର ଜଗତର ମହାର୍ହ ସମ୍ବଳ ହୋଇଅଛି । ହାୟ, ଏବେ ସେ ଗୌରବକାଳ ବହୁ ଦୂରରେ ରହିଅଛି । ଆଉ ସେ ମୁନିଋଷି ନାହାନ୍ତି, କି ଗୁମ୍ଫାର ସେ ପବିତ୍ରତା ନାହିଁ । ତ୍ରିଲୋକପାବନୀ ଗଙ୍ଗା ଚର୍ମନାସାରେ ପରିଣତ ହୋଇଅଛି । ଅମୃତ-ହାଣ୍ଡିରେ ଆମିଷ ରନ୍ଧାର ବ୍ୟବସ୍ଥା ହୋଇଅଛି । ହାୟ ଦୁରନ୍ତ କାଳର କି ଅଦ୍ଭୁତ କ୍ଷମତା ! ଯାହା ଧର୍ମର କ୍ଷେତ୍ର ଥିଲା, ତାହା ପାପର ବିଳାସଭୂମିରେ ପରିଣତ ହୋଇଅଛି-। ଦେବନିବାସ ସ୍ୱର୍ଗ ଘୋର ନରକଠାରୁ ବଳିଅଛି । କେତେକ ବର୍ଷ ପୂର୍ବେ ଏହି ଗୁମ୍ପାରେ ଯେଉଁ ପୈଶାଚିକ ତାଣ୍ଡବଲୀଳା ସଂଘଟିତ ହୋଇଥିଲା, ତାହା ଶୁଣିଲେ ମନୁଷ୍ୟ କଥା ତେଣେ ଥାଉ, ଦେବତାଙ୍କର ସୁଦ୍ଧା ଧୈର୍ଯ୍ୟଭଙ୍ଗ ହେବ । ଗୁମ୍ଫାକୁ ଉଠିବାର ଉପାୟ ନାହିଁ ବୋଲି ପୂର୍ବରୁ କୁହାଯାଇ ଅଛି । ପର୍ବତ ଚୂଡ଼ାର ପାଦଦେଶରୁ ଗୋଟିଏ ସ୍ଥୂଳ ଲତାଯାଇ ଗୁମ୍ଫାମୁଖସ୍ଥ ଗୋଟାଏ ହରିଡ଼ା ଗଛରେ ମାଡ଼ିଅଛି । ତାହାକୁ ଧରି କେହି ଅତି ସାହସିକ ବହୁକଷ୍ଟରେ ଗୁମ୍ଫାକୁ ଯାଇପାରେ । ସାହସିକତା ଅବଶ୍ୟ ଭଲ, ମାତ୍ର ଅତି ସାହସିକତା ସେଥିର ଠିକ୍‌ ବିପରୀତ । ଲବଣ ପଦାର୍ଥର ସ୍ୱାଦୁ ବଢ଼ାଏ, ମାତ୍ର ସେଥିରେ ଆଧିକ୍ୟ ବାଞ୍ଛନୀୟ ନୁହେ । ତଦ୍ଦ୍ୱାରା ପଦାର୍ଥ ତିକ୍ତ ଏବଂ ଅଖାଦ୍ୟ ହୋଇଯାଏ । ସେହି ଲଟାଟା ଅଜଗରସର୍ପ ଗୁମ୍ଫାରୁ ବାହାରି ତଳକୁ ଆସିଲା ପ୍ରାୟ ଦେଖାଯାଏ ।

 

କେତେକ ବର୍ଷ ପୂର୍ବେ ସେହି ଗୁମ୍ଫାରେ ଜଣେ କାପାଳିକ ବାସ କରୁଥିଲା । ପୂର୍ବୋକ୍ତ ଲତା ତାହାର ଆରୋହଣୀ ଏବଂ ଅବରୋହଣୀର କାର୍ଯ୍ୟ କରେ । କାପାଳିକମାନେ ଧର୍ମନାମରେ ଯେଉଁ ବୀଭତ୍ସ ଜଘନ୍ୟ ଅପଧର୍ମର କାର୍ଯ୍ୟ କରନ୍ତି ତାହା କାହାରି ଅବିଦିତ ନୁହେ । ଲୋକଟା ଦେଖିବାକୁ ଖଣ୍ଡେ ସଚଳ ଅନ୍ଧକାର ପ୍ରାୟ କୃଷ୍ଣବର୍ଣ୍ଣ । ସେ ମନୁଷ୍ୟ କି ଦୈତ୍ୟର ବଂଶଧର ସହସା ସହଜ ଦୃଷ୍ଟିରେ ତାହା ବାରି ହୁଏ ନାହିଁ । ମୁହଁଟା ବଡ଼ କଦାକାର, ଗଭୀର ବସନ୍ତ ଚିହ୍ନରେ ତାହା ଖଣ୍ଡେ ଲୁହାର ଜାଲିଚଟୁ ପରି ଦିଶେ । ବିରଳ ଶ୍ମଶ୍ରୁଜାଲ ସେ ଭୟଙ୍କର ମୁଖକୁ ଅଧିକ ଭୟଙ୍କର କରିଅଛି । କପାଳରେ ରକ୍ତ ଚନ୍ଦନର ତ୍ରିବଳୀ ଚିତା । ଗୋଡ଼ଯୋଡ଼ାକ ରସ ବାତରେ କେନ୍ଦୁ କାଷ୍ଠର ଉପମା ଧାରଣ କରିଅଛି । ଆଉ ଅଧିକ ରୂପ ବର୍ଣ୍ଣନାର ଆବଶ୍ୟକ ନାହିଁ । ସ୍ଥୂଳ ଦୀର୍ଘ ମୂର୍ତ୍ତି ଶରୀରର ଅମାନୁଷୀ ବଳର ପରିଚୟ ଦେଉଅଛି । ବଳରେ ଛଳରେ ବା କଳରେ କୌଶଳରେ ମନୁଷ୍ୟ ଧରି ଆଣି ଇଷ୍ଟ ଦେବୀଙ୍କ ନିକଟରେ ନରବଳି ପ୍ରଦାନ ତାହାର ସ୍ୱାଭାବିକ ଧର୍ମ । ବାସ୍ତବରେ ଏହା ସ୍ୱାଭାବିକ କି ଅସ୍ୱାଭାବିକ ସେଥିରେ ବିଚାର ଧର୍ମତତ୍ତ୍ୱବିଦ୍‌ମାନେ କରିବେ ମାତ୍ର ଲେଖକ ମତରେ ଏହା ଘୋର ବ୍ୟଭିଚାର ଏବଂ ପ୍ରାୟଶ୍ଚିତ୍ତଶୂନ୍ୟ ମହାପାପ । ଏହିପରି ଧର୍ମଭେକଧାରୀ ମହାପାଷାଣ୍ଡମାନଙ୍କ ସକାଶ ମୁକ୍ତିର ସିଂହଦ୍ୱାରା ଚିର ଅର୍ଗଳବଦ୍ଧ, ଏଥିରେ ସନ୍ଦେହର ଅବକାଶ ନାହିଁ । ମନୁଷ୍ୟ ପ୍ରାଣ ଧରି ମନୁଷ୍ୟ ପ୍ରାଣକୁ ଯେ ନିର୍ବିକାର ଚିତ୍ତରେ ହରଣ କରେ ଧର୍ମ ଦେବ ତାହାର ମୁଖାବଲୋକନ ସୁଦ୍ଧା ଭ୍ରମରେ ବା ସ୍ୱପ୍ନରେ ହେଲେ କରନ୍ତି ନାହିଁ । ହତ୍ୟା କୌଣସି କାଳରେ ଧର୍ମ ନାମରେ ଅଭିହିତ ହୋଇ ପାରେ ନାହିଁ । ଦେବତାଙ୍କ ନିକଟରେ ନରବଳି ଏହା ଅତି ନିର୍ଯ୍ୟୁକ୍ତିକ ଲୋମହର୍ଷୀ ବ୍ୟାପାର । ଯେଉଁ ଦେବତା ମାନବର ପ୍ରାଣଦାତା ଏବଂ ରକ୍ଷାକର୍ତ୍ତା ସେହି ଦେବତା କି ମାନବଖାଦକ, ଏହା ବିଷମ ସମସ୍ୟା ନୁହେ କି ? ଯେଉଁ ଶାସ୍ତ୍ରରେ ଏପରି ଆଦେଶ ଥାଏ ତାହାକୁ କଦାପି ଧର୍ମଶାସ୍ତ୍ର ବୋଲା ଯାଇ ନ ପାରେ । ସେପରି ଅଶାସ୍ତ୍ରକୁ ଚଣ୍ଡାଳ ହସ୍ତରେ ପୋଡ଼ିଦେବା ଉଚିତ ।

•••

 

ଚତୁର୍ଥ ପରିଚ୍ଛେଦ

 

ଦିନେ କାପାଳିକ ଗୋଟିଏ ଦରିଦ୍ର ବାଳକକୁ ଖାଦ୍ୟ ଲୋଭରେ ହରେଇ ଆଣି ଅତି ଗୋପନରେ ଗୁମ୍ଫା ମଧ୍ୟରେ ବନ୍ଧନ କରି ରଖିଥିଲା । ଶବସାଧନା ଶେଷରେ ପିଲାଟିକୁ ଦେବୀଙ୍କ ନିକଟରେ ବଳି ଦେବ ଏହାହିଁ ତାହାର ଅଭିସନ୍ଧି । କିନ୍ତୁ ଅଗ୍ନି, ପରି ପାପ କେବେହେଁ ପ୍ରଚ୍ଛନ୍ନ ରହିପାରେ ନାହିଁ । ଶତ ଆବରଣ ଭେଦି ତାହା ଆତ୍ମ ପ୍ରକାଶ କରେ । ଏହି ସମୟରେ ଦୁଇ ଜଣ ସାହେବ ଶିକାର ଉଦ୍ଦେଶ୍ୟରେ ଆସି ଶୀତଳପୁର ଗ୍ରାମ ନିକଟସ୍ଥ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତମ୍ବୁ ପକାଇଲେ । ସେମାନଙ୍କ ସଙ୍ଗରେ ଅନେକ ଲୋକ ଓ ହାତହତିଆର ଯଥେଷ୍ଟ ଥିଲା । ସାହେବଦୁହିଁଙ୍କ ମଧ୍ୟରେ ଜଣେ ବାଲେଶ୍ୱର ଜିଲ୍ଲାର କଲେକ୍‌ଟର ଏବଂ ଅନ୍ୟ ଜଣଙ୍କ ତାଙ୍କର ବନ୍ଧୁ-। କଲେକ୍‌ଟର ସାହେବ ଭଦ୍ରକ ଗସ୍ତରେ ଆସି ବନ୍ଧୁ ଅନୁରୋଧରେ ପାରିଧି କରିବାକୁ ଆସି ଅଛନ୍ତି-। ସ୍ୱୟଂ କଲେକ୍‌ଟର ସାହେବ ଆସିବାର ଜାଣି ନିକଟବର୍ତ୍ତୀ ବଅନ୍ତ ଥାନାର କର୍ମଚାରୀ ଚୌକିଦାରବୃନ୍ଦ ତାହାଙ୍କୁ ସଲାମ ଦେବାକୁ ଆସିଲେ । ସାହେବ ସେମାନଙ୍କଠାରୁ ସ୍ଥାନୀୟ ହାଲଚାଲ ବୁଝି ଗ୍ରାମର ପ୍ରଧାନ ଲୋକଙ୍କୁ ଡାକିବା ସକାଶ ଥାନାର ଜମାଦାରଙ୍କୁ ଆଦେଶ ଦେଲେ-। ତହୁଁ ଜଣେ କନେଷ୍ଟବଲ ଯାଇ ହେମହରି ସାମନ୍ତଙ୍କୁ ଆଣି ଉପସ୍ଥିତ କଲା । ସାମନ୍ତେ ପିନ୍ଧାଟାଏ ପିନ୍ଧି ଚୌମୁହିଁ ଖଣ୍ଡିଏ କାନ୍ଧରେ ପକାଇ ଆସିଥିଲେ । ଜମାଦାର ତାଙ୍କୁ ସାହେବଙ୍କ ପାଖକୁ ଘେନିଯାଇ କହିଲେ,–‘‘ହଜୁର ଗ୍ରାମର ପ୍ରଧାନଲୋକ ହେମହରି ସାମନ୍ତ ଆସିଅଛନ୍ତି ।’’ ସାମନ୍ତେ ତରଭର ହୋଇ ଲୁଗା ପଟା ସମ୍ଭାଳି ସାହେବଙ୍କୁ ସଲାମ କରି ଠିଆ ହେଲେ । ସାହେବ ଭଲ ଓଡ଼ିଆ କହିପାରନ୍ତି । ସାମନ୍ତଙ୍କୁ ଖାଲି ଦେହରେ ଆସିବାର ଦେଖି ମୃଦୁ ହସି କହିଲେ, ‘‘ତୁମେ ପୋଷାକ ନ ପିନ୍ଧି ଖାଲି ଦେହରେ କାହିଁକି ଆସିଛ ?’’ ସାମନ୍ତେ ହାତ ଯୋଡ଼ି କହିଲେ, ‘‘ହଜୁର ଏହାହିଁ ଆମ୍ଭର ଜାତୀୟ ପୋଷାକ । ଭାରତ ଯୋଗୀ-ସନ୍ୟାସୀଙ୍କ ଦେଶ । ଭାରତବାସୀଏ ଯୋଗୀସନ୍ନ୍ୟାସୀଙ୍କ ବଂଶଧର । ଷୋଳଘଡ଼ି ବସ୍ତା ବନ୍ଧା ହୋଇ ରହିବା ତାଙ୍କ ସ୍ୱାସ୍ଥ୍ୟ ପକ୍ଷରେ ଅନୁକୂଳ ନୁହେଁ । ଆମ୍ଭର ଉଷ୍ଣପ୍ରଧାନ ଦେଶ, ସୁତରାଂ ଏହି ପୋଷାକ ଆମ୍ଭର ଯଥେଷ୍ଟ । ବିଶେଷତଃ ଆପଣ ତେର ଦରିଆ ପାର ହୋଇ ଆମ୍ଭ ଦେଶକୁ ଆସି ଅଛନ୍ତି । ଏ ଗରମ ଦେଶରେ ସୁଦ୍ଧା ଆପଣ ଜାତୀୟ ପୋଷାକ ତ୍ୟାଗ କରି ନାହାନ୍ତି । ମୁଁ ମୋର ମାତୃଭୂମି କ୍ରୋଡ଼ରେ ଥାଇ ଜାତୀୟ ଆଦର୍ଶ କାହିଁକି ଛାଡ଼ିବି ? ସାହେବ ସାମନ୍ତଙ୍କର ଜାତୀୟତା କଥା ଶୁଣି ଭାରି ସନ୍ତୁଷ୍ଟ ହେଲେ, ଏବଂ କହିଲେ–‘‘ସାମନ୍ତ, ତୁମ୍ଭେ ଜଣେ ମନୁଷ୍ୟ ପରି ମନୁଷ୍ୟ । ସେ ଯାହାହେଉ, ଆମ୍ଭେ କାଲି ସକାଳେ ଶିକାର କରିବା ସକାଶ ଏହି ପର୍ବତକୁ ଯିବୁଁ, ବାଟ ଦେଖାଇବା ସକାଶ ତୁମ୍ଭ ଗ୍ରାମରୁ କେତେ ଜଣ ଉତ୍ତମ ଜାଣିବା ଲୋକ ଦେବ । ସେମାନଙ୍କ ନ୍ୟାଯ୍ୟ ପାରିଶ୍ରମିକ ଆମ୍ଭେ ଦେବୁଁ ।’’ ସାମନ୍ତ କହିଲେ–‘‘ଯେ ଆଜ୍ଞା ହଜୁର, କାଲି ମାଛି ଅନ୍ଧାରରୁ ୨୦ ଜଣ ଲୋକ ପଠାଇବି; ମାତ୍ର ପାରିଶ୍ରମିକର ଆବଶ୍ୟକତା ନାହିଁ । ଆମ୍ଭେମାନେ ହିନ୍ଦୁ, ରାଜାଙ୍କୁ ଦେବତାତୁଲ୍ୟ ଜ୍ଞାନ କରୁଁ । ଆପଣ ରାଜା, ଆମ୍ଭେମାନେ ପ୍ରଜା, ଭାଗ୍ୟକୁ ରାଜ-ଅତିଥି ଆମ୍ଭମାନଙ୍କ ଗ୍ରାମରେ ବିଜେ କରି ଅଛନ୍ତି, ଗରିବ ଆମ୍ଭେମାନେ କି ସତ୍କାର ଅବା କରିପାରିବୁଁ ? ପଥ ଦେଖାଇ ଟିକିଏ ସହାୟତା କରିବୁଁ–ସେଥି ସକାଶ ପାରିଶ୍ରମିକ କାହିଁକି ? ଆପଣ ପିତା ଆମ୍ଭେମାନେ ପୁତ୍ର, ପିତାଙ୍କର କାର୍ଯ୍ୟକରି ପୁତ୍ର କି ପାରିଶ୍ରମିକର ଦାବୀ କରେ ? ଆପଣ ଦୟାକରି ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି, ଏତିକିରେ ଆମ୍ଭେମାନେ କୃତାର୍ଥ ଏବଂ ତାହାହିଁ ଆମ୍ଭମାନଙ୍କର ଆଶାତୀତ ପାରିଶ୍ରମିକ ।’’ ସାହେବ ଏହା ଶୁଣି ଅତୀବ ସନ୍ତୁଷ୍ଟ ହେଲେ, ଏବଂ ସାମନ୍ତଙ୍କ କର ମର୍ଦ୍ଦନ କରି କହିଲେ, ‘‘ବାସ୍ତବରେ ଓଡ଼ିଆ ଜାତି ଆଦର୍ଶ ରାଜଭକ୍ତ ।’’ ଏହିପରି କଥୋପକଥନ ପରେ ସମସ୍ତେ ସଲାମ କରି ସାହେବଙ୍କଠାରୁ ବିଦାୟ ନେଲେ । ସାହେବ ବସ୍ତ୍ରାବାସରେ ନିଶିଯାପନ କଲେ ।

 

ଯଥାସମୟରେ ପୂର୍ବ ଦିଗରେ ସିନ୍ଦୂରା ଫାଟିଲା । ରଜନୀ ରାଣୀ ପ୍ରଭାତର ଶିଶିର-ଜଳରେ ସ୍ନାନ ସାରି ନୂଆ ଭୂଆଶୁଣି ପ୍ରାୟ କେଉଁଠାରେ ଯାଇ ଲୁଚି ରହିଲେ । କାଳ-କୋକିଳାଦିର ସ୍ୱରଲହରୀ ଉଚ୍ଛୁଳି ଉଠିଲା । ପ୍ରାଚୀଦିଗ୍‌ବଧୂର ଶିର-ସିନ୍ଦୂରପ୍ରାୟ ନବୀନ ତପନ ଉଦିତ ହୋଇ ଧରଣୀକି ନବବଳ, ନବୋତ୍ସାହ ଏବଂ ନବ ଜୀବନ ଦାନ କଲେ । କିରଣକାନ୍ତ ପ୍ରଭାବତି ସୂର୍ଯ୍ୟ ପ୍ରତ୍ୟହ ଶିଶୁ, ଯୁବା, ପ୍ରୌଢ଼ ଏବଂ ବୃଦ୍ଧ ଏହି ଚତୁର୍ବିଧ ଅବସ୍ଥା ଧାରଣ କରନ୍ତି । କାହାରି ଅବସ୍ଥା ଚିର ସ୍ଥିର ନୁହେ, ବୋଧହୁଏ ସଙ୍କେତରେ ଏହି ଉପଦେଶ ପ୍ରଦାନ କରନ୍ତି । ଉଚ୍ଚ ତରୁକୂଳ ବାଳସୂର୍ଯ୍ୟର ପ୍ରବାଳଜିତ କିରଣ-କିରୀଟ ମସ୍ତକରେ ଧାରଣ କରି ପବନ-ହିଲ୍ଲୋଳଛଳରେ ଆନନ୍ଦରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବାକୁ ଲାଗିଲେ । ପର୍ବତମାନେ ବେଶ ପରିବର୍ତ୍ତନ କଲେ । ସେମାନେ ମୟୂରକଣ୍ଠିଆବର୍ଣ୍ଣ ପରିତ୍ୟାଗ କରି ଅମଳ ପାଟଳ ବର୍ଣ୍ଣରେ ରଞ୍ଜିତ ହେଲେ । କଜ୍ଜଳପତ୍ରୀର କଣ୍ଠ-ବଂଶୀ ତାରସ୍ୱରରେ ବାଜି ଉଠିଲା । ଏଥି ପୂର୍ବରୁ ସାମନ୍ତଙ୍କ ପ୍ରେରିତ ଲୋକମାନେ ଆସି ଉପସ୍ଥିତ ହୋଇଥିଲେ । ସ୍ଥାନୀୟ ପୋଲିସ ଫୌଜ ଆସି ସାହେବଙ୍କୁ ସଲାମ ଭେଟି ଦେଲେ । ସାହେବ ଦୁହେଁ ପ୍ରାତଃକାଳୀନ ବାଲ୍ୟଭୋଗ ପରେ ଶକ୍ତିରୂପିଣୀ ଚା-ଦେବୀଙ୍କର ଆରାଧନା ଶେଷ କରି ଅଶ୍ୱାରୋହଣପୂର୍ବକ ବହିର୍ଗତ ହେଲେ । ସମସ୍ତ ଫୌଜ ତାଙ୍କରି ପଛେ ପଛେ ଚାଲିଲେ । ସମସ୍ତଙ୍କ ହସ୍ତରେ ଅସ୍ତ୍ରଶସ୍ତ୍ର ଝକ୍‌ଝକ୍‌ ହୋଇ ଜଳି ଉଠିଲା । ସାହେବଦ୍ୱୟଙ୍କ ପକେଟରେ ପିସ୍ତଲ ଏବଂ ହସ୍ତରେ ରିଭଲଭାର୍‌ । ଅନ୍ୟ ସମସ୍ତେ କେହି ଧନୁର୍ବାଣ, କେହି କୃପାଣ, କେହି ଟାଙ୍ଗୀ ଏବଂ କେହି ବା ବର୍ଚ୍ଛା ଧରିଅଛନ୍ତି । ସାହେବ ପର୍ବତ ମୂଳରେ ଉପସ୍ଥିତ ହୋଇ ଦେଖିଲେ, ପର୍ବତକୁ ଉଠିବା ପଥ ଏପରି ଉପଳ-ବନ୍ଧୁର ଯେ, ସେଥିରେ ଅଶ୍ୱ ଚାଳନା ଅସମ୍ଭବ । ତହୁଁ ସେ ଓହ୍ଲାଇ ଅଶ୍ୱକୁ ସଇସ ହସ୍ତରେ ଅର୍ପଣ କଲେ । ତାଙ୍କର ବନ୍ଧୁଟି ମଧ୍ୟ ତାଙ୍କର ଅନୁକରଣ କଲେ । କଲେକ୍‌ଟର ଘୋଡ଼ାରେ ଗ୍ରୀବା ଆଉଁସି ଦେଇ କହିଲେ, ‘‘ଘୋଡା, ତୁମ୍‌ହିଆଁ ଖଡ଼େ ରହୋ, ହାମ ଆତାହେ । ଲେକିନି ଦେଖୋ ବଦମାସୀ ମତ୍‌ କରୋ ।’’ ଘୋଡ଼ାଟି ଦୁଇ ତିନି ଥର ନାକ ଫୁରୁଡ଼ି ମାରି ସ୍ୱୀୟ ପ୍ରଭୁଙ୍କର ଆଦେଶ ସମର୍ଥନ କଲା । ତହୁଁ ସାହେବ କ୍ଷୁଦ୍ର ବାହିନୀଟି ଘେନି ଗିରି ଆରୋହଣ କଲେ । ଗତି-ପଥରେ ଅସଂଖ୍ୟ ପ୍ରକାର ଫୁଲ ଫୁଟିଥିବାର ଦେଖି ଦ୍ୱିତୀୟ ସାହେବଟି ଆଖୁ ବାଡ଼ିରେ ପଶିଲା ପରି ହୋଇ ତାହା ତୋଳି ପକେଟସ୍ଥ କରିବାକୁ ଲାଗିଲେ । ସମସ୍ତ ପକେଟ ପୂର୍ଣ୍ଣ ହୋଇଗଲା । ତଥାପି ଫୁଲ ତୋଳାର ବିରାମ ନାହିଁ । କଲେକ୍‌ଟର ତାହା ଦେଖି ମୃଦୁ ହସି କହିଲେ,–‘‘ପ୍ରିୟ ବନ୍ଧୁ, ତୁମ୍ଭର ତ ଭାରି ଲୋଭ ଦେଖୁଛି ।’’ ବନ୍ଧୁବର ପ୍ରତ୍ୟୁତ୍ତର ଦେଲେ–‘‘ଲୋଭନୀୟ ପଦାର୍ଥ ଦେଖିଲେ କାହାର ବା ଲୋଭ ନ ହୁଏ ?’’ ବାସ୍ତବରେ ଆମ୍ବ, ମାଛ, ଛତୁ, ଫୁଲ –ଏ ଚାରୋଟି ପଦାର୍ଥ ଉପରୁ ସହଜରେ ଲୋଭ ସମ୍ବରଣ କରି ହୁଏ ନାହି । ଯେତେ ସଂଗ୍ରହ କଲେ ସୁଦ୍ଧା ଲୋଭ ସେତେ ବଢ଼ୁଥାଏ । ଖାତକ ଯେତେ ପରିଶୋଧ କରେ, ଲୁବ୍‌ଧକ ମହାଜନର ଚକ୍ରବୃଦ୍ଧି ସୁଧ ସେତେ ବଢ଼େ । ସାହେବ ଦୁହେଁ ଇଂରାଜିରେ କଥାବର୍ତ୍ତା କହିଥିଲେ, ମାତ୍ର ସାଧାରଣ ସୁବିଧା ନିମନ୍ତେ ତାହା ଓଡ଼ିଆରେ ଅନୁବାଦ କରି ଦିଆଗଲା । ଏଥିରେ ଇଂରାଜି ପଢ଼ା ପାଠକମାନଙ୍କ ମଧ୍ୟରୁ କେହି କେହି ବିରକ୍ତ ହୋଇ ପାରନ୍ତି, ମାତ୍ର ଲେଖକ ନାଚାର । ଇଂରାଜି ବିଦ୍ୟାରେ ଲେଖକର ଜ୍ଞାନ ଅସାଧାରଣ ଅର୍ଥାତ୍‍ ଏ ବି ସି ଡ଼ି ରେ ପର୍ଯ୍ୟବସିତ । ସୁତରାଂ ଇଂରାଜୀରେ ଲେଖକ ଦିଗ୍‌ବିଜୟୀ ଆଲେକଜାଣ୍ଡର । ପାଠକ ଅବଧାନ ହସିବେ ନାହିଁ ।

 

ଚକ୍ରବ୍ୟୁହ ରଚନାରେ ଖଣ୍ଡେ ବଣ ଆବଦ୍ଧ କରାଗଲା । ବ୍ୟୁହର ପରିଧୀ ଉପରେ ଦୁଇହାତ ଅନ୍ତରରେ ଜଣେ ଜଣେ ଅସ୍ତ୍ରଧାରୀ ଅଷ୍ଟାବଧାନୀ ହୋଇ ଜଗି ରହିଲେ । କେତେଜଣ ଭିତରେ ପଶି ବଣ ହନ୍ତାଳିବାକୁ ଲାଗିଲେ । ସେମାନଙ୍କ ବିକଟ କୁହାଟ ଓ ଧୂସ୍‌ଧାସ୍‌ ପ୍ରହାର ଶବ୍ଦରେ ଜନ୍ତୁଗୁଡ଼ାକ ସଂତ୍ରସ୍ତ ଏବଂ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚାରି ଆଡ଼େ ଦୌଡ଼ାଦୌଡ଼ି କରିବାକୁ ଲାଗିଲେ । ମାତ୍ର କେଉଁ ଆଡ଼େ ଯିବେ ? ଯେଣେ ଗଲେ ତେଣେ ଯମ ଉପଯମ ପରି ଅସ୍ତ୍ରଧାରିମାନେ ଉଭା ହୋଇଅଛନ୍ତି । ବ୍ୟୂହର ଦୁଇପାଖରେ ଦୁଇଟା ବାଟ ଥିଲା, ସେଠାରେ ସାହେବ ଦୁହେଁ ସତର୍କ ଦୃଷ୍ଟିରେ ଜଗି ବସିଥାଆନ୍ତି । ପଶୁ ଗୁଡ଼ାକର କି କରୁଣ ବ୍ୟାକୁଳ ଚାହାଣୀ-କି ମୌନ କାତର ପ୍ରାଣଭିକ୍ଷା, ତାହା ଦେଖି ମୃଗୟୂମାନଙ୍କର ପାଷାଣ ହୃଦୟ ତରଳିବ କି ? ମୃଗୟା ଯେ ସେମାନଙ୍କର ବ୍ୟସନ ଏବଂ ଆମୋଦ । ହାୟ ମାନବ, କି କଠୋର ବଜ୍ରରେ ତୁମ୍ଭର ହୃଦୟ ଗଢ଼ା ହୋଇଅଛି ! ଦୁର୍ବଳର ପ୍ରାଣ ଘେନି ତୁମ୍ଭର ଆମୋଦ । ଆଚ୍ଛା, ତୁମ୍ଭ ଉପରେ କେହି ଏପରି ଅତ୍ୟାଚାର କଲେ ତୁମ୍ଭେ ସହିବ ତ ? ନା ପିନଲ୍‌କୋଡ଼ର ଧାରା ଅଣ୍ଡାଳି ତାର ବାସ୍ତୁଭିଟା ଅତଳ ସାଗରରେ ଡୁବାଇ ଦେବ ? ତୁମ୍ଭେ ଶୋଭାପ୍ରିୟ ସତ୍ୟ, ମାତ୍ର ଅନେକତ୍ର ଶୋଭାର ଯମ । ଏହି ଯେ ବନଲକ୍ଷ୍ମୀ ହରିଣ ଶିଶୁଟି ନାନାଭଙ୍ଗୀରେ ଗ୍ରୀବା ଭାଙ୍ଗି ନାଚି ଖେଳି ବୁଲୁଅଛି, –ତରଙ୍ଗ ତରଳ ଚାହାଁଣୀରେ ଆଲୋକିତ କରୁଅଛି, ଏ ଶୋଭା କି ତୁମ୍ଭର ଅସହ୍ୟ ? ଯଦି ଚକ୍ଷୁଶୂଳ ହୋଇଥାଏ, ତେବେ ନିଜର ଚକ୍ଷୁଦ୍ୱୟ ତୀକ୍ଷ୍‌ଣ କଣ୍ଟକରେ ଫୁଟାଇ ଦିଅ । ହା ନିର୍ମମ, ହା ସ୍ୱାର୍ଥପର, ହା ଉଦରସର୍ବସ୍ୱ, ଏଥିପାଇଁ କି ତୁମ୍ଭଙ୍କୁ ବିଧାତା କ୍ଷମତା, ବିବେକଶକ୍ତି ଏବଂ ଜ୍ଞାନ ଦେଇଅଛି ? ତୁମ୍ଭେ ସେହି ବିଧିଦତ୍ତ ମହାରତ୍ନର ସଦ୍‌ବ୍ୟବହାର କରୁଅଛ ତ ? ମୃଗୟାର ଉଦ୍ଦେଶ୍ୟ ହିଂସ୍ରଜନ୍ତୁନିପାତ–ନିରୀହ ପ୍ରାଣିର ପ୍ରାଣବଧ ନୁହେ । ଯାଉ ସେ କଥା, ମୃଗୟାପ୍ରିୟମାନେ ଏହା ଶୁଣିଲେ ମୃଗୟା ଛାଡ଼ି ଲେଖକକୁ ମୃଗୟା କରିବାକୁ ବାହାରିବେ, ନଚେତ୍‌ ରାଗରେ ଗରଗର ହୋଇ ତାହାର ସପ୍ତପୁରୁଷର ଶ୍ରାଦ୍ଧ ବାଢ଼ି ବସିବେ ।

 

ପାରିଧିରେ ଅନେକ ପଶୁ ମଲେ । କେତେ ଡେଇଁ ଦ୍ରୁତଗତିରେ ପଳାଇ ଯାଇ ପ୍ରାଣରକ୍ଷା କଲେ । ସାହେବଙ୍କ ଅବ୍ୟର୍ଥ ଲକ୍ଷ୍ୟରୁ ଯେ ବଞ୍ଚିଗଲା, ସେ ନବଜୀବନ ଲାଭ ତୁଲ୍ୟ ମଣିଲା । ସାହେବ ସେ ବଣ ଛାଡ଼ି ପର୍ବତର ଶେଷ ଚୂଡ଼ାନ୍ତ ଯିବାକୁ ବାହାରିଲେ । ପଥଦର୍ଶକମାନେ କହିଲେ–‘ହଜୁର, ସେ ଚୂଡ଼ା ବଡ଼ ଦୂରାରୋହ, ତାହା ଉପରକୁ ଉଠିବାର ଉପାୟ ନାହିଁ । ତାହାର ତିନିପାଖ ସମାନ, ମାତ୍ର ଗୋଟାଏ ପାଖରେ ଟିକିଏ ସୁବିଧା । ପର୍ବତର ଗୋଟାଏ ନାସୀ ସେହି ପାଖରେ ମିଶି ଥିବାରୁ ସେହି ବାଟେ ଉଠି ପାରିବାର ସମ୍ଭାବନା; କିନ୍ତୁ ନାସୀଖଣ୍ଡକ ଭାରି ଜଙ୍ଗଲବୃତ । ସେ ପଥରେ ବନ୍ୟଜନ୍ତୁମାନେ ସୁଦ୍ଧା ପାହୁଲେ ଅଗ୍ରସର ହୋଇ ପାରନ୍ତି ନାହିଁ । ସାହେବ କହିଲେ–‘‘ଜଙ୍ଗଲ୍‌ କାଟକେ ହାମ୍‌କୁ ହୁଆ ଲେ ଚଲୋ ।’’ ଖୋଦ୍‌ କଲେକ୍‌ଟରଙ୍କର ହୁକୁମ, କିଏ ତାହା ଅନ୍ୟଥା କରିପାରେ ? ତହୁଁ ଅନେକ ଲୋକ ଜଙ୍ଗଲ କାଟିବାକୁ ଲାଗିଲେ । ସେମାନଙ୍କ ପ୍ରତାପ ହାକିମ ପ୍ରତାପକୁ ବଳିଗଲା । ମଧ୍ୟାହ୍ନ ସୂର୍ଯ୍ୟର ପ୍ରଖର ଉତ୍ତାପ ମସ୍ତକରେ ସହି ହୁଏ; ମାତ୍ର ସୂର୍ଯ୍ୟତାପରେ ଉତ୍ତପ୍ତ ବାଲୁକାକଣାର ଉତ୍ତାପରେ ଗୋଡ଼ତଳ ଜଳିଥାଏ । ଯାହାହେଉ, ବଡ କଷ୍ଟରେ ହାତେ ଓସାରରେ ବାଟ ପ୍ରସ୍ତୁତ ହେଲା । କଲେକ୍‌ଟରଙ୍କର ଫୌଜ ସେହି ବାଟେ ଯାଇ ଗିରିଚୂଡ଼ାରେ ଉପସ୍ଥିତ ହେଲେ । ସାହେବ ଇତସ୍ତତଃ ପାଦଚାରଣ କରୁଁ କରୁଁ ଗୁମ୍ଫା ମୁଖରେ ଯାଇ ପହୁଞ୍ଚି ସେଠାରେ ଯାହା ଦେଖିଲେ, ସେଥିରେ ତାଙ୍କର ରୋମ ଟାଙ୍କୁରି ଉଠିଲା । ସେ ଦେଖିଲେ, ଗୁମ୍ଫାର ଗର୍ଭ ଖୁବ୍‌ ପ୍ରଶସ୍ତ, ମାତ୍ର ଦ୍ୱାରଟି ସାନ । ଭିତରଟା ଅନ୍ଧକାର, କେବଳ ଦ୍ୱାର ଛିଦ୍ରପଥରେ ଅଳ୍ପ ଅଳ୍ପ ଆଲୋକ ଭିତରକୁ ଯାଉଅଛି । ଜଣେ କାପାଳିକ ଗୁମ୍ଫା ମଝିରେ ଗୋଟାଏ ଗଳିତ ଶବ ପୃଷ୍ଠରେ ବସି ଚକ୍ଷୁ ବୁଜି ଧ୍ୟାନରେ ନିମଗ୍ନ ରହିଅଛି । ଗୁମ୍ଫା ଅନ୍ଧକାର ଏବଂ କାପାଳିକ କୃଷ୍ଣ ବର୍ଣ୍ଣ, ଏହା ପୂର୍ବରୁ କୁହାଯାଇଅଛି । ସୁତରାଂ ଖଣ୍ଡେ ଅନ୍ଧକାର ଆଉ ଖଣ୍ଡେ ଅନ୍ଧକାରକୁ କୋଳରେ ଧରି ବସିଲା ପ୍ରାୟ ଦିଶୁଅଛି । କାପାଳିକର ବାମପାଖରେ ଗୋଟିଏ ୧୨।୧୩ ବର୍ଷର ପିଲା ହାତ ଗୋଡ଼ ବନ୍ଧା ହୋଇ ପଡ଼ିଅଛି । ଛିନ୍ନ ମଳିନ ବସ୍ତ୍ର ମଧ୍ୟରୁ ତାହାର ମଧୁର ସୌନ୍ଦର୍ଯ୍ୟ ଫୁଟି ଉଠୁଅଛି-। ଧାରାଶ୍ରାବଣପରି ଆଖିରୁ ଲୁହ ବହି ଯାଉଅଛି । ତାହା ମୁଣ୍ଡଉପରେ ଦୁଇଖଣ୍ଡ ପୋଡ଼ା କନ୍ଦମୂଳ ଏବଂ ନରକପାଳରେ ମନ୍ଦାଏ ପାଣି ଥୁଆ ହୋଇଅଛି, ମାତ୍ର ବାଳକଟି ତାହା ଛୁଇଁ ନାହିଁ । କାପାଳିକର ଦକ୍ଷିଣ ପାଖରେ ଗୋଟାଏ ମଳିନ ମାଟିଦୀପ ମିଞ୍ଜି ମିଞ୍ଜ ହୋଇ ଜଳୁଅଛି ଏବଂ ଗୋଟାଏ ଠେକିରେ ଠେକିଏ ପାଣି ରହିଅଛି । ପଣେ କି ଛବୋଡ଼ି ନରମୁଣ୍ଡ ଏବଂ ନରପଞ୍ଜର ଗୁମ୍ଫାର ଗୋଟିଏ କୋଣରେ ଗଦା ହୋଇଅଛି । ଏହିସବୁ ଭୟଙ୍କର ବିଭତ୍ସ କାଣ୍ଡ ଦେଖି ସାହେବଙ୍କର ନେତ୍ର ସ୍ଥିର ଏବଂ ପାଦ ଅଚଳ ହୋଇଗଲା । ସାହେବ ଏ ଦେଶରେ ନରହନ୍ତା କାପାଳିକମାନଙ୍କ ଦୁଷ୍କର୍ମ ପୂର୍ବରୁ ଶୁଣିଥିଲେ । ଏବେ ପ୍ରତ୍ୟେକ୍ଷରେ ଦେଖି ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟାଇଲେ । ଯାହାହେଉ, ସେ ଏକାନ୍ତ ଅବସନ୍ନ ଏବଂ ଅବାଧ୍ୟ ଗୋଡ଼ଯୋଡ଼ାକୁ ଟାଣିଟୁଣି କୌଣସିମତେ ସେଠାରୁ ଆସି ନିଜର ଶିକାର ସଙ୍ଗୀମାନଙ୍କ ନିକଟରେ ପହଞ୍ଚିଲେ । ତାଙ୍କର ବନ୍ଧୁ ତାଙ୍କଠାରୁ ଏହି ବ୍ୟାପାରର ବର୍ଣ୍ଣନା ଶୁଣି ଅତିଶୟିତ ଆଗ୍ରହ ସହକାରେ ଗୁମ୍ଫାକୁ ଯିବାକୁ ଉଦ୍ୟତ ହେଲେ, ମାତ୍ର ସାହେବ ତାଙ୍କୁ ଏକାକୀ ଯିବାକୁ ନିଷେଧ କରିବାରୁ ସେ ନିରପ୍ତ ହେଲେ ।

 

ଅନନ୍ତର ସାହେବ ତାଙ୍କ ବନ୍ଧୁଙ୍କ ସହିତ ଗୋଟାଏ ଛାୟାପ୍ରଦ ଗଛମୂଳରେ ଦୁଇଖଣ୍ଡ ବୃହତ୍‌ ପ୍ରସ୍ତରାସନରେ ବସି ବିଶ୍ରାମ କଲେ । କିଛିକ୍ଷଣ କଣ ଚିନ୍ତା କରି ସଙ୍ଗରେ ଯାଉଥିବା ଲୋକମାନଙ୍କୁ ଡାକି ଗୁମ୍ଫା ଚାରିପାଖରେ ସତର୍କ ଦୃଷ୍ଟିରେ ଜଗିରହିବାକୁ କହି କାପାଳିକକୁ ଧରିବା ସକାଶ ପୋଲିସକୁ ଆଦେଶ ଦେଲେ । କନେଷ୍ଟବଲମାନେ ଗୁମ୍ଫାଭିତରେ ପଶି କାପାଳିକକୁ ଡାକିଲେ, ମାତ୍ର କାପାଳିକର ଉତ୍ତର ନାହିଁ, ସେ ପୂର୍ବପରି ଧ୍ୟାନମଗ୍ନ । ତହୁଁ କନେଷ୍ଟବଲମାନେ ନିଜର ଘରଆଡ଼ ସମ୍ପର୍କ ଧରି ଉଚ୍ଚ ଚିତ୍କାର କରି ଡାକିଲେ, ତଥାଚ କାପାଳିକ ଅଚଳ ଏବଂ ନିସ୍ପନ୍ଦ । ଶେଷରେ ଜଣେ ଯାଇ ଖୁବ ଜୋରରେ ଧକାଏ ଦକ୍ଷିଣା ଦେବାରୁ କାପାଳିକ ଉଠି କହିଲା–କିଏରେ ତୁ ମରିବାପାଇଁ ଏଠାକୁ ଆସିଲୁ ! କନେଷ୍ଟବଲ କହିଲା–ଜାଣୁନାହୁଁ, ମୁଁ ତୋର ବାପ, ଭଲ ଗତି ଅଛି ତ ବାହାରକୁ ଚାଲ, କଲେକ୍‌ଟର ସାହେବଙ୍କର ହୁକୁମ । ଏଥଣ କାପାଳିକ ଧଡ଼କରି ଠିଆ ହୋଇ କ୍ରୋଧ-ବକ୍ଷୁବ୍‌ଧ ଦୃଷ୍ଟିରେ କନେଷ୍ଟବଳକୁ ଚାହିଁ କହିଲା–କେଉଁ କଲେକ୍‌ଟର ବେ ? ମୁଁ ଢେର କଲେକ୍‌ଟର ଦେଖିଛି, ଏଠୁ ପଳା; ନ ହେଲେ ଅଭିଶାପରେ ଜାଳିଦେବି । ଏହା କହି ବର୍‌ବର୍‌ ହୋଇ ଅସ୍ପଷ୍ଟ ଦୁର୍ବୋଧ୍ୟ ଭାଷାରେ କଅଣ ଗୁଡ଼ାଏ ଆବୃତ୍ତି କରିବାକୁ ଲାଗିଲା । ତାହା କୌଣସି ମନ୍ତ୍ର ନୁହେ । କନେଷ୍ଟବଲକୁ ଭୟ ଦେଖାଇବାର ବୃଥା ଭାନ ମାତ୍ର । କନେଷ୍ଟବଲ ସେଥିରେ ଭୟ କଲାନାହିଁ । ସେତ ସିଂହର ଦୂତ, ଶୃଗାଳର ଆସ୍ଫାଳନରେ କାହିଁକି ବା ଭୀତ ହେବ-? କନେଷ୍ଟବଲ ମନେ ମନେ ଭାବିଲା, ଏ ବଦମାସ ବିନା ଉପହାରରେ ସହଜରେ ଜବଦ ହେବାର ଜନ୍ତୁ ନୁହେ-ତେବେ ଆଉ ଅପେକ୍ଷା କାହିଁକି, ଏହାର ଗଣ୍ଡକଣ୍ଡୂୟନ ଛଡ଼ାଇ ଦିଏଁ । ଏହା ଭାବି କାପାଳିକର ଗାଲରେ ପଟାସ୍‌ କରି ଚାପୁଡ଼ାଏ ବସାଇଦେଲା । କାପାଳିକ କ୍ରୋଧରେ ଅଧୀର ହୋଇ କନେଷ୍ଟବଲର ବଂଶ ସଦ୍ୟ ନିପାତ କରିବାପାଇଁ ଯମରାଜାଙ୍କୁ ସନିର୍ବନ୍ଧ ନିମନ୍ତ୍ରଣ କଲା, କିନ୍ତୁ ଯମରାଜା କାହିଁକି କେଜାଣି ସେ ନିମନ୍ତ୍ରଣ ଗ୍ରହଣ କଲେନାହିଁ । କାପାଳିକର କ୍ରୋଧ ତପ୍ତ ତୈଳପରି ଟକମକ ହୋଇ ଫୁଟି ଉଠିଲା । ସେ ପ୍ରଖର ଦୃଷ୍ଟିରେ କନେଷ୍ଟବଲର ମୁହିଁକୁ ଚାହିଁ ରହିଲା । ସେ ଭୀଷଣ ଦୃଷ୍ଟି ଯେମନ୍ତ କି କନେଷ୍ଟବଲର ମୁହଁକୁ ଚାହିଁ ରହିଲା । ସେ ଭୀଷଣ ଦୃଷ୍ଟି ଯେମନ୍ତ କି କନେଷ୍ଟବଲର ଶରୀର ଭେଦକରି ତାହାର ମନ ମଧ୍ୟରେ ପଶି କଅଣ ଦେଖିବାକୁ ଲାଗିଲା । ପରିଶେଷରେ ଅନନ୍ୟୋପାୟ ହୋଇ, ‘ଯଃ ପଳାୟତି ସଃ ତିଷ୍ଠତି’ ନୀତିର ଅନୁସରଣରେ ପ୍ରବୃତ୍ତ ହେଲା, ମାତ୍ର ଚାରିପାଖରେ ଲୋକ ଜଗିଥିବାରୁ ସେ ଉପାୟ ରୁଦ୍ଧ । ତହୁଁ କିରାତବେଷ୍ଟିତ ବ୍ୟାଘ୍ର ପ୍ରାୟ ଗର୍ଜନ କରି ନିଜର କ୍ରୋଧରେ ନିଜେ ଦଗ୍‌ଧୀଭୂତ ହେବାକୁ ଲାଗିଲା । କିଛି କ୍ଷଣ ପରେ ଧାଇଁଯାଇ ଗୋଟାଏ ଗୁପ୍ତ ଦ୍ୱାର ଖୋଲିଦେଲା । କନେଷ୍ଟବଲମାନେ ଦେଖିଲେ, ସେଠାରେ ମୃଣ୍‌ମୟୀ ଭୈରବୀମୂର୍ତ୍ତି ସିଂହାସନରେ ଉପବିଷ୍ଟା । କାପାଳିକା ଦେବୀଙ୍କ ହସ୍ତରୁ ସିନ୍ଦୁରଲିପ୍ତ କରବାଳ ଟାଣିଆଣି କନେଷ୍ଟବଲମାନଙ୍କୁ ଆକ୍ରମଣ କଲା । ତାହାର ଶରୀରର ଅମାନୁଷିକ ବଳ ହେତୁ କନେଷ୍ଟବଲମାନେ ତାହାର ପାଖ ପଶିବାକୁ ସାହସୀ ନ ହୋଇ ଚିତ୍କାର ଆରମ୍ଭ କଲେ । ଗୋଳମାଳ ଶୁଣି ସାହେବଦ୍ୱୟ ଧାଇଁ ଆସି ଘଟଣା-ସ୍ଥଳରେ ଉପସ୍ଥିତ ହେଲେ । ଦେଖିଲେ, କାପାଳିକ ଆତ୍ମରକ୍ଷା ସକାଶ ଶିକ୍ଷିତ ଯୋଦ୍ଧା ପରି ପ୍ରବଳ ବେଗରେ ତରବାରୀ ଘୂରାଉଅଛି । ତହୁଁ ସେ ଦୁହେଁ ରିଭଲ୍‌ଭାର୍‌ ଧରି କାପାଳିକର ଶରୀର ଲକ୍ଷ୍ୟ କରି ଠିଆହେଲେ । କଲେକ୍‌ଟର କହିଲେ; ‘‘ତରବାରୀ ଛୋଡ଼ ଦୋ, ନେହି ତ ଗୁଲି କରକେ ମାରଦେଙ୍ଗେ ।’ ସାହେବଙ୍କୁ ଦେଖି କାପାଳିକ ପ୍ରକୃତିସ୍ଥ ହୋଇ ଠିଆହେଲା । ଏହି ଅବସରରେ ଦୁଇ ଜଣ କନେଷ୍ଟବଲ ପଛରୁ ଆସି ତା ହାତରୁ ତରବାରୀ ଛଡ଼ାଇନେଲେ । ଅବଶିଷ୍ଟ କନେଷ୍ଟବଲମାନେ କାପାଳିକକୁ ପଶ୍ଚିମା କରି ବାନ୍ଧିପକାଇଲେ । ଆଉ ତାହା ମୁହଁରେ ଭାଷା ନାହିଁ । ସେ ମଣ ହୋଇଥିବା ବଳଦ ପ୍ରାୟ ବିନା ଆପତ୍ତିରେ ଗୁମ୍ଫା ଭିତରୁ ବାହାରି ଆସିଲା । ତାକୁ ବାହାରକୁ ଆଣି କନେଷ୍ଟବଲମାନେ ସାହେବଙ୍କ ଆଦେଶାନୁସାରେ ବନ୍ୟଲତାଦ୍ୱାରା ଗୋଡ଼ଠାରୁ ବେକପର୍ଯ୍ୟନ୍ତ ବାନ୍ଧିଲେ । ପରେ ଯାଇ ଗୁମ୍ଫାମଧ୍ୟରୁ ବାଳକଟିକୁ ଉଦ୍ଧାରି ଆଣିଲେ । ବାଳକଟିର ମୁହଁରୁ ଭାଷା ବାହାରୁ ନ ଥିଲା । କେବଳ ଦଣ୍ଡକେ ଘଡ଼ିକେ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ୁଥାଏ । ତାହାହିଁ ତାହାର ପ୍ରାଣର ଆତୁର ଭାଷା । ଦାରୁଣ ଯନ୍ତ୍ରଣାରେ ତାହାର ଭାଷା ସୁଦ୍ଧା ବାଷ୍ପ ହୋଇଯାଇଥିଲା । ସେ ପିତାମାତାର ମମତା ଛାଡ଼ିଥିଲା, ସ୍ୱଦେଶର ସୁଖ ଛାଡ଼ିଥିଲା, ପ୍ରାଣର ଆଶା ଛାଡ଼ିଥିଲା, ମାତ୍ର ବାହାରେ କାପାଳିକର ବନ୍ଧନ ଅବସ୍ଥା ଦେଖି ଏବଂ ସାହେବ ଓ ଅନ୍ୟାନ୍ୟ ଲୋକମାନଙ୍କୁ ଦେଖି ତାହାର ହୃଦୟକାନନର ଶୁଷ୍କଆଶା-ଲତା ପୁନଶ୍ଚ କଅଁଳି ଉଠିଲା । କେତେକକ୍ଷଣ ପରେ ସେ କ୍ଷୀଣକଣ୍ଠରେ କହିଲା–‘‘ଟକିଏ ପାଣି ଦିଅ । ଓଃ, ତୃଷାରେ ଛାତି ଫାଟିଯାଉଛି ।’’ ସାହେବଙ୍କ ବବୁର୍ଚ୍ଚି ପାନୀୟ ଜଳ ଧରି ସଙ୍ଗରେ ଯାଇଥିଲା । ସେହି ଜଳ ତାହାକୁ ପିଇବାକୁ ଦିଆଗଲା । ସେ ଟିକିଏ ପ୍ରକୃତିସ୍ଥ ଏବଂ ସବଳ ହେଲା । ତହୁଁ ସମସ୍ତେ ତାକୁ ଏବଂ ତାହାର ଭାବୀ ପ୍ରାଣହର୍ତ୍ତା କାପାଳିକକୁ ଘେନି ପର୍ବତରୁ ଅବତରଣ କଲେ ।

•••

 

ପଞ୍ଚମ ପରିଚ୍ଛେଦ

 

ଜନରବର ସହସ୍ରରୂପ ଏବଂ ପ୍ରତ୍ୟେକର ସହସ୍ର ରସନା । ସେ କେଉଁଠାରେ ପରିବର୍ତ୍ତିତ, କେଉଁଠାରେ ରୂପାନ୍ତରିତ, କେଉଁଠାରେ ପଲ୍ଲବିତ ଏବଂ କେଉଁଠାରେ ବା ଅଳଙ୍କୃତ ହୋଇ ଜନମୁଖରେ ଉଡ଼ିବୁଲେ । ସ୍ୱଳ୍ପସମୟ ମଧ୍ୟରେ ଏହି ଘଟଣା ଜଳରେ ତୈଳବିନ୍ଦୁ ପ୍ରାୟ ନିକଟବର୍ତ୍ତୀ ଗ୍ରାମମାନଙ୍କରେ ବ୍ୟାପ୍ତ ହୋଇଗଲା । ରୂଦ୍ଧ ଜଳାଶୟର ବନ୍ଧ ଭାଙ୍ଗିଗଲେ ଯେପରି ଜଳସ୍ରୋତ ପ୍ରବଳ ବେଗରେ ପ୍ରବାହିତ ହୁଏ, କିମ୍ବା ସମାଜଶୃଙ୍ଖଳ ଛିନ୍ନ ବା ଶିଥିଳ ହୋଇଗଲେ ଯେପରି ସ୍ୱେଚ୍ଛାଚାରିତାର ସ୍ରୋତ ପ୍ରବାହିତ ହୁଏ, ସେହିପରି ଜନସ୍ରୋତ ସାହେବଙ୍କ ତମ୍ବୁ-ଅଭିମୁଖରେ ଧାବିତ ହେଲା । ଆବାଳବୃଦ୍ଧବନିତା ସମସ୍ତେ ପିପୀଲିକା ଶ୍ରେଣୀପରି ଧାଇଁ ଆସିଲେ-। କାହାର ମୁଣ୍ଡର ପେଣ୍ଡାବାଳ ଫିଟିଯାଇ ବୀରତ୍ୱର ନିଶାଣପରି ଉଡ଼ୁଅଛି; ମାତ୍ର ସେ ଆଡ଼କୁ କାହାରି ଦୃଷ୍ଟି ନାହିଁ, ସ୍ତ୍ରୀମାନେ ଦଳଦଳ ହୋଇ ଧାଇଁଅଛନ୍ତି, କାହାର ପିଲା ପଛରେ କାନ୍ଦି କାନ୍ଦି ଆସୁଛନ୍ତି, କେହି ବା ଥରକୁ ଥର ହାବୁଡ଼ ଖାଇ ଆଣ୍ଠୁ ଗଣ୍ଠି ଲହୁଲୁହାଣ ହୋଇଗଲାଣି, ମାତ୍ର ସେଆଡ଼କୁ ନିଘା ନାହିଁ । ମନ୍ଦୋଦରୀ ଓରଫ୍‌ ମନ୍ଦି ଅପା ମୁତୁରୀ ମା, ବେଙ୍ଗ ନାନୀ, ମେଙ୍କୀ, ଚାନ୍ଦି ମାଉସୀ ଏହିପରି ଯେତେ ଅପା, ନାନୀ, ମାଉସୀ, ପିଉସୀ ଗାଁରେ ଥିଲେ, ସମସ୍ତେ ଅସମ୍ଭାଳ ହୋଇ ଧାଇଁ ଧାଇଁ ଚାଲିଛନ୍ତି । ମେଙ୍କୀ କହିଲା, ‘‘ମନ୍ଦି ଅପା, କିଲଟର ସାହେବ ପର୍ବତରୁ ଗୋଟାଏ ଜୀଅନ୍ତା ଭୂତ ଧରିଆଣିଛି । ସେ ଭୂତଟା କାଳେ ଗୋଟାଏ ପିଲାକୁ ଧରି କଞ୍ଚା ଖାଇ ଯାଉଥିଲା ।’’ ବେଙ୍ଗ କହିଲା–ଛଟକୀଟା କେତେ ଛଟକରେ କଥା କହୁଛି ଜୀଅନ୍ତା ଭୂତ କେହି କେବେ ଦେଖିଛି ନା ! ସାଇବ ତ ଗୋଟେ ଭାଲୁ ଧରିଆଣିଛି !

 

ମେଙ୍କୀ–କିଲୋ, ତୁ ମତେ ଗାଳି ଦଉଚୁ ? ତୁ ଛଟକୀ ହ, ମଟକୀ ହ, କଟକୀ ହ ।

 

ବେଙ୍ଗ–ଦେଖ ଲୋ ମନ୍ଦୀ ଅପା, ମୁଁ ଗାଳି ଦେଲି କେତେବେଳେ ? ନିଆଁଗିଳି, ମିଛେଇ, ବାରୂଆଳୀଟାକୁ କିଏ ପାରିବ ଲୋ ମା !

 

ମେଙ୍କୀ–ଫେର କହୁଛୁ, ଚୁପ୍‌ହ ।

ବେଙ୍ଗ–ଅନା ଲୋ ମୁତୁରୀ ମା, ମୁଁ କଅଣ କହିଲି ?

 

ମେଙ୍କୀ–ହଁ, କହିଚୁ, ଅଲ୍‌ବତ୍‌ କହିଚୁ, ନ କହିଲେ ବି କହିଚୁ । ମତେ ଯେ ବେହେଡ଼ାଦାନ୍ତୀ କହିଲା, ସେଇ ବେହେଡ଼ାଦାନ୍ତୀ; ମତେ ଯେ କାଳିକୁତୁରୀ କହିଲା, ସେଇ କାଳିକୁତୁରୀ, ମତେ ଯେ ଠିଆଚୁରୁଣୀ କହିଲା ସେଇ ଠିଆଚୁରୁଣୀ, ତାର ଅଁଶ ବଁଶ ସାଇପଡ଼ିଶା ସମସ୍ତେ ଠିଆଚୁରୁଣୀ ।

 

ବେଙ୍ଗ–ଶୁଣୁଥା ଲୋ ମନ୍ଦୀ ଅପା, ଆପଣା ଗୁହିପୁରାଣ ଆପେ କିମିତି କାଢ଼ି ହଉଚି ।

 

ମେଙ୍କୀ–ରାଣ୍ଡ ଆଣ୍ଡୁକୁଡ଼ୀର ମୁଣ୍ଡ ବୁଲେଇଲାଣି, ଆରେ ରେ ମତେ କହିବ, ଆଉ କିଏ କରି ପାଇଚି ପରା ! ଏଟା କିଏ ମେତେ କହିବ, ମୋର ଗାତ, ନା ଚୁଲି, ନା ନିଆଁ, ନା ପାଉଁଶ, ନା ଆଡ଼ୀ ?

 

ମନ୍ଦ ଅପା ମଧ୍ୟସ୍ଥ ହୋଇ କହିଲା,‘‘ଯା ଲୋ ଯା ସେ ତତେ କଅଣ କହିଲା ଯେ, ଏତେ କଥା କହି ପୁହୁଳି ଯୁଟିଯାଉଛୁ ?

 

ମେଙ୍କୀ–ନା ଲୋ ମନ୍ଦୀ ଅପା, ମୁଁ କଅଣ ସତରେ ଗାଳି ଦଉଚି ନା, ଭଉଣୀ ଲେଖାରେ ଗେହ୍ଲ-ଟାପରାରେ କହୁଚି ନା । ଭଉଣୀ ବୋଲି ଶରଧା କଲି, କଅଣ ହେଲା ?

 

ବେଙ୍ଗ–ଅତି ଶରଧାର ପିଆଜ ମୁଠେ, ବଡ଼ିଟେ ପକେଇଲେ ସେଁ ସେଁ ଉଠେ । ମା ଲୋ ଶରଧା !

 

ମୁତୁରୀମା–ଆଲୋ ମେଙ୍କୀ, ତୁ ଏଡ଼େ ଗେହ୍ଲେଇ, ଚୁଲେଇ, ଦୁଲେଇ ନା । ତା ସାଇପଡ଼ିଶା ତୋର କଅଣ କଲେ-ତୋ ମୁହଁରେ ନିଆଁ ନେଣ୍ଡୁଆ ବୁଲେଇଲେ, ନା ତୋତେ ଅଡ଼ଚିଣା କାଠରେ ଚେଙ୍କିଲେ ।

 

ମେଙ୍କୀ–ଇଲୋ ତୁ କିଏ ଲୋ, ତୁ କାହିଁକି ଫାଟୁରୁ ବାହାରିଲୁ ? ମୁଁ ତତେ କିଛି କହିନାହିଁ ଯା ।

 

ମେଙ୍କୀ ଜାଣେ, ମୁତୁରୀମା ସଙ୍ଗରେ ଦ୍ୱନ୍ଦ୍ୱଯୁଦ୍ଧରେ ଜିଣିବା ସହଜ କଥା ନୁହେ । ସେ ଅଣ୍ଟାରେ ଲୁଗା ଭିଡ଼ି ଦେଇ କଳି କରୁଥିଲେ, ସାତଦିନ ସାତରାତି କଟିଗଲେ ସୁଦ୍ଧା ସେ ଥକିବ ନାହିଁ । ସୁତରାଂ ମେଙ୍କୀ ଆଉ ଅଗ୍ରସର ନ ହୋଇ ଥଣ୍ଡା ପଡ଼ିଗଲା । ତହୁଁ ଏତିକିରେ ନାରଦ ମୁନିଙ୍କ କଳି-ଧୁକୁଡ଼ି ମୁଣିରେ ଡୋର ବନ୍ଧା ଗଲା ।

 

ଯଥା ସମୟରେ ପୋଲିସ ପରିବେଷ୍ଟିତ ଆସାମୀକୁ ଘେନି ସାହେବ ଆସି ଉପସ୍ଥିତ ହୋଇ ଦେଖିଲେ, ତାଙ୍କ ରାଉଟି ଆଗରେ ବିଶାଳ ନରସାଗରର ସୃଷ୍ଟି ହୋଇଅଛି । ସାହେବ ସେହି ସାଗର ସନ୍ତରଣ କରି ତମ୍ବୁ ଭିତରକୁ ଗଲେ । କାପାଳିକକୁ ଦେଖି ଜନସାଗର ଉଦ୍‌ବେଳିତ ହୋଇ ଉଠିଲା । କେହି କହିଲା, ଏଟା ମନୁଷ୍ୟ ନୁହେ, ରାକ୍ଷସ । କେହି କହିଲା ଖଣ୍ଡେ ଦରପୋଡ଼ା କାଠ । କେହି ବା କହିଲା, ନା, ନା, ଏଟା ତ ସବାଖିଆ ଅଘୁରୀ (ଅଘୋରପନ୍ଥୀ), ତା ନ ହେଲେ କି ମନୁଷ୍ୟମାଂସ ଖାଆନ୍ତା ? ଏହାକୁ ଜୀଅନ୍ତା ପୋଡ଼ିବା ଉଚିତ । ଚାରିଆଡ଼ୁ ଏହିପରି ବାକ୍ୟବାଣ ବର୍ଷିତ ହେଲା ମାତ୍ର କାପାଳିକ ନୀରବ । ପଙ୍କମଗ୍ନ ହସ୍ତୀର ଚାରା ବା କଣ, ସେତେବେଳେ ତାକୁ ବେଙ୍ଗ ସୁଦ୍ଧା ଗୋଇଠ ମାରି ପାରେ । ସାହେବ ପୋଲିସକୁ ହୁକୁମ ଦେଲେ, ‘‘ଆସାମିକୋ ଲେକରକେ ଭଦ୍ରଖ ହାଜିତ୍‌ଖାନାମେ ରଖୋ, ଦୋ ରାଜ୍‌କା ବାଦ୍‌ ଉହାଁ ବିଚାର ହୋଗା ।’’ ତତ୍‌କ୍ଷଣାତ୍‌ ହୁକୁମ ପାଳିତ ହେଲା । ପୋଲିସ ଆସାମୀକୁ ଘେନି ଭଦ୍ରଖ ଅଭିମୁଖରେ ପ୍ରସ୍ଥାନ କଲା । ଏଣେ ଜନ ସମୁଦ୍ରରେ ଭଟା ପଡ଼ିଗଲା, ଦର୍ଶକବୃନ୍ଦ ସ୍ୱୀୟ ସ୍ୱୀୟ ଗୃହକୁ ଫେରିଗଲେ । ସ୍ଥାନଟି ପୂର୍ବ ପରି ନିକାଞ୍ଚନରେ ପରିଣତ ହେଲା । କାପାଳିକର କବଳରୁ ଯେଉଁ ପିଲାଟିକୁ ଉଦ୍ଧାର କରି ଅଣାଯାଇଥିଲା, ସେହି ପିଲାଟି ତମ୍ବୁରେ ରହିଲା; ସାହେବ ତାହାର ଖାଦ୍ୟ ପାନର ବ୍ୟବସ୍ଥା କରି ଦେଲେ । ସେହିଦିନ ସନ୍ଧ୍ୟା ସମୟରେ ସାହେବ ପିଲାଟିକୁ ଆତ୍ମପରିଚୟ ପଚାରିଲେ । ସେ କହିଲା–

 

‘‘ମୋର ନାମ ବିଶ୍ୱନାଥ, ଘର ବସନ୍ତିଆ ଗ୍ରାମରେ । ମୋର ପିତା ମାତା ଛଡ଼ା କେହି ନାହାନ୍ତି, ପିତାଙ୍କ ନାମ ଆକୁଳି ମିଶ୍ର । ଆମ୍ଭେମାନେ ବଡ଼ ଗରିବ, ଭିକ୍ଷା ଦ୍ୱାରା ଉଦର ପୋଷଣ କରୁଁ । କାଲି ମୁଁ ଗାଁରେ ବୁଲି ଭିକ ମାଗୁଥିଲି; ଏହି ବୈଷିମଟା ମୋତେ କହିଲା–ମୁଁ ଢେର ଚାଉଳ ରଖିଛି ଦେବି ଚାଲ । ମୁ ତାହା ସଙ୍ଗରେ ଆସିଲି, ସେ ମୋତେ ଗୁମ୍ଫା ଭିତରକୁ ନେଇ ଯାଇ ବାନ୍ଧି ରଖିଲା । ଏହା କହୁ କହୁ ପିଲାଟିର ଚକ୍ଷୁ ଅଶ୍ରୁସଜଳ ହୋଇ ଆସିଲା, କଣ୍ଠ ବାଷ୍ପରୁଦ୍ଧ ହୋଇଗଲା, ଆଉ ସେ କିଛି କହି ପାରିଲା ନାହିଁ । ଦୁଇ ଆଣ୍ଠୁ ଭିତରେ ମୁହଁ ଲୁଚାଇ ବସି ରହିଲା । ଦୁଃଖୀର ଅଶ୍ରୁ ଏହିପରି ଚଞ୍ଚଳ । ସହାନୁଭୂତିର ସ୍ଥାନ ପାଇଲେ ତାହାର ଉତ୍ସ ଆପେ ମୁକୁଳା ହୋଇଯାଏ । ଏହା ଦେଖି ସାହେବଙ୍କ ଦୟାର ହୃଦୟ ବିଗଳିତ ହୋଇଗଲା । ସେ ତାହାକୁ ମଧୁର ବାକ୍ୟରେ ସାନ୍ତ୍ୱନା ଦେଇ କହିଲେ–‘‘ଆଉ ତୋର କିଛି ଭୟ ନାହିଁ, କାଲି ତୋର ବାପ ମାଙ୍କୁ ଦେଖିବୁ । ଏହା କହି ସାହେବ ସେହିକ୍ଷଣି ଦୁଇଜଣ ଚୌକିଦାରଙ୍କୁ ବସନ୍ତିଆ ଗ୍ରାମକୁ ପଠାଇ ଦେଲେ ଏବଂ କହିଲେ ଆକୁଳି ମିଶ୍ରକୁ ଅତିଶୀଘ୍ର ଆଣି ହାଜର କର । ଚୌକିଦାର ଦୁହେଁ ‘‘ଯେ ହୁକୁମ’’ କହି ସାହେବଙ୍କୁ ଦୁଇ ହାତରେ ସଲାମ କରି ବସନ୍ତିଆ ଅଭିମୁଖରେ ଧାବିତ ହେଲେ ।

 

ଆକୁଳ ମିଶ୍ର ଘରେ ଦୁଇ ଦିନ ହେଲା ଅରାନ୍ଧ ଅବାଢ । ପୁଅଟି ଭିକ୍ଷା କରିବାକୁ ଯାଇ ଫେରିଲାନାହିଁ । ବଣ ଜଙ୍ଗଲ ରାଜ୍ୟ, ବାଘ ନେଲା କି ଅନ୍ୟ କିଛି ଦୁର୍ଘଟନା ଘଟିଲା, ଏହି ଚିନ୍ତାରେ ଗେରସ୍ତ ଭାରିଯା ଅସ୍ଥିର । ରାତି ଦୁଇପ୍ରହର ସମୟରେ ଚୌକିଦାର ଦୁହେଁ ଯାଇ ସେମାନଙ୍କୁ ସମ୍ବାଦ ଦେଲେ । ପୁତ୍ର ଜୀବିତ ଅଛି, ଏହା ଶୁଣି ବ୍ରାହ୍ମଣଦମ୍ପତି ଦୀର୍ଘନିଃଶ୍ୱାସ ଛାଡ଼ି ଆଶ୍ୱସ୍ତ ହେଲେ-। ଚିନ୍ତାର ଗୁରୁଭାର ସେମାନଙ୍କ ମସ୍ତକରୁ ଓହ୍ଲାଇ ଗଲା । ଆଉ କାଳବିଳମ୍ବ ନକରି ସେମାନେ ସେହିକ୍ଷଣି ଘରୁ ବାହାରି ପ୍ରଭାତ ସମୟରେ ଆସି ଶୀତଳ ପୁରରେ ପହୁଞ୍ଚିଲେ । ପୁଅକୁ ଦେଖି ପିତାମାତାଙ୍କର ବାତ୍ସଲ୍ୟସ୍ରୋତ ଉଛୁଳି ଉଠିଲା । ସେମାନେ ଭୋ ଭୋ କରି ରଡ଼ି ପକାଇଲେ । ପୁଅ ମଧ୍ୟ ବାପମାଆଙ୍କୁ ଦେଖି କାନ୍ଦି ପକାଇଲା । ବ୍ରାହ୍ମଣଟି ଶାନ୍ତଶିଷ୍ଟ ଏବଂ ଧୀର ପ୍ରକୃତିର ଲୋକ, ମାତ୍ର ବ୍ରାହ୍ମଣୀ ତାହାର ବିପରୀତ । ସେ ମୁଖରା, ପ୍ରଖରା ଏବଂ ଉଗ୍ରଚଣ୍ଡୀ । ଗୋଟିଏ ସଜଳ ଜଳଦ ଏବଂ ଅନ୍ୟଟି ଅଗ୍ନିଗର୍ଭା ସୌଦାମିନୀ, ଗୋଟିଏ ସରସ ସହକାର ଏବଂ ଅନ୍ୟଟି ବିଷାକ୍ତ କଣ୍ଡୁରାଲତା, ଗୋଟିଏ ଶୀତଳ ଚନ୍ଦନତରୁ ଅନ୍ୟଟି ଉତ୍ଫଣା ଫଣିନୀ, ଏହିପରି କୋମଳ କଠୋରର ଅପୂର୍ବ ବିରୁଦ୍ଧ ସମାବେଶ । କାନ୍ଦୁ କାନ୍ଦୁ ବ୍ରାହ୍ମଣୀ ଆଗ୍ନେୟଗିରି ଗୁହାପରି ଗର୍ଜିଉଠି ଅନଳ ତିରସ୍କାର ଉଦ୍‌ଗାର କରିବାକୁ ଲାଗିଲା । ଚୌକିଦାରକୁ ଚାହିଁ ରୁଦ୍ରସ୍ୱରରେ ପଚାରିଲା–‘‘ହଇକିରେ ଜେନା ପୁଅ, ସେ କୁତୀ ଡାକୁଣିଖିଆ ବଇଷିମା କୁଆଡେ ଗଲା, ଦେଖିଲେ ତା’ ଗାଲରୁ କଳେ କାମୁଡ଼ି ଆଣନ୍ତି । ଅଳପାଇଷ ମଣଷ ମାଆଁସ ଖାଇ ବଇଷିମ ବୁଲାଉଚି । ଦି’ ଗୋଇଠା ମାରି ତା’ ପୁଣ୍ଟ ଫଟେଇଦେଇ ଅନ୍ତବୁଜୁଳା ଟାଣିଆଣନ୍ତି ।’’ ଏହି ସମୟରେ କନେଷ୍ଟବଲ ଧମକ ଦେବାରୁ ବ୍ରାହ୍ମଣୀ ଆଉ କାପାଳିକର ଆଦ୍ୟ ଶ୍ରାଦ୍ଧରେ ଅଗ୍ରସର ନ ହୋଇ ନୀରବ ହୋଇଗଲା । ତେଣେ ସାହେବ ଏ ଗୋଳମାଳ ଶୁଣି ସେଠାରେ ଆସି ଉପସ୍ଥିତ ହେଲେ । ଚୌକିଦାର ସଲାମ କରି କହିଲା–‘‘ହଜୁର, ଏହି ଆକୁଳ ମିଶ୍ର ଆସିଲା ।’’ ତହୁ ବ୍ରାହ୍ମଣ ସଲାମ କରି କହିଲା, ‘‘ହଜୁରଙ୍କ ଋଣ ମୁଁ ସାତ ଜନ୍ମରେ ଶୁଝି ପାରିବି ନାହିଁ । ହଜୁର ଗୋଟିକୁ ବଞ୍ଚାଇ ତିନୋଟିର ପ୍ରାଣ ରକ୍ଷା କଲେ ।’’ ବ୍ରାହ୍ମଣର କଥା ନ ସରୁଣୁ ବ୍ରାହ୍ମଣୀ ତରଭରରେ ଠିଆହୋଇ କହିଲା–‘‘ସାଇବ ହଜୁର, ତମର ପାଲିଙ୍କି ପାଟଛତା ହଉ, ତମ ପୁଅ ନାତି ବୁଢ଼ା ହୋଇଥାଆନ୍ତୁ, ତମର ବଡ଼ ଚାକିରୀ ହଉ ମୁଁ ଏଇ କଇଲାଣ କରୁଚି ବାବା ।’’ ସାହେବ ମୃଦୁ ହସି ବ୍ରାହ୍ମଣକୁ କହିଲେ–‘‘ତୋର ପୁଅକୁ ନେଇ ଆଜି ଭଦ୍ରଖ ଯା, ତୋତେ ସର୍କାରରୁ ଖର୍ଚ୍ଚ ଦିଆଯିବ ।’’ ‘‘ହଜୁର ମା ବାପ, ହଜୁରଙ୍କ ହୁକୁମ ମୋର ଶିରୋଧାର୍ଯ୍ୟ,’’ ବ୍ରାହ୍ମଣ ଏହା କହି ପୁଅକୁ ଘେନି ଭଦ୍ରଖ ଗଲା । ବ୍ରାହ୍ମଣୀ ନିଜ ଗୃହାଭିମୁଖରେ ପ୍ରସ୍ଥାନ କଲା । ଯାଉଁ ଯାଉଁ ବାଟସାରା କାପାଳିକର ଚଉଦ ପୁରୁଷ ଉଦ୍ଦେଶ୍ୟରେ ଖାଦ୍ୟପାନର ବ୍ୟବସ୍ଥା କରି କରି ଯାଉଥିଲା । କେବଳ ଏତିକି ନୁହେଁ, ମହାଦାନଶୀଳା ପଣରେ କାପାଳିକର ମାତା, କନ୍ୟା, ସ୍ତ୍ରୀ ପ୍ରଭୃତିଙ୍କୁ ମଧ୍ୟ ପାଣ, ହାଡ଼ି, ପଠାଣମାନଙ୍କୁ ଦାନ କରିବାକୁ ଭୁଲି ନଥିଲା । କେହି କେହି ପଚାରିପାରନ୍ତି, ସେମାନଙ୍କର ଅପରାଧଟା କଅଣ ? ମାତ୍ର ଏରୂପ ପ୍ରଶ୍ନ ନିତାନ୍ତ ଅସଙ୍ଗତ ଏବଂ ଅଜ୍ଞତାସୂଚକ । ରାବଣ ସୀତାଙ୍କୁ ଚୋରି କଲା, ମାତ୍ର ସମୁଦ୍ର ଦଣ୍ଡ ପାଇଲା–ପୁଣି ଷଣ୍ଢ ଧାନ ଖାଇଲା, ଆଉ ତନ୍ତୀ ବନ୍ଧାରେ ପଡ଼ିଲା, ଏ ପ୍ରବାଦ ତ ଯୁଗେ ଯୁଗେ ଚଳି ଆସୁଛି । ଜଣେ ଦୋଷ କଲେ ଆଉ ଜଣେ ଦଣ୍ଡ ପାଏ, ଏହା ନୂତନ କଥା ନୁହେ–ଚିରନ୍ତନୀ ଶାଶ୍ୱତୀ ଧାରା ।

 

ଭଦ୍ରଖର କଡ଼ାକିଆ ପୋଖରୀ ଉପରେ କଲେକ୍‌ଟର ସାହେବଙ୍କର ତମ୍ବୁ ପଡ଼ିଛି । କଡ଼ାକିଆ ପୋଖରୀ ନାମ ଶୁଣି କେହି କେହି ଆଶ୍ଚର୍ଯ୍ୟ ହୋଇ ପାରନ୍ତି । କଡ଼ାଏ କଉଡ଼ିରେ କି ଗୋଟାଏ ପୋଖରୀ ଖୋଳା ହୋଇପାରେ ? ପ୍ରକୃତ କଥା ଏହି ଯେ, ଥରେ ଭାରି ଦୁର୍ଭିକ୍ଷ ପଡ଼ିଥିଲା । ସେହି ଦୁର୍ଭିକ୍ଷରେ ଗୋଟାଏ କଖାରୁ ପତ୍ରର ମୂଲ୍ୟ ବାରକୋଡ଼ି ହୋଇଥିଲା । ଏଥିରୁ ଅନ୍ୟାନ୍ୟ ପଦାର୍ଥର ଦୁର୍ମୂଲ୍ୟତା ସହଜରେ ଅନୁମେୟ । ଭାତହାଣ୍ଡିରୁ ଗୋଟାଏ ଚିପିଲେ ସମସ୍ତ ହେବା ନ ହେବା ଜଣାଯାଏ । ସେହି ଦୁର୍ଭିକ୍ଷରେ କେତେ ନାରୀ ହତପତିକା ହୋଇଥିଲେ–କେତେ ପୁରୁଷ ହତପତ୍ନୀକ ହୋଇଥିଲେ–କେତେ ଶିଶୁ ମାତୃ-ପିତୃ-ଅଙ୍କ ଶୂନ୍ୟ କରି ଅକାଳରେ କାଳଗ୍ରସ୍ତ ହୋଇଥିଲେ–କେତେ ବଂଶ ନିର୍ମୂଳ ହୋଇଥିଲା, ତାହା ଭାବିଲେ ଅନ୍ତରାତ୍ମା ଥରି ଉଠେ । ସେହି ଦୁର୍ଭିକ୍ଷରେ ମନୁଷ୍ୟ ମନୁଷ୍ୟ-ମାଂସ ଖାଇଥିବାର ଦେଖାଯାଇଥିଲା । ହାୟ ଉଦରରାକ୍ଷସ, ତୋର ଅସାଧ୍ୟ କଅଣ ଅଛି ? କୋଟିଏ ସଂସାର ଗ୍ରାସ କଲେ ସୁଦ୍ଧା ତୋର ଦୁର୍ବାର ଲାଳସା ତୃପ୍ତ ହୁଏ ନାହିଁ । ତୁ ଅଗ୍ନିତୁଲ୍ୟ ସର୍ବଭୁକ୍‍; ସମସ୍ତେ ତୋର ଅଧୀନ, ମାତ୍ର ତୁ କାହାର ଅଧୀନ ନୋହୁ । ସେହି ଦୁର୍ଭିକ୍ଷ ସମୟରେ ଉପରୋକ୍ତ ପୋଖରୀଟି ଖୋଳାଯାଇଥିଲା । ଯେ ବୋଝେ ମାଟି ଖୋଳି ପକାଇବ, ସେ କଡ଼ାଏ କଉଡ଼ି ମଜୁରି ପାଇବ, ଏହିପରି ନିୟମ ଥିଲା । ସେହିହେତୁ ପୋଖରୀର ନାମ କଡ଼ାକିଆ ପୋଖରୀ ହୋଇଅଛି । ଆଜି ସେହି ପୋଖରୀ-ଆଡ଼ି ଲୋକାରଣ୍ୟ । ଏମନ୍ତ କି ତିଳଧାରଣର ସ୍ଥାନ ନାହିଁ । କାପାଳିକକୁ ଦେଖିବାପାଇଁ ଲୋକେ ଚୂଡ଼ା ଚାଉଳ ବାନ୍ଧି ବହୁ ଦୂରରୁ ଆସିଅଛନ୍ତି । ତମ୍ବୁ ମଧ୍ୟରେ କଲେକ୍‌ଟର ସାହେବଙ୍କର ମିସଲ ବସିଅଛି । ଦୁଇଜଣ ଦୀର୍ଘାୟତ ଭୋଜପୁରୀ ସିପାହୀ ତମ୍ବୁ-ଦ୍ୱାରରେ ପ୍ରହରା ନିଯୁକ୍ତ । ସେମାନେ କାନ୍ଧରେ ବନ୍ଧୁକ ପକାଇ ପ୍ରଭୃତ୍ୱର ଗର୍ବସ୍ଫୀତ ମସ୍ତକ ସଞ୍ଚାଳନ ପୂର୍ବକ ‘‘ଚୋପ୍‌ ରହୋ, ଚୋପ୍‌ ରହୋ’’ କହି ଗୋଳମାଳ ଭାଙ୍ଗିବା ଦୂରେ ଥାଉ, ତାହାକୁ ଆହୁରି ପୃଥୁଳ କରୁଅଛନ୍ତି । ସାହେବ ମିସଲ ଉପରେ ବସି ଖଣ୍ଡେ ଇଂରାଜୀ ସମ୍ବାଦପତ୍ର ପଢ଼ୁଅଛନ୍ତି । ପେସ୍କାର ଖଣ୍ଡେ ବେଞ୍ଚରେ ବସି ତାଡାଏ ନଥି ସଜାଡ଼ି ରଖୁଅଛି । ଏହି ସମୟରେ ଚାରିଜଣ କନେଷ୍ଟବଳ ଆସାମୀକୁ ଆଣି କାଠ-କାମରା ଭିତରେ ପୂରାଇ ଚାବି ପକାଇଲେ । ବ୍ରାହ୍ମଣ ବାଳକଟି ମଧ୍ୟ ଆସି ଠିଆହୋଇ ରହିଲା । ଯେଉଁ ସମୟର କଥା ଲେଖା ଯାଉଅଛି, ସେ ସମୟରେ ଜଜ୍‌-ପଦର ସୃଷ୍ଟି ହୋଇ ନଥିଲା । ମାଜିଷ୍ଟ୍ରେଟମାନେ ଜଜ୍‌-କ୍ଷମତା ପାଇ ବିଚାର କରୁଥିଲେ । ଅନନ୍ତର ବିଚାର ଆରମ୍ଭ ହେଲା । ସାହେବଙ୍କ ଆଦେଶମତେ ପେସ୍କାର ଆସାମୀକୁ ଚାହିଁ ପଚାରିଲା–ତୋର ନାମ କଅଣ ?

 

ଆସାମୀ–ନିର୍ମାକ୍ଷୀ ପଣ୍ଡା ।

ପେସ୍କାର–ଘର କେଉଁଠି ?

 

ଆସାମୀ–ଢେଙ୍କାନାଳ ଇଲାକାରେ; ମାତ୍ର ମୁଁ କୋଡ଼ିଏ ବର୍ଷ ହେଲା ଗୃହତ୍ୟାଗୀ ହୋଇ ଯଥେଚ୍ଛା ଭ୍ରମଣ କରୁଅଛି ।

 

ପେସ୍କାର–ଘରେ ତୋର କିଏ ଅଛି ?

ଆସାମୀ–କେହି ନାହାନ୍ତି । ମୁଁ ଚିରକୁମାର ।

ପେସ୍କାର–ତୋର ବୟସ କେତେ ?

ଆସାମୀ–ପଞ୍ଚାବନ ବର୍ଷ ।

ପେସ୍କାର–ତୋର ବ୍ୟବସାୟ କଅଣ ?

ଆସାମୀ–କିଛି ନାହିଁ । ମୁଁ କାପାଳିକ-ଦୀକ୍ଷା ଗ୍ରହଣକରି ଶ୍ମଶାନରେ ବୁଲି ଶବସାଧନା କରେ ।

ପେସ୍କାର–କାହିଁକି ତାହା କରୁ ?

ଆସାମୀ–ଇଷ୍ଟ ସିଦ୍ଧି ପାଇଁ ।

ପେସ୍କାର–ଇଷ୍ଟ ସିଦ୍ଧି କଣ ?

 

ଆସାମୀ–ଜଗତରେ ମୋର ଆତ୍ମାଧ୍ୟ କିଛି ରହିବ ନାହିଁ, ଯାହା ଇଚ୍ଛା କରିବି, ତାହା ହେବ ।

 

ପେସ୍କାର–ରାଜା ହୋଇପାରିବୁ ?

 

ଆସାମୀ–ତାହା ବଡ଼ ଆଶ୍ଚର୍ଯ୍ୟ ନୁହେ । ଏ ବିଦ୍ୟା ସାଧନ କଲେ ମୁଁ ଅଜର ଅମର ହୋଇ ପାରିବି ।

 

ଏହା ଶୁଣି ସାହେବ ହସି ପକାଇଲେ । ଦର୍ଶକମଣ୍ଡଳୀରୁ ମଧ୍ୟ ଉଚ୍ଚହାସ୍ୟ ଉତ୍‌ଥିତ ହେଲା । ମାତ୍ର କନେଷ୍ଟବଳମାନେ ‘‘ଚୋପ୍‌ ଚୋପ୍‌’’ କହି ଥମାଇଦେଲେ । ପୁନଶ୍ଚ ପେସ୍କାର ପ୍ରଶ୍ନ କଲେ–ତୁ ଏ ପିଲାକୁ କାହିଁକି ଧରି ନେଇଥିଲୁ ? (ପିଲାକୁ ଦେଖାଇଦେଇ)

 

ଆସାମୀ–ଦେବୀଙ୍କ ପାଖରେ ବଳି ଦେବାପାଇଁ । ୧୦୮ ନରବଳି ଦେଲେ ମୋର ମନ୍ତ୍ର ସିଦ୍ଧ ହେବ ।

 

ପେସ୍କାର–ଆଜି ପର୍ଯ୍ୟନ୍ତ କେତେ ନରବଳି ଦେଲୁଣି ?

ଆସାମୀ–ଛୟାନବେଟା ।

 

ଗୁମ୍ଫାରୁ ଆନୀତ ନରକପାଳ ଗଣାଯାଇ ଦେଖାଗଲା, ସଂଖ୍ୟା ଠିକ୍ ଅଛି । ସାହେବଙ୍କ ଆଦେଶରେ ପୂର୍ବରୁ ତାହା ପୋଲିସ ଆଣି ରଖିଥିଲା । ଏହାପରେ ପିଲାର ଜବାନବନ୍ଦୀ ନିଆଗଲା-। ପେସ୍କାର ପଚାରିଲେ, ତୋର ନାମ କଅଣ ?

 

ପିଲା–ବିଶ୍ୱନାଥ ମିଶ୍ର ।

ପେସ୍କାର–ବୟସ କେତେ ?

ପିଲା–ତେର ବର୍ଷ ।

ପେସ୍କାର–ଘର କେଉଁଠି ?

ପିଲା–ବସନ୍ତିଆ ଗ୍ରାମରେ ।

ପେସ୍କାର–ତୋର ବାପର ନାମ କଣ ?

ପିଲା–ଆକୁଳି ମିଶ୍ର ।

ପେସ୍କାର–ତୋର ବ୍ୟବସାୟ କଣ ?

ପିଲା–ଭିକ୍ଷା ।

ପେସ୍କାର–ତୋତେ ଏ ଲୋକଟା କିପରି ନେଇଗଲା ?

 

ପିଲା–ମୁଁ ଗାଁରେ ଭିକ ମାଗୁଥିଲି । ମୋତେ ପୁଞ୍ଜାଏ ମିଠେଇ ଖାଇବାକୁ ଦେଇ କହିଲା, ମୁଁ ଢେର ଚାଉଳ ରଖିଛି, ଦେବି ଚାଲ । ଏହା କହି ମୋତେ ଗୁମ୍ଫାକୁ ନେଇଗଲା । ମୁଁ ସେଠାରେ ମୁର୍ଦ୍ଦାର ଆଉ ମଣିଷ ମୁଣ୍ଡ ଦେଖି ଛାନିଆ ହୋଇ ପଳାଇ ଆସିବାକୁ ବସିଲି । ଏ ଲୋକଟା ମୋ ପିଠିରେ ଲୁହା ଚିମୁଟାରେ ପାହାରେ ପକାଇଲା । ତାହାପରେ ମତେ ବାନ୍ଧି ରଖିଲା-

 

ସାହେବ ସ୍ୱୟଂ ଆସାମୀକୁ ଧରିଥିବା ସ୍ଥଳେ ଆଉ ସାକ୍ଷୀର ଆବଶ୍ୟକତା ହେଲା ନାହିଁ-। ତହୁଁ ସାହେବ ରାୟ ଲେଖିବାକୁ ବସିଲେ । କିଛିକ୍ଷଣ ପରେ ଲେଖିସାରି କାଗଜ ଖଣ୍ଡ ପେସ୍କାର ହାତକୁ ବଢ଼ାଇ ଦେଲେ । ପେସ୍କାର ରାୟ ପଢ଼ି ଶୁଣାଇ ଦେଲା । ରାୟରେ ଏହିପରି ଲେଖାଥିଲା–‘‘ନିର୍ମାକ୍ଷୀ ପଣ୍ଡା କାପାଳିକ ଜଣେ ଭୟଙ୍କର ନରହନ୍ତା । ସେ ୯୬ଟା ମନୁଷ୍ୟ ମାରି ବଳି ଦେଇଅଛି । ଏହି ଗୁରୁତର ଅପରାଧରେ ତାହାକୁ ଫାସି ହୁକୁମ ହେଲା ।’’

 

ଆଦେଶ ଶୁଣି ଦର୍ଶକମଣ୍ଡଳୀ ଆନନ୍ଦରେ କରତାଳି ଦେଇ ପ୍ରସ୍ଥାନ କଲେ । କନେଷ୍ଟବଲମାନେ ଆସାମୀକୁ ହାଜତକୁ ନେଇଗଲେ । ବ୍ରାହ୍ମଣ ତାହାର ପୁଅକୁ ଘେନି ଏବଂ ସରକାରରୁ ପାଞ୍ଚ ଟଙ୍କା ବାଟଖର୍ଚ୍ଚ ନେଇ ଘରକୁ ଗଲା ।

•••

 

ଷଷ୍ଠ ପରିଚ୍ଛେଦ

 

ପାଠକ, ଏବେ ପୂର୍ବୋକ୍ତ ଗୁମ୍ଫାକୁ ଫେରି ଯିବା ଚାଲନ୍ତୁ । ସେଠାରେ ଆଉ ସେ ଦୂରନ୍ତ ବର୍ବର କାପାଳିକ ନାହିଁ । ତାହାର ଦୁଷ୍କୃତି ତାହାକୁ ଫଳଭୋଗ ଆଡ଼କୁ ଟାଣି ନେଇଗଲାଣି । ସେଠାରେ ସେ ତାହାର କର୍ମ ବୃକ୍ଷର ଫଳ ଭୋଗ କରିବ । ରାଜଦରବାରରେ ତାହାର ବିଚାର ଶେଷ ହେଲା; ମାତ୍ର ରାଜାଧିରାଜଙ୍କ ମହାଦରବାରରେ କି ବିଚାର ହେବ, ତାହା କିଏ କହିପାରେ ? ସେ ବିଚାରାଳୟ ନରନେତ୍ରର ଅଗୋଚର ବିନା ଆହ୍ୱାନରେ ସେଠାକୁ ଯିବାର କାହାରି ଅଧିକାର ନାହିଁ । ଯାହାକୁ ହକରା ହୁଏ, ସେହି କେବଳ ସେଠାକୁ ଯାଇପାରେ । ସେଠାରେ ସାକ୍ଷ୍ୟ ଗୃହୀତ ହୁଏ ନାହିଁ କିମ୍ବା ଆସାମୀର ଜବାନବନ୍ଦୀ ଶୁଣାଯାଏ ନାହିଁ । ରାଜପ୍ରତିନିଧି ଚିତ୍ରଗୁପ୍ତ ନଥି ଦେଖି ଯାହା କରେ, ତାହାହିଁ ଚୂଡ଼ାନ୍ତ ବ୍ୟବସ୍ଥା । ସେ ବ୍ୟବସ୍ଥା ଉପରେ ଆଉ ଓଜର ଆପତ୍ତି ଚଳେ ନାହିଁ । ସେ ନଥି ମଧ୍ୟ ଅଦ୍ଭୁତ, ଯେ ଯେଡ଼େ ଗୋପନରେ ଯାହା କରୁପଛେ ତାହା ସବୁ ଆପେ ଆପେ ସେ ନଥିରେ ଲେଖା ହୋଇ ଯାଇଥାଏ । ଅପରାଧୀ ବ୍ୟତୀତ ସେ ଦରବାରର ବିଚାର ଆଉ କାହାରି ଜାଣିବାର ଉପାୟ ନାହିଁ । ସେଠାକୁ ଯିବା ସକାଶେ ମହାପ୍ରତାପୀ ଲଙ୍କେଶ୍ୱର ପାଉଛ ବାନ୍ଧି ଦେବାକୁ ମନସ୍ଥ କରିଥିଲା । ସେତକ କରିଦେଇଥିଲେ ସମସ୍ତଙ୍କର ଦରବାର ଦେଖିବାର ଏବଂ ବିଚାର ଶୁଣିବାର ସୁବିଧା ହୋଇଥାନ୍ତା, ଆଉ ଓକିଲ ମୋକ୍ତାରମାନଙ୍କର ସୁଦ୍ଧା ଆୟବୃଦ୍ଧିର ଗୋଟାଏ ବୃହତ୍‌ ଉପାୟ ହୋଇ ପାରି ଥାଆନ୍ତି, ଯେହେତୁ ସେ ନିରୁକିଲ ରାଜ୍ୟରେ ଓକିଲ ବା ମୋକ୍ତାର ନାହାନ୍ତି । ଏମନ୍ତ କି କାଣ୍ଡିଆଳ ସୁଦ୍ଧା ନାହାନ୍ତି । କାହିଁକି କେଜାଣି, ସେ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓକିଲ ମୋକ୍ତାର ପ୍ରସବ ବିଷୟରେ ଆଜନ୍ମବନ୍ଧ୍ୟା । ତାହାର ଏହି ବନ୍ଧ୍ୟାତ୍ୱ ଦୂରୀକରଣର ଚେଷ୍ଟା ତତ୍ରତ୍ୟ ବିଶ୍ୱପଣ୍ଡିତମାନେ ଅବଧି କରିନାହାନ୍ତି, ଭବିଷ୍ୟତକୁ କରିବେ କି ନାହିଁ, ସେଥିର କୌଣସି ନୋଟିସ ବିଜ୍ଞାପନ ସୁଦ୍ଧା ବାହାରିବାକୁ ନାହିଁ । ରାବଣର ଛପନଗଣ୍ଡା ଯୁଗ ବଞ୍ଚିବାର କଥା ଥିଲା, ମାତ୍ର ରାମଚନ୍ଦ୍ର ସେଥିରୁ କେତେଗଣ୍ଡା କାଟିଛାଟି ପକାଇଲେ । ସେଥିପାଇଁ ତାହାର ଏ ସାଧୁ ସଙ୍କଳ୍ପ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ । ରାବଣର ସାଧୁ କାର୍ଯ୍ୟ ଏତିକି ଯେ, ସୀତାଙ୍କୁ ଚୋରିକରି ନେଇଯାଇଥିଲା । ଏତକ ନ କରିଥିଲେ ଆଜି ରାମାୟଣ ପୋଥିଖଣ୍ଡେ ଆଖିରେ ପକାଇବାକୁ ମିଳନ୍ତା ନାହିଁ । ପାଠକ ଅବଧାନ, ପ୍ରସଙ୍ଗଭଙ୍ଗ ହେତୁ ବିରକ୍ତ ହେବେ ନାହିଁ । ପ୍ରତ୍ୟହ ଏକା ତୁଣ ଖାଇଲେ ସେ ତୁଣ ପ୍ରତି ଗୋଟାଏ ଅରୁଚି ଜନ୍ମିବା ସ୍ୱାଭାବିକ । ସୁତରାଂ ମଧ୍ୟେ ମଧ୍ୟେ ତୁଣ ପରିବର୍ତ୍ତନ ଆବଶ୍ୟକ । ନାଟକରେ ବିଦୂଷକ-ସୃଷ୍ଟିର କାରଣ ଜାଣନ୍ତି ତ ? ଦୃଶ୍ୟପଟ ଦେଖି ଦର୍ଶକର ଧୈର୍ଯ୍ୟଭଙ୍ଗ ହେବାର ଆଶଙ୍କା ଥାଏ । ସେହି ଆଶଙ୍କା ନିବାରଣ ସକାଶ ବିଦୂଷକର ଅବତାରଣା ଆବଶ୍ୟକ ହୁଏ । ତୃଷା ସହିତ ଜଳଗ୍ଳାସର ଯେଉଁ ସମ୍ପର୍କ, କ୍ଷୁଧା ସହିତ ମୋହନଭୋଗର ଯେଉଁ ସମ୍ପର୍କ, ଅଥବା ଜ୍ୱରସଙ୍ଗରେ କୁଇନାଇନର ଯେଉଁ ସମ୍ପର୍କ, ନାଟକ ସହିତ ବିଦୂଷକର ସେହି ସମ୍ପର୍କ । ଟୀକା ଟିପ୍‌ପଣୀ ସହ ଏତେ ବୁଝାଇ ଶୁଝାଇ କହିଲାଉତ୍ତାରୁ ଯଦି କେହି ବିରକ୍ତ ହୋଇ ମୁହଁ କୁଷୂଣ୍ଡା କରନ୍ତି, ତେବେ ଏ କଥା ଏହିଠାରୁ ଇତିଶ୍ରୀରେ ପର୍ଯ୍ୟବସିତ ହେଉ ।

 

ଗୁମ୍ଫାରେ ଆଉ କୀଟ, ଦୂଷିତ ଗଳିତ ଶବର ପୂତିଗନ୍ଧ ନାହିଁ । ସେ ସ୍ଥାନ ଏବେ ନରହତ୍ୟାରେ କଳୁଷିତ ନୁହେଁ–ତେବେ ଅନ୍ୟ ପ୍ରକାରରେ ସ୍ଥାନର ଅଦୃଷ୍ଟ ପରିବର୍ତ୍ତିତ ହୋଇଅଛି, ତାହା ଏବେ ସଫା ସୁତୁରା । ସ୍ଥାବର ଜଙ୍ଗମ ସମସ୍ତଙ୍କର ଅଦୃଷ୍ଟ ଅଛି, ଏବଂ ସେ ଅଦୃଷ୍ଟ ସତତ ପରିବର୍ତ୍ତନଶୀଳ । ପରିବର୍ତ୍ତନ ସଂସାରର ଧର୍ମ, ଯେଉଁ ଆଡ଼କୁ ଚାହିଁବ, ସେ ଆଡ଼େ ଦେଖିବ ପରିବର୍ତ୍ତନ ସ୍ରୋତ ଅଶିଥିଳ ଗତିରେ ଅବିରାମ ପ୍ରବାହିତ ହେଉଅଛି । ଏହି ପରିବର୍ତ୍ତନ ହେତୁ ଜଗତ ନିତ୍ୟ ନୂତନ । ଅଦୃଷ୍ଟ ମନୁଷ୍ୟକୁ ଆଶ୍ରା କରିଥାଏ, ମାତ୍ର ମନୁଷ୍ୟ ଅଦୃଷ୍ଟର ଅଧୀନ । ଦେହୁ ଜାତ ମନ, କିନ୍ତୁ ଦେହ ମନର ଦାସ ବା ବାହନ । ମନର ସଙ୍କେତ ଅନୁସାରେ ଦେହ ଚାଳିତ ହୁଏ । ବୃକ୍ଷରୁ ଫଳ ଜାତ ହୁଏ, ମାତ୍ର ଫଳ ବୃକ୍ଷର ଜନକ, ଏ ରହସ୍ୟ ଭେଦ କରିବା ମନୁଷ୍ୟ ଶକ୍ତିର ସାଧ୍ୟାତୀତ । ଅଦୃଷ୍ଟ ଚିରସ୍ଥାୟୀ ନୁହେଁ । କାହାର ଅଦୃଷ୍ଟ ଦୁର୍ଭିକ୍ଷ ମେଘ କିମ୍ବା ଦରିଦ୍ରର ଆଶା ପରି ଉଇଁ ଅନ୍ତର୍ହିତ ହୁଏ । କାହାର ଅଦୃଷ୍ଟ ବା କ୍ଳାନ୍ତ ପଥିକପରି କ୍ଷଣେମାତ୍ର ବିଶ୍ରାମକରି ଯାଏ । ସୁତରାଂ ଅଦୃଷ୍ଟର ପରିବର୍ତ୍ତନ ସମସ୍ତଙ୍କର ଅଛି । ଯାହାର ପରିବର୍ତ୍ତନ ନାହିଁ, ତାହାର ଅଦୃଷ୍ଟ ନାହିଁ କିମ୍ବା ଅସ୍ତିତ୍ୱ ନାହିଁ । ଯେତେବେଳେ ଅଦୃଷ୍ଟ ସୁପ୍ରସନ୍ନ ହୁଏ, ସେତେବେଳେ ଜୀବନର ବିରାଟ ଅନ୍ଧକାର ମଧ୍ୟରେ ପ୍ରାଣର ସୁପ୍ତ ତାର ନବୀନ ମଧୁର ଝଙ୍କାରରେ ବାଜି ଉଠେ, ଆଉ ଅଦୃଷ୍ଟ ଅପ୍ରସନ୍ନ ହେଲେ ଜୀବନଗ୍ରନ୍ଥର ସମସ୍ତ ଅଧ୍ୟାୟ ଦୁଃଖମୟ ହୁଏ ଏବଂ ଦୁରାଗତ ବୀଣାଧ୍ୱନି ପ୍ରାୟ ଆଶା କ୍ଷୀଣରୁ କ୍ଷୀଣତର ହୋଇଆସେ । ଯେ ଅଦୃଷ୍ଟବାନ ସେ ଅସୁନ୍ଦର ହେଲେ ସୁଦ୍ଧା ଚିର ସୁନ୍ଦର; ଆଉ ଦୂରଦୃଷ୍ଟ କନ୍ଦର୍ପ ତୁଲ୍ୟ ସର୍ବାଙ୍ଗସୁନ୍ଦର ହେଲେ ସୁଦ୍ଧା କୁତ୍ସିତ ଦୂରଦୃଷ୍ଟର ଅଦୃଷ୍ଟହିଁ ତାହାର ବିମାତା ସ୍ୱରୂପ । କପାଳବନ୍ତର ଅଗାଧ ସମୁଦ୍ରରେ ନିମଗ୍ନ ନୌକା ଆପେ ଆପେ ଭାସି ଉଠେ ଏବଂ ହୀନ କପାଳିଆର ନୌକା ଶୁଖିଲା ଭୂଇଁରେ ବୁଡ଼ିଯାଏ । ଏଥିପାଇଁ ପ୍ରାଚୀନ ନୀତି ଶ୍ଳୋକ କହେ–ସମୁଦ୍ର ମନ୍ଥନ ବେଳେ ହରି ଲକ୍ଷ୍ମୀଙ୍କୁ ଲାଭକଲେ, ମାତ୍ର ମହାଦେବଙ୍କ ଭାଗରେ ପ୍ରାଣନାଶୀ ବିଷ ଲାଭହେଲା । ସୁତରାଂ ଭାଗ୍ୟରେ ସବୁ ହୁଏ, ମାତ୍ର ବିଦ୍ୟାରେ ବା ପୌରୁଷରେ କିଛି ହୁଏ ନାହିଁ । ଏ କଥା ଆଧୁନିକ ଲୋକଙ୍କୁ ଭଲ ଲାଗିବ ନାହିଁ । ସେମାନେ କହନ୍ତି,–‘‘ଯତ୍ନ କଲେ ରତ୍ନ ମିଳେ ।’’ କିନ୍ତୁ ଅନେକ ସ୍ଥଳରେ ଦେଖାଯାଏ, ଯତ୍ନ କଲେ ସୁଦ୍ଧା ରତ୍ନ ମିଳେ ନାହିଁ ଏବଂ ବିନା ଯତ୍ନରେ ରତ୍ନ ମିଳିଥାଏ । ଏ ବିରୋଧ ମତର ମୀମାଂସା ସାଧାରଣ ବୁଦ୍ଧିର ଅତୀତ । ଆମ୍ଭେମାନେ ସେ ଭାର ନୈୟାୟିକମାନଙ୍କ ଉପରେ ନ୍ୟସ୍ତ କରି କ୍ଷାନ୍ତ ହେଲୁଁ । କୈୟାକରଣିକମାନେ ଯେଉଁ ପଦ ସାଧି ନ ପାରନ୍ତି ତାହାକୁ ନିଯାତନ ସିଦ୍ଧ ବୋଲି କହି ନିଜର ମାନମହତ୍ତ୍ୱ ରକ୍ଷା କରନ୍ତି । ନୈୟାୟିକମାନେ ସେହି ପନ୍ଥା ଧରିଲେ ମୀମାଂସା ସରଳ ହେବ ଏବଂ ସେମାନେ ମଧ୍ୟ ରକ୍ଷା ପାଇଯିବେ । ଆଉ ଯଦି ସେମାନେ ‘‘ମୁରାରେ ସ୍ତୃତୀୟ ପନ୍ଥା’’ ଧରି ଅଦୃଷ୍ଟ ଏବଂ ଉଦ୍‌ଯୋଗକୁ ପରସ୍ପରସାପେକ୍ଷ ବୋଲି ରାୟ ଦିଅନ୍ତି । ତେବେ ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ସତ, ମାତ୍ର ମୀମାଂସାଟା ଆହୁରି ଜଟିଳ କୁଟିଳ ହୋଇ ଉଠିବ । ଆଉ, ସେ ନୀରସ ଚର୍ଚ୍ଚାରେ କି ଲାଭ ? କଥାକୁ ଚିପୁଡ଼ିଲେତ ଆଉ ରସ ମିଳିବ ନାହିଁ ବରଂ ରସଭଙ୍ଗ ହେଲା ବୋଲି ରସପାୟୀ ରସିକ ପଣ୍ଡିତମାନେ ଉଚ୍ଚ ଚିତ୍କାର କରି ମଥା କୋଡ଼ି ହେବେ । କଥାଟା ଟିକିଏ ଆଡ଼ ବାଙ୍କ ହେଲେ ସେମାନେ ରସ ଭଙ୍ଗର ସ୍ୱପ୍ନ ଦେଖନ୍ତି । କଥା କଥାକେ ସମାଲୋଚନା ସେମାନଙ୍କର କୌଳିକ ସ୍ୱଭାବ । ବୋଲିବା ବାହୁଲ୍ୟ, ସେଭଳି ଉକୁଣିମରା ସମାଲୋଚକମାନଙ୍କ ସକାଶ ଏହା ଲେଖା ଯାଇନାହିଁ ।

 

କାପାଳିକର ଉଜ୍ଜ୍ୱଳ କୀର୍ତ୍ତି ପରେ ପ୍ରାରୁକ୍ତ ଗିରିଗହ୍ୱର କିଛିଦିନ ନିର୍ଜନତାର ସୁଖ ଶୟନାଗାର ହୋଇଥିଲା । ଭୟରେ ଆଉ ସେଠାକୁ କେହି ଯିବାକୁ ସାହସୀ ହୁଅନ୍ତି ନାହିଁ । ଦିନ ଦ୍ୱିପ୍ରହରବେଳେ ସେଠାରେ ଭୂତପ୍ରେତମାନେ ନାଚୁଥିବାର ଅନେକେ ଦେଖିଅଛନ୍ତି, ମାତ୍ର ତାହା କେହି କହି ପାରନ୍ତିନାହିଁ । ଦିନେ ଯୋଗୀ ସେଠୀ ଧୋବା ଖାର ପୋଡ଼ିବା ସକାଶ ପର୍ବତକୁ ଯାଇଥିଲା । ସେ ସ୍ୱୟଂ ସ୍ୱଚକ୍ଷୁରେ ଦେଖି ଆସିଲା–ପୁଞ୍ଜାଏ କି ପଣେ ଭୂତ ଗିରି ଚୂଡ଼ା ଉପରେ ଗୋଡ଼ ଲମ୍ବାଇ ବସି ଚକୁଳି ପିଠା ଖାଉଥିଲେ । ସେ ଗୁଣିଆ ବୋଲି ଦେହ କିଳି ହୋଇ ସେ ଦୃଶ୍ୟ ଦେଖି ଆସିଲା । ନଚେତ୍‌ ଅନ୍ୟ କେହି ହୋଇଥିଲେ ସେହି ମୁହୂର୍ତ୍ତରେ ମରିଯାଇ ଥାଆନ୍ତା ।
 

ସେ ଏହି କଥା ଗ୍ରାମରେ ପ୍ରଚାର କଲା ଦିନଠାରୁ ଆଉ କେହି ପର୍ବତଚୂଡ଼ା ଆଡ଼କୁ ଚାହାନ୍ତି ନାହିଁ । ଯୋଗୀ ସେଠୀ ଭାରି ଟାଣୁଆ ଗୁଣିଆଁ, ସେ ଏପାରି ଗଛ ସେପାରି କରିପାରେ ବୋଲି ଗ୍ରାମବାସୀମାନଙ୍କର ବିଶ୍ୱାସ ସୁତରାଂ ତାହା କଥା ଯେ ବେଦବାଣୀ ପରି ଛଙ୍କା ସତ୍ୟ; ଏଥିରେ ଅଣୁମାତ୍ର ବା ପରମାଣୁମାତ୍ର ସନ୍ଦେହ ନାହିଁ । ଗୁମ୍ଫାଟି କେତେକାଳଯାଏ କାପାଳିକର ବିରହ ବେଦନା ସହିଲା ପରେ ଆଡ଼କାଟିମାନେ କିଛିଦିନ ତାହା ଗର୍ଭରେ ଆଶ୍ରୟ ନେଇଥିଲେ । ଇଂରାଜ ଶାସନ ପୂର୍ବରୁ ଯେଉଁମାନେ ଡକାୟତି କରୁଥିଲେ, ସେମାନେ ଇଂରାଜ ଶାସନ ଗୁଣରେ ଡକାୟତି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ବୃତ୍ତିଚ୍ଛେଦ ହେତୁ ସେମାନଙ୍କ ପିଲା କୁଟୁମ୍ବମାନଙ୍କୁ ମାସରେ ଚବିଶ ଏକାଦଶୀ କରିବାକୁ ପଡ଼ିଲା । ତହୁଁ ସେମାନେ ଅନନ୍ୟୋପାୟ ହୋଇ ଚା ବଗିଚାରେ କୁଲି ବିକ୍ରୟ ବ୍ୟବସାୟ ଆରମ୍ଭ କଲେ । ସେମାନେ ଗ୍ରାମେ ଗ୍ରାମେ ବୁଲି ମନୁଷ୍ୟ ଚୋରି କରି ଚା ବଗିଚାରେ ବିକ୍ରୟପୂର୍ବକ ଯଥେଷ୍ଟ ଅର୍ଥୋପାର୍ଜନ କରୁଥିଲେ । ପୂର୍ବେ ଡକାୟତିଦ୍ୱାରା ସେମାନେ ଧନରତ୍ନ ଅପହରଣ କରୁଥିଲେ, ଏବେ ଜନ-ରତ୍ନ ଅପରହଣ କଲେ । ସୁତରାଂ ଉଭୟ ବ୍ୟବସାୟ ମଧ୍ୟରେ ସେତେ ଅସାମଞ୍ଜସ୍ୟ ନ ଥିଲା । ଦଗ୍‌ଧୋଦର-ତାଡ଼ନାରେ ମନୁଷ୍ୟ କେଉଁ ପାପ କରିବାକୁ ବା ପଶ୍ଚାତ୍‌ପଦ ! ଉଦରଟି ସୃଷ୍ଟି କରି ନ ଥିଲେ ବୋଧହୁଏ ବିଶ୍ୱବିଧାତାଙ୍କ ସୃଷ୍ଟି ଅସମ୍ପୂର୍ଣ୍ଣ ରହିଯାଇଥାଆନ୍ତା । ହା ବିଧାତଃ, ଉଦରରୂପ ଅଗ୍ନିକୁଣ୍ଡ କି ତୁମ୍ଭଙ୍କୁ ଦଗ୍‌ଧ କରେ ନାହିଁ ? ଆଡ଼କାଟି ଦଳ ଛଦ୍ମବେଶ ଧରି ବିବିଧ କୌଶଳରେ ମନୁଷ୍ୟ ହରଣ କରନ୍ତି-। ସେମାନେ ନାନାଭାଷାରେ ସୁପ୍ରବୀଣ ଏବଂ ନାନାଜାତିର ବେଶଭୂଷା ଅବିକଳ ଅନୁକରଣ କରିପାରନ୍ତି । ଏହି ହେତୁ ସେମାନଙ୍କୁ ଚିହ୍ନିବା ନରନେତ୍ରର ଅସାଧ୍ୟ । କେତେବେଳେ ସେମାନେ ଧର୍ମଭେକଧାରୀ ଜମାଓତ ବେଶରେ ଗ୍ରାମରେ ପ୍ରବେଶ କରନ୍ତି–କେତେବେଳେ ବା ସିନ୍ଦୂର, ହେଙ୍ଗୁ, ପ୍ରବାଳ ପ୍ରଭୃତି ମୋ ଫସଲ–ଦୁର୍ଲ୍ଲଭ ପଦାର୍ଥମାନ ଘେନି ବ୍ୟବସାୟୀ ବେଶରେ ଆସନ୍ତି । କେଉଁଠାରେ ଛୁରୀ, କତୁରୀ, କୁଞ୍ଚି ବିକ୍ରୟ ଛଳନାରେ ନେପାଳୀ ବେଶ ଧରି ବୁଲନ୍ତି–କେଉଁଠାରେ ସିଦ୍ଧ ବାବାଜି ହୋଇ ଅକାଟ୍ୟ ଆଜ୍ଞାବଳରେ ରୋଗ ଉଡ଼ାଇ ଦିଅନ୍ତି–କେଉଁଠାରେ ଆଶ୍ଚର୍ଯ୍ୟ ହସ୍ତକୌଶଳଜନିତ ତାମାସା ଦେଖାଇ ନିରୀହ ଅଶିକ୍ଷିତ ପଲ୍ଲିବାସୀମାନଙ୍କୁ ଭେଇକା କରାଇଦିଅନ୍ତି-। ଏହିପରି ସାପଖେଳା, ଭାଲୁମାଙ୍କଡ଼ ନଚା, ଡାଆଣୀ-ଝଡ଼ା ବିଫଳ କରକୋଷ୍ଠୀଗଣନା ପ୍ରଭୃତି ଦୁଷ୍ଟା ସରସ୍ୱତୀଭଣ୍ଡାରରେ ଯେତେ ଭଣ୍ଡ ଅପବିଦ୍ୟା ଅଛି, ସବୁଥିରେ ସେମାନେ ସିଦ୍ଧହସ୍ତ । ଏ କାଳରେ ଭଣ୍ଡବିଦ୍ୟାରେ ଯେତେ ଆଦର, ପ୍ରକୃତ ବିଦ୍ୟାର ସେତେ ଆଦର ନାହିଁ । ହରି ସଂକୀର୍ତ୍ତନ କଲେ ସାଧ୍ୟସାଧନାରେ ସୁଦ୍ଧା ଦଶଜଣ ଶ୍ରୋତା ମିଳିବା ଦୁଷ୍କର; ମାତ୍ର କେଳାକେଲୁଣୀ ସୁଆଙ୍ଗ ବାହାର କଲେ ବିନା ଆହ୍ୱାନରେ ହଜାର ହଜାର ଦର୍ଶକ ଉପସ୍ଥିତ ହେବେ ! ଏକସ୍ଥାନରେ ଅଭିନୟ ହେଉଥିଲା । ଅଭିନୟ ପୂର୍ବରୁ ରଙ୍ଗାଳୟରେ ଅସଂଖ୍ୟ ଦର୍ଶକ ଉପସ୍ଥିତ ହୋଇ ରଙ୍ଗାଳୟକୁ ପୂର୍ଣ୍ଣ କରିଦେଲେ । ଅଭିନେତୃବର୍ଗ ଶକୁନ୍ତଳା ନାଟକ ଅଭିନୟ କଲେ-। ଜଗଜ୍ଜୟୀ ମହାକବି କାଳିଦାସଙ୍କ ରଚନା, ଅଭିନେତାମାନେ ସୁଶିକ୍ଷିତ; ସୁତରାଂ ମଧୁ ଉପରେ ମଧୁବୃଷ୍ଟି ହୋଇଗଲା । ରଙ୍ଗସ୍ଥଳରେ ଅନାବିଳ ଅମୃତର ସ୍ରୋତ ସହସ୍ର ଧାରାରେ ପ୍ରବାହିତ ହୋଇଗଲା; ମାତ୍ର ୩ । ୪ ଗୋଟି ଦୃଶ୍ୟ ସମାପ୍ତ ନହେଉଣୁ ଅଧିକାଂଶ ଦର୍ଶକ ଉଠି ବାହାରିଗଲେ-। କେହି କହିଲା, ‘‘ଦ୍ୱାରୀ ନାହିଁ, କି ବୁଲ୍‌ବୁଲ୍‌ ଜେନା ଚୌକିଆ ବି ଆସିଲା ନାହିଁ, ଏ ପୁଣି କି ଅପୂର୍ବ ଯାତ୍ରା ।’’ କେହି ବା କହିଲା–‘‘ମାଲୁଣୀ-ସୁଆଙ୍ଗ ବା ବଧୂ-ବୈଦ୍ୟ ସୁଆଙ୍ଗ ହୋଇଥିଲେ କେଡ଼େ ମଜା ହୋଇଥାନ୍ତା । ତୁଚ୍ଛାଟାରେ ରାତି ଅନିଦ୍ରା ହେଲି ! ଯାତ୍ରା ନା ଫାତ୍ରା, ଛି ଛି, ଏହା ଜାଣିଥିଲେ ମୁଁ କେଭେ ଆସି ନଥାନ୍ତି ।’’ ଏହାଠାରୁ ବଳି ରୁଚି-ବିକୃତିର ହୀନ ଦୃଷ୍ଟାନ୍ତ ଆଉ ଅଧିକ କଅଣ ହୋଇପାରେ ? ସାହିତ୍ୟକ୍ଷେତ୍ରରେ ମଧ୍ୟ ସେହି ଦଶା–ସେହି ବୀଭତ୍ସ ତାଣ୍ଡବ ! ଆଇନାତୁଣୀ–ରହସ୍ୟ, ଦିଅରଭାଉଜ କଳି, ଦେଢଶୂର ଭାଇବୋହୂ ରହସ୍ୟ ପ୍ରଭୃତି ଇତର ଶ୍ରେଶୀର ଅପାଠ୍ୟ ପୁସ୍ତକରେ ସାହିତ୍ୟବିପଣୀ ପୂର୍ଣ୍ଣ । ଏହି ସମସ୍ତ ଆଦର୍ଶଶୂନ୍ୟ ଅ-ପୁସ୍ତକର ବିକ୍ରୟାଧିକ୍ୟ ଦେଖିଲେ ଚକ୍ଷୁରୁ ରକ୍ତ ସ୍ରାବ ହୁଏ ଏବଂ ଉନ୍ନତିର ଆଶା ସୁଦୂର ପଶ୍ଚାତ୍‌କୁ ଘୁଞ୍ଚିଯାଏ । ହାୟ, ମାତୃ-ସାହିତ୍ୟର ଏ ଆବର୍ଜନା ବାସ୍ତବରେ ଶୋକାବହ । ଯେଉଁମାନେ ଏହି ଆବର୍ଜନା ବୃଦ୍ଧି କରି ପବିତ୍ର ଦେବମନ୍ଦିରକୁ ସୁରାସ୍ରୋତରେ କଳୁଷିତ କରୁଅଛନ୍ତି, ହେ ବଜ୍ରଧର ବଜ୍ରାଘାତରେ ତୁମ୍ଭେ ସେମାନଙ୍କୁ ଆଶୀର୍ବାଦ ପ୍ରଦାନକର, ତୁମ୍ଭ ନିକଟରେ ଏତିକି ପ୍ରାର୍ଥନା ।

 

କଲିକତା ଅଞ୍ଚଳରୁ ଦଳେ ଆଡ଼କାଟି ଆସି ପୂର୍ବୋକ୍ତ ଗୁମ୍ଫାରେ ଆଶ୍ରୟ ନେଇଥିଲେ । ସେମାନେ କୌପୀନଧାରୀ ଭସ୍ମବୋଳା ସାଧୁ ବେଶରେ ବାହାରନ୍ତି । କାହାରି କାହାରି ମସ୍ତକରେ କୃତ୍ରିମ ଜଟା ଏବଂ ମୁଖରେ କୃତ୍ରିମ ଶ୍ମଶ୍ରୁ । ଲୋକଗୁଡ଼ିକ ବଳିଷ୍ଠ, ହାତଗୋଡ଼ କୁନ୍ଦଲା ପ୍ରାୟ ଦେଖାଯାଏ । ତାହା ଏପରି ମାଂସଳ ଯେ, ଶିରା ପ୍ରଶିରା ଆଦୌ ବାହାରକୁ ଦେଖାଯାଏ ନାହିଁ । ବୋଧହୁଏ ସଣ୍ଡାସୀରେ ଟାଣିଲେ ସୁଦ୍ଧା ଦେହର ଚମ ଧାନେ ମାତ୍ର ଉପରକୁ ଉଠିବ ନାହିଁ । ସେମାନଙ୍କ ସରଦାର ଜଣେ ଅଲୌକିକ ରୂପବାନ୍‌ ସୁପୁରୁଷ, ଠିକ୍‌ ଯେପରି ଅମାବାସ୍ୟାର ସହୋଦର । ବସିଥିଲେ ମନୁଷ୍ୟ କି ପାଷାଣପ୍ରତିମା, ତାହା ବାରି ହୁଏନାହିଁ । ଦେହଟା ଥାକୁଲ ଥୁକୁଲ । ପୂର୍ଣ୍ଣଗର୍ଭା ସ୍ତ୍ରୀପରି ଉଦର ତଳକୁ ଝୁଲିପଡ଼ିଅଛି । ଆରକ୍ତ ନେତ୍ର କାଚଖଣ୍ଡ ପରି ଧପ୍‌ଧପ୍‌ ହୋଇ ଜଳୁଅଛି । ଅନ୍ୟର କଥା କିଏ ପଚାରେ, ତାହାର ମଧୁର ମୂର୍ତ୍ତି ଦେଖିଲେ ଭୟ ସୁଦ୍ଧା ଭୟରେ ମୂର୍ଚ୍ଛିତ ହୋଇପଡ଼ିବ । ଲୋକଟା ଶାସ୍ତ୍ରଜ୍ଞ ପରି ବୋଧ ହୁଏ । ଯେହେତୁ ସସ୍ତ୍ରୀକୋ ଧର୍ମମାଚରେତ୍‌,’’ ଏହି ଶାସ୍ତ୍ରାଦେଶ ତାହାଠାରେ ବ୍ୟର୍ଥ ହୋଇନାହିଁ–ପ୍ରତ୍ୟୁତ ଅକ୍ଷରେ ଅକ୍ଷରେ ପାଳିତ ହୋଇଅଛି । ସ୍ତ୍ରୀରତ୍ନଟି ସୂର୍ପଣଖା ଅଥବା ତ୍ରିଜଟାର ବଂଶଧାରିଣୀ । ରୂପର ଆଲୋକରେ ଚୌଦିଗ ଅନ୍ଧକାରମୟ । ଆଉ ରୂପବର୍ଣ୍ଣନାର ଅଧିକ ଆବଶ୍ୟକତା ନାହିଁ, ଯେହେତୁ ସ୍ତ୍ରୀରୂପ-ବର୍ଣ୍ଣନା ହାଲ ଆଇନରେ ଏକାବେଳକେ ମନା । ତଦ୍ଦ୍ୱାରା ଅଶ୍ଳୀଳତା-ଦୋଷ ପାଠକମାନଙ୍କୁ ସ୍ପର୍ଶ କରିବାର ଆଶଙ୍କା ଅଛି । ଭାଗ୍ୟତଃ ଭଞ୍ଜ, କବିସୂର୍ଯ୍ୟ ଆଗରୁ ଦେହତ୍ୟାଗ କରିଅଛନ୍ତି । ନତୁବା ସେମାନଙ୍କୁ ଅନ୍ତତଃ ଆନ୍ଦାମନ ଦ୍ୱୀପରେ ବାସ କରିବାକୁ ହୋଇଥାନ୍ତା ।

•••

 

ସପ୍ତମ ପରିଚ୍ଛେଦ

 

ସୂର୍ଯ୍ୟ ଅସ୍ତ ହେଲେ । ବାରୁଣୀ ରାଣୀ କୁଙ୍କୁମ ଉକୁଟାଇ ହୋଇ, କସ୍ତୂରୀ ଲେପି ହେଲା-। ଦ୍ୱିଜନାମଧାରୀ ପକ୍ଷିକୁଳ ଲଳିତ ରବଛଳରେ ସନ୍ଧ୍ୟାଗାୟତ୍ରୀ ଜପ କଲେ । ବାନସ୍ପତିଜେମା କୁସୁମ-ସୁନ୍ଦରୀ ଅଧର ବିସ୍ତାରି ହସି ଉଠିଲା । ସେ ଚାରୁ ହାସରୁ ଅମୃତ ଝରି ପଡ଼ିଲା । ସନ୍ଧ୍ୟାରାଣୀ ବିବଦ୍ଧବେଣୀ ଫିଟାଇ ଦେଲେ । ସେହି ନିରନ୍ଧ୍ର କୃଷ୍ଣକେଶରାଶିରେ ଚରାଚର ବିଶ୍ୱର ବଦନମଣ୍ଡଳ ଆଚ୍ଛନ୍ନ ହୋଇଗଲା । ସରସୀବାଳା ସତୀ କମଳିନୀ ମହାଦୁଃଖରେ ଚକ୍ଷୁ ବୁଜି ପତି ଧ୍ୟାନରେ ନିମଗ୍ନ ହେଲା । କୁଳ ବଧୂକୁଳ ସନ୍ଧ୍ୟାବତୀ ଜାଳି ତୁଳସୀ ଚଉରା ଆଲୋକିତ କଲେ-। ଯେମନ୍ତ କି ସେମାନେ ନୀରବ ସଙ୍କେତ ଭାଷାରେ ଏହି ଉପଦେଶମାନବ ଜଗତକୁ ପ୍ରଦାନ କଲେ ଯେ, ‘ହୃଦୟର ଅଜ୍ଞାନତା ମଧ୍ୟରେ ଜ୍ଞାନ-ଦୀପ ଜାଳି ହୃଦୟକୁ ଉଜ୍ଜ୍ୱଳ କର ।’’ ଊର୍ଦ୍ଧ୍ୱରେ ଦେବସ୍ଥାନରେ ଦେବଶଯ୍ୟା ବିଛା ହୋଇଗଲା । ସେହି ଶଯ୍ୟାବିଜଡ଼ିତ ମଣିମୁକ୍ତା-ହୀରକାଦି ଜ୍ୟୋତି ବିସ୍ତାର ପୂର୍ବକ ଝକ୍‌ଝକ୍‌ ହୋଇ ଜଳି ଉଠିଲା । ସେହି ଜ୍ୟୋତି ମଧ୍ୟରେ ଅନନ୍ତ ଜ୍ୟୋତିଷ୍ମନ୍ତଙ୍କର ସ୍ୱରୂପ ପ୍ରକାଶିତ ହେଲା । ଦେବାଳୟରେ ଶଙ୍ଖ ଘଣ୍ଟା ବାଜିଉଠିଲା । ତହିଁ ସଙ୍ଗେ ସଙ୍ଗେ ଭକ୍ତକଣ୍ଠରୁ ଛନ୍ଦିତ ସଙ୍ଗୀତ ସ୍ୱରରେ ମଧୁର ପବିତ୍ର ପ୍ରାର୍ଥନା-ବାଣୀ ଉତ୍‌ଥିତ ହେଲା–‘‘ହେ ସତ୍ୟ ଶିବ ଚିରସୁନ୍ଦର, ତୁମ୍ଭ ଅସୀମ ମହାମହିମାକୁ କୋଟି ନମସ୍କାର । ହେ ସଦାଶୁଦ୍ଧ, ଅପାପବିଦ୍ଧ, ତ୍ୟାଗର ଗଙ୍ଗାଜଳରେ ମୋର କ୍ଷୁଦ୍ର ପାପ ଆତ୍ମାକୁ ଶୁଦ୍ଧ କରି ସତ୍ୟର ଆଲୋକରେ ସମୁଜ୍ଜ୍ୱଳ କର । ହେ ପୂର୍ଣ୍ଣବ୍ରହ୍ମ, ମୋର ଅପୂର୍ଣ୍ଣ ଆତ୍ମାକୁ ପୂର୍ଣ୍ଣତା ଆଡ଼କୁ ଘେନିଯାଅ । ତୁମ୍ଭ ପ୍ରସାଦରୁ ସେ ଧର୍ମର ଗୌରବମାଲ୍ୟ ଲୁଣ୍ଠନ କରିବାକୁ କ୍ଷମ ହେଉ । ହେ ପ୍ରଭୋ, ତୁମ୍ଭେ ମୋର ପରମ ଚରମାଶ୍ରୟ ଏବଂ ଆତ୍ମୀୟ ଅପେକ୍ଷା ପରମ ଆତ୍ମୀୟ । ହେ ଅନ୍ତର୍ଯ୍ୟାମୀ, ମୋ ମଧ୍ୟରେ ତୁମ୍ଭେ ପ୍ରକାଶିତ ହୁଅ । ତୁମ୍ଭର ଉପଯୁକ୍ତ ଭୃତ୍ୟ ହେବାର ଶକ୍ତି ଏବଂ ସୌଭାଗ୍ୟ ମୋତେ ପ୍ରଦାନ ନର । ଭକ୍ତି ଏବଂ ପ୍ରେମାଶ୍ରୁରେ ତୁମ୍ଭ ଚରଣରେଣୁ ଧୋଇଦେବାର ଅଧିକାର ଦେଇ ଯେଉଁ ଦେଶରେ ପାପ, ତାପ, ରୋଗ, ଶୋକ ଏବଂ ମୃତ୍ୟୁ ନାହିଁ, ସେହି ଅମୃତ ରାଜ୍ୟରେ ମୋତେ ଅନନ୍ତ କାଳ ସକାଶ ସ୍ଥାନ ପ୍ରଦାନ କର । ମୁଁ ଅତି ମୂଢ଼ ଅକିଞ୍ଚନ । ମନ୍ତ୍ର ଜାଣେ ନାହିଁ । ସ୍ତୁତି ଜାଣେ ନାହିଁ । ତୁମ୍ଭର ନାମ ମୋର ଆତ୍ମଶୁଦ୍ଧିର ଅଗ୍ନିମନ୍ତ୍ର ଏବଂ ମୋର ପ୍ରାଣର ଭାଷା ତୁମ୍ଭର ସ୍ତବ ସ୍ୱରୂପ ହେଉ, ଏହାହିଁ ତୁମ୍ଭର ଚୌବର୍ଗପ୍ରଦ ପାଦପଦ୍ମରେ ଏ ଅଧମର ଐକାନ୍ତିକୀ ପ୍ରାର୍ଥନା ।

 

ଠିକ ଫୁଲ ସଞ୍ଜବେଳେ ସାତଜଣ ବୈଷ୍ଣବ ଆସି ଶୀତଳପୁର ଗ୍ରାମର ଶିବ ମନ୍ଦିରରେ ଉପସ୍ଥିତ ହେଲେ । ସେଥିରୁ ଛଜଣ ଭାରବାହୀ ଏବଂ ଜଣେ ଅଭାରିଆ । ଭାରବାହୀଙ୍କର ଆନ୍ୟ କିଛି ଭାର ନୁହେଁ–କେବଳ କମ୍ବଳ ଏବଂ ଧର୍ମ ପୁସ୍ତକର ଗୋଟାଏ ଗୋଟାଏ ଭାଜୁଳା କାଖରେ ଗଳାଇ ବୁକୁଚା ମାରିଅଛନ୍ତି । ହାତରେ ଖଣ୍ଡେ ସ୍ଥୂଳ ବିଶାଳ ଯଷ୍ଟି । ଅଭାରିଆ ଜଣକ ବୋଧହୁଏ ଦଳର ଅଧ୍ୟକ୍ଷ । ତାହାର ଦେହ ତ୍ରିପଣ୍ଡ କଳା । କାନ୍ଧରେ ଗୋଛାଏ ଶୁକ୍ଳସୂତ୍ର, ତାହାର ବ୍ରାହ୍ମଣତ୍ୱର ପରିଚାୟକ । ତାହା ମୂଗୁନିପଥରେ ଚୂଡ଼ାରୁ ନିର୍ଝର ବହି ଆସିଲା ପରି ଦିଶୁଅଛି । ପାଠକ, ସୁନାଘାଇ ଗୁମ୍ଫାରେ ଯେଉଁ ଆଡ଼କାଟି ସରଦାରକୁ ଦେଖିଥିଲେ, ଏ ଲୋକଟା ଠିକ୍‍ ସେହି ଧରଣର-। ଯେମନ୍ତ କି ଏକମାତା–ଗର୍ଭଜ ଦୁଇଟି ଯାମଳ ସହୋଦର । ସମସ୍ତଙ୍କ ବେଶଭୂଷା ଓଡ଼ିଆଙ୍କ ପରି ଏବଂ ଭାଷା ମଧ୍ୟ ବିଶୁଦ୍ଧ ଓଡ଼ିଆ । ବାବାଜିମାନଙ୍କ ଆଗମନରେ ଗ୍ରାମସାରା ଗୋଟାଏ ଚହଳ ପଡ଼ିଗଲା । ଦଳଦଳ ହୋଇ ଲୋକେ ଦେଖିବାକୁ ଧାଇଁଲେ । ଗ୍ରାମର ଅନ୍ୟତମ ପଞ୍ଚାୟତ ନକୁଳ ବିଶ୍ୱାଳ ବୈଷ୍ଣବ ଦଳର ଜଣକୁ ଡାକି ନିରୋଳାରେ ସେମାନଙ୍କର ପରିଚୟ ଜିଜ୍ଞାସା କଲେ । ସେ କହିଲେ–‘‘ଯାହାଙ୍କ କାନ୍ଧରେ ପଇତା ଅଛି, ସେ ଜଣେ ସିଦ୍ଧ ପୁରୁଷ । ବାବା ବୈଦ୍ୟନାଥ ତାହାଙ୍କୁ ପ୍ରସନ୍ନ ହୁଅନ୍ତି । ବାବାଙ୍କ ଆଜ୍ଞାରେ ସେ ଗ୍ରାମେ ଗ୍ରାମେ ବୁଲି ରୋଗ ଭଲ କରୁଅଛନ୍ତି । ଏ ଗ୍ରାମରେ ମାସେ ରହିବା ସକାଶ ତାଙ୍କ ପ୍ରତି ବାବାଙ୍କର ସ୍ୱପ୍ନାଦେଶ ହୋଇଅଛି । ଆମ୍ଭେ ଛଜଣ ତାଙ୍କଦ୍ୱାରା ଉପକୃତ; ସୁତରାଂ ତାଙ୍କର ସେବକ ହୋଇଅଛୁଁ । ସିଦ୍ଧ ବାବାଜିଙ୍କ ଅଲୌକିତ ମହିମା ଶୁଣିଲେ ତୁମ୍ଭେ ତାଟଙ୍କା ହୋଇଯିବ । ମୁଁ ଜନ୍ମାନ୍ଧ ଥିଲି, ତାଙ୍କରି କୃପାରୁ ଚକ୍ଷୁଦାନ ପାଇଅଛି । ଆମ୍ଭମାନଙ୍କ ସଙ୍ଗରେ ଆଉ ଜଣେ ଅଛି, କୁଷ୍ଠ ରୋଗରେ ତାହାର ହାତ ଗୋଡ଼ ଅଙ୍ଗୁଳି ଛିଡ଼ି ଯାଇଥିଲା; ମାତ୍ର ଏହି ମହାପୁରୁଷଙ୍କ ହୁକୁମରେ ବସନ୍ତ କାଳରେ ଲଣ୍ଡାଗଛ କଞ୍ଚେଇଲା ପରି ତାହାର ଆଙ୍ଗୁଳି ସବୁ କଞ୍ଚେଇ ଉଠିଲା । ଆଉ ଜଣେ ଗୋରା ହୋଇ ଚେଡଙ୍ଗା ଲୋକ ଅଛି, ସେ ଲମ୍ବ ଜନ୍ତୁର (ରାତିରେ ସାପର ନାମ ଧରନ୍ତି ନାହିଁ) ଦଂଶନରେ ମରିଯାଇଥିଲା । ତାକୁ ଶ୍ମଶାନକୁ ନେଇ ଦାହ କରିବା ସମୟରେ ସାଧୁ ମହାତ୍ମା ସେଠାରେ ପହଞ୍ଚି ଛୁଇଁ ଦେଲା କ୍ଷଣି ସେ ବଞ୍ଚି ଠିଆହେଲା । ଅନ୍ୟ ତିନି ଜଣ ମଧ୍ୟରୁ ଜଣେ କାଲ, ଜଣେ ଜଡ଼ା, ଜଣେ ଯକ୍ଷ୍ମାରୋଗୀ ଥିଲା । ବୈଶାଖୀ ପବନ ଶିମିଳୀ ତୁଳାକୁ ଉଡ଼ାଇ ଦେଲା ପରି ସିଦ୍ଧ ବାବାଜି ଲହୁମାନେ ସେମାନଙ୍କର ରୋଗ ଉଡ଼ାଇ ଦେଲେ । ଆମ୍ଭେମାନେ ଗରିବ ଲୋକ, ତାଙ୍କର କି ଉପକାର କରି ପାରିବୁଁ; ସୁତରାଂ ସଙ୍ଗରେ ରହି ସେବା କରୁଅଛୁଁ ।’’ ଏହି କଥାଗୁଡ଼ିକ ସେ ଆତ୍ମପ୍ରାଧାନ୍ୟର ପୁଟ ଦେଇ ଏରୂପ ସାଳଙ୍କାରରେ ବର୍ଣ୍ଣନା କଲା ଯେ, ସେଥିରେ କାହାରି ସନ୍ଦେହର ଅବକାଶ ରହିଲା ନାହିଁ । ମୋଫସଲିଆ ଅଶିକ୍ଷିତ ଲୋକେ କୂଟ କପଟର ଧାର ଧରାନ୍ତି ନାହିଁ । ସେମାନଙ୍କର ହୃଦୟ ସରଳ, ବ୍ୟବହାର ସରଳ ଏବଂ ବିଶ୍ୱାସ ମଧ୍ୟ ସରଳ । ସୁତରାଂ ସେମାନେ ସିଦ୍ଧ ବାବାଜିଙ୍କର ମହିମା ଶୁଣି ଆନନ୍ଦରେ ଆର୍ଦ୍ର ହୋଇଗଲେ । ବର୍ତ୍ତମାନ ମୋଫସଲିଆ ଲୋକେ ସବୁ ଆଇନ କାନୁନ ଜାଣିଲେଣି । ମାତ୍ର ସେ କାଳର ନିରୀହ ପଲ୍ଲୀବାସୀ ଠିକ୍‌ ତାଙ୍କର ବିପରୀତ ଥିଲେ । ଏ କାଳର ମୋଫସଲିଆଣୀ ସ୍ତ୍ରୀ ମାନେ ସୁଦ୍ଧା ହିନ୍ଦି ଭାଷା ଶିଖିଲେଣି ଏବଂ ନବାବ ପୁଅକୁ ଜବାବ ଦେଲେଣି-। ପୁରୁଷମାନଙ୍କ କଥାତ ସ୍ୱତନ୍ତ୍ର । ସେହିକ୍ଷଣି ସାଧୁଙ୍କ ପରିଚର୍ଯ୍ୟା ସକାଶ ଧୁମ୍‌ ପଡ଼ିଗଲା-। ସେହି ରାତି ମଧ୍ୟରେ ସାଧୁଙ୍କପାଇଁ ଡାଳପତ୍ରରେ ତିନିବଖରା ଘର ତୟାର ହୋଇଗଲା । ଗ୍ରାମର ପାଣ୍ଠିରୁ ଖର୍ଚ୍ଚ କରି ସେମାନଙ୍କ ଆହାର୍ଯ୍ୟ ପଦାର୍ଥ କିଣି ଦିଆଗଲା । ସାମନ୍ତଙ୍କ ସାନ ପୁଅ ମଧୁ ଘରୁ ଗୋଟାଏ ଖଟ ଆଣି ସିଦ୍ଧ ବାବାଜିଙ୍କ ଶୋଇବା ଘରେ ପକାଇ ଦେଲା । ବାବାଜି ମହାପ୍ରଭୁ ଜୋଇଁ କୁଣିଆଙ୍କ ପରି ଆଦର ଅଭ୍ୟର୍ଥନା ପାଇ ପରମ ସୁଖରେ ରାତ୍ରି ଯାପନ କଲେ । ଗ୍ରାମବାସୀମାନଙ୍କର ଆନନ୍ଦ ହୃଦୟରେ ନ ଧରି ଉଛୁଳି ପଡ଼ିଲା । ଆତୁର ହତାଶ ରୋଗୀଙ୍କ ରୁଦ୍ଧ ହୃଦୟ-ଦ୍ୱାରରେ ଆଶା-ମାୟାବିନୀ ଘନଘନ ଆଘାତ କରିବାକୁ ଲାଗିଲା । କେହି ଭାବିଲା–ଗ୍ରାମରେ ଆଉ ରୋଗ ରହିବ ନାହିଁ । ଶିଶିରୁ କର୍ପୂର ଉଡ଼ିଗଲା ପରି ସିଦ୍ଧ ବାବାଜିଙ୍କ ହୁକୁମରେ ରୋଗଗୁଡ଼ାକ ସବୁ ଉଡ଼ି ଯିବ । ଅନ୍ଧ ଭାବିଲା–ମୁଁ ଏବେ ଛକ୍ଷୁଷ୍ମାନକୁ ଦୃଷ୍ଟିଶକ୍ତିରେ ପରିହାସ କରିବି-। ବଧିର ଭାବିଲା–ମୋର କଷ୍ଟ ଏବେ ଶେଷ ହେଲା । ବନ୍ଧ୍ୟା ସ୍ତ୍ରୀମାନେ ପୁତ୍ରବତୀ ହେବାର ଆଶା ଧରିଲେ । କେହି ଅବା ସ୍ୱପ୍ନରେ ନବ ଜାତ ପୁତ୍ରର ମୁଖ ଚୁମ୍ବନ କରି ଅପାର ଆନନ୍ଦରେ ନିମଗ୍ନ ହେଲା । ଏହିପରି ସମସ୍ତେ ଆଶା ଭାରରେ ଭାରାକ୍ରାନ୍ତ ହେଲେ । ସେମାନଙ୍କର ଏ ଆଶା ସତ୍ୟ ହେବ କି ମିଥ୍ୟା ହେବ, ତାହା ଭବିତବ୍ୟତାକୁ ଗୋଚର; ମାତ୍ର ମିଥ୍ୟା ହେଲେ ସୁଦ୍ଧା ଦୁଃଖର କାରଣ କିଛି ନାହିଁ; ଯେହେତୁ ଏ ରୂପ ମଧୁର ମିଥ୍ୟା ବଡ଼ ସୁଖକର ଏବଂ ରୂଚିପ୍ରଦ । ସମସ୍ତେ ଆଜି ଆଶା-ନିଶାରେ ଭୋଳ । କେବଳ ପତିବିଧୁରା ବିଧବାମାନଙ୍କ ହୃଦୟରେ ଆଶା ତରଙ୍ଗ ଉଠାଇ ପାରିଲା ନାହିଁ । ସେମାନଙ୍କର ମୃତ ସ୍ୱାମୀଙ୍କୁ ଉଠାଇ ଆଣିବାର କ୍ଷମତା ସିଦ୍ଧ ବାବାଜିଙ୍କର ନାହିଁ, ଏହା ସେମାନେ ଜାଣନ୍ତି । ସେହି କାର୍ଯ୍ୟଟି ସ୍ୱୟଂ ବିଧାତା ପୁରୁଷଙ୍କର ଅସାଧ୍ୟ । ଧନ୍ୟ ଆଶାର ପଦ୍ମତୋଳା ମନ୍ତ୍ର ! ସେହି ମନ୍ତ୍ର ବଳରେ ସେ ମୃତ ସର୍ପକୁ ଖେଳାଇପାରେ ।

 

ତହିଁ ପରିଦିନଠାରୁ ସିଦ୍ଧବାବାଜିଙ୍କର କାର୍ଯ୍ୟ ଆରମ୍ଭ ହେଲେ । ତାଙ୍କ ଆସନ ସମ୍ମୁଖରେ ଗୋଟାଏ ଅଗ୍ନିକୁଣ୍ଡ ସ୍ଥାପିତ ହେଲା । ବାବାଜି ପ୍ରତ୍ୟହ ସେହି ଅଗ୍ନିରେ ଘୃତାହୁତି ପ୍ରଦାନ ପରେ ଉପସ୍ଥିତ ରୋଗୀମାନଙ୍କୁ ହୁକୁମ ଦିଅନ୍ତି । ସେହି ସମୟରେ ଉପରୋକ୍ତ ଛ ଜଣ ସେବକ ତାଙ୍କ ପାଖରେ ଉପସ୍ଥିତ ରହି ମୋକ୍ତାରି କରନ୍ତି । ବାବାଜିଙ୍କ ଦକ୍ଷିଣ ପାର୍ଶ୍ୱରେ ତିନିଟା ହାଣ୍ଡିରେ ମୋଦକ, ଚୂର୍ଣ୍ଣ ଏବଂ ଘଟିକ ବିଭୂତିବୋଳା ହୋଇ ରକ୍ଷିତ ହୋଇଥାଏ । ସେଗୁଡ଼ିକ କ୍ରିତ ଔଷଧ; ମାତ୍ର ବାବାଜିଙ୍କ ସ୍ୱହସ୍ତ ନିର୍ମିତ ବୋଲି ଲୋକେ ଜାଣନ୍ତି । ରୋଗୀ ଆସି ବାବାଜିଙ୍କ ସମ୍ମୁଖରେ ଉପସ୍ଥିତ ହେଲାକ୍ଷଣି ତାହାକୁ ରୋଗ ବିଷୟ ପ୍ରଶ୍ନ କରାଯାଏ । ପାର୍ଶ୍ୱସ୍ଥ ମୋସାହେବମାନେ ଏହି ପ୍ରଶ୍ନ କରନ୍ତି-। ତହିଁ ପରେ ଦୁଇ ହାତରେ ଫୁଟୁକି ମାରି ‘‘ଯା ଉଡ଼ିଯା, ଯା ଉଡ଼ିଯା’’ ବୋଲି କେତେଥର କହି କାହାକୁ ଚୂର୍ଣ୍ଣ, କାହାକୁ ବଟିକା, କାହାକୁ ମୋଦକ ଦେଇ କହନ୍ତି–ଏହି ବିଭୂତି ନେଇ ଯା, ଖାଇଲେ ଭଲ ହୋଇଯିବୁ । ଦିନେ ଜଣେ ଶୂଳରୋଗୀ ଆସି ପହଞ୍ଚିଲା । ଶୂଳ-ବେଦନାରେ ଛଟପଟ ହୋଇ ଅସ୍ଥିର ହେଉଥାଏ । ବାବାଜି ଫୁଟୁକି ମାରି ‘‘ଯା ଉଡ଼ିଯା, ଯା ଉଡ଼ିଯା’’ କରିବା ବେଳେ ଜଣେ ମୋସାହେବ ‘‘ଛାଡ଼ିଲା କି ନାହିଁ’’ ବୋଲି ବାଧିତକୁ ବାରମ୍ବାର ପ୍ରଶ୍ନ କଲା । ରୋଗୀ ‘‘ନା’’ ବୋଲି କହିବାରୁ ଆଉ ଜଣେ ମୋସାହେବ କହିଲେ–‘‘ଏଟା ମହାପାପୀ, ଏହାର ରୋଗ କି ଭଲ ହେବ ? ସିଦ୍ଧ ବାବାଜିଙ୍କ ହୁକୁମମାତ୍ରେ କେତେ ରୋଗୀ ଭଲ ହୋଇ ଯାଉଛନ୍ତି, ଦୁଇଘଡ଼ି ହେଲା ହୁକୁମ ଦେଇ ଏହାର ରୋଗ ଭଲ ହେଉନାହିଁ । ପଳା, ହାରମଜାଦା ପାପି !’’ ରୋଗୀ ଏହା ଶୁଣି ମହା ମୁସ୍କୁଲିରେ ପଡ଼ିଲା । ରୋଗ ତ ଛାଡ଼ିଲା ନାହିଁ; ଅଧିକନ୍ତୁ ଏତେ ଲୋକଙ୍କ ସାକ୍ଷାତରେ ମହାପାପୀ ବୋଲି କଳଙ୍କିତ ହେଲା । ତହୁଁ ସେ ବାଧ୍ୟ ହୋଇ ‘‘ହଁ ଛାଡ଼ିଗଲା’’ ବୋଲି କହିବାରୁ ତୃତୀୟ ପାର୍ଶ୍ୱଚର ଖୁସିଟାଏ ହୋଇକହିଲା–ନା, ଏ ପାପୀ ନୁହେଁ, ଏହାର ପୂର୍ବସଞ୍ଚିତ ଧର୍ମବଳ କିଛି ଅଛି । ଏହିପରି ପ୍ରତ୍ୟହ ଶତ ଶତ ରୋଗୀ କେହି ଔଷଧରେ, କେହି ବିଶ୍ୱାସରେ ଏବଂ କେହି ବା ପାର୍ଶ୍ୱଚରମାନଙ୍କ ଭର୍ତ୍ସନାରେ ଭଲ ହେବାକୁ ଲାଗିଲେ । ଆଉ ଅ-ଭଲ କେହି ରହିଲା ନାହିଁ । ସିଦ୍ଧ ପୁରୁଷଙ୍କ ସୁଖ୍ୟାତି ନଦୀବନ୍ୟା ପରି କ୍ରମଶଃ ବୃଦ୍ଧି ହେବାକୁ ଲାଗିଲା । ତହୁଁ ସହସ୍ର ସହସ୍ର ରୋଗୀ ଦୂର ଦୂରାନ୍ତରରୁ ଆସି ଅଧ୍ୟା ପଡ଼ିଲେ । ଆଉ ଦିନେ ଜଣେ ଅନ୍ଧ ଆସିଲା । ସିଦ୍ଧ ବାବାଜି ଟିକିଏ ବିଭୂତି ନେଇ ତାହା ଆଖିରେ ଲଗାଇଦେଲା କ୍ଷଣି ସେ ଚକ୍ଷୁ ମେଲି ଚାହିଁଲା । ଏ ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେହିଦିନଠାରୁ ବାବାଜିଙ୍କ ସୁଖ୍ୟାତି ଶତଗୁଣ ବଢ଼ିଗଲା । ଦଳ ଦଳ ହୋଇ ରୋଗୀ ଆସି ରୁଣ୍ଡ ହେଲେ । କେହି ଦୁଧ, କେହି ଛେନା, କେହି ଦହି, କେହି ଘିଅ, କେହି ସରୁଚାଉଳ କେହି ବନ୍ତଳ କଦଳୀ, କେହି ପାଚିଲା ବାସନା କଦଳୀ କେହି ନଡ଼ିଆ, କେହି ସପୁରୀ ପଣସ, କେହି ପାକଲା ଆମ୍ବ ଆଣି ବାବାଜିଙ୍କୁ ଭେଟିଲେ । ଏହି ଉପାଦେୟ ପଦାର୍ଥମାନ ଏକା ବାବାଜିଙ୍କ ଭୋଗରେ ଆସେନାହିଁ, ମୋସାହେବମାନଙ୍କର ସୁଦ୍ଧା ଉଦରସ୍ଥ ହୁଏ । ସେମାନଙ୍କର ଆନନ୍ଦ ଏବଂ ଉତ୍ସାହର ସୀମା ନଥାଏ । ବିରାଡ଼ିର ମନ ମାଛ ଆଟିକା ପାଖରେ ଥିଲା ପରି ସେମାନଙ୍କର ଧ୍ୟାନ ସେହିସବୁ ପଦାର୍ଥ ପାଖରେ ଥାଏ । ନିତ୍ୟ ଏହି ରାଜଭୋଗ ପାଇ ସେମାନଙ୍କ ନାହି ଲେଉଟି ପଡ଼ିଲା, ଚେହେରାର ମଧ୍ୟ ଅସମ୍ଭାବିତ ପରିବର୍ତ୍ତନ ଘଟିଲା । ବାବାଜିଙ୍କ ଦେହ ମଧ୍ୟ ତେଲ ନିଗିଡ଼ି ପଡ଼ିଲା ପରି ଚିକ୍‌କଣ ଦିଶିଲା । କିଛିଦିନ ପରେ ଜଣେ କାଲ ଆସିଲା । ବାବାଜି ତାହାକୁ ପଚାରିଲେ–ତୋର କି ବେମାର ?

 

କାଲ କହିଲା–ମୋ ନାମ କଣ୍ଡୁରି ବେହେରା ।

ବାବାଜି–ଆରେ ତୋର ରୋଗ କଣ ?

କାଲ–ମୁଁ ଜାତିରେ ଗଉଡ଼, ମୋ ପୁଅ ଗଉଡ଼, ମୋ ବାପ ବି ସେଇ ଗଉଡ଼ ଥିଲା ।

ବାବାଜି–(ଈଷତ୍‌ ହାସ୍ୟ ସହ) ଆରେ ମୁଁ ପଚାରୁଛି କଅଣ, ତୁ କହୁଛୁ କଅଣ ?

 

କାଲ–ଘର କଥା ପଚାରୁଛ ? ସେହି ବିଶାଳପଡ଼ା ଦେଇ ଯେଉଁ ବାଟ ପଡ଼ିଛି, ସେହି ବାଟେ ଯାଇ ତିନିଗଛିଆ ପଦା ପାର ହୋଇଗଲେ ଯେଉଁ ଗାଁଖଣ୍ଡ ଦେଖାଯାଏ, ସେହି ଆମ ଗାଁ ।

 

ବାବାଜି–(ଉଚ୍ଚଚିତ୍କାର) ତୋର କି ରୋଗ କହ ?

 

କାଲ–ବେଙ୍ଗଲାଙ୍ଗୁଡ଼ ପରି ଖଣ୍ଡେ ପୁଅ ମହାପ୍ରଭୁ, ତା ନା ଶଙ୍କରା । ଆଉ ପୁଞ୍ଜେ ଅଲଣା ବିଆଣ (ଝିଅ) ।

 

ବାବାଜି ବିରକ୍ତ ହୋଇ ନୀରବ ରହିଲେ । ତାଙ୍କୁ ଖଟା ଖାଇବା ପରି ମୁହଁ କରିବାର ଦେଖି ଜୈନେକ ପାର୍ଶ୍ୱଚର କାଲର କାନ ପାଖରେ ତାଳି ଚାପୁଡା ମାରି ଖୁବ୍‌ବଡ଼ ପାଟିରେ ପଚାରିଲା–ତୁ କାହିଁକି ଆସିଛୁ କହ ?

 

କାଲ–(ବାବାଜିଙ୍କ ମୁହଁଙ୍କୁ ଚାହିଁ ଅଳ୍ପ ସହିଦେଇ କହିଲା) –ନା, ମହାପ୍ରଭୁ, ଘରେ ଗାଈ ଦୋହଳ ନାହାନ୍ତି । ଥିଲେ କି ମୁଁ ଠେକିଏ ଘିଅ ନଆଣିଥାନ୍ତି ।

 

ପାର୍ଶ୍ୱଚର–ଆରେ ନାହିଁ ନାହିଁ, ତୋର କି ବେମାର ବୋଲି ଛାମୁରୁ ପଚାରି ଆଜ୍ଞା ହେଉଛନ୍ତି ।

 

କାଲ–ମୋ କାନକୁ ଶୁଭୁ ନାହିଁ, ତମର ଧର୍ମ ହେବ ମହାପ୍ରଭୁ, ମୋତେ ଭଲ କରିଦିଅ । ମୁଁ ବଡ଼ କଷ୍ଟ ପାଉଛି ।

 

ବାବାଜି କାଲକୁ ହସ୍ତ-ସଙ୍କେତରେ ଡାକି ଆଗରେ ବସାଇଲେ । ଯଜ୍ଞକୁଣ୍ଡରୁ ଟିକିଏ ପାଉଁଶ ଆଣି ତାହା କାନରେ ପକାଇ ଫୁଙ୍କି ଦେଲାକ୍ଷଣି ସେ ଠୋ ଠୋ ହୋଇ ହସି ଉଠି ଲମ୍ବ ଖମ୍ବ ହୋଇ ବାବାଜିଙ୍କ ଗୋଡ଼ତଳେ ପଡ଼ିଗଲା ଏବଂ କହିଲା–ଏବେ ମୋତେ ସବୁ ଶୁଭିଲାଣି, ତୁମ୍ଭ ଋଣ ମୁଁ ଶୁଝି ପାରିବି ନାହିଁ, ମହାପ୍ରଭୁ ! ମୁଁ ବଡ଼ ଗରୀବ, କଅଣ ଅବା ଦେଇ ତମକୁ ଖୁସି କରିବି । ଯେବେ କହିବ ତେବେ ପୁଞ୍ଜାଏ ହଳଦିଆ ପୁରୁଣା ମାଗୁର ଆଉ ମୁଷୂଳିଆ କଉମାଛ ଆଣି କାଲି ଦେଇଯିବି ।’’ ଏହା ଶୁଣି ଜଣେ ପାରିଷଦ କ୍ରୋଧକମ୍ପିତ ସ୍ୱରରେ କହିଲା–ଦୂର ହ ବଦ୍‌ଜାତ ଆଣ୍ଡୁଆ ଗଉଡ଼ । ଏହା କହି ତାହାକୁ ମାରିବା ସକାଶ ବଦ୍ଧମୁଷ୍ଟି ହୋଇ ଧାଇଁ ବାରୁ ସିଦ୍ଧ ପୁରୁଷ ନିଷେଧ କରି କହିଲେ, ସେ ମୂର୍ଖ ମୁଷୂଣ୍ଡ ଲୋକ, ନ ଜାଣି କହି ପକାଇଲା, ସେଥିପାଇଁ କଅଣ ବେଦ ଅସୁଦ୍ଧ ହୋଇଗଲା ? ଏହା ଶୁଣି ପାରିପଦ ଲଜ୍ଜାରେ ଅଧୋବଦନ ହୋଇ ରହିଲା । ଅନନ୍ତର ବାବାଜି ଗଉଡକୁ ଡାକି ଶାନ୍ତଶିଷ୍ଟ ଭାଷାରେ କହିଲେ–ଆମ୍ଭେ ସାଧୁସନ୍ଥ ଲୋକ, ଆମିଷ ଆମର ଚଳେ ନାହିଁ, ତାହା ଆଣିବାର ଦରକାର ନାହିଁ । ଏହା ଶୁଣି ଗଉଡ ଆନନ୍ଦିତ ହୋଇ ସାଧୁଙ୍କ ପଦରେଣୁ ଗ୍ରହଣପୂର୍ବକ ବିଦାୟ ହୋଇଗଲା । ପୂର୍ବୋକ୍ତ ଅନ୍ଧ ଏବଂ ବଧିର କେଉଁଠାରୁ ଆସିଥିଲେ, ଏହା ଜାଣିବା ନିମନ୍ତେ ପାଠକମାନଙ୍କର କୌତୂହଳ ଜନ୍ମିଥିବ; ମାତ୍ର ଆମ୍ଭେମାନେ କାକଚରିତ ଜାଣୁଁ । ସେହି ବିଦ୍ୟା ବଳରେ ଗଣନା କରି ଜାଣିଅଛୁଁ ଯେ, ସେମାନେ ସୁନାଘାଇ ପର୍ବତର ଗୁମ୍ଫାରୁ ଆସିଥିଲେ । ଏହିପରି କରିବାକୁ ସେମାନେ ପୂର୍ବରୁ ଉପଦିଷ୍ଟ ହୋଇଥିଲେ । ଏକଥା ଆମ୍ଭମାନଙ୍କ ବ୍ୟତୀତ କୁଆକୋଇଲି ସୁଦ୍ଧା ଆଜି ଅବଧି ଜାଣିନାହାନ୍ତି । ପାଠକମାନଙ୍କୁ ସନିର୍ବନ୍ଧ ଅନୁରୋଧ ଯେ, ସେମାନେ ଏ ବିଷୟ କାହାରି ପାଖରେ ପ୍ରକାଶ କରିବେ ନାହିଁ । ପରର ଗୁପ୍ତ ରହସ୍ୟ ପ୍ରକାଶ କରିବା ଶିଷ୍ଟାଚାରବିରୁଦ୍ଧ । ‘‘ଷଡ଼କାନ ମନ୍ତ୍ର ଭେଦ’’ ବୋଲି ନୀତିବାକ୍ୟ ଅଛି । ଜିହ୍ୱା-କଣ୍ଡୁୟନ ନିବୃତ୍ତି ସକାଶ ନିତାନ୍ତ ଅନିଚ୍ଛ୍ୱାସତ୍ତ୍ୱେ ଯଦି କେହି ଭ୍ରମରେ କାହାରି ପାଖରେ କହିପକାନ୍ତି, ତେବେ ଏହା ଗୋପନ ରଖିବା ସକାଶ ଶ୍ରୋତାଙ୍କୁ ସେ ବାରମ୍ବାର ଶପଥ କରାଇ ନିଷେଧ କରିବେ ।

 

ବାବାଜିଙ୍କର ଶିଷ୍ୟ-ସେବକ ସଂଖ୍ୟା କ୍ରମଶଃ ବୃଦ୍ଧିଲାଭ କରିବାକୁ ଲାଗିଲା । ସାମନ୍ତଙ୍କ ସାନ ପୁଅ ମଧୁ ସେଥି ମଧ୍ୟରେ ପ୍ରଥମ । ସେ ବାବାଜିଙ୍କର ଦକ୍ଷିଣ ହସ୍ତ । ଭଣ୍ଡାର ଘର ତାହାର ଜିମା । ଯେଉଁ ଦିନ ଯାହା ଉପହାର ଆସେ, ମଧୁ ତାହାର ରକ୍ଷଣାବେକ୍ଷଣ କରେ । ସେ ଦିନରାତି ବାବାଜି ପାଖରେ ଥାଏ । ସାମନ୍ତ ଏହା ଶୁଣି ରୁଷ୍ଟ ନ ହୋଇ ବରଂ ହୃଷ୍ଟ ହେଲେ । ମନେ ମନେ ଭାବିଲେ–‘‘କ୍ଷେପତା ଟୋକାଟା ତ କିଛି ହେଲା ନାହିଁ, ଖାଲି ଦୁଷ୍ଟାମୀ, ଚାଲନ୍ତା ଶଗଡ଼ରେ ହାତ ଦେବାଛଡ଼ା ଆଉ କିଛି ନାହିଁ । କୁଆଳିଆ ହୋଇ ବୁଲିବା ଅପେକ୍ଷା ସାଧୁ ସେବାରେ ନିଯୁକ୍ତ ରହିବା ବରଂ ଭଲ । ସାଧୁ-ସହବାସରେ ମନର ପରିବର୍ତ୍ତନ ଘଟିପାରେ ।’’ ବାବାଜି ରୋଗୀଙ୍କୁ ହୁକୁମ ଦେଇସାରି ସନ୍ଧ୍ୟା ସମୟରେ ବିଶ୍ରାମ କରନ୍ତି, ଶିଷ୍ୟମାନଙ୍କର ସେବା ଗ୍ରହଣ କରନ୍ତି ଏବଂ ସେମାନଙ୍କ ସହ ନାନା ବିଷୟର କଥୋପକଥନ କରନ୍ତି । ବାବାଜିଙ୍କ ଭୋଜନ ଶେଷରେ ସମସ୍ତେ ପ୍ରସାଦ ସେବା କରି ବିଦାୟ ହୋଇଯାନ୍ତି, କେବଳ ମଧୁ ଘରକୁ ନ ଯାଇ ସେହିଠାରେ ରହେ । ବାବାଜିଙ୍କ ପ୍ରତି ତାହାର ଅଚଳା ଭକ୍ତି । ବାବାଜି ମଧ୍ୟ ତାହାକୁ ଅତ୍ୟନ୍ତ ବିଶ୍ୱାସ କରନ୍ତି ଏବଂ ସ୍ନେହ-ଚକ୍ଷୁରେ ଦେଖନ୍ତି । ବାବାଜି ଶୋଇଲେ ମଧୁ ତାଙ୍କର ଗୋଡ଼ ଘଷିଦିଏ । ଦିନେ ପଦସେବା କରିବା ସମୟରେ ବାବାଜି ତାହାକୁ ସ୍ନେହ-ସିକ୍ତ ମଧୁର ସ୍ୱରରେ ପଚାରିଲେ–‘‘ମଧୁ, ତୁ କିଛି ପଢ଼ାଶୁଣା କରିଛୁ ?’’ ମଧୁ କହିଲା–‘‘ନା ଆଜ୍ଞା, ପାଠ ମୋ ଦେହରେ ଗଲା ନାହିଁ । ଆଉ ପଢ଼ି ଅବା କଅଣ କରନ୍ତି ? ଖାଲି ଅବଧାନ ହାତରୁ ମାଡ଼ ଖାଇ ଖାଇ ମରନ୍ତି ସିନା । ବଡ଼ ହୋଇଗଲେ ଚାଷବାଷ କାମର ତତ୍ତ୍ୱ ନେବି । ପାଠ ପଢ଼ି ତ ଲୋକେ କିରସ୍ତାନ ହୋଇଯାଉଛନ୍ତି । ସେମାନଙ୍କର ଜାତିପତି ଅଛି, ନା ଜ୍ଞାନଧ୍ୟାନ ଅଛି । ବାପମା କି ମୁରବିଙ୍କି ସୁଦ୍ଧା ଖାତର ନାହିଁ ।’’ ବାବାଜି ଏହା ଶୁଣି ମଧୁ ପିଠିରେ ହାତ ବୁଲାଇ କହିଲେ–‘‘ମଧୁ, ତୁ ଭଲ ପିଲା, ଯା କହିଲୁ ସତ । ଯେଉଁମାନେ ଦୁଇ ଅକ୍ଷର ଇଂରେଜୀ ପଢ଼ିଅଛନ୍ତି, ସେମାନଙ୍କର ଜାତି କୁଳର କିମ୍ବା ଧର୍ମାଧର୍ମର ବିଚାର ନାହିଁ । ଅଖାଦ୍ୟ ଖାଇ ନାନା ଅପଚାର କରୁଅଛନ୍ତି । ସେମାନେ ସର୍ବଘୋଟ, ଯା ହାତରେ ଇଚ୍ଛା ତା ହାତରେ ଖାଉ ଅଛନ୍ତି-।’’ ଏହିପରି ନାନା କଥା ହେଉଁ ହେଉଁ ମଧୁ ପଚାରିଲା–ବାବାଜି, ତମେ ତ ଢେର ‘ଉଷୁଦ’ ବାଣ୍ଟୁଛ, ତାହା ସବୁ କେଉଁଠୁ ଆଣ ?

 

ବାବାଜି–ତାହା ସବୁ ମୁଁ ନିଜେ ତୟାର କରିଛି, ବାବା ।

ମଧୁ–ତା ସବୁ ସରିଗଲେ ପୁଣି କଅଣ କରିବ ?

ବାବାଜି–ସରିଗଲେ ପୁଣି ତୟାର କରିବି ।

ମଧୁ–ଏତେ ଟଙ୍କା କେଉଁଠୁ ଆଣ ?

 

ବାବାଜି–ଟଙ୍କାଲାଗି ଆମର ଭାବନା କଅଣ ? ଆମ ରାଜ୍ୟରେ ଟଙ୍କାର ଗଛ ଅଛି । ଯେବେ ଦରକାର ପଡେ, ଗଛରୁ ତୋଳିଆଣୁ ।

 

ମଧୁ–(ଆଶ୍ଚର୍ଯ୍ୟ ହୋଇ) ଏଁ, ଟଙ୍କାର ଗଛ, ସତ କୁହନି ବାବାଜି !

 

ବାବାଜି–ସତ କହୁ ନାହିଁ, କଅଣ ମିଛ କହୁଛି ? ଆମେ ବୈରାଗୀ ଲୋକ, ମିଛ କଥା କେବେ ମୁହଁରେ ଧରୁ ନାହିଁ ବାବା । ମିଛ କହିବା ବଡ଼ ପାପ । ତୁ ପିଲାଲୋକ ତାହା ଜାଣୁ ନାହିଁ ।

 

ମଧୁ–ଟଙ୍କା କଅଣ ଗଛରେ ଫଳେ, ମୁଁ ଏହା ଆଜିଯାଏ ଜାଣି ନଥିଲି ।

 

ବାବାଜି–ହଁ ବାବା, ଗଛରେ ଫଳେ । ତୁ ପିଲାଲୋକ, ତାହା କାହୁଁ ଜାଣିବୁ ? ଅନେକ ପୁରୁଣା ବୁଢ଼ା ବି ତ ତାହା ଜାଣନ୍ତି ନାହିଁ ।

 

ମଧୁ–ଟଙ୍କା ଲଗାଇଲେ ଗଛ ହବନା ?

 

ବାବାଜି–ନା ବାବା, ଏ ମାଟିରେ ଟଙ୍କାଗଛ ହୁଏ ନାହିଁ । ସବୁ ଜାଗାରେ କି ସବୁ ଗଛ ହୁଏ ? ଆମ ଦେଶ ମାଟିରେ ଟଙ୍କା ଲଗାଇଲେ ଗଛ ହୁଏ ।

 

ମଧୁ–ତମ ଦେଶ କେଉଁଠି ?

ବାବାଜି–ଆମ ଦେଶ ପଶ୍ଚିମରେ । ଢେର ବାଟ ବାବା, ଢେର ବାଟ ।

ମଧୁ–ଟଙ୍କାଗଛ କେମିତି, ମୁଁ ଦେଖନ୍ତି ।

ବାବାଜି–ତୁ ପିଲାଲୋକ, ଏତେ ବାଟ ଯାଇ ପାରିବୁ ?

 

ମଧୁ–ହଁ ବାବାଜି, ତମ ସାଙ୍ଗରେ ଗଲେ ଯାଇପାରିବି । ତମ ଗୋଡ଼ତଳେ ପଡ଼ୁଛି, ମୋତେ ସାଙ୍ଗରେ ନେଇଯିବ ନା, ମୋ ରାଣ ପକାଅନି ।

 

ବାବାଜି–ତମ ଘରଲୋକେ କି ତୋତେ ଛାଡ଼ି ଦେବେ ?

 

ମଧୁ–ସେମାନେ ଜାଣିବେ କାହିଁକି ? ମୁଁ ଲୁଚି କରି ତମ ସାଙ୍ଗରେ ଚାଲିଯିବି । ତମ ଗୁରୁ ଦୁହିଟି ବାବାଜି, ତମକୁ ଜଗନ୍ନାଥ ଦୁହି, ମୁକର ମୁକର ସାଙ୍ଗରେ ନେଇଯିବ । ନ ହେଲେ ମୁଁ ପଛରେ ଗୋଡ଼େଇ ଯିବି । ଖବରଦାର ମନା କରିବ ନାହିଁ–ମନା କଲେ ତମରି ଗୋଡ଼ତଳେ ମୁଣ୍ଡ କୋଡ଼ିହୋଇ ମରିଯିବି ।

 

ସମସ୍ତଙ୍କ କଥାରେ ଅତିରିକ୍ତ ବିଶ୍ୱାସ କରିବା ମଧୁର ଗୋଟାଏ ଉତ୍କଟ ରୋଗ । ଟଙ୍କାଗଛ କଥାରେ ତାହାର ଦୃଢ଼ ବିଶ୍ୱାସ ଜାଣି ଏବଂ ତାହାର ଆଶାତୀତ ଆଗ୍ରହ ଓ ଅଟଳ ପ୍ରତିଜ୍ଞା ଦେଖି ବାବାଜି ମନେ ମନେ ଭାବିଲେ, ମନ୍ତ୍ର ଧରିଅଛି, ବଶୀଭୂତ ସର୍ପକୁ ଟିକିଏ ଖେଳାଇ ପେଡ଼ାରେ ପୂରାଇବା ଉଚିତ । ଏହା ଭାବି ସେ ପୁନଶ୍ଚ କହିଲେ–‘ତୁ କିପରି ଯିବୁ, କେହି କି ଜାଣିପାରିବେ ନାହିଁ ?’

 

ମଧୁ–ତମ ଗୋଡ଼ ଛୁଇଁ ନିୟମ କରି କରୁଛି, ମୁଁ କାହାରି ପାଖରେ କହିବି ନାହିଁ । କହିଲେ ମୋର ଛାତି ଫାଟିଯିବ । ରଜ ସଂକ୍ରାନ୍ତି ଦିନ ସୁନାଘାଇ ପର୍ବତରେ ସୀତାକୁଣ୍ଡ ଯାତ୍ରା ହେବ-। ଯାତ୍ରା ଦେଖିବା ବାହାନାରେ ମୁଁ ସେଠାକୁ ଯିବି । ବାବାଜି ମହାପ୍ରଭୁ, ତମେ ଯାତ୍ରା ଦେଖି ଯିବନା-? ଗଲେ ମୁଁ ସେହି ବାଟେ ତମ ସାଙ୍ଗରେ ଚାଲିଯିବି । ମତେ ଏକା ଗୋଟିଏ ଟଙ୍କାଗଛ ଦବ । ମୁଁ ଆସିବାବେଳେ ଘିନି ଆସିବି ।

 

ବାବାଜି–ଗୋଟାଏ କାହିଁକି, ପାଞ୍ଚଟା ଦେବି, ଆଉ ତତେ ଆଣି ଘରପାଖରେ ଛାଡ଼ିଯିବି-

 

ମଧୁ–ତା ହେଲେ ତ ମଜା ହେବ । ଟଙ୍କଗଛ ଦେଖିଲେ ବାପା ଖୁସି ହୋଇ ମତେ ଆଉ କିଛି କହିବେ ନାହିଁ ।

 

ବାବାଜି–ତୋତେ ପାଞ୍ଚଟାଯାକ ଫଳନ୍ତି ଟଙ୍କାଗଛ ଦେବି । ଯେତେବେଳେ ଇଚ୍ଛା, ସେତେବେଳେ ତୁ ଟଙ୍କା ତୋଳି ଆଣି ଖର୍ଚ୍ଚ କରିବୁ । ଢେର ରାତି ହେଲାଣି, ଏବେ ଶୋଇପଡ଼ ।

 

ବାବାଜି ଏହା କହି ନିଦ୍ରାଦେବୀଙ୍କର ସ୍ନିଗ୍‌ଧ ଶୀତଳ ଅଙ୍କାଶ୍ରୟୀ ହେଲେ । ଦଣ୍ଡକ ମଧ୍ୟରେ ତାଙ୍କର ନାସିକା-ଶଙ୍ଖ ଘଡ଼ ଘଡ଼ ଶବ୍ଦରେ ବାଜିଉଠିଲା । ମାତ୍ର ମଧୁ ଶୋଇଲା ନାହିଁ । ଆନନ୍ଦ ଏବଂ ଉତ୍କଣ୍ଠା ନିଦ୍ରାଦେବୀଙ୍କୁ ତାହା ପାଖ ପୂରାଇ ଦେଲେ ନାହିଁ । ଉତ୍କଣ୍ଠା ସଙ୍ଗରେ ନିଦ୍ରାର ସପତ୍ନୀବାଦ । ଅତି ଦୁଃଖ ଏବଂ ଅତି ଆନନ୍ଦରେ ନିଦ୍ରା ହୁଏ ନାହିଁ । ତାହାର ମନ ସେହି ଟଙ୍କାଗଛ ପାଖକୁ ବାରମ୍ବାର ଯାତାୟାତ କଲା । ଭବିଷ୍ୟତ ଅନିଶ୍ଚିତ ସୁଖଚିନ୍ତା ତାହା ହୃଦୟକୁ ଆଲିଙ୍ଗନ କଲା । ଦୂରାକାଙ୍‌କ୍ଷାର ସୁଦୂର ଉଚ୍ଚାଟ ଆହ୍ୱାନମନ୍ତ୍ର ବଳେ ବଳେ ଆସି କର୍ଣ୍ଣକୁହରରେ ପ୍ରବେଶ କଲା । ନୀରବ ବ୍ୟାକୁଳ ବାସନା ତାହାର ପ୍ରାଣ–ବୀଣାରେ ଘନ ଘନ ଆଘାତ କରିବାକୁ ଲାଗିଲା । କଳ୍ପନା-ବିହଗୀ ପକ୍ଷ ବିସ୍ତାର କରି ଆକାଶ ପାତାଳରେ ଉଡ଼ି ବୁଲିଲା । ଅଧୀର ଆଗ୍ରହ ତାହାର ଚିନ୍ତାକୁ ଯୁବତୀର ଆକାର ପ୍ରଦାନ ପୂର୍ବକ ପ୍ରାଣବତୀ କରି ଖେଳାଇବାକୁ ଲାଗିଲା । ଗ୍ରାମ ମଧ୍ୟରେ ସେ ସବୁଠାରୁ ବଡ଼ ଲୋକ ହେବ–ପର୍ବତ ଉପରେ ସପ୍ତତଳ ସୁବର୍ଣ୍ଣ ପ୍ରାସାଦ ନିର୍ମାଣ କରି ଅର୍ଦ୍ଧ ସ୍ୱର୍ଗରେ ବାସ କରିବ–ଶତ୍ରୁମାନଙ୍କୁ ସୁକଠୋର ପ୍ରତିଶୋଧ ଦେବ ଏହିପରି ନାନା କଥା ଭାବୁ ଭାବୁ ଶେଷରାତ୍ରରେ ଶୋଇ ପଡ଼ିଲା । ସୁପ୍ତାବସ୍ଥାରେ ନାନାବିଧ ସୁଖ ସ୍ୱପ୍ନ ଦେଖି ବେଳେ ବେଳେ ହସି ଉଠୁଥାଏ । ସେ ସ୍ୱପ୍ନ ସୁଦ୍ଧା ସେହି ଟଙ୍କା ଗଛର ସ୍ମୃତି ସୌରଭରେ ଆମୋଦିତ । ହାୟ ପ୍ରଗଲ୍‌ଭତା ତୋର ଅସାଧ୍ୟ କଣ ? ଅଜ୍ଞାନ ବାଳକଟିକୁ ଏରୂପ ବିଫଳ ହଟ ହଟାରେ ପକାଇ ତୁ କି ଆନନ୍ଦ ଉପଭୋଗ କରିବୁ, ତାହା ତୋତେହିଁ ଗୋଚର ।

•••

 

ଅଷ୍ଟମ ପରିଚ୍ଛେଦ

 

ଗୋପୀନାଥ ମନ୍ଦିର ସଂଲଗ୍ନ ବଙ୍ଗଳାରେ ପ୍ରତ୍ୟହ ପୁରାଣ ପାଠ ହୁଏ, ଏହା ପାଠକମାନେ ପୂର୍ବରୁ ଜାଣି ଅଛନ୍ତି । ଆଜି ସନ୍ଧ୍ୟା ସମୟରେ ଶ୍ରୋତା ଏବଂ ଶ୍ରୋତ୍ରୀବର୍ଗ ସେଠାରେ ରୁଣ୍ଡ ହୋଇଅଛନ୍ତି । ପୁରାଣ ପାଠକ ବ୍ରାହ୍ମଣ ଆସି ନାହିଁ; ସୁତରାଂ ବସିବାଠାରୁ ଘଷିବା ଭଲ ଏହି ନ୍ୟାୟରେ ସମସ୍ତେ ଗଳ୍ପାମୋଦରେ ମଗ୍ନ । ସ୍ତ୍ରୀ ପୁରୁଷମାନଙ୍କ ବସିବା ସକାଶ ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଦିଷ୍ଟ ଅଛି । ପୁରୁଷମାନେ ଭବିଷ୍ୟତ କୃଷି ସମ୍ବନ୍ଧରେ ନାନାବିଧ ଆଲୋଚନା କରୁଅଛନ୍ତି । ସେ ନୀରସ ଆଲୋଚନା ଛାଡ଼ି ରସଜ୍ଞ ପାଠକ ନାରୀସମାଜ ଆଡ଼କୁ ଦୃଷ୍ଟି ନିକ୍ଷେପ କରନ୍ତୁ । ସେଠାରେ ବୃଦ୍ଧା ପ୍ରୌଢା ଯୁବତୀ ସକଳ ଶ୍ରେଣୀୟ ନାରୀ ଉପସ୍ଥିତ ଅଛନ୍ତି । ପୁରାଣ ପାଠ ସ୍ଥାନରେ ଉପସ୍ଥାନରେ କାହାରି କାହାରି ସନ୍ଦେହ ହୋଇପାରେ; ମାତ୍ର ଧର୍ମାର୍ଜ୍ଜନରେ ସମସ୍ତଙ୍କର ସମାନ ଅଧିକାର । ମାନବ ଜୀବନ ଜଳସ୍ପୋଟକ ତୁଲ୍ୟ କ୍ଷଣସ୍ଥାୟୀ, ମୃତ୍ୟୁ ବଡ଼ ଅବିଶ୍ୱାସୀ । ତାହା କେତେବେଳେ ଅଲକ୍ଷ୍ୟରେ ଆସି ଉପସ୍ଥିତ ହେବ, କିଏ କହିପାରେ ? ହୁଏତ ଏହି ମୁହୂର୍ତ୍ତରେ ସୁଦ୍ଧା ଉପସ୍ଥିତ ହୋଇପାରେ । ପିଲାଟିର ଜନ୍ମପରେ ସେ ବଢ଼ୁଛି ବୋଲି ସମସ୍ତଙ୍କର ଧାରଣା; ମାତ୍ର ଏ ମାନବୀ ଧାରଣାରେ ମୃତ୍ୟୁ ଗୋପନରେ ହସୁଥାଏ । ପିଲାଟି ଯେଉଁଦିନ ଜନ୍ମ ହେଲା, ସେହି ଦିନଟି ତାହା ପରମାୟୁରୁ କଟିଗଲା । ମୃତ୍ୟୁର ଅଚ୍ଛିନ୍ନ ଫାଶ ଗଳାରେ ଲଗାଇ ଜୀବ ମାତୃଗର୍ଭରୁ ଭୂମିଷ୍ଠ ହୁଏ । ମୃତ୍ୟୁ ସେହି ସେହି ଫାଶ ସତତ ନିଜ ଆଡ଼କୁ ଟାଣୁଥାଏ । ଏହିପରି ଟାଣୁ ଟାଣୁ ଜୀବକୁ ହାତ ପାଖରେ ପାଇଲା ମାତ୍ରେ ତାହାର ତଣ୍ଟି ଚିପିଦିଏ । ଆଉ ବିସ୍ତୃତ ଭୂମିକାର ଆବଶ୍ୟକତା ନାହିଁ । ଫଳିତାର୍ଥ ଏହି ଯେ, ଧର୍ମାର୍ଜ୍ଜନ ବୃଦ୍ଧାବସ୍ଥାକୁ ନ ରଖି ବାଲ୍ୟକାଳରୁ ଆରମ୍ଭ କରିବା ଉଚିତ । ସ୍ତ୍ରୀମାନଙ୍କ ମଧ୍ୟରେ ନାନା କଥାର ଆଲୋଚନା ଲାଗି ଅଛି । କେହି କହୁଛି–ସାଆନ୍ତଘର ନୂଆ ବୋହୂଟି ଖୁବ୍‌ ସିଆଣୀ । ସବୁବେଳେ ଲୋଟଣୀ ପାରା ପରି କାମପାଇଟିରେ ଲାଗିଥାଏ । ଶାଶୁ ମଲାପରେ କେଡ଼େବଡ ଘରଟାକୁ ଏକାକେ ସମ୍ଭାଳି ନେଲା । ଶାଶୁ ପରି ସେ ବି ପଶୁପକ୍ଷୀର ପେଟକଥା ବୁଝିପାରେ । ପୁଣି ଶଶୁର ପ୍ରତି କି ଭକ୍ତି । ଶଶୁର କହନ୍ତି–ମୋ ଘରୁ ଲକ୍ଷ୍ମୀ ଯାଇଥିଲା, ଏବେ ଦ୍ୱିତୀୟ ଲକ୍ଷ୍ମୀ ଆସି ପହଞ୍ଚିଲା । ଶଶୁର ତ ବୋହୂଙ୍କୁ ମା ଛଡ଼ା ଆଉ କିଛି ଡାକନ୍ତି ନାହିଁ । କେହି କହିଲା–ବିଶାଳ ଘର ମଝିଆଁ ବୋହୂଟା ବଡ଼ ଅଲାଜୁକୀ । ମାସେ ହୋଇ ନାହିଁ ଭାର ଘେନି ଆସିଲା; ମାତ୍ର ଏଥି ମଧ୍ୟରେ କଥା କହିଲାଣି, ସମସ୍ତଙ୍କ ଘରକୁ ଯିବା ଆସିବା କଲାଣି । ଓଲେଇ ବୋଲି ତ ସରିଛି–ଶିକାରେ ଥୋ ତ ପାଟିରେ ଥୋ । ଶାଶୁଟା ତ ହନ୍ତସନ୍ତ ହୋଇ ମଲାଣି । ଛି, ମାଇକିଣିଆ ଜନ୍ମ ପାଇ ଯାହାର ଲାଜସରମ ନାହିଁ, ପୋଡ଼ି ଯାଉ ତା ଜୀବନ । ମୁଖୀ କହିଲା, ‘ଦେଖୁନାହିଁ ନା ବଣିଆଘର ଝିଅଟାକୁ । ମିଣିପଙ୍କ ପରି ଦୁମ୍‌ଦୁମ୍‌ ହୋଇ ଚାଲିବ, ମିଣିପଙ୍କ ଗୋଠରେ ଯାଇ ବସିବ । ସେହିପରି ଗୋଟେ ଗୋଟେ ଅଣ୍ଡିରାଚଣ୍ଡୀ ଥାଆନ୍ତି ।’ ଧାଙ୍ଗିଡ଼ିମା କହିଲା, ‘ବହୂ ତ ବହୂ ଏକା ମୋରି ବହୂ । ତିନିଟାର ମା ହେଲାଣି, ତା ମୁହଁ କେହି ଦଖିଚି ନା ? ସବୁବେଳେ ଓଢଣା ଅଢ଼େଇ ହାତ । ଗୁହ୍ମୁରୀ ଘର ଛଡ଼ା ଦାଣ୍ଡ ପିଣ୍ଡା କିମିତି, ଦେଖିନାହିଁ । ବେଳେବେଳେ ମୋ ଉପରେ ଚଳି ହୋଇ ଭଟ ଭଟ ହୁଏ, ସେହି ଗୁହ୍ମୁରୀ ଭିତରୁ, ଆଉ ସାମନାକୁ ଆସିବ ନା ! ରନ୍ଧାବଢ଼ାରେ ତ ଦ୍ରୌପଦୀ, ଅନାବନା ବଣଶାଗ କେରେ ଶିଝାଇ ଦେଉ ପଛେ, ସେଇଆକୁ ଖାଇ ସମସ୍ତଙ୍କର ସନ୍ତୋଷ । ମା ମୋର ‘‘ଅଇ ସୁଲକ୍ଷଣୀ’’ ହୋଇ ପାକଲା ବାଳରେ ସୁନ୍ଦର ନାଉ, ମୋର ସବୁବେଳେ ଏହି କଲ୍ୟାଣ । ଏକା ଟିକିଏ ଅଲାଗି ସିନା, ତା ପଛେ ହେଉ । ଶଶୁରର ତ ଜୀବନ, ସେ ବାଉଳି ଲକ୍ଷ୍ମୀ ବୋଲି କହନ୍ତି ।’ ଶୁକୁରୀ କହିଲା, ‘‘ହଁ ଲୋ ବଡ଼ ମା, ତୋ ବହୂ ପୁଣି ଆଉ ଗୋଟେ, କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ; ହୀରାକଣି, କାହିଁ ବାଆଁଶ କଣି । ସିମିତି ଗୋଟେ ବହୂ ଦେଶ ଦଣ୍ଡପାଟରେ ଅଛି ନା । ଆମ ଭାଉଜ ଠାକୁରାଣୀକୁ ସେ ଦିନ ମା କହିଲା–‘ରାଉଳ ଝିଅ, ଆଜି ମୁଠେ ଫୁଟେଇ ଦେ, ମୁଁ ପାରିବି ନାହିଁ, ଦେହଟା ମୋର ଭଲ ନାହିଁ ।’ ଏତିକ କହି ଆଉ ଯାଏ କୁଆଡ଼େ ? ଗର୍ଜି ଉଠି ତିନିପୁର କମ୍ପାଇ ଦେଲା, ଆଉ ଶାଶୂଟାକୁ ଯା କହିଲା, ତାହା ତ ମୁହଁରେ ଧରିହେବ ନାହିଁ । ଜୁହାର ଲୋ ମା ରାଣୀ ତା ପାଟିକି । ‘ଛି ଲୋ ଛତୁ, ମେଘ ବରଷିଲେ କେତେ ଖାଆନ୍ତୁ ।’ ଶୁଣିଲେ ମୋ ଚୁଟି ପିଠି ଉଡ଼ି ଯିବ ଲୋ ମା । ସକଳଖାଈ ଢାଉକୀଟା ଆମ ଘରଟାକୁ ଚୂନା କରିଦେଲା ।’’ ଏହିପରି ସମାଲୋଚନା ହେଉଁ ହେଉଁ ଶୁକୁଟୀ ଭଣ୍ଡାରୂଣୀ ଆସି ପହଞ୍ଚିଲା । ମୁଖୀ କହିଲା, ‘‘କିଲୋ ଶୁକୁଟୀ ଅପା, ତୋର ଆଜି ଏତେ ଉଛୁର କାହିଁକି ?’’ ଶୁକୁଟୀ ମୁହଁ ଶୁଖାଇ କହିଲା, ‘‘କଅଣ କହିବି ଲୋ ଭଉଣୀ, ଘରକୁ ତ ଏକା; ଯାହା ନ କଲେ ତାହା ନ ଚଳେ । ଧାନ ପୁଡ଼ିଏ ଢିଙ୍କିରେ ପଣିଥିଲି ଯେ, ଶୁଖେଇ ଦେବାକୁ କେହି ନାହିଁ । ତା ବାପ ପୋଡ଼ାମୁହାଁକୁ ନେହୁରା ହୋଇ କହିଲି ଯେ, ସେ କହିଲା, ‘ମୁଁ ସିଦ୍ଧ ବାବାଜି କତିକି ଯାଉଚି, ମୋର ପେଟ ମରା କଥା ପଚାରିବି ।’ ପୋଡ଼ିଯାଉ ତା ପେଟ, ମଲା ରେ ତୋ କଥାରେ ସିଦ୍ଧ ବାବାଜି କୁଆଡ଼େ ଯାଉଛନ୍ତି, ନା ତୁ କୁଆଡ଼େ ଯାଉଛୁ । କାଲି ଗଲେ କଣ ହୁଅନ୍ତା ନାହିଁ । ଆଉ ରାତିକି ଆସି ଗିଳିବୁ କଅଣ ?’’

 

ମୁଖୀ–କିଲୋ ବୁଢ଼ାକୁ ଏତେ ଗାଳି ଦେଉଚୁ ନା ?

ଶୁକୁଟୀ–ବୁଢ଼ା ଉପରେ ତ ତୋର ଭାରି ମୁଆଁସ ଲୋ ମୁଖୀ, ବୁଢ଼ାକୁ ନବୁ କି, ନେ ଭଲା ଦିମାସ ଉଧାର ?

 

ମୁଖୀ–ଦୂର୍‌ହୋ ରାଣ୍ଡ । ‘‘ଯେ ତ ସେ, ଆଉ ପୋଡ଼ମୁହାଁ ନିଶୁଆ କିଏ ।’’ ମରଣ ନାହିଁ ତୋତେ ?

 

ଶୁକୁଟୀ–କିଲୋ, ମୁଁ ତ ଗାଳି ଦେଉଥିଲି, ତୁ କଣ କଲ୍ୟାଣ କରୁଛୁ ? ମୁଁ ମଲେ ବୁଢ଼ା ମୁହଁରେ ନିଆଁ ଦେବ କିଏ ଲୋ ?

 

ମୁଖୀ–ତୁ ଆଗେ ମରିବୁ କି ସେ ଆଗେ ମରିବ, କିଏ ଜାଣେ ?

ଶୁକୁଟୀ–ମୋ ଆଗରୁ ସେ ମରିଗଲେ ତରିଯିବ ଲୋ, ମୁଁ ତାକୁ ନ ଖାଇଲେ କି ମୋ ପେଟ ପୂରିବ ? ନା ଲୋ ମୁଖୀ, ରାଗିଲୁ କି, ମୁଁ ଗେଲ ହଉଚି ଲୋ । ଆଉ ତୋ ବୁଢ଼ାଟି ବଞ୍ଚିଥାଉ-। ‘ସଞ୍ଜେ ଫୁଟି ସକାଳେ ଯାଉ ଜହ୍ନିଫୁଲର ଆୟୁଷ ପାଉ ।’ ତାର କୋଟି ପରମାୟୁ ହେଉ, ସେ ପିଣ୍ଡାରେ ବସି ଖୁଁ ଖୁଁ ହୋଇ କାଶୁଥାଉ, କାନ୍ଦନା ଭଉଣୀ, କାନ୍ଦନା ।

 

ଶୁକୁଟୀ ଭଣ୍ଡାରୂଣୀ ଭାରି ନକଲିଆଣୀ–ସେ କାନ୍ଦିବା ଲୋକକୁ ହସାଇଦେବ । ତା କଥା ଶୁଣି ସମସ୍ତେ ହସିଉଠିଲେ । ତହୁଁ ସେ ପୁନଶ୍ଚ ମୁଖୀକୁ କହିଲା–‘ଆଉ ତୁହି ନିଷାପ କରନି ଭଉଣୀ, ସିଦ୍ଧ ବାବାଜି କଣ ପଳେଇଛନ୍ତି ? ଧାନ ଦିଟା ଶୁଖେଇ ଦେଇ ଯାଇଥିଲେ କଣ ହୁଅନ୍ତା ନାହିଁ ? ଏଥିରେ ପୁଣି ମୁଁ ଗାଳି ଦେଲି ବୋଲି ମୋତେ ଦୋଷ ଦେଉଛୁ ପରା ?’

 

ମୁଖୀ କିଛି ନ କହୁଣୁ ରୁକୁଣୀ ଅପା କହିଲା–‘ନା ଲୋ ବାରିକ ଝିଅ, ବାବାଜି ଆଉ ଏ ଗାଆଁରେ ବେଶି ଦିନ ରହିବେ ନାହିଁ । ମାସେ ଏ ଗାଁରେ ରହିବେ ବୋଲି ବାବା ବୈଦ୍ୟନାଥ ଠାକୁରଙ୍କର ହୁକୁମ ହୋଇଥିଲା । ମାସେ ତ ଆସି ହୋଇଗଲା, ସେ ସଂକ୍ରାନ୍ତି ଦିନ ଏ ଗାଁକୁ ଆସିଥିଲେ । ଏ ସଂକ୍ରାନ୍ତି ଆଉ ଦି ଦିନ ଅଛି । ଏହି କାଲି କି ପଅର ଦିନ ଚାଲିଯିବେ ।’ ରୁକୁଣୀ ଅପା ବୃଦ୍ଧା, ବୟସର ପରିମାଣ ନାହିଁ । ସେ ଗାଁଯାକର ଅପା, ସମସ୍ତେ ତାକୁ ଅପା ବୋଲି ଡାକନ୍ତି-। ସେ କାହାର ତିନି ପୁରୁଷର ଅପା, କାହାର ବା ଦୁଇ ପୁରୁଷର ଅପା । ଅପା ପଦଟା ତାହାର ଇସ୍ତମରାରି ରେଜେଷ୍ଟରୀ ପଟା । ସେ ପଦରୁ ତାକୁ ଖାରଜ କରିବାର ଅଧିକାର କାହାରି ନାହିଁ । କେଉଁ କାଳରୁ କିଏ ତାକୁ ଏ ପଦର ଶାଢୀ ଦେଇଅଛି, ତାହା କେହି ଜାଣନ୍ତି ନାହିଁ ।

 

ମୁଖୀ କହିଲା–‘‘ରୁକୁଣୀ ଅପା, ବାବାଜି ଆଉ କେଉଁ ଗାଁକୁ ଯିବେ ?’’

ରୁକୁଣୀ ଅପା–ବାବା ବୈଦ୍ୟନାଥଙ୍କର ଯେଉଁ ଗାଁକୁ ଯିବାର ହୁକୁମ ହେବ, ସେହି ଗାଁକୁ ଯିବେ । ସେ କେତେବେଳେ ଯିବେ, ତାହା କେହି ଜାଣିପାରିବେ ନାହିଁ । ରାତିଅଧରେ ବାବାଙ୍କର ହୁକୁମ ହେଲେ, ସେ ସେହିକ୍ଷଣି ଉଠି ଚାଲିଯିବେ ।

 

ମୁଖୀ–ତାଙ୍କପରି ସିଦ୍ଧ କେବେ ଏ ଗାଁକୁ ଆସି ନ ଥିଲେ । କେତେ ଅନ୍ଧ ଆଉ କାଲକୁ ବି ସେ ଭଲ କରିଦେଇ ଗଲେ ।

 

ଶୁକୁଟୀ–ଖାଲି ଅନ୍ଧ, କାଲ କାହିଁକି ଲୋ କେତେ ବାଞ୍ଝ ବି ତ ପୁଅଛୁଆର ମା ହେଲେ । ତା ବାପ ସେ ଦିନ କହୁଥିଲା, ଆର ବର୍ଷ ସେ କେଉଁ ଗାଁରେ ଥିଲେ, ସେ ଗାଁର ପୁଞ୍ଜେ କି ଛଟା ବାଞ୍ଝ ଏ ବର୍ଷ ପୁଅଝିଅ କୋଡ଼ରେ ଧରି ବସିଛନ୍ତି ।

 

ଲଳିତା–ସେ ଦିନ ଆଉ ଜଣେ ଅନ୍ଧ ଆସିଲା–ତାକୁ ତ କାହିଁ ଭଲ କରିପାରିଲେ ନାହିଁ । ତାକୁ କହିଲେ, ଆର ଜନ୍ମରେ ତୁ ମାଆକୁ ଗୋଇଠା ମାରିଥିଲୁ, ତାହାରି ଶାପରେ ତୁ ଏ ଜନ୍ମରେ ଅନ୍ଧ ହେଲୁ । ତୋର ମାତୃଶାପ ମୋଚନ ନ ହେଲେ ତୁ ଭଲ ହେବୁନାହିଁ । ସେ ବିଚାରା କାନମୁଣ୍ଡ ଆଉଁଷି କାନ୍ଦି କାନ୍ଦି ଚାଲିଗଲା ।

 

ରୁକୁଣୀ ଅପା–ସେଥିକି ଆଉ ସିଦ୍ଧ ବାବାଜି କଣ କରିବେ ? କପାଳରେ ନ ଥିଲେ ସେ ଆଉ କଣ କରିବେ ମା ? କଥାରେ କହନ୍ତି–‘ଦିଅଁ ଦେବତା, ବାଡ଼କୁ ବତା ।’

 

ଲଳିତା ତେବେ ଆଉ ସିଦ୍ଧ କଅଣ ? ଜଣକୁ ଭଲ କରିବେ, ଆଉ ଜଣକୁ ନିରାଶ କରିବେ, ଏ କଥା ତ ମୁଁ କେଉଁଠି ଶୁଣି ନଥିଲି ।

 

ମୁଖୀ–ଏଟା ବଡ଼ ନିନ୍ଦୂକୀ, ପାପମୁକ୍ତ ନ ହେଲେ, ସିଦ୍ଧ କଅଣ କରିବେ ?

ଲଳିତା–ତୁଟା ଏକା ବଡ଼ ଭଲ । ସମସ୍ତେ କହୁଥିବେ, ମୁଁ କଥା କହିଲେ ସମସ୍ତଙ୍କ ମୁହଁରେ ନିଆଁ ଲାଗିଯାଏ । ଲଳିତା ଏହା କହି ରାଗରେ ଗରଗର ହୋଇ ଉଠିଗଲା ।

 

ଏହି ସମୟରେ ପୁରାଣପଣ୍ଡା ଆସି ଉପସ୍ଥିତ ହେବାରୁ ସମସ୍ତେ ନୀରବ ହୋଇଗଲେ । ଉଦ୍‌ବେଳ କଥାସମୁଦ୍ରରେ ଭଟା ପଡ଼ିଗଲା । ସ୍ତ୍ରୀ ପୁରୁଷ ଉଭୟେ ସଭାରୁ ବ୍ରାହ୍ମଣ ଗୋସାଇଁଙ୍କ ଉପରେ ଦଣ୍ଡବତ ବୃଷ୍ଟି ହୋଇଗଲା । ବ୍ରାହ୍ମଣ ଅଞ୍ଜଳି ବିସ୍ତାରପୂର୍ବକ ଦୁଇଆଡ଼କୁ ଅପାଙ୍ଗଦୃଷ୍ଟି ନିକ୍ଷେପ କରି ଗୋଟିଏ ମାତ୍ର ଆଶୀର୍ବାଦଦ୍ୱାରା ସମସ୍ତ ଦଣ୍ଡବତ ଋଣ ପରିଶୋଧ କରିଦେଲେ । ଆଶୀର୍ବାଦର କୃପଣତା ଦେଖି ଉଭୟ ସମାଜ ସେହି ଗୋଟିକୁ ଅର୍ଦ୍ଧ ଅର୍ଦ୍ଧ ଭାଗରେ ବିଭକ୍ତ କରିନେଲେ । ପୂର୍ବରୁ ସେଠାରେ ଲୋଟାଏ ପାଣି ରଖାଯାଇଥିଲା । ବ୍ରାହ୍ମଣ ସେଥିରେ ଗୋଡ଼ ଧୋଇପକାଇ ପୋଥିଘର ମଧ୍ୟରୁ ବ୍ୟାସାସନରେ ରକ୍ଷିତ ଖଣ୍ଡିଏ ପୋଥି ଆଣି ନଡ଼ିଆ ଚଟେଇ ଆସନରେ ବସିପଡ଼ିଲେ । କେହି କିଛି ପ୍ରଶ୍ନ ନ କରୁଣୁ ସେ ସ୍ୱତଃ ପ୍ରବୃତ୍ତ ହୋଇ କହିଲେ - ‘ଆଜି ଗୋଟାଏ ଅର୍ଜ୍ଜନ ପଡ଼ିଥିଲା । ସେଠାରୁ ଆସୁଁ ଆସୁଁ ଟିକିଏ ବିଳମ୍ବ ହୋଇଗଲା । ଦୁଇକୋଶ ବାଟ ଧାଇଁ ଧାଇଁ ଯାଇଥିଲି; ମାତ୍ର ଅଳ୍ପାୟୁଷ ଭସ୍ମା ଗୋଟାଏ ପଇସା ବିଦାକି ଦେଲା । କାନିରେ ବାନ୍ଧିବାକୁ ମୁଢ଼ିଗୁଣ୍ଡି ମୁଠାଏ ସୁଦ୍ଧା ମିଳିଲା ନାହିଁ । ଆଉ ଜଳପାନରେ ବି ତୃପ୍ତି ହୋଇପାରିଲା ନାହିଁ-। ଉଖୁଡ଼ାଗୁଡ଼ାକ ଏପରି ପିତା ଯେ, ମୁହଁରେ ଦେଇହେଲା ନାହିଁ । ଦହି ମନ୍ଦାକ ତ ନିରୋଳ ଜଳ । ମୁଣ୍ଡି ଚଷାଟା କି ବ୍ରାହ୍ମଣ-ମର୍ଯ୍ୟାଦା ବୁଝିବ ? ତା ବୋପା ଜନ୍ମକେ କେବେ କାମ କରି ଶିଖିଥିଲା !’’ ଏହିପରି କର୍ମକର୍ତ୍ତାର ଚତୁର୍ଦ୍ଦଶ ପୁରୁଷର ଶ୍ରାଦ୍ଧ ବାଢ଼ି ସାରି ଅଣ୍ଟିରୁ ନାସଦାନି ବାହାର କଲେ । ବିକଟାଳ ମୁଖଭଙ୍ଗୀ କରି ନାସ ସୁଙ୍ଗିଦେଇ ବୁଦ୍ଧିଟା ପଜେଇ ନେଇ ପୋଥିରୁ ଡୋର ଫିଟାଇଲେ । ଏହି ସମୟରେ ହରିବୋଲ, ଶଙ୍ଖ ଏବଂ ହୁଳାହୁଳୀ ଶବ୍ଦରେ ଦିଗନ୍ତ ଊଛୁଳି ପଡ଼ିଲା । ଆଜି ରାମାୟଣ ଲଙ୍କାକାଣ୍ଡରେ ଇନ୍ଦ୍ରଜିତ ବଧ ହେବ । ‘‘ରାମଂ ଲକ୍ଷ୍ମଣପୂର୍ବଜଂ’’ ଶ୍ଳୋକ ଆବୃତ୍ତି କରି ବ୍ରାହ୍ମଣ ପୁରାଣପାଠରେ ନିଯୁକ୍ତ ହେଲେ । ବୀର ରସର କଥା ପଡ଼ିଲାବେଳେ ତାଙ୍କର ତର୍ଜନ ଗର୍ଜନର ସୀମା ନ ଥାଏ । କେବେ ଆଖି ତରାଟି, କେବେ ମୁଣ୍ଡ ହଲାଇ, କେବେ ଦାନ୍ତ ନିକୁଟି, କେବେ ବା ତଳେ ମୁଷ୍ଟ୍ୟାଘାତ କରି ନାନା ଅଭିନୟ କରିବାକୁ ଲାଗିଲେ । ବିଶେଷତଃ ହନୁମାନର ଯୁଦ୍ଧ ପଡ଼ିଲାବେଳେ ସେ ନିଜକୁ ଦ୍ୱିତୀୟ ହନୁମାନ ଜ୍ଞାନ କରୁଥାଆନ୍ତି । ହନୁମାନ ସଙ୍ଗରେ ତାଙ୍କର ଆକୃତିଗତ ସୌସାଦୃଶ୍ୟ ମଧ୍ୟ ଅନେକ ପରିମାଣରେ ଥିଲା । କେବଳ ଗୋଟିଏ ଲାଙ୍ଗୁଳର ଅଭାବ-। ବିଧାତା ସେତିକି ପୂର୍ଣ୍ଣ କରିଥିଲେ ସେ ହନୁମାନର ଉପଯୁକ୍ତ ବଂଶଧର ହୋଇଥାଆନ୍ତେ ।

 

ଏଣେ ସ୍ତ୍ରୀମହଲର ଖୋଷଗଳ୍ପ କ୍ରମଶଃ ଗଣ୍ଡଗୋଳରେ ପରିଣତ ହେଲା । ଭଜୁ ପଢ଼ିଆରୀ ବିରକ୍ତ ହୋଇ କହିଲା–‘‘ମାଇପେଗୁଡ଼ାକ ପୋଥି ଶୁଣିବାକୁ ଆସନ୍ତି ନା ଗପ କରିବାକୁ ଆସନ୍ତି ? ଏଗୁଡ଼ାକର ସ୍ୱଭାବ ଏହିପରି ।’’ ତହୁଁ ଶୁକୁଟୀ ଭଣ୍ଡାରୁଣୀ କହିଲା, ‘‘ମାଇପେ ଏକା ବଜର ବଜର ହୁଅନ୍ତି ଖାଲି, ମିଣିପେଗୁଡ଼ାକ ଭଲ, ସେ ତାଙ୍କ ପାଟି ସିଇଁଦେଇ ଥାଆନ୍ତି ।’’

 

ଭଜୁ–ତମେ ବି ଶୁଣିବ ନାହିଁ, କି ଆଉ କାହାକୁ ଶୁଣେଇ ଦେବ ନାହିଁ । କହିଲେ ଏତେ ଚଳୁଛ କାହିଁକି ?

 

ଶୁକୁଟୀ–କି, ଆମେ କଅଣ ଶୁଣୁନାହୁଁ, ତମେ ଏକା ଶୁଣୁଚ ?

ଭଜୁ–ଆଛା, କି କଥା ପଡ଼ିଛି କହିଲୁ ଭଲା ?

ଶୁକୁଟୀ–କହିବି ? ବିଭୀଷଣ ଲକ୍ଷ୍ମଣଙ୍କୁ ନେଇ ଇନ୍ଦ୍ରଜିତର ଯାଗ ଭାଙ୍ଗିବାକୁ ଯାଉଛନ୍ତି ।

ଭଜୁ–ଆରେ, ଛୁଆରିଆଣୀ ଭଣ୍ଡାରୁଣୀ କହିଲା ତ ରେ ।

 

ଶୁକୁଟୀ–ଗପ କଲୁ ବୋଲି ଆମେ କି ଆଉ ଶୁଣୁ ନାହୁଁ । ଆମେ ମାଇପି ଲୋକେ ତୁଣ୍ଡ ବନ୍ଦ କରି ରହିପାରୁ ନାହିଁ । କଥା କହୁ କଥା ବି ଶୁଣୁ, ଗୀତ ବି ଶୁଣୁ । ଆମେ କଥା ଭିତରେ ସବୁ କରିପାରୁଁ । ବିଧାତା ଆମ ମାଇପି ଜାତିକି ସେ କଳା ଦେଇଚି ।

 

ଭଜୁ–ସେ କଳା ଦେଇଚି ? ଆଛା କହନି, ଏହାପରେ ଆଉ କି ଚରିତ ପଡ଼ିବ, ତେବେ ଜାଣିମା ତମେ କଳାବତୀ ।

 

ଶୁକୁଟୀ–ଏହାପରେ ଲକ୍ଷ୍ମଣଙ୍କୁ ରାବଣ ଆସି ଶକ୍ତିଶେଳ ବିନ୍ଧିବ । ମୁଁ ଜାଣେନାହିଁ, ଏ ସବୁ ବେଶି ଜାଣନ୍ତି । ଶୁକୁଟୀ ଭଣ୍ଡାରୁଣୀକି କେଉଁ ଶାହାସ୍ତ୍ର ଅଛପା, ଡାକନି କାହାକୁ, କିଏ ଏତେ ଜାଣିବାର ପରଖ ନବା ।

 

ପୁରାଣପଣ୍ଡା - ରେ ଭଜୁଆ, ତୁ ତାକୁ କଥାରେ ପାରିବୁ ନା । ପାଠ କହିଛି ପରା - ‘‘ନାରାଣାଂ ନାପିତୋ ଧୂର୍ତ୍ତଃ।’’

 

ଭଜୁ–ହଉ ଗୋସାଇଁ ମହାପ୍ରଭୁ, ମୋର ପଛେ ହାର ହେଲା, ତମେ ପୋଥି ପଢ଼ ।

ପୁରାଣପଣ୍ଡା–ନା, ଆଜି ଏହିଠୁ ଥାଉ । ସପ୍ତର୍ଷି କେତେ ଉପରକୁ ଉଠିଗଲେଣି, ଆଜି ରାତି ଢେର ହେଲାଣି ।

 

ବ୍ରାହ୍ମଣ ଏହା କହି ‘‘ଭୀମସ୍ୟାପି ରଣେ ଭଙ୍ଗଃ’’ ଉଚ୍ଚାରଣ ପୂର୍ବକ ପୋଥିରେ ଡୋର ବାନ୍ଧିଲେ । ତହୁ ପୁନଶ୍ଚ ହରିବୋଲ, ହୁଳହୁଳୀ ଏବଂ ଶଙ୍ଖଶବ୍ଦ ପୃଥୂଳରେ ଉଠି ନୈଶ ନୀରବତାକୁ ମୁଖରିତ କଲା । ସଭା ଭଙ୍ଗ ହେଲା । ସମସ୍ତେ ଗୃହାଭିମୁଖରେ ପ୍ରସ୍ଥାନ କଲେ । କେବଳ ରାମ, ହରି ଗୋପାଳ ପ୍ରଭୃତି କେତେଜଣ ବସି ରହି ନାନା ପ୍ରକାର ଗଳ୍ପ କରିବାକୁ ଲାଗିଲେ ।

 

ରାମ–ଆମ ଗାଁରେ କେତେ ଗହଳଚହଳ ଲାଗିଥିଲା । ସିଦ୍ଧ ବାବାଜି ଚାଲିଗଲେ ସବୁ ଶୂନଶାନ ପଡ଼ିଯିବ, ଗାଁଟା ଖାଁ ଖାଁ ଗୋଡ଼େଇବ ।

 

ହରି–ବାବାଜିଙ୍କ ଯିବାଦିନ ଗୋଟେ ମଉଛବ କଲେ ଭଲ ହୁଅନ୍ତା, ଦଶ ଜଣ ମୁହଁ ଧୂଅନ୍ତେ ।

 

ଗୋପାଳ–ନା, ତାହା ହୋଇପାରିବ ନାହିଁ । କାଲି ସାଆନ୍ତେ ପଚାରିଥିଲେ; ମାତ୍ର ବାବାଜି ମନା କଲେ । କହିଲେ, ମୁଁ କେବେ ଯିବି, କହିପାରୁ ନାହିଁ । ବାବାଙ୍କର ହୁକୁମ ଏହିକ୍ଷଣି ହେଲେ ଆଉ ଦଣ୍ଡେ ରହିପାରିବି ନାହିଁ ।

 

ରାମ–କେତେ ଲୋକଙ୍କୁ ସେ ଭଲ କଲେ । ଯାହାର ଟିକିଏ ପେଟ ଟାଣିଲା, ସେ ତାଙ୍କ ପାଖକୁ ଧାଇଁ ଯାଇଁ ବିଭୂତି ଟିକିଏ ଖାଇ ଆସିଲା, ସାଙ୍ଗେ ସାଙ୍ଗେ ପେଟଟଣା ଠୁକ୍‌କରି ବନ୍ଦ ହୋଇଗଲା ।

 

ହରି–ମୋର ତେଡ଼େବଡ଼ ମୁଣ୍ଡବିନ୍ଧା ଭଲ କରିଦେଲେ । ସେ ଯେଉଁ ବିଭୂତି ଦେଲେ, ତାହା ଟିକିଏ ପାଉଁଶିଆ ବାସେ; ମାତ୍ର ମିଠା ଲାଗେ । ସବୁ ତାଙ୍କ ମହିମା, ନ ହେଲେ କି ପାଉଁଶ ମିଠା ଲାଗନ୍ତା ?

 

ଗୋପାଳ–ଭାଇ, ମୋ ପେଟବିନ୍ଧା ରୋଗ ଆଉ ନାହିଁ, ସତେ ସେ ଜଣେ ମହାପୁରୁଷ । ଆମ ଭାଗ୍ୟରେ ଥିଲେ ଯିବାବେଳେ ତାଙ୍କ ଚରଣ ଦର୍ଶନ ଘଟିବ, ନ ହେଲେ ନାହିଁ ।

 

ରାମ–ମହାପୁରୁଷ ନୁହନ୍ତି କଅଣ ? ଯେ ଭଲ ନ ହେବ, ତାକୁ ତ ସଫା କହିଦେଲେ ଯେ, ତୁ ପୂର୍ବ ଜନ୍ମରେ ଅମୂକ ପାପ କରିଛୁ, ଏ ଜନ୍ମରେ ତାହା ଖଣ୍ଡନ ହେବନାହିଁ ।

 

ହରି–ତାଙ୍କ ଯାଗକୁଣ୍ଡରୁ ବିଭୂତି ଆଣି ରଖିବା । ଘର କରିଥାଇ, କେତେବେଳେ କାହାକୁ କଅଣ ହେବ କିଛି କିଛି ରଖିବା ଭଲ ।

 

ଗୋପାଳ ଦୂର୍‌, ସେ ହାତରେ ଛୁଇଁ ନ ଦେଲେ ତାହା କାଟିବ କି ? ତୁ ଜାଣୁକି ଖାଲି ପାଉଁଶରେ ରୋଗ ଭଲ ହୋଇଯାଉଛି ? ନାରେ, ସେ ମହାତ୍ମାଙ୍କ ହାତର ମହିମା ।

 

ରାମ–ରାତି ହୋଇ ଗଲାଣି, ଚାଲ ଏବେ ଖାଇକରି ଶୋଇବା । ତହୁଁ ସମସ୍ତେ ଉଠି ସ୍ୱ ସ୍ୱ ଗୃହାଭିମୁଖରେ ଗମନ କଲେ ।

•••

 

ନବମ ପରିଚ୍ଛେଦ

 

କାଲି ସୁନାଘାଇ ପର୍ବତରେ ସୀତାକୁଣ୍ଡ ଯାତ୍ରା । ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ଏହି ଯାତ୍ରା ହୁଏ । ସେ ଦିନ ବହୁ ଯାତ୍ରୀ ସୀତାକୁଣ୍ଡରେ ସ୍ନାନ କରନ୍ତି । ସୁନାଘାଇର ଅପର ନାମ ଚକ୍ରତୀର୍ଥା ପର୍ବତ । ଏହି ନାମ ସାଧାରଣରେ ପରିଚିତ । ଚକ୍ରତୀର୍ଥା ନାମ ସମ୍ବନ୍ଧରେ ଏହିରୂପ କିମ୍ବଦନ୍ତୀ ଅଛି ଯେ, ବନବାସ କାଳରେ ରାମଚନ୍ଦ୍ର ଏହି ପର୍ବତରେ କିଛିଦିନ ଅବସ୍ଥାନ କରିଥିଲେ । ସେତେବେଳେ ପର୍ବତରେ ଜଳର ଅଭାବ ଥିଲା । ଏହି ଅଭାବ ମୋଚନ ସକାଶ ଚକ୍ର-ଅସ୍ତ୍ରଦ୍ୱାରା ଖଣ୍ଡିଏ ପଥର ଉଠାଇ ଦେଇ ଝରଣା ଆବିଷ୍କାର କଲେ । ସେହି ଦିନଠାରୁ ପର୍ବତର ନାମ ଚକ୍ରତୀର୍ଥା ହେଲା । ଯାତ୍ରୀମାନେ ସେହି ଝର ଜଳରେ ସ୍ନାନକରି ନିଜକୁ ପବିତ୍ର ଜ୍ଞାନ କରନ୍ତି । ଏହି କିମ୍ବଦନ୍ତୀରେ ଐତିହାସିକ ସତ୍ୟତା କି ପରିମାଣରେ ନିହିତ, ତାହା ଐତିହାସିକମାନଙ୍କର ବିଚାର୍ଯ୍ୟ । ଯାତ୍ରାକୁ ଯିବା ସକାଶ ସମସ୍ତଙ୍କ ମନରେ ଗୋଟାଏ ଉତ୍କଣ୍ଠା ଏବଂ ଆନନ୍ଦ ଖେଳିଯାଉଛି । ସେହି ଅଧୀର ଉତ୍କଣ୍ଠା ଅନେକଙ୍କ ପକ୍ଷରେ ଅସହ୍ୟ ହେଉଅଛି । କିପରି ଆଜି ଦିନଟା ଗତ ହେବ, ସେମାନେ ଏହି ପ୍ରତୀକ୍ଷାରେ ଅଛନ୍ତି । କେତେବେଳେ ସୂର୍ଯ୍ୟ ଅସ୍ତ ହେବ ବୋଲି କେହି କେହି ପଶ୍ଚିମଦିଗକୁ ଚାହିଁ ବସିଅଛନ୍ତି । ବୋଧହୁଏ କ୍ଷମତା ଥିଲେ ସେମାନେ ସମୟକୁ ଠେଲି ଦେଇ ଅଳ୍ପ କରିଦିଅନ୍ତେ । ଉତ୍ସବର ପୂର୍ବ ଦିନକୁ ସମସ୍ତେ ହ୍ରସ୍ୱ କାମନା କରନ୍ତି; ମାତ୍ର ସେ ଦିନଟା ସବୁଠାରୁ ଦୀର୍ଘ ବୋଧହୁଏ-। କେହି କେହି ଦୀର୍ଘ ଦିନକୁ ଅଭିଶାପ ପ୍ରଦାନ କଲେ । ସେମାନଙ୍କ ମତରେ ଦିନ ଦ୍ୱିପ୍ରହରବେଳେ ସନ୍ଧ୍ୟା ହୋଇଗଲେ ଠିକ୍‌ ହୁଅନ୍ତା; ମାତ୍ର ତାହା ହେଲା ନାହିଁ । ଯେହେତୁ ସେରୂପ ହେବା ପ୍ରକୃତିର ନିୟମ ନୁହେଁ । ଇଚ୍ଛା ସଙ୍ଗେ ସଙ୍ଗେ ଯଦି କାର୍ଯ୍ୟ ହୋଇ ଯାଉଥାଆନ୍ତା, ତେବେ ଆଉ ଚିନ୍ତା କଅଣ ଥିଲା ? ବିଧାତା ସେତିକି ନ କରି ଉଦ୍‌ବେଗୀ ମନୁଷ୍ୟ ମନରେ ବଡ଼ କଷ୍ଟ ଦିଏ-। ସେଥିରେ ବିଧାତାର କଅଣ ବା କ୍ଷତି ହୋଇଥାଆନ୍ତା ? ବରଂ ତାହା ନ କରି ସେ ତାହାର ସୃଷ୍ଟିକୁ ଅସମ୍ପୂର୍ଣ୍ଣତା ଦୋଷରେ ଦୂଷିତ କରି ରଖିଅଛି । ସପ୍ତସମୁଦ୍ରର ଜଳରେ ଧୋଇଲେ ସୁଦ୍ଧା ବିଧାତାର ଏ କଳଙ୍କ କ୍ଷାଳିତ ହେବନାହିଁ । ଏହିପରି ଅନେକ ତ୍ରୁଟି, ବିଚ୍ୟୁତି ଦେଖି ମନେହୁଏ, ବିଧାତାର ବୃଦ୍ଧିବୃତ୍ତି ନିତାନ୍ତ କୁନ୍ଥା–ଅର୍ଥାତ୍‌ ତାହାର ସୃଷ୍ଟି ମନୁଷ୍ୟର ବୁଦ୍ଧିବୃତ୍ତି ପରି ତୀକ୍ଷ୍‌ଣ ନୁହେ । ବାସ୍ତବରେ ବିଧାତାଟା କି କୁଳାଙ୍ଗାର; ସେ ମନୁଷ୍ୟର ମନମାଫିକ କାର୍ଯ୍ୟ କରିଜାଣେ ନାହିଁ । ମନ ଧରି କାମ କରିବା ବା କଥା କହିବା ଯେ ଗୋଟାଏ ବିଶିଷ୍ଟ ଯୋଗ୍ୟତା ଏବଂ ଆତ୍ମୋନ୍ନତିର ଚରମ ପନ୍ଥା, ଏହା ତାହାର ସ୍ଥୂଳ ବୁଦ୍ଧିର ଅଗୋଚର । ଓକିଲ ମୌକିଲର ମନ ଧରି କଥା କହେ–ଅମଲା ହାକିମର ମନ ଧରି କଥା କହେ–ଖାତକ ମହାଜନର ମନ ଧରି କଥା କହେ–ମୋ–ସାହେବ ବଡ଼ ଲୋକର ମନ ଧରି କଥା କହେ–ଶିଷ୍ୟ ଗୁରୁର ମନ ଧରି କଥା କହେ–ବର କନ୍ୟାର ମନ ଧରି କଥା କହେ–ବର୍ତ୍ତମାନ ନୂଆ ଆଇନ ଅନୁସାରେ ଖାଉନ୍ଦ ମୂଲିଆର ମନ ଧରି–ଗୃହସ୍ଥ ଗୃହିଣୀର ମନ ଧରି ଏବଂ ବାବୁ ରାନ୍ଧୁଣିଆର ମନ ଧରି କଥା କହେ । ଆଖି ଆଗରେ ଏତେ ମହତ୍‌ ଆଦର୍ଶ ଦେଖି ସୁଦ୍ଧା ଯେ ନ ଶିଖେ, ତାହାପରି ବେକୁବ ଆଉ ଦୁନିଆରେ କିଏ ଅଛି ? ଯେ ମନ ଧରି କଥା କହିବାକୁ ବା କାର୍ଯ୍ୟ କରିବାକୁ କୁଣ୍ଠିତ, ତାହା ମସ୍ତକରେ ହରତାଳ, ଧର୍ମଘଟ ଏବଂ ନନ୍‌କୋପରେଶନ ଏହି ତ୍ରିମୂନବିଶିଷ୍ଟ ତ୍ରିଶୂଳ ବିଦ୍ଧ ନ ହେବ କାହିଁକି ? ଏ ହେତୁ ଶାସ୍ତ୍ରକାର ଉପଦେଶ ଦେଇଅଛନ୍ତି, ‘ଦେଖିବ ଯେମନ୍ତ ଆଚାର, କରିବ ତେମନ୍ତ ବିଚାର ।’ ଶାସ୍ତ୍ର କଥା ଛାଡ଼ିଦେଲେ ମଧ୍ୟ ଦେଶୀୟ ପ୍ରବାଦ ଅଛି–‘ଯେଉଁ ଆଡ଼ୁ ପାଣି ଛାଟିବ, ସେ ଆଡ଼କୁ ଛତା ଧରିବ ।’ ବିଧାତା ଉପରେ ତ ନାଲିସ କରିବାର ସ୍ଥାନ ନାହିଁ; ସୁତରାଂ ତାହା କଥା ଛାଡ଼ । ସୂର୍ଯ୍ୟର ଭଲା କି ଅବିମୃଷ୍ୟକାରିତା ! ଆଜି ଟିକିଏ ସଅଳରେ ଅସ୍ତ ହେଲେ ତାହାର ବା କେଉଁ ବଡ଼ପଣ ଊଣା ହୋଇଯାଆନ୍ତା ? ସଂସାରରେ ସୂର୍ଯ୍ୟ ଜନ୍ମ ପାଇ ଦିନେ ହେଲେ ବନ୍ଧୁଘରେ କୁଣିଆ ହେବାକୁ ନାହିଁ କିମ୍ବା ଯାତ୍ରା ଥିଏଟର ଦେଖିଯିବାକୁ ନାହିଁ ଅଥବା ବାଜିଏ ତାସପଶା ଖେଳିବାକୁ ନାହିଁ, ସବୁବେଳେ କର୍ତ୍ତବ୍ୟରେ ବ୍ୟସ୍ତ । ଏ କି କର୍ତ୍ତବ୍ୟନିଷ୍ଠାରେ ବାବା ! ଏଡ଼େ ଅରସିକ ମହୀମଣ୍ଡଳରେ ଦ୍ୱିତୀୟ କେହି ଅଛି ? ଶୁଣ୍ଢୀ ଦୋକାନରେ ସରବତ୍‌ ଫରବତ୍‌ ମନ୍ଦାଏ ପିଇ ଟିକିଏ ସ୍ଫୁର୍ତ୍ତି କରିବା ତ ଦୂରର କଥା ଭୋକ ଶୋଷ ବି ତାହାର ନାହିଁ । ତାହାର ଗୋଡ଼ ହାତ ଟିକିଏ ଘୋଳାବିନ୍ଧା କରେନାହିଁ ? କି ପାଷାଣ ଶରୀର ତାର, ରୋଗ ବୈରାଗ କି ଜରନୁଆର ତ ତାକୁ ଦୂରରୁ ଜୁହାର କରନ୍ତି । ସବୁ ହେବ ପଛେ, ମାତ୍ର ଅରସିକ ହେବା ମହାପାପ । ସେହି ହେତୁ କବି କାଳିଦାସ ବିରକ୍ତି ହୋଇ କହିଅଛନ୍ତି–‘ଅରସିକେଷୁ ରସସ୍ୟ ନିତେଦନଂ ଶିରସି ମା ଲିଖ ମା ଲିଖ ମା ଲିଖ ।’

 

ଯଥାସମୟରେ ସୂର୍ଯ୍ୟ ଅସ୍ତ ହେଲେ–ତହିଁପରେ ସନ୍ଧ୍ୟା ହେଲା–ତହିଁପରେ ରାତ୍ରି ହେଲା-। ଦେଖୁଁ ଦେଖୁଁ ରାତି ଦୁଇପ୍ରହର ଅତୀତ ହୋଇଗଲା । କ୍ରୁଦ୍ଧା ନାଗୁଣୀ ପ୍ରାୟ ନିସ୍ତବ୍‌ଧତା ସାଇଁ ସାଇଁ ସ୍ୱରରେ ଗର୍ଜି ଉଠିଲା । ଏଥିପୂର୍ବରୁ ବାବାଜିଙ୍କ ଭକ୍ତ ସେବକମାନେ ବିଦାୟ ନେଇଥିଲେ । ବାବାଜିଙ୍କ ସଙ୍ଗୀ ଛ’ଜଣଯାକ ନିଜ ନିଜ ପର୍ଣ୍ଣକୁଟୀରରେ ନିଦ୍ରା-ମଗ୍ନ । ସ୍ୱପ୍ନଦେବୀଙ୍କ ଅନୁଗ୍ରହରୁ କେହି ହସି ଉଠୁଅଛି–କେହି କ୍ରୁଦ୍ଧ ମର୍କଟ ପ୍ରାୟ ଦନ୍ତ କଡ଼ମଡ଼ କରୁଅଛି–କେହି ଅସ୍ପଷ୍ଟ ସ୍ୱରରେ କଅଣ ଗୁଡ଼ାଏ ବକି ହେଉଅଛି ଏବଂ କେହି ବା କୁମ୍ଭକର୍ଣ୍ଣ ପରି ନୀରବ ନିଷ୍କନ୍ଦ ହୋଇ ଶଯ୍ୟାରେ ପଡ଼ି ରହିଅଛି, ତାହାର ପିଣ୍ଡରେ ପ୍ରାଣ ଅଛି କି ନାହିଁ, ସହଜ ଦୃଷ୍ଟିରେ ବାରି ହେଉନାହିଁ । ନିଦ୍ରା ଆଉ ମୃତ୍ୟୁ ମଧ୍ୟରେ ପ୍ରଭେଦ କଅଣ ? ପ୍ରଭେଦ କେବଳ ଏତିକି ଯେ, ନିଦ୍ରିତ ପ୍ରାଣୀ ନିଦ୍ରାଭଙ୍ଗ ପରେ ଉଠେ; ମାତ୍ର ମୃତ ପ୍ରାଣୀ ଆଉ ଉଠେନାହିଁ । ମହାନିଦ୍ରା ଅର୍ଥାତ୍‌ ଅଭଙ୍ଗ ନିଦ୍ରାହିଁ ମୃତ୍ୟୁ । ପ୍ରକୃତିଦେବୀ ନିଦ୍ରିତ ଜୀବନର ସତର୍କ ପ୍ରହରୀ । ମାତ୍ର ମୃତର ପ୍ରହରୀ କେହି ନାହିଁ । ସେ ଯାହାହେଉ ବାବାଜି ସେହି ନିଶୀଥ ସମୟରେ ସମାଧିମଗ୍ନ ପରି ବସିଅଛନ୍ତି । ମଧୁ ତାଙ୍କ ପଦତଳେ ବସି ଖଣ୍ଡେ ପଙ୍ଖା ଧରି ଗୁରୁସେବାରେ ନିଯୁକ୍ତ ଅଛି । ବାବାଜିଙ୍କ ଦୃଷ୍ଟି ଚିନ୍ତାରେ ଗଭୀର, ଯେମନ୍ତ କି ସେ କି ଏକ ଜଟିଳ ସମସ୍ୟାର ସମାଧାନରେ ଆକଣ୍ଠ ବୁଡ଼ି ଅଛନ୍ତି । ଏହିପରି ଭାବରେ କେତେ କ୍ଷଣ ଗତ ହେଲା–ପରେ ସେ ମଧୁକୁ କହିଲେ–ମଧୁ, ମୁଁ ଏହିକ୍ଷଣି ଏସ୍ଥାନ ଛାଡ଼ି ଚାଲିଯିବି-

 

ମଧୁ–କାହିଁକି ମହାପ୍ରଭୁ ? ରାତି ପାହିବାଯାଏ ରହିଲେ କି ହେବ ନାହିଁ ?

ବାବାଜି–ନା, ବାବାଙ୍କର ହୁକୁମ, ଏହିକ୍ଷଣି ଯିବାକୁ ହେବ ।

ମଧୁ–ହେଉ ତେବେ, ମୁଁ ବି ତୁମ୍ଭ ସାଙ୍ଗରେ ଯିବି ।

 

ବାବାଜି–ନା, ନା, ତୁ ମୋ ସାଙ୍ଗରେ ଗଲେ ଜଣା ପଡ଼ିଯିବ । କାଲି ସକାଳେ ତୋ ବାପ ଥାନାରେ କହି ମୋତେ ବାନ୍ଧିଆଣିବ ।

 

ମଧୁ–କାହିଁକି ?

 

ବାବାଜି–କହିବ, ମୋ ପୁଅକୁ ଫୁସଲେଇ ନେଇଗଲା । ସମସ୍ତେ ବି ସେ କଥାରେ ବିଶ୍ୱାସ କରିବେ ।

 

ମଧୁ–ତେବେ ମୁଁ କେମିତି ଯିବି ?

 

ବାବାଜି–ତୁ କାଲି ସକାଳୁ ଉଠି ଯିବୁ । ଆଉ ମୋ କଥା କେହି ପଚାରିଲେ କହିବୁ–‘ମୁଁ ଶୋଇ ପଡ଼ିଥିଲି, ସେ କେତେବେଳେ ଗଲେ ମୁଁ ଜାଣେନାହିଁ ।’

 

ମଧୁ–ମୁଁ କେଉଁଠି ତମର ଦେଖା ପାଇବି ?

 

ବାବାଜି–ତୁ ଚକ୍ରତୀର୍ଥା ଯାଉଛୁ ବୋଲି ଘରପାଖରେ କହିଯିବୁ । ତୁ ତ ଚକ୍ରତୀର୍ଥା ଦେଖିଛୁ, ସୀତାକୁଣ୍ଡ ବି ଦେଖିଛୁ । ସୀତାକୁଣ୍ଡରୁ ଯେଉଁ ନଈ ବାହାରିଛି, ତା ଦୁଇ ପାଖରେ ଭାରି ଅଝାଲ ବଣ । ସେହି ବଣ ଭିତରେ ମୁଁ ଲୁଚିଥିବି । ମୋର ବଂଶୀ ଶୁଣିଲେ ତୁ ମୋପାଖକୁ ଚାଲିଯିବୁ, ମୁଁ ସେଇଠାରୁ ତୋତେ ନେଇଯିବି । ବଣଭିତରକୁ ଯିବାବେଳେ ଖୁବ୍‌ ସାବଧାନରେ ଯିବୁ, ଯେପରି କେହି ନ ଦେଖେ । ଯଦି କେହି ଦେଖି ପଚାରେ, ତେବେ ପୋଖରୀପାଣି ଯାଉଛି ବୋଲି କହିବୁ । ଖବରଦାର ଡରିବୁ ନାହିଁ । ମୁଁ ସୀତାକୁଣ୍ଡ ପାଖରୁ ଦଶପନ୍ଦର ହାତ ଦୂରରେ ଥିବି । ବଣ ବୋଲି ଯାତ୍ରୀମାନେ ସେ ଆଡ଼କୁ କେହି ଯାଆନ୍ତି ନାହିଁ ।

 

ମଧୁ–ତମେ ମୋତେ ବହଲେଇ ଦେଇ ଚାଲିଯିବ । ନା, ମୁଁ ତମ ସାଙ୍ଗରେ ଯିବି । ତମକୁ ଛାଡ଼ିଲେ ଆଉ ପାଇବି ନାହିଁ । ଏହା କହି ମଧୁ କାନ୍ଦିବାକୁ ଲାଗିଲା ।

 

ତହୁଁ ବାବାଜି ତାହାର ଲୁହ ପୋଛିଦେଇ ସାକୁଲା ସାକୁଲି କରି କହିଲେ–ନା, ବାପା, କାନ୍ଦନା, ମୁଁ ସତ କହୁଛି ତୋତେ ନେଇଯିବି–କେଭେ ଛାଡ଼ିଯିବି ନାହିଁ । ମୋ କଥା ସତ କି ମିଛ, ତାହା ତୁ ବଳେ ଜାଣିବୁ ନାହିଁକି ।

 

ମଧୁ–ସତ କହୁଛ ?

ବାବାଜି–ମୋର ମିଛ କହିବା କି ତୁ କେବେ ହେଲେ ଶୁଣିଛୁ ?

ମଧୁ–ନା ।

ବାବାଜି–ତେବେ କାହିଁକି ପରତେ କରୁନାହୁଁ ?

 

ମଧୁ–ଆଛା, ତମେ ପୈତାଗଣ୍ଠି ଛୁଇଁ କୁହନି । ବାବାଜି ଈଷତ୍‌ହାସ୍ୟ କରି ମଧୁ ମୁଣ୍ଡରେ ସ୍ନେହର ହାତ ବୁଲାଇ କହିଲେ–‘ହେଉ ତେବେ, ଏହି ପୈତାଗଣ୍ଠି ଛୁଇଁ ନିୟମ କରୁଛି–ତୋତେ ଯେବେ ଭଣ୍ଡାଉଥିବି, ତେବେ ମୋର ମୂର୍ଦ୍ଧ୍ଣା ଫାଟିଯିବ । ଏବେ ହେଲା ତ ?’

 

ମଧୁ–ମୋ ରାଣ ପକାଇ ଆଉ ଥରେ କୁହନି ।

 

ବାବାଜି–ଦୂର ପାଗଳ, ପୈତା ଛୁଇଁ କହିଲି ହେଲାନାହିଁ, ତୋ ରାଣ ପକାଇଲେ ଯାଇଁ ହେବ । ହେଉ ପଛେ, ତୋ ରାଣ ପକାଇ କହୁଛି–ନିଶ୍ଚୟ ତୋତେ ନେଇଯିବି ।

 

ଏଥର ମଧୁ ମୁହଁରେ ବିଶ୍ୱାସର ମଧୁହାସ୍ୟ ଦେଖାଗଲା । ତାହାର ହୃଦୟ-କାସାରରେ ଆଶାର ସହସ୍ର ଶତଦଳ ଫୁଟିଉଠିଲା–ନେତ୍ରଦ୍ୱୟ ସାଫଲ୍ୟରେ ମଣ୍ଡିତ ହେଲାପ୍ରାୟ ଦୀପ୍ତ ହୋଇଉଠିଲା । ସେ ଆଉ ବାକ୍ୟବ୍ୟୟ ନ କରି ବାବାଜିଙ୍କ ପଦମୂଳରେ ସାଷ୍ଟାଙ୍ଗ ପ୍ରଣତିପୂର୍ବକ ଆନନ୍ଦରେ ଗୃହକୁ ପ୍ରସ୍ଥାନକଲା । ସାମନ୍ତଙ୍କ ଗୃହ ସେଠାରୁ ଦୂର ନୁହେଁ–ପ୍ରାୟ ୨୫।୩୦ ହାତ ବ୍ୟବଧାନ ହେବ । ଗ୍ରାମର ଅନେକ ଲୋକ ଆସି ରାତ୍ରରେ ସାମନ୍ତଙ୍କ ଦାଣ୍ଡ ବଙ୍ଗଳାରେ ଶୟନ କରନ୍ତି । ମଧୁ ଯାଇ ସେମାନଙ୍କ ପାଖରେ ଶୋଇପଡ଼ିଲା । ଏଣେ ବାବାଜି ସଙ୍ଗୀମାନଙ୍କ ସମଭିବ୍ୟାହାରରେ ରାତି ଥାଉଁ ଥାଉଁ ଅନ୍ତର୍ହିତ ହେଲେ ।

 

ଧନ୍ୟ ପ୍ରଲୋଭନ ! ଶତ ଧନ୍ୟ ତୋର ସମ୍ମୋହନ ମନ୍ତ୍ର ! ଅଜ୍ଞାତ ବାଳକ ଆଜି ତୋର କପଟ ଆହ୍ୱାନରେ ଗୃହତ୍ୟାଗୀ ହେବାକୁ ବସିଅଛି । ମାୟାବୀ କିରାତର ବଂଶୀଧ୍ୱନି ଶୁଣି ଧ୍ୱନିପ୍ରିୟ କୁରଙ୍ଗ କି କେବେ ଅଳସ ଭାବରେ ରହିପାରେ ? ଘରର ମାୟା ଛଡ଼ାଇ, ପିତୃସ୍ନେହର ଅମୃତ ମାଧୁରୀ ଛଡ଼ାଇ, ଜନ୍ମଭୂମିର ଅତୁଳ ସୁଖାମୋଦ ଛଡ଼ାଇ ନିରୀହ ବାଳକଟିକୁ ତୁ କେଉଁ ସୁଦୂର ଅଜ୍ଞାତ ରାଜ୍ୟ ଆଡ଼କୁ ଘେନିଯାଉଅଛୁ ? ହାୟ, ମୃଗତୃଷ୍ଣା ପଛରେ ଆଶାୟୀ ମୃଗ ଧାଇଲା ପ୍ରାୟ ଆଶାମୁଗ୍‌ଧ ବାଳକ ତୋ ପଛରେ ଧାଇଁଅଛି । କି ଅପୂର୍ବ କମନୀୟ ଛବି ତୁ ତାହା ଆଗରେ ଧରିଅଛୁ, ତାହା ଦେଖି ସେ ମୁଗ୍‌ଧ ଏବଂ ପ୍ରମତ୍ତ । ସେ ଗୋଟିଏ ଆକାଙ୍‌କ୍ଷାର ଭାର ହୃଦୟରେ ବହନ କରି ନିଜର ପରିଣାମ ପାଶୋରି ଏକ ଧ୍ୟାନରେ ଧ୍ୱଂସପଥର ଯାତ୍ରୀ ହେବାକୁ ବସିଅଛି । ଅଲେଳ ବାଳକକୁ ଏରୂପ ହଟହଟା କରି ତୋର କି ଉଦ୍ଦେଶ୍ୟ ସିଦ୍ଧ ହେବ ବା କି ଆନନ୍ଦ ଲାଭ ହେବ, ତାହା ତୁହି ଏକା ଜାଣୁ । ଯେଉଁ ଅକୂଳ ସମୁଦ୍ର ଗର୍ଭକୁ ତାକୁ ପେଲି ଦେଇଅଛୁ, ତାହା ସନ୍ତରି ପାରି ହେବାର ଶକ୍ତି ତାହାର ଅଛି ତ ? ଯେଉଁ ସ୍ୱର୍ଣ୍ଣବିଜୁଳି ତାହା ହାତରେ ଦେଇଅଛୁ, ତାହାର ଦାହିକା ଶକ୍ତି ସେ ସହିପାରିବ ତ ? ରେ ପାପିଷ୍ଠ ନରାଧମ ଭଣ୍ଡ ସାଧୁ, ତୁ ତୁଚ୍ଛ ସ୍ୱାର୍ଥ ମୋହରେ ବାଳକଟିକୁ ଯେଉଁ ଦୁର୍ବହ ଦୁଃଖ ଦେବାକୁ ଉଦ୍ୟତ ହୋଇଅଛୁ, ସହସ୍ର ସାରସ୍ୱତ ତୁଣ୍ଡ ସେ ଦୁଃଖ ବର୍ଣ୍ଣନା କରିବାକୁ ଏକାନ୍ତ ଅକ୍ଷମ । କେବଳ ‘ଆହା ଆହା ଆହା’ ସେ ଦୁଃଖର ଏକମାତ୍ର ବର୍ଣ୍ଣନା । ଜାଣୁ ଜାଣୁ ଗୋଟିଏ ମହାପ୍ରାଣୀର ଜୀବନ ବିଷମୟ କରୁଅଛୁ, ଏହା କି ଧର୍ମ ସହିବ ? ନାରକି, ମହାନରକରେ ସୁଦ୍ଧା ତୋ ପାପର ପ୍ରୟାଶ୍ଚିତ୍ତ ନାହିଁ । ବାଳକର ନେତ୍ରରୁ ଯେଉଁ ଅଶ୍ରୁପାତ ହେବ, ତାହା ଅଶ୍ରୁ ନୁହେ–ତରଳ ଅନଳ । ସେହି ଅଗ୍ନିରେ ତୁ ଭସ୍ମୀଭୂତ ହେବୁ । ଅଯତ୍ନସୁଲଭ ବନ୍ୟଶାକ, ଫଳ ମୂଳରେ ସୁଦ୍ଧା ଉଦର ପୂର୍ଣ୍ଣ ହୁଏ; ରେ ମୃଢ଼ ସେହି ଦଗ୍‌ଧୋଦର ସକାଶ ଏ ମହାପାତକ କାହିଁକି ? ତୋର ଏ ଦୁଷ୍କରଣୀ ଶୁଣି ସ୍ୱୟଂ ମୂର୍ତ୍ତିମତୀ ଦୁଷ୍କରଣୀ ସୁଦ୍ଧା ଘୃଣାରେ କର୍ଣ୍ଣ ରୁଦ୍ଧ କରିବ । ତୋର ଭାବୀ ବଂଶଧରମାନେ ତୋର ଏ ମହାପାପ କଦାଚ ସମର୍ଥନ କରିବେ ନାହିଁ–ପ୍ରତ୍ୟୁତଃ ତୋର ଶ୍ମଶାନ-ଭସ୍ମରେ ନିଷ୍ଠୀବନ ନିକ୍ଷେପ କରିବେ । ଧିକ୍‌ରେ ନର-ଶ୍ୱାପଦ, ଧିକ୍‌ତୋର ପାପ-ପଙ୍କିଳ ଘୃଣ୍ୟ ହୀନ ଜୀବନ, ତାହା ଜୀବନ ନୁହେଁ–ଜୀବନ୍ତ ମରଣ । ତୋର ନାମୋଚ୍ଚାରଣରେ ଜିହ୍ୱା କଳୁଷିତ ହେବ, ଜିହ୍ୱାକୁ ଶତବାର ଅଗ୍ନିଶୁଦ୍ଧ କଲେ ସୁଦ୍ଧା ସେ କଳ୍ମଷମୁକ୍ତ ହେବ ନାହିଁ । ପିଶାଚ, ତୋର ପରମାୟୁ ଘେନି ବରଂ ଦୁର୍ଜନର ବଞ୍ଚିରହିବା ବାଞ୍ଛନୀୟ; ମାତ୍ର ତୋର ଦଗ୍‌ଧଜୀବନ ମୁହୂର୍ତ୍ତେ ବାଞ୍ଛନୀୟ ନୁହେ । ମା ବସୁଧା, ତୁମ୍ଭେ ଏ ପାପର ଭାର ସହିବ ତ ? ତୁମ୍ଭେ ସର୍ବଂସହା, ସୁତରାଂ ସହିପାର; ମାତ୍ର ମାନବ ପ୍ରାଣ ଏହା କଦାଚ ସହିପାରିବ ନାହିଁ । ମା, ତୁମ୍ଭେ ଦ୍ୱିଧା ହୁଅ–ଏ ପାପୀକୁ ଗ୍ରାସକର । ହାୟ, ଏ ପାପୀର ଜୀବନ୍ତ ଦେହ କୁକୁରକୁ ଭକ୍ଷଣ କରାଇବାକୁ କି କେହି ନାହିଁ !!

•••

 

Unknown

ଦଶମ ପରିଚ୍ଛେଦ

 

ପହିଲୁ ରଜ ଅର୍ଥାତ୍‍ ସାମନ୍ତଦିନ ରାତିରେ ସାମନ୍ତଙ୍କ ପୁତ୍ରବଧୁ ଶକୁନ୍ତଳାର ଆଖି କଷା ହୋଇନାହିଁ । ସେ ଦିନ ରାତ୍ରି ଅନିଦ୍ରା ହୋଇ ନାନା କାର୍ଯ୍ୟରେ ବ୍ୟସ୍ତ । ରାତି ପାହିଲେ ଶ୍ୱଶୁର, ସ୍ୱାମୀ, ଦେବର ଏବଂ ଦାସଦାସୀ ମଧ୍ୟରୁ କେହି କେହି ଚକ୍ରତୀର୍ଥା ସ୍ନାନକୁ ଯିବେ । ସେମାନଙ୍କ ସକାଶେ ଜଳଖିଆ ପ୍ରସ୍ତୁତରେ ସେ ଲାଗିଅଛି । ଚୂନାକୁଟା, ବିରିବଟା, ପିଠାକରା, ପାନ ଭଙ୍ଗା ପ୍ରଭୃତିରେ ତାହାର ଅବସର ନାହିଁ; ସେ ସ୍ୱହସ୍ତରେ ଏହିସବୁ କାର୍ଯ୍ୟ କରିବାକୁ ଖୁବ୍‌ ସୁଖ ପାଏ । ସେ କାଳର ସ୍ତ୍ରୀମାନେ ଶାଶୁ, ଶ୍ୱଶୁର, ସ୍ୱାମୀ, ଗୁରୁଜନମାନଙ୍କୁ ସ୍ୱହସ୍ତ-ପାକରେ ଖୁଆଇ ବିଶେଷ ଆନନ୍ଦ ଉପଭୋଗ କରୁଥିଲେ । ଏତିକି କରି ପାରିଲେ ସେମାନେ ଜୀବନକୁ ଧନ୍ୟ ଏବଂ କୃତାର୍ଥ ମଣୁଥିଲେ । ଖାଇବାରେ ଆନନ୍ଦ ନୁହେଁ–ଖୁଆଇବାରେ ଆନନ୍ଦ, ଏହା ସେମାନଙ୍କର ପ୍ରକୃତିଗତ ଧାରଣା ଥିଲା । ଶ୍ୱଶୁର ଗୁରୁ, ସ୍ୱାମୀ ଦେବତା; ସେମାନଙ୍କୁ ସେବାକରି ନାରୀଜନ୍ମ ସ୍ୱାର୍ଥକ ମଣୁଥିଲେ । ଏହି କାର୍ଯ୍ୟକୁ ସେମାନେ ନାରୀର କର୍ତ୍ତବ୍ୟ ଏବଂ ପୂଣ୍ୟକାର୍ଯ୍ୟ ମଧ୍ୟରେ ଗଣନା କରୁଥିଲେ । ଗୁରୁଜନମାନଙ୍କର ପାଦୋଦକ ପାନ ନ କରି ଜଳ ଗ୍ରହଣ କରୁ ନ ଥିଲେ । ରନ୍ଧାବଢ଼ା ସ୍ତ୍ରୀମାନଙ୍କର ପ୍ରଧାନ ଯୋଗ୍ୟତା । ଏହି ଯୋଗ୍ୟତା ହେତୁ ସେମାନେ ସମାଜରେ ପ୍ରଶଂସିତ ହେଉଥିଲେ । ଅଭିଷେକ ଶେଷରେ ସୀତା ସ୍ୱହସ୍ତରେ ପାକ କରି ସମସ୍ତଙ୍କୁ ପରିବେଷଣ କରିବା କଥା ରାମାୟଣ ପାଠକମାନଙ୍କୁ ଅବିଦିତ ନାହିଁ । ବନବାସ କାଳରେ ପାଣ୍ଡବ ମହିଷୀ ଦ୍ରୌପଦୀ ସ୍ୱହସ୍ତରେ ପାକ କରି ଅତିଥିସତ୍କାର କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ପୁରୁଣା ଆଇନ ରଦ ହୋଇ ଅଭିନବ ଆଇନ ଜାରି ହୋଇଅଛି । ନୂତନ ଆଇନର ଧାରା ଗୁଡ଼ାକ ବନ ଅଭୁତ ଏବଂ ମାରାତ୍ମକ-। ଏ କଦର୍ଯ୍ୟ ଆଇନ ଏକାଳର ନବଶିକ୍ଷିତ ଏବଂ ନବଶିକ୍ଷିତାମାନଙ୍କର ଜୀବନସମ୍ବଳ ହୋଇଅଛି । ଏ କାଳର ଶିକ୍ଷିତାଭିମାନିନୀ ନାରୀମାନେ ରାନ୍ଧି ପରଷିବା ଦୂରେ ଥାଉ, ନିଜର ପିନ୍ଧିବା ଲୁଗାଖଣ୍ଡି ଧୋଇ ଶୁଖାଇବାକୁ ଏକାନ୍ତ ଲଜ୍ଜାକର ମଣନ୍ତି । କଥାକଥାକେ ଅଭିମାନ, କଥାକଥାକେ ଆଡ଼ରୁଷା, କଥାକଥାକେ ଅଶ୍ରୁମାଳା ଗୁନ୍ଥିବା ସେମାନଙ୍କର ସଂକ୍ରାମକ ରୋଗ ହୋଇଅଛି । କେବଳ ପୋଷାକ ପରିଚ୍ଛଦର ପାରିପାଟ୍ୟ ପ୍ରଦର୍ଶନ, ସ୍ୱାମୀକୁ ‘ପ୍ରିୟତମ’ ସମ୍ବୋଧନ କରି ପ୍ରେମପତ୍ର ଲେଖନ ଏବଂ ନାଟକ ଉପନ୍ୟାସ ପାଠ ସେମାନଙ୍କର ଯୋଗ୍ୟତାର ଚରମ ଉତ୍କର୍ଷ ହୋଇଅଛି । ରନ୍ଧାବଢ଼ା କଲେ ସେମାନଙ୍କ ହରିଣ ନେତ୍ରରେ ଧୂଆଁ ପଶିଯିବ, ପୋଷାକ ମଇଳା ହୋଇଯିବ, ପୁଣି ମାନମହତ୍ତ୍ୱ ନଷ୍ଟ ହୋଇଯିବ ଏବଂ ସ୍ୱାସ୍ଥ୍ୟହାନି ପ୍ରଭୃତି ଆହୁରି କେତେ କଅଣ ହୋଇଯିବ, ଏହି ଆଶଙ୍କାରେ ସେମାନେ ସର୍ବଦା ସତର୍କିତ । କେବଳ ଚାକର ଚାକରାଣୀ ବା ଶାଶୁ ନଣନ୍ଦ ଉପରେ ଡେପୁଟୀଗିରି କରିବାରେ ସେମାନେ ଖୁବ୍‌ ପ୍ରବୀଣା । ସ୍ୱାମୀମାନେ ସେମାନଙ୍କର ପ୍ରଶ୍ରୟଦାତା । ସେଥିର ଫଳସ୍ୱରୁପ ସ୍ୱାମୀ ବିଚାରା ମାନଭଞ୍ଜନ ଅଭିନୟରେ ଓଷ୍ଠାଗତପ୍ରାଣ । ପନ୍ଦର କୋଡ଼ିଏ ଟଙ୍କାର ଖଣ୍ଡିଏ ଚାକିରୀ ପାଇଲେ ସେମାନେ ଗୃହିଣୀଙ୍କ ଫରମାସ ମୁତାବକ ଚାକର ପୂଜାରି ରଖିବାକୁ ବାଧ୍ୟ ହେଉଅଛନ୍ତି । ପୂର୍ବେ ସ୍ୱାମୀକୁ ସ୍ତ୍ରୀ ଦେବତା ଜ୍ଞାନ କରୁଥିଲେ । ଏବେ ସେଥିରେ ଠିକ୍‌ ବିପରୀତ । ସ୍ତ୍ରୀମାନେ ଇଷ୍ଟଦେବତା ତୁଲ୍ୟ ସିଂହାସନରେ ପୂଜା ପାଉଅଛନ୍ତି-। ପୁରୁଷମାନେ ଭର୍ତ୍ତାପଦରୁ ଭୃତ୍ୟପଦକୁ ଉନ୍ନୀତ ହୋଇଅଛନ୍ତି । ବାସ୍ତବରେ ସେମାନେ ସ୍ତ୍ରୀମାନଙ୍କର ଆଜ୍ଞାବହ ଭୃତ୍ୟ ଏବଂ ସ୍ତାବକ । ଏକାଳର ଶିକ୍ଷିତା ସ୍ତ୍ରୀମାନେ ପତ୍ନୀ ନୁହନ୍ତି–ଯଥାର୍ଥରେ ପେତ୍ନୀ । ଚକମକି ପଥର ପରି ସେମାନେ ବାହ୍ୟ ଶୀତଳ; ମାତ୍ର ଭିତରେ ଅଗ୍ନିଗର୍ଭା । ନିଜର ସନ୍ତାନପାଳନ ସୁଦ୍ଧା ସେମାନଙ୍କ ପକ୍ଷରେ ଦୁର୍ବହ । ଶିକ୍ଷିତ ସଭ୍ୟ ସ୍ୱାମୀମାନେ ଏଣିକି ସନ୍ତାନ ପ୍ରସବ ଏବଂ ପାଳନର ଭାର ନେଲେ ସେମାନେ ରକ୍ଷା ପାଆନ୍ତେ । ଶିକ୍ଷିତା ସ୍ତ୍ରୀମାନଙ୍କର ଆଚାର ବ୍ୟବହାର ଦେଖି ସ୍ତ୍ରୀ-ଶିକ୍ଷାର ପକ୍ଷପାତୀ ବ୍ୟକ୍ତିମାନେ ସୁଦ୍ଧା ଲଜ୍ଜାରେ ତଳକୁ ମୁଣ୍ଡ ପୋତିଲେଣି । ଖାଲି ସାବୁନ୍‌, ଏସେନସ୍‍ ଏବଂ ସୁବାସତେଲର ଶ୍ରାଦ୍ଧ କଲେ ଶିକ୍ଷିତା ହୁଅନ୍ତି ନାହିଁ । ଯେ ସ୍ତ୍ରୀ ଧର୍ମରେ ପ୍ରବୀଣା, ସେହି ଏକା ଶିକ୍ଷିତା । ଏଥିରୁ ସ୍ତ୍ରୀ ଶିକ୍ଷାର ବିରୋଧୀ ବୋଲି ଆମ୍ଭମାନଙ୍କୁ କେହି ମନେ କରିବେ ନାହିଁ । ପ୍ରକୃତ ପକ୍ଷରେ ଆମ୍ଭେମାନେ ବିରୋଧୀ ନୋହୁଁ । ତେବେ ଆଧୁନିକ ଉଚ୍ଛୃଙ୍ଖଳ ସ୍ତ୍ରୀ ଶିକ୍ଷାର ବିରୋଧୀ ଏବଂ ଅତିରିକ୍ତ ସ୍ତ୍ରୀ ସ୍ୱାଧୀନତାର ଏକାନ୍ତ ବିରୋଧୀ । ଏରୂପ ସ୍ୱେଚ୍ଛାଚାରପ୍ରସୂତି ସ୍ତ୍ରୀଶିକ୍ଷା ଏ ଦେଶରେ କୌଣସି କାଳରେ ନଥିଲା । ଏହା ଆଧୁନିକ ବଙ୍ଗ ସମାଜରୁ ଆମଦାନି । ବଙ୍ଗାଳୀମାନେ ସାହେବମାନଙ୍କର ଅନୁକରଣ କରି ଯଥେଷ୍ଟ ଶିକ୍ଷାଲାଭ କରିଅଛନ୍ତି; ମାତ୍ର ଆମ୍ଭମାନଙ୍କର ମୋହମୁଦ୍ରିତ ଚକ୍ଷୁ କେବେ ଫିଟିବ, ତାହା ଭବିତବ୍ୟତାକୁ ଗୋଚର । ଏତଦ୍ଦ୍ୱାରା ବିଦେଶୀୟ ଶିକ୍ଷା ବା ସଭ୍ୟତା ଉପରେ ଦୋଷାରୋପ କରାଯାଉ ନାହିଁ । ତେବେ ଯେଉଁ ଶିକ୍ଷା ବା ସଭ୍ୟତାର ଅନୁକୃତି ଏଦେଶ ବା ସମାଜ ପକ୍ଷରେ ଅନାବଶ୍ୟକ ବା କ୍ଷତିକର, ସେହି ବ୍ୟର୍ଥ ଅନୁକରଣକୁ ପ୍ରଶ୍ରୟ ଦେବା ଆମ୍ଭମାନଙ୍କର ପ୍ରକୃତିର ସମ୍ପୂର୍ଣ୍ଣ ପ୍ରତିକୂଳ । ଆମ୍ଭ ଦେଶର ଅନେକ ଲୋକ ବିଦେଶୀୟମାନଙ୍କର ଆଦର୍ଶ, ଗୁଣ ଅନୁକରଣ ନ କରି କେବଳ ବେଶଭୂଷାର ବାହ୍ୟାନୁକରଣ କରନ୍ତି, ଏହାହିଁ ମର୍ମାନ୍ତିକ କ୍ଷୋଭର ବିଷୟ । ଉଚ୍ଚ ଆଦର୍ଶ ଯେଉଁପରି ଶିକ୍ଷଣୀୟ, ହୀନ ଆଦର୍ଶ ସେହିପରି ବର୍ଜନୀୟ । ସେଥିରେ ଫଳ ବଡ଼ ବିଷମୟ ହୁଏ । ଆଧୁନିକ ନବାଲୋକପ୍ରାପ୍ତ ଶିକ୍ଷିତା ସ୍ତ୍ରୀସମାଜ ଆଡ଼କୁ ଦୃଷ୍ଟିପାତ କଲେ ଏ ଉକ୍ତିର ସତ୍ୟତା ସ୍ପଷ୍ଟ ପ୍ରମାଣିତ ହେବ । ବରଂ ଅନ୍ଧକାର ଭଲ; ମାତ୍ର ଜ୍ୱାଳାପ୍ରଦ ଆଲୋକର ଆବଶ୍ୟକତା ନାହିଁ । ଯେଉଁ ନାରୀଜାତି ଦେବୀ ଆଖ୍ୟାରେ ଅଖ୍ୟାତ ଥିଲେ, ସେମାନଙ୍କୁ ଦାନବୀ ଉପାଧିରେ ଉପାହିତ କରିବା କାହାର ଅଭିପ୍ରେତ ? ଯେଉଁମାନେ ଏ ଦେଶର ଚିରନ୍ତନ ସଦାଚାର ଉଠାଇ କଦାଚାର ଆନୟନ କରୁଅଛନ୍ତି, ସେମାନେ ଦେଶର ଶତ୍ରୁ, ସମାଜର ଶତ୍ରୁ ଏବଂ ସ୍ୱଜାତିର ପରମଶତ୍ରୁ । ସେମାନଙ୍କଦ୍ୱାରା ବିଶ୍ୱ ନମସ୍ୟ ଆର୍ଯ୍ୟସମାଜ କ୍ଷତବିକ୍ଷତ ଏବଂ ଅପବିତ୍ର ହେଉଅଛି । ସେହି ଦେଶଦ୍ରୋହୀ ଜାତିଦ୍ରୋହୀ ଏବଂ ସମାଜଦ୍ରୋହୀମାନଙ୍କର ମସ୍ତକ ଚୁମ୍ବନ ହେ ଚକ୍ରଧର, ତୁମ୍ଭର ଚକ୍ର କି କରିବ ନାହିଁ ? ଜାତୀୟ ଅଭିସମ୍ପାତ ଦିନେ ସେମାନଙ୍କର ପ୍ରେତଆତ୍ମାକୁ ସୁଦ୍ଧା ଦଗ୍‌ଧୀଭୂତ କରିବ, ଏହା ବୋଲିବା ଅତ୍ୟୁକ୍ତି ନୁହେଁ । ଦେଶର ସମସ୍ତ ଶିକ୍ଷିତ ଯୁବକ ଯେ ଉଚ୍ଛୃଙ୍ଖଳ, ଏହା କେହି ହଲପ କରି କହିପାରିବ ନାହିଁ । ଦେଶର ଆଶାଭରସା-ସ୍ଥଳ, ଦେଶ ଜାତି ସମାଜବତ୍ସଳ ସ୍ୱଧର୍ମପରାୟଣ ସଦାଚାରୀ ଆଦର୍ଶଶିକ୍ଷିତ ଯୁବକକୁଳ ଏଥିର ବ୍ୟତିରେକ ଉଦାହରଣର ପାତ୍ର ।

ଆଜି ଶକୁନ୍ତଳାର କି ଆନନ୍ଦ–କି ଉତ୍ସାହ ! ସେହି ଆନନ୍ଦ ତାହାର କ୍ଷୁଧା, ତୃଷ୍ଣା ଏବଂ ନିଦ୍ରା ହରି ନେଇଅଛି । ସନ୍ଧ୍ୟାବେଳକୁ ଚୁଲୀରେ କରେଇ ବସିଅଛି ଏ ପର୍ଯ୍ୟନ୍ତ ଓହ୍ଲା ହୋଇନାହିଁ । ଆରିଷା, କାକରା ପ୍ରଭୃତି ନାନା ପ୍ରକାର ପିଠା, ନାନା ପ୍ରକାର ଭଜା, ଚଡ଼ଚଡ଼ା ହୋଇ ସାରିଲାଣି । ତିନି ଚାରି ପ୍ରକାର ଚଟଣୀ ମଧ୍ୟ ବଟା ସରିଅଛି । ଯାତ୍ରାକାଳିମାନେ ଏ ସମସ୍ତ ପାଥେୟ ସ୍ୱରୂପ ନେଇଯିବେ ଏବଂ ସ୍ନାନ ଶେଷରେ ଉଦରନାମକ ଦେବତାଙ୍କୁ ସମର୍ପଣ କରିବେ । ରାତି ପାହିବାକୁ ଆହୁରି ଘଡ଼ିଏ ଅଛି, ଏହି ସମୟରେ ରୂପେଇ ଚାକରାଣୀ ଆଖି ମଳି ମଳି ଆସି କହିଲା–ବହୂ ମଣିମା, ତମେ କଅଣ ରାତିରେ ଶୋଇନାହଁ ? କାଲି ମୋ କପାଳରେ ଢେର ଗାଳି ଅଛି ।
ଶକୁନ୍ତଳା–କିଲୋ, ତୋ କପାଳରେ ଗାଳି ଅଛି କାହିଁକି, କିଏ ଗାଳି ଦବ ?

ରୂପେଇ–କଅଣ କହିବି, ବହୂ ମଣିମା ତମରି ଶ୍ୱଶୁର ପରି ମୋ ଶ୍ୱଶୁର ବି ମୋତେ ଖୁବ୍‌ଦେଖି ପାରୁଥିଲେ । କହିବା ବେଳକୁ କାନ୍ଦ ମାଡ଼ୁଛି । ହାୟ ମୁଁ ହୀନକପାଳୀ, ସେ ଶ୍ୱଶୁରକୁ ଖାଇ ପେଟ ପୂରେଇଲି ।

ଶକୁନ୍ତଳା–ଧାନ କୁଟୁ କୁଟୁ ମହାଭାରତ ଚର୍ଚ୍ଚା ! କିଏ କାହିଁକି ଗାଳିଦେବ ନା ଶ୍ୱଶୁର କଥା କହି ଶକେଇହେଲୁ ।

ରୂପେଇ–ଶୁଣତ ସାଆନ୍ତାଣୀ, ମୋ ଶଶୁର ତମରି ଘରେ ଜମିଦାର ନା ଜମାଦାର ଏହିପରି ଗୋଟାଏ କଅଣ ଚାକିରୀ କରିଥିଲେ । ଦେହ ତ ତମ୍ବାପାତିଆ ପରି ଦିଶୁଥାଏ । ଗର୍ଭଣୀ ଗାଈ ବି ଦେଖିଲେ ବାଟ ଛାଡ଼ିଦିଏ । ଚାଖଣ୍ଡେ ଲମ୍ବର ଜୁଆଳିଆ ନିଶ, ମୁହଁ ତ ଗୋଟାଏ ଚାପୁଲି ଅଟିକା ପରି । ବାପରେ, ଦେଖି ନ ଡରିବ କିଏ ?

ଶକୁନ୍ତଳା–ମରଣ ନାହିଁ ଲୋ ତୋତେ, ମୁଁ ପଚାରୁଛି କଅଣ, ତୁ ଶଶୁରର ରୂପଗୁଣ ବନେଇ ଚୁନେଇ ଗାଇ ବସିଲୁ ?

ରୂପେଇ–ନା, ସାଆନ୍ତାଣୀ ଚଳ ନାହିଁ, ଜାଣ ତ ମୁଁ ସବୁଦିନେ ଅଲାଗିଟେ । ହଁ କଅଣ କହୁଥିଲି ତି, ହଁ ହଁ ଦିନେ ତାଙ୍କ ପୁଅ ମାଛ ଦିଟା ବିଲରୁ ଆଣି ପକେଇଲା ଯେ, ମୁଁ ଯାଇ କେଳେଇ ବସିଲି । ଶଶୁର ଆସି ଦେଖି ମୋ ଶାଶୁକୁ ମାରନ୍ତି କି ନ ମାରନ୍ତି, ଇମିତି ହେଲେ । କହିଲେ–‘‘ମୋର ସୁକୁମାର ବହୂ, ସେ ମାଛ କେଳେଇବ, ତୁ କୁଆଡ଼େ ମରୁଥିଲୁ କି ? ଏହା ଶୁଣି ଶାଶୁ ତାଡ଼ରେ ଥରି ଥରି ପଳେଇଲେ, ଆଉ କଅଣ କହିବି ସାଆନ୍ତାଣୀଏ, ତମକୁ ମିଛ ମୋତେ ସତ, ମୁଁ ତ ଲାଜରେ କାନ୍ଥରେ ନେସି ହୋଇଗନି–ଆଉ କୁଆଡ଼େ ପଳେଇବାକୁ କଅଣ ବାଟ ଦୁଶିଲା ?

ଶକୁନ୍ତଳା–ହଁ ତୁ ଯିମିତି ସୁକୁମାରୀ ଗେହ୍ଲା କଅଁର, ସିମିତି ଲାଜକୁଳୀଟା, ଯା ଦୂର ହ, ପଳା ଏଠୁ, ମୋର କାମ ସବୁ ଭଣ୍ଡୁର କଲୁ ।

ରୂପେଇ–ରାଗୁଚ କି ବହୂ ମଣିମା, ସେଇଠୁ କଅଣ ହେଲା କି–ଦୁରକର ଦୁକୁତା ଟିକିଏ କାନିରେ ବାନ୍ଧିଥିନି । କାହିଁ ନାହିଁ ତ, ରାଣ୍ଡ ଆଣ୍ଠୁକୁଡ଼ୀ ପଦୀର କାମ; ସେଇ ତ ଫିଟେଇ ନେଇଚି, ମଲା ଦଶାଦିଆର–କଅଣ କହୁଥିନି ଫେର ପାଶୋରି ଗନି ହଁ ହଁ–

ଶକୁନ୍ତଳା–(ରୂପେଇ କଥା ନ ସରୁଣୁ ଧମକ ଦେଇ) ଚବିରୀଟା କେତେ ଚବର ଚବର ହଉଚୁ ଲୋ, କହିବୁ ତ କହ, ନ ହେଲେ ମୁଁ ଯାଉଛି–ମୋର ଢେର କାମ ।

 

ରୂପେଇ–ନା, ନା, ଶୁଣ ଶୁଣ, ସାଆନ୍ତାଣୀଏ କହୁଚି । ସଞ୍ଜବେଳେ ବାବା ସାଆନ୍ତେ କହିଥିଲେ, ‘‘ଖବରଦାର ରୂପେଇ, ବହୂଙ୍କୁ ମନା କରିବୁ ସେ ଉଜାଗର ହୋଇ ପିଠା ଫିଟା କିଛି କରିବେ ନାହିଁ–ଦେହ ଖରାପ ହେବ ।’’ ମୋ ନିଆଁ ମନରେ ନିଆ ଲାଗିଯାଉ, ମୁଁ ତା ପାଶୋରୀ ପକେଇ ତମକୁ କହି ନାହିଁ ।

 

ଶକୁନ୍ତଳା–ଏହି କଥା ନା, ହଉ, ବାବା ପଚାରିଲେ ତୁ କହିଚୁ ବୋଲି କହିବୁ ।

 

ଘିଅଗନ୍ଧରେ ଆକୃଷ୍ଟ ହୋଇ ଗୋଟାଏ କାଞ୍ଚିଆ ଭୁଆଁ ବିରାଡ଼ି ଆସି ପିଠା ପ୍ରତି ଲୋଲୁପ ଦୃଷ୍ଟି ପକାଇ ସେଠାରେ ବସିଥିଲା । କିଛି କ୍ଷଣ ପରେ ମନରେ କଅଣ ଭାବି ହାତଗୋଡ଼ ଯାକି ଆଖି ବୁଜି ବସିଲା । ବୋଧହୁଏ ଜପଧ୍ୟାନରେ ନିଯୁକ୍ତ ହେଲା । କିମ୍ବା ଅଫିମଖୋର ପରି ସ୍ୱର୍ଗରେ ଇନ୍ଦ୍ରପଦ ପାଇ ଦେବତାମାନଙ୍କ ପ୍ରତିପାଳନ ବିଷୟ ଭାବିବାକୁ ଲାଗିଲା । ଅଫିମଖୋରମାନେ ରାତି ସାରା ରାଜା ବାଦସାହ ହୋଇ ଚତୁର୍ଦ୍ଦଶ ଭୁବନରେ ଘୂରି ବୁଲନ୍ତି । ଏଣେ ଶକୁନ୍ତଳା ପିଠା ନେଇ ଶିକାରେ ରଖିଦେଲା । ତାହା ଦେଖି ବିରାଡ଼ିଟା ଗୋଟାଏ ଅବଜ୍ଞାସୂଚକ ହାଇ ମାରି ଅଭିମାନରେ ଉଠି ଚାଲିଗଲା । ବୋଧହୁଏ ଭାବିଲା, ‘‘ମନୁଷ୍ୟଗୁଡ଼ାକ ବଡ଼ ସ୍ୱାର୍ଥପର । ସେମାନଙ୍କର କୃତଜ୍ଞତା ଅଛି, ନା ଅତିଥିସତ୍କାର ଅଛି ? ଶିଷ୍ଟାଚାର ଅବା କାହୁଁ ଜାଣିବେ, ସେମାନଙ୍କର ତ ଆଉ ମାର୍ଜାର ମହାଗୋଷ୍ଠୀରେ ଜନ୍ମ ନୁହେଁ । ଆମ୍ଭେମାନେ ତାଙ୍କର କେତେ ଉପକାର କରୁଁ, ଦିନରାତି ତାଙ୍କ ଘରେ ପହରା ଦେଉଁ, ତାହା ସେ ଭୁଲିଯାଆନ୍ତି । ଆଛା, ଆମ୍ଭେମାନେ ମୂଷାବଂଶ ନିପାତ ନ କଲେ ଏମାନଙ୍କର ଲୁଗା ପଟା, ପେଡ଼ି ଆଡ଼ଖୁର ଚାଉଳ, ଧାନ କିଛି ରହନ୍ତା କି ? ହେଉ, ଆମ୍ଭେମାନେ ତ ପରୋପକାରୀ, ମନୁଷ୍ୟମାନେ ନ ପଚାରିଲେ ସୁଦ୍ଧା ଆମ୍ଭର ଧର୍ମ ତ କୁଆଡ଼େ ଯିବ ନାହିଁ । ‘‘ଧର୍ମୋ ରକ୍ଷତି ଧାର୍ମିକଂ’’ ମୁର୍ଖଗୁଡ଼ାକ ଏ ନୀତି ଶ୍ଳୋକର ମର୍ମ କାହୁଁ ଜାଣିବେ ?’’ ଏହି ସମୟରେ ମଧୁ ଆସି ସେଠାରେ ଉପସ୍ଥିତ ହେଲା । ପିଲାଟିର ମୁଖ ଆଉ ନେତ୍ର ପୁଲକୋଜ୍ଜ୍ୱଳ, ହସ୍ତପଦ ସଞ୍ଚାଳନ ଚଞ୍ଚଳମତିର ପରିଚାୟକ ଏବଂ ରୂପ ଗୁଣ ଶିମିଳିଫୁଲର ଉପମା ଧାରଣ କରିଅଛି । ମଧୁ ଆସି ନୂଆବହୂ ପାଖରେ ବସିଲା । ସେ ନୂଆବହୂ ଛଡ଼ା ସଂସାରରେ ଆଉ କାହାକୁ ଜାଣେନାହିଁ । ତାହାର ସବୁ ଅଳି ଅଜଟ ନୂଆବୋହୂ ପାଖରେ । ଶକୁନ୍ତଳା ସୁଦ୍ଧା, ତାହାକୁ ସ୍ନେହ କରେ । ମଧୁ କହିଲା–‘‘ନୂଆବୋହୂ, ଦଶଟା ଟଙ୍କା ଦିଅନ୍ତ ।’’ ଶକୁନ୍ତଳା ତାହା ମୁହଁକୁ ଆଶ୍ଚର୍ଯ୍ୟ ଦୃଷ୍ଟିରେ ଚାହିଁ ରହି କ୍ଷଣକ ପରେ ପଚାରିଲା–‘କି, ଟଙ୍କା କଅଣ ହେବ ?’

 

ମଧୁ–ଦାବା ଖେଳିବି, ଏକା ବାଜିକେ ତ ଦଶ ଟଙ୍କା ଜିଣି ଆଣିବି ।

 

ଶକୁନ୍ତଳା–ପାଠଶାଠ ତ ଚୁଲିକି ଗଲା, ଆଉ ସେ ଲକ୍ଷ୍ମୀଛଡ଼ା ଖେଳରେ ନ ମାତି କଅଣ କରିବ ?

 

ମଧୁ–ପାଠ କଅଣ ହେବ ନୂଆବହୂ, ତମେ ତ ପାଠ ପଢ଼ିନାହଁ, ତମଠୁ କଅଣ କାହାର ବୁଦ୍ଧି ପସନ୍ଦ ବେଶି ନା ?

 

ଶକୁନ୍ତଳା ଦେବର ମୁଖରୁ ନିଜର ପ୍ରଶଂସା ଶୁଣି ଲଜ୍ଜିତ ହୋଇ ହାସ୍ୟ ମୁଖରେ କହିଲା–‘‘ଟଙ୍କା ମୁଁ କେଉଁଠୁ ଆଣିବି ?’’

 

ମଧୁ–ହଁ ତମ ପାଖରେ ଅଛି । ମୋତେ ଉଧାର ଦିଅ, ମୁଁ କାଲି ଶୁଝିଦେବି ।

 

ଶକୁନ୍ତଳା–ଟଙ୍କା ମୋ ପାଖରେ ଅଛି ତମେ ଜାଣ ନା ? ଭାର ଘେନି–ଆସିବାବେଳେ ମୋ ମା ଯେଉଁ ପାଞ୍ଚଶ ଟଙ୍କା ଲୁଚେଇ କରି ଦେଇଥିଲେ, ମୁଁ ତହିଁ ଆରଦିନ ତମ ବାପାଙ୍କ ଜିମା କରିଦେଲି । ମାଇପି ଲୋକ, ମୁଁ ଟଙ୍କା ରଖି କଅଣ କରିବି ?

 

ମଧୁ–ତେବେ ଭାଇଙ୍କ ବାକ୍‌ସରୁ ଦିଅ ।

ଶକୁନ୍ତଳା–ଭାଇ କଅଣ ବାକ୍‌ସ କଞ୍ଚିକାଠ ମୋତେ ଦେଇଛନ୍ତି ?

 

ପଇସାଟାଏ ଉପାର୍ଜନ କରିବାର ଶକ୍ତି ନାହିଁ, ଆହୁରି ଘରୁ ନେଇ ଉଡ଼େଇବ ? ଏ ଉଜୁଡ଼ା ବୁଦ୍ଧି କାହିଁକି ଧରୁଛ ?

 

ମଧୁ–(ଉତ୍ତେଜିତ ହୋଇ) କି, ମୋର କଅଣ ଭାଗ ନାହିଁ ?

ଶକୁନ୍ତଳା–ଭାଗ ଥିଲେ ତମ ଭାଇଙ୍କଠୁ ନବ ନା, ମୋଠୁଁ ନବ ?

 

ମଧୁ ଏଥର ଆଉ କ୍ରୋଧ ସମ୍ଭାଳି ପାରିଲା ନାହିଁ । ପାଖରେ ଗୋଟାଏ ଖାଲି ହାଣ୍ଡି ଥୁଆ ହୋଇଥିଲା । ତାହାକୁ ଧରି କଚାଡ଼ି ଦେଇ କହିଲା–‘‘ଯା, ଆଉ ପିଠାଫିଟା କିଛି ଖାଇବି ନାହିଁ-।’’ ହାଣ୍ଡିଟା ଭାଙ୍ଗି ଛତୁ ହୋଇଗଲା । ଖଣ୍ଡେ ଖପରା ଛିଡ଼ିକି ଯାଇ ଶକୁନ୍ତଳାର କପଳାରେ ପଶିଯାଇ ଧାରଧାର ହୋଇ ରକ୍ତ ବହିଲା । ଶକୁନ୍ତଳା ହଠାତ୍‌ ତଳେ ବସି ପଡ଼ିଲା । ସେ କିଛି ନ କହୁଣୁ ରୂପେଇ ଚିତ୍କାର କରି କହିଲା–‘ତମେ କେଡ଼େ ବାଲିଙ୍ଗିଦାର ହେଇଚ, ଆଛା ଆଜି ବାବା ସାଆନ୍ତେ ଆସନ୍ତୁ, ସବୁ କହିବି । ବହୂଟାକୁ ମାରି ଲହୁଲୁହାଣ କରି ପକାଇଲ !’’ ମଧୁର ରୂପେଇ କଥାକୁ ଲକ୍ଷ୍ୟ ନାହିଁ । ସେ ନୂଆବୋହୂ ମୁଣ୍ଡରେ ରକ୍ତ ଦେଖି ତାଟଙ୍କା ହୋଇଗଲାଣି । କାଳେ ବାପ ଭାଇ ଆସି ଏ ଘଟଣା ଦେଖନ୍ତି, ଏହି ଭୟରେ ଘରୁ ବାହାରି ପଳାଇଗଲା । ତାହାର ତ କାହାରି ପ୍ରତି ମାୟା ସେତେ ନାହିଁ ! ଯାହା ବା ଟିକିଏ ଥିଲା, ଏହି ଘଟଣାରେ ତାହା ଆହୁରି ଦୂରକୁ ଘୁଞ୍ଚିଯାଇ ତାହାର ଗୃହତ୍ୟାଗର ପଥ ଉନ୍ମୁକ୍ତ କରିଦେଲା । ସମସ୍ତଙ୍କ ଯିବା ପୂର୍ବରୁ ସେ ଏକାକୀ ଚକ୍ରତୀର୍ଥା ଅଭିମୁଖରେ ଧାନମାନ ହେଲା ।

•••

 

ଏକାଦଶ ପରିଚ୍ଛେଦ

 

ପ୍ରଭାତ କାଳରେ ଶତମୁଖୀ ଜନସ୍ରୋତ ପର୍ବତ ଆଡ଼କୁ ଧାବିତ ହେଲା । ଆଜି ପର୍ବତ ଉପରେ ନର ସମୁଦ୍ରର ସୃଷ୍ଟି । ଜୀବନର ପରିଣାମରେ ଆତ୍ମା ଏହିପରି ମୃତ୍ୟୁ-ସମୁଦ୍ର ଆଡ଼କୁ ଧାବିତ ହୁଏ । ମୃତ୍ୟୁ ମାନବର ପରମ ହିତୈଷୀ । ସେ ମାନବକୁ ପବିତ୍ର କରି ତାହାକୁ ଉର୍ଦ୍ଧ୍ୱଲୋକ ଗମନର ଉପଯୁକ୍ତ କରିଦିଏ । ଅର୍ଥାତ୍‌ ମୃତ୍ୟୁଗଙ୍ଗାରେ ସ୍ନାନ କରି ମାନବ ସ୍ୱଚ୍ଛ ବିଶୁଦ୍ଧ ରୂପ ଧରଣପୂର୍ବକ ଅମୃତ ରାଜ୍ୟର ଯାତ୍ରୀ ହୁଏ । ପର୍ବତର କି ଗମ୍ଭୀର ମହାଦୃଶ୍ୟ, ସେ ବିଶ୍ୱଭରା ସୌନ୍ଦର୍ଯ୍ୟ–ସମ୍ଭାରରେ ଉଛୁଳି ପଡ଼ୁଛି । ଏ ପର୍ବତ କେବଳ ପ୍ରସ୍ତର ସ୍ତୂପ ନୁହେ, ଏଠାରେ ପ୍ରକୃତିର ଅନନ୍ତ ବିଭବ, ଅତୁଳ ଐଶ୍ୱର୍ଯ୍ୟ ସ୍ତୂପୀକୃତ ହୋଇ ରହିଅଛି । ବୃକ୍ଷମାନେ ଦେହରେ ଦେହେ ଫୁଲ ଗହଣା ପିନ୍ଧି ସଚଳ ସମୀରରେ ଶଖାପତ୍ର ହଲାଇ ଖେଳୁଅଛନ୍ତି, ପକ୍ଷୀମାନେ ଶାଖାରେ ବସି ପ୍ରଭାତୀ ସଙ୍ଗୀତ ବିଭାଷ ରାଗରେ ଗାନ କରୁଅଛନ୍ତି, ପବନ ପୁଷ୍ପବାସ ବିତରଣ କରୁଅଛି ବୃକ୍ଷମାନେ ତାକୁ ବିତରଣର କ୍ଷମତା ଦେଇଅଛନ୍ତି । ଅଧିକାର ପାଇ ସେ ଦାତା କର୍ଣ୍ଣ ପରି ମୁକ୍ତ ହସ୍ତରେ ବିତରଣ କରୁଅଛି । କିଛିକ୍ଷଣ ପରେ ସୂର୍ଯ୍ୟ ଉଦିତ ହେଲେ । ପ୍ରକୃତିଦେବୀ ମାତୃସ୍ନେହର ଜ୍ୟୋତିର୍ମୟ ହସ୍ତ ବୃକ୍ଷଶିରରେ ବୁଲାଇ ଦେଲେ । ସେହି ହସ୍ତସ୍ପର୍ଶରେ ବୃକ୍ଷଶିର ଜ୍ୟୋତିର୍ମୟ ଦିଶିଲା । ଯେମନ୍ତ କି ବୃକ୍ଷମାନେ ସ୍ୱର୍ଣ୍ଣ ମୁକୁଟ ପିନ୍ଧି ହସି ଉଠିଲେ । ସୂର୍ଯ୍ୟ କ୍ରମଶଃ ଉପରକୁ ଉଠନ୍ତେ ତରୁଲତାମାନେ ଆପାଦମସ୍ତକ ଜ୍ୟୋତିର୍ବିମଣ୍ଡିତ ହେଲେ, ଯେମନ୍ତ କି ସମସ୍ତେ ଉତ୍ସବ-ସାଜରେ ସଜ୍ଜିତ ହେଲେ । ଯାତ୍ରୀମାନେ ମୃଦଙ୍ଗ, ଝାଞ୍ଜ, କରତାଳ ବଜାଇ ହରି ସଂକୀର୍ତ୍ତନ କରି କରି ଗିରିବକ୍ଷରେ ଅଗ୍ରସର ହେବାକୁ ଲାଗିଲେ । ଏଥିରେ ଦୁଇଟି ଉପକାର । ହରିନାମ ସଂକୀର୍ତ୍ତନ ହୁଏ ଏବଂ ବାଦ୍ୟର ଗହଳ ଶବ୍ଦ ଶୁଣି ହିଂସ୍ରପଶୁମାନେ ପର୍ବତ ଛାଡ଼ି ପଳାଇ ଯାଆନ୍ତି । ପାର୍ବତ୍ୟ ପଥ ବନ୍ଧୁର କେଉଁଠାରେ ଉଠାଣିଆ, କେଉଁଠାରେ ବା ଗଡ଼ାଣିଆ, ମାତ୍ର ପ୍ରକୃତିର ରୁଦ୍ରସୁନ୍ଦର ହୃଦୟହର୍ଷିଣୀ ମହାଦୃଶ୍ୟରାଜି ପଥକ୍ଳେଶ ହରିନିଏ । ପଥିମାନେ ନାନାଦୃଶ୍ୟ ଦେଖି ଦେଖି ଚୂଡ଼ା ପରେ ଚୂଡ଼ା ପାରହୋଇ ଚାଲିଅଛନ୍ତି । ଉଠାଣିଆ ପଥା ମାରୁଘାସମୁଟା ସାହାଯ୍ୟରେ ଉଠିବାକୁ ହୁଏ । ଘାସ ଜୁଣ ଘାସ ପରି ଲମ୍ବା । ଯେଉଁଠାରେ ତରୁଲ କିମ୍ବା ଅନ୍ୟ ପ୍ରକାର ତୃଣ ଜନ୍ମେ ନାହିଁ, ସେଠାରେ ମାରୁଘାସ ଜନ୍ମେ । ମରୁ ପରି ସ୍ଥାନରେ ଜନ୍ମେ ବୋଲି ଏହାର ନାମ ମାରୁ ହୋଇଅଛି ପର୍ବତର କେଉଁଠାରେ ବ୍ୟାଘ୍ର ହରିଣ ବଧ କିଛି କିଛି ଉଦରସ୍ଥ କରି ଅବଶିଷ୍ଟ ଛାଡ଼ି ଯାଇଅଛି । କେଉଁଠାରେ ହସ୍ତିଯୂଥ ଅରଣ୍ୟ ଆନ୍ଦୋଳନପୂର୍ବକ ଛାରଖାର କରି ଦେଇ ଯାଇ ଅଛନ୍ତି । ଦନ୍ତାବଳମାନଙ୍କର ଦନ୍ତାଘାତରେ ବୃକ୍ଷ କ୍ଷତବିକ୍ଷତ ହୋଇଅଛି । କ୍ଷତସ୍ଥାନରୁ ଅନର୍ଗଳ କ୍ଷୀର ବହି ପଡ଼ୁଅଛି କେଉଁଠାରେ ଡାକୁଆଶୁଣୀ ଠାକୁରାଣୀଙ୍କ ଆସ୍ଥାନ ସମ୍ମୁଖରେ ଭଗ୍ନ ବୃକ୍ଷଡାଳ ସ୍ତୂପୀକୃତ ହୋଇ ରହିଅଛି । ପଥିକମାନେ ଡାଳ ଭାଙ୍ଗି ସେଠାରେ ପକାଇ ସେହି ସ୍ତୁପକୁ ଆହୁରି ପୃଥୁଳତର କରୁଅଛନ୍ତି । ଏହି ଦେବୀ ଭୋଗ ବା ବଳିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଖଣ୍ଡିଏ ଡାଳ ଭାଙ୍ଗି ଆଗରେ ପକାଇଲେ ସନ୍ତୋଷ ଲାଭ କରନ୍ତି । ପର୍ବତର କେଉଁ ଅଂଶରେ ଝର୍ଝର ଶବ୍ଦରେ ଝରଣା ବୋହି ଯାଉଅଛି । କେଉଁ ଅଂଶରେ ଅଶୋକ ମୁଚୁକୁନ୍ଦ, ଟାଙ୍ଗିଣି ଓ ଚମ୍ପା ପ୍ରଭୃତି ବୃକ୍ଷମାନ ନୀରନ୍ଧ୍ରିତ ହୋଇ ରହିଅଛନ୍ତି । କେଉଁଠାରେ କେନ୍ଦୁ, ନାରଙ୍ଗ ଓ ବଣଆଉ ଫଳଭାରରେ ଆନତ ହୋଇ ରହିଅଛି । କେଉଁଠାରେ ବିଶାଳ ଶିଳାଖଣ୍ଡ ବିସ୍ତୀର୍ଣ୍ଣ ହୋଇ ପଡ଼ିଛି । ଶତ ଶତ ଯାତ୍ରୀ ତାହା ଉପରେ ଶୟନ ଉପବେଶନ କରି ପଥକ୍ଳାନ୍ତି ଦୂର କରୁଅଛନ୍ତି । ଏହିପରି ପର୍ବତରେ ବିରାଟ ଦୃଶ୍ୟର ବିରାଟ ହାଟ ବସିଯାଇଅଛି । ଆଷାଢ଼ମାସ, ମାତ୍ର ବର୍ଷା ନାହିଁ; କ୍ରମଶଃ ସୂର୍ଯ୍ୟତେଜ ପ୍ରଖର ହୋଇଉଠିଲା । ଆକାଶରୁ ଅଗ୍ନି କଣା ଝରି ପଡ଼ୁଅଛି । ପର୍ବତର ରକ୍ତ ବାଷ୍ପ ହୋଇ ଉଡ଼ିଯାଉଅଛି ଏବଂ ଶୈଳ ବକ୍ଷରୁ ଉଷ୍ଣ ନିଃଶ୍ୱାସ ନିର୍ଗତ ହେଉଛି । ଆକାଶ ମୌନ, ପର୍ବତ ମୌନ, ଜୀବଜନ୍ତୁ ମୌନ । ସେହି ମହାମୌନତା ମଧ୍ୟରୁ କି ଏକ ମୁଖର କାହାଣୀ ନିର୍ଗତ ହେଉଅଛି । ଯେମନ୍ତ ବୋଧହୁଏ, ତାହା ଅଶବ୍ଦର ଶବ୍ଦ କିମ୍ବା ନିନ୍ତବ୍‌ଧତାର ଅମର ସଙ୍ଗୀତ । ସେଥିରେ ଛନ୍ଦ ନାହିଁ, ସ୍ୱର ନାହିଁ, ଭାଷା ନାହିଁ; ମାତ୍ର ଅତି ଭୀଷଣ ମଧୁର । ସହସ୍ର ସହସ୍ର ଧାନବୁଣା କୀଟର ଶବ୍ଦ ପର୍ବତର କେଉଁ ଅଂଶରେ କର୍ଣ୍ଣ ବିଦୀର୍ଣ୍ଣ କରୁଅଛି, ଯେମନ୍ତ କି କେଉଁ ସୁଦୂର ପ୍ରଦେଶରୁ କୋଟି କୋଟି ବାଦ୍ୟଯନ୍ତ୍ରର ଏକତାନ ଶବ୍ଦ ଶୁଣାଯାଉଅଛି । ପର୍ବତର କେଉଁ ଅଂଶ ଭାରି ଶୀତଳ, ବୋଧହୁଏ, ତାହା ମାଘମାସର ଚିର ବାସସ୍ଥଳ । ସେ ସ୍ଥାନ ଜନ୍ମକାଳରୁ ସୂର୍ଯ୍ୟଚନ୍ଦ୍ରର ମୁଖାବଲୋକନ କରି ନାହିଁ-। କେଉଁ ଅଂଶ ବା ଠିକ୍‌ ତାହାର ବିପରୀତ । ସେଠାରେ ଚାଲିବା ବେଳେ ଗୋଡ଼ ତଳିପାରେ ଫୋଟକା ବାହାରି ପଡ଼ୁଅଛି । କେଉଁଠାରେ ସୂର୍ଯ୍ୟକିରଣ ନିର୍ଝର-ସ୍ରୋତରେ ସନ୍ତରଣ କରି ଖେଳୁଅଛି ଏବଂ ଜଳରେ ସ୍ୱର୍ଣ୍ଣବେଣୀ ସର୍ଜନା କରୁଅଛି । ସେ ବେଣୀ ଉପରେ ତରୂଲତାଏ ପୁଷ୍ପାଞ୍ଜଳୀ ଢାଳୁଅଛନ୍ତି । ସେ ଅପୂର୍ବ ଶୋଭା ବିଲୋକନ କରି ସ୍ୱୟଂ ଶୋଭାଦେବୀ ସୁଦ୍ଧା ମୁଗ୍‌ଧ ନ ହୋଇ ରହିପାରିବେ ନାହିଁ ।

 

ପଥିକମାନେ ନାନା ବିଷୟରେ କଥୋପକଥନ କରି କରି ପଥ ଅତିକ୍ରାନ୍ତ କରୁଅଛନ୍ତି । ସେ ସମସ୍ତ ଶୁଣିବା ପାଠକମାନଙ୍କର ଉଚିତ ନୁହେଁ । କେବଳ ଦୁଇଜଣଙ୍କର କଥା ଉଲ୍ଲେଖଯୋଗ୍ୟ ବିବେଚନାରେ ତାହା ଉଲ୍ଲେଖ କରାଗଲା । ସେଥି ମଧ୍ୟରୁ ଜଣଙ୍କର ନାମ ଅଗାଧୁ ରାଉତ ଏବଂ ଅପରର ନାମ ମିଛୁ ପ୍ରଧାନ ।

 

ଅଗାଧୁ–ଦଣ୍ଡବତ ପ୍ରଧାନ ପୁଅ, ଘରର ସବୁ ଭଲ ତ ?

ମିଛୁ–ଦଣ୍ଡବତ, ହଁ ସମସ୍ତେ ଭଲ ଅଛନ୍ତି । ତମ ଘରେ–

ଅଗାଧୁ–ଆମର ଆଉ କଣ, ଦୁଃଖେ ସୁଖେ ପଡ଼ିଛୁଁ ।

ମିଛୁ–ତମ ଗାଁର ହାଲଚାଲ କଣ ?

ଅଗାଧୁ–ହାଲଚାଲ ଆଉ କଅଣ, ମକଦମ ଘରକଥା ତ ଶୁଣିଥିବ ।

 

ମିଛୁ ଆଶ୍ଚର୍ଯ୍ୟମିଶା ମୃଦୁ ହାସ୍ୟ ସହ ଜିଜ୍ଞାସୁ ଦୃଷ୍ଟିରେ ଅଗାଧୁର ମୁଖକୁ ଅନାଇ କହିଲା–‘କଅଣ କଅଣ, କାହିଁ–ମୁଁ ତ କିଛି ଶୁଣିନାହିଁ ।’

 

ଅଗାଧୁ–ଏଁ, ଚାରିଆଡ଼େ ହାଟ ବସିଛି, ତମେ ଶୁଣିନାହିଁ ? ନାସ ଅଛିନା, ଟିକିଏ ଦବତି-। ମିଛୁ ଅଣ୍ଟାରୁ ଦାନି ବାହାର କରି ଅଗାଧୁ ହାତରେ ଟିକିଏ ନାସ ଢାଳିଦେଲା । ଅଗାଧୁ ବିକୃତ ମୁଖଭଙ୍ଗୀ କରି ସଡ଼ସାଡ଼ ଶବ୍ଦରେ ତାହା ନାସାଗହ୍ୱରକୁ ପ୍ରେରଣ କରି ଶୁକ୍ଳ ଦନ୍ତପଂକ୍ତି ବିକାଶ ପୂର୍ବକ କହିଲା, ‘‘ଆଛା ନାସ ତ, ଖୁବ୍‌ କଡ଼ା । ଏ ଦୁକୁତା କଉଠୁଁ ଆଣିଥିଲ ବାବାଜି, ହାଟରୁ ନା ? ହାଟରେ ସେହି ଯେ ମଡ଼ମଡ଼ିଆ ଯାଦୁଆ ହୋଇ ଜଣେ ବିକେ, ତାହାରି ଦୁକୁତାକୁ ଉପମା ଦେବାକୁ ଆଉ ନାହିଁ । ଛଟାଙ୍କି ଦଶପଇସା ନିଏ, ହେଲେ କଅଣ ହେଲା, ଦୁକୁତା ଏକା ରଜାଖିଆ ଦୁକୁତା - ହାଟଯାକ ଦୁକୁତାର କାନ କାଟିଦବ । ରଘୁ ସାମୁଲ ଦୁକୁତା ଭଲ ବୋଲି କହନ୍ତି ସିନା, ତାହା କିଛି ନୁହେଁ–ଫସକା । ଆଉ ଦାମ ପୁଣି ତିନିଅଣା । ‘‘ନାମ ବଡ଼ା, ଦର୍ଶନ ଥୋଡ଼ା ।’’ ମୁଁ କହି ଦଉଚି, ଆଣିବ ଯେବେ ସେହି ଯାଦୁଆ କତିରୁ ଆଣିବ । ହଁ, କଅଣ କହୁଥିଲିତି–ମକଦମ ଘର କଥା । ଆମ ମକଦମ ବିଭା ହେଲେ ପରା । କନିଆ ଘର ଏକା ଖୁବ୍‌ ଠକେଇଛି ।’

 

ମିଛୁ–ବିଭା ହେଲେ,ଏ ବୁଢ଼ାକାଳରେ ନା ? ବଅସ ତିନିକୋଡ଼ି ହବ ଯେ ?

 

ଅଗାଧୁ–ତିନିକୋଡ଼ି ଏଗାର ନା, ତିନିକୋଡ଼ି ! ପୁଅ ଲାଗି ସେ କନିଆ ହୋଇଥିଲା, ପୁଅ ମନା କରିବାରୁ ବୁଢ଼ା ନିଜେ ବର ହୋଇପଡ଼ିଲେ ।

 

ମିଛୁ–ପୁଅ କାହିଁକି ମନା କଲା ?

 

ଅଗାଧୁ–ପୁଅ କହିଲା, ‘‘ତମେ ତ ଘୋଡ଼ା, ପାଲିଙ୍କି, ଜମିଦାରୀ ଯୌତୁକ ଲାଗି କଥା କରିଛ, ପୁଣି ଦୁଇଶ ଟଙ୍କା ବାଟ ଖର୍ଚ୍ଚ ଆଣିବ । ତାହା ଘର କଅଣ ଲୁଟି ଆଣିବ ନା ଟଙ୍କା ଲୋଭରେ ମୋତେ ବିକିରି କରିବ ? ମୁଁ ବିଭା ହେବି ନାହିଁ ।’’ ବାପ ପୁଅଙ୍କର ବିଖଡ଼ ହେଲା, ସେଇଠୁ ବୁଢ଼ା ନିଜେ ବିଭା ହୋଇ ପଡ଼ିଲେ ।

 

ମିଛୁ–ବୁଢ଼ାଟାକୁ ସେ କେମିତ ଝିଅ ଦେଲା । ଆହା, ଝିଅଟାକୁ ତଣ୍ଟି ଚିପି ନ ମାରି କଲବଲ କଲା ।

 

ଅଗାଧୁ–ସେ ଜାତିରେ ଊଣା, ନ ହେଲେ କାହିଁକି ଝିଅ ଦିଅନ୍ତା । ଆଉ ତାହା ତ ବିଧାତାର ଘଟସୂତ୍ର, ସେ ଅବା କଅଣ କରିବ ।

 

ମିଛ–କନ୍ୟାଘର ଠକେଇଲା କଅଣ ?

 

ଅଗାଧୁ–ଘୋଡ଼ା ଦେବି, ପାଲିଙ୍କି ଦେବି, ଜମି ଦେବି ବୋଲି ବେଦୀରେ କହିଲା; ମାତ୍ର ବିଭା ଶେଷରେ ଘୋଡ଼ାପାଇଁ ଦଶଟଙ୍କା, ପାଲିଙ୍କି ପାଇଁ ଦଶଟଙ୍କା, ଆଉ ଜମି ପାଇଁ ଦଶଟଙ୍କା ଏହିପରି ତିରିଶ ଟଙ୍କା ଥୋଇ ଦେଲା । ପଚାରିବାରୁ କହିଲା ମୁଁ ସିନା ଘୋଡ଼ା, ପାଲିଙ୍କି, ଜମିଦେବି ବୋଲି କହିଥିଲି, ଆଉ ପାଞ୍ଚଶ ଟଙ୍କାର ଘୋଡ଼ା ତିନିଶ ଟଙ୍କାର ପାଲିଙ୍କି ହଜାର ଟଙ୍କାର ଜମି ଦେବାକୁ ତ କିଛି ନାହିଁ । ଦଶ ଟଙ୍କାରେ କି ଘୋଡ଼ା ହୋଇପାରିବ ନାହିଁ ନା ପାଲିଙ୍କି ହୋଇପାରିବ ନାହିଁ ? ନ ନେଲେ ଚାଲିଯାଉ, ମୋ ଘରେ ମୋ ଝିଅ ରହିଲା । ମୋ ଝିଅ ଯାଇ କେତେଦିନ ତା ଘର କରନ୍ତା ? ସେ ତ ଆଉ ଚାରିମାସ କି ଛଅମାସରେ ମରିବ, ଝିଅ ରାଣ୍ଡଝିଅପଣେ ମୋ ଘରେ ଥାଉ; ଏମନ୍ତେ ବି ବେକରେ ବନ୍ଧା, ସେମନ୍ତେ ବି ବେକରେ ବନ୍ଧା ।

 

ମିଛୁ–ଶେଷରେ ଫେର୍‌ କଅଣ ହେଲା ?

 

ଅଗାଧୁ–ଆଉ କଅଣ ହେବ, ମକଦମଙ୍କର ଅତି ସିଆଣିଆପଣ ବାହାରିଗଲା, କାନମୁଣ୍ଡା ଆଉଁଷି ଘରକୁ ଆସିଲେ ।

 

ମିଛୁ–ତିରିଶ ଟଙ୍କାଟି ଆଣିଲେ ନା ଛାଡ଼ିଦେଇ ଆସିଲେ ?

 

ଅଗାଧୁ–ଏଁ, ତାକୁ ପୁଣି ଛାଡ଼ି ଆସିବେ, ଘର ପୋଡ଼ିରୁ ଯାହା ମିଳିଲା ସେହି । ଗୋଟେ ପଇସା ଯାର ମା ବାପ, ସେ ପରା ତିରିଶ ଟଙ୍କା ଛାଡ଼ି ଆସିବ ? ଆଉ କୋଡ଼ି କଚାଡ଼ି ହେଲେ ଶୁଣୁଛି ବା କିଏ ?

 

ମିଛୁ–ବୁଢ଼ାକାଳେ ଖୁବ୍‌ ପଟେ ହଟହଟା ହେଲା । ଛି ଲାଜ ନାହିଁ, ମରିବା ବେଳକୁ ପରିବା କଟା । କନ୍ୟା ଫେର୍‌ କେଉଁଠି ରହିଲା ?

 

ଅଗାଧୁ–କନ୍ୟା ତା ବାପ ଘରେ । ଏ ପରା କନିଆଁକୁ ନ ଆଣି ରାଗିକରି ଚାଲି ଆସିଲେ । ଦାନ ଯୌତୁକ ମିଳିବ ବୋଲି କନ୍ୟାକୁ ଆଗତୁରା ପାଞ୍ଚଶ ଟଙ୍କାର ଗହଣା ଦିଆଯାଇଥିଲା, ତାହା ବି ଗଲା ।

 

ମିଛୁ–ହରିବୋଲ, ତାହା ବି ଗଲା ! ଆଛା ହେଲା, କୃପଣର ଦିଗୁଣ କ୍ଷୟ । ଆଛା, କନ୍ୟା-ବାପ ନାଁରେ ଦାବୀ–ଦରକାର କଲାନାହିଁ ?

 

ଅଗାଧୁ–ଦାବୀ ଦରକାର କଲେ ଟଙ୍କା ଖର୍ଚ୍ଚ ହେବନାହିଁ କି । ଏ ଗହଣା ଦାବି କଲେ ସେ ପୁଣି ଖୋରାକି ପୋଷାକିର ଦାବି କରିବ । ବୁଢ଼ା ବିଚାରା ଜୋକ ମୁହଁରେ ଲୁଣ ଦେଲାପରି ରହିଲା, ଆଉ କଅଣ କରିବ ?

 

ମିଛୁ - କହନ୍ତି ପରା, ବଡ଼ ଘରର ବଡ଼ କଥା । ଆମ ହାଟୁଆ ବାଟୁଆ ଜାତି ଆଉରି ସର୍ବଗୁଣେ ଭଲ । ବାପଙ୍କର ତ ଏ କୀର୍ତ୍ତି ଆଉ ପୁଅଙ୍କର ସମାଚାର କଅଣ ?

 

ଅଗାଧୁ–ପୁଅତ ଗୋଟେ ସୁନାମୁଣ୍ଡା । ସେ ଅଲଗା ହୋଇ ରହିଛି, ମା ତାହାରି ଆଡ଼େ-। ଖାଲି ବୁଢ଼ା ହରବରରେ ପଡ଼ିଛି ।

 

ବୁଢ଼ାର ଚରିତ୍ର ସମ୍ବନ୍ଧରେ ଆହୁରି ଅନେକ କଥା ହେଲା; ମାତ୍ର ସେ ଶିଷ୍ଟାଚାର ବିରୁଦ୍ଧ କଥା ଶୁଣିଲେ ପାଠକମାନେ ବିରକ୍ତ ହେବେ ଏବଂ ସାରସ୍ୱତ ଲେଖନୀ ମଧ୍ୟ କଳଙ୍କିତ ହେବ । ସୁତରାଂ ସେ ଅରୁଚିକର ପ୍ରସଙ୍ଗ ପରିତ୍ୟକ୍ତ ହେଲା ।

 

ଦିନ ଦଶଘଡ଼ିବେଳେ ସୀତାକୁଣ୍ଡ–ଉପତ୍ୟକା ସ୍ନାନଯାତ୍ରୀରେ ପୂର୍ଣ୍ଣ ହୋଇଗଲା । ଏହି ଉପତ୍ୟକା ତିନିଗୋଟି ପର୍ବତ ମଧ୍ୟରେ ଅବସ୍ଥିତ । ଉପତ୍ୟକା ମଧ୍ୟରେ ଗୋଟାଏ ନାତିବୃହତ୍‌ କୁଣ୍ଡ ଅଛି, ତାହାର ନାମ ସୀତାକୁଣ୍ଡ । ଏହି କୁଣ୍ଡ ଗରୁଡ଼ର ଥଣ୍ଟାଘାତରେ ଉତ୍ପନ ବୋଲି କିମ୍ବଦନ୍ତୀ ଅଛି । ଗରୁଡ଼ କେଉଁ ସମୟରେ କାହିଁକି ଆସି ଥଣ୍ଟାଘାତ କରିଥିଲା, ତାହା କାହାରି ପରିଜ୍ଞାତ ନୁହେଁ; ମାତ୍ର ଗରୁଡ଼ ଥଣ୍ଟାଘାତ କରିଥିବା କଥା ସତ୍ୟ; ଏହା ନିଃସନ୍ଦେହ । କୁଣ୍ଡଟି ସମଚତୁରସ୍ର । ତାହାର ଗଭୀରତା ଅବଧି କେହି କଳି ପାରିନାହାନ୍ତି । କଥିତ ଅଛି, କାଷ୍ଠଜୀବୀମାନେ ଥରେ ଅଶୀହସ୍ତପରିମିତ ଲତାରେ ପ୍ରସ୍ତର ବାନ୍ଧି କୁଣ୍ଡରେ ପକାଇଥିଲେ; ମାତ୍ର ତାହା ତଳ ସ୍ପର୍ଶ କଲାନାହିଁ-। ଏହାର ସୀତାକୁଣ୍ଡ ନାମର କାରଣ ସମ୍ବନ୍ଧରେ କିମ୍ବଦନ୍ତୀ ନୀରବ । କୁଣ୍ଡର ଦକ୍ଷିଣକୁ ଗୋଟାଏ ଗୁମ୍ଫା ଅଛି, ତାହାକୁ ସୀତାଙ୍କ ଅନ୍ତୁଡ଼ିଶାଳ କହନ୍ତି । ବର୍ତ୍ତମାନ ତାହା ଭଲ୍ଲୁକ ବଂଶର ଅନ୍ତୁଡ଼ିଶାଳ ହୋଇଅଛି । ଗୁମ୍ପାର ଗର୍ଭ ଭୀଷଣ ଅନ୍ଧକାରମୟ । ସୀତା ମିଥିଳାର ଭୂଗର୍ଭରୁ ଜାତ ହେବା କଥା ପୁରାଣ ପ୍ରସିଦ୍ଧ; ମାତ୍ର ଶ୍ୱାପଦସଙ୍କୁଳ ଭୟଙ୍କର ସ୍ଥଳରେ ତାଙ୍କର ଅନ୍ତୁଡ଼ିଶାଳ କିପରି ହେଲା, ତାହା ଏକ ବିଷମ ସମସ୍ୟା । ଗୁମ୍ପା ଉପରେ ଖଣ୍ଡିଏ ବିଶାଳ ପ୍ରସ୍ତରର ଆସ୍ତରଣ ଅଛି । ଯାତ୍ରାଦିନ ସେଥିରେ ଗୁଡ଼ିଆ ଏବଂ ପାନଦୋକାନୀମାନେ ପଶରା ବାଢ଼ି ବସନ୍ତି । କୁଣ୍ଡର ଗୋଟାଏ ପାଖ ପର୍ବତ ଗୃହର କାନ୍ଥ ପରି ସଳଖ ଭାବରେ ଉଠି ଯାଇଅଛି । ତାହାର ଉଚ୍ଚତା ପ୍ରାୟ ୫୦ ହାତ ହେବ । ତାହାର ଚୂଡ଼ା ଅଧିତ୍ୟକା ପରି ବିସ୍ତୀର୍ଣ୍ଣ ପରିସରଯୁକ୍ତ । ଅନେକଗୁଡ଼ିଏ ଝରଣାର ଜଳ ଏକତ୍ରିତ ହୋଇ ସେହି ବାଟେ ବହିଆସେ ଏବଂ କୁଣ୍ଢେ ମୋଟର ଗୋଟାଏ ଜଳପ୍ରପାତ ଡେଇଁପଡ଼ି କୁଣ୍ଡରେ ଆସି ପଡ଼େ । ସେହି ଜଳସ୍ତମ୍ଭ ସୂର୍ଯ୍ୟୋଦୟ ସମୟରେ ଶବଳିତ ଦେଖାଯାଏ । ପ୍ରତେ ହୁଏ, ଯେପରି ପ୍ରକୃତି ଦେବୀ ଇନ୍ଦ୍ରଧନୁକୁ ସଳଖାଇ କୁଣ୍ଡ-ପଥରେ ପ୍ରଚଣ୍ଡ ଧୁ ଧୁ ଶବ୍ଦ ପର୍ବତରୁ ସହସ୍ର ପ୍ରତିଧ୍ୱନି ଜାତକରି ଧ୍ୱନି ପ୍ରତିଧ୍ୱନି ମିଶି ଏପରି ପୃଥୁଳ ହୁଏ ଯେ, ତାହା ପ୍ରଳୟକାଳୀନ ଘନ ଗର୍ଜନକୁ ବଳିଯାଏ । ପ୍ରପାତର ଜଳ ସମତଳ ଭୂମିରେ କ୍ଷୁଦ୍ରନଦୀ ଆକାରରେ ପ୍ରବାହିତ ହୋଇ ବୈତରଣୀରେ ପତିତ ହୁଏ । କୁଣ୍ଡର ଅନ୍ୟ ଦୁଇ ପାଖର ପର୍ବତ ଖୁବ ଗଡ଼ାଣିଆ । ସେହି ଗଡ଼ାଣିଆ ସ୍ଥଳରେ ଅନେକ ବଡ଼ ବଡ଼ ବୃକ୍ଷ ପରସ୍ପର ଶାଖା-ହସ୍ତ ଛନ୍ଦାଛନ୍ଦି ହୋଇ ଦଣ୍ଡାୟମାନ । କରି-ଯୂଥ ସେହି ବୃକ୍ଷକୁ ଶୁଣ୍ଢରେ ଧରି ତଳକୁ ଓହ୍ଲାଇ ଆସନ୍ତି ଏବଂ କୁଣ୍ଡରେ ଜଳକେଳି ସମାପ୍ତ କରି ପୁଣି ସେହିପରି ଭାବରେ ପର୍ବତ ଉପରକୁ ଉଠିଯାଆନ୍ତି । ପ୍ରପାତର ନାମ ଆକାଶ-ଗଙ୍ଗା । ବୋଧହୁଏ ଜଳସ୍ତମ୍ଭ ବହୁ ଊର୍ଦ୍ଧ୍ୱଦେଶରୁ ଆକାଶ ଭେଦ କରି ଆସିବାରୁ ଏରୂପ ନାମକରଣ ହୋଇଅଛି ।

 

ତିନି ପ୍ରହର ସମୟରେ ସ୍ନାନଯୋଗ ପଡ଼ିଲା । ଯାତ୍ରୀମାନେ ହରିବୋଲ ହୁଳାହୁଳୀ ଶବ୍ଦ କରି ସୀତାକୁଣ୍ଡରେ ସ୍ନାନ କରିବାକୁ ଲାଗିଲେ । ଘୋର ରବରେ ମୃଦଙ୍ଗ କରତାଳ ବାଜିଉଠିଲା । ସେହି ଗହଳ ଶବ୍ଦରେ ପ୍ରପାତର ଗର୍ଜନ ଛପିଗଲା । ପରଧର୍ମରେ ତାହାର ଆତ୍ମଧର୍ମ ବୁଡ଼ିଯାଇ ମିଳେଇଗଲା । ପର୍ବତ କମ୍ପି ଉଠିଲା, ସେହି କମ୍ପନ ଅନୁଭବ କରି ଶୈଳଚାରୀ ଜନ୍ତୁବର୍ଗ ଭୟରେ ଚକ୍ଷୁ ବୁଜିଲେ । ପକ୍ଷୀମାନେ ଆର୍ତ୍ତ କଳରବ କରି ପର୍ବତରୁ ଉଡ଼ି ପଳାଇଲେ । ଏହି ସମୟରେ ଆକାଶରେ ଖଣ୍ଡିଏ କ୍ଷୁଦ୍ର ମେଘ ଉଠିଲା । ଦେଖୁ ଦେଖୁ ତାହା ବିସ୍ତୀର୍ଣ୍ଣ ହୋଇ ସମଗ୍ର ଆକାଶକୁ ଗ୍ରାସ କରି ପକାଇଲା । ମୁହୂର୍ତ୍ତକ ମଧ୍ୟରେ ଘୋର କୃଷ୍ଣତା ଏବଂ ସ୍ନିଗ୍‌ଧତା ସେହି ମେଘର ସାରା ଶରୀରକୁ ନିବିଡ଼ ଭାବରେ ଆଲିଙ୍ଗନ କରି ବସିଲା । କଳାମେଘ-ବକ୍ଷରେ ବିଜୁଳି ଘନଘନ ଅଗ୍ନିରେଖା ଟାଣିବାକୁ ଲାଗିଲା । ତାହା ଦେଖି ବୋଧହେଲା, ଯେମନ୍ତ କି ଦିବଙ୍ଗନାମାନେ ଆକାଶ ବକ୍ଷରେ ସ୍ୱର୍ଣ୍ଣଜଳରେ ଦିବ୍ୟ ଆଲେପନ * ଅଙ୍କନ କରୁଅଛନ୍ତି । ପବନ କ୍ରୁଦ୍ଧ ସର୍ପ ପ୍ରାୟ ସାଏଁ ସାଏଁ ସ୍ୱରରେ ଗର୍ଜ୍ଜି ଉଠିଲା । ଆହୋ, ପ୍ରକୃତିର କି ଉନ୍ମାଦ ନୃତ୍ୟ । କି ଲୋମହର୍ଷଣ ରୁଦ୍ର ସଙ୍ଗୀତ । ସେହି ମୂର୍ତ୍ତିମାନ ଉପଦ୍ରବ ଶରୀର ମଧ୍ୟରୁ ଆତ୍ମାକୁ ଉପାଡ଼ି ଛିଣ୍ଡାଇ ଖଣ୍ଡଖଣ୍ଡ କରିଦେଲା । ବିଭୀଷିକାର ବିକଟ କୁହାଟ ଗଗନପବନରେ ତରଙ୍ଗିତ ହୋଇ ଖେଳି ବୁଲିଲା । ଅଧିକନ୍ତୁ ମୂଷଳଧାରାରେ ବୃଷ୍ଟି ଢାଳିପକାଇ ଧ୍ୱଂସଲୀଳାର ଅଭିନୟ କରିବାକୁ ଲାଗିଲା । ସଙ୍ଗେ ସଙ୍ଗେ ସହସ୍ର ସହସ୍ର ଅଶନି-ନିନାଦ ହୃଦୟର ଧୈର୍ଯ୍ୟଗ୍ରନ୍ଥି ଛିନ୍ନ ଭିନ୍ନ କରି ଉଡ଼ାଇଦେଲା । ସତେ ଯେମନ୍ତ ସେହି କର୍ଣ୍ଣପଟହ-ବିଦାରୀ ମହାଶବ୍ଦରେ ଆକାଶ ଖଣ୍ଡ ଖଣ୍ଡ ହୋଇ ଫାଟି ଝଡ଼ିପଡ଼ିଲା । ଯାତ୍ରୀମାନେ କୋଳାହଳ କରିଉଠିଲେ । ତଡ଼ାତଡ଼ି, ଠେଲାଠେଲି, ମରାମରି ଲାଗିଗଲା । ସମସ୍ତେ ନିଜ ନିଜ ପ୍ରାଣ ରକ୍ଷା କରିବାକୁ ବ୍ୟସ୍ତ । ଏହି ସମୟରେ ସେହି ଉଦ୍‌ବେଳନର-ସମୁଦ୍ରରୁ ଗୋଟାଏ ଉତ୍ତାଳ ଲହରୀ ଉଠି ପ୍ରବଳ ବେଗରେ ଧାବମାନ ପୂର୍ବକ କାହାକୁ ଆଣି କେଉଁଠାରେ ପକାଇଲା, ସେଥିର ଇୟତ୍ତା ରହିଲାନାହିଁ । ମଡ଼ାଦଳା ଚକଟାଚକଟିରେ କାହାର ତାଳୁ ଫାଟିଲା, କାହାର ଗୋଡ଼ ଭାଙ୍ଗିଲା, କାହାର ଦାନ୍ତ ଝଡ଼ିଗଲା, କାହାର କଙ୍କାଳ ଜଖମ ହେଲା । ଆହତର କରୁଣ ଚିତ୍କାରରେ ଗୋଟାଏ ଶୋକ ଦୁଃଖର ସ୍ରୋତ ବହିଗଲା । କିଛି କ୍ଷଣପରେ ମେଘ ପବନ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ଆକାଶ ଶାନ୍ତଭାବ ଧାରଣ କଲା । ଯାତ୍ରୀମାନଙ୍କ ପିଣ୍ଡରେ ପ୍ରାଣ ପଶିଲା । ସେମାନେ ଦୁର୍ଗ୍ରହ କବଳରୁ ରକ୍ଷା ପାଇ ‘ତ୍ରାହି ମଧୁସୁଦନ’ ସ୍ମରଣ କଲେ । ତହୁଁ ଡକାଡକି ଖୋଜାଖୋଜି ଲାଗିଲା । କିଏ ପୁଅ ହଜାଇ କାନ୍ଦିଲା, କିଏ ସ୍ତ୍ରୀ ହରାଇ ହାହାକାର କଲା, କିଏ ବା ଅଳଙ୍କାର ହାଜାଇ ଝରିହେଲା । ଏହିପରି ପୁନଶ୍ଚ ଶୋକ-ରସର ଅଭିନୟ ଲାଗିଲା । କେବଳ ଶୋକ ନୁହେଁ, ଶୋକ ସଙ୍ଗେ ସଙ୍ଗେ ଅନୁତାପ ମଧ୍ୟ ମଥା ଟେକି ଠିଆହେଲା । ଯେ ପଡ଼ିଶାଠାରୁ ମଠାଶାଢ଼ୀ ମାଗି ପିନ୍ଧି ଆସିଥିଲା, ତଡ଼ାବଡ଼ିରେ ତାହା ଚିରିଯିବାରୁ ସେ ଅନୁତାପରେ ଦଗ୍‌ଧୀଭୂତ ହେଲା । ଯାହାର ଗହଣା ହଜିଲା, ଗୁରୁଜନମାନଙ୍କ ଗଞ୍ଜଣା ଭୟରେ ତାହାର ଅନୁତାପର ସୀମା ରହିଲା ନାହିଁ । ଯେ ନୂଆ ଜାଳିଟିଏ ଗତ କାଲି ହାଟରୁ କିଣି ଆଣିଥିଲା, ତାହାର ସେ ଜାଳିଟି ଭାଙ୍ଗିଯିବାରୁ ଜାଳି ଗୁଣ ସ୍ମରଣ କରି ଦେଢ଼ପଇସା ଅକାରଣ ପାଣିରେ ପଡ଼ିଲା ବୋଲି ସେ ବାହୁନି ହେଲା । ଯାତ୍ରା ମେଳା ପ୍ରଭୃତିରେ ଚୋର ଖଣ୍ଟମାନଙ୍କର ସମଧିକ ସୁବିଧା ହୁଏ । ଆନନ୍ଦରେ ସେମାନଙ୍କର ଛାତି କୁଣ୍ଢେମୋଟ ହୋଇଉଠିଲା । କିଏ କାହା କାନରୁ ସୁନାନୋଳୀ ଛିଣ୍ଡାଇ ନେଇ ଅଣ୍ଟିରେ ଖୋଷିଦେଇ ସାଧୁ ସଚ୍ଚରିତ୍ର ପରି ହୃଦୟ ଫୁଲାଇ ମନଫୁଲଣା ଗୀତ ଗାଇଲା । କିଏ ଚମ୍ପାକଢ଼ିମାଳ ଛେଡ଼େ ସାଉଣ୍ଟି ନେଇ ଅଖାଭିତରେ ଲୁଚାଇ ରଖି ଭଦ୍ରଲୋକ ପରି ହଜିବା ଲୋକ ନିକଟରେ ସହାନଭୂତି ଦେଖାଇ କଥା କହିଲା । ମାତ୍ର ନିଜେ ସିଆଣା ବୋଲି ମନେ ମନେ ନିଜକୁ ପ୍ରଶଂସା କରି ମୁରୁକି ହସା ଦେଲା । ଏହିପରି ଯାତ୍ରା ଦେଖାର ମଜା ସମସ୍ତେ ଉପଭୋଗ କରି ଘରକୁ ଫେରିଗଲେ ।

 

ମଧୁ ବେଳ ପ୍ରହରକ ସମୟରେ ଆସି ବାବାଜିଙ୍କ ପୂର୍ବନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହୋଇ ଆତ୍ମଗୋପନର ସୁବିଧାସ୍ଥଳ ଖୋଜିବାକୁ ଲାଗିଲା । ଦେଖିଲା, ଏକ ସ୍ଥାନରେ ଗୋଟାଏ କ୍ଷୁଦ୍ର ଗୁମ୍ଫା ଅଛି । ସେଥିରେ ଜଣେ ମନୁଷ୍ୟ ସ୍ୱଚ୍ଛନ୍ଦରେ ବସିପାରେ । କିନ୍ତୁ ସ୍ଥୂଳକାୟ ହେଲେ ଚଳିବ ନାହିଁ । ମଧୁ ଭାବିଲା–‘‘ଏହି ଗୁମ୍ଫା ଭିତରେ ବସି ଦ୍ୱାରରେ ଖଣ୍ଡେ ପଥର ଆଉଜାଇ ଦେଲେ ମତେ କେହି ଦେଖିପାରିବ ନାହିଁ ।’’ କଳ୍ପନାକୁ ଆକାର ପ୍ରଦାନ କରି ମଧୁସୂଦନ ଅତି ତ୍ୱରା କାର୍ଯ୍ୟ ସମାଧାନ କରିନେଲା । ପାଠପଢ଼ାରେ ସେ ଦୁର୍ବଳ ହେଲେହେଁ ଏହିପରି କାର୍ଯ୍ୟରେ ତାହାର ମସ୍ତିଷ୍କ ଖୁବ୍‌ ଉର୍ବର ଏବଂ ବୁଦ୍ଧି ପ୍ରଖର । ଖଳ ଲୋକ କଳହକୁ ଯେପରି ଚାହିଁ ବସିଥାଏ, ଜମିଦାର ଖଜଣା ଟଙ୍କାକୁ ଯେପରି ଚାହିଁ ବସିଥାଏ, କ୍ଷୂଧାତୁର ଭାତଥାଳୀ ଆସିବାକୁ ଯେପରି ଚାହିଁ ବସିଥାଏ ଅଥବା ଚୋର ଯେପରି ରାତ୍ରିକୁ ଚାହିଁ ବସି ଥାଏ, ମଧୁ ସେହିପରି ବାବାଜିଙ୍କ ଆଗମନକୁ ଚାହିଁ ବସି ଚିନ୍ତା-ହସ୍ତରେ ଆତ୍ମସମର୍ପଣ କଲା । ଘରଠାରେ ଯେଉଁ କୀର୍ତ୍ତି କରି ଆସିଅଛି, ସେ ଚିନ୍ତା–ବାବାଜି ଯଦି ନ ଆସେ, ତେବେ କଅଣ ହେବ–ଏହିପରି ନାନା ଚିନ୍ତାରେ ହାର ଗୁନ୍ଥିବାକୁ ଲାଗିଲା । ମଧ୍ୟେ ମଧ୍ୟେ ମସ୍ତିଷ୍କ ଗୋଳମାଳ ହୋଇ ଯାଉଥାଏ । ଚିନ୍ତାର ସୂତ୍ର ଛିଣ୍ଡି ଯାଉଥାଏ; ମାତ୍ର ପର ମୁହୂର୍ତ୍ତରେ ଆପେ ଆପେ ଯୋଡ଼ିହୋଇ ଯାଉଥାଏ । ଏଣେ ବଂଶୀଶବ୍ଦକୁ ମଧ୍ୟ ନିଘା ଦେଇଥାଏ । କେତେବେଳେ ଗୋପୀମୋହନ କୃଷ୍ଣଙ୍କର ଉଚ୍ଚାଟ ମୋହନବଂଶୀ ବାଜିଉଠିବ, ବିରହିଣୀ ରାଧିକାର ଚିତ୍ତ ନିନ୍ଦିତ ହେବ । ହା, ନିଷ୍ଠୁର କୃଷ୍ଣଙ୍କର ଏତେ ବିଳମ୍ବ କାହିଁକି ? ତୁମ୍ଭ ରାଧା ଯେ ଏଣେ ଅସମ୍ଭାଳ । ଚାଣ୍ଡେ ଶ୍ରୀମୁଖପଙ୍କଜ ଦେଖାଇ ତାହାର ନେତ୍ର ସାର୍ଥକ କର । ସାତ୍ତ୍ୱିକ ବିକାରରେ ସେ ବିଚାରୀ ଯେ ମଲା ଆସି । ବର୍ଷା ତୋଫାନ ପ୍ରତି ମଧୁର ଲେଶମାତ୍ର ଭ୍ରୂକ୍ଷେପ ନାହିଁ-। ସେ ତ ନିରାପଦ ଗୁମ୍ଫା ଗର୍ଭରେ ବୃଷ୍ଟି, ବଜ୍ର ତାହାର କଅଣ କରିପାରିବ ? କଥାରେ କହନ୍ତି–‘‘ବାଇ ଚଡ଼େଇର କଅଣ ଯାଏ, ବାଆ କଲେ ବସା ଦୋହଲୁଥାଏ ।’’ ପବନରେ ଅନ୍ୟାନ୍ୟ ପକ୍ଷୀର ଆପଦ; ମାତ୍ର ବାଇ ଚଡ଼େଇ ବସାରେ ବସି ସୁଖରେ ଦୋଳିଖେଳ ଖେଳେ । ଏକର ଯେଉଁଠାରେ ସର୍ବନାଶ, ଅନ୍ୟର ସେଠାରେ ପୌଷମାସ; ମଧୁ ଏଥିର ଦୃଷ୍ଟାନ୍ତ । ବର୍ଷାବେଳେ ବାହାରକୁ ଆସି ବାବାଜି ଆସିଲା କି ନାହିଁ ଦେଖି ଯିବାକୁ ମଧୁର ବହକ ଖଟିଲା ନାହିଁ । ପ୍ରକୃତିର ଉପଦ୍ରବ ବନ୍ଦ ହେଲାପରେ ତାହାର ଚିନ୍ତା ଭିନ୍ନମୁଖୀ ହେଲା । ସେ ଭାବିଲା, ଏ ଦୁର୍ଯୋଗରେ କି ବାବାଜି ବଞ୍ଚିଥିବ । ଏତେ ଗଛ ଉପୁଡ଼ି ପଡ଼ିଲା–ଏତେ ଡାଳ ଭାଙ୍ଗିଗଲା, ଗୋଟାଏ ଯଦି ତା ଉପରେ ପଡ଼ିଥିବ, ତେବେ ସେ ତ ପାର । ତାହାହେଲେ ମୋତେ ଟଙ୍କାଗଛ ଆଉ କିଏ ଦେଖାଇବ-? ବାବାଜିର ଏହିପରି ମଙ୍ଗଳ ଚିନ୍ତା କରି ସେ ନିରାଶ ହୋଇପଡ଼ିଲା । ତାହାର ହଲକ ଏକ ପ୍ରକାର ଉଡ଼ିଗଲା । ଏହି ସମୟରେ ବଂଶୀଧ୍ୱନି ଶୁଭିଲା । ମାୟାବିନୀ ଆଶା ଧାଇଁ ଆସି ମଧୁର ହାତ ଧରି ଉଠାଇନେଲା । ବ୍ୟାଧର ବଂଶୀ-ଶବ୍ଦରେ ମୃଗ ଉତ୍କଣ୍ଠିତ ହୋଇ ବନରୁ ବାହାରି ଆସିଲା ପ୍ରାୟ ସେ ଗୁମ୍ଫାରୁ ବାହାରି ଆସି ଦେଖିଲା, ସମ୍ମୁଖରେ ସଶରୀରେ ସ୍ୱୟଂ ବାବାଜୀ ଦଣ୍ଡାୟମାନ । ତାକୁ ଦେଖି ମଧୁର ଶୁଷ୍କ ଆଶାଲତା କଞ୍ଚେଇ ଉଠିଲା, ଯେ ଅଧୀର ଆନନ୍ଦରେ ବାବାଜିକୁ କୁଣ୍ଢାଇ ପକାଇଲା । ବାବାଜି ଟିକିଏ ହସି ଦେଇ ମଧୁକୁ କାନ୍ଧରେ ବସାଇ ନୀରବରେ ଅରଣ୍ୟ ଗର୍ଭରେ ଅନ୍ତର୍ଦ୍ଧାନ ହୋଇଗଲା ।

•••

 

ଦ୍ୱାଦଶ ପରିଚ୍ଛେଦ

 

ଶକୁନ୍ତଳା ସ୍ୱୀୟ ପ୍ରକୋଷ୍ଠ ମଧ୍ୟସ୍ଥ ପର୍ଯ୍ୟଙ୍କୋପରି ଏକାକିନୀ ଉପବିଷ୍ଟା । ଦେହର ଲାବଣ୍ୟ-ଛଟାରେ ଗୃହ ଆଲୋକିତା ପାଠକ, ଆଜି ସେ ପୂର୍ବପରିଚିତା ସଦାନନ୍ଦମୟୀ ଶକୁନ୍ତଳା ନାହିଁ । ଆଜି ସେ ଦୟାଦୃଷ୍ଟି ନାହିଁ, ବିମ୍ବାଧରରେ ସେ ସ୍ୱପ୍ନସୁନ୍ଦର ହାସ୍ୟରେଖା ନାହିଁ; ମୁଖମଣ୍ଡଳ ପର୍ଯ୍ୟୁସିତ ଶେଫାଳିକା ପରି ମ୍ଳାନ ଏବଂ ଶୁଷ୍କ । କପାଳରେ ଚିନ୍ତାର ତ୍ରିବଳୀ ରେଖା ଫୁଲ ଉଠିଅଛି-। ଦାରୁଣ ଦୁଃଖର ତପ୍ତ ପ୍ରଶ୍ୱାସରେ ଓଷ୍ଠାଧର ପାଣ୍ଡୁର ବର୍ଣ୍ଣ ଧାରଣ କରିଅଛି, ଯେସନ୍ତ କି ବଧୁଲୀକୁସୁମରେ ନବବର୍ଷାର ଧୂମ ଲିପ୍ତ ହୋଇଅଛି । ତଥାପି ସୁନ୍ଦରୀର ସୁନ୍ଦରିମା ସର୍ବାଙ୍ଗରୁ ଝରି ପଡ଼ୁଅଛି । ଶାରଦଶୁଭ୍ର ଘନାନ୍ତରାଳରୁ ଚନ୍ଦ୍ରର ଶୋଭା ଫୁଟିଉଠିଲା ପ୍ରାୟ ତାହାର ସ୍ନିଗ୍‍ଧ ତରଳ ସୁଷମାରାଶି ଶୁକ୍ଳ ଝୀନବସ୍ତ୍ର ଭେଦକରି ବାହାରି ପଡ଼ୁଅଛି । ଚକ୍ଷୁର ପଲକ ପଡ଼ିବାକୁ ନାହିଁ; ମାତ୍ର ସେ ଚକ୍ଷୁ ଲୋତକଶୂନ୍ୟ । ରୁଦ୍ଧ ଅଶ୍ରୁ ଉନ୍ମୁଖ ହୋଇ ରହିଅଛି; ମାତ୍ର ବାହାରିବାକୁ ବାଟ ପାଉନାହିଁ । ହାୟ, ଆଜି ଏ ଲାବଣ୍ୟର ସ୍ୱର୍ଣ୍ଣ ପ୍ରତିମାଟି କେଉଁ ଶୋକଗ୍ରନ୍ଥର ଶୋକ ଅଧ୍ୟାୟ ନୀରବରେ ପାଠ କରୁଅଛି । ତାହା ଅନ୍ୟର ଅପରିଜ୍ଞେୟ । ଦୁଷ୍ଟ ଚିନ୍ତାକୀଟ ଏ ସୌମ୍ୟ ସତେଜ ଲତାଟିର ଅନ୍ତଃସାର ନିର୍ମମ ଭାବରେ କୋରିପକେଇ ତାହାକୁ ଝାଉଁଳେଇ ଦେଇଅଛି । କିଛି କ୍ଷଣପରେ ରୂପେଇ ସେଠାରେ ପ୍ରବିଷ୍ଟ ହୋଇ ମୁହଁ ଶୁଖାଇ ବସିଛି କାହିଁକି ? ଆହା, ଚମ୍ପାଫୁଲ ପରି ଗୋରା ଦେହଟା କଳାକାଠ ଦିଶୁଛି ।’’ ରବିର ଅସ୍ତପ୍ରଭାରେ ସାୟନ୍ତନ ଘନ ପ୍ରାୟ ନିଜର ରୂପ-ପ୍ରଶଂସା ଶୁଣି ଶକୁନ୍ତଳାର ଗଣ୍ଡ ଲଜ୍ଜାର ରକ୍ତରାଗରେ ରଞ୍ଜିତ ହୋଇଉଠିଲା । ସେ ଦୀର୍ଘ ନିଃଶ୍ୱାସ ପକାଇ କମ୍ପିତ କଣ୍ଠରେ କହିଲା–‘‘ତୁ କଅଣ ବୁଝିବୁ ରୂପେଇ, ତୁ ଯେବେ ମୁଁ ହୋଇ ପାରନ୍ତୁ, ତେବେ ମୋର ମନ କଅଣ ହଉଛି, ବୁଝନ୍ତୁ ।’’

 

ରୂପେଇ–ସତ କୁହନି, ମୋ ରାଣତି । ତମକୁ ଇମିତି ଦେଖି ମୋତେ କାନ୍ଦମାଡ଼ୁଛି ।

 

ଶକୁନ୍ତଳା–ମଧୁ ତିନିଦିନ ହେଲା ଘରକୁ ଆସି ନାହିଁ, ତାହାରି ଲାଗି ମନଟା ଘାଣ୍ଟି ଗୋଳେଇ ହଉଚି ।

 

ରୂପେଇ–ଯେ ମାରି ଲହୁଲୁହାଣ କରିଦେଇ ଚାଲିଗଲା, ତା ଲାଗି ପୁଣି ଏତେ ଭାବନା-?

 

ଶକୁନ୍ତଳା–ସେ ମାରିବ କାହିଁକି ଲୋ, ପିଲାଟା ରାଗରେ ହାଣ୍ଡି କଚାଡ଼ିଦେଲା-ଖପରା ମୁହାଣ୍ଡୀ ଖଣ୍ଡେ ଆସି ମୋ ମୁଣ୍ଡରେ ବାଜିଲା, ତାର ଦୋଷ କଅଣ ? ହାୟ, ମା-ଛେଉଣ୍ଡଟି କଉଁଠି ଅଛି, କଅଣ ଖାଉଛି । ଏହା କହୁଁ କହୁଁ ଦୁଇଟା ଲୋତକଧାରା ଶକୁନ୍ତଳାର ଗଣ୍ଡସ୍ଥଳ ଦେଇ ବହି ଆସିଲା, ଓଷ୍ଠ କମ୍ପିଉଠିଲା; ଆଉ ସେ କିଛି କହିପାରିଲା ନାହିଁ । ବାଳିକାର ନିର୍ମଳ କୋମଳ ଅନ୍ତଃକରଣ ମଧ୍ୟରେ ମାତୃତ୍ୱର ଅଭୁତ ସ୍ନେହବିକାଶ ଦେଖି ରୂପେଇ ସ୍ତମ୍ଭିତ ହୋଇ ରହିଲା । ମନେ ମନେ କହିଲା, ଏ ସାମାନ୍ୟ ମାନବୀ ନୁହେଁ, ଦୟାର ଦେବୀପ୍ରତିମା । ମୂହୁର୍ତ୍ତକ ପରେ ଶକୁନ୍ତଳାର ଲୁହ ପୋଛିଦେଇ କହିଲା–‘‘ଛି, ବହୁସାଆନ୍ତାଣୀ, ଏହି ଲାଗି କାନ୍ଦୁଚ ? ମନ ଥଣ୍ଡା କର, ମଧୁ ଆଉ କୁଆଡେ ଯିବେ, ବାବାଙ୍କ ଡରେ କଉଁଠି ଲୁଚିଛନ୍ତି, ବଳେ ଆସିବେ । ତମେ କାହିଁକି ଛାନିଆ ହଉଚ ? ବାବା ସାଆନ୍ତେ ଖୋଜେଇବାକୁ କାହାରିକି ପଠାଇଥିବେ ଯେ ।’’ ଶକୁନ୍ତଳା କହିଲା–‘‘ନା, ସେ ଭାରି ରାଗିଛନ୍ତି । କହିଲେ, ସେ ଯୁଆଡ଼େ ଯାଉ ପଛେ ମୁଁ ତାକୁ ଖୋଜିପାରିବି ନାହିଁ । କିଛି ନ କହିବାରୁ ସେ କୁଳାଙ୍ଗାରର ମଗଜ ବଢ଼ିଯାଇଛି । ଆଜି ଭାଉଜକୁ ମାରିଲା, କାଲି ଭାଇକି ମାରିବ, ପଅର ଦିନ ମତେ ମାରିବ; ତା ଜ୍ୱାଳାରେ ମୁଁ ଆଉ ଗାଁରେ ମୁହଁ ଦେଖାଇ ପାରିବି ନାହିଁ ।’’

 

ରୂପେଇ–ହଁ, ସେ ରାଗତମରେ କହିଲେ ବୋଲି ସତେ କଣ ଆଉ ପୁଅଟାକୁ ଘରୁ କାଢ଼ି ଦେବେ ? ତମେ ଆଉ କାନ୍ଦ ନାହିଁ ବହୁମଣିମା, ଜୁହାର ହଉଚି, ଖାଇବ ଚାଲ । ରୂପେଇ ଏହିପରି ପ୍ରବୋଧ ଦେଇ ଶକୁନ୍ତଳାର ହାତ ଧରି ଉଠାଇ ଘେନିଗଲା ।

 

ଏଠାରେ ସଂକ୍ଷେପରେ ରୂପେଇର ଟିକିଏ ପରିଚୟ ଦେବା ଆବଶ୍ୟକ । ନଚେତ୍ ରୂପେଇର ଚରିତ୍ରଚିତ୍ର ଅସମ୍ପୂର୍ଣ୍ଣ ରହିଯିବ । ରୂପେଇ ବାଳବିଧବା, ବୟସ ତିରିଶ ବରଷର ଏ ପାଖ, ଜାତିରେ ଖଣ୍ଡାୟତ; ମାତ୍ର ତାହାର ପତିପିତୃକୁଳରେ ସନ୍ଧ୍ୟାବତୀ ଜାଳିବାକୁ କେହି ନାହିଁ । ତାହାର ଚରିତ୍ର ଗଙ୍ଗାଜଳ ପରି ନିର୍ମଳ ଏବଂ ସତ୍ୟର ଆଲୋକ ପରି ଉଜ୍ଜ୍ୱଳ । ଏହି ଚରିତ୍ର-ସ୍ୱଚ୍ଛତା ହେତୁ ସେ ସେମାନଙ୍କ ଗୃହରେ ସ୍ଥାନ ପାଇଅଛି । ହେମହରି ସାମନ୍ତ ତାକୁ ନିଜର କନ୍ୟା ତୁଲ୍ୟ ସ୍ନେହ କରନ୍ତି । ଗୋରୁଙ୍କୁ କୁଣ୍ଡା ତୋରାଣି ଦେବା ଏବଂ ଗାଈ ଦୁହିଁବା ତାହାର ପ୍ରଧାନ କାର୍ଯ୍ୟ । ଅପସରା ତୁଲ୍ୟ ସୁନ୍ଦରୀ ନ ହେଲେ ସୁଦ୍ଧା ସେ କୁରୁପା ନୁହେଁ । ତାହାର ଚରିତ୍ର ମଧୁର; ମାତ୍ର ଜିହ୍ୱାଟି ଟିକିଏ କଟୁ । ଦୋଷ ଏତିକି ଯେ, ସେ ଭାରି ଡବଡବା, କୌଣସି କଥା ତା ପେଟରେ ରହିପାରେ ନାହିଁ । ଅନଭ୍ୟାସୀ ପେଟରେ ଅଫିମ ପରି କଥା ତାହା ମୁଣ୍ଡରେ ଖପରାମୁହାଣ୍ଡି ବାଜି ରକ୍ତ ବହିଲା, ସେଦିନ ରୂପେଇ ଘଟଣା ସ୍ଥଳରେ ଥିବାର ପାଠକମାନେ ଜାଣି ଅଛନ୍ତି । ସେ କଥା କାହାରି ପାଖରେ କହିବାକୁ ଶକୁନ୍ତଳା ତାକୁ ବାରମ୍ବାର ନିଷେଧ କରିଥିଲା । ସେ ସୁଦ୍ଧା ନିଜର ଆଖି ଛୁଇଁ ନିୟମ କରି ଆଦେଶ ପାଳନରେ ସ୍ୱୀକୃତ ହୋଇଥିଲା; ମାତ୍ର ଉତ୍ତମକୁମାର ପ୍ରତିଜ୍ଞା ପରି ତାହାର ସେ ପ୍ରତିଜ୍ଞା ଦଣ୍ଡେ ସୁଦ୍ଧା ପାଳିତ ହେଲା ନାହିଁ । ସେ ଚାଉଳ ଧୋଇବାକୁ ଯାଇ ଦେଖିଲା, ସନା-ମା ନଦୀରେ ସ୍ନାନ କରୁଅଛି । ରୂପେଇ ତାହା ପାଖକୁ ଯାଇ କହିଲା–‘‘ସନା-ମା ଖୁଡ଼ୀ, ଗୋଟେ କଥା ଶୁଣିବୁ ନା ?’’ ଏହା କହି ପ୍ରତ୍ୟୁତ୍ତର ଅପେକ୍ଷା ନ କରି ଘଟଣା ଆମୁଳ ବର୍ଣ୍ଣନା କରିଗଲା । ଶେଷରେ କହିଲା, ‘‘ବହୁ ମଣିମା କହିଲେ, ରୂପେଇ ତୁ ଏ କଥା କାହାକୁ କହିବୁ ନାହିଁ ।’’ ଏ କଣ ଲୋ ମାରାଣୀ, ମୁଁ କାହିଁକି କାହାକୁ କହିବି, ମୋର କି ଗରଜ ପଡ଼ିଛି । ତୋ ରାଣ ଖୁଡ଼ୀ, ଆଖି ଛୁଇଁ କହୁଚି–ମୁଁ ସିମିତି ଟାଉକି ଓଲେଇ ନୁହେଁ ଯେ, ଇଆ କଥା ତା କତିରେ, ତା କଥା ଇଆ କତିରେ କହି ବୁଲିବି । ତୁ ସିନା ଆପଣାର ବୋଲି ତତେ କହିଲି, ଖବରଦାର, ତୋ ଜୁଇଁ ରାଣତି ଖୁଡ଼ୀ; ତୁ ଏକଥା କାହାରିକି କହିବୁ ନାହିଁ । ଚାଉଳ ଧୋଇ ଆସୁ ଆସୁ ବାଟରେ ଯାହାକୁ ଦେଖିଲା, ତାହା ପାଖରେ ଏହିପରି ବକ୍ତୃତା କରି କରି ଆସିଲା ଏବଂ କଥା ପ୍ରକାଶ ନ କରିବା ସକାଶେ ସମସ୍ତଙ୍କୁ ନିୟମ ପକାଇବାକୁ ଭୁଲିଲା ନାହିଁ । ରୂପେଇର ଆଉ ଗୋଟାଏ ଭଲ ଗୁଣ ଏହି ଯେ, ସେ ଖୁବ୍ ବନେଇ ଚୁନେଇ ସମାଲୋଚନା କରିପାରେ । ପୁସ୍ତକ ପତ୍ରିକାର ସମାଲୋଚନା ନୁହେଁ–କାହାର ଝିଅ ଶାଶୁଘରକୁ ଗଲେ କିମ୍ବା ବହୁ ଆସିଲେ ସେମାନଙ୍କର ରୂପଗୁଣ ସାଡ଼ମ୍ବରରେ ସମାଲୋଚନା କରି ବୁଲେ । ସଂଖ୍ୟାଶାସ୍ତ୍ରରେ ରୂପେଇ ଶୁଭଙ୍କରଙ୍କର ପଣ-ଗୁସୁମା । ଦୁଇ ତିନି ମିଶିଲେ ତାହାର ନବସୂତ୍ରାନୁସାରେ ସାତ ହୁଏ । ତାହାର ମାସିକ ଛତ୍ରିଶ ଦିନ, ବାରଗଣିବା ପୁଣି ଅଦ୍ଭୁତ । ରବିବାରୀ ନାମ ବର୍ତ୍ତବାର (ରବିନାରାୟଣ ବ୍ରତାନୁସାରେ), ସୋମବାରର ନାମ ଈଶ୍ୱରବାର, ବୁଧବାରର ନାମ ହାଟବାର, ଗୁରୁବାରର ନାମ ଧାନମାଣିକବାର, ଶୁକ୍ରବାରର ନାମ ଅନୁକୁଳବାର; ଅର୍ଥାତ୍ ସେ ଦିନ ଧାନ ବୁଣା, ଧାନ କଟା ଏବଂ ଶାଗକଟା ପ୍ରଭୃତି ଅନୁକୁଳ ହୁଏ । କେବଳ ଶନି, ମଙ୍ଗଳବାରଦ୍ୱୟ ଭାଗ୍ୟବଶତଃ ଅବିକୃତ ଥାଏ ।

 

କ୍ରୋଧର ଉତ୍ତେଜନାରେ ହେମହରି ସାମନ୍ତ ମଧୁକୁ ଖୋଜିବେ ନାହିଁ ବୋଲି କହି ପକାଇଥିଲେ; ମାତ୍ର ଭୀଷ୍ମ ପ୍ରତିଜ୍ଞା ପରି ଅଟଳ ରଖିପାରିଲେ ନାହିଁ । ଯେହେତୁ ତାଙ୍କ ହୃଦୟ ଯେ ପିତୃ ହୃଦୟ । ଯେ ପିତା ହୋଇନାହିଁ, ସନ୍ତାନବାତ୍ସଲ୍ୟର ତୀବ୍ର ଯନ୍ତ୍ରଣା ସେ ବୁଝିପାରିବେ ନାହିଁ । ସ୍ନେହର ଏପରି ମାହାତ୍ମ୍ୟ ଯେ, ସେ ନିଶ୍ଚିଦ୍ର ପଥରକୁ ସୁଦ୍ଧା ପାଣି କରିଦିଏ । ବହୁ ସନ୍ତାନ ଲାଭକୁ ଲୋକେ ଗୌରବର ମାଲ୍ୟ ଜ୍ଞାନରେ ନିଜକୁ ଭାଗ୍ୟବାନ୍ ମଣନ୍ତି; ମାତ୍ର ପ୍ରକୃତରେ ତାହା ସୌଭାଗ୍ୟର ଲକ୍ଷଣ ନୁହେଁ-ଯନ୍ତ୍ରଣାର ଅଗ୍ନିକୁଣ୍ଡ । ସନ୍ତାନ ପୀଡ଼ିତ ହେଲେ ଜନକଜନନୀର ଯନ୍ତ୍ରଣାର ସୀମା ନ ଥାଏ । ସେମାନେ କ୍ଷୁଧା ତୃଷ୍ଣା ପ୍ରତି ଭ୍ରୁକ୍ଷେପ ନ କରି ସନ୍ତାନର ସେବାରେ ନିଜକୁ ଉତ୍ସର୍ଗ କରନ୍ତି । ଦେବଦେବୀଙ୍କୁ ଭୋଗ ମାନସ କରନ୍ତି, ଗୁଣିଆ ଡାକି ଝଡା ଫୁଙ୍କା କରନ୍ତି, ବୈଦ୍ୟ ଅଣାଇ ଚିକିତ୍ସା କରାନ୍ତି । ମନ୍ତ୍ରର ଶକ୍ତି ଅସ୍ୱୀକାର୍ଯ୍ୟ ନୁହେଁ । ମନ୍ତ୍ର ଶବ୍ଦର ସମଷ୍ଟିମାତ୍ର । ଶବ୍ଦଦ୍ୱାରା ସଂସାର ଚାଳିତ ଏବଂ ନିୟନ୍ତ୍ରିତ । ଶବ୍ଦର ଶକ୍ତି ଅସୀମ; ସୁତରାଂ ମନ୍ତ୍ରର ଶକ୍ତି ମଧ୍ୟ ନିଃସନ୍ଦେହ । ତେବେ ଉପଯୁକ୍ତ ପାତ୍ର ଏବଂ କ୍ରିୟା ଭେଦରେ ସେ ଶକ୍ତିର ଇତରବିଶେଷ ଘଟିପାରେ-। ସନ୍ତାନ-ସ୍ନେହର ଯନ୍ତ୍ରଣା ଭୁକ୍ତଭୋଗୀମାନେ ପ୍ରାଣେ ପ୍ରାଣେ ଅନୁଭବ କରିଅଛନ୍ତି । ପ୍ରାତସ୍ତୁତ ମହାତ୍ମା ଦଶରଥ ପ୍ରିୟପୁତ୍ର ରାମଙ୍କ ଅଦର୍ଶନରେ ପ୍ରାଣତ୍ୟାଗ କରିଥିଲେ । ଅନ୍ଧକ ଋଷିଙ୍କର ସୁଦ୍ଧା ସେହି ଦଶା ଘଟିଥିଲା । ପୁତ୍ରର ମିଥ୍ୟା ଅମଙ୍ଗଳ ସମ୍ବାଦ ଶୁଣି ଜ୍ଞାନବୃଦ୍ଧ ଦ୍ରୋଣ ଅସ୍ତ୍ରତ୍ୟାଗପୂର୍ବକ ମୃତ୍ୟୁକୁ ଆମନ୍ତ୍ରଣ କରିଥିଲେ । ଅପତ୍ୟ ସ୍ନେହ କେବଳ ମନୁଷ୍ୟ ଜାତି ମଧ୍ୟରେ ସଂକ୍ରମିତ ନୁହେଁ, ପଶୁ ପକ୍ଷୀ ସୁଦ୍ଧା ସେଥିରେ ଆବଦ୍ଧ । ଯହିଁରେ ଯେତିକି ଆନନ୍ଦ ତହିଁରେ ସେତିକି ବିଷାଦ, ଯହିଁରେ ଅମୃତ ଅଛି, ସେଥିରେ ବିଷ ସୁଦ୍ଧା ଅଛି; ଏହା ସୃଷ୍ଟିର ନିୟମ । ଆଜି ସାମନ୍ତଙ୍କ ମୁଖରେ ହାସ୍ୟ ନାହିଁ, କି ମନରେ ଆନନ୍ଦ ନାହିଁ । ପୁତ୍ର ବିଚ୍ଛେଦରେ ବିଷାଦହିଲ୍ଲୋଳ ତାଙ୍କ ଅନ୍ତଃକରଣକୁ ପରିପ୍ଲାବିତ କରିଅଛି । କର୍ମରେ ଉତ୍ସାହ ନାହିଁ, ମନ କାହିଁରେ ନ ଲାଗି ଶୂନ୍ୟେ ଶୂନ୍ୟେ ଉଡ଼ି ବୁଲୁଅଛି । ଜୀବନ ଭାରଭୁତ ବୋଧ ହେଉଅଛି, ଚତିର୍ଦ୍ଦିଗ ଅନ୍ଧକାର ଦିଶୁଅଛି । ଆଜି ତାଙ୍କୁ ଦେଖଲେ କେହି ପାଳିବାକୁ ନେବାକୁ ଇଚ୍ଛା କରିବ ନାହିଁ । ଏହି ତିନି ଚାରିଦିନ ମଧ୍ୟରେ ତାଙ୍କର ବୟସ ଯେପରି କୋଡ଼ିଏ ବର୍ଷ ଅତୀତ ହୋଇଯାଇଛି । ଏହି ଅସାର ସଂସାର ମଧ୍ୟରେ କିଏ କାହାର ପୁତ୍ର, କିଏ କାହାର ପରିବାର ଏବଂ କିଏ କାହାର ବନ୍ଧୁ ? ଅବୋଧ ମନ ଏହା ଜାଣି ସୁଦ୍ଧା ପ୍ରବୋଧ ମାନେ ନାହିଁ, ଏହାହିଁ ବିଚିତ୍ର । ଧନ୍ୟ ମାୟା, କୋଟି ଧନ୍ୟ ତାହାର ଆମୋଘ କୁହୁକ-। ଏହି ଅପୂର୍ବ କୁହୁକ ପର ପର ମଧ୍ୟରେ ପରିଚୟ କରାଇ ଦିଏ ଏବଂ ବିନା ସମ୍ପର୍କରେ ସମ୍ପର୍କ ବାନ୍ଧିଦିଏ । ହେମହରି ସାମନ୍ତେ, ମଧୁ ତୁମ୍ଭର କିଏ ? ତାହା ସକାଶେ ଏତେ ଦୁଃଖ, ଏତେ ଚିନ୍ତା, ଏତେ ଆଶଙ୍କା କାହିଁକି ? ରୋଗବେଳେ ମଧୁକୁ ଦେଖିଲେ ତୁମ୍ଭର ରୋଗ କି ହରିଯାଏ, କ୍ଷୁଧାବେଳେ ଦେଖିଲେ କ୍ଷୁଧା କି ଶାନ୍ତ ହୁଏ ? ଆଚ୍ଛା ତୁମ୍ଭେ ସଂସାର ପ୍ରବାସରୁ ବିଦାୟ ନେବାବେଳେ ମଧୁ କି ତୁମ୍ଭର ପ୍ରାଣକୁ ମୁହୁର୍ତ୍ତେ ଅଟକାଇ ରଖିପାରିବ ? ସେ ଭଳି କ୍ଷମତା ତାହାର ଅଛି କି ? ତେବେ ଏତେ ବୃଥା ହନ୍ତସନ୍ତ କାହିଁକି ? ତାହା ତୁମ୍ଭର ଦୋଷ ନୁହେଁ, ତୁମ୍ଭର ହୃଦୟ ପୋଷିତ ସ୍ନେହର ଦୋଷ । ଯାହା ପ୍ରତି ଯେତିକି ସ୍ନେହ ତାହା ଜୀବନ ପ୍ରତି ସେତିକି ଆଶଙ୍କା । ସ୍ନେହବୃଦ୍ଧି ସଙ୍ଗେ ସଙ୍ଗେ ଆଶଙ୍କାର ସୁଦ୍ଧା ବୃଦ୍ଧି ହେଉଥାଏ । ଏହା ସ୍ୱାଭାବିକ । ତୁମ୍ଭେ ଜନ୍ମଦାତା ସତ୍ୟ; ମାତ୍ର ଅଦୃଷ୍ଟଦାତା ନୁହ । ଅଦୃଷ୍ଟ କେହି କାହାକୁ ଦେଇ ପାରେ ନାହିଁ, ଦେବାର ମଧ୍ୟ ଅଧିକାର ନାହିଁ । ନିଜର କର୍ମଦ୍ୱାରା ଅଦୃଷ୍ଟ ପଠିତ ହୁଏ । ଅତଏବ କେହି ତୁମ୍ଭର ନୁହେଁ କି ତୁମ୍ଭେ କାହାରି ନୁହ । ତୁମ୍ଭେ ଧୈର୍ଯ୍ୟ ଧର; ମାତ୍ର ଧୈର୍ଯ୍ୟ ଧରିବ କିଏ ? ଯାହା ହୃଦୟରେ ସହସ୍ର ବୃଶ୍ଚିକ ଦଂଶନର ଜ୍ୱାଳା, ସେ କି ଧୈର୍ଯ୍ୟ ଧରିପାରେ ? ଏହା କହିବା ସହଜ, ମାତ୍ର କରିବା କଠିନ । ପରକୁ ଉପଦେଶ ଦେଇ ଉପଦେଷ୍ଟା ଉପାଧି ଗ୍ରହଣ କରିବା ଯେ ରୁପ ସହଜ, ନିଜେ ସେହି ଉପଦେଶ ପାଳିବା ସେ ରୁପ ସହଜ ନୁହେଁ । ନିଜେ ଅନ୍ଧ ହୋଇ ଅନ୍ୟକୁ ପଥ ଦେଖାଇବା ପ୍ରୟାସ ହାସ୍ୟସ୍ପଦ ମାତ୍ର । ଛୋଟା କି ଛୋଟାକୁ କାନ୍ଧରେ ବସାଇ ବହି ନେଇପାରେ ? ଯେଉ କାର୍ଯ୍ୟ ନିଜର ଅସାଧ୍ୟ, ସେଥିପାଇଁ ଅନ୍ୟକୁ ବାଧ୍ୟ କରିବା ଧୃଷ୍ଟତା ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ସାମନ୍ତ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ । ମଧୁକୁ ଖୋଜିବା ସକାଶେ ଲୋକ ପ୍ରେରଣ କଲେ ଏବଂ ନିଜେ ମଧ୍ୟ ବାହାରିଲେ । ପ୍ରଥମତଃ ଗ୍ରାମରେ ଅନୁସନ୍ଧାନ କରାଯାଇ ପ୍ରତ୍ୟେକ ଗୃହସ୍ଥକୁ ପଚରାଗଲା; ମାତ୍ର କେହି କିଛି ସଠିକ୍ ସମ୍ବାଦ ଦେଇପାରିଲେ ନାହିଁ । କେବଳ କପିଳା ଭଣ୍ଡାରୀ ଯାତ୍ରାଦିନ ଚକ୍ରତୀର୍ଥା ବାଟରେ ଦେଖିଥିବାର ପ୍ରକାଶ କଲା । ଗ୍ରାମ ବାହାରେ ଗୋଟାକେତେ ଝଙ୍କାଳିଆ ଗଛ ଅଛି । ସେ ଗୁଡ଼ିକ ମଧୁସୂଦନ ଅତୀତ ଲୀଳାର ସ୍ମୃତିସ୍ୱରୂପ । ପଠନାବସ୍ଥାରେ ମଧୁ ସମୟ ସମୟରେ ଏକାଦିକ୍ରମେ ଦୁଇତିନି ଦିନ ପର୍ଯ୍ୟନ୍ତ ଏହି ଗଛ ସହ ନିଭୃତ ନୀରବ ଆଳାପରେ ଅତିବାହିତ କରିଅଛି । ଗଛ-ଚଢ଼ା ବିଦ୍ୟାରେ ସେ ଏରୂପ ଧୂରନ୍ଧର ଯେ, ସୁଗ୍ରୀବଙ୍କ ବଂଶଧରମାନେ ସୁଦ୍ଧା ତାହା ପାଖରେ ପରାଜୟ ସ୍ୱୀକାର କରିବେ । ସେହି ଗଛଗୁଡ଼ିକ ତନ୍ନ ତନ୍ନ କରି ଖାନତଲାସ କରାଗଲା; ମାତ୍ର ଚୋରୀ ମାଲ ବାହାରିଲା ନାହିଁ । ସାମନ୍ତ ନିରାଶ ହୋଇ ଦିନ ଦଶଘଡ଼ି ସମୟରେ ଘରକୁ ଫେରି ଆସିଲେ । ବହୁବିଧ ଦୁଶ୍ଚିନ୍ତା ତାଙ୍କ ହୃଦୟରେ ଆସନ ବିଛାଇଲା । ଶୋକ ଭାରରେ ତାଙ୍କର ପିତୃହୃଦୟ ଭାଙ୍ଗିପଡ଼ିଲା; କିନ୍ତୁ ତାହା ବାହାରକୁ ପ୍ରକାଶ ପାଇଲାନାହିଁ । ସେ ଶୋକରେ ଅଶ୍ରୁ ନ ଥିଲା କି ହାହାକାର ନ ଥିଲା । ଯେଉଁ ଶୋକ ପ୍ରକାଶ ପାଏ ନାହିଁ, ତାହା ଅସହ୍ୟ ଯାତନାପ୍ରଦ । ବଡ଼ ପାଟିରେ କାନ୍ଦିଲେ ବରଂ ମନରେ ଶାନ୍ତି ଆସିପାରେ; ମାତ୍ର ନୀରବ ନିରଶ୍ରୁ ଶୋକ ତୁଷାନଳ ପରି ଭିତରେ ଭିତରେ ହୃଦୟକୁ ଜାଳିଦିଏ । ଶୋକର କ୍ଳେଦ ଅନେକ ପରିମାଣରେ ଅଶ୍ରୁ ସଙ୍ଗରେ ବାହାରିଯାଏ; ମାତ୍ର ତାହା ଅବରୁଦ୍ଧ ହୋଇ ରହିବା ଭୀଷଣ ମାରାତ୍ମକ । ତଦ୍ଦ୍ୱାରା ଆତ୍ମା ଏକାବେଳକେ ନିଶ୍ଚେତନ ହୋଇପଡ଼େ ।

 

ସନ୍ଧ୍ୟା ସମୟରେ ଗ୍ରାମର ପିତେଇ ଧୋବଣୀ ଧାଇଁ ଧାଇଁ ଆସି ସାମନ୍ତଙ୍କ ନଅର ମଧ୍ୟରେ ଗଣ୍ଡଗୋଳ ଲଗାଇଦେଲା । ସେ ବଡ଼ପାଟିରେ କାନ୍ଦି କାନ୍ଦି କହିଲା–‘‘ବହୁ ମଣିମା ଗୋ, ଧାଇଁ ଆସ ଗୋ, ରୂପେଇ ଧାଇଁ ଆଲୋ, ଘର ବୁଡ଼ିଗଲା ଲୋ । ହା, ମୋ ସାନ ସାଆନ୍ତ ହୋ, କଉଁଠି ମୁହଁଲୁଚା ଦେଇ ରହିଲ ହୋ, ମୁହଁ ତ ଝଟଝଟ ହୋଇ ଦିଶିଯାଉଛି ହୋ ।’’ ଏହା ଶୁଣି ସମସ୍ତେ ଧାଇଁ ଆସି ସିତେଇ ସଙ୍ଗରେ କଣ୍ଠ ମିଳାଇ ବାହୁନି ବସିଲେ । ଗାଁ ମାଇକିନିଆମାନେ ଆସି ସେହି କ୍ରନ୍ଦନରେ ଯୋଗ ଦେଲେ । କ୍ରନ୍ଦନସ୍ୱର ପଞ୍ଚମରୁଯାଇ ସପ୍ତମରେ ଉଠିଲା । କ୍ରନ୍ଦନର କାରଣ କଅଣ, କେହି ପଚାରି ବୁଝିବାକୁ ନାହିଁ; ମାତ୍ର ସମସ୍ତେ କାନ୍ଦି ଅସ୍ଥିର । ଗୋଳମାଳ ଶୁଣି ବଙ୍ଗଳା ପରସ୍ତରୁ ସାଆନ୍ତେ ଧାଇଁ ଆସି ‘‘କଅଣ ହେଲା, କଅଣ ହେଲା’’ ବୋଲି ଭୀତ ଉତ୍କଣ୍ଠିତ ହୋଇ ପଚାରିଲେ । ପତେଇ କ୍ରନ୍ଦନ ସ୍ୱରରେ କହିଲା–‘‘ସାଆନ୍ତେ ଏହା ଶୁଣି ବଜ୍ରାହତ ତୁଲ୍ୟ ହୋଇ ତଳେ ବସିପଡ଼ିଲେ । ତାଙ୍କ ଆଖି ଆଗରେ ସୋରିଷଫୁଲ ଦେଖାଗଲା; ମାତ୍ର ମନମଧ୍ୟରେ ସନ୍ଦେହ ଲୁଚକାଳି ଖେଳି ବୁଲିଲା, ଯେହେତୁ ପିତେଇର କଥାରେ ଶଅକରେ ପାଞ୍ଚ କୋଡ଼ି ମିଛ ଥିବାର ତାଙ୍କୁ ଜଣା । ଯାହାହେଉ, ସେ ଆତ୍ମସମ୍ବରଣ କରି ପଚାରିଲେ–ପିତେଇ, ତୋତେ ଏ କଥା କିଏ କହିଲା ?

 

ପିତେଇ–ନାଥିଆମା ହେରିକା କଥାବାର୍ତ୍ତା ହେଉଥିଲେ, ମୁଁ ଶୁଣିଆସିଲି ।

ସାଆନ୍ତେ–ସେଠି ଆଉ କିଏ ଥିଲେ ?

 

ପିତେଇ–କିଏ ସେ ଥିଲେ ତି, ମୋ ମନରେ ପଡ଼ୁ ନାହିଁ । ମୁଁ ତ ହାଉଳି ଖାଇ ଧାଇଁ ଆସିଲି । କିଏ କିଏ ଥିଲେ, ମନରେ ହେତୁ କରି କାଲି କହିବ ।

 

ସାଆନ୍ତେ–ଆଚ୍ଛା, ତୁ ଏହିଲାଗେ ଯାଇ ନାଥିଆମାକୁ ଡାକି ଆଣ ତ । ମୁଁ ବଙ୍ଗଳାରେ ଅଛି, ସେହିଠିକି ଡାକି ଆଣିବୁ ।

 

ପିତେଇ–‘ଆଜ୍ଞା’ ବୋଲି କହି ତ୍ୱରିତ ପଦରେ ପ୍ରସ୍ଥାନ କଲା ଏବଂ ଦଣ୍ଡକ ମଧ୍ୟରେ ନାଥିଆ-ମାକୁ ସଙ୍ଗରେ ଘେନି ସାଆନ୍ତଙ୍କ ପାଖରେ ଉପସ୍ଥିତ ହେଲା । ତହୁଁ ସାଆନ୍ତେ ନାଥିଆମାକୁ ଘଟଣାର ବିବରଣ ପଚାରନ୍ତେ ସେ କହିଲା - ‘‘ପର୍ବତ ଉପରୁ ସାନ ସାଆନ୍ତଙ୍କୁ ବାଘ ନେଇଗଲା ବୋଲି ମୁଁ ରଥ ଲେଙ୍କା ମୁହଁରୁ ଶୁଣିଥିଲି, ସତ ମିଛ ଭଗବାନ୍ ଡାକନ୍ତି । ମୁଁ ମାଇପି ଲୋକ ଆଜ୍ଞା, ଦେଖିଚି ନା କରିଚି ! କଥାରେ କହନ୍ତି ପରା - ‘ଯାହା ନ ଦେଖିବୁ ଦି ନୟନେ, ପରତେ ନ ଯିବୁ ଗୁରୁ କହିନେ ।’’ ସାଆନ୍ତେ ଆଉ କିଛି ନ କହି ସେ ଦୁହିଁଙ୍କୁ ବିଦାୟ ଦେଲେ ଏବଂ ରଥ ଲେଙ୍କାକୁ ଡକାଇ ପଠାଇଲେ । କିୟତ୍‍କ୍ଷଣ ପରେ ଲେଙ୍କା ଆସି ସାଆନ୍ତଙ୍କୁ ଗୋଟାଏ ଦଣ୍ଡବତ କରି ଠିଆହେଲା । ସାଆନ୍ତେ ପଚାରିଲେ, ‘‘ରଥ, ମଧୁକୁ ବାଘ ନେଇଯିବାର ତୁ ଦେଖିଛୁ ?’’

 

ରଥ–ନା, ଅବଧାନ ମୁଁ ଦେଖିନାହିଁ । ମୋତେ କୁନି ଦାସ କହିଲା, ସେ ଯାତ୍ରାରୁ ଫେରିବାବେଳେ ବାଉଁଶବୁଦା ଉହାଡ଼ରୁ ଗୋଟାଏ ମହାବାଳ ବାଘ ବାହାରି ଗୋଟାଏ ପିଲାକୁ କାଖରେ ଜାକି ଦେଇ ପଳାଇଲା । ସେ ପିଲାଟା ଠିକ୍ ମଧୁପରି ଦିଶୁଥିଲା । ମୁଁ ପଚାରିଲି, ‘‘ତୁ ଦେଖିଲୁ, ଆଉ ହୁରି ଡକା ଛାଡ଼ିଲୁ ନାହିଁ ? ଯାତ୍ରା ଭାଙ୍ଗି ଲୋକେ ଆସୁଥିଲେ, ଡାକିଥିଲେ ତ ଆସି ଜମା ହୋଇ ପଡ଼ିଥାଆନ୍ତେ, ତୋର ଏତକ ବୁଦ୍ଧି ହେଲା ନାହିଁ ?’’ ତହୁଁ ସେ କହିଲା, ବାଘକୁ ଦେଖି ମୋର ତ ପିଳେଇ ପାଣି ହୋଇଗଲା, ପାଟି ଆଫା ଆଫା ମାରିନେଇଗଲା । ବାପ୍‍ରେ ବାପ୍, ସେଟା କଅଣ ଇମିତି ସିମତି ବାଘ, ଗୋଟାଏ ବଡ଼ ଷେଣ୍ଢ ପରି, ଆଖି ଦିଟା ମସାଲ ପରି ଜଳୁଥାଏ-। କି ଗର୍ଜନ–ଓଃ ସତେ ଯିମିତି ପର୍ବତଟା ଉପୁଡ଼ିପଡ଼ିଲା । ସାଆନ୍ତେ କହିଲେ–‘ଆଚ୍ଛା, ତୁ ଯା ଏହିକ୍ଷଣି କୁନି ଦାସକୁ ଡାକିଦେବୁ ।’ ଲେଙ୍କା ଚାଲିଗଲା, ଯଥାସମୟରେ କୁନିଦାସ ଆସି ପହଞ୍ଚିଲା-

 

ସାଆନ୍ତେ–କି ରେ କୁନିଆ, ମଧୁକୁ ବାଘ ନେଇଯିବା ତୁ ଦେଖିଛୁ ?

 

କୁନି–ନା, ସାଆନ୍ତେ, ରାମ, ରାମ, ଖାଲି ତୁଚ୍ଛା ମିଛ କଥା । ସେଦିନ ଯାତ୍ରାରୁ ଆସିବାବେଳେ ବାଉଁଶବଣ ପାଖରେ କଅଣ ଗୋଟାଏ ଖଡ଼ଖଡ଼ ହେଲା । ମୁଁ ଆଗପଛକୁ ଅନାଇ ଦେଖିଲି ଯେ, ଲୋକ ଦିଶୁନାହାନ୍ତି । ମୋ ଛାତିଟା ଦାଉଁ ଦାଉଁ ହେଲା । ମୁଁ ଏକମୁହାଁ ହୋଇ ପଳାଇ ଆସୁଁ ଆସୁଁ ଗୋଟାଏ ପଥର ହାବୁଡ଼ିଲି–ଗୋଡ଼ହାତ ଛିଡ଼ିଯାଇ ରକ୍ତ ଧାର ଧାର ହୋଇ କହିଲା । ସାନ ସାଆନ୍ତଙ୍କୁ ବାଘ ନେଇଗଲେ ମୁଁ ପରା ଦେଖନ୍ତି ! ମରନ୍ତି ତ ମରନ୍ତି ପଛକେ, ପଥର କଚାଡ଼ି ବାଘର ହାତଗୋଡ଼ ଆଉ ଚୂନା କରିଦିଅନ୍ତି ନାହିଁ ।

 

ସାଆନ୍ତେ ଏ କଥା ଶୁଣି ବିରକ୍ତ ହୋଇ ଉଠିଗଲେ । ମନେ ମନେ କହିଲେ, ଜନଶ୍ରୁତିକି ବିଶ୍ୱାସ କଅଣ ? ତାହାର ସହସ୍ର ତୁଣ୍ଡରେ ସହସ୍ର କଥା । ସେଥିରୁ ସତ୍ୟ ବାହାର କରିବା ସହଜ ନୁହେଁ । ବାଘ ନେଇଗଲା କଥା ଆସି ଖଡ଼ ଖଡ଼ ଶବ୍ଦରେ ରହିଲା, ଏରୁପ ଭିତ୍ତହୀନ କଥା ବିଶ୍ୱାସଯୋଗ୍ୟ ନୁହେଁ । କାଲି ନାହାକାକୁ ଡକାଇ ଖଡ଼ି ପକାଇ ବୁଝିଲେ ଯଦି କିଛି ଜଣାଯାଇପାରେ । ସମସ୍ତେ ତ କହନ୍ତି–ବନା ନାହାକ ଯାହା କହେ, କହେ, ତାହା ଠିକ୍ ଠିକ୍ ଘଟେ-। ଦେଖାଯାଉ, ଅଦୃଷ୍ଟରେ କଅଣ ଅଛି ।

•••

 

ତ୍ରୟୋଦଶ ପରିଚ୍ଛେଦ

 

କେତେ ଜଣ ଗ୍ରାମବାସୀ ସହ ହେମହରି ସାମନ୍ତ ଦାଣ୍ଡ ବଙ୍ଗଳାରେ ବସିଅଛନ୍ତି । ଶୂନ୍ୟାୟିତ ଶୁଷ୍କ ଦୃଷ୍ଟିରୁ ବୋଧ ହେଉଅଛି, ଯେମନ୍ତ କି ତାଙ୍କର ଦେହ ସେଠାରେ ପଡ଼ି ରହିଅଛି; ମାତ୍ର ମନ କେଉଁ ମହାଶୂନ୍ୟରେ ଉଡ଼ି ବୁଲୁଅଛି । ତାଙ୍କର ଯେଉଁ ଜୀବନ ଚିରଆନନ୍ଦର ନିବେଦନସ୍ୱରୂପ ଥିଲା, ସେ ଆଜି ଶୋକ ଦୁଃଖରେ ସଂକ୍ଷୁବ୍‍ଧ । ଅଦୃଷ୍ଟ କଅଣ ନ କରେ ? ତାହାର ଗତି ଅଚିନ୍ତ୍ୟ । ସେ କେତେବେଳେ ମାନବକୁ ଆନନ୍ଦର ସପ୍ତସ୍ୱର୍ଗକୁ ଘେନିଯାଏ, କେତେବେଳେ ଅବା ବିଷାଦର ଅନନ୍ତ ନରକରେ ନିକ୍ଷେପ କରେ । ସୁଖ ପରି ଭାଗ୍ୟର ସୁଦ୍ଧା ପୂର୍ଣ୍ଣତା ନାହିଁ । ରାନ୍ଧୁଣୀ-ଗାଧୁଆବେଳେ ଜ୍ୟୋତିଷ ବନମାଳୀ ନାୟକ ଓରଫ୍ ବନା ନାହକ ଆସି ସେଠାରେ ଉପସ୍ଥିତ ହେଲା । ପାର୍ଶ୍ୱବର୍ତ୍ତୀ କେତେଖଣ୍ଡ ଗ୍ରାମରେ ବନମାଳୀର ଖୁବ୍ ନାମ ଡାକ । ତାହାର ଗୋସବାପ ଅମଳରୁ ଅନେକ ଜ୍ୟୋତିଷ-ଗ୍ରନ୍ଥ ତାଙ୍କ ଘରେ ସାଇତା ହୋଇରହିଅଛି । ଲୋକେ କହନ୍ତି–ବନମାଳୀ ଗଣନାକରି ଗଛର ପତ୍ର-ସଂଖ୍ୟା ଠିକ୍ କରି କହିପାରେ । ବାସ୍ତବରେ ଯାହା ଘରେ ଏତେ ଗ୍ରନ୍ଥ ପୋଷାହୋଇ ରହିଅଛି, ସେ ଯେ ଅସାଧାରଣ ପ୍ରତିଭାର ସୁବର୍ଣ୍ଣଖଣି, ଏଥିରେ ସଂଶୟ କଅଣ ଅଛି ? ସ୍ଥୁଳତଃ ସେ ବରାହମିହିରଙ୍କର ନୂତନ ସଂସ୍କରଣ । ଏ ଯୁଗରେ ତ ବିକ୍ରମାଦିତ୍ୟ ବା ଭୋଜରାଜଙ୍କ ପରି ଗୁଣତ୍ରେତା ନାହାନ୍ତି; ସୁତରାଂ ତାହାର ଗୁଣ ବୁଝିବ କିଏ ? ବର୍ତ୍ତମାନ ତାହା ପାଣ୍ଡିତ୍ୟର ମୂଲ୍ୟ ଚାଉଳ ମୁଠାଏ ନଚେତ୍ ଅତିଜୋର ବଡ଼ି ପୁଞ୍ଜାଏ । ସେ ଶ୍ମଶାନତୁଳସୀ ପରି ଗ୍ରାମର ଏକ କୋଣରେ ପଡ଼ିଥାଏ । କାହାରି ଗାଈ ବାଛୁରୀ ହଜିଲେ କିମ୍ବା କେହି ଗର୍ଭବତୀ ହେଲେ ତାହାକୁ ଡାକରା ପଡେ । ଜ୍ୟୋତିଶ୍ଚନ୍ଦ୍ର କାଖରୁ ତାଳପତ୍ର ପାଞ୍ଜିବିଡ଼ା ବାହାର କରି ଦୁଇଗୋଡ଼ ଫରକଟା କରି ମାଆନ୍ତଙ୍କ ସମ୍ମୁଖରେ ଦୃଢ଼ରୂପେ ଠିଆହେଲା । ତହିଁ ପରେ ଦୁଇହାତରେ ପାଞ୍ଜି ଧରି ଆଗକୁ ଈଷତ୍ ଝୁଙ୍କିପଡ଼ି ଉଦାତ୍ତ ଅନୁଦାତ୍ତ ସ୍ୱରରେ ‘‘ଆଦିତ୍ୟୋ ରଜନୀପତିଃ କୁଜ ବୁଧୋ ବାଚସ୍ପତୋ ଭାର୍ଗବୋ ସୌରି ରାହୁଶ୍ଚ କେତୁ ନକ୍ଷତ୍ର ପ୍ରଚଣ୍ଡ ବଦନା ସର୍ବେ ନବଗ୍ରହେ ଏକାଦଶସ୍ଥାଶୁଭଦା ଭବନ୍ତୁ’’ ଏହି ଶ୍ଳୋକଟି ପାଠ କରି ସେ ଦିନର ତିଥି, ନକ୍ଷତ୍ର, ଯୋଗ, କରଣ, ଚନ୍ଦ୍ର ପ୍ରଭୃତ ଗଳଗଳ କରି ଅନର୍ଗଳ ଓକାଳି ପକାଇଲା । ସାଆନ୍ତେ ବସିବାକୁ ଇଙ୍ଗିତ କଲେ । ବନମାଳୀ ଅଞ୍ଜଳି ବିସ୍ତାର କରି କହିଲା–‘‘ଆଜ୍ଞା, ବସୁଛି, ଟିକିଏ ଦାଣ୍ଡରୁ ଆସେ-।’’ ଏହା କହି ତରତର ହୋଇ ଦାଣ୍ଡକୁ ଚାଲିଗଲା । କୁଞ୍ଚତଳୁ ଗୋଟାଏ ବିଶାଳ ବଟୁଆ ବାହାରକରି ଫିଟାଇ ପକାଇଲା । ବଟୁଆଟି ଅନନ୍ତଗର୍ଭ, ଭିତରେ ଆଠଦଶଟା କୋଠରୀ । କେଉଁ କୋଠରୀରେ ପାନର ସରଞ୍ଜାମ, କାହିଁରେ ଶୁଣ୍ଠି ଖଣ୍ଡେ, ମରିଚ ପୁଞ୍ଜାଏ, କାହିଁରେ ଖଣ୍ଡିଆ ଖଡ଼ି ଗୋଟଳା ଦୁଇଟା, କାହିଁରେ ତା ତାଳପତ୍ର ଫାଳେ, ଏହିପରି ନାନା ପଦାର୍ଥ ରହିଅଛି । ସଂକ୍ଷେପରେ କହିବାକୁ ଗଲେ ବଟୁଆରେ ଯାହା ଖୋଜିବ, ତାହା ଅଛି । ବନମାଳୀ ଗୋଟାଏ କୋଠରୀରୁ ସୋଲ, ଚକମକି ପଥର, ଲୁହା ଏବଂ ଖଣ୍ଡେ ଦରପୋଡ଼ା ପିକା ବାହାର କରି ପକାଇଲା । ଶୀଘ୍ର ହସ୍ତରେ ଚକମକି ପଥର ଝାଡ଼ିଦେଇ ସୋଲରେ ନିଆଁ ଧରିଲା । ପିକା ଲଗାଇ ଦୁଇଚାରି ସଟକା ଟାଣିନେଇ ବୁଦ୍ଧ ଉପରେ ଗୋଟାଏ ପୁଟ ଚଢ଼ାଇ ଦେଲା । କୁଣ୍ଡଳୀକୃତ ଧୂମରାଶି ଗର୍ଭକୁ ପ୍ରେରଣ କରି ପ୍ରତିଭାର ଇଞ୍ଜିନ ଗରମ କରି ରଖିଲା । ଦୁଇ ତିନିଥର ଗଳାଖଙ୍କାରି ଏବଂ ନାକଫୁରୁଡ଼ି ଦେଇ ବାକ୍ୟଭଣ୍ଡାରର ସିଂହଦ୍ୱାର ମୁକୁଳା କରି ରଖିଲା । ଅନନ୍ତର ବଂଶୀବାଦନ ଶେଷରେ ତଟୁଆଟି ଯଥାସ୍ଥାନରେ ଖୋଷିଦେଇ ସାମନ୍ତଙ୍କ ନିରୁପିତ ସ୍ଥାନରେ ଆସି ବସି ଚକା ମାଡ଼ି ଆସନ ଜମାଇ ବସିପଡ଼ିଲା । ସାମନ୍ତ କହିଲେ, ‘‘ବନମାଳୀ; ମଧୁ କଥା ବୁଝିଲ ?’’ ଆଜ୍ଞା, ବୁଝିଛି ବୋଲି କହି ନାହାକେ ଅଣ୍ଟିରୁ ଖଡ଼ିଗୋଟଳା ବାହାର କରି ମହାଆଡ଼ମ୍ବରରେ ତଳେ ଛକି କାଟି ତହିଁରେ ଗ୍ରହମାନଙ୍କ ନାମରେ ପ୍ରଥମ ଅକ୍ଷର ଉପରେ ମଧ୍ୟମାଙ୍ଗୁଳି ସ୍ପର୍ଶ କରି କିଛିକ୍ଷଣ ମନେ ମନେ କଅଣ ଗୁଣିହେଲା । ଶେଷରେ ଟିକିଏ ମୁରୁକି ହସି ଦେଇ କହିଲା–‘‘ଆଜ୍ଞା, ଭଲ ତ ଲେଖିଲା । ମଙ୍ଗଳଗ୍ରହ ବୃହସ୍ପତି, ସେ ରହିଲେ କର୍ମ ସ୍ଥାନରେ । ପୁଣି ଏପରି ସେପରି ନୁହେଁ ମିତ୍ରଗ୍ରହୀ ହୋଇଅଛନ୍ତି, ଅନ୍ୟ ଶୁଭଗ୍ରହମାନଙ୍କ ଉପରେ ତାଙ୍କର ପୂର୍ଣ୍ଣ ଦୃଷ୍ଟି ଅଛି । ବୃହସ୍ପତି ଏଥର ସାନ ବାବୁଙ୍କର ମଙ୍ଗଳକୃତ୍ୟ ନ କରାଇ ଛାଡ଼ିବେ ନାହିଁ । ଯାହାହେଉ, ମୋ କପାଳରେ ପାଟଯୋଡ଼ ପାଚିଲା ।’’ ଏହା ଶୋକ, ଏତେ ଚିନ୍ତା, ତଥାଚ ସାମନ୍ତେ ନ ହସି ରହିପାରିଲେ ନାହିଁ; ମାତ୍ର ସେ ହାସ୍ୟ ବଡ଼ ନିଷ୍ପ୍ରଭ-ଯେପରି ଛାୟାପ୍ରସ୍ପୁଠିତ ପୁଷ୍ପ, କିମ୍ବା ବୁଦ୍ଧିହୀନର ବିଦ୍ୟା ଅଥବା ତୈଳଶୂନ୍ୟ ଶଳିତା । ସମସ୍ତଙ୍କ ମୁଖରେ ହାସ୍ୟ ଦେଖି ଜ୍ୟୋତିଷପୁଙ୍ଗବଙ୍କର ମୁଖ ବିରସ ହୋଇଗଲା । ସେ ବିସ୍ମୟ ବିହ୍ୱଳ ଦୃଷ୍ଟିରେ ଅନାଇ ରହିଲା । ତାକୁ ଅପ୍ରତିଭ ହେବାର ଦେଖି ସାମନ୍ତେ କହିଲେ, ‘ନାହିଁ ହେ, ଚାରିଦିନ ହେଲା ମଧୁ କେଉଁଆଡ଼େ ପଳେଇ ଯାଇଛି–ସେହି କଥା ବୁଝ ।

 

ବନମାଳୀ–(ଜିହ୍ୱା ଦଂଶନ କରି) ପଳେଇଛନ୍ତି–କେବେ ମଣିମା ?

ସାମନ୍ତ–ଚକ୍ରତୀର୍ଥା ଯାତ୍ରା-ଦିନରୁ ।

 

ବନମାଳୀ–ମୁଁ ଶୁଣି ନାହିଁ । ବିବାହ-ବେଭାର ଘେନି ପାଞ୍ଚଦିନ ହେଲା ବନ୍ଧୁ ଘରକୁ ଯାଇଥିଲି । କାଲି ରାତି ଛଅ ଘଡ଼ିବେଳେ ଆସି ଘରେ ପହଞ୍ଚିଲି । ଆଛା, ତେବେ, ଲଗ୍ନଖଡ଼ି ପକାଇ ବୁଝେ ।

 

ଏହା କହି ନାସାପୁଡ଼ାରେ ଘନ ଘନ ଅଙ୍ଗୁଳି ସ୍ପର୍ଶ କରି କେଉଁ ପୁଡ଼ାରେ ଅଧିକ ପବନ ଆସୁଅଛି, ତାହା ବାରି ଲଗ୍ନ ନିରୂପଣ କଲା । ପୂର୍ବ ଛକି ନିଭାଇ ଦେଇ ନୂତନ ଛକି କାଟିଲା ଏବଂ ପୂର୍ବପରି ଗ୍ରହ ସ୍ଥାପନା କଲା । ପୁଣି କଅଣ ମନରେ ବିଚାରି ବାହାରକୁ ଯାଇ ନିଜର ଛାଇ ମାପିଲା-। ଛାୟା-ଗୁରୁଠାରୁ ଶିକ୍ଷାଗ୍ରହଣ ପୂର୍ବକ ଛକିର ଯଦ୍ଦୃଚ୍ଛା ସ୍ଥାନରେ ଖଡ଼ି ରଖିବା ସକାଶେ ଜଣକୁ ଡାକି କହିଲା । ସେ ଆସି ଗୋଟିଏ ସ୍ଥାନରେ ଖଡ଼ି ରଖିଦେଇଗଲା । ବନମାଳୀ ଅସ୍ପଷ୍ଟ ଭାଷାରେ ଦୁଇଟା କି ଶ୍ଳୋକ ଆବୃତ୍ତ କରି କହିଲା, ‘‘କୁଆଡ଼େ ତ ଯାଇନାହାନ୍ତି ମଣିମା, ଏହି ଗ୍ରାମରେ କିମ୍ବା କୋଶକ ମଧ୍ୟରେ ଦେବାଳୟ ଆଶ୍ରାରେ ଅଛନ୍ତି, ତିନିଦିନ ପରେ ଆପେ ଆପେ ଆସି ପହଞ୍ଚିବେ । ମନରେ କିଛି ଧୁକା କରନ୍ତୁ ନାହିଁ । ସାନବାବୁ ବେଶ୍ ଆଛା କୁଶଳରେ ଅଛନ୍ତି ।’’ ଉପବିଷ୍ଟ ଲୋକମଧ୍ୟରୁ ଜଣେ ପଚାରିଲା–ନାହାକପୁଅ, ବାଘ ନେଇଗଲା ବୋଲି ତ ଗୋଟେ ଉଆକା ଉଠିଛି–ଭଲ କରି ବୁଝନି । ବନମାଳୀ ସଗର୍ବ ବାଣୀରେ ଉତ୍ତର ଦେଲା–‘‘ନା, ମିଛ କଥା, ଅପଘାତ କଥା ତ ପାଠ କହୁନାହିଁ ।’’ ଅନ୍ୟ ଜଣେ କହିଲା–‘‘ଠିକ୍ ଯାହା, ତାହା କୁହ, ମନଧରା କଥା କହିଲେ ନିଜେ ମିଛୁଆ ହେବ ।’’ ତହୁଁ ଗ୍ରହପୁତ୍ର ଦୁଷ୍ଟଗ୍ରହ ପରି କ୍ରୂଧ ହୋଇ ପାଞ୍ଜଟାକୁ ତଳେ କଚାଡ଼ିଦେଇ କର୍କଶ କଣ୍ଠରେ କହିଲା–‘‘କେମନ୍ତ, ମୁଁ ପରା ମିଛ କହୁଛି ? ତେବେ ଆଉ ଦିନେ ଏ ଦ୍ୱାରେ ଠିଆ ହୋଇପାରିବି ? ମୋର ଯଜମାନଘର ନେଉଟିଆଶାଗ-କିଆରୀ, ବାଡ଼ିରେ ନେଉଟିଆଶାଗ-କିଆରୀ ଥିଲେ ଯେତେବେଳେ ଇଚ୍ଛା କାଟିଆଣି ପାରିବ, ସେହିପରି ରାତି ଅଧରେ ଆସିଲେ ବି ଯଜମାନଘରୁ ପୋଷେ ଚାଉଳ ମିଳିବ । ଅନ୍ନପୂର୍ଣ୍ଣାଙ୍କ ଆଗରେ ମିଛ କହିବି, ଏ ବେକ କାଟିଦେଲେ ବି ତା ହବନାହିଁ । ଏ ଚଷାମୁଣ୍ଡିଆ ଜାଗା ନୁହେଁରେ ଭାଇ, ପାଠ ଯାହା କହିଲା, ମୁଁ ତାହା କହିଲି । ଜ୍ୟୋତିଷଶାସ୍ତ୍ର କଅଣ ମିଛ ? ମୋ କଥା ମିଛ ହେଲେ ମୁଁ ଏ ପାଞ୍ଜି ପୋଡ଼ି ପକାଇବି ।’’ ଜ୍ୟୋତିଷପ୍ରବର ପାଞ୍ଜି ପୋଡ଼ିଲା କି ନାହିଁ, ଆମ୍ଭେମାନେ ସେ ସମ୍ବାଦ ଆଜି ଅବଧି ପାଇନାହୁଁ । ସାଆନ୍ତେ ଏ ଆଶାର ବାଣୀ ଶୁଣି ସତ୍ୟନାରାୟଣ ପୂଜା ମାନସିକ କଲେ, ଆହୁରି ଅନେକ ଦେବଦେବୀଙ୍କୁ ମଧ୍ୟ ଉତ୍କୋଚ ଯାଚିଲେ । ହାୟ, ଦେବତା, କି ଦୁର୍ଭାଗ୍ୟ ତୁମ୍ଭର ! ତୁମ୍ଭେ ସୁଦ୍ଧା ଲାଞ୍ଚରେ ବଶ ! କେବେ ମନୁଷ୍ୟର ଅପରାଧ କଅଣ !!! ତାହାପାଇଁ ରାଜଦଣ୍ଡର ବ୍ୟବସ୍ଥା କାହିଁକି-? ତୁମ୍ଭେ କି ଏଡ଼େ ପେଟବିକଳିଆ ! ସ୍ୱର୍ଗରେ ତେବେ ପେନାଲକୋଡ଼ ଆଇନ୍ ନାହିଁ ! ଧିକ୍ ମାନବ, ଦେବତା ଭକ୍ତିର ବଶ, ଉତ୍କୋଚର ବଶ ନୁହନ୍ତି–ଏ ଶିକ୍ଷା କେତେ ଜନ୍ମପରେ ତୁମ୍ଭର ହେବ-? ଦେବତା ଉତ୍କୋଚଗ୍ରାହୀ ହୋଇଥିଲେ ଧନୀ ମହାଧନୀମାନଙ୍କର ଆଦୌ ଆପଦବିପଦ ଥାଆନ୍ତା ନାହିଁ, ତୁମ୍ଭ ଭଳି ଲୋକର କିଏ ଜ୍ଞାନ ନାହିଁ ? ତୁମ୍ଭେ କାନ୍ଦ, ନଚେତ୍ ଏ ପାପରୁ ପରିତ୍ରାଣ ଲଭିବ ନାହିଁ । ପାପ-ପଙ୍କ ଏକମାତ୍ର ଅଶ୍ରୁଜଳରେ, ଧୋଇଯାଏ–ତୀର୍ଥଜଳରେ ନୁହେଁ । ଅନୁତାପ, ଅଶ୍ରୁଜଳ ବ୍ୟତୀତ ଅନ୍ୟ କେହି ପାପୀକୁ ନିର୍ମଳ କରିପାରେ ନାହିଁ, ତାହାହିଁ ପାପର ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ୍ତ । ପ୍ରାଣର ସହିତ ଡାକିଲେ ଦେବତାଙ୍କ କୃପାଲାଭ କରିପାରିବ; ମାତ୍ର ଲାଞ୍ଚ ଯାଚିଲେ ସେ ତୁମ୍ଭ ପାଖରୁ ଦୂରକୁ ପଳାଇଯିବେ । ଏହା ପୁରୁଷାନୁକ୍ରମେ ମାନବପ୍ରକୃତି ବୋଲି କହିପାରେ; ମାତ୍ର ତାହା ଭୁଲ୍, ମହାଭୁଲ୍; ମାରାତ୍ମକ ଓ ଉତ୍କଟ ଭୁଲ୍ । ପ୍ରକୃତିକି ଛାଡ଼ି ହୁଏନାହିଁ ? ଦେଖ, ପଦ୍ମ ପଙ୍କରୁ ଜନ୍ମ ହୋଇ ସୁଦ୍ଧା ମଳିନତା-ବର୍ଜିତ । ଯାହା ଭାଷା-ବିବେକ-ଶୂନ୍ୟ ଜଡ଼ ପଦାର୍ଥ ପାରେ, ତାହାକି ତୁମ୍ଭେ ପାରିବ ନାହିଁ ? ଜଣେ ଭ୍ରନ୍ତ ହେଲା ବୋଲି ତୁମ୍ଭେ କାହିଁକି ଭଲ ନ ହେବ ? ଯାଉ ସେ କଥା-। ଜ୍ୟୋତିଷରତ୍ନଟି ସେରେ ଚାଉଳ ପାରିତୋଷିକ ପାଇ ସାମନ୍ତଙ୍କ ଛାମୁରୁ ବିଦାୟ ଗ୍ରହଣ କଲା।

 

ଏଣେ ଶକୁନ୍ତଳା ନାହାକର କଥା ଶୁଣିବା ପାଇଁ ଉତ୍କର୍ଣ୍ଣ ହୋଇ ବସିଛନ୍ତି । ସେ ସମସ୍ତ ଇନ୍ଦ୍ରିୟର ଶକ୍ତି ଆଜି କର୍ଣ୍ଣରେ ସନ୍ନିବେଶ କରିଅଛି । ଚାତକ ଘନଗର୍ଜନ ଶୁଣିବା ଆଶାରେ କିମ୍ବା ସାଧକ ବିବେକବାଣୀ ଶୁଣିବା ଆଶାରେ ଏରୂପ ଉତ୍କର୍ଣ୍ଣ ହୁଅନ୍ତି ନାହିଁ । ଶକୁନ୍ତଳାର ସମବୟସ୍କା ଗ୍ରାମବାସିନୀ ପାର୍ବତୀ ଏବଂ ମାଳତୀ ପାର୍ଶ୍ୱରେ ଉପବିଷ୍ଟା । ମାଳତୀ ଶକୁନ୍ତଳାକୁ ଚାହିଁ କହିଲା–ବହୁ, ତମର ଦିହ କଳାକାଠ ପଡ଼ିଗଲାଣି, ତମେ ଆଉ ଏତେ ଭାବନା କରନାହଁ । ଯାହା ତ ହବାର ଥିବ, ତାହା ହେବ, ତମେ ଏତେ ଭାବିଲେ କଣ ହେବ ?

 

ଶକୁନ୍ତଳା–ପୋଡ଼ା ମନ କିଛି ମାନୁଛି ଭଉଣୀ, ମୁଁ ଯେ ମଧୁକୁ ପୁଅ ପରି ସ୍ନେହ କରିଥିଲି । ଚାରିଆଡ଼େ ମୁଁ ତାହାର ହାତ ଦେଖିପାରୁଛି । ଏହି ଯେ ପିଞ୍ଜରାଟା ଟଙ୍ଗା ହୋଇଅଛି, ଏଟା ତାହାରି ହାତର ତିଆରି । ଏ ସାର ଚଢ଼େଇଟାକୁ ସେହି ଆଣି ପାଳିଥିଲା । ଏହି ଯେ କାନ୍ଥରେ ପଳାପଦ୍ମଟା ଦେଖୁଚ, ଏ ବି ତାହାରି ହାତର ଚିତ୍ର । ଦିନରାତି ଏହାସବୁ ଆଖି ଆଗରେ ଦେଖି ରକ୍ତମାଂସର ଦିହ କେତେକେ ସହିପାରିବ ?

 

ପାର୍ବତୀ–ସତ ଲୋ ମାଳତୀ ଅପା, ଗାଁରେ କଅଣ ଦିଅର ଭାଉଜ ନାହାନ୍ତି ନା, ଇମିତି ପୁଅ ପରି ଦିଅରକୁ କିଏ ଦେଖୁଚି ?

 

ମାଳତୀ–ହଁ, ପୁଅ ପରି ଦେଖୁଚନ୍ତି ନା ଗୃହପରି ଦେଖୁଚନ୍ତି । ବହୁ ଯିମିତି ଦିଅରକୁ ଶରଧା କରନ୍ତି, ସିମିତି ମା ବି ପୁଅକୁ କରିବ ନାହିଁ ।

 

ପାର୍ବତୀ–ତାହା ଆଉ କହିବାକୁ ଅଛି ନା । ସେହିଲାଗି ତ ବହୁଙ୍କ ନାଁରେ ଗାଁସାରା ଧନ୍ୟ ଧନ୍ୟ ପଡ଼ିଚି ।

 

ଏହି ସମୟରେ ପୁନେଇ, ରୂପେଇ ଦାସୀ ଦୁହେଁ ଦାଣ୍ଡଆଡ଼ୁ ଧାଇଁ ଆସିଲେ । ସେମାନେ ନାହାକ କଥା ଶୁଣିବାକୁ ଯାଇଥିଲେ । ରୂପେଇ କହିଲା–‘‘ବହୁ ମଣିମା, ମୋତେ କଅଣ ଦେବ କୁହ ।’’ ଏହି କଥାଟା ଶକୁନ୍ତଳାର ରୁଦ୍ଧ ଆଶା-ଦ୍ୱାରରେ ସବଳରେ ଆଘାତ କଲା । ସେ ଆଖିରୁ ଦୁଇଟୋପା ଲୁହ ଗଡ଼ାଇ ପକାଇ ଉତ୍କଣ୍ଠିତ ଭାବରେ ପଚାରିଲା–‘‘କି ଲୋ, ମଧୁ ମିଳିଲା କି-? ତୋତେ ଆଉ ଦେବି କଅଣ–ମୁଁ ତୋର ।’’

 

ରୂପେଇ–ନା, ମିଳିନାହାନ୍ତି-ଆଜି କି କାଲି ମିଳିବେ ବୋଲି ନାହାକ ଖଡ଼ି ପକେଇ କହିଲା ।

 

ସୁନେଇ–ସତୀଟା ସତ କଥା କହିପକାଇଲା । ନା ସାଆନ୍ତାଣିଏ, ନାହାକ କହିଲା, ତିନିଦିନ ଗଲେ ଆପେ ଆପେ ଘରକୁ ଆସିବେ ।

 

ରୂପେଇ–ମୋତେ ଯେ ସତୀ ବୋଲି କହିଲା, ସେହି ସତୀ ହେଉ ।

 

ଏହା ଶୁଣି ସମସ୍ତେ ହସି ଉଠିଲେ । ଘନଛିଦ୍ରାଗତ କ୍ଷୀଣ ଖଡ଼ିଲ୍ଲେଖାପ୍ରାୟ ଶକୁନ୍ତଳା–ଅଧରରେ ମଧ୍ୟ ହାସ୍ୟ ଫୁଟିଉଠିଲା; ମାତ୍ର ମୁହୁର୍ତ୍ତକ ମଧ୍ୟରେ ସେହି ହାସ୍ୟ ସେହି ଅଧରରେ ମିଳେଇଗଲା । ପାର୍ବତୀ ହସି ହସି କହିଲା–‘‘ସୁନେଇକି ତୁ ଗାଳି ଦେଲୁ, ନା କଲ୍ୟାଣ କଲୁ ଲୋ ରୂପେଇ ! ସତୀ ହେବାଟା କି ଏଡ଼େ ଖରାପ କଥା, ଅଲାଗି ହୁଣ୍ଡୀଟାକୁ ମରଣ ନାହିଁ ।’’ ରୂପେଇ ମହାତ୍ମାଣୀ ଓଷ୍ଠ କମ୍ପାଇ କଅଣ କହିବାକୁ ଯାଉଥିଲା; ମାତ୍ର ଶକୁନ୍ତଳାର ମୁହଁକୁ ଅନାଇ କି ସଙ୍କେତ ପାଇ ତୁନି ହୋଇ ରହିଲା । ଶକୁନ୍ତଳା ଦେହରୁ ଅଳଙ୍କାରମାନ ବାହାର କରି ତଳେ ରଖି ଗ୍ରାମଦେବତା ରଘୁନାଥଙ୍କ ନାମରେ ପାଣି ଛଡ଼ାଇ ଦେଇ କହିଲା– ‘‘ହେ, ବାବା ରଘୁନାଥ, ମଧୁ ମିଳିଲେ ମୁଁ ଏହିଗୁଡ଼ିକ ଭାଙ୍ଗି ତମ ଲାଗି ଗହଣା ଗଢ଼ାଇ ଦେବି ।’’ ପୁନଶ୍ଚ କହିଲା–‘‘ନାହାକ କଥା ଯେବେ ସତ ହେବ, ତେବେ ବାବା ତ ତାକୁ ଯାହା ଦବାର ଦେବେ, ଆଉ ମୁଁ ବାବାଙ୍କୁ କହି ତାକୁ ମାଣେ ଜମି ଦେବି, ଏହା ମୋର ସତ୍ୟ ରହିଲା ।’’ ଏହି ସମୟରେ ସାମନ୍ତଙ୍କ ବଡ଼ ପୁଅ ଖାଇବାକୁ ଆସିବାରୁ ସମସ୍ତେ ଉଠିଗଲେ ।

 

ହେମହରି ସାମନ୍ତ ଜ୍ୟୋତିଷକୁ ବିଦାୟ କରିଦେଇ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ସେହିକ୍ଷଣି କେତେ ଜଣ ଗ୍ରାମବାସୀଙ୍କୁ ଡାକି ମଧୁକୁ ଖୋଜିବା ସକାଶ ସୁନାଘାଇ ପର୍ବତ ଉପରକୁ ପଠାଇଲେ । ସେମାନଙ୍କୁ କହିଲେ–‘‘ଦେବାଳୟ ଆଶ୍ରୟରେ ଅଛି ବୋଲି ନାହାକ ଖଡ଼ି ପକାଇ କହିଗଲା, ତୁମ୍ଭେମାନେ ପର୍ବତର ପ୍ରତି ଦେବତା ଆସ୍ଥାନରେ ଭଲରୁପେ ଖୋଜିବ । ତୁମ୍ଭମାନଙ୍କୁ ଦୁରକୁ ଦେଖି ସେ ଲୁଚିଯାଇପାରେ, ତୁମ୍ଭେମାନେ ଖୁବ୍ ଗୋପନରେ ଯିବ ।’’ ସେମାନେ ପର୍ବତାଭିମୁଖରେ ଯାତ୍ରା କଲେ । ପର୍ବତର ପ୍ରତ୍ୟେକ ଗୁମ୍ଫା, ଦେବାୟତନ ଏବଂ ବଡ଼ ବଡ଼ ଗଛ ତନ୍ନ ତନ୍ନ ଭାବରେ ଅନ୍ୱେଷଣ କଲେ, ମାତ୍ର କେଉଁଠାରେ ମଧୁର ସାକ୍ଷାତ୍ ପାଇଲେ ନାହିଁ-। ସୁତରାଂ ଅତିକ୍ଲାନ୍ତ ହୋଇ ସନ୍ଧ୍ୟାସମୟରେ ଫେରି ଆସି ସାମନ୍ତଙ୍କୁ ଏହି ବିଫଳବାର୍ତ୍ତା ପ୍ରଦାନ କଲେ ।

 

ସାମନ୍ତେ ଅନନ୍ୟୋପାୟ ହୋଇ ଭାବିଲେ–କାଳେ ବନ୍ଧୁଘରକୁ ଚାଲି ଯାଇଥିବ, ସେଠାରେ ମଧ୍ୟ ଅନୁସନ୍ଧାନ କରିବା ଆବଶ୍ୟକ । ବିକଳା ଭଣ୍ଡାରୀ ଆମ୍ଭର ସବୁ ବନ୍ଧୁଘର ଦେଖିଚି, ତାହାକୁ ପଠାଇଲେ ଭଲ ହେବ । ଏହା ଭାବି ବିକଳାକୁ ଡକାଇଲେ । ବିକଳା ଭାରି ଚଳୁଆ ଲୋକ-। ଥରକେ ଦେଢ଼ ସେର ଚାଉଳର ଭାତ ଉଡ଼ାଇଦିଏ–ଉଦରଟା ମଧ୍ୟ ଅସ୍ୱାଭାବିକ ପୃଥୂଳ । ପିଲାମାନେ ତାକୁ ‘‘ହାତୀପେଟା’’ ବୋଲି କହିଲେ ସେ ବାଳ ଛିଣ୍ଡାଇ ଚଳି ମରେ । ସାମନ୍ତଙ୍କ ନାମ ଶୁଣି ବିକଳା ତରଛରେ ଘରୁ ବାହାରି ଆସିଲା । ଏହି ସମୟରେ ଗୋଟିଏ ଦୁଷ୍ଟ ପିଲା ଅନ୍ତରାଳରେ ଥାଇ ବିକୃତ ସ୍ୱରରେ କହିଲା–‘‘ହାତୀପେଟା’’ । ଆଉ ବିକଳାକୁ ସମ୍ଭାଳେ କିଏ ? ସେ ହାତୀପରି ଗର୍ଜିଉଠି କହିଲା–‘‘ବେଧୁଆ ବାଳୁଙ୍ଗା ଟୋକା, ରହ, ରହ, ମୁଁ ଆସେ, ତୋତେ ଦେଖିବି । ଏକ ଚାପଡ଼େ ଦେବି ଯେ ତୋର ଗାଲପାଟି ଭାଙ୍ଗିଯିବ । ତୋର କେଉଁ ବାପ ପିଠିରେ ପଡ଼ିବ ଭଲା ଦେଖିବି ।’’ ବିକଳାର ଗର୍ଜନ ଶୁଣି ଆହୁରି କେତେଟା ପିଲା ବାହାରି ଆସି ‘‘ହାତୀପେଟା’’ ‘‘ହାତୀପେଟା’’ କହି ତାଳି ମାରି ନାଚିବାକୁ ଲାଗିଲେ । ବିକଳାର କ୍ରୋଧ ମଗଜକୁ ଉଠିଗଲା । ନିରସ୍ତ୍ର ଯୋଦ୍ଧା ପ୍ରାୟ ସେ ଇଟା, ପଥର, ଡାଙ୍ଗ ଯାହା ଆଗରେ ପାଇଲା, ତାହା ଫୋପାଡ଼ିଲା । ପିଲାମାନେ ଆହୁରି ଉତ୍ତେଜିତ ହୋଇ ଚଳାଇଲେ, ଏହିପରି ଖଣ୍ଡଯୁଦ୍ଧ ଲାଗିଗଲା । ହରି ବେହେରା ଆସି ମଧ୍ୟରେ ପଡ଼ି ନ ଥିଲେ ସେଦିନ ଗୋଟାଏ ବିଷମ କାଣ୍ଡ ଘଟିଥାଆନ୍ତା । ହରି ପଚାରିଲା–‘‘କଣ ବାରିକ ପୁଅ, ଏତେ ଗରମ କାହିଁକି ?’’ ବିକଳା ଉତ୍ତେଜିତ କଣ୍ଠରେ କହିଲା–‘‘ରକ୍ତମାଂସ ଦିହ, ଗରମ ହେବିନାହିଁ । ପିଲାଗୁଡ଼ାକ କଅଣ ଗାଁରେ ରଖେଇ ଦେବେ ନାହିଁ–ମୁଁ କଅଣ କାହା ବାବା ଦାଦାର ଖାଏଁ । ସବୁବେଳେ ବଦମାସଗୁଡ଼ାକ ମୋହରି ପଛରେ ଲାଗିଛନ୍ତି । ମୋ ପେଟ ହାତୀପେଟପରି–ମୁଁ ବେଶି ଭାତ ଖାଏଁ, ଏହା କାହାରି ଦିହରେ ସହୁ ନାହିଁ-। ମୋ ଖାଇବା ତମେ ବଦଜାତ ସାତ ଜନ୍ମରେ ପାଇବା ନା ? ମୁଁ ତ କାହାରି ହଳଦିଆ ପାଣିରେ ଗୋଡ଼ ଧୋଇବା ଲୋକ ନୁହେଁ–ତମେ କାହିଁକି ମୋ ଖୋଦ୍ ଗୋଡ଼େଇ ଥାଅ । ମୁଁ ହାତୀ ହେଲି ବା ଯା’ ହେଲି, କାହାରି କଦଳୀବାଡ଼ି ତ ଉଜାଡ଼ିବାକୁ ଯାଉନାହିଁ ।’’ ହରି କହିଲା, ‘‘ପିଲାଗୁଡ଼ାକ କଥାରେ କଅଣ ଅଛି ?’’ ଅଗ୍ନିରେ ଆହୁତି ଦେଲାପ୍ରାୟ ବିକଳା ଜଳି ଉଠି କହିଲା–‘‘ହଁ ହୋ, ମୁଁ ସମସ୍ତଙ୍କ କଥା ଜାଣେ । ବାଗଡ଼ ପିଲାଗୁଡ଼ାକ ତୁମେ ସବୁ ଟେଇ ଦେଇଚ । ନ ହେଲେ ସେ କହନ୍ତେ, ଦାନ୍ତ ଭାଙ୍ଗି ଦିଅନ୍ତି ନାହିଁ । ହରି ମୁହଁରେ ଲୁଗା ଢାଙ୍କି ମୁରୁକି ହସା ଦେଇ ଚାଲିଗଲା । ବିକଳା ବଡ଼ର ବଡ଼ର ହୋଇ ସାଆନ୍ତଙ୍କ ଉଆସ ଆଡ଼କୁ ଗଲା ।

 

ବିକଳା କେଉଁ କେଉଁ ଗ୍ରାମକୁ ଯିବ, ସେଥିର ଗୋଟାଏ ମୌଖିକ ତାଲିକା ସାମନ୍ତଙ୍କଠାରୁ ଆଦାୟ କରିନେଲା । ଗ୍ରାମଗୁଡ଼ାକର ନାମ ନଜାଣିଲେ କାହାରି କୌଣସି କ୍ଷତିର ସମ୍ଭାବନା ନାହିଁ । ବିଶେଷତଃ ଜଣେ ସଙ୍ଗତି ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କର ଜାବତୀୟ କଥା ପଦାରେ ପକାଇବାକୁ ଆମ୍ଭେମାନେ ଶିଷ୍ଟାଚାରଭଙ୍ଗ ଭୟରେ ଏକାନ୍ତ ନାରାଜ । ପାଠକମାନେ ମଧ୍ୟ ସେ ନାଡ଼ିନକ୍ଷତ୍ର ବୃତ୍ତାନ୍ତ ଶୁଣି ଭଦ୍ରତାରେ ଜଳାଞ୍ଜଳି ଦେବାକୁ ଆଗ୍ରହାନ୍ୱିତ ହେବେ ନାହିଁ । ସୁତରାଂ ତାହା ଢାଙ୍କି ରଖିବା ହିଁ ଉଚିତ୍ । ବିକଳା ଉପଯୁକ୍ତ ପାଥେୟ ନେଲା ଏବଂ କିଛି ଚୁଡ଼ାଚାଉଳ ବାନ୍ଧିଲା-। ତାକୁ ଆଜି ଅନ୍ତତଃ ତିନିକୋଶ ବାଟ ଚାଲିବାକୁ ହେବ । ସୁତରାଂ ବାଟରେ କିଛି ଖାଇଲେ ତାହାର ହଂସା ଉଡ଼ିଯିବ । ପାଠକେ ତାହାର ପେଟୁ କଥା ପୂର୍ବରୁ ଜାଣିଅଛନ୍ତି । ଦିନେ ଦିନେ ତାହା ଘରେ ଭାତରନ୍ଧାର ଉଛୁର ହେଲେ ସେ ଭୋକ ସହି ନ ପାରି ସେରେ ଚାଉଳ ତିନ୍ତାଇ ସେଥିରେ ଚିମୁଟେ ଲୁଣ ଗୋଳାଇଦେଇ ଗୋଟାଏ ଲଘୁ ଆହାର କରିନିଏ । ପରେ ଭାତରନ୍ଧା ସରିଲେ ପୂର୍ଣ୍ଣ ଆହାର କରେ । ତରକାରୀ ସଙ୍ଗରେ ଆନ୍ତରିକ ବନ୍ଧୁତା ନଥିବାରୁ ସେ ଖାଇବାବେଳେ ତାକୁ ଆହ୍ୱାନ କରେ ନାହିଁ । ମାତ୍ର ବଳେ ବଳେ ଆସି ପତ୍ରରେ ପଡ଼ିଲେ ଅଗ୍ରାହ୍ୟ କରେ ନାହିଁ । ଗୋଟାଏ ଦଗଧ ପଦ୍ମକାଷ୍ଠ କିମ୍ବା ତାହା ଅଭାବରେ ଟିକିଏ ଲୁଣ ହେଲେ ଭାତ ଆଉ କେଉଁଠାରେ ଅଟକି ନରହି ସଳଖେ ସଳଖେ ଉଦର ଗହ୍ୱରକୁ ବିନା ଓଜର ଆପତ୍ତିରେ ଚାଲିଯାଏ । ଭଣ୍ଡାରୀ ଲୋକ, ସୁତରାଂ ବାହା ସୁହାଣିରେ ଗୁଆବେଭାର ଘେନି ତାହାକୁ ବାରଆଡ଼େ ଯିବାକୁ ପଡ଼େ, ମାତ୍ର ଯେଉଁଠାରେ ତାହାର ପେଟଟି ସନ୍ତୁଷ୍ଟ ହୁଏ, ସେଠାରୁ ସେ ସହଜରେ ଗୋଡ଼ କାଢ଼ିବାକୁ ମଙ୍ଗେ ନାହିଁ । ପେଟଟି ପୁରିଲେ ଘରଦ୍ୱାର ଭାଙ୍ଗିଯାଉ ବା ପିଲାପିଲି ଉପାସରେ ମରନ୍ତୁ, ସେ ଆଡ଼କୁ ତାହାର ଦୃଷ୍ଟି ଥାଏ ନାହିଁ । ‘‘ଆପେ ଥିଲେ ବାପର ନାମ’’ ଏ ପ୍ରବାଦକୁ ସେ ବେଦବାଣୀ ତୁଲ୍ୟ ମଣେ । ନିଜେ ନିଜେ ଉପାର୍ଜନ କରି ଖାଇବା ସକାଶ ଈଶ୍ୱର ସମସ୍ତଙ୍କୁ ହାତଗୋଡ଼ ଦେଇଅଛନ୍ତି, ତାହାର ସ୍ତ୍ରୀପୁତ୍ରାଦିଙ୍କୁ ମଧ୍ୟ ଦେଇଅଛନ୍ତି । ତେବେ ସେ କାହିଁକି ନିଜର ହାଡ଼ ଭାଙ୍ଗି ସେମାନଙ୍କୁ ପୋଷି ଈଶ୍ୱରଙ୍କ ନିୟମ ଲଙ୍ଘନରୁପ ମହାପାପ କରିବାକୁ ଯିବ ? ସେ ତ ଆଉ ପୋଷିବାପାଇଁ ଏଗ୍ରିମେଣ୍ଟ ଲେଖିଦେଇ ପିଲାମାନଙ୍କୁ ଜନ୍ମ କରିନାହିଁ । ପିଲାଗୁଡ଼ାକୁ ପୋଷିଲେ ସେମାନେ ଅଳସୁଆ ହୋଇ ସ୍ୱାବଲମ୍ବନ ତ୍ୟାଗ କରିବେ, ସେଥିରେ ସମାଜରେ ଅକର୍ମଣ୍ୟର ସଂଖ୍ୟା ଅଧିକ ହେବା ଭଣ୍ଡାରୀବାପୁଡ଼ା କାହିଁକି ବା ସମାଜକୁ ପଙ୍ଗୁ ବା କ୍ଲୀବ କରି ରଖିବ, ସେ ପାପର କି ପ୍ରାୟଶ୍ଚିତ ଅଛି ? ସାଆନ୍ତେ ତାହାର ଏସବୁ କଥା ଜାଣନ୍ତି, ତେଣୁ ତାକିତ୍ କରି କହିଲେ–‘‘ଖବରଦାର୍ ବିକଳା, ଡେରି ନ କରି ଚଞ୍ଚଳ ଫେରି ଆସିବୁଟି !’’ ବିକଳା କାନରେ ହାତ ଦେଇ କହିଲା–‘‘ରାମ, ରାମ, ମୋତେ କଅଣ ଦଇବ ଛାଡ଼ିଚି, ହଜୁରଙ୍କ କାମରେ ଡେରି କରିବି, ମୁଁ ସେମିତି ଲୋକ ନୁହେଁ, ଅବଧାନ । ମୋ କଥା ଫେର୍ ପଛରେ ବୁଝିବ ନାହିଁ କି । ତମେ କିଛି ଚିନ୍ତା କର ନାହିଁ, ସାନ ବାବୁଙ୍କୁ ମୁଁ କାନ୍ଧରେ ବସାଇ ଘିନି ଆସିବି । ସେ ତ ମାମୁଘରେ କି ଭିଣେଇ ଘରେ ଥିବେ । ସେହି ଦି’ଜାଗାକୁ ମୁଁ ଆଗେ ଯିବି ।’’ ଏହା କହି ସାଆନ୍ତଙ୍କୁ ଗୋଟାଏ ଦୀର୍ଘ ଦଣ୍ଡବତ ପକାଇ ବିକଳା ଚାଲିଗଲା ।

 

ବିକଳାକୁ ପଠାଇ ଦେଇ ସାଆନ୍ତେ ବସି ଆକାଶ ପାତାଳ ନାନା ଚିନ୍ତା କରିବାକୁ ଲାଗିଲେ । ଭାବିଲେ, କାଳେ ମଧୁ ସେଠାକୁ ଯାଇ ନଥିବ । ପୁଣି ଭାବିଲେ ନ ଯାଇଥିଲେ ନାହିଁ, ମୁଁ ଆଉ କଅଣ କରିବି ? ଜନ୍ମ ଦେଇଛି ବୋଲି ତ କର୍ମ ଦେଇନାହିଁ, ଯାହା ତା’ ଅଦୃଷ୍ଟରେ ଥିବ, ତାହା ହେବ, ମୋର ଆଉ କି ଚାରା ଅଛି ? ଏହିପରି ନାନା ଭାବନାରେ ଦୁଇ ଦିନ ଅତିବାହିତ ହେଲା । ତୃତୀୟ ଦିନ ବିକଳା ଫେରି ଆସି ଦୁଇ ଖଣ୍ଡ ତାଳପତ୍ର ତାଙ୍କ ହସ୍ତରେ ଦେଲା । ସାମନ୍ତ କମ୍ପିତ କରରେ ଖଣ୍ଡିଏ ଫିଟାଇ ପାଠ କରିବାକୁ ଲାଗିଲେ । ସେଥିରେ ଏହିପରି ଲେଖାଥିଲା–‘‘ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣେ ଶରଣ–ଶ୍ରୀ ବାବା ବୈଦ୍ୟନାଥଙ୍କ ଚରଣେ ଶରଣ–ଶ୍ରୀ ମା ଗଙ୍ଗାକାଳୀଙ୍କ ଚରଣେ ଶରଣ–ଶ୍ରୀ ଇଷ୍ଟଦେବତା ଇଷ୍ଟଦେବୀଙ୍କ ଚରଣେ ଶରଣ–ଶ୍ରୀ ଗ୍ରାମଦେବତୀ ମା ବାଘେଇଶୁଣୀଙ୍କ ଚରଣେ ଶରଣ । ଦାନୀକର୍ଣ୍ଣ-ମାନୀ ଦୁର୍ଯ୍ୟୋଧନ–କହିବାକୁ ଶୁକ-ଦେବ–ଣୁଣିବାକୁ ପରୀକ୍ଷିତ-ଗଙ୍ଗାଜଳ ନିର୍ମଳ–ଏଠାରେ ସର୍ବକୁଶଳ ମଙ୍ଗଳ-ସେଠାରେ କୁଶଳମଙ୍ଗଳକୁ ଶ୍ରୀ ଶ୍ରୀ ଜିଉ ବିଚାର କରୁଥିବେ । ଶ୍ରୀ ଶ୍ରୀ ସାମନ୍ତ ଶଶୁର ଶ୍ରୀ ଗୌରଗୋବିନ୍ଦ ହରିଚନ୍ଦନ ମଙ୍ଗରାଜ ଭ୍ରମରବର ରାୟ ମହାପାତ୍ରଙ୍କର ଜାମାତା ଶ୍ରୀ ଶ୍ରୀ ହେମହରି ସାମନ୍ତ ବାବୁଜିଉଙ୍କୁ ତ୍ରିକାଳସନ୍ଧ୍ୟାରେ ଧନପୁତ୍ର ଗୋପଲକ୍ଷ୍ମୀବାଞ୍ଛିତ ବହୁତ ବହୁତସୁକଲ୍ୟାଣ । ଶ୍ରୀ ଶାଶୁ ଗୋସାଇଙ୍କର ସାମନ୍ତ ପୁଅଙ୍କୁ ଆଶୀର୍ବାଦ । ଗୋକୁଳି, ସଇତା ଓଗେର ପିଲାମାନଙ୍କର ପିଉସାଙ୍କୁ ଶତକୋଟି ଭୂମିଷ୍ଠ ଦଣ୍ଡବତ । ନାତି ଗୋପାଳକୁ ଅଜା ଓ ଆଈ ସାଆନ୍ତାଣୀଙ୍କର ଅଶେଷ କଲ୍ୟାଣ-। ଲେଖିବାର କାରଣ ଏହିକି, ବାବୁ, ତୁମ୍ଭ ଲେଖିବାର ଚିଟାଉ କରପଇଠ ହୋଇ ଆମ୍ଭ ଛାମୁରେ ପାଠ ହେଲା । ତୁମ୍ଭେ ଯେ ଲେଖିଅଛ ମଧୁବାବୁଙ୍କ କଥା, ମାତ୍ର ସେ ବାବାଜି ଏଠା ମୁକାମ୍ ଆମ୍ଭ ଉଆସକୁ ଆସିନାହାନ୍ତି ଜାଣିବ। ଆମ୍ଭର ଏଠାରେ ଆଠଦିନ ତଳେ ଭାରି ଭାରି ଆପଦ ଘଟିଗଲା–ଆମ୍ଭର ପାଣୁଆ ନାମରେ ଗୋଟାଏ ବଳଦ ମରିଗଲା । ସେ ବଳଦଟା ଆହୁରି ତିନିପାଣି ମାରିଥାନ୍ତା–ସେଟା ଖାଡ଼ିଆଶିଙ୍ଗା ହୋଇ ଖୁବ୍ ଅଝାଲ୍ ବଳଦ । ସେ ବଳଦ ନୁହେଁ ଯେ, ଗୋଟାଏ ହାତୀ ଥିଲା । ହଳ କରିବାକୁ, ଛେଲା କହିବାକୁ ଗୋଟାଏ ରାହୁ । ଦିହରେ ପାଞ୍ଚଣବାଡ଼ି ବଜାଇ ଦିଏ ନାହିଁ । ତୁମ୍ଭ ଶାଶୁ ତାହାଲାଗି ତିନିଦିନଯାଏ ଅନ୍ନ ଜଳ ବିଷ କରିଥିଲେ, ତାଙ୍କ ଆଖିରୁ ହାଣ୍ଡିଏ କି ଦେଢ଼ହାଣ୍ଡି ଲୁହ ବାହାରିଗଲା–ସେ ଝୁରି ଝୁରି କଣ୍ଟାପରି ହେଲେଣି । ଆଉ ବାବୁ, ତୁମ୍ଭ ମଧୁ ଲାଗି ଭାବିତ ହେବ ନାହିଁ, ପ୍ରଭୁ ଅଛନ୍ତି -ସବୁ କାଳିଆର ଲୀଳା ଇତି-ମୁକାମ ତାରିଖ ସଦର । ଲିଖିତଂ ତୁମ୍ଭର ଶଶୁର ସାଆନ୍ତେ ।’’ ପତ୍ର ପାଠ କରି ସାରି ହେମହରି ସାଆନ୍ତେ ହତାଶ ଦୃଷ୍ଟିରେ ଘଡ଼ିଏ କାଳ ଆକାଶକୁ ଅନାଇ ରହିଲେ–ପରେ ଅନ୍ୟ ପତ୍ରଖଣ୍ଡି ଉଠାଇ ଫିଟାଇବାକୁ ଲାଗିଲେ, ସେ ଖଣ୍ଡିକର ଆକାର ପିଲାଙ୍କ ଚଉରାମୁଣ୍ଡୀ ପରି-ମଧ୍ୟଭାଗରେ ଖଣ୍ଡେ ତାଳପତ୍ର ଶିରା ତିନିପରସ୍ତ ଗୁଡ଼ା ହୋଇଅଛି । ସେଥିରେ ଲେଖାଥିଲା–

 

‘‘ଶ୍ରୀହରିଃ ଶରଣମ୍‌ । ମୁକାମ୍‌ ସଦର–୫ ଦିନ ମାହେ ଆଷାଢ଼ ଶନିବାର ବେଳ ଦୁଇଘଡ଼ି ସରିକ୍‌ ପୂଜନୀୟ ଶ୍ରୀ ଶ୍ରୀ ଶ୍ରୀ ଶଶୂର ସାମନ୍ତଙ୍କୁ ଶ୍ରୀ ଶ୍ରୀ ନଟବର ବଜ୍ରଧର ଭୂୟାଁ ବୀରବର ଜଗଦ୍ଦେବ ସାମନ୍ତଙ୍କର କୋଟି କୋଟି ପାଲାଗି ଦଣ୍ଡବତ । କାର୍ଯ୍ୟାଞ୍ଚାଗେ କି ବୋଇଲେ ବିକଳା ଭଣ୍ଡାରୀଠାରୁ ସକଳ ବେଉରା ଶୁଣି ଦୁଃଖିତ ହେଲୁଁ । ମଧୁ ଆମ୍ଭ ଘରକୁ ଆସିଥିଲେ ଆମ୍ଭେ ତକ୍ଷଣେ ପଠାଇ ଦେଇଥାଆନ୍ତୁ । ଆମ୍ଭେ ଅନୁସନ୍ଧାନରେ ରହିଲୁଁ, ଭେଟ ହେଲାକ୍ଷଣି ସଙ୍ଗରେ ଲୋକ ଦେଇ ପଠାଇଦେବୁଁ । କେଭେଁ ଖିଲାପ କରିବୁଁ ନାହିଁ ଜାଣିବା ହେବେ । ଦିବ୍ୟଚିତ୍ତକୁ ଆଣିବେ ଯେ, ଆମ୍ଭେ ଆପଣଙ୍କର କିଣା ଚାକର । ଆପଣଙ୍କ ଆଜ୍ଞାରେ ଆରମ୍ଭ ହେଳା ନାହିଁ । ଆମ୍ଭର କଳେଇମଳା ଶେଷ ହୋଇଅଛି–ଏଥର ଧାନ ୮୧ ଭରଣ ତିନି ଛେଲା ପନ୍ଦର ପୁଡ଼ି ନ’ ବିଶ୍ୱା ହେଲା । ଆମ୍ବ ପଣସ ବି ତୋଟାରେ ଢେର ଫଳିଥିଲା । ଆପଣଙ୍କ ଖୋଦ ଶ୍ରୀହସ୍ତଲେଖା ଦସ୍ତୁରି ଚିଟାଉ ଖଣ୍ଡିକରେ ମଧୁଙ୍କର ମିଳିବା ନ ମିଳିବା ଲେଖି ପରିତୋଷ କରିବା ହେବେ । ଆଉ ଗୋଟିଏ ଖୋସ୍‌ଖବର ଏହି କି, ଆପଣ ଦେଇଥିବା ଯୌତୁକୀ ଛଡ଼ାଟି ଗୋଟିଏ ମାଈବାଛୁରୀ ପ୍ରସବ କରିଅଛି । ଅତ୍ର ସମସ୍ତ ମଙ୍ଗଳ । ଭାଇ ଗୋପାଳଙ୍କୁ ଆମ୍ଭର ଯେ ବିଧି ଜଣାଇଦେବେ । ଇତି ।’’

 

ଆପଣଙ୍କର ଚରଣସେବକ

ଶ୍ରୀ ନଟବର

•••

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ପତ୍ର ପାଠ ଶେଷରେ ସାମନ୍ତଙ୍କ ମୁଖ ଶ୍ରାବଣର କାଉଁଳିଆ ମେଘପରି ବିଷଣ୍ଣ ହୋଇଗଲା । ‘‘ତେବେ କୁଆଡ଼େ ଗଲା ?’’ ଏତିକି ମାତ୍ର ତାଙ୍କ ଶୋକାର୍ଦ କଣ୍ଠରୁ ବାହାରି ବାକ୍ୟରୋଧ ହୋଇଗଲା । ମନ ଏବଂ ଇନ୍ଦ୍ରୟାଦି ତାଙ୍କୁ ଛାଡ଼ି ପଳାଇଗଲେ, କି ପୃଥିବୀ ତାଙ୍କ ପାଦତଳୁ ଧସିଗଲା, ସେ କିଛି ସ୍ଥିର କରି ପାରିଲେ ନାହିଁ । କିନ୍ତୁ ଚାରିଆଡ଼େ ପ୍ରତିଧ୍ୱନି କହିବୁଲିଲା–ତେବେ କୁଆଡ଼େ ଗଲା ? ଆକାଶରେ, ପବନରେ ଧ୍ୱନିତ ହେଲା–ତେବେ କୁଆଡ଼େ ଗଲା ? ବୃକ୍ଷମାନେ ପତ୍ରର ମର୍ମରଛଳରେ କହିଲେ–ତେବେ କୁଆଡ଼େ ଗଲା ? ଏହିପରି ଭାବରେ କେତେକ୍ଷଣ କଟିଗଲା ପରେ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି ସେ ପ୍ରକୃତିସ୍ଥ ହେଲେ । ବିକଳାଠାରୁ ଅନ୍ୟାନ୍ୟ ସ୍ଥାନର ସମ୍ବାଦ ଶୁଣିବାର ଆବଶ୍ୟକ ହେଲା ନାହିଁ । ସେ ହାତ ଇସିରାରେ ତାକୁ ବିଦାୟ କରିଦେଲେ । ବିଧାତା ମାନବକୁ ଶୋକ ଦିଏ, ଆଉ ଶୋକ ସହିବାର ଶକ୍ତି ମଧ୍ୟ ଦିଏ । ତାହା ନକରି ଶୋକ ଅବିଚ୍ଛିନ୍ନ ରଖିଥିଲେ ମାନବସୃଷ୍ଟି ଆଉ ଜଗତରେ ନ ଥାନ୍ତା । ଶୋକର ସ୍ୱଭାବ, ସେ ନଦୀବନ୍ୟା ପରି ଯେରୂପ କ୍ରମେ କ୍ରମେ ମାଡ଼ିଆସେ, ସେହିରୂପେ କ୍ରମେ କ୍ରମେ ଛାଡ଼ିଯାଏ । ଶ୍ମଶାନର ଅଗ୍ନି ପରି ସେ କେତେବେଳେ ଦପକରି ଜଳିଉଠେ–କେତେବେଳେ ବା ଭସ୍ମାନ୍ତରାଳରେ ଆତ୍ମଗୋପନ କରେ । ଶୋକ କ୍ରମେ କ୍ରମେ ମିଳେଇଯାଏ, ମାତ୍ର ସ୍ମୃତି ଯାଏ ନାହିଁ । ମାନବ କାଳକ୍ରମେ ଆତ୍ମୀୟ ସ୍ୱଜନର ଶୋକ ଭୁଲି ଯାଏ । ଯେଉଁ କାଳ ଶୋକ ଆଣିଦିଏ, ସେହିକାଳ ପୁଣି ଶୋକ ହରିନିଏ । ଶୀତକାଳର ଦିବସ ପ୍ରାୟ ଶୋକ ସ୍ୱଳ୍ପାୟୁ । ସମୟ ଅତିକ୍ରମ ସଙ୍ଗେ ସଙ୍ଗେ ସାମନ୍ତ ପରିବାର ଶୋକ କ୍ରମେ କ୍ରମେ ଊଣା ହୋଇ ଆସିଲା । ଦିନେ ନିଶୀଥ ସମୟରେ ସାମନ୍ତ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ଗୋଟିଏ ଅପୂର୍ବ ସ୍ତ୍ରୀମୂର୍ତ୍ତି ତାଙ୍କ ଶର୍ଯ୍ୟାପାର୍ଶ୍ୱରେ ଦଣ୍ଡାୟମାନ । ଶରୀର-ଜ୍ୟୋତିରେ ଗୃହ ଆଲୋକିତ ହୋଇଗଲା । ମୂର୍ତ୍ତିର ବର୍ଣ୍ଣ ଶ୍ୱେତ ଶତଦଳ ପରି ସ୍ନିଗ୍‌ଧୋଜ୍ଜ୍ୱଳ । ତାଙ୍କ ଶ୍ରୀଅଙ୍ଗରୁ ଦେବପ୍ରଭା, ମୃଦୁହାସରୁ ମାତୃତ୍ୱର ଅଗାଧ ମହିମା ଏବଂ ସୌମ୍ୟ ଶୀତଳ ଦୃଷ୍ଟିରୁ ସ୍ନେହ ଏବଂ କରୁଣା ଝଡ଼ି ପଡ଼ୁଅଛି । ସୁନ୍ଦରପଣର ପଟାନ୍ତର ନାହିଁ–ସେ ମୂର୍ତ୍ତିକୁ ସୁନ୍ଦର ନକହି ସୁନ୍ଦରର ଚାରୁ ଅଙ୍କାର କହିଲେ ବରଂ ସୁସଙ୍ଗତ ହେବ । ସେ ବୀଣାଜିଣା ଧୀର ମଧୁର ସ୍ୱରରେ କହିଲେ–‘‘ବତ୍ସ, ମୋତେ ଚିହ୍ନିପାରିଲୁଟି ? ମୁ ତୋର ଭାଗ୍ୟଦେବୀ । ତୋ ପ୍ରତି ପ୍ରସନ୍ନ ହୋଇ ତୋତେ ସାନ୍ତ୍ୱନା ଦେବାକୁ ଆସିଅଛି । ତୁ ଆଉ ଦୁଃଖରେ କାତର ନହୋଇ ଧୈର୍ଯ୍ୟଧାରଣ କର ତୋର ଏ ଅଶ୍ରୁ ପଛରେ ହାସ୍ୟ ଲୁଚି ରହିଅଛି ! ଦୁଃଖକୁ ଭୟ କରିବାର କୌଣସି କାରଣ ନାହିଁ । ଦୁଃଖବୃକ୍ଷର ସୁପକ୍ୱ ମଧୁର ଫଳ ସୁଖ । ମୋ ହସ୍ତରେ ଏହି ଯେ ସ୍ୱର୍ଣ୍ଣପେଣ୍ଡୁ ଏବଂ ଲୌହପେଣ୍ଡୁ ଦେଖୁଅଛୁ, ଏହାର ନାମ ସୁଖ ଏବଂ ଦୁଃଖ । ଏ ଦୁଇଟି ମୋର ପ୍ରିୟ କ୍ରୀଡ଼ା ସାମଗ୍ରୀ । ଯେତେବେଳେ ସ୍ୱର୍ଣ୍ଣ ପେଣ୍ଡୁରେ ଖେଳେଁ, ତେତେବେଳେ ତୋର ସୁଖ ହୁଏ, ଆଉ ଯେତେବେଳେ ଲୌହପେଣ୍ଡୁରେ ଖେଳେଁ, ତେତେବେଳେ ତୋର ଦୁଃଖ ହୁଏ । ଦୁଃଖ ପରେ ସୁଖ ଏବଂ ସୁଖପରେ ଦୁଃଖ ଏହା ପ୍ରକୃତିର ନିୟମ । ମାତ୍ର ଅଖଣ୍ଡ ସୁଖ ବା ଅଖଣ୍ଡ ଦୁଃଖ କାହାରି ଭାଗ୍ୟରେ ଘଟେନାହିଁ । ତୋର ପୁତ୍ର ନିଶ୍ଚୟ ମିଳିବ; ମାତ୍ର ଅତିଶୀଘ୍ର ନୁହେଁ, ଆଜିଠାରୁ ଦଶବର୍ଷ ପରେ । ମୋର ଏ କଥାରେ ତୁ ବିଶ୍ୱାସ ଅଟଳ ରଖିବୁ–ସ୍ୱପ୍ନ ଅଳୀକ କଳ୍ପନା ବୋଲି ହେୟଜ୍ଞାନ କରିବୁ ନାହିଁ । ଏ ତୋର ବିପଦ ନୁହେଁ–ଏଥିରେ ଶେଷ ଫଳ ଶ୍ରେୟସ୍ୱର, ଏହା ମନେ ରଖିଥିବୁ ।’’ ଏହା କହି ଦେବୀ ଅନ୍ତର୍ହିତ ହେଲେ । ମୁହୂର୍ତ୍ତକ ମଧ୍ୟରେ ସାମନ୍ତ ଭଗ୍ନନିଦ୍ରା ହୋଇ ଶଯ୍ୟାରେ ଉଠି ବସିଲେ । ତାହାଙ୍କ ପ୍ରାଣର ଛିନ୍ନ ତାର ସଂଯୋଜିତ ହୋଇଗଲା । ଯେମନ୍ତ କି ଆନନ୍ଦ ରାଜ୍ୟରୁ ଗୋଟାଏ ବାଞ୍ଛିତ ସଙ୍କେତ ଜୟ ଘଣ୍ଟା କଜାଇ ଓହ୍ଲାଇ ଆସିଲା । ଭାବ୍ୟ ସାଫଲ୍ୟରେ ତାଙ୍କର ମ୍ଳାନ ମୁଖ ଦୀପ୍ତ ହୋଇ ଉଠିଲା । ଜ୍ଞାନ, ଭକ୍ତି ହାତ ଧରାଧରି ହେଲା ପ୍ରାୟ ସ୍ୱପ୍ନବୃତ୍ତାନ୍ତ ଏବଂ ଆଶା ହାତ ଧରାଧରି ହୋଇ ତାହାଙ୍କ ଆଖି ଆଗରେ ନାଚି ବୁଲିଲେ । ତହୁଁ ସେ ହର୍ଷ ଗଦ୍‌ଗଦ ଚିତ୍ତରେ ସ୍ୱପ୍ନଦୃଷ୍ଟ ଭାଗ୍ୟଦେବୀଙ୍କୁ ଦଣ୍ଡବତ କରି କହିଲେ, ‘‘ମା, ତୁମ୍ଭର ଏ ପରିହାସ ନା ଆଶୀର୍ବାଦ ?’’ ପୁଣି ପରମୁହୁର୍ତ୍ତରେ ଭାବିଲେ–ନାଁ, ନା, ବିପନ୍ନ ପୁତ୍ର ପ୍ରତି ମାତାର ପରିହାସ ନିତାନ୍ତ ଅସଙ୍ଗତ । ଏହା ନିଶ୍ଚିତ ସତ୍ୟ-ଜୀବନ୍ତ ସତ୍ୟ-ବିଶୁଦ୍ଧ ସତ୍ୟ । ଛି, ସନ୍ଦେହ, ତୁ ବଡ଼ ନିର୍ଲଜ୍ଜ ! ପ୍ରତ୍ୟକ କାର୍ଯ୍ୟରେ ତୁ ବେଳେ ବେଳେ ଆସି କଥା କହୁ କାହିଁକି ? କିଏ ତୋତେ ହାତ ଗୋଡ଼ ଧରି ନିମନ୍ତ୍ରଣ କରେ ? ବିପନ୍ନକୁ ସାହସ ଦେବା ସିନା ଧର୍ମ, ମାତ୍ର ବିପନ୍ନର ତଣ୍ଟି ଚିପି ମାରିବା କେଉଁ ନ୍ୟାୟ ? ତୁ ଦେବତା ନୋହୁ–ପିଶାଚ । ଯା, ଯା ଦୂର୍‌ହ–ତୋର ଅମଙ୍ଗଳ ଦଗ୍‌ଧ ମୁଖ ଆଉ ଦେଖାନା । ଜଗତରେ ସମସ୍ତଙ୍କର ମୃତ୍ୟୁ ଅଛି, ତୋର କି ମୃତ୍ୟୁ ନାହିଁ ? ତୁ ‘‘ମିଛ ମିଛ’ କହି ତାଳି ମାରୁଛୁ, ହେଉ ପଛେ ମିଛ, ମାତ୍ର ସେହି ମିଛ ମୋର ପ୍ରାଣ ଶୀତଳକାରୀ । ଦେବତାଙ୍କ କଥା ମିଛ - ପିଶାଚର କଥା ସତ୍ୟ, ଏହା କେଉଁ ପାମର ବିଶ୍ୱାସ କରିବ ? ତୋର ସତ୍ୟ ଘେନି ତୁ ଚତୁର୍ଭୁଜ ହୋଇଥା, ମାତ୍ର ମୋ ସଙ୍ଗରେ ଆଉ ବୃଥା ହଟ ଲଗାନା । ତୋର ଚତୁଷ୍ପଦରେ ନମସ୍କାର କରି ବିନୟରେ ପ୍ରାର୍ଥନା କରୁଛି ରେ ରନ୍ଧ୍ରସ୍ଥ ଶନି, ତୁ ବିଦାୟ ହ, ବିଦାୟ ହ । ଭାଗ୍ୟଦେବୀଙ୍କର ଆଦେଶ ମୋ ପକ୍ଷରେ କୋଟିନିଧି–କୋଟି ଶୁଭ ବର ।’’

 

ଯେତେବେଳେ ମଧୁ ମନେ ପଡ଼େ, ସେତେବେଳେ ସାମନ୍ତେ ସ୍ୱପ୍ନ କଥା ହେଜି ଆଶ୍ୱସ୍ତ ହୁଅନ୍ତି । ସ୍ୱପ୍ନଟି ତାଙ୍କ ପକ୍ଷରେ ସଞ୍ଜୀବନୀ ମନ୍ତ୍ର ତୁଲ୍ୟ ହେଲା । ଏହିପରି ଦିନପରେ ଦିନ-ପକ୍ଷପରେ ପକ୍ଷ-ମାସପରେ ମାସ ଜପାମାଳ ପରି ଗଡ଼ିଗଡ଼ି ଚାଲିବାକୁ ଲାଗିଲା । ଦେଖୁଁ ଦେଖୁଁ ବର୍ଷେକାଳ ଗତ ହୋଇଗଲା; ମାତ୍ର ମଧୁର ସ୍ମୃତି ଗ୍ରାମରୁ ଗୋଡ଼ କାଢ଼ି ଗଲା ନାହିଁ । ସମୟ ସମୟରେ ଗ୍ରାମବାସିମାନେ ସେହି କଥାର ଆଲୋଚନା କରନ୍ତି । କେହି କହେ, ମଧୁକୁ ବାଘନେବା କଥା ସତ, ନ ହେଲେ ବର୍ଷେଯାଏ କି ଆସନ୍ତା ନାହିଁ । କେହି କହେ, ବର୍ଷେକାଳ ଆସି ଗଡ଼ିଗଲା, ତେବେ ବି ସାଆନ୍ତ ଘରଶୌଚ ହେଲେ ନାହିଁ । କେହି କହେ, ବଡ଼ ଲୋକଙ୍କୁ ସବୁ ଶୋଭାପାଏ, ତମ ଆମ କଥା ସିନା ନିଆରା । ଏହିପରି ପ୍ରଥମରେ ଫୁସ୍‌ଫାସ୍‌, ଦ୍ୱିତୀୟରେ ଭୁଟ୍‌ଭାଟ୍‌, ଶେଷରେ ଦାଣ୍ଡଘାଟରେ ରାଷ୍ଟ୍ର ହେଲା; ମାତ୍ର ସାମନ୍ତଙ୍କୁ କେହି କହିବାକୁ ସାହସୀ ହେଲେ ନାହିଁ । ଖଳ ଲୋକଙ୍କର ସ୍ୱଭାବ, ସେମାନେ ନିଜର ଚିନ୍ତା ଛାଡ଼ି ପରଚିନ୍ତାରେ କାଳ କଟାନ୍ତି–ପରର ରେଣୁ–ପରିମିତ ଦୋଷ ଦେଖିଲେ ତାହାକୁ ବିଦାରି ବସନ୍ତି । ସେମାନେ ପର-ଚିନ୍ତାରେ ଯେଉଁ ସମୟ ଅତିବାହିତ କରନ୍ତି, ସେହି ସମୟକୁ ନିଜର ଆଧ୍ୟାତ୍ମିକ ଚିନ୍ତାରେ ଲଗାଉଥିଲେ ତଦ୍ଦ୍ୱାରା ପରକାଳର ପାଥେୟ ସଞ୍ଚୟ କରି ପାରୁଥାଆନ୍ତେ । ନିଜର ପରମାୟୁ ଏବଂ ପରର ଦୋଷକୁ ବଡ଼ ଦେଖିବା ସେମାନଙ୍କର ସ୍ୱାଭାବିକ ଧାରା । ଉପନେତ୍ରଦ୍ୱାରା ସାନ ଅକ୍ଷର ବଡ଼ ଦିଶେ, ସେହିପରି ପରର ରେଣୁ–ପରିମିତ ଦୋଷ ସେମାନଙ୍କ ଚକ୍ଷୁରେ ହିମାଳୟ ପର୍ବତଠାରୁ ବଡ଼ ଦେଖାଯାଏ; କିନ୍ତୁ ନିଜ ବେଳକୁ ଠିକ୍‌ ତାହାର ବିପରୀତ, ଅର୍ଥାତ୍‌ ଦର୍ପଣରେ ବଡ଼ ପଦାର୍ଥମାନ ଦିଶିଲା ପରି ସେମାନଙ୍କର ହିମାଳୟ ପରିମିତ ଦୋଷ ଧୂଳିକଣାଠାରୁ ସୁଦ୍ଧା ସାନ ଦିଶେ । ପରର ଦୋଷ ଛେନାଗୁଡ଼ ପରି ରୁଚିକର, ମାତ୍ର ଗୁଣରାଶି ନିମ୍ବଠାରୁ ତିକ୍ତ । ଏ ରୋଗ ଏହା ଅଶିକ୍ଷିତ ସମାଜରେ ନୁହେଁ–ଶିକ୍ଷିତ ସଭ୍ୟ ସମାଜରେ ସୁଦ୍ଧା ସଂକ୍ରମିତ । ସେଦିନ ଦୁଇ ଜଣ ବୃଦ୍ଧ କଥାବାର୍ତ୍ତା ହେଉଥିଲେ । ଜଣେ କହିଲା - ଆଜିକାଲିର ଟୋକାଗୁଡ଼ାକ କାହିଁକି ଆଖିରେ ଚଷମା ଲଗାନ୍ତି, ଅଧିକ ପାଠ ପଢ଼ିଲେ ବୋଧହୁଏ ପକ୍ଷିବିଶେଷ ପରି ଦିନକଣା ରୋଗ ଧରେ । ଦ୍ୱିତୀୟ ବୃଦ୍ଧ କହିଲା–ନା, ତାହା ନୁହେଁ–ପରଛିଦ୍ରର ଅଣୁ ପରମାଣୁ ପର୍ଯ୍ୟନ୍ତ ଦେଖିବାର ସୁବିଧା ହେବ ବୋଲି ସେମାନେ ପ୍ରଚକ୍ଷୁ ଧାରଣ କରନ୍ତି । ତହୁଁ ପ୍ରଥମ ବୃଦ୍ଧ ପଚାରିଲା, ପରଛିଦ୍ର ସକାଶେ ତ ଏ ବ୍ୟବସ୍ଥା; ମାତ୍ର ନିଜ ଛିଦ୍ର ପାଇଁ କି ବ୍ୟବସ୍ଥା ହୋଇଅଛି ? ଦ୍ୱିତୀୟ ବୃଦ୍ଧ କହିଲା–ସେମାନେ ଯେ ନିଜକୁ ନିଦ୍ରା ମଣନ୍ତି । ଛିଦ୍ରଗୁଡ଼ାକ ସିନା ପରର ଥାଏ; ମାତ୍ର ନିଜର ଥାଏ ନାହିଁ । ନଈବଢ଼ିର ଫେନସ୍ତୂପଗୁଡ଼ାକ ବାହାରକୁ ନିଶ୍ଛିଦ୍ର ଦେଖାଯାଏ; ମାତ୍ର ଭାଙ୍ଗି ପକାଇଲେ କେବଳ ଛିଦ୍ରମୟ । ଏହିପରି ଅନେକ ଲୋକ ଅଛନ୍ତି, ଯେଉଁ ଦିନ ପରିଛିଦ୍ର ନ ମିଳେ, ସେ ଦିନକୁ ସେମାନେ ବୃଥା ଜ୍ଞାନ କରନ୍ତି ଏବଂ ସେ ଦିନର ଅନ୍ନଜଳ ସେମାନଙ୍କୁ ବିଷବତ୍‌ ବୋଧହୁଏ । ସେମାନଙ୍କୁ ସେ ଦିନର ରାତ୍ରରେ ଶଯ୍ୟାକଣ୍ଟକୀ ରୋଗ ଧରେ, ସୁତରାଂ ସୁନିଦ୍ରା ହୁଏନାହିଁ । ଯାଉ ସେ କଥା, ଗୋଳିଆ ପାଣି ଘାଣ୍ଟିଲେ ଦେହରେ ମଳି ଲାଗିଥାଏ-

 

କଥା ପବନରୁ ଉତ୍ପନ୍ନ, ଗବନପରି ସେ ବୁଡ଼ି ନ ରହି ଉଡ଼ିବୁଲେ, ଯେତେ ଢାଙ୍କି ଘୋଡ଼ାଇ ରଖିଲେ ସୁଦ୍ଧା ସେ ବାହାରିଯାଏ । ସମୟରେ ସେହି ଗୋପନୀୟ ଭୁଟଭାଟ କଥା ସାମନ୍ତଙ୍କ କର୍ଣ୍ଣଗୋଚର ହେଲା । ସେ ଭାବିଲେ, ‘‘କଥାଟା ପ୍ରତି ଉପେକ୍ଷା ପ୍ରଦର୍ଶନ କରିବା ଭଲ ନୁହେଁ–ତାହାର ଗୋଟାଏ ମୀମାଂସା ହେବା ଆବଶ୍ୟକ । କଥାଟା ଅସାର ହେଲେ ସୁଦ୍ଧା ବହୁ ବ୍ୟାପ୍ତିଦ୍ୱାରା କେତେବେଳେ କି ଆକାର ଧାରଣ କରିବ ତାହା କିଏ କହିପାରେ ? ନିତାନ୍ତ ଅମୂଳକ ମିଥ୍ୟା ରଟନା ସୁଦ୍ଧା ବହୁମୁଖରେ ସତ୍ୟପରି ପ୍ରତୀତ ହୁଏ । ସଂସାରରେ ସମସ୍ତେ ଧର୍ମ ଯୁଧିଷ୍ଠିର ନୁହନ୍ତି–ଖଳ ଦୁର୍ଯ୍ୟୋଧନର ବି ଅଭାବ ନାହିଁ । ସବୁ ଗ୍ରାମରେ ବିଭିନ୍ନ ପ୍ରକୃତିର ଲୋକ ଅଛନ୍ତି, କିଏ ବା କାହାର ମୁଖ ରୁଦ୍ଧ କରିପାରିବ ? ଅପବାଦର ରସନା କ୍ଷୁରଧାର ପରି ତୀକ୍ଷ୍‌ଣ, ଅଗ୍ନି-ଶୁଦ୍ଧା ସତୀଶିରୋମଣି ସୀତାଙ୍କର ବିଶୁଦ୍ଧ ନୈତିକ ଆଦର୍ଶ ଚରିତ୍ର ସୁଦ୍ଧା ସେଥିରେ କ୍ଷତବିକ୍ଷତ ହୋଇଥିଲା ଏବଂ ଜଗତର ସର୍ବଶ୍ରେଷ୍ଠ ପୁରୁଷ ସ୍ୱୟଂ ବିଜ୍ଞମଣି ରାମଚନ୍ଦ୍ର ବିଚଳିତ-ବୁଦ୍ଧି ହୋଇ ନିରପରାଧିନ ସୀତାଙ୍କୁ ବନରେ ବିସର୍ଜନ କରିଥିଲେ, ଅନ୍ୟର ବା କଥା କଅଣ ? ଜାତି ଆଗରେ ହାତୀ ଚାଲିପାରେ ନାହିଁ–ମୁଁ ଅବା କେଉଁ ଛାର ! ବ୍ରାହ୍ମଣ ସଭା ଆହ୍ୱାନ କରି ଗୋଟାଏ ଚୂଡ଼ାନ୍ତ ପ୍ରତିକାର କରିନେବା ଉଚିତ ।’’ ତହିଁ ପରଦିନ ସାମନ୍ତଙ୍କ ବଙ୍ଗଳାରେ ବ୍ରାହ୍ମଣ ସଭା ବସିଲା । ଗୋସାଇଁ ମାନେ ଆସନ ଜମାଇ ବସି ସଭା ଅଳଙ୍କୃତ କଲେ । ଦର୍ଶକସ୍ୱରୂପ ଗ୍ରାମବାସୀମାନେ ଆସି ସଭାକୁ ପୃଥୁଳ କଲେ । ସଭାର ଏକ ସ୍ଥାନରେ ସାମନ୍ତଙ୍କ ବସିବା ସକାଶ ଖଣ୍ଡିଏ ଗାଲିଚା ବିଛା ହେଲା । ତାହା ଉପରେ ଝାଲିରୀ ପୋଷାକପିନ୍ଧା ତିନିଟା ମୋଟ ତକିଆ ଦେବ ପୀଠରେ ରୋଗୀପ୍ରାୟ ଅଷ୍ଟାଙ୍ଗ ଲୁଟାଇ ଧାରଣା ପଡ଼ିଲେ । ଯଥା ସମୟରେ ସାମନ୍ତେ ଆସି ଆସନରେ ଉପବେଶନ କଲେ । ଅନନ୍ତର ସାମନ୍ତଙ୍କ ପୁରୋହିତ ରଘୁ ଆଚାର୍ଯ୍ୟ ଦଣ୍ଡାୟମାନ ହୋଇ କହିଲେ, - ‘‘ହେ ବ୍ରାହ୍ମଣ, ପଣ୍ଡିତବର୍ଗ ସାମନ୍ତ ମଣିମାଙ୍କ ଦ୍ୱିତୀୟ କୁମାର ଶ୍ରୀମାନ୍‌ ମଧୁସୂଦନଙ୍କ ନିରୁଦ୍ଦେଷ୍ଟ ବିଷୟ ଆପଣମାନେ ଜାଣିଅଛନ୍ତି, ସେ ପ୍ରାୟ ବର୍ଷକର କଥା । ବହୁଚେଷ୍ଟା ଏବଂ ବହୁ ଅନ୍ୱେଷଣରେ ଆଜି ପର୍ଯ୍ୟନ୍ତ ତାଙ୍କ ତତ୍ତ୍ୱ ମିଳିଲାନାହିଁ । ଏଥି ମଧ୍ୟରେ ସାମନ୍ତ ଅଶୌଚ ଧାରଣ କରି ନାହାନ୍ତି ବୋଲି ଗ୍ରାମବାସୀଏ ତାଙ୍କ ପ୍ରତି ଦୋଷାରୋପ କରୁଅଛନ୍ତି–ଏଥିରେ ଆପଣମାନଙ୍କର ମତ କଅଣ, ତାହା ପ୍ରକାଶ କରି ସାଧାରଣର ସନ୍ଦେହ ମୋଚନ କରିବା ହେଉନ୍ତୁ ।’’ ଏହା କହି ପୁରୋହିତ ଆସନ ଗ୍ରହଣ କଲେ । ଘଡ଼ିଏ ଯାଏଁ ସଭା ନିସ୍ତବ୍‌ଧ ଭାବ ଧାରଣ କଲା–ଯେମନ୍ତ କି ଏକକାଳରେ ସମସ୍ତଙ୍କର ବାକ୍ୟରୋଧ ହୋଇଗଲା । ତହିଁ ପରେ ଭିନ୍ନ ଗ୍ରାମରୁ ଆଗତ ନରସିଂହ ପାଣି ନାମରେ ଜଣେ ବ୍ରାହ୍ମଣ କହିଲେ–‘‘ରଘ୍ୱାଚାର୍ଯ୍ୟ ଆପଣେ, କେହି କେହି କହନ୍ତି, ମଧୁସୂଦନଙ୍କୁ ବ୍ୟାଘ୍ର ଘେନିଯାଇଅଛି । ଏଥିରେ ସନ୍ଦେହ ନାହିଁ । ଅତଏବ ସାମନ୍ତ ମଣିମା ତିନିପକ୍ଷ କିମ୍ବା ତିନିମାସ ଅଥବା ତିନିଋତୁ ମଧ୍ୟରେ ଶୌଚ ଧାରଣ କରି ନ ଥିବାରୁ ଶାସ୍ତ୍ରାନୁସାରେ ତାଙ୍କୁ ପ୍ରାୟଶ୍ଚିତ୍ତ କରିବାକୁ ହେବ । ଏହା ଶୁଣି ବ୍ରାହ୍ମଣ ଗୋସାଇଁମାନେ ପରସ୍ପର ମୁହଁ ଚାହୁଁଚାହୁଁ ହୋଇ ମୁରୁକି ହସିବାକୁ ଲାଗିଲେ । ଭୋଜି ଖାଇବା ଆଶାରେ କାହାରି ତୁଣ୍ଡରୁ ତରଳ ପଦାର୍ଥ ବିଶେଷ ସ୍ରବିତ ହେଲା । ମାତ୍ର ଜଣେ ସଂସ୍କୃତପଢ଼ା ଯୁବକ ପଚାରିଲେ -‘‘ପାଣି ଆପଣେ, କେଉଁ ଶାସ୍ତ୍ରରେ ଏ ପାଠ ଲେଖାଅଛି ?’’

 

ପାଣି–କେଉଁ ଶାସ୍ତ୍ରରେ ତାହା ଠିକ୍‌କହିପାରୁ ନାହିଁ ମାତ୍ର ଶାସ୍ତ୍ରରେ ନିଶ୍ଚୟ ଅଛି, ଏଥିରେ ଭୁଲ କଅଣ ?

 

ଯୁବକ–ହଁ, ଆପଣ ଶାସ୍ତ୍ରଜ୍ଞ ଯଥାର୍ଥ । ବୋଧହୁଏ ଆପଣ ଯେଉଁ ଶାସ୍ତ୍ର ପଢ଼ିନାହାନ୍ତି, ସେହି ଶାସ୍ତ୍ରରେ ଥିବ । ତେବେ ତାହାର ନାମ ଅଜାଣିତ ଶାସ୍ତ୍ର ବୋଲି କହନ୍ତୁ ।

 

ପାଣି–(କ୍ରୋଧରେ ଜଳି ଉଠି) ଆରେ ତୁ ଟୋକାଟା, ଗାଲ ଚିପିଦେଲେ ଦୁଧ ବାହାରିବ, ତୋତେ ଏତେ ଥଟ୍ଟା କରି ଆସିଲାଣି । ମୁଁ ଶାସ୍ତ୍ର ଜାଣେ ନାହିଁ–ତୁ ଜାଣୁ ! ମୋର ଶିରାରେ ଶିରାରେ ଶାସ୍ତ୍ର ବହୁଛି, ଦେହ ଚିପୁଡ଼ିଦେଲେ ଶାସ୍ତ୍ର ବାହାରି ପଡ଼ିବ, ତୁ ମୋତେ ଚିହ୍ନିନାହୁଁ ପରା !

 

ଯୁବକ–ଆଜ୍ଞା, ଏତେ ରାଗନ୍ତୁ ନାହିଁ, ଆପଣଙ୍କ ଦେହରେ ବ୍ରହ୍ମଅଗ୍ନି ଅଛି । ତାହା ଜଳି ଉଠିଲେ ପୋଡ଼ି ମରିବେ ଯେ ।

 

ପାଣି–ମୂର୍ଖ, ଟାପରା ଲାଗିଛି, ନୁହେଁ ? ତୋର କେଉଁ ବୋପାକାଳେ ପାଠ ପଢ଼ିଥିଲୁ ରେ ? ବ୍ରହ୍ମାଗ୍ନି ନା, ବ୍ରହ୍ମ ଅଗ୍ନିରେ ? ସନ୍ଧି ନ ଜାଣି ଯୁକ୍ତି !

 

ଯୁବକ–ଆପଣ ଏକା ସନ୍ଧି ଜାଣନ୍ତି, ସେଥିପାଇଁ ‘‘ରଘ୍ୱାଚାର୍ଯ୍ୟ’’ ବୋଲି କହିଥିଲେ ପରା-? ତେବେ ରାମ ଆସିଲା=ରାମାସିଲା, ପଖାଳ-ଆଣ=ପଖାଳାଣ, ଏହାହିଁ ପରା ସନ୍ଧି ? ଆପଣଙ୍କ ସନ୍ଧିଜାଳାରେ ମରିବାକୁ ଇଚ୍ଛା ହୁଏ । ବୋଧହୁଏ ଆପଣ ପାଣିନୀଙ୍କ ବଂଶଧର । ଆଚ୍ଛା ସନ୍ଧ୍ୟା ବନ୍ଦନବେଳାୟାଂ ତଡ଼ାଗାନ୍ତଂ ଦ୍ୱିଜୋତ୍ତମୈଃ’’ ଏହି ବାକ୍ୟ ମଧ୍ୟରୁ ଛମାସ ମଧରେ କ୍ରିୟାଟା ବାହାର କରି ଦେଉନ୍ତୁ ତ । ନଚେତ୍‌ନର ଶବ୍ଦଟା ରୂପ କରନ୍ତୁ ।

 

ପାଣି–ତୁ ମୋତେ ପଚାରିବାକୁ ଯୋଗ୍ୟ ? ତୋର ସମସ୍କନ୍ଧକୁ ପଚାର; କାନଟା ମୋଡ଼ିଦେବି ଯେ ତେବେ ଯାଇ ବୁଦ୍ଧି ଆସିବ ।

 

ଅନ୍ୟ ଜଣେ ଯୁବକ ଏହା ସହି ନ ପାରି କହିଲା–‘‘ଚୁପ୍‌ରହ ବ୍ରାହ୍ମଣ, ନ ହେଲେ ଆଷାଢ଼ ମାସିଆ ପାକଲା ତାଳପୁଞ୍ଜାଏ ଖସାଇ ଦେବିଟି ।’’ ଦ୍ୱିତୀୟ ଯୁବକର ଉଗ୍ର ଷଣ୍ଢମାର୍କା ମୁର୍ତ୍ତି ଦେଖି ପାଣିଙ୍କ କଲିଜା ପାଣି ହୋଇଗଲା । ତହୁଁ ସେ ଶୀତଳମୂର୍ତ୍ତି ଧରି କହିଲେ–‘‘ଦେଖୁଛ ନା, ଦେଖୁଛ ନା, ଅଳ୍ପୟିଶିଆ ଭସ୍ମା ଟୋକାକୁ, କିରେ ତୋ ମୁଣ୍ଡ ବୁଲେଇଲାଣି କି ?

 

ପ୍ରଥମ ଯୁବକ–ଆଜ୍ଞା, ଏବେ ଥଣ୍ଡା ହେଉନ୍ତୁ, ଏତେ ରାଗିଲେ ଆମେ କାହାର ହେବୁଁ ? ସେ ଯାହା ହେଉ, କୃପାକରି କେଉଁ ଶାସ୍ତ୍ରରେ ଭଲା ଏ ବିଧାନ ଅଛି, କହିବା ହେଉନ୍ତୁ ।

 

ପାଣି–କେଉଁ ଶାସ୍ତ୍ରରେ କହିବି ? ବେଦରେ ।

 

ଦ୍ୱିତୀୟ ଯୁବକ–ତୋ ଚୌଦପୁରୁଷରେ କେହି ବେଦ ଦେଖିଛନ୍ତି ନା ? ସାରୁଆ ବ୍ରାହ୍ମଣର ବେଦ ଛୁଇଁବାର ଅଧିକାର ଅଛି କି ରେ ?

 

ପାଣି–ହଁ ରେ ମୁଁ ସାରୁଆ ?

 

ଦ୍ୱିତୀୟ ଯୁବକ–ସାରୁଆ ନ ହେଲେ ହଳୁଆ ଆଉ କଅଣ ? ପାଣ ହାଡ଼ିପରି ଯେ ତୁଣ୍ଡ ସମ୍ଭାଳି କଥା କହି ନ ଜାଣେ, ସେ କଅଣ ବ୍ରାହ୍ମଣ ?

 

ପାଣି–ତୁ ମୋତେ ଆଜି ଏତେ ଅପମାନ ଦେଲୁ, ତୋତେ ଶୁଳାବାଡ଼ି ଧରୁରେ ନିରଂଶିଆ ।

 

ଦ୍ୱିତୀୟ ଯୁବକ–ଆହା, ସାରୁବୁଦାର ଅଭିସମାତ, କଅଣ କରିବି ? ହେଉ ତେବେ ସୋରିଷ ଖୋଳି ତା ଭିତରେ ଲୁଚିବି । ଯାହା କହନ୍ତି ‘‘ବ୍ରାହ୍ମଣ କଳା, ଶୁଦ୍ରପିଙ୍ଗଳା’’ ତାହା ଠିକ୍‌ । ଏଟା ଦେହରୁ କଳା ଛାଡ଼ିନାହିଁ, ଏ ଅଡ଼ଚିଣା କାଠଟା କାଳେ ବ୍ରାହ୍ମଣ !

 

ପାଣି ଆଉ କିଛି ନ କହି ଦ୍ୱିତୀୟ ଯୁବକ ପ୍ରତି ଅଗ୍ନିଦୃଷ୍ଟି ନିକ୍ଷେପ ନୀରବ ରହିଲେ । ମନେ ମନେ ଭାବିଲେ, ଅଧିକ ଅଗ୍ରସର ହେଲେ ବିପଦର ସମ୍ଭାବନା । କଥାରେ ତ ଏ ଟୋକାଟାକୁ ଜୟ କରିପାରିଲି ନାହିଁ, ଜଳରେ ତ ହନୁମାନ ସୂର୍ଯ୍ୟକୁ କାଖରେ ଯାକିଲା ପରି ଏ ମୋ ପରି ତିନିଟାକୁ କାଖରେ ଯାକି ଦେଇପାରେ । ସୁତରାଂ ରଣରେ ପୃଷ୍ଠଭଙ୍ଗ ବ୍ୟତୀତ ଉପାୟାନ୍ତର ନାହିଁ, ନଚେତ୍‌ ଆଜି ଏହିଠାରେ ପରମାୟୁ ଶେଷ । ଏହା ଭାବି ମୁହଁ ତଳକୁ ପୋତି ବସି ରହିଲେ । ବିପଦରେ ପଡ଼ିଲେ ଉଦ୍ଧତର ଉପଯୁକ୍ତ ଶିକ୍ଷା ଲାଭ ହୁଏ । ପାଣିଙ୍କର ମଧ୍ୟ ତାହାହିଁ ହେଲା । ସାମନ୍ତ ବିରକ୍ତ ହୋଇ କହିଲେ, ‘‘ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସାମାନ୍ୟ କଥା ଘେନି ଆପଣମାନେ ବ୍ୟାକରଣର ପିତୃଶ୍ରାଦ୍ଧଠାରୁ ବେଦବେଦାନ୍ତ ପର୍ଯ୍ୟନ୍ତ ଯୁକ୍ତିତର୍କ ଟାଣି ଘେନି ଗଲେଣି, ଏଥିରେ ଆଉ ମୀମାଂସାର ଆଶା ବା କଅଣ ରହିଲା ? ଯାହାଙ୍କର ବାକ୍ୟ ସଂଯମ ନାହିଁ–ଆତ୍ମସମ୍ଭବ ନାହିଁ, ସେ ଅନ୍ୟର ମର୍ଯ୍ୟାଦା କାହୁଁ ବୁଝିବେ ? ଇତର ଲୋକପରି ପିଟାପିଟି କାମୁଡ଼ାକାମୁଡ଼ି କି ବ୍ରାହ୍ମଣର ଲକ୍ଷଣ ? ଯେଉଁ ଜାତି ସମାଜର ମସ୍ତକସ୍ୱରୂପ, ଯାହାଙ୍କର ଅଙ୍ଗୁଳ ସଙ୍କେତରେ ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ ପରିଚାଳିତ–ସେମାନଙ୍କର ଏଭଳି ଅଧୋଗତ ବାସ୍ତବରେ ଗଭୀର ଯୋଉ ଏବଂ ପରିତାପର ବିଷୟ । ଯେଉଁ ବ୍ରାହ୍ମଣମାନଙ୍କର ଶମ, ଦମ ଏବଂ ତପସ୍ୟା ଏ ଦେବଭୂମି ଭାରତକୁ ଅଦ୍ୟାପି ସଜୀବିତ ରଖିଅଛି, ଆପଣମାନେ ତାଙ୍କର ବଂଶଧରଟି କି ? ହାୟ, ଅଧଃପତନର ଶେଷ ସୀମା ଆଉ କେତେ ଦୂର ଅଛି ? ଯାହାଙ୍କ ଯୋଗୁ ଭାରତର ପ୍ରାଧାନ୍ୟ–ଯାହାଙ୍କ ଯୋଗୁଁ ସନାତନ ପବିତ୍ର ଆର୍ଯ୍ୟ ଧର୍ମର ଗୌରବ ଯୁଗେ ଯୁଗେ ଅକ୍ଷତ ରହିଅଛି–ଯାହାଙ୍କ ପ୍ରତିଭାର ସ୍ୱର୍ଣ୍ଣଦୀପ ଅଦ୍ୟାପି ଜଗତକୁ ପ୍ରଥପ୍ରଦର୍ଶନ କରୁଅଛି–ସେହି ପୂଣ୍ୟପୁତ ବିଶ୍ୱନମସ୍ୟ ତ୍ରିକାଳଦର୍ଶୀ ଦେବାତ୍ମା ମହାପୁରୁଷମାନେ ସ୍ୱର୍ଗଧାମରୁ ତୁମ୍ଭମାନଙ୍କର ଏ କଦାଚାର ଦେଖି ଅଶ୍ରୁସମ୍ଭରଣ କରିପାରୁଥିବେ ତ ? ହାୟ, ବ୍ରାହ୍ମଣ, ଏ ଅଧୋଗତି ତୁମ୍ଭର ନୁହେଁ–ଭାରତର ଅଭିଶପ୍ତ ଭାଗ୍ୟର । ବଂଶନାଶ ବେଳକୁ ଘୋଡ଼ାମୁହାଁ ପୁତ୍ର ଜାତ ହୁଅନ୍ତି–ଭାରତର ଦୁର୍ଭାଗ୍ୟରେ ତାହାହିଁ ଘଟିଅଛି । ହେ ଦେବତା, କଳିଯୁଗ ଶେଷ ହେବାକୁ ଆଉ କେତେକାଳ ବାକୀ ଅଛି ? ତାହା ଶୀଘ୍ର ଶେଷ ହେଉ, ପୃଥିବୀ ପ୍ରଳୟ ହେଉ, ଏ ଦୃଶ୍ୟ ବଡ଼ ଅସହ୍ୟ ! ଏ ପୁରାତନ ସୃଷ୍ଟି ସଂହାର କର–ନୂତନ ସୃଷ୍ଟି ସ୍ଥାପନ କର–ନବସୂର୍ଯ୍ୟ ନବୀନ ତେଜରେ ଉଦିତ ହୋଇ ସ୍ୱର୍ଗରୁ ମଙ୍ଗଳ ସଙ୍କେତ ଓହ୍ଲାଇ ଆଣୁ–ହେ ଦେବତା ତୁମ୍ଭର ମଙ୍ଗଳମୟ ପାଦପଦ୍ମରେ ସନ୍ତପ୍ତ ବିଶ୍ୱମାନବର ଏହାହିଁ ବିନୀତ ଭିକ୍ଷା ।’’

 

ଅନନ୍ତର ହେମହରି ସାମନ୍ତ ବ୍ରାହ୍ମଣସଭାକୁ ସମ୍ଭୋଧନ କରି କହିଲେ–‘‘ହେ ବିପ୍ରବର୍ଗ, ମୁଁ ଶାସ୍ତ୍ର ଜାଣେ ନାହିଁ ପୁରାଣ ଜାଣେ ନାହିଁ–ଜାଣିବାର ଯୋଗ୍ୟତା ମଧ୍ୟ ଅର୍ଜନ କରିନାହିଁ । ତେବେ ଦେଶାଚାର, କୁଳାଚାର ଯାହା ସାମାନ୍ୟ କିଛି ଜାଣେ, ତାହାରି ଉପରେ ନିର୍ଭର କରି କିଛି କହିବାକୁ ସାହସୀ ହୋଇଅଛି । ଆପଣମାନେ ମୋର ଏ ଧୃଷ୍ଟତା ମାର୍ଜନ କରିବେ । ଯେ ନିରୁଦ୍ଦେଷ୍ଟ ହୁଏ, ତାହାକୁ ବାରବର୍ଷ ଅପେକ୍ଷା କରିବାକୁ ହୁଏ, ଏହା ଆପଣମାନେ ସୁଦ୍ଧା ଜାଣନ୍ତି । ମୁଁ ମଧ୍ୟ ତାହାହିଁ କରିବି–ପ୍ରାୟଶ୍ଚିତ୍ତ କିମ୍ବା ଅଶୌଚ ଧାରଣ କଦାଚ କରିବି ନାହିଁ । ମୁଁ ତ କୌଣସି ପାପ କରିନାହିଁ–ତେବେ ବୃଥାରେ ପ୍ରାୟଶ୍ଚିତ୍ତ ବା କାହିଁକି କରିବି ? ମୋର ସମ୍ପୂର୍ଣ୍ଣ ବିଶ୍ୱାସ, ମୋର ପୁତ୍ର ଜୀବିତ ଅଛି-। ବର୍ଷେ ଦୁଇବର୍ଷ ପରେ ହେଉ ବା ପାଞ୍ଚବର୍ଷ ଦଶବର୍ଷ ପରେ ହେଉ, ସେ ଅବଶ୍ୟ ଆସି ଘରେ ପହୁଞ୍ଚିବ । ଏହା ମୋର ବିବେକ–ମୋର ଆତ୍ମା ମୋତେ ଦୃଢ଼ ଭରସା ଦେଇ କହୁଅଛି । ବିବେକ ବିରୁଦ୍ଧରେ ମୁଁ କଦାଚ କାର୍ଯ୍ୟ କରି ପାରିବିନାହିଁ । ଏଥିରେ ଜାତି ବିରକ୍ତ ହେଉ ବା ସମାଜ ବିରକ୍ତ ହେଉ, ତହିଁକି ମୋର ତିଳେ ମାତ୍ର ଭ୍ରୁକ୍ଷେପ ନାହିଁ । ମୁଁ କାହାର ଅଧୀନ ନୁହେଁ–ମୁଁ ମୋର ବିବେକର ଚିରକାଳ ଅଧୀନ । ବାରବର୍ଷପରେ ଯାହା କର୍ତ୍ତବ୍ୟ, ତାହା ସ୍ୱତଃପ୍ରବୃତ୍ତ ହୋଇ କରିବି । କି ପୁରୋହିତ ମହାପାତ୍ରେ, ଏଥିରେ ଆପଣଙ୍କର ମତ କଅଣ ସ୍ପଷ୍ଟ ପରିବ୍ୟକ୍ତ କରନ୍ତୁ । ଆଶାକରେଁ, ଆପଣ ଚକ୍ଷୁଲଜ୍ଜା ବା ମୁଖଲଜ୍ଜାର ବଶବର୍ତ୍ତୀ ହୋଇ ଅଥବା ଯଜମାନର ଉପରୋଧ ରକ୍ଷା କରି କଥା କହିବେନାହିଁ । ପୁରୋହିତ କହିଲେ–‘‘ଆପଣଙ୍କ କଥାରେ ମୁଁ କଅଣ କହିବି, ଆପଣ ତ କିଛି ଅନ୍ୟାୟ ବା ଅସଙ୍ଗତ କଥା କହିନାହାନ୍ତି । ଯାହା ଦେଶରେ ଚଳୁଛି, ଆପଣ ତାହାର ପ୍ରତିଧ୍ୱନି କରିଅଛନ୍ତି । ଆପଣ କ୍ଷତ୍ରିୟ ହେଲେ ସୁଦ୍ଧା ଆପଣଙ୍କର ସଦାଚାର ଏବଂ ଧର୍ମନିଷ୍ଠା ଆପଣଙ୍କୁ ବ୍ରାହ୍ମଣର ଅର୍ଦ୍ଧାସନ ପ୍ରଦାନ କରିଅଛି । ଏବେ ଅନୁମତି ଦେଲେ ଆମ୍ଭେମାନେ ପ୍ରସ୍ଥାନ କରିବୁଁ । ଆପଣଙ୍କ ମତ ସହିତ ଆମ୍ଭମାନଙ୍କ ମତର ପାର୍ଥକ୍ୟ ନାହିଁ ।’’ ସାମନ୍ତ କହିଲେ, ‘ତେବେ ଟିକିଏ ମିଷ୍ଟମୁଖ କରିଯିବା ଉଚିତ । ଆପଣମାନେ ବ୍ରାହ୍ମଣ, ବିଶେଷତଃ ମୋ ଦ୍ୱାରା ନିମନ୍ତ୍ରିତ । ଅଭୁକ୍ତ ଅବସ୍ଥାରେ ଗଲେ ବାସ୍ତବରେ ମୋ ମନ ଦୁଃଖିତ ହେବ ।’’ ଏହା ଶୁଣି ବ୍ରାହ୍ମଣସଭାରୁ ସାଧୁ ସାଧୁ ଶବ୍ଦ ଉଠିଲା । କେହି କହିଲା–ଯଥାକୁଳେ ଜନ୍ମ ତଥା ଗରିଷ୍ଠ । କେହି କହିଲା, ଏ ଘରର କଥା ଦୁନିଆ ବାହାର–ଦୟାଧର୍ମ ଏ ଘରୁ କେବେ ଉଠିନାହିଁ କି ଉଠିବାରୁ ନୁହେଁ-। କେହି କହିଲା–ଆଉ ବିଳମ୍ବ କାହିଁକି, ପତ୍ର ପଡ଼ିବାର ବ୍ୟବସ୍ଥା ହେଉ । ପୁରୋହିତେ ନରସିଂହ ପାଣିଙ୍କୁ ଚାହିଁ ପଚାରିଲେ–କି ହେ ପାଣି ଆପଣେ, ତୁମ୍ଭେ ଲାଗି ପତ୍ର ପଡ଼ିବ ତ ?

 

ପାଣି–କି, ସମସ୍ତଙ୍କର ପଡ଼ିବ, ମୋର ପଡ଼ିବ ନାହିଁ ? ଗରୀବ ବ୍ରାହ୍ମଣର କଅଣ ?

 

ପୁରୋହିତ–ତୁମ୍ଭେ ପରା ପ୍ରାୟଶ୍ଚିତ୍ତ କରାଇବାକୁ କାରିକା ଦେଉଥିଲ । ପ୍ରାୟଶ୍ଚିତ୍ତ ନ କଲେ କାଳେ କାଳେ ନ ଖାଇବ, ସେହିଲାଗି ପଦେ ପଚାରିଦେଲି ।

 

ପାଣି–ଖୁଆ ପକାଇ ନ ମନ୍ଥିଲେ ଦହିରୁ ନହୁଣୀ ବାହାରେ ? ସେହିପରି କଥାକୁ ଯୁକ୍ତିତର୍କଦ୍ୱାରା ଘଣ୍ଟା ଚକଟା ନ କଲେ ସେଥିରୁ ସାର ବହାରେ ନାହିଁ । ସେଥିପାଇଁ କହୁଥିଲି ନା, ସତରେ ପ୍ରାୟଶ୍ଚିତ୍ତ କରିବାକୁ କହୁଥିଲି ।

 

ଏହା ଶୁଣି ବ୍ରାହ୍ମଣସଭାରୁ ଗୋଟାଏ ଉଚ୍ଚହାସ୍ୟର ତରଙ୍ଗ ଉଠିଲା । ପାଣି ନିଜେ ମଧ୍ୟ ନହସି ରହିପାରିଲେ ନାହିଁ । କେହି ପରିହାସ କରି କହିଲା–ଖାଇବାବେଳକୁ ଶାସ୍ତ୍ରଯୁକ୍ତି ଖଟେ ନାହିଁ-। ଅନ୍ୟ କେହି କହିଲା–ଖାଲି ଗିଳିବା କଥା ନୁହେଁ, ତହିଁ ଉପରେ ଅର୍ଜନ ଅଛି ଯେ ! ଏହିପରି ଅନେକ ବ୍ୟଙ୍ଗବିଦ୍ରୂପବାଣ ନିକ୍ଷପ୍ତ ହେଲା, ମାତ୍ର ପାଣି ତାହା ସବୁ ପାଣିପରି ଜୀର୍ଣ୍ଣ କରିଦେଇ ଗ୍ରାମ ନିମନ୍ତେ ପ୍ରସ୍ତୁତ ହେଲେ । ବ୍ରାହ୍ମଣ ଭୋଜନ ଯଥାରୀତି ହୋଇଗଲା, ଗୋସାଇଁମାନେ ପେଟ ଆଉଁସି ଦୀର୍ଘ ହାକୁଟି ମରି ‘‘ଆତାପି ବାତାପି ଚୈବ ଅଗସ୍ତି ବାଡ଼ବାନଳ’’ ଜୀର୍ଣ୍ଣମନ୍ତ୍ର ଆବୃତ୍ତିସହ ସାମନ୍ତଙ୍କର ଜୟଜୟକାର ଉଚ୍ଚାରଣ ପୂର୍ବକ ପତ୍ର ଛାଡ଼ି ଉଠିଲେ । ପରେ ଦକ୍ଷିଣା ହସ୍ତଗତ, ତତ୍ପରେ ପତ୍ର ଛାଡ଼ି ଉଠିଲେ । ପରେ ଦକ୍ଷିଣା ହସ୍ତଗତ, ତତ୍ପରେ ଅଣ୍ଟିଜତ କରି ଛନ୍ଦାପାତ୍ରର ବୁଜୁଲା କାନ୍ଧରେ ପକାଇ ପ୍ରସ୍ଥାନ କଲେ । ଭଣ୍ଡାରମାନେ ସଙ୍ଖୁଡ଼ି ପତ୍ର ଉଠାଇ ନେଇ ଖତ ଗଦାରେ ଜମା କରି ଦେଲେ । ତହୁଁ କୁକୁର ଗୁଡ଼ାଏ ଧାଇଁ ଆସି ଦୀର୍ଘଜୀବୀ ହେବା ଆଶାରେ ବ୍ରାହ୍ମଣ ଅଧରାମୃତ ସେବନରେ ଲାଗିଗଲେ । ଶେଷରେ ଗୋଟାଏ ରୋଗା କୁକୁର ଆସି ପହୁଞ୍ଚିଲା-। ଚାରି ପାଞ୍ଚଟା କୁକୁର ତାକୁ ଖଣ୍ଡେଦୂରଯାଏ ଖେଦି ନେଇଗଲେ । ସେ ହଠାତ୍‌ ପଛକୁ ଲେଉଟି ପଡ଼ି ଦାନ୍ତନିଫିଡ଼ି କୁକୁରୀଭାଷାରେ ଗୋଟାଏ ଉତ୍ତେଜକ ବକ୍ତୃତା ଝାଡ଼ିଦେଲା । ପଛରେ ଗୋଡ଼ାଇଥିବା କୁକୁରଗୁଡ଼ାକ ସେହି ଅଗ୍ନିମୟୀ ବକ୍ତୃତା ସହି ନ ପାରି ରାଗରେ ଗରଗର ହୋଇ ଯଥା ସ୍ଥାନକୁ ଫେରିଆସି ଅବଶିଷ୍ଟ ପ୍ରସାଦର ସଦ୍‌ବାହାରରେ ଆଖି ବୁଜି ଆତ୍ମଯୋଗ କଲେ । ରୋଗା କୁକୁରଟା ସେମାନଙ୍କ ବ୍ରାହ୍ମଣଭକ୍ତିର ପରାକାଷ୍ଟା ଦେଖି ‘‘ସ୍ୱଜାତି ପରହିଂସ୍ରକ’’ ବୋଲି ମନେ ମନେ ଭାବି-ଅନ୍ୟତ୍ର ଚାଲିଗଲା ଏବଂ ଅଭିଶାପ ଦେଇ କହିଗଲା–ତୁମ୍ଭେମାନେ ଚିରକାଳ କୁକୁର ଜନ୍ମ ପାଅ ।

•••

 

ପଞ୍ଚଦଶ ପରିଚ୍ଛେଦ

 

ସେହି ସୀତାକୁଣ୍ଡ ଯାତ୍ରାଦିନ ମଧୁ ଦେଖାଦେଇଥିଲା, ସେହିଦିନୁ ତାହାର ଆଉ ସାକ୍ଷାତ ନାହିଁ । ଏବେ ତାହାର ତତ୍ୱ ନେବା ଆବଶ୍ୟକ । ସୀତାକୁଣ୍ଡର ଜଳ କ୍ଷୁଦ୍ର ନଦୀ ଆକାରରେ ବହିଯାଏ ବୈତରଣୀରେ ମିଶିଅଛି, ଏହା ପୂର୍ବରୁ ଉକ୍ତ ହୋଇଅଛି । ସେହି ନଦୀର ଜଳ କେଉଁଠାରେ ବା ଆଣ୍ଠୁଏ, କେଉଁଠାରେ ଜଙ୍ଘେ, କେଉଁଠାରେ ବା ଅଣ୍ଟାଏ ସେଥିରେ ବଡ଼ ବଡ଼ ପଟିଆ ଡଙ୍ଗା ଯାଇପାରେ ନାହିଁ । ମାତ୍ର ସାନ ହୁଲିଡଙ୍ଗାର ଯାତାୟତ ପକ୍ଷରେ କୌଣସି ପ୍ରତିବନ୍ଧକ ନାହିଁ । ନଦୀର ଉତ୍ପତ୍ତି ସ୍ଥାନ ଉଚ୍ଚ ହେତୁ ସେ ପର୍ଯ୍ୟନ୍ତଡଙ୍ଗା ନ ଆସି ସେଠାରୁ ଖଣ୍ଡେ ଛଡ଼ାରେ ଲାଗେ । ଯେଉଁ ସ୍ଥାନରେ ଡଙ୍ଗା ଲାଗେ, ସେ ସ୍ଥାନ ସୀତାକୁଣ୍ଡକୁ ଦେଖାଯାଏ ନାହିଁ । ଧୂର୍ତ୍ତି ଆଡ଼କାଟିମାନେ ବୈତରଣୀରୁ ଦୁଇ ଖଣ୍ଡ ହୁଲି ଡଙ୍ଗା ଭଡ଼ା କରି ସେହିଠାରେ ଆଣି ରଖିଥିଲେ । ଛଦ୍ମବେଶୀ ସିଦ୍ଧବାବାଜି ମଧୁକୁ ଘେନି ଖଣ୍ଡେ ଡଙ୍ଗାର ମଙ୍ଗରେ ବସିଲା,–ମଧୁ ମଙ୍ଗ ତଳକୁ ବସିଲା-। ଅନ୍ୟ ଖଣ୍ଡକର ବାବାଜିର ପାରିଷଦମାନେ ବସିଲେ । ଅକ୍ଷର ପଦତଳେ ହସନ୍ତ ଚିହ୍ନପରି କିମ୍ବା ବର୍ତ୍ତମାନ ପଦତଳେ ଭବିଷ୍ୟତ ପରି ଅଥବା ବଡ଼ବାବୁ ପଦତଳେ ଗୁଡଗୁଡ଼ି ହୁକାପରି ମଧୁ ବାବାଜିର ପଦତଳେ ବସି ରହିଥାଏ । ଡଙ୍ଗା ବୈତରଣୀ ଅଭିମୁଖରେ ଧାବିତ ହେଲା । ଆକାଶ ନିର୍ମଳ, ପ୍ରଭଞ୍ଜନର ରୁଦ୍ରହୁଙ୍କାର ଆଉ ନାହିଁ, କି ବଜ୍ରାୟମାନ ମେଘ ନିର୍ଘୋଷ ନାହିଁ । ଆକାଶ ସମସ୍ତ ମେଘକୁ ଗିଳି ପକାଇଅଛି । ମହାସମର ଅବସାନରେ ପୃଥିବୀ ଶାନ୍ତ ଭାବ ଧାରଣ କଲା ପ୍ରାୟ ଝଟିକା-ବିକ୍ଷୁବ୍‌ଧ ଆକାଶ ଶାନ୍ତ ଶୀତଳଭାବ ଧାରଣ କରିଅଛି । କୁସୁମ-ସୁରଭି-ସ୍ନାତ ସମୀରଣ ମୃଦୁମନ୍ଦ ଗତିରେ ପ୍ରବାହିତ ହେଉଅଛି, ଇନ୍ଦ୍ର ଜାଲିକା ପ୍ରକୃତି ଚାରିଆଡ଼େ ଶାନ୍ତିର ସ୍ୱର୍ଣ୍ଣସ୍ୱର୍ଗ ରଚନା କରିଅଛି । ନଦୀଜଳରେ ଚନ୍ଦ୍ରିକାର ସ୍ନିଗ୍‌ଧ ମଧୁର କମ୍ଫନ କ୍ରୀଡ଼ା ଅପୂର୍ବ ନୟନାରାମ ଦୃଶ୍ୟ ସର୍ଜନା କରଅଛି । ବୋଧହୁଏ ବିଧାତା ସର୍ବ ସୁଷମାର ସାରଂଶ ସଂଗ୍ରହ କରି ସେହି ମହାଦୃଶ୍ୟକୁ ମଣ୍ଡିତ କରିଛି । କ୍ରୁର କାଳର ବଜ୍ର କଠୋର ହସ୍ତର ଜ୍ୱାଳାମୟ ସ୍ପର୍ଶ ସେହି ଦୃଶ୍ୟକୁ ମଳିନ କରିବାକୁ ସାହସୀ ହୋଇପାରୁନାହିଁ । ପୌଢ଼ ହୃଦୟରେ ସୁଖମୟ ବାଲ୍ୟସ୍ମୃତି ପରି ଅନନ୍ତ ନୀଳିମ ଗଗନରେ ତାରାରାଜି ଫୁଟି ଉଠି ସ୍ୱସ୍ୱ ଜୀବନର ମୁଗ୍‌ଧ ମନୋରମ ସ୍ୱପ୍ନରେ ବିଭୋର ହୋଇଅଛନ୍ତି । ଘନ ବାନ୍ଧବୀ ଚାତକିନୀ ଜ୍ୟୋସ୍ନା । ସମୁଦ୍ରରେ ସ୍ନାନ କରି କି କରୁଣ ପ୍ରାର୍ଥନା-ସଙ୍ଗୀତ ଆବୃତ୍ତି କରି କରି ନୀଳାକାଶା କ୍ରୋଡ଼ରେ ଉଡ଼ି ବୁଲୁଅଛି । ତାହାର ଶୋକ-ବିରାଡ଼ୀ-ଛନ୍ଦର ସେହି ସରଳ ସଙ୍ଗୀତ ଶ୍ରୋତାର କର୍ଣ୍ଣରେ କି ଏକ ଜୀବନ୍ତ ଭାବ ଢାଳି ଦେଉଅଛି । ବେଦନାତୁରର ଆର୍ତ୍ତ ହୃଦୟ ସେହି ସଙ୍ଗୀତରେ ଘାରି ଯାଉଅଛି । ବେନି ତୀରବର୍ତ୍ତୀ କାନନ ଶ୍ରେଣୀରେ ନଦୀବକ୍ଷ ଆଚ୍ଛନ୍ନ । ଗର୍ତ୍ତରେ ସର୍ପ ପଶିଲାପରି କ୍ଷୁଦ୍ର ନୌକାଦୁଇଖଣ୍ଡ ତହିଁ ମଧ୍ୟରେ ଭାସି ଚାଲିଅଛି । ଚନ୍ଦ୍ର ସୂର୍ଯ୍ୟର କିରଣ ସେ ସ୍ଥାନର ମୁଖାବଲୋକନ କରେ ନାହଁ । ସିଦ୍ଧଗାତ ମଧ୍ୟଦେଇ ଘରେ ଚୋର ପଶିଲା ପରି କ୍ଷୀଣ ଜ୍ୟୋସ୍ନାରେଖା ପତ୍ର ଛିଦ୍ରପଥରେ ଆସି ନଦୀଜଳ ଚୁମ୍ବନ କରୁଅଛି । ନୌକା ଯିବା ସମୟରେ ସେହି ଚୂର୍ଣ୍ଣ ଜ୍ୟୋସ୍ନାପୁଞ୍ଜ ଉଜାଣି ସ୍ରୋତରେ ପୁଷ୍ପ ଭାସିଲାପରି ପ୍ରତୀୟମାନ ହୁଏ । ଉପଭୋଗ ସକାଶେ ସୌନ୍ଦର୍ଯ୍ୟର ସୃଷ୍ଟି; ମାତ୍ର ଏ ଶୋଭା ଉପଭୋଗ କରିବାକୁ ସେଠାରେ କେହି ନାହିଁ । ମଧୁର ଦୃଷ୍ଟି ସେ ଆଡ଼କୁ ଯାଉନାହଁ, ସେ ନୌକାରେ ବସି ଆକାଶରେ ଭାବିସୁଖର ପୁଷ୍ପୋଦ୍ୟାନ-ସର୍ଜନାରେ ବ୍ୟସ୍ତ । ସେହି ସୁଖକୁ ସେ ଶୀଘ୍ର ବା ସେହି ମୁହୂର୍ତ୍ତରେ ହସ୍ତଗତ କରିବାକୁ ଇଚ୍ଛା କରୁଅଛି । ମନୁଷ୍ୟର ଇଚ୍ଛା ପ୍ରବଳ; ମାତ୍ର ଶକ୍ତି ଦୁର୍ବଳ । ଇଚ୍ଛାପରି ତାହାର ଶକ୍ତି ପ୍ରବଳ ହୋଇଥିଲେ ସେହିକ୍ଷଣି ସେ ଦୁଇ ହାତରେ ତାହାର କଳ୍ପିତ ମୁଖଟାକୁ ଟାଣିଆଣି ଉଦରସାତ୍‍ କରି ପକାନ୍ତା । ବାବାଜି ଉପରେ ମଧୁ ଏକାନ୍ତ ନିର୍ଭରଶୀଳ, ଆକାଶରୁ ଚନ୍ଦ୍ର, ସମୁଦ୍ରରୁ ଦୁର୍ଲଭ ରତ୍ନ ଆଣି ସେହି ତାହା ହସ୍ତରେ ଦେବ । ବାବାଜି ତାହାର ଆଶାର ଅମୃତଫଳ, ଦେହର ଶକ୍ତି, ଜୀବନ-ମରୁଭୂମିର ଶୀତଳ ନିର୍ଝର, ଯନ୍ତ୍ରଣାର ଅମୃତ-ପ୍ରଲେପ, ଶୋକର ସାନ୍ତ୍ୱନା, ନୌରାଶ୍ୟର ଧୈର୍ଯ୍ୟ, ସାଧନାର ମହାସିଦ୍ଧି, ଅଜୀର୍ଣ୍ଣର ହଜମୀବଟିକା ଅରୁଚିର ଚଟଣୀ, ପଖାଳର ବଡ଼ିପୋଡ଼ା ଏବଂ ମଦତିର ଚାଖଣା ।

 

ଯଥା ସମୟରେ ନୌକା ବୈତରଣୀରେ ପଡ଼ିଲା ଏବଂ ବୈତରଣୀର ପୂଣ୍ୟବକ୍ଷ କଳଙ୍କିତକରି ଅପର ତୀରରେ ଯାଇ ଲାଗିଲା । ସେଠାରେ ଆଉ କେତେଜଣ ଆଡ଼କାଟି ଦୁଇ ଜଣ ପ୍ରତାରିତ ହବଭାଗ୍ୟ ସହ ଗୋଟାଏ ଘରେ ବସା କରିଥିଲେ । ମଧୁ ଏବଂ ବାବାଜିଦଳ ନୌକାରୁ ଓହ୍ଲାଇ ସେହିଠାରେ ଭୋଜନ ଏବଂ ରାତ୍ରି ଯାପନର ବ୍ୟବସ୍ଥା କଲେ । ରେ ପାପିଷ୍ଠ ନାରକୀ ସାଧୁବେଶଧାରୀ ଭଣ୍ଡ, ଏ ଶୀତଳ ବୈତରଣୀ ନୌକାରେ ପାର ହୋଇଗଲୁ; ମାତ୍ର ଭୀକ୍ଷଣ ତପ୍ତବୈତରଣୀ କାହିଁରେ ପାର ହେବୁ, କିଛି ଭାବିଛୁ କି ? ଯେଉଁ ନୌକାରେ ତାହା ପାରହେବାକୁ ହୁଏ, ସେ ନୌକା ତୋର ନାହିଁ । ସେ ବୈତରଣୀସ୍ଥ ଆଗ୍ନେୟ ହାଙ୍ଗର ମଗରର ବଜ୍ରଭେଦୀ ଦନ୍ତ ତୋର ଅନ୍ତଃକରଣର ଅନ୍ତଃସ୍ଥଳରୁ ହାହାକାର ଧ୍ୱନି ଉଠାଇଆଣିବ । ତୁ ବର୍ତ୍ତମାନ-ସର୍ବସ୍ୱ, ଭବିଷ୍ୟତ-ଅନ୍ଧ । ତୋର ଏ ପାପର ଉପଯୁକ୍ତ ପ୍ରାୟଶ୍ଚିତ୍ତ ସେହି ତପ୍ତବୈତରଣୀରେ ହେବ । କେତୋଟି ହାତଭାଗ୍ୟର ଭବିଷ୍ୟତ ଜୀବନ ତ ଚଳୁ କରି ସାରିଲୁଣି, ଏହିପରି ଆହୁରି କେତେ ଲୋକର ଜୀବନ ପାନ କରିବୁ, ତାହା କିଏ କହି ପାରିବ ? ତୋର ପରକାଳ କ୍ରମଶଃ ରୁଦ୍ଧ ହୋଇଆସୁଅଛି–ତୁ ନିଜର ଶ୍ରେୟପଥ ନିଜେ କଣ୍ଟକିତ କରୁଅଛୁ; ମାତ୍ର ସେଥିରେ ପରିଣାମ ବଡ଼ ଭୟାନକ । ତୁ ଏ ଦୁର୍ବୃତ୍ତ ପରିତ୍ୟାଗ କର,- ପାପହୁତ ଧନ ଦରିଦ୍ରକୁ ଦାନକର,- ପାପକ୍ଷୟ ନିମିତ୍ତ ଏକନିଷ୍ଠ ଭାବରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କର, ସେ ପାପହାରୀ, ତାଙ୍କ କୃପାମୃତଧାରାରେ ସମସ୍ତ ପାପତାପ ଧୋଇଯାଏ । ଯେ କାୟମନଃପ୍ରାଣରେ ତାଙ୍କ ପାଦରେ ଶରଣ ପଶେ, ମୁକ୍ତିର ସିଂହଦ୍ୱାର ତାହାପାଇଁ ଚିରମୁକ୍ତ । ସେ ଦୟାର ସାଗର ଏବଂ କ୍ଷମାର ଆକାର, ଅନୁତପ୍ତ ପ୍ରାଣରେ ତାଙ୍କୁ ଡାକିଲେ ସେ ପାପୀର ସକଳ ପାପ କ୍ଷମା କରନ୍ତି । ହାୟ ବିଫଳ ଏ ଉପଦେଶ, ଚୋର କି ଧର୍ମର କାହାଣୀ ଶୁଣିବ, ମତ୍ସ୍ୟଭୋଜୀ ମାର୍ଜାର କି ଶର୍କରାର ସ୍ୱାଦୁ ବୁଝିବ ? ତ୍ୟାଗ ଏବଂ ଦାନର ସୁଖାନନ୍ଦ ଅତ୍ୟାଗୀ ଅଦାନୀ ଅନୁଭବ କରିପାରେ ନାହିଁ । ତୋଭଳି ନାରକୀ ନିକଟରେ ଶତ ଉପଦେଶ କ୍ଳୀବତ୍ୱ ଭଜିବ ମାତ୍ର ।

 

ରାତ୍ରି ଥାଉଁ ଥାଉଁ ପ୍ରତାରକମାନେ ପ୍ରତାରିତକ୍ରୟଙ୍କୁ ସଙ୍ଗରେ ଘେନି ଦୁଇଖଣ୍ଡ ପଟିଆ ଡଙ୍ଗାରେ ବସିଲେ । ମାଝିମାନେ ଶୀଘ୍ର ହସ୍ତରେ ନୌକାବାହିବାକୁ ଲାଗିଲେ । ଯଥା ସମୟରେ ନୌକା ଯାଇ ଧାମରା ମୁହାଣରେ ଲାଗିଲା । ସମ୍ମୁଖରେ ଚକ୍ରବାକଚୁମ୍ବୀ ନୀଳାମ୍ବୁପତି ଚରାଚରତ୍ରାସୀ ତାଣ୍ଡବ ନୃତ୍ୟରେ ନିଯୁକ୍ତ । ଲହରୀ ପଛରେ ଲହରୀ ଭୀଷଣ ଦୈତ୍ୟସେନାପ୍ରାୟ ଗର୍ଜି ଗର୍ଜି ବିକଟ ମୂଖ ବ୍ୟାଦାନପୂର୍ବକ ଫେନ-ଦନ୍ତପନ୍ତି ବିସ୍ତାର କରି କୂଳକୁ ଧାଇଁ ଆସୁଅଛି । ସମୁଦ୍ରର କି ବିରାଟ ବିସ୍ତୃତି, ଚାହିଁ ଦେଲାକ୍ଷଣି ଦୃଷ୍ଟିରେଖା ଛାଡ଼ି ଶତଖଣ୍ଡ ହୋଇଯାଉଅଛି, ଅସହ୍ୟ ଅବସାଦରେ ଆଖି ବୁଜି ପଡ଼ୁଅଛି ଏବଂ ସେହି ବିରାଟତାରେ କ୍ଷୁଦ୍ରମାନବର ଆତ୍ମସତ୍ତା ମିଳାଇ ଯାଉଅଛି । ଦୂରାଗତ ପୋତମାଳା ଦୁଇ ତରଙ୍ଗର ମଧ୍ୟସ୍ଥଳରେ ରହି ହଠାତ୍‌ ଜଳମଗ୍ନ ହେଲାପ୍ରାୟ ବୋଧ ହେଉଅଛି ଏବଂ କ୍ଷଣକ ମଧ୍ୟରେ କୂପକ ଦେଖାଇ ସନ୍ତରଣଶୀଳ ରାଜହଂସ ପ୍ରାୟ ଭାସି ଉଠୁଅଛି । ସେ ଦୃଶ୍ୟର ବର୍ଣ୍ଣନା ସାହସ କେବଳ ବାଳକତ୍ୱ ମାତ୍ର । ଯେଉଁ ମହାଦୃଶ୍ୟ ଦେଖିଲେ ଭୋଗବିଳାସବାସନାସେବୀ ମାନବର ଦର୍ପେନ୍ନତ ଶିର ଅବନତ ହୋଇଥାଏ, ସେ ଦୃଶ୍ୟର ବର୍ଣ୍ଣନା କିଏ କରିପାରିବ ? ମନୁଷ୍ୟ ଦୁଇଟି ମାତ୍ର ଚକ୍ଷୁରେ ସେ ଦୃଶ୍ୟ କଅଣ ଅବା ଦେଖିପାରିବ ! ମନୁଷ୍ୟ ଇନ୍ଦ୍ରପରି ସହସ୍ରାକ୍ଷ ହୋଇଥିଲେ ସେ ଦୃଶ୍ୟକୁ ଯତ୍‍କିଞ୍ଚିତ୍‌ କଳିପାରନ୍ତା କି ନାହିଁ, ସନ୍ଦେହର ବିଷୟ-। ସମୁଦ୍ର ସୁରସିକ ପୁରୁଷ, ସୁତରାଂ ସର୍ବଦା ସଙ୍ଗୀତ-ମୁଖର, ଯେମନ୍ତ କି ଜଗତର ସମସ୍ତ ଛନ୍ଦ, ସମସ୍ତ ରାଗ ଏବଂ ସମସ୍ତ ସଙ୍ଗୀତ ସମୁଦ୍ର-ଗର୍ଭରେ ପୁଞ୍ଜୀଭୂତ । ତାହାର ତୃଷ୍ଣା ଚାତକର ଜଳପାନ-ତୃଷ୍ଣାପରି ଚିର ଅତୃପ୍ତ, ସେ ଦିବାରାତ୍ର ଗାଇ ଗାଇ ଶାନ୍ତ ହୁଏ ନାହିଁ କିମ୍ବା ତାହାର କଣ୍ଠ ବସେ ନାହିଁ । ଉଚ୍ଛିଷ୍ଟ ନୈବେଦ୍ୟପରି ଶାନ୍ତି ତାହାର ବର୍ଜନୀୟ । ସେ ଗର୍ଜି ଗର୍ଜି ବେଳାକୁ ଆକ୍ରମଣ କରେ, ମାତ୍ର ବେଳାର ସେତେ କ୍ଷତି କରିପାରେ ନାହିଁ । ଶରତ୍‌କାଳୀନ ଘନ ଯେତେ ଗର୍ଜେ, ସେତେ ବର୍ଷେ ନାହିଁ–ଏହା ସ୍ୱତଃସିଦ୍ଧ । ସମୁଦ୍ର, ପ୍ରକୃତିର ବିରାଟ କ୍ଷମତାର ବିରାଟ ଆଦର୍ଶ, ସେହି ଜୀବନ୍ତ ମହାନ୍‌ ଆଦର୍ଶ ଦେଖିଲେ ମାନବ ହୃଦୟର କ୍ଷୁଦ୍ରତା ସ୍ୱତଃ ଦୂର ହୋଇଯାଏ ଏବଂ ସକୀର୍ଣ୍ଣତାର ଆସନ ପ୍ରାଶସ୍ତ୍ୟ ଅଧିକାର କରିବସେ । ଯାହାର ମା ଏଭଳି କ୍ଷମତାମୟୀ, ତାହାର ପୁତ୍ରର ଦୁର୍ବଳତା ନିତାନ୍ତ ଅଶୋଭନୀୟ–ଏହି ଭାବ ହୃଦୟକୁ ଅନୁପ୍ରାଣିତ କରେ । ମାନବର ନଗଣ୍ୟ କ୍ଷୁଦ୍ରଶକ୍ତି, ହୃଦୟର ସେହି ମୌନ ଉତ୍ସାହ ବାଣୀର ମହାନତାରେ ଉତ୍ତେଜିତ ହୋଇଉଠେ ।

 

ନଦୀ ସଙ୍ଗମସ୍ଥାନର ଦୃଶ୍ୟ କି ଅଦ୍ଭୁତ, କି ଚମତ୍‌କାର ! ସମୁଦ୍ର ନଦୀକୁ ତରଙ୍ଗ କରରେ ଓଟାରିନେଇ କୃପଣର ଧନପରି ହୃଦୟ ମଧ୍ୟରେ ଲୁଚାଇ ରଖୁଅଛି । ଅନନ୍ତ କାଳରୁ ପ୍ରୋମାଲିଙ୍ଗନରେ ଆବଦ୍ଧ ହୋଇ ସୁଦ୍ଧା ସେମାନଙ୍କର ହୃଦୟ ତୃପ୍ତ ହେଉନାହିଁ । ଏଥିରୁ ବୋଧ ହେଉଅଛି–ସଂସାରରେ ସୁଖର ପୂର୍ଣ୍ଣତା ନାହିଁ କି ପ୍ରୀତି ପୁରୁଣା ହୁଏନାହିଁ, ତାହା ନିତ୍ୟ ନୂତନ ରୂପରେ ପ୍ରତିଭାତ ହୁଏ । ପ୍ରେମିକ ପ୍ରେମିକାର ହୃଦୟ ଏକୀଭୂତ ନ ହେଲେ, ପ୍ରୀତିର ସ୍ୱାଦ ମିଳେ ନାହିଁ, ମାନବ ନଶ୍ୱର, ମାତ୍ର ପ୍ରୀତିସ୍ମୃତି ଅନଶ୍ୱର, ମାନବ ମାର୍ତ୍ତ୍ୟିକ, କିନ୍ତୁ ପ୍ରୀତି ସ୍ୱର୍ଗୀୟ । ଜୀବନଧାରା ମୃତ୍ୟୁରେ ମିଶିଗଲା ପ୍ରାୟ ନଦୀ ସମୁଦ୍ରରେ ମିଶିଯାଉଅଛି । ଜୀବନ ଗୋଟାଏ ମଧୁର ମନୋହର ସ୍ୱପ୍ନ, - ତାହା କ୍ଷଣକେ ଭାଙ୍ଗିଯାଏ; ମାତ୍ର ମୃତ୍ୟୁ ଅଭଙ୍ଗ । ବିମ୍ବରୁ ପ୍ରତିବିମ୍ବ ଜାତ ହେଲା ପ୍ରାୟ ମୃତ୍ୟୁରୁ ଜୀବନ ଜାତ ହୁଏ । ମୃତ୍ୟୁ କାୟା ଏବଂ ଜୀବନ ତାହାର କୃଷ୍ଣକାନ୍ତ ଛାୟା । ଜୀବନମୃତ୍ୟୁର ରହସ୍ୟ ବଡ଼ ଗୁରୁତର ସମସ୍ୟା । ଜନ୍ମମୃତ୍ୟୁର ଅଧୀନ ମାନବ ପକ୍ଷରେ ସେ ରହସ୍ୟ-ଭେଦ ଏକାନ୍ତ ଦୁରୂହ । ଯେତିକି ସେଥିରେ ଆଲୋଚନା କରିବ, ସେତିକି ସଂଶୟ ବଢ଼ିବ । ଅଗ୍ନିକୁଣ୍ଡକୁ ଯେତେ ଘାଣ୍ଟିବ, ଉତ୍ତାପ ସେତେ ବାହାରିବ; ମାତ୍ର ଶୈତ୍ୟ ବାହାରିବ ନାହିଁ । ଯେଉଁ ଗୁଢ଼ ରହସ୍ୟ ଦେବ ଶକ୍ତିର ଅସାଧ୍ୟ, ଛାର ମାନବ ତାହା ଭେଦ କରିବାକୁ କାହୁଁ ବା କ୍ଷମ ହେବ ?

 

ମଧୁ ଏତେବେଳଯାଏ ଶୋଇ ପଡ଼ିଥିଲା । ନିଦ୍ରାଦେବୀ ସ୍ୱଭାବତଃ କୋଳାହଳ - ଦ୍ୱେଷିଣୀ, ସମୁଦ୍ରର କର୍ଣ୍ଣଦାହୀ ଗର୍ଜନ ସେ ସହି ନ ପାରି ଶୀଘ୍ର ସ୍ଥାନତ୍ୟାଗ କଲେ । ମଧୁ ଉଠି ବସି ସମୁଦ୍ର ଆଡ଼କୁ ଅନାଇ ଛାନିଆ ହୋଇଗଲା, ଭୟରେ ତାହାର ମୁଖ ବର୍ଷାରାତ୍ରିର ଜ୍ୟୋସ୍ନା ପ୍ରାୟ ମଳିନ ହୋଇଗଲା । ସମୁଦ୍ରର ବିରାଟ ଦୃଶ୍ୟକୁ ବାଳକର କ୍ଷୁଦ୍ର ହୃଦୟ ଧାରଣ କରି ପାରିଲାନାହିଁ । ସେ ମହାଦୃଶ୍ୟ ରୀତିରୂପରେ ତାହା ହୃଦୟରେ ପ୍ରବେଶ କଲା । ସେ ବ୍ୟାକୁଳ ହୋଇ ବାବାଜିକୁ କୁଣ୍ଢାଇ ଧରି ବ୍ୟଥିତ ସ୍ୱରରେ କହିଲା–ବାବାଜି ଏ କଣ ? ବାବାଜି ମଧୁର ହାସ୍ୟରେ ତାହାର ମସ୍ତକରେ ଅଭୟ ହସ୍ତ ବୁଲାଇ ଦେଇ କହିଲା–ଡର ନା ବାପା, ଏ ଦରିଆ ।

 

ମଧୁ–ଏଗୁଡ଼ାକ କଅଣ ଖାଲି ପାଣି ?

ବାବାଜି–ହଁ, ଖାଲି ପାଣି ।

ମଧୁ–ଉଃ, ଏତେ ପାଣି ! ପର୍ବତପରି ଏ ଗୁଡ଼ାକ ଧାଇଁଚି କଅଣ ?

ବାବାଜି–ସେ ସବୁ ଲହରୀ, ପବନ ହେଲେ ସମୁଦ୍ରରୁ ଲହରୀ ଉଠେ ।

 

ଏହା କହି ବାବାଜିରୂପୀ ନର-କଳଙ୍କ ମଧୁର ହାତ ଧରି ଡଙ୍ଗାରୁ ଓହ୍ଲାଇଗଲା । ତାହାର ସଙ୍ଗିବୃନ୍ଦ ମଧ୍ୟ ଅନ୍ୟ ଦୁଇଟି ଦଗ୍‌ଧ-ଭାଗ୍ୟକୁ ଘେନି ଓହ୍ଲାଇ ପଡ଼ିଲେ । ସେଠାରେ ଖଣ୍ଡେ ସୁଲୁପ ନଙ୍ଗରବନ୍ଧ ହୋଇଥିଲା, ସମସ୍ତେ ସେଥିରେ ଯାଇ ଚଢ଼ିଲେ । ବାବାଜି ଏବଂ ମଧୁ ଗୋଟାଏ କୋଠରୀରେ ବସିଲେ । ଅନ୍ୟାନ୍ୟ ସମସ୍ତେ ଆଉ ଗୋଟିଏ କୋଠରୀରେ ଆଶ୍ରୟ ଗ୍ରହଣ କଲେ । କେହି ନିଦ୍ରାଦେବୀଙ୍କ କୋମଳ କ୍ରୋଡ଼ରେ ଆତ୍ମସମର୍ପଣ କଲା, କେହି ଉଦର ସେବାରେ ଲାଗିଲା–କେହି ବା ସମୁଦ୍ର ଆଡ଼କୁ ଚାହିଁ ମନଫୁଲଣା ଗୀତ ଗାଇଲା । ସେ ସମୟରେ ବାଲେଶ୍ୱରରେ ସମୁଦ୍ରଗାମୀ ସୁଲୁପ ପ୍ରସ୍ତୁତ ହେଉଥିଲା । ସେହି ସୁଲୁପମାନ ଧାମରା, ଚାନ୍ଦବାଲି ଏବଂ ବାଲେଶ୍ୱରରୁ ପଣ୍ୟଦ୍ରବ୍ୟ ଏବଂ ଯାତ୍ରୀ ଘେନି କଲିକତା ପ୍ରଭୃତିକୁ ଯାତାୟତ କରୁଥିଲା । ସେହି ସୁଲୁପ ନିର୍ମାତାମାନଙ୍କର ବଂଶଧରମାନେ ଅବଧି ବାଲେଶ୍ୱରରେ ବାସ କରୁଅଛନ୍ତି । ସମାନେ ପୈତୃକ ବ୍ୟବସାୟ ଅଦ୍ୟାପି ଭୁଲିଯାଇନାହାନ୍ତି । ଉତ୍ସାହ ପାଇଲେ ବର୍ତ୍ତମାନ ସୁଦ୍ଧା ସୁଲୁପ ତିୟାର କରି ପାରିବେ । ଜଳ ଜାହାଜର ପ୍ରତିଯୋଗିତା ସେମାନଙ୍କର ବ୍ୟବସାୟ ମାଟି କରି ଦେଇଅଛି । କାଳକ୍ରମେ ଦେଶୀୟ ଶିଳ୍ପ ଏହିପରି ବିଲୟପ୍ରାପ୍ତ ହେଉଅଛି–ଏହା ଦେଶ ଏବଂ ଜାତି ପକ୍ଷରେ ଶୁଭ ଲକ୍ଷଣ ନୁହେଁ । ସେ କାଳ ସହିତ ଏ କାଳର ତୁଳନା କଲେ ଦାରୁଣ ଅନୁଶୋଚନାରେ ଚକ୍ଷୁ ଆର୍ଦ୍ର ହୋଇଆସେ ଏବଂ ହୃଦୟରୁ ନୈରାଶ୍ୟର ତୀବ୍ର ଜ୍ୱାଳାମୟ ହାହାକାର ଉତିଥିତ ହୁଏ । ବିଦେଶୀୟ ଶିଳ୍ପର ଉତ୍କଟ ପ୍ରତିଯୋଗିତା ଏବଂ ଆପାତ ଚାକଚକ୍ୟ ଦେଶୀୟ ଶିଳ୍ପକୁ ପଙ୍ଗୁକରି ଧ୍ୱସଂର କରାଳ ମୁଖ ମଧ୍ୟକୁ ଘେନି ଯାଉଅଛି । ଫଳରେ ଦେଶ ହା ଅନ୍ନ, ହା ଅନ୍ନ ରବର ମୁଖରିତ ହେଉଅଛି । ବିଦେଶୀୟ ପଦାର୍ଥ ଅବ୍ୟବହାର୍ଯ୍ୟ ବୋଲି କୁହାଯାଉନାହିଁ; ମାତ୍ର ଦେଶରେ ଯେଉଁ ପଦାର୍ଥ ସୁଲଭ, ସେଥିପ୍ରତି ଅବଜ୍ଞା ପ୍ରଦର୍ଶନ କରିବା ନିଜ ଗୋଡ଼ରେ ନିଜେ କୁଠାରାଘାତ କରିବା ଭିନ୍ନ ଅନ୍ୟ କିଛି ନୁହେଁ । ଦେଶୀୟ ଶିଳ୍ପର ଶ୍ରାବୃଦ୍ଧିସାଧନ ଦେଶବାସୀଙ୍କର ସମ୍ପୂର୍ଣ୍ଣ ଆନୁକୂଲ୍ୟ-ସାପେକ୍ଷ, ମାତ୍ର ଦେଶବାସୀଏ ପ୍ରତ୍ୟେକ ବିଷୟରେ ଯେରୂପେ ବିଦେଶୀଭାବପନ୍ନ ହୋଇ ଉଠୁଅଛନ୍ତି, ତାହା ସ୍ମରଣ କଲେ ଲଜ୍ଜାରେ ଅଧୋମୁଖ ହେବାକୁ ହୁଏ । ଏ ଅଧୋଗତି ଦେବତାର ଅଭିଶାପ ନୁହେଁ, ଏହା କୃତକର୍ମର ବିଷାକ୍ତ ଫଳ । ବିଦେଶୀୟ ଶିଳ୍ପର ମୋହମାଦକତା, ବିଦେଶୀୟ ବାହ୍ୟାନୁକୃତି, ଆଳସ୍ୟ ଏବଂ ବିଳାସପରାୟଣକତା, ଏ ଦେଶକୁ କ୍ରମଶଃ ଅନ୍ତଃସାରଶୂନ୍ୟ କରି ପକାଉଛି, ଏହା ବୋଲିବା ନିତାନ୍ତ ବାତୁଳତା ନୁହେଁ, ପ୍ରତ୍ୟୁତ ସବର୍ଣ୍ଣ ନିଷ୍ଠୁର ସତ୍ୟ । ବିଦେଶୀୟ ପଣ୍ୟ ବିନିମୟରେ ଏ ଦେଶରୁ ରାଶି ରାଶି ଅର୍ଥ ବିଦେଶକୁ ଚାଲି ଯାଉଅଛି । ‘‘ଭାତ ବରତନ ପରକୁ ଦେଇ, ନାଥ ରହିଲେ ଉପାସେ ଶୋଇ’’ ଏ ପ୍ରବାଦ ମିଥ୍ୟା ନୁହେଁ । ମା ଉତ୍କଳକମଳା, ମା ଉତ୍କଳ ଭାରତି, କାହିଁକି ତୁମ୍ଭେ ଉତ୍କଳ ପ୍ରତି ବିମନା ? ତୁମ୍ଭର ପୁତ୍ରମାନେ ଅପରିଣାମଦର୍ଶିତାର ଫଳ ହାଡ଼େ ହାଡ଼େ ଭୋଗ କଲେଣି, ସେମାନଙ୍କ ଅବିମୃଷ୍ୟତା ପାପର ଅତିରିକ୍ତ ପ୍ରାୟଶ୍ଚିତ୍ତ ହୋଇସାରିଲାଣି । ଏବେ ତୁମ୍ଭେ ଅମୃତଦୃଷ୍ଟିରେ ଏ ଦେଶକୁ ଅବଲୋକନ କର ଏବଂ ତୁମ୍ଭର ପ୍ରିୟ ପୂଣ୍ୟଧାମ ଉତ୍କଳକୁ ତୁମ୍ଭେ ଫେରି ଆସି । କୃପାମୟୀ, କୁପୁତ୍ର ସିନା ହୁଅନ୍ତି ମାତ୍ର କୁମାତା ହୁଅନ୍ତି ନାହିଁ । ଅବାଧ୍ୟ ଅଯୋଗ୍ୟ ପୁତ୍ରକୁ ମା ପରା ଅଧିକ ସ୍ନେହ କରେ, ଏହା କହିବା ବେଳକୁ ଯେ ବିଷମ ଦୁର୍ବିଷହ କ୍ଷୋଭରେ ଛାତି ଫାଟି ଯାଉଅଛି, ମା, ମା, ତିରସ୍କାର କରେ, ପ୍ରହାର କରେ; ମାତ୍ର ପରକ୍ଷଣରେ ସନ୍ତାନକୁ କୋଳକୁ ଟାଣିନିଏ, ତାହାର କ୍ରନ୍ଦନମଳିନ ମୁଖ ସ୍ୱୀୟ ପଣତକାନିରେ ପୋଛିଦିଏ । ଜଗଦମ୍ୱେ, ଏହା କି ତୁମର ଅଗୋଚର ଜନନି ? ମା ବିନା ଏ ଦୁସ୍ତର ସଂସାରରେ ସନ୍ତାନର ମହଦାଶ୍ରୟ ଆଉ କିଏ ? ତୁମ୍ଭର ଅବସ୍ଥାପୀଡ଼ିତ ସନ୍ତାନବର୍ଗ ତୁମ୍ଭଙ୍କୁ ଚିହ୍ନନ୍ତୁ, ଦେଶମାତାକୁ ଚିହ୍ନନ୍ତୁ, ଏହି ସାର୍ଥକ ବର ପ୍ରଦାନ କର ମା । ଏହା ବିନା ସନ୍ତାନର ଅନ୍ୟ ଅଳି ବା ମାଗୁଣି ନାହିଁ, ମା ଦୟାମୟୀ ସନ୍ତାନ ବତ୍ସଳେ !

 

ମାନବ ଜୀବନ ରୋଗ ଶୋକ ବିପଦ ପ୍ରଭୃତି ନାନା ବାଧାବିଘ୍ନ ଦ୍ୱାରା ପ୍ରତିହତ ହୋଇ ଚାଲିଲା ପ୍ରାୟ ସ୍ୱଲୁପ ଭୀଷଣ ତରଙ୍ଗମାଳା ଦ୍ୱାରା ପ୍ରତିହତ ହୋଇ ଚାଲିବାକୁ ଲାଗିଲା । ବାଲେଶ୍ୱର ବନ୍ଦର ପାଖରେ ଖଣ୍ଡେ ଡିଙ୍ଗି ଆସି ସୁଲୁପକୁ ଭେଟିଲା । ସେଥିରୁ ପନ୍ଦର ଜଣ ଲୋକ ଆସି ସୁଲୁପରେ ଚଢ଼ିଲେ । ସେଥି ମଧ୍ୟରୁ ତିନିଜଣ ସୌଦାଗର ବେଶଧାରୀ ଆଡ଼କାଟି ଏବଂ ଅବଶିଷ୍ଟ ସେମାନଙ୍କର ହତଭାଗ୍ୟ ଶିକାର । ସେଗୁଡ଼ିକ କୌପିନ ସର୍ବସ୍ୱ କୃଷ୍ଣକାୟ ସାନ୍ତାଳ । ସେମାନଙ୍କୁ ମୟୂରଭଞ୍ଜ ଅଞ୍ଚଳରୁ ସଂଗ୍ରହ କରାଯାଇଅଛି । ପ୍ରତାରକମାନେ ସେମାନଙ୍କର ପ୍ରତ୍ୟେକକୁ ଦୁଇଶତ ଟଙ୍କା ଲେଖାଏଁ ଦେଇ ଛମାସ ପରେ ବିନା ଖର୍ଚ୍ଚରେ ଜାହାଜରେ ଆଣି ଛାଡ଼ି ଦେଇଯିବେ ବୋଲି କହି ଫୁସୁଲାଇ ଆଣିଅଛନ୍ତି । ବନ ସଭ୍ୟ ହେଲେ ଉଦ୍ୟାନ ନାମରେ ଅଭିହିତ ହୁଏ, ସେହିପରି ସେମାନେ ଜାମା ଯୋତା ପିନ୍ଧି କପଟ ସଭ୍ୟବେଶ ଧାରଣ କରିଅଛନ୍ତି । କାଳେ ସେମାନଙ୍କୁ ଦେଖି କାହାରି ମନରେ ଧୋକା ହୁଏ, ସେଥିପାଇଁ ଧୂର୍ତ୍ତ ଆଡ଼କାଟିମାନେ ସେମାନଙ୍କୁ ସଭ୍ୟ ସାଜରେ ସଜ୍ଜିତ କରିଅଛନ୍ତି । ବନଚର ସାନ୍ତାଳଜାତି ସରଳ ବିଶ୍ୱାସୀ, ସେମାନେ ଛନ୍ଦ କପଟ ଜାଣନ୍ତି ନାହିଁ । ଆଡ଼କାଟିଦଳ ଲୋଭ ଦେଖାଇ ସେମାନଙ୍କୁ ମୃତ୍ୟୁ ଆଡ଼କୁ ଘେନି ଯାଉଅଛନ୍ତି । ସୁଲୁପ ଖଣ୍ଡି ଗତିପଥରେ ସ୍ଥାନେ ସ୍ଥାନେ ଦୂରଦୃଷ୍ଟି ଲୋକଙ୍କ ଦ୍ୱାରା ବୋଝାଇ ହେଉଥାଏ, ତେଣେ ଆଡ଼କାଟିମାନଙ୍କର ଭାଗ୍ୟତରୀ ସେହିପରି ପାପରେ ବୋଝାଇ ହେଉଥାଏ । ଏ ଧର୍ମ-ନୌକା ବୁଡ଼ିବ ନାହିଁ, ମାତ୍ର ସେ ପାପ ନୌକା ଦିନେ ବୁଡ଼ିଯିବ । ହାୟ ସମୁଦ୍ର, ଗ୍ରହଣ ସମୟରେ ନିର୍ମଳ ଚନ୍ଦ୍ରବକ୍ଷରେ ଚଣ୍ଡାଳର ଛାୟା ପଡ଼ିଲା ପ୍ରାୟ ତୋର ପବିତ୍ର ବକ୍ଷରେ ପାପର ଏ କୃଷ୍ଣଛାୟା ପଡ଼ିଲା । ତୁ ପୂଣ୍ୟବନ୍ତ, ସତ୍ୟବନ୍ତ, ପୂଣ୍ୟ ଏବଂ ସତ୍ୟ ଲଘଂନଭୟରେ ତୁ ପରା ଗାରେ ମାତ୍ର ବେଳାଭୂମି ଅତିକ୍ରମ କରୁନାହୁଁ ? ଏ ମହାପାତକ କିପରି ଅମ୍ଳାନ ବଦନରେ ସହ୍ୟ କଲୁ ? ନା, ନା, ସିନ୍ଧୁରାଜ, ତୁ ନିଜକୁ କଳଙ୍କିତ କରନା, ଶୀଘ୍ର ଏ ପାପିଦଳକୁ ବୁଡ଼ାଇମାର, ବୁଡ଼ାଇମାର, ବୁଡ଼ାଇମାର ଆଉ ଏ ହତଭାଗ୍ୟ ନିର୍ଦ୍ଦୋଷ ଗୁଡ଼ିକୁ କୂଳରେ ଲଗାଇଦେ । ତୁ କେଡେ ବଡ଼ ଲୋକ, ତୋର କ୍ଷମତା ଅନନ୍ତ, ଦାନ ଅନନ୍ତ ଓ ତ୍ୟାଗ ଅନନ୍ତ । ତୁ ନିଜ ଦେହ କ୍ଷୟ କରି ସୃଷ୍ଟି ରକ୍ଷା କରୁ, ତୋହରି ମହାଦାନରେ ଏ ସଦ୍ୱୀପା ଧରଣୀ ଧନୀ, ଏଡ଼େ ବଡ଼ ନାମ–ଏଡ଼େ ବଡ଼ କୀର୍ତ୍ତି ହରାଇ ବସ ନା । ଏ ନାରକା ଗୁଡ଼ାକୁ ବୁଡ଼ାଇ ମାରି ଅକ୍ଷୟ ପୂଣ୍ୟ ଅର୍ଜନ କର । ତୁ ଦେବତା, ଦେବତାର କାର୍ଯ୍ୟ କର,- ପୌଶାଚିକ ତାକୁ ପ୍ରଶ୍ରୟ ଦେଇ ଦୁର୍ନାମ ଅର୍ଜ୍ଜନ କରନା ।

 

ଜାହାଜର ସାଜସଜା ଦେଖି ମଧୁ ଆଜି ଆନନ୍ଦରେ ଚତୁର୍ଭୁଜ । ତାହାର ଉତ୍ସାହ ହୃଦୟରେ ନ ଧରି ସିନ୍ଧୁବାଷ୍ପସହ କୁଣ୍ଡଳୀକୃତ ହୋଇ ଉର୍ଦ୍ଧ୍ୱକୁ ଉଠିଯାଉଅଛି । ସେ ପ୍ରକୋଷ୍ଠରୁ ପ୍ରକୋଷ୍ଠାନ୍ତରରେ ଧାଁଧପଡ଼ କରି ବୁଲୁଅଛି । କେତେବେଳେ ଗବାକ୍ଷର କାଚ କବାଟ ଟେକି ଦେଉଅଛି, କେତେବେଳେ ବା ତଳକୁ ଖସାଇ ଦେଉଅଛି । ତାହାର ଏହି ଆନନ୍ଦର କାରଣ ବାବାଜି-। ସେ ତାକୁ ଆଣି ନଥିଲେ ଏ ଅଦୃଷ୍ଟପୂର୍ବ ଦୃଶ୍ୟ ସେ କାହୁଁ ଦେଖନ୍ତା ? ସୁତରାଂ ବାବାଜି ପ୍ରତି ତାହାର ଭକ୍ତି ବହୁଗୁଣ ହୋଇ ଉଠୁଅଛି । ସେ ଧାଇଁଆସି ପଚାରିଲା–ବାବାଜି, ତମ ଗାଁ ଆଉ କେତେ ବାଟ ଅଛି ?

 

ବାବାଜି–ଏହି ଦରିଆ ଖଣ୍ଡ ପାର ହେଲେ ଆରପାଖରେ ଆମ ଗାଁ ।

ମଧୁ–ଟଙ୍କାଗଛ ସେଠିକି କେତେ ଦୂର ?

 

ବାବାଜି–ଆମ ଗାଁରେ ଟଙ୍କାଗଛ ଅଛି; ଚାରି ପାଞ୍ଚଟା ଉପାଡ଼ି ଆଣି ତୋତେ ଦେବି । ଆଉ ଆଠଦିନ ମଧ୍ୟରେ ତୋତେ ଆଣି ତମ ଘରେ ଛାଡ଼ିଦେଇ ଯିବି ।

 

ମଧୁ–ବାପା ପଚାରିଲେ କଅଣ କହିବ ?

ବାବାଜି–କହିବି ମଧୁକୁ ଚୋର ନେଇ ଯାଇଥିଲେ, ମୁଁ ଦେଖି ଛଡ଼ାଇ ଆଣିଲି ।

 

ମଧୁ–କେତେ ଖଞ୍ଜ ତମେ ଜାଣ ବାବାଜି ? ହଁ ସେଇଆ କହିବ । ଟଙ୍କାଗଛ ଦେଖିଲେ ବାପା ଆଉ କିଛି କହିବେ ନାହିଁ,–ଖୁସି ହୋଇଯିବେ ।

 

ବାବାଜି–ଆଚ୍ଛା ମଧୁ, ମୁଁ ଆସିଲାପରେ ତମ ଗାଁରେ କେହି କିଛି କହୁଥିଲେ କି ?

 

ମଧୁ–ନା, ମୁଁ କିଛି ଶୁଣି ନାହିଁ । ବାଟରେ ଆସିଲାବେଳେ ତିନିଟା ମାଇକିନା କଥାବାର୍ତ୍ତା ହେଉଥିଲେ, ତାହା ଶୁଣିଚି ।

 

ବାବାଜି–ସେମାନେ କଅଣ କହୁଥିଲେ ?

 

ମଧୁ–ଆମ ଗାଁ ରଙ୍କୁଣି ମା ଆଉ ବିନ ଅପା ଯାତ୍ରାକୁ ଯାଉଥିଲେ, ମୁଁ ସେମାନଙ୍କ ପାଖେ ପାଖେ ଚାଲିଥିଲି । ମୁଣ୍ଡରେ ଲୁଗା ପକାଇଥିବାରୁ ସେମାନେ ମତେ ଚିହ୍ନିପାରିନାହାନ୍ତି । ଆମ ପଛରେ ଗୋଟେ ବୁଢ଼ୀ ଆସୁଥିଲା, ତା ପିଠିରେ ଗୋଟେ କୁଜ, ସେ ବାଡ଼ିଖଣ୍ଡେ ଧରି ଭାଲୁ ନାଚିଲାପରି ଚାଲିଥାଏ । ବୁଢୀ ପଛରୁ ଡାକି କହିଲା–‘‘ଟିକିଏ ଠିଆ ହୁଅ ଲୋ ମା, ମୁଁ ବୁଢୀମଣିଷ, ଟାଉ ଟାଉ ଚାଲିପାରୁନାହିଁ, ମତେ ଟିକିଏ ସାଙ୍ଗରେ ନେଇ ଯା, ମୁଁ ସୀତାକୁଣ୍ଡରେ ଡୁବଟାଏ ମାରିବାଲାଗି ଏତେବାଟ ଧାଇଁ ଧାଇଁ ଆସିଚି । ବଞ୍ଚିଥିଲେ ଫେର ଯାଇ ବର୍ଷେ–କିଏ ମରିବ କିଏ ବଞ୍ଚିବ । ସେ ଦିନ ପୋଡ଼ାମୁହାଁ ନାହାକ ତ କହୁଥିଲା–ଏ ବର୍ଷ ଯମକତୁରୀ ଯୋଗ ଅଛି ।’’ ବୁଢ଼ୀର ଡାକ ଶୁଣି ରଙ୍କୁଣିମା ହେରିକା ଠିଆ ହେଲେ, ବୁଢ଼ୀ ଆସି ପଚାରିଲା, ‘‘ତମ ଘର କଉଁ ଗାଁର ଲୋ ଝିଅ ? ଆମଘର ନିର୍ମୂଳୀ ପଦା, ମୁଁ ରାତିରୁ ଉଠି ଧାଇଁଚି ।’’ ରଙ୍କୁଣିମା କହିଲା,‘‘ଆମ ଘର ଶୀତଳପୁର ।’’

 

ବୁଢ଼ୀ–ତମରି ଗାଁର ପରା ସିଦ୍ଧ ହୁକୁମ ଦଉଚନ୍ତି ?

ରଙ୍କୁଣିମା–ହଁ, ସିଦ୍ଧବାବାଜି ମାସେହେଲା ଥିଲେ–କାଲି ଗଲେ ।

 

ବୁଢ଼ୀ–ଚାଲିଗଲେଣି, ହାୟ ହାୟ ମୁଁ ଆଜି ବାବାଙ୍କ ପାଖକୁ ଯାଇଥାଆନ୍ତି–ମୋ କପାଳରେ ନାହିଁ ।

 

ବିନ ଅପାଟା ତ ପଡ଼ ଉଲଗାଲି, ସେ ଫକ୍‌କରି ହସିଦେଇ ବୁଢ଼ୀକି କହିଲା–କି, ତୋ କୁଜ ସଳଖେଇବାକୁ ଯାଇ ଥାଆନ୍ତୁ ପରା ?

 

ବାବାଜି–କୃଷ୍ଣ ତ କେତେ କୁବୁଜାର କୁଜ ସିଧା କରି ଦେଇଚି ।

 

ବୁଢ଼ୀ–କିଲୋ ଝିଅ, ଟାପରା କରୁଛ ? ମୋର କେତେ ବୟସ ହେଲାଣିକି ? ଏହି ଆଷାଢ଼ ମାସ ତେର ଦିନଠଉଁ ସାନପୁଅ ରଘୁଆକୁ ତ ସତେଇଶ ବର୍ଷ ପଶିବ । ସତେଇଶ କେତିକି ଲୋ ଝିଅ, କୋଡ଼ିଏ ତିନି ପରା? ତେବେ ଆଉ କୋଡ଼ିଏ ବର୍ଷ ଅଧିକା ଧଇଲେ ମୋର ଦିକୋଡ଼ି ବର୍ଷ ହେଲା, ବାତରୁ ବାଳ ପାଚିଗଲା ସିନା । ଏଇ ପେଟରୁ ଅଠରଟି ଜନ୍ମ କରିଚି, ଅକାଳରେ କଙ୍କାଳଟା ପଡ଼ିଗଲା । ଆଛା ତମ ଗାଁର କେତେଜଣ ଭଲ ହେଲେ ନା ?

 

ରଙ୍କୁଣି ମା–ଏକା ଆମ ଗାଁ କାହିଁକି, କେତେ ଗାଁରୁ ଲୋକେ ଆସି ଯେଝା କର୍ମ ଘେନି ଫଳ ପାଇଲେ ।

 

ବିନ–କି ଲୋ ରଙ୍କୁଣିମା ଖୁଡ଼ି, ତୋ ପେଟମରା ପରା ଭଲ ହୋଇଗଲା, ଆଉ ବାଆଁରେଇ କାହିଁକି କଥା କହୁଛୁ ?

 

ରଙ୍କୁଣି ମା–କାହିଁଲୋ ଝିଅ, ଭଲ ହେଲା କଉଁଠି ?

ବିନ–ଭଲ ହୋଇଗଲା ବୋଲି ତୁ କହୁଥିଲୁ କିମିତି ?

 

ରଙ୍କୁଣି ମା–ଆଉ କଅଣ କହନ୍ତି ଲୋ ? ବାବାଙ୍କର ହୁକୁମ ହେଲା, ମୋ ପୋଡ଼ା ରୋଗ ଭଲ ହେଲା ନାହିଁ । ମୋ କର୍ମକୁ ନିନ୍ଦା ନ କରି ମୁଁ ତାଙ୍କୁ କାହିଁକି ନିନ୍ଦିବି, ତା ହେଲେ ଯେ ମୋତେ ନରକରେ ଠାବ ମିଳିବ ନାହିଁ । ସାଧୁ ନିନ୍ଦା ମହାପାପ, ଲୋ ବାପ, ମୁଁ ତାହା କାହିଁକି କରିବି ? ପୁର୍ବଜନ୍ମରେ କି ପାପ କରିଥିଲାକୁ ତ ଏ ଜନ୍ମରେ ଏ କଷ୍ଟ ଭୋଗ କରୁଚି, ଆଉ ସାଧୁ ନିନ୍ଦାକରି କଣ ନରକରେ ଘାଣ୍ଟି ହେବି ? ପୁଥି ଶାସ୍ତ୍ରରେ ଅଛି ପରା, –ସବୁ ପାପକୁ ପାର ଅଛି, ସାଧୁ ନିନ୍ଦାକୁ ପାର ନାହିଁ ।

 

ବାବାଜି ଏହା ଶୁଣି କହିଲା–‘‘ସତରେ ମଧୁ, ରଙ୍କୁଣିମା ଯାହା କହିଲା ସତ । କପାଳରେ ନ ଥିଲେ ମୁଁ କଅଣ କରିବି ?’’ ଛାଡ଼ ସେ କଥା, ଏବେ ମୁଁ ଯାହା କହୁଛି ଶୁଣ । ତତେ କେହି ପଚାରିଲେ ତୁ କହିବୁ ‘‘ମୋର ବାପ ମା କେହି ନାହାନ୍ତି–ମୁଁ ମାଗିଯାଚି ପେଟ ପୋଷେ, ଆସିଛି ଏଣେ ଦୁଃଖଧନ୍ଦା କରି ବଞ୍ଚିବି ।’’

 

ମଧୁ–କି, ମୁଁ ତା’ କାହିଁକି କହିବି ?

 

ବାବାଜି–ଟଙ୍କାଗଛ କଥା କହିଲେ କୋମ୍ପାନୀ ସାଇବ ତତେ ଛାଡ଼ିବ ନାହିଁ । ବାନ୍ଧି ନେଇ କଇଦୀ ଖାନାରେ ରଖିବ ।

 

ମଧୁ–ହଉ ତେବେ, ତମେ ଯାହା କହିଲ ତା କହିବି ।

 

ଏହିପରି କଥାବାର୍ତ୍ତା ହେଉଁ ହେଉଁ ସୁଲୁପ କଲିକତା ବନ୍ଦରରେ ଲାଗିଲା । ତହୁଁ ସମସ୍ତେ ସୁଲୁପରୁ ଓହ୍ଲାଇଲେ । ପୂର୍ବରୁ ଆସାମ ଚା ବଗିଚା କୋମ୍ପାନୀର ଲୋକମାନେ ଆସି ସେଠାରେ ଉପସ୍ଥିତ ଥିଲେ, ସେମାନେ ସମସ୍ତଙ୍କୁ ଘେନି ସହର ଅଭିମୁଖରେ ଯାତ୍ରା କଲେ ।

•••

 

Unknown

ଷୋଡ଼ଶ ପରିଚ୍ଛେଦ

 

ଭାରତ-ଅମରାବତୀ କଲିକତା ସହର ଦେଖି ମଧୁ ବିସ୍ମୟ ଏବଂ ଆନନ୍ଦରେ ବିହ୍ୱଳ ହୋଇଗଲା । ତାହାର ଏତେ ଆନନ୍ଦ ହେଲା ଯେ, ସେହି ଆନନ୍ଦରେ ସେ ନିଜକୁ ହାତେ ବଢ଼ିଗଲା ପ୍ରାୟ ମଣିଲା । ଆନନ୍ଦାତିଶଯ୍ୟରେ ତାହାର ଚେତନା ଘନଘନ ବୁଡ଼ିଲା । ଯେ କେବେ କୌଣସି ସହର ଦେଖି ନାହିଁ, ଏକାବେଳକେ କଲିକତା ଦର୍ଶନ ତାହାପକ୍ଷରେ ମାୟାପୁରୀର ସ୍ୱପ୍ନ ପ୍ରାୟ ବୋଧ ହେବା ସ୍ୱାଭାବିକ । ଦୁଇ ପାଖରେ ଚିତ୍ର ପର୍ବତମାଳା ପ୍ରାୟ ଅଟ୍ଟଳିକାଶ୍ରେଣୀ, ମଧ୍ୟରେ ଉଭୟ ଦିଗ ବାହିନୀ ମାନବ-ନଦୀର ମହାବନ୍ୟା, ତହିଁ ମଧ୍ୟରେ ମତ୍ସ୍ୟ-କୁମ୍ଭୀରତୁଲ୍ୟ ଯାନବାହାନର ଯାତାୟତ ଏ ସବୁ ଅଦୃଷ୍ଟ-ଅଶ୍ରୁତପୂର୍ବ ଦୃଶ୍ୟରାଜିରେ ଜଣେ ଗୃହକୋଣବର୍ଦ୍ଧିତ ପଲ୍ଲୀବାଳକ-ହୃଦୟରେ ଯେରୂପ ଭାବ ଜାତ ହୋଇପାରେ, ମଧୁ ହୃଦୟରେ ଠିକ୍‌ ସେହିରୂପ ଭାବ ଜାତ ହେଲା-। ଏହାଠାରୁ ସରଳଭାଷାରେ ତାହାର ହୃଦୟର ଭାବ ବୁଝାଇ ହେବ ନାହିଁ । ସ୍ଥୁଳତଃ ତାହାର ମନୋଗତ ଭାବର ମହାଭାର ଭାଷା ଟେକି ପାରିବ ନାହିଁ, ସେ ଅସହ୍ୟ ଭାରରେ ଭାଷାର କଳେବର ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଧୂଳିପରି ଉଡ଼ିଯିବ । ମଧୁ ଯେପରି ଗୋଟାଏ ବିରାଟ ଉଲ୍ଲାସର ସ୍ୱପ୍ନରାଜ୍ୟରେ ପ୍ରବେଶ କରିଅଛି । ଗର୍ବରେ ତାହାର ଛାତି କୁଣ୍ଢେମୋଟରେ ଫୁଲି ଉଠିଲା ଏବଂ ତହି ସଙ୍ଗେ ସଙ୍ଗେ ବାବାଜି ପ୍ରତି ତାହାର ଭକ୍ତି ମଧ୍ୟ ମହମଦିଆ ପୁରିପରି ଫୁଲି ଉଠିଲା । ବିବିଧ-ପଣ୍ୟୋଜ୍ଜ୍ୱଳ ବିପଣୀମାଳା ଦେଖି ସେ ଭାବିଲା–‘‘ଏ ଗୋଟାଏ ଦିବସର ରାଜ୍ୟ, ଏଠାରେ କେବେ ରାତି ହୁଏ ନାହିଁ ।’’ ଦୃଶ୍ୟ ଦର୍ଶନର ଲୋଭ ସମ୍ୱରଣ ତାହା ପକ୍ଷରେ ଅସାଧ୍ୟ ହୋଇ ଉଠିଲା । ଦୃଷ୍ଟିର ଅବସାଦ ନାହିଁ–ଆକାଙ୍‌କ୍ଷାର ବିରାମ ନାହିଁ, ଯେଉଁ ଦିଗକୁ ଚକ୍ଷୁ ଗଲା, ସେହି ଦିଗକୁ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଲା । ସେ ମାନବ ଜୀବନରୁ ଉନ୍ମୁତ ହୋଇ ଗୋଟାଏ ସୁଖମୟ ନବୀନ ଜୀବନ ଲାଭ କଲା ପ୍ରାୟ ମଣିଲା । ପ୍ରତି ରଥ୍ୟାର ଉଭୟ ପାର୍ଶ୍ୱରେ ପ୍ରୋଥିତ ଆଲୋକ ସ୍ତମ୍ଭ ସରଳ ପ୍ରାକୃତିକ ଲୋକର ହୃଦୟପରି କି ସ୍ୱଚ୍ଛ, କି ନିର୍ମଳ । ମଧୁର ନୟନମନ ଅଠା କାମ୍ପାରେ ପକ୍ଷୀ-ପର ପ୍ରାୟ ସେଥିରେ ଲାଖିରହିଲା । ସେ ନୀରବ ନିସ୍ପନ୍ଦଭାବରେ ଚିତ୍ରପ୍ରତିମା ପରି ଏକଧ୍ୟାନରେ ତାହାକୁ ଚାହିଁ ରହିଲା,–ତାହାର ଚିନ୍ତାସ୍ରୋତ ଏକାବେଳକେ ରୁଦ୍ଧ ହୋଇଗଲା । ଆଲୋକ-ସ୍ତମ୍ଭ-ଗାତ୍ରରେ ଦୃଷ୍ଟିରେଖା ଏରୂପ ଭାବରେ ବିଦ୍ଧ ହୋଇଗଲା ଯେ, ତାହା ଆଉ ବାହାରି ଆସି ପାରିଲା ନାହିଁ । ପ୍ରାଣହୀନ ଶରୀର ପ୍ରାୟ ତାହାର ଶରୀର ନିସ୍ତବଧ୍‌ ହୋଇଗଲା । ତାହାକୁ ତଦତସ୍ଥ ଦେଖି ବାବାଜି ପଚାରିଲା,–‘‘କିରେ ମଧୁ, କଅଣ ଦେଖୁଛୁ ?’’ ସ୍ୱପ୍ନମଗ୍ନ ମନୁଷ୍ୟ ଅନ୍ୟର ସ୍ପର୍ଶରେ ଚମକି ଉଠି ବସିଲା ପରି ମଧୁ ବାବାଜି ଆଡ଼କୁ କ୍ଷିପ୍ର ଦୃଷ୍ଟିରେ ଚାହିଁ ଦେଇ କହିଲା–‘‘ବାବାଜି, ଏ କଉଁ ଗାଁ ?’’ ବାବାଜି ଏଣ୍ଡୁଅଠାଣିରେ ଶିର କମ୍ପାଇ ବିଜ୍ଞବାବୋଳା ଉଲ୍ଲାସ ବାଣୀରେ କହିଲା, ‘‘ଏ କଲିକତା ସହରରେ ବାବା । ଯେ କଲିକତା ଦେଖି ନାହିଁ, ସେ ମା ପେଟରୁ ଜନ୍ମ ହୋଇନାହିଁ । ମହୀମଣ୍ଡଳରେ ଏପରି ସହର ନାହିଁ, ନଥିଲା, ନ ହେବରେ ମଧୁ । ଆଚ୍ଛା, ତତେ କିମିତି ଲାଗୁଛି କହିଲୁ ?’’

 

ମଧୁ–ମନ ଭାରି ଖୁସି ହଉଚି ବାବାଜି ।

 

ବାବାଜି–ହଁ ଖୁସି ହବାର ତ କଥା, ଖାଲି ଖୁସି ନୁହେଁ–ତୋର ମଣିଷ ଜନ୍ମ ସାର୍ଥକ ହୋଇଗଲା । ଏମିତି ସହର ତମ ଗାଁ ଲୋକ କେହି ଦେଖିଚିନା ?

 

ମଧୁ–ଇସ୍‌, ସାତ ଜନ୍ମରେ କିଏ ଦେଖିବ ନା ଆଗେ ।

 

ବାବାଜି–ସାତ ଜନ୍ମ କଅଣରେ, ଚୌଦ ଜନ୍ମ ଗଲେ ବି କେହି ଦେଖିପାରିବ ନାହିଁ । ତୁ ଏକା କପାଳିଆ । ‘‘ଯେ ନ ଦେଖିଛି କଲିକତା, ମଣିଷ ନୁହେଁ ସେ ଶିଳପତା’’ ବୁଝିଲୁ ?

 

ମଧୁ–ସବୁ ତମରି କଲ୍ୟାଣରୁ ବାବାଜି । ଏ ସବୁ ଯେ ଗୋଡ଼ଜାମା ହାତଜାମା ପିନ୍ଧି ମୁଣ୍ଡରେ ପିଠା ପଲମ ପରି କଅଣ ଗୋଟେ ଉଗୁଡ଼େଇ ଧାଇଁଛନ୍ତି, ଏମାନେ କିଏ ?

 

ବାବାଜି–ସେଗୁଡ଼ାକ ଫିରିଙ୍ଗି ଲୋକ, କେହି ଦୋକାନୀ, କେହି କୋମ୍ପାନୀର ଚାକର ।

ମଧୁ–ଜାମା ଚୋରକୁଠିରେ ଖଣ୍ଡେ ଖଣ୍ଡେ ଚିରାକନା କାହିଁକି ରଖିଚନ୍ତି ?

ବାବାଜି–ସେ ରୁମାଲ, ସେଥିରେ ଝାଳ ପୋଛି ହୁଅନ୍ତି ।

ମଧୁ–କଳସୀ ଗୋଟେ ଗୋଟେ ହାତରେ ଧରି ବସିଚନ୍ତି କିଏ ?

 

ବାବାଜି–ସେମାନେ ବଙ୍ଗାଳୀ, ହୁକା ଧରି ଗୁଡ଼ାଖୁ ଟାଣୁଛନ୍ତି । ତମ ଗାଁରେ ଯିମିତି ପିକା ଟାଣନ୍ତି, ସିମିତି ।

 

ମଧୁ–ତା ଉପରେ ଗୋଟେ ନିଆଁ ଉହ୍ୱେଇ ରଖିଚନ୍ତି କାହିଁକି ?

 

ବାବାଜି–ଉହ୍ୱେଇ ନୁହେଁ, –ତାକୁ ଚିଲମ କହନ୍ତି । ସେଥିରେ ଗୁଡ଼ାଖୁ ରଖି ତା ଉପରେ ନିଆଁ ଦେଇ ଧୂଆଁ ପିଅନ୍ତି ।

 

ଏହିପରି କଥା କହି କହି ସମସ୍ତେ ଯାଇ ମେଛୁଆ ବଜାରରେ ପହଞ୍ଚିଲେ । ସେଠାରେ ଆଡ଼କାଟିଙ୍କର ଭଡ଼ାଘର ଥିଲା, ସେହି ଘରେ ଆହାର କରି ରାତ୍ରି ଯାପନ କଲେ ।

 

ପରଦିନ ପୂର୍ବାହ୍ନ ଦଶଘଣ୍ଟା ସମୟରେ ଆଡ଼କାଟିମାନେ ପୂର୍ବୋକ୍ତ ପନ୍ଦରଜଣ ହତଭାଗ୍ୟକୁ ଘେନି ରେଜେଷ୍ଟରୀ ଅଫିସରେ ଉପସ୍ଥିତ ହେଲେ । ଚା କୋମ୍ପାନୀର ଏଜେଣ୍ଟ ଏବଂ କେତେଜଣ କର୍ମଚାରୀ ସେଠାରେ ସେମାନଙ୍କ ଅପେକ୍ଷାରେ ଥିଲେ । କର୍ମପ୍ରାର୍ଥୀ କୁଲିମାନେ ପହୁଞ୍ଚିଲାକ୍ଷଣି ଏଜେଣ୍ଟ ଯାଇ ରେଜିଷ୍ଟାରଙ୍କୁ ଜଣାଇଲେ । ତହୁଁ ରେଜିଷ୍ଟାରଙ୍କ ଆଦେଶନୁସାରେ ଜଣେ କ୍ଲର୍କ କୁଲିମାନଙ୍କର ସ୍ୱୀକାରୋକ୍ତି ଖଣ୍ଡେ କାଗଜରେ ଲେଖି ସମସ୍ତଙ୍କର ବାମହସ୍ତସ୍ଥ ବୃଦ୍ଧାଙ୍ଗୁଳିର ଟିପଚିହ୍ନ ନେଇଗଲା । ଆଡ଼କାଟିମାନେ ଯାହାକୁ ଯେପରି ଶିକ୍ଷା ଦେଇଥିଲେ, କୁଲିମାନେ ଠିକ୍‌ସେହିପରି ସ୍ୱୀକାରୋକ୍ତି କଲେ । କେହି କହିଲା,–ମୁଁ ଖାଇବାକୁ ନପାଇ କୁଲିକାର୍ଯ୍ୟ କରିବାକୁ ଆସିଛି, କେହି କହିଲା,–ମହାଜନ ଦେଣା ପରିଷୋଧର ଉପାୟ ନପାଇ ମୁଁ କାହାରି ବିନା ଶିକ୍ଷା ବିନା ବଳହାରରେ ସ୍ୱଇଚ୍ଛାରେ ଅର୍ଥୋପାର୍ଜନ କରିବାକୁ ଆସିଅଛି । କେହି କହିଲା, ମୁଁ ପରିବାର ପୋଷଣ ସକାଶେ କୁଲିକାର୍ଯ୍ୟ କରିବାକୁ ଆସିଅଛି । ଚାଟପିଲାମାନେ ପରୀକ୍ଷକ ଆଗରେ ଅଭ୍ୟସ୍ତ ବିଦ୍ୟା ଅନର୍ଗଳ ଆବୃତ୍ତ କଲା ପ୍ରାୟ ସମସ୍ତେ କ୍ଲାର୍କ ଆଗରେ ଆଡ଼କାଟିଙ୍କ ପ୍ରଦତ୍ତ ଶିକ୍ଷାମତେ ଏହିପରି କହିଗଲେ । ରେଜେଷ୍ଟରୀ କାର୍ଯ୍ୟ ଅବାଧରେ ସମ୍ପନ୍ନ ହେଲା । ଏଜେଣ୍ଟ ସମସ୍ତଙ୍କୁ ଘେନି ହୁଗୁଳି ମୁହାଣରେ ଥିବା ଆସାମଗାମୀ ଜାହାଜରେ ଚଢ଼ିଲା । ବାବାଜିରୂପୀ ଆଡ଼କାଟି ସର୍ଦ୍ଦାର ପ୍ରତ୍ୟେକ କୁଲି ସକାଶେ ପାଞ୍ଚଶତ ଟଙ୍କା ଲେଖାଏଁ ଏଜେଣ୍ଟଠାରୁ ପୁରସ୍କାର ପାଇ ସଦଳରେ କଲିକତାକୁ ଫେରି ଆସିଲା । ଦୁର୍ଭାଗ୍ୟ କୁଲିମାନେ ଆଡ଼କାଟିର ପ୍ରତାରଣା ବିନ୍ଦୁ ବିସର୍ଗ ଜାଣିପାରିଲେ ନାହିଁ । ଜାହାଜ ବଂଶୀଧ୍ୱନିକରି ଆସାମ ଅଭିମୁଖରେ ଧାବିତ ହେଲା । ପ୍ରତାରିତ ପନ୍ଦରଜଣ ଯାକ ଜାହାଜର ଗୋଟାଏ ପ୍ରକୋଷ୍ଠରେ ଥିଲେ । କୋମ୍ପାନୀର ପ୍ରହରିମାନେ ଚାରିପାଖରେ ସେମାନଙ୍କୁ ଜଗି ବସିଲେ । ମଧୁ ବାବାଜି, ବାବାଜି ବୋଲି ଚିତ୍କାର କରି ଉଠିଲା । ପ୍ରହରିଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିଲା, ସେ ମଧୁର ଚିତ୍କାର ଶୁଣି କହିଲା,–‘‘ଆଉ ବାବାଜିକୁ ପାଇବୁ ନାହିଁ, ସେ ଚିତା କାଟିଦେଇ ଚାଲିଗଲାଣି । ତମ ସମସ୍ତଙ୍କୁ ସେ ଚା ବଗିଚା ମେନେଜରଙ୍କୁ ବିକିଦେଇ ଗଲା, ଦଶବର୍ଷଯାଏଁ ତମେ କେହି ଘର ଦେଖି ପାରିବ ନାହିଁ । ସେ ଗୋଟାଏ ଭାରି ଜୁଆଚୋର, ତମେ ହୁଣ୍ଡାଗୁଡ଼ାକ କାହିଁକି ତା ପାଲରେ ପଡ଼ି ମରିବାକୁ ଆସିଲ ? ଏବେ ଚାଲ ଚା ବଗିଚାରେ ଚା ପତ୍ର ତୋଳି ତୋଳି ପଚି ସଢ଼ିବ । ଦଶ ବର୍ଷ ପରେ ସମସ୍ତେ ଛାଡ଼ ପାଇବ । ଏହିକ୍ଷଣି କାନ୍ଦିଲେ କି ମୁଣ୍ଡ କୋଡ଼ି ହେଲେ କିଛି ହେବନାହିଁ । ସୁନାପୁଅ ପରି ଜାହାଜରେ ବସି ଚାଲ । ନହେଲେ ମାଡ଼ ଖାଇ ହାଡ଼ଚୂନା ହେବ ।’’

 

ଏହା ଶୁଣି ମଧୁର ହଂସା ଉଡ଼ିଗଲା । ଗୋଟାଏ ବିରାଟ ହାହାକାର ତାହାର ହୃଦୟରୁ ଉଠି ପରକ୍ଷଣରେ ମୂର୍ଚ୍ଛିତ ହୋଇପଡ଼ିଲା । ଶୋକ ହାତୁଡ଼ିର ନିର୍ମମ ଆଘାତରେ ତାହାର ବାତ କୋମଳ ଶରୀର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିଲା । ଆକାଶରେ ସେ ଯେଉଁ ମନୋହର ରାଜହର୍ମ୍ୟ ସର୍ଜନା କରିଥିଲା ତାହା ବିଧ୍ୱସ୍ତ ହୋଇଗଲା । ନୟନର ଅଶ୍ରୁପ୍ରବାହ ବହିର୍ମୁଖୀ ହୋଇ ଉଠିଲା; ତାହା ଚାପିରଖି ହେଲାନାହିଁ; ଶତ ଧାରାରେ ବାହାରି ପଡ଼ିଲା । ମୂର୍ତ୍ତିମତୀ ମୌନ ବ୍ୟାକୁଳତା ତାହାର ପ୍ରାଣକୁ ପ୍ରବଳ ଭାବରେ ଭିଡ଼ି ଧରିଲା । ମୁଖରୁ ବାକ୍ୟ ସ୍ଫୂର୍ତ୍ତି ହେଲା ନାହିଁ, ଆକସ୍ମିକ ଦୂର୍ବହ ବେଦନା ତାହାର କଣ୍ଠନାଳୀ ରୁଦ୍ଧ କରିଦେଲା । ବାବାଜି ପ୍ରତି ତାହାର ବିବର୍ଦ୍ଧମତିଭକ୍ତି କ୍ରୋଧାଗ୍ନିରେ ବାଷ୍ପ ହୋଇ ଉଡ଼ିଗଲା । ବିଷମ କ୍ରୋଧର ଭୀଷଣ ପଦାଘାତରେ ବିଶ୍ୱାସ ଚୂର୍ଣ୍ଣ ହୋଇଗଲା । ଉଚ୍ଛ୍ୱସିତ ଉଦ୍‌ବେଳିତ ଆଶା-ସମୁଦ୍ରରେ ଭଟ୍ଟ ପଡ଼ିଗଲା । ନୈରାଶ୍ୟ ପ୍ରେତର ବିକଟ ହୁଙ୍କାରରେ ଶରୀର ଶୀରା ଉପଶୀରା ଛିନ୍ନ ବିଚ୍ଛିନ୍ନ ହୋଇଗଲା । ମସ୍ତକ ଖସିପଡ଼ିଲା ପ୍ରାୟ ବୋଧହେଲା । ଆହତ ପକ୍ଷୀ ପରି ଅନ୍ତରାତ୍ମା ଆକାଶରେ ଉଡ଼ି କାନ୍ଦି ବୁଲିଲା । ସେ କ୍ରନ୍ଦନ ବଡ଼ କରୁଣ ଏବଂ ମର୍ମନ୍ତୁଦ । କୃତକର୍ମର ଫଳ ମୂର୍ତ୍ତି ଧରି ତାହାକୁ ପରିହାସ କରିବାକୁ ଲାଗିଲା । ହାୟ, ସେ ପରିହାସ କି ନିଷ୍ଠୁର, କି ଜ୍ୱାଳାମୟ । ସେହି ପରିହାସରେ ତାହାର ମନ, ପ୍ରାଣ ଏବଂ ଶରୀର ଦଗ୍‌ଧ ହୋଇଗଲା । ସେହି ରିଗ୍‌ଧ ପ୍ରାଣ ସହାନୁଭୂତିର ଶୀତଳ ଅଙ୍କାଶ୍ରୟ ଖୋଜି ବୁଲିଲା । କିନ୍ତୁ ହାୟଅକୂଳ ସମୁଦ୍ରଗର୍ଭରେ ସହାନୁଭୂତିର ଅମୃତସ୍ପର୍ଶ କାହୁଁ ମିଳିବ ? ଗୋଟିଏ ଟଙ୍କାଗଛ ଲୋଭରେ ସେ ଗୃହତ୍ୟାଗୀ, ଏ ସମୟରେ ପଦେ ସହାନୁଭୂତିର କଥା ଶୁଣିଲେ କୋଟିଏ ସୁବର୍ଣ୍ଣ ଟଙ୍କାଗଛ ଲାଭ ତୁଲ୍ୟ ମଣନ୍ତା । ବାଳକ ଆଉ ହସି ନ ପାରି ଅନୁଶୋଚନାରେ ମୂର୍ଚ୍ଛିତ ହୋଇପଡ଼ିଲା । ଅଜ୍ଞାନ ବାଳକର ତ ଏଭଳି ଅବସ୍ଥା, ତାହାର ସମଧର୍ମୀ ବୟସ୍କ ହତଭାଗ୍ୟଗଣର ଦୂରବସ୍ଥା ନ ଲେଖିବା ହିଁ ଉଚିତ । ସେ ବର୍ଣ୍ଣନା ମାନବ ହୃଦୟ ସହ୍ୟ କରିବା ତ ଅସମ୍ଭବ କଥା, ଅଧିକନ୍ତୁ ନିର୍ଜୀବ ଲେଖନୀ-ଦଣ୍ଡ ସମବେଦନାରେ କାନ୍ଦି ପକାଇବ,- କାକତ ଖଣ୍ଡ ଥରି ଉଠିବ ଏବଂ ମସୀଧାରା ଉଷ୍ଣ ହୋଇ ଘନୀଭୂତ ହୋଇଯିବ । ପାଷାଣ ହୃଦୟ ଦୈତ୍ୟଦାନବ ତାହା ବର୍ଣ୍ଣନା କରିପାରେ, ମାତ୍ର ମାନବର ଅସାଧ୍ୟ । ମାନବ ନେତ୍ରରୁ ରୁଧିରପାତ ହେବ, ମାନବ ହସ୍ତ ଅସାଢ ହୋଇଯିବ ଏବଂ ମାନବ ଆତ୍ମା ଫାଟି ଶତଖଣ୍ଡ ହୋଇଯିବ । ହା ବିଧାତଃ, ତୁମ୍ଭେ କେତେବେଳେ କାହା ଭାଗ୍ୟଚକ୍ର କି ଭାବରେ ଘୂର୍ଣ୍ଣନ କର, ତାହା ବୁଝିବା ଅସାଧ୍ୟ । ତୁମ୍ଭେତ ସମସ୍ତଙ୍କୁ ହୃଦୟ ଦେଇଅଛ, ନିଜ ପାଇଁକି କିଛି ରଖିନାହଁ ପ୍ରଭୁ ? ଏହା କହିବାକୁ ଯେ ସାହାସ ବଳୁନାହିଁ,–କିଏ ଯେପରି ବଜ୍ର କଠୋର ହସ୍ତରେ ତଣ୍ଟି ଚିପି ଧରୁଅଛି । ମାୟାଧର, ଅନନ୍ତ-ଅକଳନ ତୁମ୍ଭର ମହାମାୟା ।

 

ନିର୍ବୋଧ ବାଳକର ଏ ମୂର୍ଚ୍ଛାର ଅପନୋଦନ କେତେ ଦୂରରେ,-ତାହାର ସହାନୁଭୂତିର ସ୍ଥାନ ବା କେଉଁଠାରେ ତାହା କଳିବା ବାଳକର କ୍ରୀଡ଼ା ପରି ସହଜ ସାଧ୍ୟ ନୁହେଁ । ତେବେ କି ସଂସାରରେ ସମବେଦନା ନାହିଁ ? ଏ ସଂସାରଟା କି ତୁଚ୍ଛା ମରୁଭୂମି ? ନା, ନା, ସମବେଦନା ନିଶ୍ଚୟ ଅଛି,–ଏ ଅଥଳ ଅକୂଳ ଭୀଷଣ ଜଳଧି ବକ୍ଷରେ ସୁଦ୍ଧା ଅଛି । ସଂସାରରେ ସବୁ ଅଛି, ସେ ଅବା ନ ଥିବ କାହିଁକି ? ସହାନୁଭୂତି, ବିଧାତର ଜଗତ ପ୍ରତି ଅତିରିକ୍ତ ମହାଦାନ । ତାହା ପ୍ରାଣେ ପ୍ରାଣେ ବିଦ୍ୟମାନ, ସେ କେଉଁଠାରେ ଫୁଟି ଉଠେ,- କେଉଁଠାରେ ଦରଫୁଟା ହୋଇରହେ–କେଉଁଠାରେ ବା ଫୁଟେ ନାହିଁ । ଦେଖୁଁ ଦେଖୁଁ ଦଣ୍ଡକ ମଧ୍ୟରେ ଭବିଷ୍ୟତ-ଦ୍ୱାର ମୁକୁଳା ହୋଇଗଲା,–ମେଘାଡ଼ମ୍ୱର ଅନ୍ଧକାର ରାତ୍ରି ବକ୍ଷରେ ଖଦ୍ୟୋତର ଆଲୋକ ରେଖା ପ୍ରାୟ ସହାନଭୂତିର ଆଭା ଫୁଟି ଉଠିଲା । ଦର୍ପଣରେ ପତିତ ଖରା କାନ୍ଥରେ ପ୍ରତିଫଳିତ ହେଲା ପ୍ରାୟ ବାଳକର ଦୁଃଖ ଜଣକ ହୃଦୟରେ ପ୍ରତିଫଳିତ ହେଲା । ସେ ସମବେଦନା ପୟରରେ ନିଜକୁ ଢାଳି ଦେଲା ଏବଂ ମୂର୍ତ୍ତିମାନ ସମବେଦନାରୂପେ ଧାଇଁ ଆସି ମୂର୍ଚ୍ଛିତ ବାଳକକୁ କୋଳରେ ଘେନି ବସିଲା-। ହରି ହେ, ଏ ପୁଣି କି ଅସମ୍ଭବ ଅଜ୍ଞେୟ ବ୍ୟାପାର ! ତୁମ୍ଭର ଏକ ହସ୍ତରେ ଦଣ୍ଡ ଏବଂ ଅନ୍ୟ ହସ୍ତରେ ଦୟା ! ତୁମ୍ଭେ ମାର ପୁଣି ତୁମ୍ଭେ ଆଉଁସି ଦଅ । ଆଗେ ବିପଦକୁ ପଠାଇ ପଛେ ପଛେ ସହାନୁଭୂତି ରୂପ ଧରି ଆସ । ଯେଉଁ ଆକାଶରେ ପ୍ରଚଣ୍ଡ ସୂର୍ଯ୍ୟ ଉଦିତ ହୁଏ, ସେହି ଆକାଶରେ ପୁଣି ଶୀତଳ ଚନ୍ଦ୍ର ଦେଖାଯାଏ, ଏହା ଦେଖି ଭକ୍ତ ଭାବୁକ ନିଜେ ପାଗଳ ହୋଇ ତୁମ୍ଭଙ୍କୁ ମଧ୍ୟ ପାଗଳ ଜ୍ଞାନ କରେ । ବାସ୍ତବରେ ଯାହାର ଅନନ୍ତ ଜ୍ଞାନ, ସେ ପାଗଳ । ଓଃ, କି ଆପଦ, ମନଟା କି ଅବାଧ୍ୟ ! ତାହାର ଗତି ବା କି ବକ୍ର, ତାହାକୁ ଯେତେ ସଳଖାଇଲେ ସୁଦ୍ଧା ସେ ବଙ୍କେଇ ବଙ୍କେଇ ଚାଲେ । ଘଟଣାସ୍ଥଳରୁ ସେ କେତେ ବଙ୍କେଇ ଗଲାଣି, ଏବେ ତାକୁ ସଳଖାଇବା ଦରକାର । ବାତ୍ୟାପତିତ ନୌକାପରି ସେ ଦିଗଭ୍ରାନ୍ତ ହୋଇ ଇତସ୍ତତଃ ଚାଲିଅଛି । ଅମଣ ବଳଦକୁ ହଳରେ ଯୋଚିଲେ ସେ ଯେପରି ରୀତିମତ ଆଉଚା ନ କାଟି କେବେ ଏଣେ, କେବେ ତେଣେ ଲଙ୍ଗଳକୁ ଟାଣିନେଇ ଯାଏ, ମନର ଗତି ଠିକ୍‌ ସେହିପରି । କର୍ଣ୍ଣଧାର ଯେବେ ସତର୍କ ହେଲେ ସୁଦ୍ଧା ଘାଟର ନୌକା ଠିକ୍‌ ସିଧାରେ ନଲାଗି ଖଣ୍ଡେ ଦୂର ଭାସିଯାଏ ।

 

ଯେ ବିପନ୍ନ ବାଳକକୁ କୋଳରେ ଧରି ବସିଲା, ସେ ମହାପ୍ରାଣ ମାନବ କିଏ ? ସେ ପୂର୍ବୋକ୍ତ ଉତ୍କଳୀୟ ପ୍ରହରୀ । ଜାତୀୟତା ତାହା ପ୍ରାଣରେ ସହାନୁଭୂତି ଆନୟନ କଲା । ସ୍ୱଜାତିର ଦୁଃଖରେ ତାହାର ଜାତୀୟ ରକ୍ତ ଶୀତଳ ହୋଇ ଆସିଲା । ବାସ୍ତବରେ ଜାତୀୟତା ଅମୂଲ୍ୟ ମହାମଣି । ଯେଉଁ ଜାତିର ଜାତୀୟ ମମତା ନାହିଁ, ସେ ଜାତିର ଜୀବନ ଅସ୍ୱୀକାର୍ଯ୍ୟ । ଉତ୍କଳ ସେହି ଜାତୀୟତା ହରାଇ ନିର୍ଜୀବ । ସେ ଯେଉଁଦିନ ଜାତୀୟତା ଲାଭ କରିବ, ସେହିଦିନ ନବଜୀବନ ପ୍ରାପ୍ତ ହେବ ଏବଂ ସେହିଦିନ କୋଟି ହୃଦୟ ଏକ ହୋଇ ମହାମିଳନର ଅମୃତ ଭୂମିରେ ପରମ ଗୌରବରେ ବିଚରଣ କରିବ ।

 

ଏଠାରେ ସେହି ମହାନୁଭବ ପ୍ରହରୀର କିଞ୍ଚିତ ପରିଚୟ ଦେବା ଆବଶ୍ୟକ । ସେ ଉତ୍କଳୀୟ ରାଜପୁତ୍ର ତାହାର ନାମ ଭୀମ ସିଂହ । କେବଳ ନାମରେ ନୁହେଁ-ଆକୃତିରେ ମଧ୍ୟ ଭୀମର ଅନୁରୂପ । ତେବେ ମହାଭାରତୀୟ ଯୁଗର ଭୀମ ନ ହେଲେ ସୁଦ୍ଧା ଏ ଯୁଗର ଭୀମ କହିଲେ ଅସଙ୍ଗତ ହେବ ନାହିଁ । ଶରୀର ପ୍ରକାଣ୍ଡ ବର୍ଣ୍ଣ ଘୋରତର କୃଷ୍ଣ; ମୁଖରେ ନିଶ ଦାଢ଼ି ନାହିଁ । ଗାଲରେ ବିଶାଳ ଗାଲମୋଚା ଖଣ୍ଡେ କଳାମେଘର ଦୁଇପାଖରେ ଦୁଇଖଣ୍ଡ କଳାମେଘ ଆଉଜିଲାପରି ଦେଖାଯାଏ । ଦେହଯଷ୍ଟି ପୃଥୁଳଏବଂ ସୁବଳିତ । ଆକୃତି ଭୀଷଣ କିନ୍ତୁ ପ୍ରକୃତି ଶାନ୍ତ-। ବାହାର ଘର କଟକ ଜିଲାରେ, ସେ ଆବାଲ୍ୟ ପିତୃମାତୃଶୂନ୍ୟ । ପ୍ରଥମରେ ସେ କଲିକତାର ସୂତାକଳ ସାହେବ ପାଖରେ ଅର୍ଦ୍ଦଳୀ କାର୍ଯ୍ୟ କରୁଥିଲା । ସାହେବଙ୍କ ପାଞ୍ଚଜଣ ଅର୍ଦ୍ଦଳୀ ମଧ୍ୟରେ ସେ ସର୍ବାପେକ୍ଷା ବିଶ୍ୱାସୀ, ବାଧ୍ୟ, ପ୍ରଭୁଭକ୍ତ ଏବଂ ଧର୍ମଭୀରୁ । ଏହେତୁ ସାହେବତାକୁ ସର୍ବଦା ସମଧିକ ସ୍ନେହଚକ୍ଷୁରେ ଦେଖନ୍ତି । ସେ ମଧ୍ୟ ସାହେବଙ୍କ ମନ ଜାଣି କାର୍ଯ୍ୟ କରେ । ଥରେ ସାହେବଙ୍କର ବନ୍ଧୁ ଆସାମ ଚା ବଗିଚାର ମାଲିକ ‘‘ରେ’’ ସାହେବ ବନ୍ଧୁ ସଙ୍ଖୋଳିବାକୁ କଲିକତା ଆସିଥିଲେ । ସେ ଭୀମର ଗୁଣରେ ମୁଗ୍‌ଧ ହୋଇ ବନ୍ଧୁଙ୍କ ନିକଟରୁ ତାକୁ ଉଧାର ନେଇଗଲେ । ସେହି ଦିନଠାରୁ ଭୀମ ଚା ବଗିଚାର କୁଲିସର୍ଦ୍ଦାର -କାର୍ଯ୍ୟରେ ମାସିକ ତିରିଶ ଟଙ୍କା ବେତନରେ ନିଯୁକ୍ତ ଅଛି ।

 

ବାଳକର ମୁଖରେ ଶୀତଳ ଜଳ ସେଚନ କରି ଭୀମସିଂହ ତାହାକୁ ସଚେତ କଲା । ବାହାର ସହକର୍ମୀମାନେ ସୁଦ୍ଧା ସେହି କାର୍ଯ୍ୟରେ ତାକୁ ଅଳ୍ପାଧିକ ସହାୟତା କଲେ । ମଧୁ ଚକ୍ଷୁଫିଟାଇ ଭୀମସିଂହର ମୁଖକୁ ଅନିମେଷ ନେତ୍ରରେ ଚାହିଁ ରହିଲା । କେତେକ୍ଷଣ ପରେ ଚିହ୍ନିଲା, ସେ ସେହି ପ୍ରହରୀ । ତାହାର ମୁଖରୁ ସ୍ନେହସୁଧା ଝରି ପଡ଼ୁଅଛି । ଏକନେତ୍ରରେ ଦୟା ଏବଂ ଅନ୍ୟ ନେତ୍ରରେ ସମବେଦନା ଅଶ୍ରୁରୂପରେ ଢଳ ଢଳ ହେଉଅଛି । ସେ ପ୍ରସନ୍ନ ମୁଖରେ ମୃଦୁହାସ୍ୟ ଫୁଟାଇ ମଧୁର ସ୍ୱରରେ କହିଲା–‘‘ବାଳକ, ତୋର କିଛି ଭୟ ନାହିଁ, ମୁଁ ଅଛି, ଆଉ ଚିନ୍ତା କରନା, ମୁଁ ସାହେବକୁ କହି ତୋର ଯହିଁରେ ଭଲ ହେବ ତାହା କରାଇଦେବି । ଆଜିଠାରୁ ତୁ ମୋର ଧର୍ମଭାଇ ହେଲୁ–ମୁଁ ତୋତେ ଠିକ୍‌ ସାନଭାଇପରି ସ୍ନେହ ଚକ୍ଷୁରେ ଦେଖିବି, ତୋତେ କିଛି କାମକରିବାକୁ ପଡ଼ିବ ନାହିଁ, ମୁଁ ସବୁ ତୁଲେଇ ତୋତେ ମୋ ପାଖରେ ରଖିବି ।’’ ଏହା କହି ବିପନ୍ନ ବାଳକର ମସ୍ତକ ମୁଖ ଏବଂ ବକ୍ଷରେ ବାରମ୍ୱାର କରୁଣାର ଶୀତଳ କର ବୁଲାଇବାକୁ ଲାଗିଲା । ବାଳକର ସନ୍ତପ୍ତ ବ୍ୟାକୁଳ ହୃଦୟ ଯାହା ଖୋଜୁଥିଲା, ତାହା ପାଇଲା । ସେ ଭାବିଲା, କେଜାଣି କେଉଁ ସଦୟ ଦେବତା ମୋତେ ଏ ଅପବାଦରୁ ଉଦ୍ଧାର କରିବା ପାଇଁ ଏହି ପ୍ରହରୀରୂପ ଧରି ଆସିଅଛି । ଭୀମ କଲିକତାରୁ ନିଜ ସକାଶ କିଛି ଖାଦ୍ୟଦ୍ରବ୍ୟ କ୍ରୟ କରି ଆଣିଥିଲା । ତାହା ମଧୁକୁ ଖାଇବାକୁ ଦେଲା-। ମଧୁ ତାହା ଖାଇଲା–ଅଗାଧ ଭ୍ରାତୃସ୍ନେହ ଅମୃତସ୍ପର୍ଶରେ ସେହି ସାମାନ୍ୟ ଖାଦ୍ୟ ତାକୁ ଅମୃତପରି ମଧୁର ଲାଗିଲା, ସେ ପରିତୃପ୍ତ ହୋଇ ଆଶ୍ୱସ୍ତି ଅନୁଭବ କଲା । ଆଦର ବା ସ୍ନେହଦତ୍ତ ପଦାର୍ଥ ଯେପରି ମଧୁର ଲାଗେ, ଶତ ମସଲା ବା ମିଷ୍ଟ ପକ୍ୱ ପଦାର୍ଥ ସେରୂପ ମଧୁର ବୋଧହୁଏନାହିଁ, ଲୋକେ କଥାରେ କହନ୍ତି ‘‘ଆଦର ନାହିଁ ତ ଭୋଜନ ନାହିଁ, ଗାମୁଛା ନାହିଁ ତ ସ୍ନାନ ନାହିଁ ।’’ ଅର୍ଥାତ୍‌ ଆଦର ନଥିଲେ ଭୋଜନ ଏବଂ ଗାମୁଛା ନଥିଲେ ସ୍ନାନ ସୁଖକର ବୋଧହୁଏ ନାହିଁ-। ଶ୍ରୀକୃଷ୍ଣ ଦୂର୍ଯ୍ୟୋଧନର ଉପାଦେୟ ରାଜଖାଦ୍ୟ ଉପେକ୍ଷା କରି ବିଦୂର ଗୃହରେ ଶାକ ଭୋଜନ କରିଥିଲେ । ରାମଚନ୍ଦ୍ର ଶବରୀପ୍ରଦତ୍ତ ଉଚ୍ଛିଷ୍ଟ କୋଳି ଭକ୍ଷଣକରି ତୃପ୍ତ ହୋଇଥିଲେ ।

 

ଅନନ୍ତର ଭୀମ ମଧୁକୁ ପଚାରି ତାହାର ନାମ ବାସସ୍ଥାନ, ଜାତି ଏବଂ ପିତୃ ନାମ ପ୍ରଭୃତିର ଗୋଟାଏ ମୌଖିକଫାର୍ମ ପୂରଣରେ ଉଦ୍ୟତ ହେଲା । ମଧୁ ଯଥାଯଥ ଉତ୍ତର ଦେଇ ସେହି ଶ୍ରାଦ୍ଧ ଫାର୍ମପୂରଣରେ ସହାୟତା କଲା । ଭୀମ ସେଥିରୁ ବୁଝିଲା, ମଧୁ କ୍ଷତ୍ରିୟ । ଭୀମ ମଧ୍ୟ କ୍ଷତ୍ରିୟ, ଉଭୟ ମଧ୍ୟରେ ଭାଷାଗତ ପାର୍ଥକ୍ୟ ଥିଲେହେଁ ଜାତିଗତ ପାର୍ଥକ୍ୟ ନାହିଁ, ସୁତରାଂ ସ୍ୱଜାତି ଜ୍ଞାନରେ ମଧୁ ପ୍ରତି ତାହାର ଆକର୍ଷଣ ବହୁଗୁଣ ବର୍ଦ୍ଧିତ ହୋଇଉଠିଲା । ତହୁଁ ସେ ପଚାରିଲା, ଆଚ୍ଛା, ମଧୁ, ସେ ଦୁଷ୍ଟ ଗୁଇନ୍ଦାଟା ତୋତେ କିମିତି ନେଇ ଆସିଲା ? ମଧୁ କହିଲା–ମୋତେ ଟଙ୍କାଗଛ ଦେବ ବୋଲି କହି ଭୁଲାଇ ଘେନି ଆସିଲା । ଏହା ଶୁଣି ଭୀମ ଏବଂ ଅନ୍ୟାନ୍ୟ ପ୍ରହରୀ ହସି ଉଠିଲେ । ଭୀମ ମନେ ମନେ ଭାବିଲା,–ଆହା ଏ ବାଳକଟିର ବୟସ ବାଲ୍ୟସୀମା ଅତିକ୍ରମ କରିଥିଲେହେଁ ଅବଧି ଏହାର ଶିଶୁସୁଲଭ ସରଳ ବିଶ୍ୱାସ ଛାଡ଼ିଯାଇନାହିଁ । ବାସ୍ତବରେ ଏ ଗୋଟିଏ ଅନୁଗ୍ରହର ଉପଯୁକ୍ତ ପାତ୍ର । ମୁଁ ପ୍ରାଣପଣ ଯତ୍ନରେ ଏହାର କିଛି ଉପକାର କରିବି । ମନୁଷ୍ୟ ହୋଇ ଏତକ ଯଦି କରି ନ ପାରେ, ତେବେ ଆଉ ମୋର ମନୁଷ୍ୟତା କଅଣ ? ହେ ଦୟାମୟ ଭଗବାନ, ଏ କାର୍ଯ୍ୟରେ ତୁମ୍ଭେହିଁ ମୋର ଏକମାତ୍ର ସହାୟ । ପ୍ରଭୋ ! ହୃଦୟରେ ବଳ ଦିଅ, ଆଉ ଉଦ୍ୟମରେ ଫଳଦିଅ ।

 

ମଧୁ କଥାରେ କୌତୁହଳାକ୍ରାନ୍ତ ହୋଇ ଭୀମ ଅନ୍ୟ କୁଲିମାନଙ୍କୁ ପଚାରିଲା–‘‘ମଧୁକୁ ତ ଟଙ୍କାଗଛ ଦେବ ବୋଲି ବହଲେଇ ଆଣିଲା, ଆଉ ତୁମ୍ଭମାନଙ୍କୁ କି ଆଶା ଦେଖାଇ ଆଣିଲା ? ଜଣେ କହିଲା–‘‘ମୁଁ ବଡ଼ ଗରିବ ମୂଲ ମଜୁରି ଲାଗି ଅତି କଷ୍ଟରେ ଚଳେଁ । ଦୁଇ ଜଣ ଲୋକ ଆମ ଗାଁକୁ ଲୁଗା ବିକିବାକୁ ଆସି ମାସେ ଯାଏଁ ରହିଲେ । ସେମାନେ ପିଲାଙ୍କର ଟୋପି ଜାମା ଆଉ ବଟୁଆ କୁଥୁଳୀ ବିକୁଥିଲେ । ସେ ସବୁ ପିମ୍ପୋଳ ଦରଜିଙ୍କ ପିମ୍ପୋଳ କାମ ତମେ ଦେଖିଛଟି ପାଇକ ଭାଇ ? ଆଃ ସେମିତି ପାଇଟି ଦେଶ ଦୁନିଆରେ ଥିବନାହିଁ । କେତେ ହାତୀ, ଘୋଡ଼ା, ମଣିଷ ସେଥିରେ ସିଆଁ ହୋଇଚି ସତେ ଯେମିତି ସବୁ ଜୀଅନ୍ତା । ଧନ୍ୟ ସେ ଦରଜିର ବିନ୍ଧାଣିପଣ, କହିବ କଅଣ ଭାଇ ତମେ ଦେଖିଥିଲେ ନିଶ୍ଚେ ତାଟଙ୍ଗା ହୋଇ ଯାଇଥାଆନ୍ତ ।’’ ଭୀମ ବିରକ୍ତ ହୋଇ କଥା ନ ସରୁଣୁ କହିଲା–‘‘କିମ୍ଭୀର ନେଇ ମଝିନଈରେ କଲାଣି ତେବେ ବି ତୋର ବାଲିଙ୍ଗିର ବାକୀ ନାହିଁ । କବିତ୍ୱ ରଖି ଆଗେ କଥା କଣ କହିବୁ ତ କହ ।’’ ଏହି କେତୋଟି କଥାରେ ସେହି ବିପଦ ପାଶୋରା ବିଷମ ରସିଆର ରସଭଙ୍ଗ ହୋଇଗଲା । ତହୁଁ ସେ ମୁହଁଟାକୁ ପିତା ଖାଇଲାପରି ବିକୃତକରି ଅପ୍ରତିଭହୋଇ କହିଲା–‘‘ସେମାନେ ମୋତେ ଠିକାରେ ରଖି ଦିନକୁ ବାର ଅଣା ମଜୁରି ଦିଅନ୍ତି ମୁଁ ଲୁଗାମୋଟମୁଣ୍ଡାଇ ସେମାନଙ୍କ ସାଙ୍ଗରେ ଗାଁ ଗାଁ ବୁଲେ । ମାସକରେ ସବୁ ଲୁଗା ବିକା ସରିଗଲା ସେମାନେ ଆଉଥରେ ଲୁଗା ଆଣିବାକୁ ତାଙ୍କ ଗାଁକୁ ବାହାରିଲେ । ମତେ କହିଲେ ପାଣୁଆ ତୁ ଆମ ସାଙ୍ଗରେ ଚାଲ ପନ୍ଦର ଦିନ ପରେ ସମସ୍ତେ ଆସିବା । ଏହି ପନ୍ଦର ଦିନରେ ତୋତେ ଖାଇବା ବାହାରେ କୋଡ଼ିଏ ଟଙ୍କା ଦେବୁଁ । ଏହାଶୁଣି ମୋ ମନ ଭାରି ଖୁସି ହେଲା । ସେଇଠୁଁ ତାଙ୍କ ସଙ୍ଗରେ ଆସିଲି’’ ତାହା କଥା ଶେଷ ହେଲାରୁ ଆଉ ଜଣେ କହିଲା–‘‘ମୋର ମା ଛଡ଼ା ଆଉ କେହି ନାହାନ୍ତି, ଭାଇ ବିରାଦର ଯେ ଅଛନ୍ତି ସେମାନେ ଆମକୁ ପଚାରନ୍ତିନାହିଁ । ମୋର କୋଡ଼ିଏ ସାତବର୍ଷ ହେଲାଣି ଆଜି ଯାଏ ବିଭା ହୋଇ ନାହିଁ । ଆଜିକାଲି ତ ଆମ ଖଦାଳ ଜାତିରେ କନିଆ ସୁନା ଛକୋଡ଼ି ସାତକୋଡ଼ି–ଏତେ ଟଙ୍କା କଉଠୁ ପାଇମି ଯେ ବିଭାହେବି । ଜମି ବୋଲି ତିନିପା ଡିହଖଣ୍ଡେ ଅଛି ସେଥିରେ ଯେଉଁ ପନି ପରିବା ହୁଏ ତାହା ଭାତ ଲୁଗାକୁ ନିଅଣ୍ଟ । ମାଆଟି ବୁଢୀ ସେ କିଛି କାମଦାମ କରିପାରେ ନାହିଁ । ଦିନେ ମୁଁ ବିଲରେ ହଳ କରୁଥିଲି, ଦିଟା ମଣିଷ ମୁଣ୍ଡରେ ପଗଡ଼ି ଗୁଡ଼ାଇ କାନ୍ଧରେ ବାଡ଼ ପକାଇ କଉଠୁ ଆସି ହିଡ଼ ମୁଣ୍ଡରେ ଠିଆ ମୋତେ ଡାକିଲେ । ମୁଁ ହଳ ଛାଡ଼ି ତାଙ୍କ କତିକି ଆସିଲି । ଜଣେ ମୋତେ କହିଲା ତୁ ଭାରି ମେହେନ୍ତି, କଲିକତା ଗଲେ ମାସକୁ ଆଞ୍ଜୁଳା ଆଞ୍ଜୁଳା ରୋଜଗାର କରନ୍ତୁ । ଆଞ୍ଜୁଳା ଆଞ୍ଜୁଳା ଟଙ୍କା କଥାଶୁଣି ମୋ ମନ ବଡ଼ ଟାକୁଟାକୁ ହେଲା । ମୁଁ କହିଲି ମୁଁ ଗଲେ ମୋ ମା ବୁଢ଼ୀଟା ଖାଇବ କଅଣ ? ଦିନଦିଇଟାରେ ଉପାସରେ ମରିଯିବ । ସେଇଠୁ ଆର ଜଣକ କହିଲା–ତେବେ ଆଗତୁରା କିଛି ନେ ଆମ ସାଙ୍ଗରେ ଚାଲ, ଛମାସ ପରେ ତୋତେ ବାରକୋଡ଼ି ଟଙ୍କା ଦେଇ ତୋ ଘରେଆଣି ଛାଡ଼ି ଦେଇଯିବୁ । ଏହା କହି କୋଡ଼ିଏ ଟଙ୍କା ମୋ ହାତରେ ଗଣି ଦେଲେ । ମୁଁ ଆଉ କାମ କରିବି କଅଣ ହଳ ଫିଟେଇ ଦେଇ ସେମାନଙ୍କୁ ସାଙ୍ଗରେ ନେଇ ମା ପାଖକୁ ଧାଇଁଲି ସବୁ କଥା କହି ମା ହାତରେ ଟଙ୍କାତକ ଦେଲି, ମା ଗଣ୍ଡା ଗଣ୍ଡା କରି ଟଙ୍କା ଗଣିରଖି କହିଲା-ବାବା ଏତେଦିନେ ଠାକୁରେ ତତେ ଚାହିଁଲେ–ଛେଉଣ୍ଡ ଦେଖି ଦୟାକଲେ । ଆପଣା ଶିଙ୍ଗରେ ମାଟି ଖୋଳି ହାତ ଛନ୍ଦା ନହେଲେ ଭାଇ ଭଗାରି କଣ କରି ଦେବରେ ବାପ । ତୋ ବାପ ବଞ୍ଚିଥିଲେ କି ତୁ ଆଜି ଯାଏ ବାହାଚୁରା ହୋଇ ନ ଥାନ୍ତୁ । ମୋର ଏହି ପାଞ୍ଚଣ୍ଡା ଟଙ୍କା ଢେର ଛଟା ମାସତ କାଲି ପରି ଗଡ଼ିଯିବ ତୁ ତେବେ ଯା ବାର କୋଡ଼ି ଟଙ୍କା ଅଳ୍ପ ନୁହେଁ–ତୋ ଭାତ ଆନ ଖାଇବ । ଏହା କହି ମା ଦାଣ୍ଡକୁ ଆସି ସେମାନଙ୍କୁ ପଚାରିଲା । ସେମାନେ କହିଲେ–ଆମେ କଲିକତା କୁଲି ନେଇଯାଉ ଫେର ସେମାନଙ୍କୁ ଆଣି ଘରେ ଛାଡ଼ୁ । ଆମର ଏଇ ବେଉସା ଲୋ ମାଉସୀ । ତୁ କିଛି ଚିନ୍ତା କରନା ଛମାସ ପରେ ତୋ ପୁଅକୁ ବାରକୋଡ଼ି ଟଙ୍କା ଦେଇ ତୋ ପାଖରେ ଆଣି ଛାଡ଼ି ଦେଇ ଯିବୁ । ମା ଏହା ଶୁଣି ଭାରି ଖୁସି ହେଲା–ତୁଳସୀ ଚଉରା ମୂଳରୁ ଦୁଇଟା ପତ୍ର ଆଣି ସେ ଦୁହିଙ୍କ ପାଟିରେ ଗୁଞ୍ଜିଦେଇ କାନ୍ଦିପକାଇ କହିଲା–ତମେ ମୋର ଧରମପୁଅ, ଏ ବାପ ଛେଉଣ୍ଡଟିକି ଅଣହେଳା କରିବ ନାହିଁ । ଏହା କହି ମୋତେ ପଖାଳ କଂସେ ବାଢ଼ିଦେଲା ଆଉ ସେ ଦୁଇଜଣକୁ ଗୁଡ଼ିଆଘରୁ ଦିସେର ମୁଢ଼ି ଆଣିଦେଲା-। ଖାଇସାରି ଆମେ ତିନିଜଣ ବିଦା ହୋଇ ଆସିଲୁଁ ଏହା କହି ଲୋକଟା ଭୋ ଭୋ ହୋଇ କାନ୍ଦି ପକାଇଲା । ଚତୁର୍ଥ ବ୍ୟକ୍ତି କହିଲା–ମୋତେ ବି ତ ଏହିପରି କହିଥିଲା, ଯଦି ତାହାର ଦେଖା ପାଆନ୍ତି ତେବେ ଏହି ସମୁଦ୍ରକୁ ପେଲିଦେଇ ତାକୁ ବିଶାବଳୀ ଦିଅନ୍ତି । ଦଶଟା ବର୍ଷ ପାଣିପରି ବହିଯିବ, ତହିଁ ପରେ ତ ମୁଁ ଘରକୁ ଫେରିଯିବି, ହେଲେ ସେ ବିଶ୍ୱାସଘାତକ କଅଣ ଧର୍ମ ଦୁଆରରେ ଦଣ୍ଡ ପାଇବ ନାହିଁ । ଆଛା ପାଇକ ଭାଇ, ତମେ ତ ଖୁବ୍‌ ଓଡ଼ିଆ କଥା କହୁଚ, ତମେ କଅଣ ଓଡ଼ିଆ ?’’ ଭୀମ କହିଲା,–‘‘ମୋର ସାତପୁରୁଷ ଓଡ଼ିଶାରେ କଟିଗଲାଣି, ଓଡ଼ିଆ କଥା ନକହି ଆଉ କଅଣ କହିବି ? ଯାହା ହେଉ ତୋର ସାହସ, ଧୈର୍ଯ୍ୟ ଆଉ ବୀରତ୍ୱର କଥା ଶୁଣି, ମୋର ପ୍ରାଣ ପୁଲକରେ ପୂରିଉଠିଲା । ଓଡ଼ିଆ ଯେ ଗୋଟାଏ ବୀରଜାତି ଏହା ସତ । କର୍ପୂର ଯାଇ କନା ଅଛି, ତେବେ ବି ସେ ଜାତି ନିସ୍ତେଜ ନୁହେଁ ।’’ ଏହା ଶୁଣି ଲୋକଟା ଯଥେଷ୍ଟ ଆତ୍ମଶ୍ଳାଘା ଅନୁଭବ କରି ପୁନଶ୍ଚ ପଚାରିଲା,–‘‘ମାସରେ ଦୁଇକୋଡ଼ି ମୋତେ ମିଳିବତ ? ତାହାହେଲେ ଆଉ ପରତାଏ କଅଣ ? ଆଛା ଆମେ ସବୁ କଉଁଠିକି କାମ କରିବୁ ? ଭୀମ କହିଲା,–‘‘ତୁମ୍ଭେମାନେ କାଉଁରୀ-କାମଚଣ୍ଡୀ ମୁଲୁକରେ ଚା ବଗିଚାରେ କାମ କରିବ । ଚା କଅଣ ଜାଣୁନା ? ସାହେବମାନେ, ତାଙ୍କ ଦେଖାଦେଖି ବଡ଼ଲୋକମାନେ, ଯେଉଁ ପତ୍ର ସିଝାଇ ପାଣି ପିଅନ୍ତି, ସେହି ପତ୍ରକୁ ଚା କହନ୍ତି । ତୁମ୍ଭେମାନେ ସେହି ଚା କ୍ଷେତ୍ର ହଳକରି ମଞ୍ଜିବୁଣିବ, ଗଛ ହେଲେ ବେଉଷଣ କରି ଗଛକୁ ବଢ଼ାଇବ,–ପତ୍ର ତୋଳି ଶୁଖାଇ ବାକ୍‌ସ ବନ୍ଦୀ କରିବ । କାମ ବଡ଼ ଶକ୍ତ, ତେବେ ଆମ ସାହେବ, ଆଉ ଚା ବଗିଚାର ମାଲିକ ପରି, କୁଲିମାନଙ୍କୁ ଦିନସାରା ଖଟାନ୍ତି ନାହିଁ । ସକାଳ ଓଳି ତିନି ଘଣ୍ଟା ଆଉ ଉପର ଓଳି ଦୁଇଘଣ୍ଟା ଏହିପରି ଦିନରେ ପାଞ୍ଚଘଣ୍ଟା କାମ ନିଅନ୍ତି । ତାହା ଉପରେ ରବିବାର ଦିନ କମେଇଁ । ସେଦିନ କେହି କାମ କରନ୍ତି ନାହିଁ, ସେଥିରେ ବର୍ତ୍ତନ କଟିଯାଏ ନାହିଁ। ଆମ ‘‘ରେ ସାହେବ’’ ଖୁବ୍‌ଭଲ ଲୋକ । କେହି ବେମାର ହେଲେ ତାକୁ କାମ କରାଇଦିଅନ୍ତି ନାହିଁ,–ଡାକ୍ତର ଲଗାଇ ଚିକିତ୍ସା କରାନ୍ତି । ତାଙ୍କ ବଗିଚାରେ କୁଲିମାନେ ଆଛା ସୁଖରେ ଥାଆନ୍ତି,–ବର୍ତ୍ତନ ବି ବେଶି ପାଆନ୍ତି । ସେଠି ଗାଳିମନ୍ଦ କି ମାଡ଼ କହୁଣୀ କିଛି ନାହିଁ । କୁଲିମାନେ କହନ୍ତି,–ରେ ସାହେବଙ୍କ ବଗିଚାରେ ଆମକୁ ମାମୁଁ ଘରେ ରହିଲାପରି ଲାଗେ । ମୁଁ କୁଲିମାନଙ୍କର କାମ ଦେଖେଁ-। ତୁମ୍ଭମାନଙ୍କୁ ଖୁବ୍‌ଭଲରେ ରଖିବି, ତୁମ୍ଭମାନଙ୍କର କିଛି କଷ୍ଟ ହେବନାହିଁ ।’’ ଏହିପରି କଥାବାର୍ତ୍ତାରେ ଦୁଇଦିନ କଟିଗଲା । ତୃତୀୟ ଦିନ ଜାହାଜ ବ୍ରହ୍ମପୁତ୍ର-ମୁହାଣରେ ପହୁଞ୍ଚିଲା । ସେଠାରୁ ସମସ୍ତେ ନୌକାରେ ଯାଇ ଆସାମରେ ପହୁଞ୍ଚିଲେ । ପ୍ରହରିମାନେ କୁଲିଙ୍କୁ ଘେନି ଚା ବଗିଚାକୁ ଗଲେ । ଭୀମ ସମସ୍ତଙ୍କୁ ଗୋଟାଏ ଗୋଟାଏ ବସାଘର ଦେଇ, ମଧୁକୁ ନିଜ ବସାରେ ରଖିଲା । ନବାଗତ କୁଲିମାନେ ଅଗ୍ରୀମ ଦଶଟଙ୍କା ଲେଖାଏଁ ପାଇ ତହିଁ ପରଦିନଠାରୁ କାର୍ଯ୍ୟରେ ନିଯୁକ୍ତ ହେଲେ ।

 

ପାଠକମାନଙ୍କ ଶ୍ରୁତିତିକ୍ତହେବା ଆଶଙ୍କାରେ କେବଳ ଚାରିଜଣ ପ୍ରତାରିତଙ୍କର ଆତ୍ମ କାହାଣୀ ଲିଖିତ ହେଲା । ଭାତ ହାଣ୍ଡିରୁ ଗୋଟାଏ ଚିପିଲେ ଯଥେଷ୍ଟ । ଦୁଷ୍ଟ ଆଡ଼କାଟିମାନେ କିପରି ଅଭେଦ୍ୟ ଲୌହକୌଶଳ ଜାଲ ବିସ୍ତାର କରି ଶିକାର ଧରନ୍ତି, ତାହା ଏତିକିରୁ ସହଜରେ ଅନୁମେୟ ।

•••

 

ସପ୍ତଦଶ ପରିଚ୍ଛେଦ

 

ଚା ବଗିଚାର ମାଲିକ ‘ରେ’ ସାହେବ ଆମେରିକା ବାସୀ । ତାଙ୍କର ପିତା ଜଣେ ପ୍ରସିଦ୍ଧ ଧର୍ମଯାଜକ ଏବଂ ବିପୁଳ ବିଭବଶାଳୀ । ସେ ପିତାଙ୍କର ଏକମାତ୍ର ପୁତ୍ର । ଅକଳିତ ଐଶ୍ୱର୍ଯ୍ୟ-ବିଳାସ କ୍ରୋଡ଼ରେ ବଢ଼ି ସୁଦ୍ଧା ରେ ସାହେବ ନିଜକୁ ସାନ ମଣୁଥିଲେ । ଯେ ଔଦ୍ଧତ୍ୟ ଏବଂ ଗର୍ବ ପ୍ରଣୋଦିତ ହୋଇ ଧନ ବିଦ୍ୟା ବା ଆଭିଜାତ୍ୟ ମଦ ଭୋଳରେ ଆପଣାକୁ ବଡ଼ ଜ୍ଞାନକରେ, ସେ କଦାଚ ବଡ଼ ନୁହେଁ,–ଯେ ଆପଣାକୁ ସର୍ବଦା ସାନ ଜ୍ଞାନ କରେ ସେହି ଏକା ବାସ୍ତବରେ ବଡ଼ ପଦର ଅପ୍ରତିଦ୍ୱନ୍ଦୀ ଅଧିକାରୀ ଏହା ନିଃସନ୍ଦେହ । ‘‘ତୃଣାଦପି ସୁନୀଚେନ’’ ଏହି ନୀତିବଚନ ତାଙ୍କରିଠାରେ ସାର୍ଥକ ହୋଇଥିଲା । ସେ ବିଶ୍ୱଯମାଳାୟରୂପ ବିଶ୍ୱବିଦ୍ୟାଳୟରୁ ବାହାରି, ବିଜ୍ଞାନ ଚର୍ଚ୍ଚାରେ ଅଖଣ୍ଡ ମନୋନିବେଶ କରିଥିଲେ । ସ୍ତ୍ଥୁଳତଃ ବିଜ୍ଞାନଚର୍ଚ୍ଚା ତାଙ୍କ ଜୀବନର ଏକମାତ୍ର ବ୍ରତ ଏବଂ ମୁଖ୍ୟ ଲକ୍ଷ୍ୟ ଥିଲା । ସେ ଐକାନ୍ତିକ ସାଧନା ବଳରେ ବିଜ୍ଞାନଶାସ୍ତ୍ରର ଅନେକ ଦୂରୁହ ଦୁର୍ଜ୍ଞେୟ ସୂତ୍ରର ସରଳତା ସମ୍ପାଦନାରେ କ୍ଷମ ହୋଇଥିଲେ । ଏ ହେତୁ ସମସାମୟିକ ପାଶ୍ଚାତ୍ୟ ବୈଜ୍ଞାନିକ ମଣ୍ଡଳୀରେ ତାଙ୍କର ପ୍ରତିଭାର ଆସାନ ଗୌରବାନ୍ୱିତ ଥିଲା । ଜ୍ଞାନ ଭକ୍ତିର ହାତଧରିଲା ପ୍ରାୟ ରେ ସାହେବ ସୁଇଜରର୍ଲାଣ୍ଡର ମନ୍ତ୍ରୀ କନ୍ୟା ‘ହେଲେନା’ଙ୍କର ପାଣିଗ୍ରହଣ କରିଥିଲେ । ହେଲେନା ଅସାଧାରଣ ରୂପବତୀ, ଗୁଣବତୀ ଏବଂ ବିଦୂଷୀ । ବିଜ୍ଞାନଶାସ୍ତ୍ରାଲୋଚନାରେ ସେ ସ୍ୱାମୀଙ୍କର ଉତ୍ତର ସାଧିକାର ଆସନ ଗ୍ରହଣ କଲେ । ନବାଲୋକପ୍ରାପ୍ତ ପାଶ୍ଚାତ୍ୟ ରମଣୀକୁଳ ସ୍ୱାମୀଙ୍କୁ ପ୍ରାୟତଃ ସମସ୍କନ୍ଧ ମଣନ୍ତି । କିନ୍ତୁ ହେଲେନା ଭାରତୀୟ ହିନ୍ଦୁନାରୀ ପ୍ରାୟ ସ୍ୱାମୀଙ୍କୁ ଦେବତା ଜ୍ଞାନରେ ପୂଜା କରନ୍ତି । ତାଙ୍କର ଏହି ସାଧାରଣ ଲଳନା-ଅସୁଲଭ ଆଚରଣ ଦେଖି କେହି କେହି ପଚାରନ୍ତି, ‘‘ହେଲେନା, ସମସ୍ତଙ୍କର ଏକପଥ; ମାତ୍ର ତୁମ୍ଭର ଅନ୍ୟ ପଥ କାହିଁକି ?’’ ହେଲେନା ସଂକ୍ଷେପରେ ଏତିକି ଉତ୍ତର ଦିଅନ୍ତି ଯେ–‘‘ଅନ୍ୟ କେହି ମନ୍ଦ ହେଲା ବୋଲି ମୁଁ କାହିଁକି ଉତ୍ତମ ନ ହେବି ?’’ ଏହା ଉପରେ ଆଉ କଥା କହିବାର ବାଟ ନ ଥାଏ । ଏକା ପାଶ୍ଚାତ୍ୟ ପ୍ରଦେଶ କାହିଁକି, ବର୍ତ୍ତମାନ ଏ ଦେଶର ଶିକ୍ଷାବାୟୁଗ୍ରସ୍ତା ରମଣୀ ସ୍ୱାମୀ ଉପରେ ଆଧିପତ୍ୟ ସ୍ଥାପନକୁ ପ୍ରଶସ୍ତି ମନେ କରନ୍ତି । ବଡ଼ବଡ଼ଙ୍କର କାର୍ଯ୍ୟ ସାନସାନଙ୍କର ଅନୁକରଣୀୟ ହୁଏ; ସୁତରାଂ ଅଶିକ୍ଷିତା ନାରୀମାନେ ସୁଦ୍ଧା ଏଣିକି ସେହି ‘‘ହନୁକରଣ’’ରେ ଅନୁପ୍ରାଣିତ ହେଲେଣି । ସ୍ୱାମୀକୁ ଅକଥ୍ୟ ଭାଷାରେ ଗାଳି ଦେବାକୁ ଅନେକେ ମହାପୂଣ୍ୟକାର୍ଯ୍ୟ ଜ୍ଞାନ କରନ୍ତି । ଏହା କେଉଁ ଦୁଷ୍ଟା ସରସ୍ୱତୀଙ୍କର ଆଦେଶ, ତାହା କିଏ କହିପାରିବ ? ବାସ୍ତବରେ ଏ ଦେବଦେଶରେ ଏହିସବୁ ଅନାଚାର ଦେଖି ଶୁଣି, ଦାରୁଣକ୍ଷୋଭରେ ଗୃହତ୍ୟାଗୀ ହୋଇ ବାନପ୍ରସ୍ଥ ଅବଲମ୍ୱନ କରିବାକୁ ଇଚ୍ଛା ହୁଏ । ଅନ୍ୟଥା ଏ କ୍ଷୋଭରୋଗର ଆରୋଗ୍ୟପ୍ରଦ ପେଟେଣ୍ଟ ଔଷଧ ଆଉ କିଛି ନାହିଁ । ଚିକିତ୍ସକ ପାଠକମାନେ କିଛି ଆବିଷ୍କାର କରିପାରିବେ କି ? କିନ୍ତୁ ପାଚନୌଷଧି ନୁହେଁ–ତାହା ଘୃଣ୍ୟ ବର୍ବରତା ଏବଂ ଅମନୁଷ୍ୟତାର ଚୂଡ଼ାନ୍ତ ନିଦର୍ଶନ । ଅଧିକନ୍ତୁ ଆଇନବିରୁଦ୍ଧ । ଗୃହିଣୀ ନାମଧାରିଣୀ ଜୀବବିଶେଷ ବା ଦେବୀବିଶେଷ ଏହା ଶୁଣିଲେ, ଋଷି ବସି ମୁଣ୍ଡରା ଅଭିଶାପର ଅନଳରାଶି ଅଜାଡ଼ି ଦେବେ । ଅତଃ ଅନୁରୋଧ ଯେ, ପାଠକ ମହାଶୟଗଣ ଏ ଅଂଶଟା ମନେ ମନେ ପଡ଼ିବେ ଏବଂ ନିରାଶ ହେବେ ନାହିଁ । ଏହା କୁଗୃହଣୀର କଥା, ଧାର୍ମିକା ସୁଗୃହିଣୀବୃନ୍ଦ ଏଥିର ବ୍ୟତିରେକ ଉଦାହରଣର ସ୍ଥଳ; ମାତ୍ର ସେମାନଙ୍କର ସଂଖ୍ୟା କୋଟିକରେ ଗୋଟିଏ । ସଂଖ୍ୟାରେ ଊଣା ହେଲେ ସୁଦ୍ଧା ସେମାନଙ୍କ ଯୋଗୁଁ ଭାରତର ଲଲାଟ ଅଦ୍ୟାପି ଗୌରବଚନ୍ଦନାୟିତ । ଭାରତର ଅତୀତ ଆଦର୍ଶରମଣୀ ମହିଁମା ଦିନେ ଅବଶ୍ୟ ଭାରତକୁ ଫେରି ଆସିବ, ଏ ଧାରଣା ଅମୂଳକ ନୁହେଁ । ବାର ଫେରି ଆସୁଅଛି,–ତିଥି ଫେରି ଆସୁଅଛି,–ସୂର୍ଯ୍ୟ ଚନ୍ଦ୍ର ପଶ୍ଚିମକୁ ଗତି କରି, ପୁଣି ପୂର୍ବକୁ ଫେରି ଆସୁଅଛନ୍ତି–ସାଗର-ସଲିଳ ଆକାଶକୁ ଉଠିଯାଇ ପୁନଶ୍ଚ ଯଥାସ୍ଥାନକୁ ଫେରିଆସୁଅଛି, କେବଳ ଭାରତ ଲଳନାଙ୍କର ଅତୀତ ଗୌରବ ଫେରିବ ନାହିଁ,–ହଁ ନିଶ୍ଚୟ ଫଷରିବ ଏହା ସତ୍ୟ, ଧ୍ରୁବ ଏବଂ ନିଃସନ୍ଦେହ ।

 

ନବଦମ୍ପତିର ପ୍ରୀତି ଉତ୍ତରୋତ୍ତର ବୁଦ୍ଧିଲାଭ କଲା, ତାହାକୁ ଚନ୍ଦ୍ରକଳା ବୃଦ୍ଧି ସହିତ ତୁଳନା କଲେ ଅତି ଅସଙ୍ଗତ ହେବ । ଯେହେତୁ ଚନ୍ଦ୍ରକଳାର ହ୍ରାସବୃଦ୍ଧି ଉଭୟ ଅଛି; ମାତ୍ର ଏ ଦାମ୍ପତ୍ୟପ୍ରୀତିର ବୃଦ୍ଧି ଛଡ଼ା ହ୍ରାସ ନାହିଁ । ବାଚାଳର ବାକ୍ୟ ସ୍ରୋତ ପ୍ରାୟ ସେ ବୃଦ୍ଧିର ପରିସମାପ୍ତି ନାହିଁ । ସେ ପ୍ରୀତି କାମଜ ନୁହେଁ,–ହୃଦୟର ଅକ୍ଷୟ ମହାମିଳନ, ସେହି ଦେବବାଞ୍ଛିତ ପୂଣ୍ୟ ପ୍ରୀତିର ଉତ୍ପତ୍ତି ସ୍ଥାନ । ସେ ମିଳନ, ଲୌହଚୁମ୍ବକର ନିକୃଷ୍ଟ ମିଳନ ନୁହେଁ, ତାହା ହିରଣ୍ୟହୀରକର ଉତ୍କୃଷ୍ଟତର ଉଜ୍ଜ୍ୱଳ ମିଳନ । ଉଭୟର ପ୍ରେମ ଏତେଦୂର ପ୍ରଗାଢ଼ ହୋଇଥିଲା ଯେ, ସେହି ପ୍ରେମ-ନିଶାଭୋଳରେ ରେ ସାହେବ ନିଜକୁ ହେଲେନା ଏବଂ ହେଲେନା ନିଜକୁ ରେ ସାହେବ ବୋଲି ମଣୁଥିଲେ । ଜଳରେ ଜଳ ମିଶିଲା ପ୍ରାୟ, ଉଭୟର ହୃଦୟ ମିଶି ଏକ ହୋଇଯାଇଥିଲା ସେହି ଏକୀଭୂତ ଦାମ୍ପତ୍ୟ ହୃଦୟରେ ଛୁଞ୍ଚିମୁନ ଭୁକିବାକୁ ସୁଦ୍ଧା ଟିକିଏ ଫାଙ୍କ ନ ଥିଲା । ଏହିପରି ପ୍ରୀତିପ୍ରତିମା ଭାର୍ଯ୍ୟା ଏବଂ ପ୍ରେମିକ ସ୍ୱାମୀ ଯେଉଁ ନରନାରୀଙ୍କ ଭାଗ୍ୟରେ ଘଟେ, ସେମାନେ ଧନ୍ୟ-। ସେମାନେ ଧରାରେ ଥାଇ ସ୍ୱର୍ଗର ବିମଳମଧୁର ସୁଖାମୃତ ଉପଭୋଗ କରନ୍ତି ଏବଂ କଠୋର ଜୀବନ-ସଂଗ୍ରାମରେ ସେହିମାନେହିଁ ବିଜୟମାଲ୍ୟରେ ବିଭୂଷିତ ହୁଅନ୍ତି । ସେମାନଙ୍କର ଜୀବନ ପ୍ରକୃତ ଆନନ୍ଦମୟ ଜୀବନ, ସେ ଜୀବନକୁ ଦୁଃଖ ବା ବିଷାଦ କେତେବେଳେ ମିଳନ କରିପାରେ ନାହିଁ, ସେ ଜୀବନ ଦେବଜୀବନ ଏବଂ ପୁଷ୍ପପରି ପବିତ୍ର ଏବଂ ସୁରଭିତ । ଯେଉଁଦିନ ଏହିପରି ସ୍ତ୍ରୀ ପୁରୁଷ ଘରେ ଘରେ ଦେଖିବାକୁ ମିଳିବ, ସେହିଦିନ ଏ ମାଟିର ପୃଥିବୀ ସୁନା ହେବ ଏବଂ ମାଟିର ମନୁଷ୍ୟ ଦେବତ୍ୱର ଅଳଙ୍କାର ହୋଇ ବସିବ । ସେହି ସୌଭାଗ୍ୟର ସ୍ୱର୍ଣ୍ଣମୟ ଶୁଭଦିବସ ଅଦୂରରେ କି ସୁଦୂରରେ ଅବସ୍ଥିତ, ତାହା ଭବିତବ୍ୟତାକୁ ଗୋଚର ।

 

ସୁଖ ବା ଆନନ୍ଦ କାହାରି ଭାଗ୍ୟରେ ଚିର ସ୍ଥିରହୋଇ ରହେନାହିଁ । ପୂର୍ଣ୍ଣିମା ପରେ ଅମାବାସ୍ୟା ଆସେ,–ଦିନ ପରେ ରାତି ହୁଏ, ବସନ୍ତ ପରେ ନିଦାଘ ଆସି ଜଗତକୁ ଜୀବନ୍ମୃତ କରିଦିଏ, ଏହା ବିଧାତାର ଅନିବାର୍ଯ୍ୟ ଶାଶ୍ୱତ ନିୟମ । ଏ ସଂସାରରେ ବିଶୁଦ୍ଧ ସୁଖ ନାହିଁ, ସର୍ବତ୍ର ସୁଖ ଦୁଃଖ ମିଶାମିଶି ହୋଇ ରହିଅଛି । ସୁଖ ଦୁଃଖ ମଧ୍ୟରୁ ଗୋଟିଏ ସ୍ଥାୟୀ ହୋଇ ରହିଲେ ସୃଷ୍ଟି ନିର୍ଲହର ହୋଇରହିବ । ସୃଷ୍ଟି-ସିନ୍ଧୁକୁ ଏରୂପ ନିସ୍ତରଙ୍ଗ କରିରଖିବା ଭାବପ୍ରବଣ ବିଧାତାର ଅଭିପ୍ରାୟ ନୁହେଁ; ସୁତରାଂ ସୁଖ ସଙ୍ଗରେ ଦୁଃଖ ଅନୁସ୍ୟୂତ ହୋଇ ରହିଅଛି । କିଛିକାଳ ପରେ ପତିପ୍ରାଣା ହେଲେନା ପିତା, ମାତା, ସ୍ୱାମୀ ଏବଂ ସ୍ୱଜନମାନଙ୍କୁ ଅକୂଳ ଶୋକ ସାଗରରେ ଭସାଇ ଅନନ୍ତ ଅନାମୟ ଅମରଧାମକୁ ପ୍ରୟାଣ କଲେ । ଏହି ଆକସ୍ମିତ ଦୁର୍ଘଟନାର ଅସହ୍ୟ ଭାରରେ ସାହେବଙ୍କର ସୁଖର ମନୋରମହର୍ମ୍ୟ ଭାଙ୍ଗି ବିଧ୍ୱଂସ୍ତ ହୋଇଗଲା, ଶୋକର ହିମାଳୟପର୍ବତ ହୃଦୟ ଉପରେ ଚାପି ରହିଲା, ପ୍ରଣୟର ସ୍ୱର୍ଣ୍ଣଡ଼ୋର ମୁହୂର୍ତ୍ତକୁ ମଧ୍ୟରେ ଛିନ୍ନଭିନ୍ନ ହୋଇଗଲା । ହାୟ ଦୁର୍ଦ୍ଦୈବର ଦୁର୍ବିପାକ କଅଣ କରି ନ ପାରେ ! ଶରୀରର ଶିରା ଉପଶିରାମାନ ଛିଡ଼ି କେଉଁଆଡ଼େ ଉଡ଼ିଗଲାପ୍ରାୟ ଜଣାଗଲା । ଯେମନ୍ତ କି ଆକାଶ ମୁଣ୍ଡ ଉପରେ ଭାଙ୍ଗିପଡ଼ିଲା, ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ଉପଗ୍ରହମାନେ ତଳେ ଖସିପଡ଼ି ଶତଚୂର୍ଣ୍ଣ ହୋଇଗଲେ । ସବୁ ଶୋକ ସହିହୁଏ, ମାତ୍ର ଗୁଣବତୀ ଭାର୍ଯ୍ୟାର ବିଚ୍ଛେଦଶୋକ ସହିହୁଏ ନାହିଁ । ଖାଇବା ସମୟରେ ବିଷମ ଅରୁଚିରୋଗ ଏବଂ ଶୋଇବାସମୟରେ ଶଯ୍ୟା-କଣ୍ଟକୀରୋଗ ଆକ୍ରମଣ କଲା । ଆଶା କେଉଁ ଅନୁଦ୍ଦେଶ୍ୟ ସୁଦୂର ରାଜ୍ୟକୁ ପଳାୟନ କରି, ମୁହଁ ଲୁଚାଦେଇ ରହିଲା । ଆଜୀବନ ସାଧନା ବିଜ୍ଞାନଚର୍ଚ୍ଚା ବିଷବତ୍‌ ବୋଧହେଲା । ସବୁବେଳେ ଉଦାସୀନ ଭାବ, ପୁସ୍ତକ ଖୋଲି ପଢ଼ିବାକୁ ବସିଲେ ପୁସ୍ତକର ପ୍ରତି ପୃଷ୍ଠାରେ ହେଲେନାର ମୂର୍ତ୍ତି ଅଙ୍କିତ ହୋଇଗଲା ଏବଂ ପୁସ୍ତକ ଲୋତକରେ ପରିପ୍ଳାବିତ ହୋଇଗଲା । ଯଦି କଦାଚିତ୍‌ ଦୃଷ୍ଟି ପୁସ୍ତକରେ ସଂଲଗ୍ନ-ରହିଲା, ତେବେ ମନ ଭିନ୍ନ ରାଜ୍ୟରେ ବିଚରଣ କଲା । ସହସ୍ର ସାଧ୍ୟସାଧନାରେ ସୁଦ୍ଧା ଏକାଗ୍ରତା ଆସିଲାନାହିଁ,–କଅଣ ପଢ଼ିଲେ ତାହା ମନରେ ରହିଲାନାହିଁ, ସବୁ ସ୍ୱପ୍ନପରି ବୋଧହେଲା । ନିର୍ଜନବାସ ଏବଂ ନିର୍ଜନ ଚିନ୍ତା କିଛି ଭଲ ଲାଗିଲା ନାହିଁ,–ସର୍ବଦା ଅପରିଚିତ ନୂତନ ସୃଷ୍ଟିର ଯନ୍ତ୍ରଣାମୟ ରାଜ୍ୟରେ ବାସ କଲାପ୍ରାୟ ଜଣାଗଲା । ଝୁରି ଝୁରି ଶରୀର କୁଟାପରି ଶୀର୍ଣ୍ଣ ହୋଇଗଲା–ବାତରୋଗୀପରି ସର୍ବାଙ୍ଗ ଅସାଢ ହୋଇଗଲା । ତାଙ୍କ ନେତ୍ରରେ ଚୌଦିଗ ହେଲେନାମୟ, ଆକାଶରେ ଗଛପତ୍ରରେ ସେହି ସୌମ୍ୟସୁନ୍ଦର ପବିତ୍ର ମୂର୍ତ୍ତି ସତେ ଯେପରି ଅମର ବର୍ଣ୍ଣରେ ଅଙ୍କିତ ହୋଇ ରହିଅଛି । ସେହି ମୁଖ, ସେହି ନାକ, ସେହି କାନ, ସେହି ତରଙ୍ଗ-ଚଞ୍ଚଳ ଶୀତଳ ଚାହାଣୀ, ଅଧର ପ୍ରାନ୍ତରେ ସେହି ବିଦ୍ୟୁତ୍‌-ବିକାଶ ତୁଲ୍ୟ ହାସ୍ୟ ରେଖା ସବୁ ଅଛି; ମାତ୍ର ଚିତ୍ର-ପ୍ରତିମାପରି ବାକ୍ୟସ୍ଫୁର୍ତ୍ତି ନାହିଁ । ବନ୍ଧୁବାନ୍ଧବମାନେ ଅନେକ ବୁଝାଇ କହିଲେ, ‘‘ମିଷ୍ଟର ରେ, ହେଲେନା ତୁମ୍ଭର କିଛି ଆବାଲ୍ୟ-ସଙ୍ଗିନୀ ନଥିଲେ,–କେତେକାଳ ପରେ ତୁମ୍ଭ ସଙ୍ଗରେ ଆସି ମିଳିଥିଲେ; ମାତ୍ର ତୁମ୍ଭେ ଉଭୟେ ମୃତ୍ୟୁମହାତୀର୍ଥର ଯାତ୍ରୀ, ଏହି ପାନ୍ଥଶାଳାରେ ତୁମ୍ଭମାନଙ୍କର କ୍ଷଣିକ ମିଳନ ଘଟିଥିଲା । ହେଲେନା ଶୀଘ୍ର କାର୍ଯ୍ୟ ଶେଷକରି ଚାଲିଗଲେ,–ତୁମ୍ଭର କାର୍ଯ୍ୟ ସରିନାହିଁ, ସୁତରାଂ ତୁମ୍ଭେ ଯାଇପାରିଲ ନାହିଁ, ସେଥିପାଇଁ ଦୁଃଖ କରିବା ଉଚିତ ନୁହେଁ । ତୁମ୍ଭେ ପୁନଶ୍ଚ ବିବାହ କର, ଯାହାର ଘର ଭାଙ୍ଗିଯାଏ, ସେ କି ନୂତନ ଘର ତୟାରକରି ରହେ ନାହିଁ ?’’ ରେ ସାହେବ କହିଲେ, ‘‘ବନ୍ଧୁ, ଯାହାର ଘର ଭାଙ୍ଗିଯାଏ, ସେ ନୂତନ ଘର ନିର୍ମାଣ କରି ରହେ ସତ୍ୟ; ମାତ୍ର ନୂତନ ଘର ଅବିକଳ ପୁରାତନ ଘରପରି କଦାଚ ହୋଇପାରେ ନାହିଁ । ସେ ଯାହାହେଉ, ମୁଁ ହେଲେନାକୁ ମୋତେ ପ୍ରଦାନ କରିଅଛି, ତାହାଠାରୁ ଫେରାଇ ଆଣି ଅନ୍ୟକୁ ଦେଇ ଦତ୍ତାପହରଣ ପାପରେ ଲିପ୍ତ ହୋଇ ପାରିବିନାହିଁ । ହେଲେନା ସନ୍ତାନସନ୍ତତି ଗୋଟିଏ ରଖିଯାଇଥିଲେ, ମୁଁ ତାହାରିଠାରେ ହେଲେନାର ମୂର୍ତ୍ତି ଦେଖି ଆଶ୍ୱସ୍ତ ହୁଅନ୍ତି; ମାତ୍ର ଏ ଦଗ୍‌ଧ ଭାଗ୍ୟରେ ତାହା ସୁଦ୍ଧା ଘଟିନାହିଁ । ସେ ତାହାର ମୂର୍ତ୍ତି ଘେନିଯାଇ ମୋତେ କେବଳ ସ୍ମୃତି ଦେଇଯାଇଅଛି, ମୁଁ ସେହି ସ୍ମୃତିକୁ ଜୀବନ ସଙ୍ଖାଳି କରି କିପରି ରହିପାରିବି ? ବିଶେଷତଃ ଏ ଘରର ପ୍ରତି ପଦାର୍ଥରେ ତାହାର କର୍ମନିପୁଣ ହସ୍ତ ବିଦ୍ୟମାନ । ତାହା ଦେଖି ମୁଁ କିପରି ବା ଧୈର୍ଯ୍ୟ ଧରିପାରିବି, ସେଥିରେ ମୋର ହୃଦୟର କ୍ଷତ ଶୁଷ୍କ ହେବା ଦୂରେ ଥାଉ, ପ୍ରତ୍ୟୁତ ତାହା ଅଧିକତର ଗଭୀର ହୋଇ ବିସର୍ପିତ ହେବ ସିନା । ଅତଏବ ମୁଁ ଭାବି ଚିନ୍ତି ସ୍ଥିର ସିଦ୍ଧାନ୍ତ କରିଅଛି ଯେ କିଛିକାଳ ଦେଶ ଭ୍ରମଣ କରି, ଏ ନିଦାରୁଣ ଶୋକର ଅମର ବ୍ୟଥା ଅପନୋଦନର ଚେଷ୍ଟା କରିବି, ଏହା ବ୍ୟତୀତ ଉପାୟାନ୍ତର ନାହିଁ ।’’ ବନ୍ଧୁମାନେ ଦେଖିଲେ ତାଙ୍କୁ ଏ ଅଟଳ ସଙ୍କଳ୍ପରୁ ତିଳେ ମାତ୍ର ବିଚ୍ୟୁତ କରିବା ସାଧ୍ୟୟତ୍ତ ନୁହେଁ, ପ୍ରାତୋଦିତ ସୂର୍ଯ୍ୟର ଗତି କିଏ ବା ଫେରାଇ ପାରିବ ? ବୃନ୍ତଚ୍ୟୁତ ଫଳ କୋଟି ଚେଷ୍ଟାରେ ଆଉ ବୃନ୍ତରେ ଲାଗିପାରିବ ନାହିଁ, କୃତ୍ରିମ ଉପାୟରେ ଲଗାଇଲେ ଦିନେଦୁଇଦିନରେ ପୁଣି ଝଡ଼ିପଡ଼ିବ । ତହୁଁ ସେମାନେ ଅଗତ୍ୟା ନିବୃତ୍ତ ହୋଇ ବନ୍ଧୁଙ୍କ ସଂଙ୍କଳ୍ପକୁ ସମର୍ଥନ ପୂର୍ବକ କହିଲେ, ଦେଶ ଭ୍ରମଣ କରିବାକୁ ଗଲେ ସକଳ ଦେଶର ମହୁଡ଼ମଣି ଭାରତବର୍ଷକୁ ଯିବା ଉଚିତ । ଇନ୍ଦ୍ରଜାଲିକା ପ୍ରକୃତି ବ୍ୟତୀତ ଅନ୍ୟ କେହି ମନ ପରିବର୍ତ୍ତନରେ କ୍ଷମ ନୁହେଁ । ପ୍ରାକୃତିକ ଦୃଶ୍ୟରେ ଭାରତଭୂମି ଅତୁଳ ବିଭବଶାଳିନୀ । ସେଠାରେ ସକଳ ପ୍ରକାର ମୃତ୍ତିକା, ସକଳ ପ୍ରକାର ଧାତୁ । ପାଷାଣ, ବୃକ୍ଷଲତା, ପଶୁପକ୍ଷୀ, ଋତୁପର୍ଯ୍ୟାୟ ଏବଂ ବନଗିରି ଏକଧାରରେ ବିଦ୍ୟମାନ । ଭାରତ ପ୍ରକୃତିଦେବୀଙ୍କର ପ୍ରିୟ ଗନ୍ତାଘର । ଜଗତର ଅଲଭ୍ୟ ଦୃଶ୍ୟ ସୁଦ୍ଧା ଭାରତରେ ସୁଲଭ । ଭାରତର ମହାଦୃଶ୍ୟ ଏକା ଭାରତର ଉପଯୁକ୍ତ । ଭାରତ ପୃଥିବୀର ସ୍ୱର୍ଗ ଏବଂ ସଂକ୍ଷିପ୍ତସାର । ତାହାର ବିରାଟ ହିମାଳୟର କାଞ୍ଚନକାନ୍ତ କାଞ୍ଚନଜଙ୍ଘା-ଚୂଡ଼ା କୋଟିସ୍ୱର୍ଗଠାରୁ ବଳେ । ସେଠାରେ ମନଭୁଲା ଶୋକପାଶୋରା ଶୋଭାର କୁଳଙ୍କଷା ବନ୍ୟା ପ୍ରବାହିତ ହୁଏ, ମନୁଷ୍ୟ ବା କେଉଁ ଛାର, ସେ ମହାଶୋଭା ଦେବନେତ୍ରକୁ ଅପଲକ କରିରଖିଅଛି । ଶୋଭାଦେବୀ ଭାରତରେ ଜୀବନ୍ତ ମୂର୍ତ୍ତିମତୀ ଏବଂ ବହୁରୂପିଣୀ ।

 

ଅନ୍ତରର ପିତାମାତାଙ୍କର ଅନୁଜ୍ଞା ଘେନି ରେ ସାହେବ ଭୃତ୍ୟ ଏବଂ ପାଚକସହ ପୋତାରୋହଣପୂର୍ବକ ଭାରତାଭିମୁଖରେ ଯାତ୍ରାକଲେ । ଜାହାଜ ତରଙ୍ଗ-ଦୋଳାରେ ଖେଳି ଖେଳି ସମୁଦ୍ରବକ୍ଷରେ ଅଗ୍ରସର ହେଲା । ଆଉ କୂଳ ଦେଖାଗଲାନାହିଁ । ଯେଉଁଆଡ଼କୁ ଚାହିଁଲେ କେବଳ ନୀଳଜଳାରଣ୍ୟ ସମୁଦ୍ରର ବଜ୍ରନାଦୀ ଭୀଷଣ ଗର୍ଜ୍ଜନରେ ସାହେବଙ୍କ ହୃଦୟର ଶୋକଗର୍ଜ୍ଜନ ବୁଡ଼ିଗଲା । ବିରାଟ ପଦାର୍ଥ ଦର୍ଶନରେ ମାନବ ହୃଦୟରେ କ୍ଷୁଦ୍ରଭାବ ସ୍ୱତଃ ବିଦୂରିତ ହୁଏ ଏବଂ ହୃଦୟ ପ୍ରଶସ୍ତ ହୁଏ । ରେ ସାହେବ ଭାବିଲେ, ଏହି ମହାସମୁଦ୍ର ତୁଳନାରେ ମୁଁ କେଡ଼େ କ୍ଷୁଦ୍ର ଏବଂ ମୋର ଶୋକ ବା କେଡ଼େ କ୍ଷୁଦ୍ରତମ । ଏହାର ଅଚିନ୍ତନୀୟ ଶକ୍ତିନିକଟରେ ମାନବର ପରମାଣୁ ପରିମିତ ତୁଚ୍ଛଶକ୍ତି ନିତାନ୍ତ କିଛି ନୁହେଁ । ଏହିପରି ନାନା ଚିନ୍ତା ତାହାଙ୍କ ହୃଦୟକୁ ସମାଚ୍ଛନ୍ନକଲା । ସମୟ ସମୟରେ ଚିନ୍ତା-ଯବନିକା ଭେଦକରି ହେଲେନାର ମୂର୍ତ୍ତି ହୃଦୟରେ ଭାସି ଉଠୁଥାଏ ଏବଂ ଘନ ଅନ୍ତରାଳରେ ଚନ୍ଦ୍ର ଲୁଚକାଳି ଖେଳିଲାପ୍ରାୟ ମୁହୂର୍ତ୍ତକ ମଧ୍ୟରେ କେଉଁଆଡ଼େ ଅନ୍ତର୍ହିତ ହୋଇଯାଉଥାଏ । ହଟିଆଣୀ ସ୍ମୃତି ଏହିପରି ହଟଲଗାଇ କୌତୁକ ଅନୁଭବ କରୁଥାଏ, ତାହାର ସ୍ୱଭାବ ଚିରକାଳ ଏହିରୂପ । ସ୍ମୃତି ଏବଂ ବିସ୍ମୃତିର ସନ୍ଧିସ୍ଥଳରେ ପଡ଼ି ରେ ସାହେବ ଛଟପଟ ହେଉଥାନ୍ତି । ସ୍ମୃତିର ଅହନ୍ତା ବଡ଼ ଭୟାନକ । ଦୁଷ୍ଟ କଳିହୁଡ଼ି ସ୍ତ୍ରୀପ୍ରାୟ ସେ ପ୍ରାଣଘାତିନୀ, ମାତ୍ର ବିସ୍ମୃତି ତାହାର ବିପରୀତ । ପତିପ୍ରାଣା ସାଧ୍ୱୀ ସ୍ତ୍ରୀପ୍ରାୟ ସେ ଶାନ୍ତଦାୟିନୀ ଏବଂ ପରମ ହିତୈଷିଣୀ-। ଏ ଦୁହିଙ୍କ ମଧ୍ୟରେ ଗୋଟିଏ ହଳାହଳ-ଉଦ୍‌ଗାରିଣୀ ଏବଂ ଅପରଟି ଅମୃତ-ନିର୍ଝରିଣୀ; ଗୋଟିଏ ମର୍ମଦାହୀ ଅନଳର ଉଗ୍ରଜ୍ୱାଳା, ଅପରଟି ଶୀତଳ ସୁରଭି ପୁଷ୍ପମାଳା । ସ୍ଥୂଳତଃ ଗୋଟିଏ ଦୂରନ୍ତ ଦାନବର ବଂଶଧାରିଣୀ ଏବଂ ଅପରଟି ଦେବକନ୍ୟା-ସ୍ୱରୁପିଣୀ ।

 

କେତେଦିନପରେ ଜାହାଜ ଆସି କଲିକତା ବନ୍ଦରରେ ଲାଗିଲା । ରେ ସାହେବ ଦୁଇଦିନ ମାତ୍ର ଭାରତର ମହାନଗରୀ ସତତ ଜନ-ଯାନ-କଳ-କୋଳାହଳମୟୀ କଲିକତାରେ ଅବସ୍ଥାନ କରି ଆସାମ ଯାତ୍ରା କଲେ । ଯାହା ହୃଦୟରେ ଶୋକରୂପ ଶ୍ମଶାନଚିତା ଦାଉ ଦାଉ ହୋଇ ଜଳୁଥାଏ, କୋଳାହଳ ତାହା ପ୍ରାଣରେ ସହ୍ୟ ହୁଏନାହିଁ, ସେ କବି ପ୍ରାୟ ସର୍ବଦା ନିକାଞ୍ଚନ ସ୍ଥାନ ଖୋଜିବୁଲେ । ରେ ସାହେବ ଗିରିଗଭାମୟୀ କାମାକ୍ଷୀ-ସେବିତ ଆସାମରେ ଉପସ୍ଥିତ ହୋଇ ଦେଖିଲେ–ବ୍ରହ୍ମପୁତ୍ର କୂଳରେ ମୂର୍ତ୍ତିମତୀ ନୀରବତା ଆନନ୍ଦରେ ନୃତ୍ୟ କରୁଅଛି । ଆସାମ ଇନ୍ଦ୍ରଦେବଙ୍କର ଯୌତୁକ ଭୂମି, ସେଠାରେ ବୃଷ୍ଟିର ଅଭାବ ହୁଏନାହିଁ । ସ୍ଥାନଟି ପବିତ୍ର ଏବଂ ପ୍ରାକୃତିକ ମହାଦୃଶ୍ୟରାଜିରେ ଅଳଙ୍କୃତ । କରି-କରଭ ପ୍ରାୟ ମେଘମାନେ ପର୍ବତ ଚୂଡାରେ କ୍ରୀଡ଼ା କରୁଅଛନ୍ତି,–କେବେ ବା ବୃଷ୍ଟିବ୍ୟାଜରେ ମଦ-ବାରିବିନ୍ଦୂ ନୀଳକୁଞ୍ଚିତ କେଶରେ ସିଞ୍ଚିଦେଇ, ଆନନ୍ଦରେ ଚିତ୍କାର କରୁଅଛନ୍ତି । ବହୁବିଧ ବନ୍ୟ ବିହଙ୍ଗର କୋମଳ କାକଳୀ କର୍ଣ୍ଣରେ ଅମୃତ ବୃଷ୍ଟି କରୁଅଛି । କୁସୁମ ସୁବାସରେ ମନ ପ୍ରାଣ କି ଏକ ଅପୂର୍ବ ଉଲ୍ଲାସରେ ପୂରି ଉଠୁଅଛି । ପ୍ରକୃତି ଶୋଭାର ପଟାନ୍ତର ନାହିଁ, ଯେମନ୍ତ କି ସ୍ୱର୍ଗର ସାରସୁନ୍ଦର ଅଂଶ ଛିଡ଼ି ପଡ଼ିଅଛି । ଶୋଭାଦେବୀ ସେଠାରେ ଗୀତ ଗାଇ ବୁଲିଲା ପ୍ରାୟ ବୋଧ ହେଉଅଛି । ବର୍ଷାମୁଖର ରାତ୍ରିରେ ବନସ୍ପତିର ଝଙ୍କାର ଶଦ୍ଦ ଗନ୍ଧର୍ବଗୀତ ପ୍ରାୟ ପ୍ରତୀୟମାନ ହୁଏ । ସ୍ଥାନର ରମଣୀୟତାରେ ସାହେବ ଏକାନ୍ତ ମୁଗ୍‌ଧ ହୋଇ ଭାବିଲେ–ବାସ୍ତବରେ ଏ ସ୍ଥାନ ଭାରତ ସ୍ୱର୍ଗର କମକାନ୍ତ ପ୍ରବେଶ-ଦ୍ୱାର । ବନ୍ଧୁମାନଙ୍କଠାରୁ ଯାହା ଶୁଣିଥିଲି, ଭାରତର ବୈଚିତ୍ର୍ୟମୟୀ ସୁଷମା ତାହାଠୁ ବହୁ କୋଟିଗୁଣରେ ଅଧିକ । ଏ ଶୋଭା ଦେଖିଲେ ସ୍ୱୟଂ ଆଶ୍ଚର୍ଯ୍ୟ ସୁଦ୍ଧା ଆଶ୍ଚର୍ଯ୍ୟରେ ମୂର୍ଚ୍ଛିତ ହୋଇପଡ଼ିବ । ଧନ୍ୟ ଭାରତ ! ତୋର ରୁପ ଦେଖି ମୃତ ସୁଧା ଜୀବିତ ହୋଇଉଠିବ । ଏହିପରି ଭାବୁ ଭାବୁ ସାହେବଙ୍କ ଶୋକାର୍ତ୍ତ ପ୍ରାଣରେ ଅଲକ୍ଷିତରେ ଭକ୍ତିର ତଡ଼ିତ୍‌ପ୍ରବାହ ପ୍ରବଳବେଗରେ ଖେଳିଗଲା । ସେ ଯୁକ୍ତକରରେ ଭଗବାନଙ୍କ ଉଦ୍ଦେଶ୍ୟରେ ଶତ ଶତ ପ୍ରଣାମ କରି କହିଲେ–‘‘ହେ ପରମ ପିତା ପରମେଶ୍ୱର ତୁମ୍ଭର କରୁଣା ଅନନ୍ତ, ଆଜି ସେହି କରୁଣା ମୋ ଭଳି ଜନ୍ମାନ୍ଧକୁ ଚକ୍ଷୁସ୍ନାନ କଲା । ବାସ୍ତବରେ ପୂଣ୍ୟଭୂମି ଭାରତର ଦର୍ଶନ ଯାହା ଭାଗ୍ୟରେ ଘଟିନାହିଁ, ସେ ଜନ୍ମାନ୍ଧ କିମ୍ବା ସେ ମାତୃଗର୍ଭରୁ ଭୂମିଷ୍ଠ ହୋଇନାହିଁ । ଏ ଭାରତ ତୁମ୍ଭର ଅଦ୍ୱିତୀୟ ଚିତ୍ରଶାଳା, ତୁମ୍ଭର ନିପୁଣ ହସ୍ତ ଏହାକୁ ସ୍ୱର୍ଗୀୟ ସାଜରେ ସଜ୍ଜିତ କରିଅଛି । ପ୍ରଭୋ, ଜନ୍ମାନ୍ତରରେ ମୋତେ ଭାରତସନ୍ତାନ କର, ତୁମ୍ଭର ମଙ୍ଗଳମୟ ପାଦତଳେ ମୋର ଏହି ଭିକ୍ଷା ।

 

ବ୍ରହ୍ମପୁତ୍ରତୀରରେ ଖଣ୍ଡେ ଭୁମି ପଟ୍ଟା ନେଇ ରେ ସାହେବ ଗୋଟିଏ ବଙ୍ଗଳା ନିର୍ମାଣପୂର୍ବକ ବାସ କଲେ । ବଙ୍ଗଳାଟି ସାହେବଙ୍କର ମନୋମତରୂପେ ମଣ୍ଡିତ ହେଲା । ତାହାର ଆପାଦମସ୍ତକ କାର୍ପେଟ-ଶୋଭିତ ବାଳ ତାପସକୁଳ ବେଦୀ ଉପରେ ଧ୍ୟାନସ୍ଥ ରହିଲା ପ୍ରାୟ ଶବଳିତ ବିଲାତ ଗୁଲ୍ମର ଗାମଲା ଧାଡ଼ି ଧାଡ଼ି ହୋଇ ବାରଣ୍ଡାରେ ରହିଲା । ନୈସର୍ଗିକ ଐଶ୍ଚର୍ଯ୍ୟ ମଧ୍ୟରେ କୃତ୍ରିମ ଐଶ୍ଚର୍ଯ୍ୟ ହଂସ ମଧ୍ୟରେ ବକପ୍ରାୟ ଶୋଭା ବିସ୍ତାରକଲା । ସାହେବ ବାରଣ୍ଡାରେ ଆରାମୀ ଚୌକୀରେ ବସି ପ୍ରକୃତିର ଶୋଭମୃତ ନେତ୍ର-ରସନାରେ ଉପଭୋଗ କରନ୍ତି । କେବେ ବା ବିଜ୍ଞାନାନୁଶୀଳନରେ ବ୍ୟାପୃତ ରହନ୍ତି । ସମୟ ସମୟରେ ମୃଗୟାବିଳାସ ଏବଂ ବଲ୍‌କ୍ରୀଡ଼ା ମଧ୍ୟ ହୁଏ । ସ୍ୱଦେଶାଗତ ଭୃତ୍ୟ ଏବଂ ପାଚକ ତାଙ୍କର ବଲ୍‌କ୍ରୀଡ଼ାର ସହଚର ହୁଅନ୍ତି । ଏହିପରି ଜ୍ଞାନଚର୍ଚ୍ଚା ଏବଂ ଆମୋଦ ପ୍ରମୋଦରେ ଦିନ ପାଣିପରି ଗଡ଼ି ଯିବାକୁ ଲାଗିଲା । ହେଲେନା ଆଉ ପୂର୍ବପରି ମୁହୁର୍ମୂହୁଃ ଦେଖା ନ ଦେଇ, ଦିନ ମଧ୍ୟରେ ଥରେ ଦୁଇଥର ଦେଖା ଦେଇ ଚାଲିଯାଏ । ସାହେବ ଦିନେ ଭାବିଲେ, ‘ପ୍ରକୃତିର ଶୋଭାଦର୍ଶନ ଏବଂ ବିଜ୍ଞାନ ଚର୍ଚ୍ଚାଦି ପରେ ମୋର ଯଥେଷ୍ଟ ସମୟ ବଳୁଅଛି, ଏହି ଉଦ୍‌ବୃତ୍ତ ସମୟକୁ କୌଣସି ଗୋଟାଏ କାର୍ଯ୍ୟରେ ଲଗାଇବା ଉଚିତ ।’ ଧନ୍ୟ ରେ ସାହେବ, ତୁମ୍ଭପରି ସମୟର ମୂଲ୍ୟ କେତେଜଣ ବିଭବଶାଳୀ ବିଳାସୀ ପେଟୁକ ବୁଝନ୍ତି ? ଯେଉଁମାନେ ଭୋଗବିଳାସରେ ସମୟକୁ ଖଟାନ୍ତି କିମ୍ବା ଇନ୍ଦ୍ରିୟସେବା, ପରଘର ଚର୍ଚ୍ଚା, ପରର ଅନିଷ୍ଟଚିନ୍ତା ଏବଂ ଦିବାନିଦ୍ରାରେ ସମୟ ଯାପନ କରିବାକୁ ବଡ଼ଲୋକୀ ବା ସୁଖ ମଣନ୍ତି, ସେହି ନିଖଟୁଗୁଡ଼ାକ ଯଦି ମନୁଷ୍ୟ, ତେବେ ପଶୁ ଆଉ କିଏ ? ସମୟର ମୂଲ୍ୟ ଅନନ୍ତ, ମୁହୁର୍ତ୍ତେ ସମୟ ମଧ୍ୟରେ ଜଗତର ଯେଉଁ ହିତସାଧନ କରାଯାଇପାରେ, ତାହା ତୁଳନାରେ ଜଗତର ସମସ୍ତ ମଣିମାଣିକ୍ୟର ମୂଲ୍ୟ ନିତାନ୍ତ ଅକିଞ୍ଚିତକର । ଯେ ସମୟର ଅଧୀନ ନ ହୋଇ ସମୟକୁ ଅଧୀନ କରିରଖେ, ସେ ଯଥାର୍ଥ କର୍ମୀ ଏବଂ ଯଥାର୍ଥ ବୀର ପୁରୁଷ, ତାହାରି ଜୀବନ ବାସ୍ତବରେ ଆଦର୍ଶ ମହାଜୀବନ । ଯେ ସମୟକୁ ଚିହ୍ନେ, ସମୟ ତାକୁ ଚିହ୍ନେ, ଏବଂ ଅମରତ୍ୱ ପ୍ରଦାନ କରେ । ତୁମ୍ଭର ସମୟ ମଧ୍ୟରେ ଫାଙ୍କପାଇ ସେହି ଫାଙ୍କବାଟେ ହେଲେନାର ମୂର୍ତ୍ତି ଆସୁଅଛି । ସେହି ଫାଙ୍କକୁ କର୍ମଦ୍ୱାରା ବୁଜିଦିଅ, ହେଲେନାର ମୂର୍ତ୍ତି ଆଉ ଆସି ପାରିବନାହିଁ । ମୂର୍ତ୍ତି ଯାଉ; ମାତ୍ର ସ୍ମୃତି ଥାଉ । ମୂର୍ତ୍ତି ବଡ଼ ଯନ୍ତ୍ରଣାଦାୟିନୀ । କର୍ମକୁ ଅନେକ ଇତର ମନେକରନ୍ତି; ମାତ୍ର କର୍ମ ଇତର ନୁହେଁ । ଯେ କର୍ମକରେ ସେ ବଡ ଲୋକ, ଯେ କର୍ମତ୍ୟାଗୀ ସେହି ଏକା ଇତର ଏବଂ ଘୃଣ୍ୟ । ପରିଶ୍ରମକୁ ଯେ ବାଘ ଭାଲୁ ବା ଭୂତ ପ୍ରେତପରି ଭୟ କରେ ସେ ପ୍ରେତ ହେଉ, ଆଉ ଯେ ପରିଶ୍ରମକୁ ଜୀବନର ବନ୍ଧୁ ବା ଜୀବନ ସୋଦର ମଣେ ସେ କୋଟି ନିଖଟୁର ପରମାୟୁ ଘେନି ବଞ୍ଚିଥାଉ, ଏହା ପ୍ରକୃତିଦେବୀଙ୍କର ଅମୋଘ ଆଶୀର୍ବାଦ । ରେ ସାହେବ, ବିଧାତାଙ୍କର ଆଶୀର୍ବାଦରୂପ ଫୁଲ ତୁମ୍ଭ ମସ୍ତକରେ ଶ୍ରାବଣର ବାରିଧାରା ତୁଲ୍ୟ ବର୍ଷିତ ହେଉ, ତୁମ୍ଭେ ଦେବତା ହୁଅ ।

 

ଉଦ୍‌ବୃତ୍ତ ସମୟକୁ କି କାର୍ଯ୍ୟରେ ଲଗାଇବେ, ସାହେବ ଏହି ଚିନ୍ତାରେ ନିମଗ୍ନ ହେଲେ । କେତେ ଅନୁଷ୍ଠାନ ଆସି ମନରେ ଉଦିତହେଲା, ସେଥିମଧ୍ୟରୁ କେତେ ଅସାଧ୍ୟ,–କେତେ ଅକରଣୀୟ ଜ୍ଞାନରେ ପରିତ୍ୟକ୍ତ ହେଲା । ସାହେବଙ୍କ ବଙ୍ଗଳାକୁ ଲାଗି ବିଶାଳ ପ୍ରାନ୍ତର ପଡ଼ିରହିଅଛି । ସେ ସମୟରେ ଆସାମରେ ଯଥେଷ୍ଟ ପତିତ ଭୂମି ଥିଲା, କେବଳ ସାମାନ୍ୟ କେତେଟା ମାତ୍ର ଚା ବଗିଚା ସ୍ଥାପିତ ହୋଇଥିଲା । ସାହେବ ଭାବିଲେ,–ଏହି ବିଶାଳ ପ୍ରାନ୍ତରର ଶକ୍ତି ବୃଥାରେ ନଷ୍ଟ ହେଉଅଛି, ଏହି ଶକ୍ତି ସାହାଯ୍ୟରେ ଅର୍ଥାଗମର ଗୋଟାଏ ପନ୍ଥା କରିନେଲେ ବିଶେଷ ଉପକାର ହୋଇପାରିବ-। ଏ ମୃତ୍ତିକା ଚା କୃଷିର ଉପଯୁକ୍ତ । ବୈଜ୍ଞାନିକ ସାର ପ୍ରୟୋଗକଲେ ଏହାର ଉର୍ବରତା ବହୁଗୁଣରେ ବଢ଼ିଯିବ । ଏହା ଭାବି ପରୀକ୍ଷା ସ୍ୱରୂପ ଗୁଣ୍ଠେ ଭୂମିରେ ଚା ଆବାଦକଲେ ଏବଂ ସେଥିରେ ବୈଜ୍ଞାନିକ ସାର ପ୍ରସ୍ତୁତ କରି ପ୍ରୟୋଗ କଲେ । ଅନ୍ୟାନ୍ୟ ଚା ବଗିଚାର ସେହି ପରିମିତ ଭୂମିରୁ ଯେତେ ଚା ଉତ୍ପନ୍ନ ହୁଏ, ସାହେବଙ୍କ କୃଷି କ୍ଷେତ୍ରରୁ ସେଥିରେ ଦଶଗୁଣ ଚା ଉତ୍ପନ୍ନ ହେଲା । ଏବଂ ଉକ୍ତ ଚା ପୃଥିବୀର ସମସ୍ତ ଚା ମଧ୍ୟରେ ଉତ୍କୃଷ୍ଟତମ ବୋଲି ପ୍ରମାଣିତ ହେଲା । ତହୁଁ ସାହେବ ଉତ୍ସାହିତ ହୋଇ ଏକବର୍ଗକୋଶ ଜମି ପଟା ନେଇ କାର୍ଯ୍ୟାରମ୍ଭ କଲେ । ପ୍ରସ୍ତର ପ୍ରାଚୀର ଦ୍ୱାରା ବଗିଚା ସୀମାବଦ୍ଧ ହେଲା । ସେଥିରେ ତିନି ଭାଗ କୃଷି କ୍ଷେତ୍ରପାଇଁ ରଖାଯାଇ, ଅବଶିଷ୍ଟ ଏକ ଭାଗରେ ଅଫିସ ପ୍ରଭୃତି ପ୍ରସ୍ତୁତ ହେଲା । କେତେଗୋଟା କୂପ ଏବଂ ପୁଷ୍କରିଣୀ ଖନିତ ହେଲା-। କୁଲିମାନଙ୍କ ରହିବା ସକାଶେ ଶ୍ରେଣୀବଦ୍ଧ ଭାବରେ ବଡ଼ ବଡ଼ ସାହି ପ୍ରସ୍ତୁତ ହେଲା । ପ୍ରତି ସାହିରେ ଗୋଟାଏ ଲେଖାଏଁ ବଙ୍ଗଳା ତୟାର ହୋଇ କୁଲିମାନଙ୍କ ବିଶ୍ରାମ ଏବଂ ଆମୋଦ ପ୍ରମୋଦ ସକାଶେ ରହିଲା ଡାକ୍ତରଖାନା, ଅଫିସରମାନଙ୍କ ବସାଘର ଇତ୍ୟାଦି ସ୍ୱତନ୍ତ୍ର ନିର୍ମିତ ହେଲା । ପ୍ରଥମତଃ ସ୍ଥାନୀୟ ବନ୍ୟଜାତିମାନେ କୁଲି ନିଯୁକ୍ତ ହେଲେ । ପରେ ବିଦେଶୀୟ କୁଲିମାନେ ଯାଇ ରହିଲେ । ଗୋଟାଏ ବୃହତ୍‌ ଗୋଦାମ ପ୍ରସ୍ତୁତ ହୋଇ ସେଥିରେ କୁଲିମାନଙ୍କର ଖାଦ୍ୟ ଏବଂ ବ୍ୟବହାର୍ଯ୍ୟ ପଦାର୍ଥ ରହିଲା-। କୁଲିମାନେ ସେଥିରୁ ଆବଶ୍ୟକ ଦ୍ରବ୍ୟ ଉଚିତ ମୂଲ୍ୟରେ କ୍ରୟ କରିବାର ସୁବ୍ୟବସ୍ଥା କରାଗଲା । ଏହି ସମସ୍ତ ବନ୍ଦୋବସ୍ତ ପରେ ଯଥାରୀତି କୃଷିକାର୍ଯ୍ୟ ଆରମ୍ଭ ହେଲା । ପ୍ରଥମ ବର୍ଷ ଯେତେ ଚା ଉତ୍ପନ୍ନ ହେଲା ସେଥିରୁ ଖର୍ଚ୍ଚ ଯାଇ ପଚିଶ ହଜାର ଟଙ୍କା ଲାଭ ମିଳିଲା । ଦ୍ୱିତୀୟବର୍ଷ ଉତ୍ପନ୍ନ ଚା ବିକ୍ରୟ ସକାଶେ ପୃଥିବୀର ସର୍ବତ୍ର ପ୍ରେରିତ ହେଲା । ସେ ବର୍ଷ ଖର୍ଚ୍ଚବାଦେ ଲକ୍ଷେ ଟଙ୍କା ଲାଭହେଲା । ଏହିପରି ପ୍ରତିବର୍ଷ ଆୟବୃଦ୍ଧି ହେବାକୁ ଲାଗିଲା ଏବଂ ଆୟବୃଦ୍ଧି ସଙ୍ଗେ ସଙ୍ଗେ କୃଷି ଭୂମିର ପରିମାଣ ମଧ୍ୟ ବିସ୍ତୃତି ଲାଭକଲା । ବଗିଚାରେ ଦୁଇହଜାର ବେତନ ଭୋଗୀ କୁଲି ରହିଲେ । ଏତଦ୍‌ ବ୍ୟତୀତ ଠିକା କୁଲି ଅନେକ ଲାଗିଲେ । ଅଫିସର ଏବଂ କୁଲି ସର୍ଦ୍ଦାର ସଂଖ୍ୟା ଦୁଇଶତରୁ ଊଣା ନୁହେଁ । ରେ ସାହେବ ବଗିଚାର ମାଲିକ ହେଲେହେଁ ସ୍ୱତନ୍ତ୍ର ମେନେଜର ନ ରଖି ନିଜେ ସବୁ ବୁଝାସୁଝା କଲେ । ତାଙ୍କର କର୍ମକୁଶଳତା ହେତୁ ବଗିଚାର କ୍ରମୋନ୍ନତି ସାଧିତ ହେଲା ଏବଂ ସମସ୍ତ କାର୍ଯ୍ୟ ସୁଶୃଙ୍ଖଳାରେ ପରିଚାଳିତ ହେଲା ।

 

ରେ ସାହେବ ଜଣେ ଦୟାଳୁ ଏବଂ ସହୃଦୟ ବ୍ୟକ୍ତି । ତାଙ୍କର ପ୍ରତିଭା ଅସାଧାରଣ । ସେ ଏ ଦେଶକୁ ଆସି ହିନ୍ଦୀ, ବଙ୍ଗଳା ଏବଂ ଓଡ଼ିଆଭାଷା ବିଲକ୍ଷଣ ଶିକ୍ଷା କରିଅଛନ୍ତି । ଓଡ଼ିଆ ଭାଷାର ପ୍ରକୃତି ଏରୂପ ଯେ, ତାହାର ବିଶୁଦ୍ଧ ଉଚ୍ଚାରଣ ଅନ୍ୟ ଭାଷାଭାଷୀ ତୁଣ୍ଡରେ ହୁଏ ନାହିଁ । ଏମନ୍ତ କି ଆମ୍ଭମାନଙ୍କର ପ୍ରତିବେଶୀ ଏବଂ ସହବାସୀ ଉନ୍ନତ ବଙ୍ଗାଳୀମାନଙ୍କର ତୁଣ୍ଡରେ ସୁଦ୍ଧା ନୁହେଁ । ସେମାନେ ଓଡ଼ିଆକୁ ଉଡ଼େ, ସମ୍ମାନସୂଚକ ଅବଧାନ ଶଦ୍ଦକୁ ଅବଧଡ଼ ଏବଂ କଅଣକୁ କଡ଼ ଇତ୍ୟାଦି ରୂପେ ଉଚ୍ଚାରଣ କରନ୍ତି । ବଙ୍ଗର ସମୁଜ୍ଜ୍ୱଳ ରତ୍ନ ବଙ୍କିମଚନ୍ଦ୍ର ଏବଂ କବିବର ନବୀନଚନ୍ଦ୍ର ସୁଦ୍ଧା ଏହି ଦୋଷରୁ ମୁକ୍ତ ନୁହନ୍ତି, ଅଥଚ ସେମାନେ ଓଡ଼ିଶାର ଡେପୁଟି ମାଜିଷ୍ଟ୍ରେଟ ଥିଲେ ଏବଂ ବିଭାଗୀୟ ନିୟମାନୁସାରେ ଓଡ଼ିଆ ଭାଷାରେ ପାସ୍‌ କରିଥିବେ । ଓଡ଼ିଆ ଭାଷାପ୍ରତି ସେମାନଙ୍କର ଏରୂପ ତାଚ୍ଛଲ୍ୟ ଦେଖି ବାସ୍ତବରେ ପ୍ରାଣରେ ଦାରୁଣ ଆଘାତ ଲାଗେ । କିନ୍ତୁ ରେ ସାହେବ ଯେତେବେଳେ ଓଡ଼ିଆରେ କଥା କହନ୍ତି ସେତେବେଳେ ସେ ଓଡ଼ିଆ କି ଇଂରାଜ ତାହା ବାରିହୁଏ ନାହିଁ । କେବଳ ଓଡ଼ିଆ ନୁହେଁ, ବଙ୍ଗ ଏବଂ ହିନ୍ଦୀଭାଷା ସୁଦ୍ଧା ସେ ସ୍ପଷ୍ଟ ଉଚ୍ଚାରଣ କରିପାରନ୍ତି । ସେ କୁଲିମାନଙ୍କୁ ପୁତ୍ରତୁଲ୍ୟ ସ୍ନେହ-ଚକ୍ଷୁରେ ଦେଖନ୍ତି । ସେମାନଙ୍କ ପ୍ରତି କେହି ଅତ୍ୟାଚାର କଲେ ସେ ସେଥିରେ ଉପଯୁକ୍ତ ପ୍ରତିକାର ନ କରି ନୀରବ ବା ପିଶ୍ଚେଷ୍ଟ ରହନ୍ତିନାହିଁ । କେହି ପୀଡ଼ିତ ହେଲେ ସେ ସ୍ୱୟଂ ଯାଇ ଚିକିତ୍ସାର ବ୍ୟବସ୍ଥା କରନ୍ତି ଏବଂ ମଧୂର ସାନ୍ତ୍ୱନାବାକ୍ୟରେ ବ୍ୟାଧିତକୁ ପ୍ରବୋଧ ଦିଅନ୍ତି । ତାଙ୍କର କଥା ମାତୃସ୍ନେହ କରି ମଧୁର, ଶୀତଳ ଓ ବ୍ୟଥାହାରକ । ଏହି ସମସ୍ତ ଦେବସୁଲଭ ସଦ୍‌ଗୁଣରେ ବିମୋହିତ ହୋଇ କୁଲିମାନେ ତାଙ୍କୁ ପିତୃସମ୍ବୋଧନରେ ସମ୍ବୋଧିତ କରନ୍ତି ଏବଂ ତାଙ୍କ ସହିତରେ ହୃଦୟ ଖୋଲି କଥାବାର୍ତ୍ତା କରି ନିଜ ନିଜର ଦୀନପ୍ରାଣ ସାର୍ଥକ ମଣନ୍ତି । ମାସର ଶେଷଦିନ କୁଲିମାନଙ୍କୁ ବେତନ ଦିଆଯାଏ ଏବଂ ଗୋଟାଏ ଉପାଦେୟ ଭୋଜୀ ମଧ୍ୟ ଦିଆଯାଏ । ଏଥିର ପ୍ରତିପାଦନସ୍ୱରୁପ କୁଲିମାନେ ଦିନରେ ଘଣ୍ଟାଏ ଲେଖାଏଁ ଅଧିକା କାର୍ଯ୍ୟ କରିବା ନିମନ୍ତେ ଥରେ ସାହେବଙ୍କୁ କହିଥିଲେ; ମାତ୍ର ସାହେବ ସ୍ୱୀକୃତ ନ ହୋଇ କହିଲେ,–‘‘ଅଧିକ ଖଟିଲେ ତୁମ୍ଭମାନଙ୍କର ସ୍ୱାସ୍ଥଭଙ୍ଗ ହେବ । ତୁମ୍ଭେମାନେ ମୋର ବ୍ୟବସାୟର ଜୀବନସ୍ୱରୁପ, ତୁମ୍ଭମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁଖସୁବିଧା ପ୍ରତି ଅବହିତ ମୋର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ । ତୁମ୍ଭମାନଙ୍କୁ କ୍ଳେଶ ଦେଇ ମୁଁ ଅଧିକ ଲାଭବାନ ହେବାକୁ ଇଚ୍ଛାକରେନାହିଁ । ତୁମ୍ଭେମାନେ ଦିନରେ ଯେଉଁ ପାଞ୍ଚଘଣ୍ଟା କାର୍ଯ୍ୟ କରୁଅଛ, ସେତିକି ଯଥେଷ୍ଟ । ଅଧିକା ଯେଉଁ ଘଣ୍ଟାକ କାର୍ଯ୍ୟ କରିବାକୁ କହୁଅଛ, ସେହି ସମୟରେ ଖେଳି ବୁଲି ଆମୋଦ ପ୍ରମୋଦ କରି ମନକୁ ଉତ୍‌ଫୁଲ୍ଲ କର ।’’ ଏହା ଶୁଣି ଶ୍ରମଜୀବିମାନେ ଦୁଇ ହାତରେ ସାହେବଙ୍କୁ ସଲାମ କରି କହିଲେ, ‘‘ବାବା, ତୁମ୍ଭେ ମନୁଷ୍ୟ ନୁହଁ, ସ୍ୱର୍ଗର ସଦୟ ଦେବତା ।’’ ଅନ୍ୟାନ୍ୟ ଚା ବଗିଚାର ଶ୍ରମିକମାନଙ୍କ ଅପେକ୍ଷା ରେ ସାହେବଙ୍କ ବଗିଚାର କୁଲିମାନେ ଅଧିକ ବେତନ ପାଆନ୍ତି ଏବଂ ଯାହାର କାର୍ଯ୍ୟକାଳ ଶେଷ ହୁଏ, ତାହାକୁ ଉପଯୁକ୍ତ ପାଥେୟ ସହ ପୁରସ୍କାର ପ୍ରଦତ୍ତ ପୂର୍ବକ ବିଦାୟ ଦିଆଯାଏ । ଅପର ଚା ବଗିଚାର କୁଲିମାନେ କହନ୍ତି–‘‘ଚାକିରୀ କରିବ ତ ରେ ସାହେବଙ୍କ ଅଧୀନରେ ଚାକିରୀ କରିବ । ରେ ସାହେବ ଖାଲି ମୁନିବ ନୁହନ୍ତି,–ସେ ଗରିବଙ୍କ ମା ବାପ । ତାଙ୍କ ପାଖରେ ଚାକିରୀ କରିବା ଅର୍ଦ୍ଧ ବାବୁଗିରି ପରି । ତାଙ୍କ କୁଲିମାନେ ଭାଗ୍ୟଧର ଏକା ।’’

•••

 

ଅଷ୍ଟାଦଶ ପରିଚ୍ଛେଦ

 

ମଧୁ ଭୀମସିଂହ ବସାରେ ସୁଖରେ ଦିନଯାପନ କରୁଅଛି । ଉଭୟେ କ୍ଷତ୍ରିୟ, ସୂତରାଂ ପାକ ବାରଣ ନାହିଁ । ଦୁହେଁ ମିଳିମିଶି ମୁଠାଏ ଫୁଟାଇ ନିଅନ୍ତି । ଠିକ୍‌ ଦୁଇଟି ଭାଇପରି ଅଛନ୍ତି । ଭୀମ ମଧୁକୁ ଏହିପରି କଣ୍ଟ ଦେଇଅଛି ଯେ - ‘‘ଆମ ସାହେବ ତାଙ୍କ ଦେଶକୁ ଯାଇଥିଲେ । ପନ୍ଦର ଦିନ ହେଲା ଫେରିଆସିଅଛନ୍ତି । ସାଙ୍ଗରେ ତାଙ୍କ ସାଙ୍ଗ ମୈତ୍ରମାନେ ଆସିଅଛନ୍ତି । ସେମାନେ ଦଶ ବାର ଦିନ ପରେ ଯିବେ । ସମସ୍ତେ ଗଲେ ମୁଁ ନିରୋଳାରେ ତୋ କଥା ସାହେବଙ୍କୁ ଜଣାଇବି ।’’ ମଧୁ ଏ କଥାରେ ବିଶ୍ୱାସ କରି ନିଶ୍ଚିନ୍ତ ଅଛି । ଭୀମର ଭ୍ରାତୃବ୍ୟବହାର ମଧ୍ୟ ତାହା ପ୍ରାଣରେ ସାନ୍ତ୍ୱନା ଅନୟନ କରିଅଛି । ଭୀମ ଓଡ଼ିଆ କୁଲିମାନଙ୍କର ସର୍ଦ୍ଦାର । ତାହା ଅଧୀନରେ ତିରିଶ ଜଣ କୁଲି କାମ କରନ୍ତି । ଦିନେ ସେ କଥାପ୍ରସଙ୍ଗରେ କୁଲିମାନଙ୍କୁ ମଧୁ କଥା କହିଥିଲା । ତାହା ଶୁଣି କୁଲିମାନେ ଆଡ଼କାଟିମାନଙ୍କ ପ୍ରତି ଅଭିଧାନବିରୂଦ୍ଧ ବହୁବିଧ ଶିଷ୍ଟାଚାର ଶବ୍ଦପ୍ରୟୋଗ ଦ୍ୱାରା ମଧୁର ସମ୍ପର୍କ ସ୍ଥାପନ କଲେ ଏବଂ ଦୂଃସ୍ଥ ବାଳକ ପ୍ରତି ସହାନୁଭୁତି ପ୍ରକାଶ କରି କହିଲେ, ‘ଆହା ସେ ବଡ଼ଘରର ପିଲା, ଏତେ କଷ୍ଟ ସହି ପାରିବ । ଯାହାହେଉ, ତାକୁ କିଛି କରିବାକୁ ହେବ ନାହିଁ, ଆମେ ସମସ୍ତେ ଉଠାଣିବେଳେ ହତେ ହତେ ପତ୍ର ତୋଳିଦେଲେ ତାହାର ପାଇଟି ହୋଇଯିବ ।’’ ସେହିଦିନଠାରୁ କୁଲିମାନେ କଥା ଅନୁଯାୟୀ କାର୍ଯ୍ୟ ମଧ୍ୟ କଲେ । ସୂତରାଂ ମଧୁକୁ ପରିଶ୍ରମ କରିବାକୁ ପଡ଼ିଲାନାହିଁ । ସେ ବୁଲି ଖେଳି ଏବଂ ଗଳ୍ପ କରି ଆନନ୍ଦରେ ସମୟ ଅତିବାହିତ କରେ ।

 

ଆଜି ରବିବାର, କୁଲିମାନଙ୍କର କାମ ବନ୍ଦ । ସକାଳୁ ଝିପିରି ଝିପିରି ବର୍ଷା ହେଉଅଛି । ଆସାମରେ ଏରୂପ ବର୍ଷା ବିରଳ ନୁହେଁ, ପ୍ରାୟ ଅଧିକାଂଶ ଦିନ ଏହିପରି ହୁଏ । କମେଇଁ ହେତୁ କୁଲିମାନେ ଟିକିଏ ଅଧିକ ଶୋଇ ପଡ଼ିଅଛନ୍ତି । କେତେଜଣ ଚଞ୍ଚଳିଆ ଲୋକ ସକାଳୁ ଉଠି କେହି ନାସଘୁଣ୍ଟା, କେହି ପିକାମୋଡ଼ା ଏବଂ କେହି ବା ପାନଭଙ୍ଗାରେ ଲାଗିଅଛି । କେହି ଗୁଣୁଗୁଣୁ ହୋଇ ଗୀତ ଗାଉଅଛି; ମାତ୍ର ଅଧିକାଂଶ ଶଯ୍ୟାଶ୍ରୟୀ । ବର୍ଷାଦିନସକାଳେ ଶଯ୍ୟାଟି ସୁପ୍ତବ୍ୟକ୍ତିକୁ ଟିକିଏ ଟାଣିଧରେ । ବିଶେଷତଃ ବାଦସାହୀ ନିଶାସେବୀ ଅଫିମଖୋରମାନଙ୍କର ସେଦିନ ପ’ବାର । କଳାମାଣିକ ଅହିଫେନପ୍ରସାଦରୁ ସେମାନେ ବହୁବିଧ ଅଦ୍ଭୁତ କାଳ୍ପନିକ ବାଦସାହୀ ସୁଖ ଅନୁଭବ କରନ୍ତି । କୁଲିମାନଙ୍କ ମଧ୍ୟରେ ଯେଉଁମାନେ କୃଷ୍ଣସୁନ୍ଦରଙ୍କ ଭକ୍ତ, ସେମାନେ ଶିବନେତ୍ରରେ ଧ୍ୟାନପରାୟଣ ହୋଇ ଆଖି ଆଗରେ ଚତୁର୍ଦ୍ଦଶ ଭୁବନ ଦେଖୁଅଛନ୍ତି । କେହି ନାସିକାରେ ନିଶ୍ଚନ୍ଦ ସଙ୍ଗୀତ ଆବୃତ୍ତ କରୁଅଛି, ସେହି ସଙ୍ଗୀତର ସୁଚିକ୍‌କଣ ରସ ମୁଖ ବିବରରୁ ବହି ଆସୁଅଛି । କେହି ସ୍ୱର୍ଗରେ ରାଜା ହୋଇଅଛି, ସ୍ୱୟଂ ସୁରରାଜ ଇନ୍ଦ୍ର ତାହା ମସ୍ତକରେ ରାଜଛତ୍ର ଧରିଅଛନ୍ତି, ଦେବତାମାନେ ଚାମର ବ୍ୟଜନ କରୁଅଛନ୍ତି । ବ୍ରହ୍ମା ଚତୁର୍ମୁଖରେ ସ୍ତୁତିଗାନରେ ନିଯୁକ୍ତ । ଗନ୍ଧର୍ବକୁଳ ଶିରକମ୍ପନପୂର୍ବକ ତାଳେ ତାଳେ ବାଦ୍ୟ ବାଦନ କରୁଅଛନ୍ତି । ଅପ୍‌ସରାବୃନ୍ଦ ଖେମଟା ନୃତ୍ୟରେ ମତ୍ତ ହୋଇ ‘‘ଆଓ ମେରି ସୈୟାଁ ହୋ’’ ଏହି ଏକପଦିଆ ସଙ୍ଗୀତ ଦୋହୋରେଇ ତେହେରେଇ ଗାଇ ବିଲୋଳ କଟାକ୍ଷ ଢାଳି ଦେଉଅଛନ୍ତି ଏବଂ ବାମହସ୍ତ କଟିସଂଲଗ୍ନପୂର୍ବକ ଦକ୍ଷିଣ ହସ୍ତର ତର୍ଜନୀ ଗଣ୍ଡସ୍ଥଳରେ ସ୍ଥାପନକରି ବକ୍ର ଭାବରେ ଲୋଟଣୀ ପାରାପରି ଲୋଟିଯାଉଅଛନ୍ତି । ଦେବସଭା ମଧ୍ୟରୁ ‘‘ବାହାବା ବାହାବା କ୍ୟା ମଜା ହେ’’ ଧ୍ୱନି ମୁହୁର୍ମୁହୁଃ ଉତ୍‌ଥିତ ହୋଇ ସ୍ୱର୍ଗରାଜ୍ୟ ବିକମ୍ପିତ କରୁଅଛି । ଆଉ କୃଷ୍ଣପରାୟଣ ବାଦସାହ ଅର୍ଦ୍ଧନିମୀଳିତ ଧ୍ୟାନ-ନେତ୍ରରେ ସେହି ଅମୀୟରସ ପାନ କରୁଅଛି ଏବଂ ଅଞ୍ଜଳି ଅଞ୍ଜଳି ସ୍ୱର୍ଣ୍ଣମୁଦ୍ରା, ରୌପ୍ୟମୁଦ୍ରା ଅଧୁଲି, ସୁଉକି ନର୍ତ୍ତକୀମାନଙ୍କ ଉପରେ ନିକ୍ଷେପ ପୂର୍ବକ ସେମାନଙ୍କୁ ପୁରସ୍କାର ଦେଉଅଛି । ଏହି ସମୟରେ ଦୂରନ୍ତ ରାକ୍ଷସମାନେ ଆସି ସ୍ୱର୍ଗ ଆକ୍ରମଣ କଲେ । ଗୋଟାଏ ବାଣ ନବ-ବାଦସାହର କର୍ଣ୍ଣମୂଳ ଦେଇ ଶର୍‌ର ପରି ଚାଲିଗଲା । ବାଦସାହ ଚମକି ଉଠି କାନ ଅଣ୍ଡାଳି ପକାଇ ଦେଖିଲା କାନଟା ଉଡ଼ିଯାଇ ନାହିଁ । କାନପ୍ରତି ତାହାର ଭାରି ଭକ୍ତି, କାନ ଅଭାବରେ ସେ କାହିଁରେ ସଙ୍ଗୀତ ଶୁଣିବ ? ଯାହାହେଉ ଦୈବ ତାହାର କାନ ରକ୍ଷାକଲା; ମାତ୍ର ବାଦସାହୀ ନିଶା ତୁଟିଗଲା । ସେ ଧଡ଼ପଡ଼ ହୋଇ ଉଠିବସି ଅତି ଆକ୍ଷେପ କରି ଅର୍ଦ୍ଧଭଙ୍ଗ ସ୍ୱରରେ କହିଲା - ‘‘ଓଃ, କେତେ ମଉଜଟା ଭାଙ୍ଗି ଗ-ଅ-ଲା-ରେ-ଏ ।’’ ଛି, ରାକ୍ଷସଗୁଡ଼ାକ କଣ ଭଦ୍ରଲୋକ ନୁହନ୍ତି ! ଆକ୍ରମଣର କଣ ସୁବିଧା-ଅସୁବିଧା ନାହିଁ, ବେଳକାଳ ନାହିଁ ? ଏ ଭଳି ମହାରସ କି ଭଙ୍ଗ କରାଯାଏ ! ହାଃ ରାକ୍ଷସ, ତୁମ୍ଭ ନସିବ୍‌ ଖରାପ । ଏହି ସମୟରେ ‘‘ସାଆବ ଆସୁଛି ସାହାବଆସୁଛି’’ ବୋଲି ଗୋଟାଏ ଚହଳ ପଡ଼ିଗଲା । ରେ ସାହେବ ସକାଳୁ ଉଠି ଚା-ରୂପ ଅମୃତପାନ ସଙ୍ଗେ ସଙ୍ଗେ କେତୋଟି ସିଦ୍ଧଶୁକ୍ଳ ଶଳଗ୍ରାମ ଉଦର ଦେବତାଙ୍କ ବାଳଭୋଗ ସମର୍ପଣ କରି ଗୋଟାଏ ଚୁରୂଟ ଲଗାଇଲେ । ଏହା ବାଲ୍ୟଭୋଗ ପରେ ଆରାତ୍ରିକ । ଅନନ୍ତର ଚୁରୂଟ ଧୂଆଁରେ ପଥଯାକ ଖଣ୍ଡ-କୁହୁଡ଼ି ସର୍ଜନପୂର୍ବକ ପ୍ରାତଃ ପ୍ରର୍ଯ୍ୟଟନରେ ବହିର୍ଗତ ହେଲେ । କି ସୁନ୍ଦର ଭକ୍ତିଆକର୍ଷଣୀ ମୂର୍ତ୍ତି । ଅଧରରେ ତୃପ୍ତିର ମୃଦୁହାସ୍ୟ ଲାଗିରହିଅଛି । ଦୟାର ସ୍ନିଗ୍‌ଧ ଜ୍ୟୋତିରେ ନୟନ ଉଜ୍ଜ୍ୱଳ । ମୁଖମଣ୍ଡଳରୁ ଦେବବିଭା ନିଗିଡ଼ି ପଡୁଅଛି । ସତେ ଯେପରି ଶ୍ୱେତମର୍ମର-ପ୍ରସ୍ତର ନିର୍ମିତ ଗୋଟିଏ ସଚଳ ଦେବ ବିଗ୍ରହ । କୁଲି-ସାହିପାଖରେ ଉପସ୍ଥିତ ହେଲାକ୍ଷଣି, ‘‘ହେଇ, ବାବା ଆସିଲାଣି, ହେଇ ବାବା ଆସିଲାଣି’’ ବୋଲି କୁଲିମାନେ ଚିତ୍‌କାର କରି ଧାଇଁ ଆସିଲେ ଏବଂ ଦୁଇ ହାତରେ ଅଜସ୍ର ସଲାମ କରି ଶିଶୁମାନେ ପିତାଙ୍କୁ ବେଷ୍ଟନ କଲାପରି ଚାରିପାଖରୁ ସାହେବଙ୍କୁ ଘେରି ଠିଆହେଲେ । ସେମାନଙ୍କର ଆନନ୍ଦ ହୃଦୟରେ ଧରିଲା ନାହିଁ, -ସହସ୍ର ଧାରାରେ ତାହା ଉଛୁଳି ପଡ଼ିଲା । ସସ୍ମିତବଦନ ସାହେବ ମଧୁର ସ୍ୱରରେ ସମସ୍ତଙ୍କୁ କୁଶଳ ପ୍ରଶ୍ନ କଲେ । ଭୀମସିଂହ ଏବଂ ମଧୁ ଏକପାଖରେ ଠିଆ ହୋଇଥିଲେ । ସାହେବ ମଧୁକୁ ଦେଖି ପଚାରିଲେ–‘‘ଏ ପିଲା କିଏ ?’’ ଭୀମ କୃତାଞ୍ଜଳି ପୁଟରେ ଉତ୍ତର କଲା–ହଜୁର ଏ ଜଣେ କୁଲି ।’’ ତହୁଁ ସାହେବ ରୋଷମିଶ୍ରିତ ଆଶ୍ଚର୍ଯ୍ୟ ସ୍ୱରରେ ‘‘ଏ ପିଲା କୁଲି, ଏ ପିଲା କୁଲି’’ ବୋଲି ବାରମ୍ବାର କହି ଗର୍ଜନ କରିଉଠିଲେ । ଭୀମ ଭୀତ ହୋଇ କମ୍ପିତ କଣ୍ଠରେ କହିଲା, ‘‘ମାସକ ତଳେ ଯେଉଁ ନୂଆ କୁଲିଦଳେ ଆସିଅଛନ୍ତି, ଏ ତାଙ୍କରି ସଙ୍ଗରେ ଆସିଅଛନ୍ତି, ଏ ତାଙ୍କରି ସଙ୍ଗରେ ଆସିଅଛି । ଜଣେ ଠକ ଗୁଇନ୍ଦା ଏହାକୁ ବହଲେଇ ଆଣି ଏଜେଣ୍ଟକୁ ବିକ୍ରୟ କରିଦେଇଯାଇଛି । ମୁଁ ଆଜି ବେଳଓଳି ଏ ପିଲାକୁ ଘେନି ହଜୁରଙ୍କ ପାଖକୁ ଯାଇ ଜଣାଇ ଥାଆନ୍ତି ଦଇବେ ତ ହଜୁର ଆସି ପହୁଁଞ୍ଚିଗଲେ । ପିଲାଟା ଭାରି କାନ୍ଦୁଥିଲା । ମୁଁ ତାକୁ ବୋଧ ଶୋଧକରି ରଖିଅଛି ।’’ ସାହେବ ମଧୁକୁ ପାଖକୁ ଡାକି ତାହାର ହାତଚଟୁଆଠାରୁ କାନ୍ଧ ପର୍ଯ୍ୟନ୍ତ ଚିପିଯାଇ କହିଲେ,–ନା, ନା, ଏ ପିଲା କେବେ କୁଲି ହୋଇ ପାରେନାହିଁ । ଏ ନିଶ୍ଚୟ କୌଣସି ବଡ଼ ଘରର ପିଲା, ନଚେତ୍‌ ଏହାର ହାଡ଼ ଏଡ଼େ ମୋଟା ହୁଅନ୍ତାନାହିଁ, କି ଚେହେରା ଏଭଳି ସୁନ୍ଦର ହୁଅନ୍ତା ନାହିଁ । ଆଛା ଭୀମ ସିଂହ, ଆଜି ଚାରିଟାବେଳେ ତୁ ଏ ପିଲାକୁ ନେଇ ବଙ୍ଗଳାରେ ହାଜର କରିବୁ ।’’ ଭୀମ କହିଲା–‘‘ଯେ ହୁକୁମ୍‌ହଜୁର ।’’ ସାହେବ ପୁନଶ୍ଚ ପଚାରିଲେ,–‘‘ନୂଆ କୁଲିମାନଙ୍କ ମଧ୍ୟରେ ଏହିପରି ପିଲା ଆଉ କେତେଜଣ ଅଛନ୍ତି ?’’ ଭୀମ କହିଲା–‘‘ନା, ହଜୁର, ଆଉ ପିଲା ନାହାନ୍ତି–ଏକା ଏହି ଗୋଟିକ ।’’ ସାହେବ ଆଉ କିଛି ନ କହି ବୁଲିବାକୁ ଚାଲିଗଲେ । ନ୍ୟାୟ ବିଚାରରେ ଏବଂ ଦୟାରେ ଏହି ସାହେବ ଏକା ସ୍ୱର୍ଗ ଜୟକରିବାକୁ କ୍ଷମ ।

 

ସାହେବଙ୍କ କଥା ଶୁଣି ମଧୁର ଆଖି ଆଗରେ ଗୋଟାଏ ନୂତନ ଜଗତ ଦେଖାଗଲା, ତାହାର ରୁଦ୍ଧ ଆଶା ଦ୍ୱାରା ମୁକୁଳା ହୋଇଗଲା ଏବଂ ଅଦୃଷ୍ଟ ବିଫଳତା ଆଡ଼ୁ ଫେରି ସଫଳତା ଆଡ଼କୁ ଅଗ୍ରସର ହେବାକୁ ଲାଗିଲା । ଆନନ୍ଦର ଆତିଶଯ୍ୟରେ ସେ କାନ୍ଦିପକାଇଲା । ଦୁଃଖର ଦୃଷ୍ଟିରୋଧୀ ଅନ୍ଧକାର ପରେ ଜ୍ୟୋତ୍ସ୍ନାର ସ୍ୱଚ୍ଛ ଆଲୋକ ଦେଖିଲେ କାହାର ହୃଦୟ ବା ଆନନ୍ଦାମୃତଧାରାରେ ଅଭିଷକ୍ତ ନହୁଏ ? ନେତ୍ରର ଅଶ୍ରୁଝର କେବଳ ଦୁଃଖରେ ଉନ୍ମୁକ୍ତ ହୋଇଯାଏ-। କୁଲିମାନଙ୍କ ମଧ୍ୟରେ ଦେବପ୍ରାଣ ସାହେବଙ୍କ ନାମରେ ଧନ୍ୟ ଧନ୍ୟ ପଡ଼ିଗଲା । ଭୀମର ଆନନ୍ଦ କହିଲେ ନସରେ; ସେ ଆନନ୍ଦରେ ଆତ୍ମବିସ୍ମୃତ । ଏଣେ ସାହେବଙ୍କ ହୃଦୟରେ ଆଜି ଅନ୍ୟ ଚିନ୍ତା ସ୍ଥାନ ପାଇଲାନାହିଁ । ସେ ଭ୍ରମଣ କରୁକରୁ ମନେ ମନେ ଭାବିବାକୁ ଲାଗିଲେ, – ଆହା ବାଳକଟି କି ମାନସିକ ଯନ୍ତ୍ରଣା ଭୋଗ କରୁନଥିବ । ଦୁର୍ବୃତ୍ତ ନରପିଶାଚ ତାହାକୁ କେତେ ପ୍ରଲୋଭନ ଦେଖାଇ, କେତେ ସ୍ନେହ ଦେଖାଇ ଭୁଲାଇ ଆଣିଥିବ । ଦୁର୍ଜନର ଶତ୍ରୁତାଠାରୁ ତାହାର ସ୍ନେହ ଭୟାନକ । ମୃଗତୃଷ୍ଣା ଦ୍ୱାରା ମୃଗଶିଶୁପ୍ରାୟ ବାଳକଟି ଦୁଷ୍ଟ ଆଡ଼କାଟିଦ୍ୱାରା ଭୀଷଣ ଭାବରେ ପ୍ରତାରିତ ହୋଇଅଛି । ପାଷଣ୍ଡ ପରଭାଗ୍ୟ ଭାଙ୍ଗି ନିଜ ଭାଗ୍ୟ ଗଢ଼ିବାକୁ ବସିଅଛି,–ପରକୁ ଦୁଃଖ ଦେଇ ନିଜେ ସୁଖଭୋଗ କରିବାର ପ୍ରୟାସ କରିଅଛି; ମାତ୍ର ଜାଣେ ନାହିଁ,–ସୁଖ ଯେ ବଡ଼ ଚପଳ ଏବଂ ପିଚ୍ଛଳ, ଧରୁଁ ଧରୁଁ ସେ ଖପଡ଼ି ଚାଲିଯାଏ । ମୋହଭ୍ରାନ୍ତ ମାନବ କେତେଦିନ ପାଇଁ କେତେକଥା କରିଯାଏ । ସଂସାରରେ ପାପର ଭୟ ନଥିଲେ ସେ ଆଉ କଅଣ କରିନପାରନ୍ତା ? ଏଭଳି ପଶୁ ପୁଣି ମାନବ-ଔରସରେ ମାନବୀ-ଗର୍ଭରେ ଜନ୍ମଗ୍ରହଣ କରନ୍ତି । ଅର୍ଥ ଲୋଭରେ ଏଡ଼େ ବଡ଼ ମହା ପାପ କି ଧର୍ମ ସହିବ ? ନିଜ ସକାଶେ-ଆଶ୍ରିତପୋଷଣ ସକାଶେ ଏବଂ ଦେଶ ହିତ ସକାଶେ ସଦୁପାୟରେ ଅର୍ଥାର୍ଜ୍ଜନ କରିବା ବିଧାତାଙ୍କର ମଙ୍ଗଳ ଆଦେଶ; ମାତ୍ର ଅସଦୁପାୟରେ ଅର୍ଥାର୍ଜ୍ଜନ ସେହି ପବିତ୍ର ଆଦେଶର ଅବମାନନା ସିନା । ତାହା ପୌରୁଷ ନୁହେଁ, ପାପ । ମାଟିର ଅର୍ଥ ମାଟିରେ ପଡ଼ିରହିବ; ମାତ୍ର ଅସଦୁପାୟରେ ଅର୍ଥୋପାର୍ଜ୍ଜନ ଜନିତ ପାପ କେବଳ ସଙ୍ଗରେ ଯିବ-। ଏ ସଂସାର ଅପଦେବତାର ସୃଷ୍ଟି ନୁହେଁ ଯେ, ମହାପାପକରି ହସି ହସି ପାର ହୋଇଯିବ । ହାୟ, ବାଳକଟିରୁ ପିତାମାତା କି କଲବଲ ହେଉ ନ ଥିବେ ! ତାଙ୍କ ହୃଦୟରେ ଶୋକର ଯେଉଁ ଉଗ୍ରଦାବାନଳ ପ୍ରଜ୍ୱଳିତ ହେଉଥିବ, ତାହାର ତାପ କି ପୁତ୍ରହର୍ତ୍ତାର ଇହପରକାଳ ଦଗ୍‌ଧ କରିବ ନାହିଁ-? ଯଦି ତାହା ନ ହୁଏ, ତେବେ ଏ ସଂସାର ମିଥ୍ୟା, ଧର୍ମ ମିଥ୍ୟା ଏବଂ ଈଶ୍ୱର ସୁଦ୍ଧା ମିଥ୍ୟା, ଏମନ୍ତ କି କୌଣସି କୌତୁକୀ ଦୁଷ୍ଟ ପିଶାଚର କପୋଳକଳ୍ପନାର ବ୍ୟର୍ଥ ପରିହାସ ମାତ୍ର । ହାୟ ସତ୍ୟ, - ହାୟ ଧର୍ମ, - ହାୟ ନ୍ୟାୟ, ତୁମ୍ଭେ ଏହା ନିର୍ବିକାର ଚିତ୍ତରେ ସହିବଟି କି ? ତାହା ହେଲେ ତୁମ୍ଭର ଦେବତ୍ୱ, ଶ୍ରେଷ୍ଠତ୍ୱ ଏବଂ ବିଶେଷତ୍ୱ କେଉଁଠାରେ ? ଦୁରନ୍ତ ବ୍ୟାଧ ଅଲକ୍ଷ୍ୟରେ ପକ୍ଷି-କୁଲାୟରୁ ଶାବକ ହରଣକଲେ, ମଣି-ଫଣ ସର୍ପର ଫଣାରୁ ମଣିହରଣ କଲେ କିମ୍ବା କୃପଣର ଧନ ଚୋର ଘେନିଗଲେ, ସେମାନେ ଯେପରି ଛଟପଟ ହୁଅନ୍ତି, ବାଳକଟିର ପିତାମାତା ସେହିପରି ହେଉଥିବେ ସିନା । ଅଥବା ଏହି ଅସହନୀୟ ଶୋକରେ ସେମାନେ ପ୍ରାଣତ୍ୟାଗ କରିଥିବେ, ତାହା କିଏ କହିପାରେ ? ଯାହାହେଉ ସେହି ଘୃଣ୍ୟ ନରାଧମକୁ ଉପଯୁକ୍ତ ଉତ୍କଟ ଶିକ୍ଷା ଦେବା ଆବଶ୍ୟକ-। ନଚେତ୍‌ନ୍ୟାୟ ଧର୍ମର ମସ୍ତକରେ ପଦାଘାତ କଲାପରି ହେବ ଏବଂ ମୋତେ ମଧ୍ୟ ପାପଭାଗୀ ହେବାକୁ ପଡ଼ିବ । ଏହିପରି ନାନା କଥା ଭାବି ଭାବି ସାହେବ ବଙ୍ଗଳାକୁ ଫେରି ଆସିଲେ ।

 

ଯଥା ସମୟରେ ଭୀମ ମଧୁକୁ ନେଇ ସାହେବଙ୍କ ପାଖରେ ହାଜର କଲା । ମାତୃ ଅଙ୍କରେ ଶିଶୁପ୍ରାୟ ସାହେବ ଆରାମୀ ଚୌକୀର ଆରାମପ୍ରଦ କୋଳରେ ଅର୍ଦ୍ଧଶାୟିତ ଏବଂ ଅର୍ଦ୍ଧ ଉପବିଷ୍ଟ ଭାବରେ ଖଣ୍ଡେ ଖବର କାଗଜ ପଢ଼ୁଥିଲେ । ଭୀମ ଏବଂ ମଧୁକୁ ଦେଖି କାଗଜ ଖଣ୍ଡ ରଖିଦେଇ ସଳଖ ହୋଇ ବସିଲେ । ଭୀମ ସଲାମ କରି କିଛି ଦୂରରେ ଠିଆ ହେଲା । ମଧୁ ମଧ୍ୟ ଗୋଟାଏ ସଲାମ କଲା । ବାଟରେ ଆସିଲାବେଳେ ସେ ଭୀମଦ୍ୱାରା ଏହିରୂପ ଦୀକ୍ଷିତ ହୋଇଥିଲା-। ସାହେବ କିଛିକ୍ଷଣ ମଧୁକୁ ଆପାଦମସ୍ତକ ନିରୀକ୍ଷଣ କରି ବସିବାକୁ ଆଦେଶକଲେ । ମଧୁ ବସିଲା ପରେ ସାହେବ ପଚାରିଲେ, ‘‘ତୋର ନାମ କଅଣ ।’’

 

ମଧୁ–ମୋର ନାମ ମଧୁ ।

ସାହେବ–କଅଣ ମଧୁ ?

ମଧୁ–ହଁ, ହଜୁର ।

 

ସାହେବ–ହଁ, ଖୁବ୍‌ଭଲ ନାମ । ଆଛା, ଭଲ ପିଲା, ଆଡ଼କାଟି ତୋତେ କଅଣ କହି ଭୁଲାଇ ଆଣିଲା ?

 

ମଧୁ ଆଡ଼କାଟିର କୀର୍ତ୍ତିକାହାଣୀ କ୍ରମେ କ୍ରମେ ସବୁ କହିବାକୁ ଲାଗିଲା । ସାହେବ ଅବିହିତ ହୋଇ ଶୁଣୁଥାଆନ୍ତି । କହୁଁ କହୁଁ ଯେତେବେଳେ ମଧୁର ନେତ୍ର ଅଶ୍ରୂସଜଳ ହୋଇଆସେ, କମ୍ପିତକଣ୍ଠ ବାଷ୍ପରୁଦ୍ଧ ହୋଇଯାଏ, ସେତେବେଳେ ସାହେବ ଅଭୟ ପ୍ରଦାନ କରି କହନ୍ତି,–‘‘କିଛି ଭୟ ନାହିଁ ମଧୁ କହିଯା ।’’ ମଧୁ ସାହସ ପାଇ ପୁଣି କହିଯାଏ । ସାହେବ ଆଶ୍ଚର୍ଯ୍ୟ ଦୃଷ୍ଟିରେ ତାହା ମୁହଁକୁ ଅନାଇ ରହିଥାଆନ୍ତି । ଟଙ୍କାଗଛ କଥା ଶୁଣି ସାହେବ ଟିକିଏ ହସି ଉଠିଲେ; ମାତ୍ର ମଧୁ ତାହା ଜାଣିପାରିଲା ନାହିଁ । ସିଦ୍ଧ ବାବାଜି ବେଶଠାରୁ ଚା’ ବଗିଚାରେ ଉପସ୍ଥିତ ପର୍ଯ୍ୟନ୍ତ ସବୁ କଥା ସେ ବିସ୍ତୃତ ଭାବରେ କହିଗଲା । ବାବାଜି ପ୍ରତି ତାହାର ଆନ୍ତରିକ ଭକ୍ତି ଏବଂ ତାହା ପ୍ରତି ବାବାଜିର କପଟ, ସ୍ନେହ, କିଛି ଲୁଚାଇଲା ନାହିଁ । ସାହେବ ସବୁ ଶୁଣିସାରି ଭାବିଲେ, ଓଃ ଧୂର୍ତ୍ତଲୋକର କି ଅଦ୍ଭୁତ ଚାତୁରୀ ! ଅଜ୍ଞାନ ବାଳକର କଥା କି ଛାର, ବୟୋଧିକ ଲୋକ ସୁଦ୍ଧା ତ ଏ ପ୍ରତାରଣାଜାଲ ଭେଦ କରିପାରିବ ନାହିଁ । ଭଗବାନ ମାୟାବୀମାନଙ୍କୁ ଛଳ କୌଶଳରେ ଯେରୂପ ନିପୁଣତା ପ୍ରଦାନ କରନ୍ତି, ଶୁଭ ବୁଦ୍ଧିରେ ସେରୂପ ନିପୁଣ କରନ୍ତି ନାହିଁ କାହିଁକି ?’’ ଏହିପରି ଭାବଁ ଭାବୁଁ ତାଙ୍କର ମୁଖ ଅଜ୍ଞାତ ପିତୃସ୍ନେହରେ ମଣ୍ଡିତ ହୋଇ ଆସିଲା, କରୁଣାରେ ନେତ୍ର ଆର୍ଦ୍ର ହୋଇ ଆସିଲା । ଏବଂ ତହିଁରୁ ସ୍ନେହ ଓ ଅନୁକମ୍ପାର ଲୋତକାମୃତ କେତେଟୋପା ଝରିପଡ଼ିଲା । ହାୟ ଭଗବାନ, ତୁମ୍ଭେ କେଉଁଠାରେ କାହାପାଇଁ କଅଣ ରଖିଥାଅ, ତାହା ଭାବିଲେ ଚିତ୍ତ ସ୍ତମ୍ଭୀଭୂତ ହୁଏ । ସୁଦୂରାଗତ ଜଣେ ଅପରିଚିତ ବ୍ୟକ୍ତିର ହୃଦୟରେ ବିପନ୍ନ ବାଳକ ପ୍ରତି ଏ ସ୍ୱର୍ଗଦୁର୍ଲ୍ଲଭ ସ୍ନେହ କାହୁଁ ଆସିଲା ? ଅପାର ତୁମ୍ଭର ମହିମା, ତାହା ଭାବିଲେ କ୍ଷୁଦ୍ର ନଗଣ୍ୟ ମାନବ-ହୃଦୟ ସ୍ୱତଃ ଭକ୍ତିରେ ଅବନତ ହୋଇଆସେ ।

 

ସାହେବ ମଧୁକୁ ପାଖକୁ ଡାକି ତାହା ପିଠିରେ ଅଭୟ ହାତ ବୁଲାଇଦେଇ କହିଲେ–ମଧୁ ତୋର କିଛି ଭୟ ନାହିଁ–ମୁଁ ତୋତେ ଖୁବ ଭଲରେ ରଖିବି । ଯେଉଁ ପାପିଷ୍ଟ ତୋତେ ଏତେ କଷ୍ଟ ଦେଲା ତାକୁ ଧରିଆଣି କଠିନ ଦଣ୍ଡ ଦେବି । ତୋତେ ଆଉ କୁଲିକାମ କରିବାକୁ ହେବନାହିଁ, ତୁ ବଡ଼ଘରର ପିଲା, ଖରାବର୍ଷା ତୋ ଦେହରେ ସହ୍ୟହେବ ନାହିଁ । ତୁ ମୋ ପାଖରେ ରହିବୁ, ତୋତେ ଖୁବ ସହଜ କାମ ଦିଆଯିବ । ତୁ ଭୀମସିଂହ ବସାରେ ତାହାରି ସଙ୍ଗରେ ରହିବୁ, ମାସରେ ଦଶ ଟଙ୍କା ଖୋରାକି ପାଇବୁ, ଏହା ଛଡ଼ା ତୋତେ ଭଲ ଲୁଗା ଜାମା ଏବଂ ଜୋତା କିଣି ଦିଆଯିବ-। ତୋର କିଛି କଷ୍ଟ ହେବନାହିଁ, ତୁ ଆଉ କାନ୍ଦିବୁ ନାହିଁ କି ମନରେ ଦୁଃଖ କରିବୁ ନାହିଁ । କେତେ ବର୍ଷ ଗଲେ ତୋତେ ତୋ ଘରପାଖକୁ ପଠାଇ ଦେବି–ମୋର ଲୋକ ଯାଇ ତୋତେ ଛାଡ଼ିଆସିବ । ଏବେ ତୁ ବସାକୁ କାଲିଠାରୁ ଆସି ମୋ ପାଖରେ କାମ କରିବୁ । ଏହା ଶୁଣି ମଧୁ ଏବଂ ଭୀମ ସାହେବଙ୍କୁ ସଲାମ କରି ବସାକୁ ଫେରିଗଲେ । ସାହେବଙ୍କର ଏ ଅପାର୍ଥିବ ଅନୁଗ୍ରହ ଦଣ୍ଡକ ମଧ୍ୟରେ କୁଲି ସମାଜରେ ରାଷ୍ଟ୍ର ହୋଇଗଲା । ସମସ୍ତେ ସାହେବଙ୍କୁ ଧନ୍ୟ ଧନ୍ୟ କହିଲେ ।

 

କେତେ କ୍ଷଣ ପରେ ଏଜେଣ୍ଟ ଆସି ଉପସ୍ଥିତ ହେଲା । ସେ ଗୋଟାଏ ଅଦ୍ଭୁତ ଜୈବିକ ପଦାର୍ଥ, ବର୍ଣ୍ଣ ଗୌର ନୁହେଁ କିମ୍ବା କୃଷ୍ଣ ନୁହେଁ ଅଥବା ଗୌର କୃଷ୍ଣ ମିଶାମିଶି ନୁହେଁ । ପ୍ରକାଣ୍ଡ ପେଟ ଧାନ-ଓଳିଆର ସଂସ୍କରଣ ବିଶେଷ । ଦନ୍ତ କେତେଟା ମାତ୍ର ଅବଶିଷ୍ଟ ଅଛି, ଠିକ ଯେପରି ଅଙ୍ଗଦର ବଂଶଧର । ଗୋଟାଏ ଚକ୍ଷୁ ଇହ ସଂସାରରୁ ବିଦାୟ ନେଇଅଛି, ଗୋଟାଏ ମାତ୍ର ରହି ମୁଖଚନ୍ଦ୍ରମାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଅଛି । ବୋଧହୁଏ ଚିରକର୍ମକ୍ଳାନ୍ତ ବିଧାତା କ୍ଳାନ୍ତି ଭୁଲିବାପାଇଁ ଏହି ବିକଟ ବ୍ୟଙ୍ଗମୂର୍ତ୍ତି ନିର୍ମାଣ କରିଅଛି । ତାହା ଉପରେ ଦୃଷ୍ଟି ପଡ଼ିବାମାତ୍ରେ ସାହେବ କ୍ରୋଧରେ ଅଗ୍ନିଶର୍ମା ହୋଇ କର୍କଶ ସ୍ୱରରେ କହିଲେ–‘‘ତୁ କଣା ବଡ଼ ବଦମାସ ।’’ ବୋଧହୁଏ ଲୋକଟା ବାରବେଳାରେ ମାଟିଆ ଚିଲ ମୁଁହ ଚାହିଁ ଘରୁ ଅନୁକୂଳ କରି ଆସିଥିଲା । ଅଥଚ ନିଜେ ତ ଗୋଟାଏ ଅମଙ୍ଗଳ ପଶରା ନିଜର ସୁନ୍ଦର ମୂର୍ତ୍ତିଟି ଦର୍ପଣରେ ଦେଖି ଘରୁ ବାହାରି ଥିଲା । ସାହେବଙ୍କଠାରୁ ଏଭଳି ଶୁଭ ଅଭ୍ୟର୍ଥନା ପାଇ ଥରି ଥରି ଅସ୍ପଷ୍ଟ ସ୍ୱରରେ ଖନା ପରି କଅଣ କହିଲା, ତାହା ଦେବଧର୍ମକୁ ଗୋଚର । ସାହେବ ସେଥିରୁ ଗୋଟିଏ ବର୍ଣ୍ଣ ସୁଦ୍ଧା ବୁଝି ନପାରି ପୁନଶ୍ଚ କହିଲେ–‘‘ତୁ କଅଣ କହୁଛୁ ତାହା ଜୀବିତ ଲୋକର ଭାଷା କି ପ୍ରତିଲୋକର ଭାଷା, କିଛି ବୁଝି ହେଉନାହିଁ, ଯାହା କହୁଛୁ ସ୍ପଷ୍ଟଭାବରେ କହ ।’’ ତହୁଁ ସେ ଭୟବିନମ୍ର ସ୍ୱରରେ କହିଲା–‘‘ହଜୁର, ମୋର ଅପରାଧ କଅଣ ?’’ ସାହେବ କହିଲେ–‘‘ତୁ ତ ଏକଆଖିଆ ଶୁକ୍ର, ଗୋଟାଏ ଆଖିରେ ନିଜର ଅପରାଧ କେତେ ଦେଖିପାରିବୁ ? ଆହା ଧୋଇଲା ମୂଳା ନିର୍ଦୋଷ ପ୍ରତିମାରେ ! ତୁ ଯେ ଜଣେ ବଡଲୋକର ପିଲାକୁ ଠକାଇଆଣି କୁଲିଶ୍ରେଣୀରେ ଭର୍ତ୍ତି କରିଛୁ, ସେଟା ତୋର ଗୁଣ ପରା ! ପୁଣି ଫାର୍ମ ପୂର୍ଣ୍ଣ ହୋଇଛି, ତାହାର କେହି ନାହିଁ, ସେ ମାଗିଖିଆ ଲୋକ ।’’ ଏଜେଣ୍ଟପୂଙ୍ଗବ ବିସ୍ମୟରେ ଜିହ୍ନା ଦଂଶନ କରି କହିଲା–‘‘ହଜୁର, ମୁଁ କିଛି ଜାଣେନାହିଁ, ବୋଧହୁଏ ଦୁର୍ଭାଗ୍ୟବଶତଃ ମୁଁ ଗୋଟାଏ ପ୍ରତାରକ ଦ୍ୱାରା ନିଷ୍ଠୁର ଭାବରେ ପ୍ରତାରିତ ହୋଇଅଛି ।’’ ସାହେବ ଆହୁରି ଚଢ଼ି ଉଠିକହିଲେ–‘‘ତୁ କିଛି ଜାଣୁନାହିଁ, କାଣୀ ବିରାଡ଼ି ଆଖି ବୁଜି ଦୁଧ ପିଏ ପରା ! ଆଛା ତେବେ ଏହା କାହାର କାର୍ଯ୍ୟ ତାକୁ ଆଣି ହାଜର କର, ମୁଁ ତାକୁ ଫୌଜଦାରୀରେ ପକାଇବି । ନଚେତ୍‌ତୁ ଫୌଜଦାରୀରେ ପଡ଼ିବୁ ।’’ ଶୁକ୍ରାଚାର୍ଯ୍ୟ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ଗୁଣକଷା ଧନୁପରି ନଇଁ ପଡ଼ି ହାତ ଯୋଡ଼ି କହିଲା–ଯେ ହୁକୁମ ହଜୁର ।’’ ସାହେବ ତାହାର ଅବସ୍ଥା ଦେଖି କଷ୍ଟରେ ହାସ୍ୟସମ୍ବରଣପୂର୍ବକ କହିଲେ ‘‘ଯେ ହୁକୁମ ନୁହେ, ସେ ପାପିଷ୍ଠକୁ ଓ୍ୟାରଣ୍ଟ ଦ୍ୱାରା ବାନ୍ଧିଆଣି ମାସକ ମଧ୍ୟରେ ହାଜର କର, ଯାହା ଖର୍ଚ୍ଚ ଲାଗିବ ତାହା ଦିଆଯିବ । ଏଜେଣ୍ଟ ଏହା ଶୁଣି ସାହେବଙ୍କୁ ବାରମ୍ବାର ସଲାମ କରି ହଜୁର ଗରିବର ମା ବାପ ବୋଲି କହି ବାଘ ମୁହଁରୁ ଛାଗ ଦୈବାତ୍‌ ଉଦ୍ଧାର ପାଇଲେ ଯେପରି ଏକମୁହାଁ ହୋଇ ପଳାଇଯାଏ ସେହିପରି କ୍ଷିପ୍ରଗତିରେ ବାହାରି ଚାଲିଗଲା ।

 

ମଧୁ ସାହେବଙ୍କ ପାଖରେ ସୁଖରେ ଅଛି । ଆନନ୍ଦରେ ତାହାର ଦିନ କଟିଯାଉଅଛି । ନୀତି ଶାସ୍ତ୍ରରେ ଅଛି, ହୀନସେବା ନ କର୍ତ୍ତବ୍ୟା କର୍ତ୍ତବ୍ୟୋ ମହାଦାଶ୍ରୟଃ ।’’ ଈଶ୍ୱର ତାହାକୁ ମହଦାଶ୍ରୟ ଯୋଗାଇ ଦେଇଅଛନ୍ତି, ସୁତରାଂ ତାହାର ଚିନ୍ତା କଅଣ ? ସାହେବ ଖେଳିବାକୁ ଯିବା ସମୟରେ ସେ ବଲ୍‌ ଘେନି ତାଙ୍କ ସଙ୍ଗରେ ଯାଏ–ଶିକାର ଯାତ୍ରା ସମୟରେ ବନ୍ଧୁକ ବାହକ ହୁଏ, ବିଜ୍ଞାନ-ଚର୍ଚ୍ଚାବେଳେ ସାହେବଙ୍କୁ ଆବଶ୍ୟକ ଯନ୍ତ୍ରପାତି ଆଣିଦିଏ, ଏବଂ ତାହା ଯଥା ସ୍ଥାନରେ ନେଇ ସଜ୍ଜିତ କରି ରଖେ, ଏହିପରି କେତେଟା ସହଜ କାର୍ଯ୍ୟର ଭାର ତାହା ଉପରେ ନ୍ୟସ୍ତ ଅଛି । ଏହିସବୁ କାର୍ଯ୍ୟକୁ ସେ ଖେଳ କୌତୁକପରି ମଣି ଅବଲୀଳାକ୍ରମେ ତାହା ସମ୍ପାଦନ କରେ; କିନ୍ତୁ ଶିକାର ପ୍ରତି ତାହାର ଅନୁରାଗ ସମଧିକ । ସେ କ୍ଷତ୍ରିୟ ସନ୍ତାନ, ପାରିଧି ତାହାର ବଂଶଗତ ସହଜାତବିଦ୍ୟା । ଅତଃ ସେ ପାରିଧିପ୍ରିୟ ନ ହେବ ବା କାହିଁକି ? ସାହେବ ତାହାର ଆଗ୍ରହ ଦେଖି ତାହାକୁ ଆଗ୍ନେୟାସ୍ତ୍ର ଚାଳନର କୌଶଳ ସ୍ୱହସ୍ତରେ ଶିକ୍ଷା ଦେବାକୁ ଲାଗିଲେ । କିଛିଦିନ ମଧ୍ୟରେ ସେ ପ୍ରବୀଣ ମୃଗୟୁ ପରି ଯୋଗ୍ୟତା ଲାଭକଲା । ଶିଷ୍ୟର ପ୍ରତିଭା ଦେଖି ଗୁରୁଙ୍କର ଚକ୍ଷୁ ସ୍ଥିର ହୋଇଗଲା । ସାହେବ ତାକୁ ଅଧିକତର ସ୍ନେହନେତ୍ରରେ ଦେଖିଲେ । ଶିକାରରେ ସେ ସାହେବଙ୍କୁ ବଳିଗଲା । ଶିଷ୍ୟ ଏବଂ ପୁତ୍ର ମଧ୍ୟରେ କିଛି ପ୍ରଭେଦ ନାହିଁ, ପୁତ୍ରର ଯୋଗ୍ୟତା ଦର୍ଶନରେ କେଉଁ ପିତା ଆନନ୍ଦିତ ନହୁଏ ? ଶିଷ୍ୟଠାରେ ଗୁରୁ ବିଦ୍ୟାରେ ପରାଜିତ ହେଲେ ଅନିର୍ବଚନୀୟ ଶ୍ଳାଘା ଅନୁଭବ କରନ୍ତି । ସେ ପରାଜୟ ବଡ଼ ମଧୁର ଏବଂ ଆନନ୍ଦପ୍ରଦ । ତାହା ପରାଜୟ ନୁହେଁ,–ଜୟଠାରୁ ମୂଲ୍ୟବାନ୍‌ । ମହାବୀର ପର୍ଶୁରାମ ପ୍ରିୟ ଶିଷ୍ୟ ଭୀଷ୍ମଙ୍କ ନିକଟରେ ଏବଂ କୁରୁଗୁରୁ ଦ୍ରୋଣ ମହେଷ୍ୱାସ ଅର୍ଜନଙ୍କ ନିକଟରେ ପରାଜିତ ହୋଇ ନିଜକୁ ପରମଗୌରବାନ୍ୱିତ ମଣିଥିଲେ । ଯେଉଁ ଶିଷ୍ୟ ଗୁରୁଙ୍କ ପରାଜୟ କରିବାକୁ କ୍ଷମ ସେ ଶିଷ୍ୟ ଧନ୍ୟ ଏବଂ ସେ ଗୁରୁ ଭାଗ୍ୟଧର । ଯେଉଁ ପିତାର ପୁତ୍ର ଯୋଗ୍ୟତର, ସେ ପିତାର ଜୀବନ ସାର୍ଥକ ଏବଂ ସେହି ଏକା ଅପାର୍ଥିବ ସୁଖାନନ୍ଦର ଅଧିକାରୀ, ଆଉ ଯେଉଁ ପୁତ୍ର ପିତାର ସମକକ୍ଷ ହେବା ଦୂରେ ଥାଉ ପିତୃନାମ ରକ୍ଷାରେ ଅସମର୍ଥ, ତାହାର ଗର୍ଭଧାରଣୀ ବନ୍ଧ୍ୟା-ଦୋଷରୁ ମୁକ୍ତ ନୁହେଁ ।

 

ପୂର୍ବୋକ୍ତ ଏଜେଣ୍ଟ ଦିନେ ଗଜେନ୍ଦ୍ରଗତିରେ ଆସି ସାହେବଙ୍କୁ ସଲମ କରି ବୃକ୍ଷଚର ଜନ୍ତୁବିଶେଷତୁଲ୍ୟ ଅସଂଲଗ୍ନଦନ୍ତବିସ୍ତାରପୂର୍ବକ କହିଲା, ‘‘ହଜୁର, ପାପର ପ୍ରାୟଶ୍ଚିତ୍ତ ହୋଇଯାଇଅଛି । ଯେଉଁ ପ୍ରତାରକ, ଲୋକଟା ମୋତେ ବିପଦସାଗରକୁ ପେଲିଦେଇଥିଲା, ମୁଁ କଲିକତାରୁ ତାହା ନାମରେ ଓ୍ୟାରଣ୍ଟ ବାହାର କଲି; ମାତ୍ର ସେ ତତ୍‌ପୂର୍ବରୁ ଜାହାଜରେ ବାହାରି ଯାଇଥିବାରୁ ପୁନଶ୍ଚ ପୋଲିସ ଦ୍ୱାରା ହୁଲିଆଜାରି କରିବାକୁ ହେଲା । ପୋଲିସ ବହୁ ଅନୁସନ୍ଧାନ ଦ୍ୱାରା ତାହାର ତଥ୍ୟ ସଂଗ୍ରହ କରି ଆଣିଅଛି ।’’ ଏହା କହି ତାଡ଼େ କାଗଜ ସାହେବଙ୍କ ଟେବଲ ଉପରେ ରଖିଦେଲା । ସାହେବ କହିଲେ, ‘‘ମୋର ତାହା ପଢ଼ିବାକୁ ସମୟ ନାହିଁ, ତୁ ସଂକ୍ଷେପରେ ସବୁ କଥା କହି ଯା ।’’ ତହୁଁ ଏଜେଣ୍ଟପ୍ରବର କହିଲା,- ‘‘ସେ ଲୋକଟାର ନାମ ଧତେଇ ଶେଠୀ, ସେ ଜାତିରେ ଧୋବା । ତାହାର ଘର ବାଲେଶ୍ୱର ଜିଲାର ଖଣତାପଡ଼ା ଗ୍ରାମ ନିକଟରେ, କିନ୍ତୁ ସେ ମୋତେ କହିଥିଲା–ତାହାର ନାମ ଧତୁରାମ ଶେଠୀ, ଘର ପଶ୍ଚିମାଞ୍ଚଳରେ ଠିକ ପଶ୍ଚିମାପରି କଥା କହୁଥିବାରୁ ମୁଁ ମଧ୍ୟ ତାହା କଥାରେ ବିଶ୍ୱାସ କରିଥିଲି । ସେ ଜଣେ ପ୍ରସିଦ୍ଧ ଡକାଏତ, ଦୁଇ ଥର ଧରାପଡ଼ି ଦଣ୍ଡ ପାଇବାରୁ ଡକାଏତି ଛାଡ଼ି କୁଲି ସଂଗ୍ରହ କରୁଥିଲା । ତାହାର ସଙ୍ଗିମାନେ ତାହାର ପ୍ରତିବେଶୀ । ସ୍ତ୍ରୀ ବ୍ୟତୀତ ସଂସାରରେ ତାହାର ଆଉ କେହି ନଥିଲା । ସ୍ତ୍ରୀ ସୁଦ୍ଧା ତାହାର କୁଲି ସଂଗ୍ରହ କାର୍ଯ୍ୟରେ ସହାୟତା କରି ସହଧର୍ମିଣୀନାମ ସାର୍ଥକ କରିଥିଲା; କିନ୍ତୁ ବର୍ଷେ ହେଲା ସ୍ତ୍ରୀ ରତ୍ନଟି ଗୋଟାଏ ପର୍ବତ ଗୁମ୍ଫାରେ ଥିବା ସମୟରେ କାଳଗ୍ରାସରେ ପତିତ ହୋଇଅଛି । ଧୂର୍ତ୍ତ ଧତେଇ ଏବଂ ତାହାର ସଙ୍ଗୀମାନେ ନାନାବେଶ ଧରି ଉଦ୍ଦେଶ୍ୟ ସାଧନ କରନ୍ତି । କେତେବେଳେ ଜମାଓତ ବେଶ, କେଉଁଠାରେ ସୌଦାଗର ବେଶ ଏବଂ କେବେ ବା ସିଦ୍ଧ ବାବାଜି ବେଶ ଧରି ନିରୀହ ସରଳ ପଲ୍ଲୀବାସୀମାନଙ୍କୁ ପ୍ରତାରଣା କରନ୍ତି । କଲିକତାରୁ ନାନାପ୍ରକାର କବିରାଜୀ ଔଷଧ ଏବଂ ଛଦ୍ମବେଶର ଉପକରଣ କିଣିନେଇ ଗ୍ରାମେ ଗ୍ରାମେ ବୁଲି ଏହି ମହାପାପ ବ୍ୟବସାୟରେ ଅର୍ଥୋପାର୍ଜନ କରନ୍ତି । ମୋଫସଲର ସରଳ-ବିଶ୍ୱାସୀ ନିରକ୍ଷର ଲୋକମାନେ ଏହି ପାପିଷ୍ଠଗଣର ପ୍ରତାରଣରେ ପଡ଼ି ସ୍ୱୀୟ ଜୀବନ ବିପନ୍ନ କରନ୍ତି । ଏହି ଶେଷ ଥର ସେମାନେ କଲିକତାରେ କୁଲି ଛାଡ଼ିଦେଇ ବାଲେଶ୍ୱରଗାମୀ ସୁଲୁପରେ ଘରକୁ ଫେରି ଯାଉଥିଲେ । ଦୈବାତ୍‌ ସୁଲୁପ ଭୟଙ୍କର ତୋଫାନରେ ଜଳମଗ୍ନ ହେବାରୁ ଧତେଇ ଏବଂ ତାହାର ସଙ୍ଗୀମାନେ ସମୁଦ୍ରର ଅତଳଗର୍ଭରେ ଜୀବନ୍ତ ସମାଧି ଲାଭ କରିଅଛନ୍ତି । ଆସାମୀ ଅଭାବରେ ଆଉ ମୋକଦ୍ଦମା ଚଳିବାର ଉପାୟ ନାହିଁ-। ହଜୁର ଏହି ନଥୀ ଦେଖି ସତ୍ୟ ମିଥ୍ୟା ନିର୍ଦ୍ଧାରଣ କରନ୍ତୁ ।’’ ସାହେବ କୌତୁହଳୀ ହୋଇ ନଥୀ ପାଠକରି ଜାଣିଲେ, ଏଜେଣ୍ଟର କଥା ଯଥାର୍ଥ । ତହୁଁ ଉଚ୍ଚହାସ୍ୟରେ କହିଲେ,- ‘‘ଦୁର୍ଜନମାନେ ଉପର ଅଦାଲତର ଓ୍ୟାରଣ୍ଟରେ ଧରା ହୋଇଯାଇଅଛନ୍ତି, ସେହିଠାରେ ସେମାନଙ୍କର ଚୂଡ଼ାନ୍ତ ବିଚାର ହୋଇଥିବ; ସୁତରାଂ ଆଉ ତଳ ଅଦାଲତର କି ପ୍ରୟୋଜନ ? ମାନବ ଅଦାଲତରେ ଅପେକ୍ଷାକୃତ ଲଘୁଦଣ୍ଡ ହୋଇଥାଆନ୍ତା; ମାତ୍ର ଦେବଅଦାଲତରେ ପ୍ରାଣଦଣ୍ଡ ହେଲା । ହେ ଈଶ୍ୱର, ତୁମ୍ଭ ରାଜ୍ୟରେ ପାପୀର ଏହିପରି ଅମୋଘ ଶାସ୍ତି ହୁଏ । ପାପୀ କେତେ ସଂଗୋପନରେ ଏବଂ କେତେ ସତର୍କତାରେ ପାପକାର୍ଯ୍ୟ କଲେହେଁ ତୁମ୍ଭ ସର୍ବଦର୍ଶୀ ଚକ୍ଷୁରେ ଧୂଳିନିକ୍ଷେପ କରିପାରେ ନାହିଁ । ପାପର ଦଣ୍ଡ ତୁମ୍ଭେ ଯଥାସମୟରେ ପ୍ରଦାନ କର । ଏହା ହେଉନଥିଲେ ଏ ସଂସାର ଜଘନ୍ୟ ମହାନରକରେ ପରିଣତ ହୋଇ କେଉଁ କାଳରୁ ନିଜର ଅସ୍ତିତ୍ୱ ହରାଇ ସାରିଥାଆନ୍ତା । ତୁମ୍ଭର ଅନନ୍ତ ମହିମାକୁ ଲକ୍ଷକୋଟି ନାମସ୍କାର ।’’ ସାହେବ ଏଜେଣ୍ଟଙ୍କୁ ଯଥେଷ୍ଟ ସାବଧାନ କରାଇ ବିଦାୟ ଦେଲେ । ସାହେବ ପୂର୍ବରୂପ ନ ଦେଖାଇବାରୁ ସେ ଦିନ ସେ ଆଉ ପରିଧେୟ ବସ୍ତ୍ରରେ ଅକର୍ମ କରି ବସ୍ତ୍ର ଅପବିତ୍ର କରିନାହିଁ । କେବଳ ନାକ କାନ ମୋଡ଼ି ହୋଇ କୃତଜ୍ଞତାଜ୍ଞାପନପୂର୍ବକ ପ୍ରସ୍ଥାନ କଲା । ମଧୁ ଏ କଥା ଶୁଣି ଏରୂପ ଆନନ୍ଦିତ ହେଲା ଯେ, ତାହାର ସେ ଆନନ୍ଦ ବର୍ଣ୍ଣନା କରିବାକୁ ଭାଷାରେ ବର୍ଣ୍ଣ ଯଥେଷ୍ଟ ହେବନାହିଁ । ବୋଧହୁଏ ସେ ବିଶାଳ ରୁଷସାମ୍ରାଜ୍ୟର ଚକ୍ରବର୍ତ୍ତିୀ ହୋଇଥିଲେ ଏ ଆନନ୍ଦର ସହସ୍ରାଂଶର ଏକାଂଶ ଆନନ୍ଦ ଲାଭକରିନଥାନ୍ତା । ଭୀମ ସିଂହ ଏବଂ କୁଲିମାନଙ୍କର ସୁଦ୍ଧା ଆନନ୍ଦର ସୀମା ରହିଲା ନାହିଁ । ସମସ୍ତଙ୍କର ପ୍ରାଣ ଆନନ୍ଦରେ ଉତ୍ସବିତ ହୋଇଉଠିଲା । ସାହେବ ଆନନ୍ଦରେ ବିଭୋର ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛନ୍ତି, ଏହି ସମୟରେ ଡାକପାଇକ ବିଡ଼ାଏ ଚିଠି ଆଣି ଟେବୁଲ ଉପରେ ରଖିଦେଲା । ସାହେବ ଚିଠିର ମୋହର ଦେଖି, ସର୍ବାଗ୍ରେ ଆମେରିକାର ଚିଠି ପଢ଼ନ୍ତି, ସେ ଦିନ ମଧ୍ୟ ତାହାହିଁ କଲେ । ଖଣ୍ଡିଏ ପତ୍ର ଖୋଲି ଦେଖିଲେ ତାହା ମଧ୍ୟରେ ପାଞ୍ଚଖଣ୍ଡ ଟିକଟ ଅଛି । ପତ୍ର ଖଣ୍ଡ ତାଙ୍କର ଜଣେ ବନ୍ଧୁ ଲେଖିଅଛନ୍ତି । ଆମେରିକାରେ ଖଣ୍ଡିଏ ବୃହତ୍‌ଜାହାଜ ସୁର୍ତ୍ତିରେ ଉଠିବ । ପ୍ରତି ଟିକଟର ମୂଲ୍ୟ ପାଞ୍ଚ ଟଙ୍କା । ସାହେବଙ୍କର ବନ୍ଧୁ ଟିକଟ ଗୁଡ଼ିକ ବିକ୍ରୟ କରିବା ସକାଶେ ଅନୁରୋଧ କରିଅଛନ୍ତି । ଚା ବଗିଚାର କର୍ମଚାରୀ ଚାରି ଜଣ ଖଣ୍ଡିଏ ଲେଖାଏଁ କିଣିଲେ ଏବଂ ଅବଶିଷ୍ଟ ଖଣ୍ଡକ ସାହେବ କୌତୁହଳ-ପରବଶ ହୋଇ ମଧୁ ନାମରେ କିଣି ଟଙ୍କା ପଠାଇ ଦେଲେ; ମାତ୍ର ମଧୁକୁ ସେକଥା କିଛି କହିଲେ ନାହିଁ । ଭାଗ୍ୟର ଏହି ଅଗ୍ନି ପରୀକ୍ଷାରେ ଯେ ଉତ୍ତୀର୍ଣ୍ଣ ହେବ, ସେ କୁବେର-ସମ୍ପତ୍ତି ଲାଭ କରିବ । ସାହେବ ପ୍ରତିପତ୍ର-ପ୍ରସ୍ତ୍ୟାଶାରେ ସେହି ଶୁଭଦିନ ପ୍ରତୀକ୍ଷାରେ ରହିଲେ ।

•••

 

ଉନବିଂଶ ପରିଚ୍ଛେଦ

 

ପାତ୍ରର ଛିଦ୍ର ଦେଇ ବିନ୍ଦୁ ବିନ୍ଦୁ ଜଳ ଝରିଲାପରି ଏକ ଦୁଇ କ୍ରମରେ ଦିନ ଗଡ଼ିଯିବାକୁ ଲାଗିଲା । ଦେଖୁଁ ଦେଖୁଁ ବର୍ଷେକାଳ ଅତିବାହିତ ହୋଇଗଲା । ଏହି ବର୍ଷକ ମଧ୍ୟରେ ସୃଷ୍ଟିର କେତେ ପରିବର୍ତ୍ତନ ହୋଇଯାଇଛି । ପରିବର୍ତ୍ତନ ଘେନି ଜଗତ; ସୁତରାଂ ପରିବର୍ତ୍ତନ ହିଁ ଜଗତର ପ୍ରାଣ । ପରିବର୍ତ୍ତନ ନଥିଲେ ଜଗତଟା ବଡ଼ କର୍ଣ୍ଣଭେଦୀ ବେସୁରିଆ ହୋଇ ମଉଜର ମରୁ ଶ୍ମଶାନ ହୋଇଥାଆନ୍ତା, ଅର୍ଥାତ୍‌ ଜଗତଟା ନିତାନ୍ତ ଗଦ୍ୟମୟ ଏବଂ ରସଶୂନ୍ୟ ହୋଇଥାଆନ୍ତା । ଜଗତର ପରିବର୍ତ୍ତନ ସଙ୍ଗେ ସଙ୍ଗେ ମଧୁର ମଧ୍ୟ ପରିବର୍ତ୍ତନ ଘଟିଅଛି । ବର୍ତ୍ତମାନ ସେ ଆଉ ଦୁରନ୍ତ ନିର୍ବୋଧ ମଧୁ ନୁହେଁ,–ତାହାର ଗୋଟାଏ ବିଶୁଦ୍ଧ ରାଜସଂସ୍କରଣ ହୋଇଯାଇଅଛି । କେବଳ ଆକୃତିରେ ନୁହେ,–ତାହାର ପ୍ରକୃତିରେ ମଧ୍ୟ ଘୋର ପରିବର୍ତ୍ତନ ଘଟିଅଛି । ଚଞ୍ଚଳତା ପରିବର୍ତ୍ତେ ଧୀରତା ତାହାକୁ ଆଲିଙ୍ଗନ କରିଅଛି ଏବଂ ମୁଖରେ ଗଭୀରତାର ରେଖାପାତ ହୋଇଅଛି । ସାହେବଙ୍କ ସହବାସ ଏହି ପରିବର୍ତ୍ତନର ମୂଳ କାରଣ । ଚନ୍ଦ୍ର-ସହବାସରେ ରାତ୍ରି ଉଜ୍ଜ୍ୱଳ ହୁଏ-ଚନ୍ଦନ ସବାବାସରେ ନିମ୍ବ ଚନ୍ଦନତ୍ୱ ପ୍ରାପ୍ତ ହୁଏ, ସେହିପରି ବିଜ୍ଞ ସହବାସରେ ମୂଢ଼ର ସୁଦ୍ଧା ପରିବର୍ତ୍ତନ ଘଟେ । କଥାରେ କହନ୍ତି–‘‘ସୁସଙ୍ଗ ସଙ୍ଗିତା ସୁନାର ଘଣ୍ଟ ଲମ୍ବିତା, କୁସଙ୍ଗ ସଙ୍ଗିତା, ମାଟିର ଘଣ୍ଟ ଲମ୍ବିତା ।’’ ଯେଉଁ ମଧୁର ଭାଗ୍ୟ ପଣ୍ୟଦ୍ରବ୍ୟ ହୋଇଥିଲେ ତାକୁ ଦିକଡ଼ାକୁ କେହି କିଣନ୍ତା ନାହିଁ, ସେହି ମଧୁର ସମ୍ପ୍ରତି କି ଆଶ୍ଚର୍ଯ୍ୟ ପରିବର୍ତ୍ତନ । ଦେହ-ଲିପ୍ତ କର୍ଦ୍ଦମ ଜଳରେ ଧୋଇଯାଏ; ମାତ୍ର ଚିତ୍ତଲିପ୍ତ କର୍ଦ୍ଦମ ସତ୍‌ସଙ୍ଗରେ ଧୋଇଯାଏ । ବାୟୁ ସ୍ୱଭାବତଃ ନିର୍ଗନ୍ଧ; ମାତ୍ର ଅନ୍ୟର ଗନ୍ଧରେ ଗନ୍ଧବାନ୍‌ ହୁଏ । ସହବାସ ଦ୍ୱାରା ଗୋଟାଏ ନୂତନ ଶକ୍ତି ଜାତି ହୁଏ । ଆଦର୍ଶ ଦେଖିବା ଅପେକ୍ଷା ଆଦର୍ଶର ଅନୁକରଣ ଅଧିକତର କଲ୍ୟାଣପ୍ରଦ ।

 

ସହବାସ ସମ୍ବନ୍ଧରେ ଗୋଟିଏ ସୁନ୍ଦର ଗଳ୍ପ ଅଛି । ଜଣେ ସାଧୁଙ୍କର ଜଣେ ରାଜା ଶିଷ୍ୟ ହୋଇଥିଲେ । ଗୁରୁଦକ୍ଷିଣା ସ୍ୱରୂପ ରାଜା ସାଧୁଙ୍କୁ ଅନେକ ଧନରତ୍ନ ପ୍ରଦାନ କଲେ; ମାତ୍ର ସାଧୁ ତାହା ଗ୍ରହଣ କଲେନାହିଁ । ତହୁଁ ରାଜା ଗୋଟିଏ ମଣିରତ୍ନଖଚିତ ଖଟୁଲୀରେ ଗୋଟିଏ ସୁବର୍ଣ୍ଣ ଗୋପାଳମୂର୍ତ୍ତୀ ବସାଇ ଗୁରୁଙ୍କୁ ଉପହାର ଦେଲେ । ଏଥର ସାଧୁ ଆଉ ମନା କରିପାରିଲେ ନାହିଁ, ଯେହେତୁ ଦେବମୂର୍ତ୍ତି ଭାଗ୍ୟରେ ମିଳେ । ତାହା ଗ୍ରହଣ ନକଲେ ଦେବତାଙ୍କର ଅବମାନନା ହେବ । ସେହିଦିନୁ ସାଧୁ ମୂର୍ତ୍ତିଟିକୁ ସଙ୍ଗରେ ଘେନି ପୂଜା କରିବାକୁ ଲାଗିଲେ । କିଛିଦିନ ପରେ ସାଧୁ ତୀର୍ଥପର୍ଯ୍ୟଟନରେ ବହିର୍ଗତ ହେଲେ । ପୂଜାପ୍ରତିମାଟିକୁ ସୁଦ୍ଧା ସଙ୍ଗରେ ନେଇଗଲେ । ଜଣେ ଚୋର ସେହି ସ୍ୱର୍ଣ୍ଣପ୍ରତିମା ଅପହରଣମାନସରେ ସାଧୁଙ୍କର ପିଛା ଧରି ଗୋପନରେ ଚାଲିଲା; ମାତ୍ର ଦୁଇ ଜଣ ଚେଲା ସାଧୁଙ୍କ ସଙ୍ଗରେ ଥିବାରୁ ଚୋରର ବହକ ଖଟିଲାନାହିଁ । ଶେଷରେ ସେ ଭାବିଲା, ‘‘ସାଧୁଙ୍କର ଚେଲା ହୋଇ ପାରିଲେ ତାହାର ଉଦ୍ଦେଶ୍ୟ-ସିଦ୍ଧିରେ ଆଉ କୌଣସି ବ୍ୟାଘାତ ଘଟିବନାହିଁ, ସେ ସୁବିଧା ଦେଖି ଦିନେ ରାତ୍ରିରେ ମୂର୍ତ୍ତୀ ଅପହରଣପୂର୍ବକ ସହଜରେ ପଳାଇଯାଇପାରିବ ।’’ ଅନନ୍ତର ସେ ସାଧୁଙ୍କ ଶିଷତ୍ୱ ଗ୍ରହଣକରି ତାହାଙ୍କ ସଙ୍ଗରେ ରହିଲା । ସାଧୁ ପ୍ରତ୍ୟହ ଶିଷ୍ୟମାନଙ୍କୁ ରିପୁଦମନ ସମ୍ବନ୍ଧରେ ଅନେକ ଉପଦେଶ ଦିଅନ୍ତି । ଛଦ୍ମବେଶୀ ଶିଷ୍ୟ ତାହା ଅବହିତ ଚିତ୍ତିରେ ଶ୍ରବଣକରେ । ସାଧୁ ଯେଉଁଠାକୁ ଯାଆନ୍ତି, ଭକ୍ତମାନେ ତାଙ୍କୁ ଷୋଡ଼ଶୋପଚାରରେ ପୂଜା କରନ୍ତି । ଶିଷ୍ୟତ୍ରୟ ସୁଦ୍ଧା ସେହି ପୂଜାର ଅଂଶ ପ୍ରାପ୍ତ ହୁଅନ୍ତି । ଏହିପରି କିଛି କାଳ ଅତିବାହିତ ହେଲା । ମହାପୁରୁଷଙ୍କ ଉପଦେଶ ଏବଂ ଉକ୍ତବୃନ୍ଦ-ପ୍ରଦତ୍ତ ଗୌରବରେ ଚୋରର ମନ କ୍ରମଶଃ ପରିବର୍ତ୍ତିତ ହୋଇଆସିଲା । ସେ ମନେ ମନେ ଭାବିଲା, କପଟ ସାଧୁ ବେଶର ତ ଏତେ ଗୌରବ, ଆଉ ପ୍ରକୃତ ସାଧୁ ହେଲେ କଅଣ ନହେବ ? ମୁଁ ଚୋରିକରି ଯଥେଷ୍ଟ ପାପ ସଞ୍ଚୟ କରିଅଛି, ଏବେ ସେଥିର ଉପଯୁକ୍ତ ପ୍ରାୟଶ୍ଚିତ କରିବି । ମୋର ଅତୀତ ବଡ଼ ଭୟଙ୍କର, ଭବିଷ୍ୟତକୁ ଆଉ ସେପରି ପାପପଙ୍କିଳ କରିବିନାହିଁ । ଏହି ସାଧୁପୁରୁଷ କିଛି ସଞ୍ଚୟ କରି ରଖିନାହାନ୍ତି କିମ୍ବା ଉପାର୍ଜନ କରନ୍ତି ନାହିଁ; ତଥାପି ଦିନେ ଉପବାସ ନରହି ଦେବତା ତୁଲ୍ୟ ପୂଜା ପାଉଅଛନ୍ତି । ତେବେ ଦଗ୍‌ଧୋଦର ସକାଶେ ମୁଁ କାହିଁକି ଏ ମହାପାପଭାଗୀ ହେବି ? ବିଶେଷତଃ ଯମ ଆସି ମୋର ଗ୍ରୀବା ଧାରଣ କଲାଣି, ଆଉ କେତେଦିନପାଇଁ ଏ ଦୁଷ୍କାର୍ଯ୍ୟ ? ଏବେ ଯାଇ ମହତ୍ମାଙ୍କର ଶରଣାପତ୍ନ ହେବି ।’’ ଏହା ଭାବି ମାଧୁଙ୍କ ପଦତଳେ ସାଷ୍ଟାଙ୍ଗ ପ୍ରଣତିପୂର୍ବକ ଅଶ୍ରୁସିକ୍ତ ନେତ୍ରରେ ବେଦନା-ଗଦ୍‌ଗଦକଣ୍ଠରେ ନିଜର ଗୁପ୍ତ କୁ-ଅଭିପ୍ରାୟ ବ୍ୟକ୍ତ କରି କହିଲା, ‘ପ୍ରଭୋ, ସ୍ପର୍ଶମଣି ସ୍ପର୍ଶରେ ଲୌହ ସୁବର୍ଣ୍ଣ ହେଲା ପ୍ରାୟ ଆପଣଙ୍କ ସଂସର୍ଗରେ ମୁଁ ସୁମତି ଲାଭ କରିଅଛି । ମୋର ଅପରାଧ କ୍ଷମା କରନ୍ତୁ ।’ ସାଧୁ ଏହା ଶୁଣି ଅତୀତ ଆଶ୍ଚର୍ଯ୍ୟାନ୍ୱିତ ହୋଇ ମଧୁର ବାକ୍ୟରେ କହିଲେ-‘ବତ୍ସ, ମୋଦ୍ୱାରା ତୋର କିଛି ହୋଇନାହିଁ, ମୁଁ ସାମାନ୍ୟ ମାନବ ମାତ୍ର ତୁ ଯାହାଙ୍କୁ ଚୋରି କରିବାକୁ ଅଭିଳାଷ କରିଥିଲୁ, ସେହି ଦେବବିଗ୍ରହ ତୋତେ ଦୟା କରିଅଛନ୍ତି । ମୁଁ ତୋତେ ଏହି ବିଗ୍ରହ ପ୍ରଦାନ କରୁଅଛି, ତୁ ଏହାଙ୍କୁ ନେଇ ପୂଜା କର । ଏହି କେବଳ ତୋତେ ପାପରୁ ପରିତ୍ରାଣ କରିବେ ।’’ ଏହା କହି ବିଗ୍ରହପ୍ରଦାନପୂର୍ବକ ତାହାକୁ ବିଦାୟ ଦେଲେ । ତହୁଁ ସେ ଚୋର ରତ୍ନ ଖଟୁଲୀ ଏବଂ ସୁବର୍ଣ୍ଣ ପ୍ରତିମା ଘେନି ଆଉ ଗୃହକୁ ନଯାଇ ବନକୁ ଗମନ କଲା ଏବଂ ବନରେ ଗୋଟିଏ କୁଟୀର ନିର୍ମାଣପୂର୍ବକ ସେହି ମୂର୍ତ୍ତି ପୂଜାରେ ଆଜୀବନ ନିଯୁକ୍ତ ରହିଲା । ଶାସ୍ତ୍ରକାର କହିଅଛନ୍ତି,–‘‘ସଂସର୍ଗଜା ଦୋଷଗୁଣା ଭବନ୍ତି ।’ ସଂସର୍ଗରୁ ଗୁଣ ଜାତ ହୁଏ ଏବଂ ଦୋଷ ମଧ୍ୟ ଜାତ ହୁଏ । ଯେଉଁପରି ସଂସର୍ଗ, ସେହିପରି ଫଳ ମିଳେ । କୁମନ୍ତ୍ରୀର କୁସଂସର୍ଗରୁ ବିଖ୍ୟାତ କୁରୁବଂଶୀୟ ରାଜା ଦୁର୍ଯ୍ୟୋଧନ ସବଂଶରେ ନଷ୍ଟ ହୋଇଥିଲେ । ପକ୍ଷାନ୍ତରେ ଜଗାଇ ମାଧାଇ ଭଳି ମହାପାପୀ ଭଗବନା ଚୈତନ୍ୟଦେବଙ୍କ ସଂସର୍ଗରେ ସାଧୁ ପାଲଟି ଯାଇଥିଲେ । ସଂସର୍ଗଜାତ ଦୋଷଗୁଣର ଏହା ଚୂଡାନ୍ତ ଦୃଷ୍ଟାନ୍ତ ନୁହେଁ କି ?

 

ମଧୁ ଦିନସାରା ସାହେବଙ୍କ କୋଠିରେ ଥାଏ ଏବଂ ବୋଲହାକ କରେ । କେବଳ ଦଶଟା ସମୟରେ ବସାକୁ ଖାଇବା ସକାଶେ ଯାଇ ଏଗାରଟା ବେଳେ ଫେରିଆସେ । ଚାରିଟା ବେଳେ ଜଣେ ଗୁଡ଼ିଆ ସାହେବଙ୍କ ଖଞ୍ଜା ଅନୁସାରେ ଦୁଇ ଅଣାର ଜଳଖିଆ ଆଣି ପ୍ରତ୍ୟହ କୋଠିରେ ଦେଇଯାଏ, ମଧୁ ତାହା ସେହିଠାରେ ଖାଏ । ସାହେବ ମଧୁକୁ ଯେପରି ସ୍ନେହ କରନ୍ତି, ମଧୁ ମଧ୍ୟ ସାହେବଙ୍କୁ ସେପରି ଭକ୍ତି କରେ । ଉଭୟର ସମ୍ବନ୍ଧ ଏରୂପ ଘନିଷ୍ଠତର ହୋଇ ଉଠିଲା ଯେ ତାହା ପିତାପୁତ୍ର ସମ୍ପର୍କଠାରୁ ବଳିଗଲା । ବିଧାତା ସମସ୍ତଙ୍କର ହୃଦୟରେ ଅପତ୍ୟ ସ୍ନେହ ବିହିତ କରି ଅଛନ୍ତି । ପଶୁପକ୍ଷୀ ସୁଦ୍ଧା ସେଥିରୁ ବଞ୍ଚିତ ନୁହନ୍ତି, ସ୍ନେହ ପ୍ରୀତିପରାୟଣ ମାନବର ତ କଥାହିଁ ନାହିଁ । ଯେ ନିରପତ୍ୟ ସେ ବିରାଡ଼ି କୁକୁର ବା ନେଉଳଟିଏ ପୋଷି ତାହା ପ୍ରତି ଅପତ୍ୟ ସ୍ନେହ ଅର୍ପଣ କରେ । ଏରୁପ ଦୁଷ୍ଟାନ୍ତ ସଂସାରରେ ବିରଳ ନୁହେଁ । ପ୍ରଥମ ସାକ୍ଷାତ ଦିନରୁ ସାହେବଙ୍କ ହୃଦୟ ନିବଦ୍ଧ ସ୍ୱାଭାବିକ ବାତ୍ସଲ୍ୟ କାହିଁକି କେଜାଣି ଜଣେ ଚିର ଅପରିଚିତ ବିଜାତି ବିଧର୍ମୀ ଦୁଃସ୍ଥ ବାଳକ ମଧୁ ପ୍ରତି ଧାବିତ ହୋଇଥିଲା । ସ୍ନେହର ଏପରି ମହିମା ଯେ ପାତ୍ର ଦେଖିଲେ ସେ ଅଜ୍ଞାତରେ ଆପେ ଆପେ ବହିଯାଏ । ଈଶ୍ୱର ବାଳକ ବାଳିକାମାନଙ୍କୁ ଏକ ଅଦ୍ଭୁତ ଚିତ୍ତଦବିଣୀ ମୋହିନୀ ଶକ୍ତି ଅଛନ୍ତି । ସେହି ଶକ୍ତିରେ ସେମାନେ ସମସ୍ତଙ୍କର ସ୍ନେହ ପ୍ରୀତି ଆକର୍ଷଣ କରନ୍ତି ଏବଂ ବିଶ୍ୱଜୟରେ କ୍ଷମ ହୁଅନ୍ତି । ସେମାନଙ୍କର ରୂପ ମଧୁର ଭାଷା ମଧୁର ଜଞ୍ଜାଳ ମଧୁର ହାସ୍ୟ ମଧୁର ଗତି ମଧୁର ଏବଂ ଦୁଷ୍ଟାମୀ ସୁଦ୍ଧା ମଧୁର । ଯେମନ୍ତ କି କେବଳ ମଧୁରତା ଉପାଦାନରେ ସେମାନେ ଗଢ଼ା । ଏହି ଦୁର୍ଲ୍ଲଭ ମଧୁରତା ସେମାନଙ୍କର ସର୍ବସ୍ୱ ଏବଂ ବିଶେଷତ୍ୱ । ପୁଷ୍ପହି ଜଗତରେ ସେମାନଙ୍କର ଉପମା । ବାଳକର ଶତ୍ରୁ କେହି ନାହିଁ, ସମସ୍ତେ ତାହାର ଆତ୍ମୀୟ । ଜଗତରେ ସାମ୍ୟସାରଲ୍ୟ ଯଦି ଥାଏ ତେବେ ତାହା ଜ୍ଞାନ ଏବଂ ଶିଶୁ ଏବଂ ଶିଶୁ ପ୍ରାଣରେ ସୁଲଭ-। ଶତ୍ରୁର ଶିଶୁଠାରେ ଶତ୍ରୁ ସୁଦ୍ଧା ବୈରତା ପାଶୋରି ମୁଗ୍‌ଧ ହୁଏ । ଶିଶୁକୁ ଦେଖି ଯାହାର ହୃଦୟ ଆନନ୍ଦରେ ତରଳ ନ ହୁଏ ତାହାର ହୃଦୟ ନାହିଁ, ଆତ୍ମା ନାହିଁ, କିମ୍ବା ପ୍ରାଣ ନାହିଁ । ସେ ପାଷାଣ ବା ଲୌହଠାରୁ କଠିନ ।

 

ମଧୁକୁ ଦଣ୍ଡେ ନଦେଖିଲେ ସାହେବ ‘‘ମଧୁ, ମଧୁ’’ ବୋଲି ଉଚ୍ଚ ଚିତ୍କାର କରି ବଙ୍ଗଳା କମ୍ପାଇ ଦିଅନ୍ତି । ସାହେବ ତାହା ପ୍ରତି ସର୍ବଦା ବଡ଼ ସନ୍ତୁଷ୍ଟ । ତାହାର କାର୍ଯ୍ୟ ସାହେବଙ୍କର ଖୁବ୍‌ ମନୋମତ ହୁଏ । ତାକୁ ଯେତେବେଳେ ଯେଉଁ କାର୍ଯ୍ୟ ଦିଆଯାଏ, ସେ ତାହା ଦକ୍ଷତାର ସହିତ ନିର୍ଦ୍ଦୋଷଭାବରେ ସମ୍ପାଦନ କରେ । ତାହାର କାର୍ଯ୍ୟ ପରିଷ୍କାର ପରିଚ୍ଛନ୍ନ । ସେ ମୋହର ମାରି ଚିଠି ବନ୍ଦକରେ,–ସାହେବ ପଢ଼ିସାରି ଯେଉଁ କାଗଜ ପତ୍ର ଦିଅନ୍ତି ତାହା ଫାଇଲ୍‌ କରି ରଖେ । ପାର୍ଶେଲ ବନ୍ଦ କରେ, ସମୟସମୟରେ ଯାଇ କୁଲିମାନଙ୍କର କାର୍ଯ୍ୟ ଦେଖିଆସେ ଏବଂ କାମ ନଥିବା ବେଳେ ସାହେବଙ୍କର ‘‘ବେଲି’’ ନାମକ କୁକୁର ସାଙ୍ଗରେ ଖେଳେ । ସାହେବଙ୍କ ଭୃତ୍ୟ ଏବଂ ପାରକଠାରୁ ଏଥିମଧ୍ୟରେ ସେ ବ୍ୟବହାର୍ଯ୍ୟ ଇଂରାଜୀ ଶବ୍ଦ ଏବଂ ସରଳ ବାକ୍ୟ ଶିକ୍ଷା କରିଅଛି । ସାହେବ ତାହାକୁ ଅନେକ ପ୍ରକାର ପୋଷାକ ଆଣି ଦେଇଅଛନ୍ତି । ସେସବୁ ବିଦେଶୀୟ ନୁହେଁ,–ଦେଶୀୟ ଧୋତି, ଚାଦର ଏବଂ ଅଙ୍ଗରଖା । ଏହିପରି ସାହେବଙ୍କର ଅତୁଳ ସ୍ନେହରେ ବୁଡ଼ିରହି ସେ ଘର ଗ୍ରାମ ଏବଂ ଆତ୍ମୀୟ ସ୍ୱଜନମାନଙ୍କୁ ଏକପ୍ରକାର ଭୁଲିଯାଇଅଛି । ସେ ସମୟସମୟରେ ଅତୀତ ଜୀବନ ସ୍ରୋତରେ ଉଜାଣି ସନ୍ତରଣପୂର୍ବକ ଲୋତକପାତ କରୁଥିଲା; ମାତ୍ର ଏଣିକି ଆଉ ସେପରି କରିବାର ପ୍ରାୟତଃ ଦେଖାଯାଏ ନାହିଁ । ସାହେବଙ୍କର ପିତୃପ୍ରତିମ ସ୍ନେହ ତାହା ମନରୁ ସମସ୍ତ ଦୁଃଖ ଏବଂ ଅନୁତାପ ଦୂର କରିଦେଇଅଛି । ତାହା ମନରେ ଆଉ ଗ୍ଳାନି ନାହିଁ–ସେ ସଦାନନ୍ଦମୟ । ସାହେବଙ୍କ ସଂସର୍ଗରେ ସେ ସାହେବୀଭାବ ପ୍ରାପ୍ତ ହୋଇନାହିଁ । ତାହାର ଜାତୀୟଭାବରକ୍ଷା ବିଷୟରେ ସାହେବ ସର୍ବଦା ସତର୍କ ଥାଆନ୍ତି । ନିପୁଣ ଶିଳ୍ପୀ ଯେପରି ନିର୍ଦ୍ଦୋଷ ପ୍ରତିମା ପ୍ରସ୍ତୁତ କରେ, ସାହେବ ସେହିପରି ସଦୁପଦେଶ ଦ୍ୱାରା ତାହାର ଚରିତ୍ର ସଂଗଠନ ପୂର୍ବକ ତାହାକୁ ପ୍ରକୃତ ମନୁଷ୍ୟ ପ୍ରସ୍ତୁତ କରିଅଛନ୍ତି । ବାଲ୍ୟକାଳ ଆଦର୍ଶ ଶିକ୍ଷାର ଉପଯୁକ୍ତ ସମୟ । ବାଳକ ଯେଉଁ ଆଦର୍ଶ ସମ୍ମୁଖରେ ଦେଖେ, ସେହି ଆଦର୍ଶ ତାହାର କୋମଳ ପ୍ରାଣରେ ଅଙ୍କିତ ହୋଇଯାଏ । କଞ୍ଚା ମାଠିଆରେ ଯେଉଁ ଦାଗ ପଡ଼େ, ତାହା ଆଉ ଲିଭେ ନାହିଁ; ମାତ୍ର ମାଠିଆ ପୋଡ଼ି ଶକ୍ତ ହୋଇଗଲେ ସେଥିରେ ଆଉ ଦାଗ ପଡ଼େ ନାହିଁ । ସାହେବ ମଧୁକୁ ଖାଲି ସ୍ନେହ କରନ୍ତି ନାହିଁ,–ବିଶ୍ୱାସ ମଧ୍ୟ କରନ୍ତି । ସେ ମଧୁକୁ କଠୋର ଶାସନରେ ସୁପଥକୁ ଆଣିନାହାନ୍ତି,-ଉପଦେଶ ଦ୍ୱାରା ତାହାର ମତିର ପରିବର୍ତ୍ତନ ଘଟାଇ ଅଛନ୍ତି । କଠୋରତା ଅପେକ୍ଷା କୋମଳତାର ଶକ୍ତି ସମଧିକ । ବନ୍ୟ ପଶୁକୁ ଧରିଆଣି ପ୍ରହାର କଲେ ସେ ପୋଷା ମାନେନାହିଁ-ଆଉଁସିଲେ ପୋଷ ମାନେ । କଠୋର ଶାସନରେ ଯଦି ଫଳ ହୁଏ, ତେବେ ତାହା କ୍ଷଣିକ, ମାତ୍ର ସ୍ନେହଶାସନର ଫଳ ଆଜୀବନ ପ୍ରକୃତିଗତ ହୋଇ ରହେ । ଅନେକେ ଦୁରନ୍ତ ପୁତ୍ର ବା ଶିଷ୍ୟକୁ କଠୋର ଶାସନରେ ସତ୍ପଥଗାମୀ କରିବାକୁ ଚେଷ୍ଟା କରନ୍ତି; ମାତ୍ର ସେମାନେ ଭ୍ରାନ୍ତ ! ସ୍ନେହ ଅପେକ୍ଷା ବଶୀକରଣର ଅବ୍ୟର୍ଥ ମନ୍ତ୍ର ଆଉ କିଛି ନାହିଁ ।

 

ଦିନେ ସାହେବ ଶିକାରରୁ ଫେରିଆସି ଦେଖିଲେ,–ପୋଷ୍ଟ ପିଅନ କେତେ ଖଣ୍ଡ ଚିଠି ଟେବୁଲ ଉପରେ ରଖିଯାଇଅଛି । ସାହେବ ଆମେରିକାର ଚିଠି ବାଛି ନେଇ ଆଗେ ପଢ଼ନ୍ତି, ପୂର୍ବରୁ ଏହା କୁହାଯାଇଛି । ସେଦିନ ଖଣ୍ଡିଏ ଆମେରିକାର ଚିଠି ଥିଲା, ସେ ଖଣ୍ଡି ଆଗେ ଖୋଲି ପଢ଼ିଲେ । ପାଠାନ୍ତେ ତାଙ୍କର ମୁଖ ଅନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ପତ୍ରଖଣ୍ଡି ତାଙ୍କର ପୂର୍ବୋକ୍ତ ବନ୍ଧୁ ଲେଖିଅଛନ୍ତି । ସେଥିରେ ଅନ୍ୟାନ୍ୟ କଥା ମଧ୍ୟରେ ଲେଖାଅଛି,–‘‘ଯେଉଁ ଜାହାଜ ସ୍ଫୁର୍ତ୍ତିରେ ଉଠିବାର କଥା ଥିଲା, ତାହା ମଧୁସୁଦନ ସାମନ୍ତ ନାମରେ ଉଠିଅଛି । ଜାହାଜ ଖଣ୍ଡି କିଞ୍ଚିତ ଜୀର୍ଣ୍ଣ ହେତୁ ତାହା ତିନିଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରୟ କରାଯାଇଅଛି । ଏହି ତିନିଲକ୍ଷ ଟଙ୍କାର ଖଣ୍ଡିଏ ଚେକ ଆପଣଙ୍କ ଜରିଆରେ ପଠାଗଲା । ଅନୁଗ୍ରହ ପୂର୍ବକ କଲିକତାସ୍ଥ ଆମେରିକା ବ୍ୟାଙ୍କରେ ତାହା ଭଙ୍ଗାଇନେଇ ମାଲିକକୁ ଦେବାହେବେ । ଆପଣଙ୍କ ନାମରେ ଉକ୍ତ ବ୍ୟାଙ୍କରୁ ବରାଦ ଯାଇଅଛି । ଏହା ପାଠ କରି ଆଶ୍ଚର୍ଯ୍ୟ ଏବଂ ଆନନ୍ଦରେ ସାହେବଙ୍କ ଅନ୍ତରାତ୍ମା ଅକଥନୀୟ ଭାବରେ ଉତ୍‌ଫୁଲ୍ଲ ହୋଇ ଉଠିଲା । ସେ ଭାବିଲେ–‘‘ପିଲାଟା କେଡ଼େ ଭାଗ୍ୟବାନ, ବିରାଟ ଅମଙ୍ଗଳ ପଛରେ ଯେ ଏଭଳି ଅଦ୍ଭୁତ ଅଚିନ୍ତିତ ମଙ୍ଗଳାଶୀର୍ବାଦ ପ୍ରଚ୍ଛନ୍ନରେ ଦଣ୍ଡାୟମାନ ଅଛି ତାହା କିଏ ଜାଣିଥିଲା ? ପ୍ରଚଣ୍ଡ ବଜ୍ରାଘାତ ପରେ ଏ ଶୀତଳ ଅମୃତ ପ୍ରଲେପ ଯେ ସ୍ୱପ୍ନର ଅଗୋଚର ଏହା ସତ୍ୟ । କଳ୍ପନା ସୁବର୍ଣ୍ଣରେ ବିମଣ୍ଡିତ ହୋଇ ମୂର୍ତ୍ତି ଧାରଣ କଲା । ହେ ଈଶ୍ୱର ତୁମ୍ଭର ଲୀଳା ଅତୀବ ବିଚିତ୍ର । ତୁମ୍ଭେ କାହା ଭାଗ୍ୟ କିପରି ଗଠନ କର ତାହା ଭାବିଲେ ଚିତ୍ତ ସ୍ତବ୍‌ଧ ହୁଏ । କାହା ଭାଗ୍ୟରେ କେତେବେଳେ ବଜ୍ରାଘାତ, କେତେବେଳେ ବା ପୁଷ୍ପପାତ, ଏହା ତୁମ୍ଭର କୌତୁକ କ୍ରୀଡ଼ା । ଅନ୍ଧକାର ପଛରେ ଆଲୋକ ଏହା ତ ତୁମ୍ଭରି ସଙ୍କେତ ପ୍ରଭୋ ! ଆଜି ଯେ ଦାଣ୍ଡର ଭିଖାରୀ କାଲି ସେ କୁବେର ସମ୍ପତ୍ତିର ଅଧିକାରୀ ।’’ ସାହେବ ଏହିପରି ଭାବି ଆନନ୍ଦରେ ବିଭୋର ହେଲେ । ଯଥା ସମୟରେ ଚେକ ଆସି ପହୁଞ୍ଚିଲା । ସାହେବ ତାହା ଭଙ୍ଗାଇ ଆଣି ନିଜ ଟ୍ରେଜରୀରେ ଟଙ୍କା ଜମା ରଖିଲେ, ମାତ୍ର ମଧୁକୁ କିମ୍ବା ଅନ୍ୟ କାହାରିକୁ ଏଥିର ବିନ୍ଦୁ ବିସର୍ଗ ଜାଣିବାକୁ ଦେଲେନାହିଁ । ସାହେବଙ୍କର ଯେଉଁ ଚାରି ଜଣ କର୍ମଚାରୀ ସୂର୍ତ୍ତିର ଟିକଟ କିଣିଥିଲେ, ବର୍ଷେକାଳ ଅତୀତ ହେବାର ଦେଖି ସେମାନେ ଭାବିଲେ, ବୋଧହୁଏ ସେହି ଈଶ୍ୱରବର ଅନ୍ୟ କାହାରି ଭାଗ୍ୟରେ ଘଟିଲା । ଏହା ଭାବି ସେମାନେ ହତାଶ ହୋଇ ନୀରବ ରହିଲେ । ସାହେବଙ୍କୁ ପଚାରିବାକୁ କେହି ସାହସୀ ହେଲେନାହିଁ-। ସେମାନଙ୍କର ବିଶ୍ୱାସ ସେହି ପୁଷ୍ପଚନ୍ଦନ କୌଣସି ଭାରତୀୟ ଭାଗ୍ୟରେ ଘଟିଥିଲେ ସାହେବ ଅବଶ୍ୟ ସେମାନଙ୍କୁ ତାହା କହିଥାଆନ୍ତେ ।

 

ସାହେବ ସକାଳେ ବାରଣ୍ଡାରେ ବସି ପ୍ରକୃତିର ମହାଶୋଭା ଦେଖୁଅଛନ୍ତି, ବର୍ଷଣୁକ୍ଷାନ୍ତ ଲଘୁ ମେଘ ପୁଞ୍ଜ ଭିଣା ତୁଳାପରି ଆକାଶଗର୍ଭରେ ଭାସି ବୁଲୁଅଛି, ତାହା ଦେବତାମାନଙ୍କର କୁଣ୍ଡଳୀକୃତ ସିଗାରେଟ୍‌ ଧୁଆଁପରି ଦିଶୁଅଛି । ସିଗାରେଟର ମର୍ତ୍ତ୍ୟରେ ଏତେ ଆଦର, ସ୍ୱର୍ଗରେ ବା ନହେବ କାହିଁକି ? ସ୍ୱର୍ଗରେ କି ବାବୁ ଉପାଧିଧାରୀ ଭଦ୍ର ଲୋକ ନାହାନ୍ତି ? ହଁ, ଅବଶ୍ୟ ଅଛନ୍ତି । ସ୍ୱର୍ଗ ତ ଗୋଟାଏ ମସ୍ତବଡ଼ ସହର, ସେଠାରେ ବିଶ୍ୱକର୍ମା କମ୍ପାନିର ଅନେକ ଅଦ୍ଭୁତ କଳ କାରଖାନା ଅଛି । ଗନ୍ଧର୍ବ ଏବଂ ଅପ୍‌ସରା–ଥିଏଟର ରଙ୍ଗାଳୟ ବସାଇଅଛନ୍ତି । ଇନ୍ଦ୍ର ବାବୁ, ଚନ୍ଦ୍ରବାବୁ ,ବ୍ରହ୍ମା ବାବୁ, ବିଷ୍ଣୁବାବୁ ପ୍ରଭୁତି ବଡ଼ ବଡ଼ ନାମ ଜାଦା ବାବୁଭୟାମାନେ ଏବଂ ଶଚୀ, ରୋହିଣୀ ସାବିତ୍ରୀ, କମଳା ପ୍ରଭୃତି ସେମିଜ ପରିହିତା ବାବୁଆଣୀମାନଙ୍କ ସଙ୍ଗେ ପ୍ରତ୍ୟହ ଅଭିନୟ ଦେଖନ୍ତି । ସ୍ୱର୍ଗର ଲର୍ଡ଼, ଆରଲ୍‌ ଏବଂ ଏମ୍‌. ପି ମାନେ ସୁଦ୍ଧା ଦର୍ଶକ ରୂପେ ଯୋଗ ଦିଅନ୍ତି । ସେମାନଙ୍କ ଶ୍ରୀମୁଖ-ନିଃସୃତ ଧୁଆଁରେ ଆକାଶ ପରିବ୍ୟାପ୍ତ ହୁଏ । ମର୍ତ୍ତ୍ୟବାସୀଏ ତାହାକୁ ମେଘ ବୋଲି କହନ୍ତି । ସାହେବ ସେହି ମେଘର ଗତି ଦେଖୁଅଛନ୍ତି । ଦୂରପର୍ବତର ନୀଳ ତନୁ ଆକାଶର ନୀଳୀମାରେ ମିଶିଯାଇଅଛି । ଦୂର ପର୍ବତ ସୁନ୍ଦର, ଏହା ଅସାର ଉକ୍ତି ନୁହେ । ନିକଟ ପର୍ବତ ରୁଷ ଦେଖାଯାଏ ସତ୍ୟ; ମାତ୍ର ଏକାବେଳକେ ଶୋଭାଶୂନ୍ୟ ନୁହେଁ । ଶୋଭା ତ ବାଇଗଣ ପରିବା, ସେ ଅଣ ତୁଣରେ ଥାଏ, ଆମ୍ବିଳାରେ ଥାଏ, ଅଧିକନ୍ତୁ ଭଜାରେ ବି ଥାଏ । ତେବେ ଦୂର ପର୍ବତର ଶୋଭା ଶ୍ୟାମଶସ୍ପ-ସମାଚ୍ଛନ୍ନ ଉତ୍ତୁଙ୍ଗ ସ୍ତୂପପରି ଅତି ମନୋହର ଦିଶେ । ସାହେବ ସେହି ଦୂର ପର୍ବତର ଚିତ୍ତହର ଦୃଶ୍ୟ ନିର୍ନିମେଷ ନେତ୍ରରେ ଉପଭୋଗ କରୁଅଛନ୍ତି । ଦୁଃସାଶନ ଦୌପଦୀର ବସ୍ତ୍ରହରଣ କଲା ପ୍ରାୟ ପବନ ପର୍ବତଚୂଡ଼ାରୁ ଖଣ୍ଡିଏ ଖଣ୍ଡିଏ ମେଘ କାଢ଼ି ନେଇଯାଉଅଛି । ଅନ୍ୟ ପର୍ବତମାନେ କୁରୁସଭାର ସଭାଜନ ପ୍ରାୟ ସେହି ବିଭତ୍ସ ଦୃଶ୍ୟ ନିଷ୍ଠୁର ନେତ୍ରରେ ଦେଖୁ ଅଛନ୍ତି । ଗିରି-ଦୂତ ପକ୍ଷୀମାନେ ଏକ ପର୍ବତର ବାର୍ତ୍ତା । ଅନ୍ୟପର୍ବତ କାନରେ କହି ବୁଲୁଅଛନ୍ତି । ମହୀରୁହବୃନ୍ଦ ପବନକମ୍ପିତ ଶାଖାକର ସଂଯୋଗପୂର୍ବକ ନମସ୍କାର କରି ପରସ୍ପରକୁ ପ୍ରାତଃ ସମ୍ମାନ ଜଣାଉଅଛନ୍ତି । ସାହେବଙ୍କ ବଙ୍ଗଳାଟି ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ । ନଦୀ ସ୍ରୋତ କର କର ହୋଇ ହସି ହସି ବହି ଯାଉଅଛି । ସ୍ରୋତ କାଟି ନୌକା ଉଜାଣି ଗତି କଲାବେଳେ ନଦୀଗର୍ଭ ତରଙ୍ଗମୟ ହୋଇଯାଉଅଛି । ଆକାଶରେ ଏକ ସୂର୍ଯ୍ୟ, କିନ୍ତୁ ନଦୀ ତରଙ୍ଗରେ ଶତ ଶତ ବାଳସୂର୍ଯ୍ୟ ଭାସି ଯାଉଅଛି । ନଦୀ ତୀର-ସୁପ୍ତ ରୋମନ୍ଥରତ କୁରଙ୍ଗକୁଳ ସରଳ ତରଳ ଚାହାଁଣୀରେ ସେହି ଦୃଶ୍ୟ ଦେଖି ମୁଗ୍‌ଧ ହେଉଅଛନ୍ତି । ପାଣିରେ ଝୁଟିଗାର ପ୍ରାୟ ମୁହୂର୍ତ୍ତ ମଧ୍ୟରେ ସେହି ଦୃଶ୍ୟ ମିଳାଇ ଯାଉଅଛି । ଜଳପାନାର୍ଥୀ ଚଞ୍ଚଳ ହରିଣ ଶିଶୁଗୁଡ଼ିକ ଜଳ ଭିତରେ ନିଜର ଛାୟା ଦେଖି ଭୟରେ ଫେରିଯାଉଅଛନ୍ତି । ସାହେବ ତନ୍ମୟ ହୋଇ ଏହି ସବୁ ଦୃଶ୍ୟ ଦେଖୁ ଅଛନ୍ତି, ଏହି ସମୟରେ ମଧୁ ଆସି ସଲାମ କରି ଠିଆ ହେଲା । ମଧୁକୁ ଦେଖି ସାହେବଙ୍କର ତନ୍ମୟତା ଭାଙ୍ଗିଗଲା । ତାଙ୍କର ଚିନ୍ତା ପ୍ରକୃତିଆଡ଼ୁ ଫେରି ଆସି ଅନ୍ୟଆଡ଼କୁ ଅଗ୍ରସର ହେଲା । ସେ ଭାବିଲେ ତିନିଲକ୍ଷ ଟଙ୍କା ପ୍ରାପ୍ତି ସମ୍ବାଦ ଶୁଣିଲେ ମଧୁର ହୃଦୟ କଣ ହେବ । ବାଳକର ସୁକୁମାର ହୃଦୟ କି ଏତେ ଆନନ୍ଦ ସହିପାରିବ ? ହୁଏ ତ ଏହି ଆନନ୍ଦାତିଶଯ୍ୟରେ ତାହାର ମୃତ୍ୟୁପର୍ଯ୍ୟନ୍ତ ଘଟିପାରେ । ଯାହା ହେଉ ତାକୁ ଏକଥା ବର୍ତ୍ତମାନ କହିବା ଉଚିତ ନୁହେଁ । ଘୃତ ସୃଷ୍ଟିକର ପଦାର୍ଥ, ମାତ୍ର ଭେକ ପକ୍ଷରେ ତାହା ମୃତ୍ୟୁର କାରଣ । ଜଣେ ଗଣ୍ଡ ମୂର୍ଖ ଏତେଗୁଡ଼ାଏ ଟଙ୍କା ପାଇଲେ ତାହାର ମତି ଭିନ୍ନପଥାବଲମ୍ବୀ ହେବା ବିଚିତ୍ର ନୁହେଁ । ଯାହାର ଶିକ୍ଷା ନାହିଁ, ହିତାହିତ ଜ୍ଞାନ ନାହିଁ, ସେ କୁସଙ୍ଗରେ ପଡ଼ି ଦୁଇଦିନ ମଧ୍ୟରେ କୁବେର ସମ୍ପତ୍ତି ହରାଇ ଦାଣ୍ଡର ଭିଖାରୀ ହୋଇପାରେ । ମଧୁକୁ ଟଙ୍କା ଦେଲେ ସେ ଟଙ୍କାର ସଦ୍‌ବ୍ୟବହାର କରିବାର ଶକ୍ତି ଦେବା ଆବଶ୍ୟକ । ସେହି ଶକ୍ତି ଶିକ୍ଷା ବ୍ୟତୀତ ଅନ୍ୟ କେହି ଦେଇ ନପାରେ । ଶିକ୍ଷା ମାନବକୁ ସଂଯତ କରେ ଏବଂ ଶାସନ କରେ । ଅତଏବ ମଧୁକୁ କିଛି ଶିକ୍ଷା ଦେବା ଆବଶ୍ୟକ । ସେ ଅପେକ୍ଷାକୃତ ଚାଲାଖ ଚତୁର ହେଲାଣି; ମାତ୍ର ତାହାର ମତି ବୁଲା କୁକୁରପରି ବାରଆଡ଼େ ବୁଲୁଅଛି । ତାହାର ସେହି ବିକ୍ଷିପ୍ତ ମତିକି ଅନ୍ୟଆଡ଼ୁ ଭାଙ୍ଗି ଆଣି ଶିକ୍ଷାରେ ଲଗାଇଲେ ଶ୍ରେୟସ୍କର ହୋଇପାରେ । ବିଶେଷତଃ ତାହାର କର୍ମଠତା ଏବଂ କଷ୍ଟ ସହିଷ୍ଣୃତା ଦୃଷ୍ଟିରେ ଆଶା ହୁଏ ସେ ଉତ୍ତମ ଶିକ୍ଷାଲାଭ କରିପାରିବ । କିଛିଦିନ ତାକୁ ଅନ୍ୟ କାର୍ଯ୍ୟରୁ ଅନ୍ତର କରି ଶିକ୍ଷାରେ ନିଯୁକ୍ତ କରିବା ଉଚିତ । ଯଦି ତାହାର ସେଥିରେ ମନଯୋଗ ଦେଖାଯାଏ, ତେବେ ତାହାର ଭବିଷ୍ୟତ ସମ୍ବନ୍ଧରେ ଆଉ କୌଣସି ଆଶଙ୍କାର କାରଣ ରହିବ ନାହିଁ । ଅତୀତ ବା ବର୍ତ୍ତମାନର ସମ୍ବଳ ନଥିଲେ ଭବିଷ୍ୟତର ସୁଖାଶା ବିଡ଼ମ୍ବନା ମାତ୍ର । ସାହେବ ଏହିପରି ନାନା କଥାର ଆଲୋଚନା କରି ମଧୁକୁ ପାଖକୁ ଡାକି ପଚାରିଲେ–‘‘ମଧୁ, ତୁ କିଛି ପଢ଼ାଶୁଣା କରିଛୁ ?’’

 

ମଧୁ–ହିଁ, ଭୀମାନା ପାଖରୁ ଅଳ୍ପଟିକିଏ ପଢ଼ିଛି ।

ସାହେବ–କାହା ପାଖରୁ ?

ମଧୁ–ଭୀମସିଂହ ପାଖରୁ ହଜରୁ । ମୁଁ ତାକୁ ଭୀମାନା ବୋଲି ଡାକେ ।

ସାହେବ–ଆଛା, ଧାଡ଼ିଏ ଲେଖି ଆଣ ତ ।

ମଧୁ–‘‘ହଉ’’ ବୋଲି କହି ସେଠାରୁ ଚାଲିଗଲା ।

 

ସାହେବ ଖବର କାଗଜ ପଢ଼ି ବସିଲେ । ମଧୁ କାଗଜ ପେନ୍‌ସିଲ ନେଇ ସାହେବଙ୍କ ଦୃଷ୍ଟି ଉହାଡ଼ରେ ବସିଲା ଏବଂ ପାଞ୍ଚମନ ପଚିଶ ପ୍ରକୃତି ଏକ କରି ହାବ ଦୋରସ୍ତପୂର୍ବକ ସାବଧାନରେ ଲେଖିବାକୁ ଆରମ୍ଭ କଲା; ମାତ୍ର ଅକ୍ଷରଗୁଡ଼ିକ ଏଡ଼େ ଅସଭ୍ୟ ଯେ, ମଧୁର ବୋଲ ନମାନି କିଏ ହାଣ୍ଡି ପରି, କିଏ କଳଶୀପରି, ଏବଂ କିଏ ବା ଠେକିପରି ହୋଇ ଗୋଟାଏ ଗୋଟାକ କାନ୍ଧରେ ଆଉଜିଲା । କେହି କାହା ଗୋଡ଼ତଳେ ପଡ଼ିଲା ଏବଂ କେହି ଅବା କାହା ଉପରେ ଘୋଡ଼ା ଚଢ଼ିଲା; ମାତ୍ର ମଧୁ ଛାଡ଼ିବାର ପାତ୍ର ନୁହେଁ, ସେ ଲୁଗାପଟା ସମ୍ଭାଳି ଆସନ ଜମାଇ ପୁନଶ୍ଚ ଚେଷ୍ଟା କଲା । ଏଥରର ଅକ୍ଷରଗୁଡ଼ିକ ସୁଦ୍ଧା ବଡ଼ ଅବାଧ୍ୟ, ତାହା ପୂର୍ବଥରର ଦ୍ୱିତୀୟ ସଂସ୍କରଣ ବା ୟମଜ ସୋଦର ଆକାର ଧାରଣ କଲା । ଏହିପରି ସଂସ୍କରଣ ପରେ ସଂସ୍କରଣ ଯାଇ କେତେ ଖଣ୍ଡ କାଗଜର ଶ୍ରାଦ୍ଧ ହେଲା ପରେ ଶେଷ ଥର ଖଣ୍ଡେ କାଗଜରେ ରୁଲ ପକାଇ ସେଥିରେ ‘‘ଶୁଣ ପରୀକ୍ଷ ନରନାଥ’’ ଏତିକି ଲେଖିଲା । ଭୀମ ପାଖରେ ଖଣ୍ଡିଏ ରାସ ପୋଥି ଅଛି । ସେ ତାହା ପ୍ରତ୍ୟହ ରାତ୍ରରେ ପଢ଼େ । ମଧୁ ଭୀମଠାରୁ ଟିକିଏ ପଢ଼ି ଶିଖିଛି, ସେହି ମହାଗ୍ରନ୍ଥ ଖଣ୍ଡକ ଦୁଇ ବିଦ୍ୟାବାଗୀଶ ଭଟ୍ଟାଚାର୍ଯ୍ୟଙ୍କର ଜ୍ଞାନଭଣ୍ଡାର ସ୍ୱରୂପ । ମଧୁ ସ୍ୱୀୟ କିମ୍ଭୁତ-କିମାକାର ବିଚିତ୍ରଲେଖା ନେଇ ସାହେବଙ୍କୁ ଦେଖାଇଲା । ସାହେବ ଦେଖିସାରି ଟିକିଏ ହସିଦେଇ କାଗଜ ଖଣ୍ଡ ମଧୁ ହାତକୁ ବଢ଼ାଇଦେଲେ । ମଧୁ ଭାବିଲା,–ମୋର ଲେଖା ଦେଖି ସାହେବଙ୍କର ଶ୍ୱେତଡ଼ୋଳା ପବିତ୍ର ହୋଇଅଛି । ସୁତରାଂ ସେ ମନେ ମନେ ଭାରି ଖୁସିଟାଏ ହୋଇ ନିଜର ଅସାଧାରଣ ଯୋଗ୍ୟତାକୁ ଧନ୍ୟବାଦ ନ ଦେଇ ରହି ପାରିଲାନାହିଁ । ଅନନ୍ତର ସାହେବ ପଚାରିଲେ,–‘‘ମଧୁ, ତୋତେ ପଢ଼ାଇଲେ ତୁ ପଢ଼ିବୁ ?’’ ମଧୁ କିଛି ନ କହି ତଳକୁ ମୁହଁ ପୋତି, ମୁରୁକି ମୁରୁକି ହସିବାକୁ ଲାଗିଲା-। ଆନନ୍ଦରେ ତାହାର ନେତ୍ର ଛଳ ଛଳ ହୋଇ ଆସିଲା । ଗଛରେ ଗଢ଼ି ଲୁଚିବା, ଅବଧାନକୁ କୁଶପିତୁଳା କରି ପୋଡ଼ିବା ପ୍ରଭୃତି ତାହାର ଅତୀତ କୀର୍ତ୍ତିର ଅବିନଶ୍ୱର ସ୍ମୃତି ଗୋଟି ଗୋଟି ହୋଇ ଆସି, ଆଖି ଆଗରେ ନାଚି ବୁଲିଲା । ସାହେବ ‘‘ମୂକେ ସମ୍ମତି’’ ଜାଣି କହିଲେ,–‘‘କାଲିଠାରୁ ତୋର ପଢ଼ାର ବ୍ୟବସ୍ଥା କରାଯିବ, ତୋତେ ଆଉ ଏଣିକି କିଛି କାମ କରିବାକୁ ପଡ଼ିବ ନାହିଁ, ତୁ ମନୋଯୋଗ ପୂର୍ବକ ପଢ଼ ।’’ ମଧୁର ଆଉ ଆନନ୍ଦର ସୀମା ରହିଲା ନାହିଁ-। ପଢ଼ି ସାରିଲେ ସାହେବ ତାକୁ ବଡ଼ ଚାକିରୀ କରାଇ ଦେବେ–ସେ ବଡ଼ ଲୋକ ହୋଇଯିବ,–ମୂଲ୍ୟବାନ ପରିଚ୍ଛଦ, ଉପାନହ, ଅନୁପଦିକା ଘଡ଼ି, ଚେନ୍‌ବ୍ୟବହାର କରିବ । ଏହିପରି କେତେ ଉବିଷ୍ୟତ୍‌ ଆଶା ତାହା ହୃଦୟରେ ଉଜ୍ଜ୍ୱଳ ଆଭା ବିକୀରଣ କଲା । ସେ ଭାବିଲା,–ସାହେବଙ୍କ ସହିତରେ ମାହେନ୍ଦ୍ର ମୁହୂର୍ତ୍ତରେ ବାହାର ସାକ୍ଷାତ ହୋଇଥିଲା ।

 

ମହତ୍‌ ଲୋକଙ୍କର କଥା ଆଉ କାର୍ଯ୍ୟ ମଧ୍ୟରେ ଅସାମଞ୍ଜସ୍ୟ ପରିଲକ୍ଷିତ ହୁଏନାହିଁ । ସେମାନଙ୍କର କଥାହିଁ କାର୍ଯ୍ୟର ପୂର୍ବାଭାସ । ସେମାନଙ୍କ ହୃଦୟ ଦର୍ପଣପରି ସ୍ୱଚ୍ଛ, ସେଥିରେ ଯେଉଁ ପ୍ରତିବିମ୍ବ ପଡ଼େ, ତାହା ଅନତିବିଳମ୍ବରେ ରୂପ ପ୍ରାଣ ଧରି ଉଠିଆସେ । ସାହେବ ମଧୁର ପଢ଼ାଶୁଣାର ସୁବ୍ୟବସ୍ଥା କରିଦେଲେ । ତାଙ୍କର ହେଡ଼କ୍ଳାର୍କ ଜଣେ ବଙ୍ଗଳୀ, ସେ ଆଇ, ଏ, ପର୍ଯ୍ୟନ୍ତ ପଢ଼ିଅଛନ୍ତି । ସେ ମଧୁକୁ ପ୍ରତ୍ୟହ ଦୁଇଘଣ୍ଟା ଲେଖାଏଁ ପଢ଼ାଇବେ, ସେଥିସକାଶେ ପାରିଶ୍ରମିକ ମାସରେ ଦଶ ଟଙ୍କା ପାଇବେ । ଆପାତତଃ ଏହି ବନ୍ଦୋବସ୍ତ କରାଗଲା । ଆବଶ୍ୟକ ପୁସ୍ତକ ଖାତା ପ୍ରଭୃତି ଉପକରଣ କିଣି ଦିଆଗଲା । ଶିକ୍ଷକ ରାତିରେ ଦୁଇ ଘଣ୍ଟା ମଧୁକୁ ପଢ଼ାନ୍ତି । ମଧୁ ଖୁବ୍‌ ମନୋଯୋଗ ସହକାରେ ଇଂରାଜି ଏବଂ ବଙ୍ଗଳା ପଢ଼ିବାକୁ ଲାଗିଲା । ସାହେବ ପ୍ରତ୍ୟହ ତାହାର ପଢାପଢ଼ିର ତତ୍ତ୍ୱ ନିଅନ୍ତି । ମଧୁ ଦିନଯାକ ବସି ଶିକ୍ଷକ ପ୍ରଦତ୍ତ ସନ୍ଥ ଅଭ୍ୟାସ କରେ ଏବଂ ହସ୍ତାକ୍ଷର ଲେଖେ । ରାତିରେ ଶିକ୍ଷକ ପୁରୁଣା ପାଠ ନେଇ ନୂତନ ସନ୍ଥ ଦିଅନ୍ତି । ମଧୂ ବର୍ଷକ ମଧ୍ୟରେ ଦୁଇଖଣ୍ଡ ପ୍ରାଥମିକ ପୁସ୍ତକ ଶେଷ କରିପକାଇଲା । ଛାତ୍ରର ବିଦ୍ୟାନନୁରାଗ ଦେଖିବାରୁ ପରମ ସନ୍ତୋଷ ଲାଭପୂର୍ବକ ଛାତ୍ରକୁ ଅଧିକତର ସ୍ନେହ ଏବଂ ପ୍ରଶଂସା କରିବାକୁ ଲାଗିଲେ । ସାହେବ ମଧ୍ୟ ପ୍ରୀତ ହେଲେ । ମଧୁ ଗୁରୁଙ୍କର ଆଦର ଓ ସ୍ନେହ ଲାଭକରି ଦ୍ୱିଗୁଣ ଊତ୍ସାହରେ ଶିକ୍ଷାରେ ଅଗ୍ରସର ହେଲା ।

 

ପରବର୍ତ୍ତୀ ବର୍ଷ ସାହେବ ମଧୁକୁ ଆସାମର ଗୋଟାଏ ହାଇସ୍କୁଲରେ ଭର୍ତ୍ତି କରିଦେଲେ । ମଧୁ ଦିନରେ ସ୍କୁଲକୁ ଯାଏ ଏବଂ ରାତିରେ ଗୃହଶିକ୍ଷକ ପାଖରେ ପଢ଼େ । ପ୍ରତ୍ୟହ ସେ କ୍ଳାସରେ ପ୍ରଥମ ସ୍ଥାନ ଅଧିକାର କରେ । କ୍ରମଶଃ ସେ ଶିକ୍ଷକମାନଙ୍କର ପ୍ରିୟ ପାତ୍ର ହୋଇଉଠିଲା ଏବଂ ପ୍ରତିବର୍ଷ ଉପର କ୍ଳାସକୁ ପ୍ରଶଂସାର ସହିତ ଉନ୍ନୀତ ହେବାକୁ ଲାଗିଲା । କି ସ୍ୱଭାବ ଚରିତ୍ର, କି ଶିଷ୍ଟାଚାର, କି ବିଦ୍ୟାନୁରାଗ ସମସ୍ତ ବିଷୟରେ ସେ ଛାତ୍ରମାନଙ୍କର ଆଦର୍ଶ ହୋଇଉଠିଲା ଏବଂ ଶିକ୍ଷକମାନଙ୍କର ଦୃଷ୍ଟି ଆକର୍ଷଣ କଲା । ସାହେବ ତାହାର ଅଧ୍ୟୟନ-ପ୍ରୀତି ଏବଂ ଅଧ୍ୟବସାୟ ଦେଖି ତାହାକୁ ଅଧିକତର ସ୍ନେହ ଚକ୍ଷୁରେ ଦେଖିଲେ । ସ୍ୱରୋସିତ ବୃକ୍ଷକୁ ଫଳପୁଷ୍ପମଣ୍ଡିତ ଦେଖି କିଏ ବା ପ୍ରୀତିଲାଭ ନ କରେ ? ସାହେବ ତାହାକୁ ସମୟ ସମୟରେ ସ୍ୱୟଂ ପଢ଼ାଇବାକୁ ଲାଗିଲେ । ମଧୁ ରାତ୍ରି ଜାଗରଣପୂର୍ବକ ପାଠାଭ୍ୟାସରେ ନିଯୁକ୍ତ ହେଲା । ଦେଖୁଁ ଦେଖୁଁ ସେ ଅଗାଧ ପ୍ରବେଶିକା-ସାଗର ସନ୍ତରଣ ଦ୍ୱାରା ପାର ହୋଇଗଲା । ସେ ସମୟରେ ବିଶ୍ୱବିଦ୍ୟାଳୟ ଶିଶୁଯମାଳୟରେ ପରିଣତ ହୋଇନଥିଲା; କିମ୍ବା ଛାତ୍ରମାନଙ୍କୁ ପାଠ୍ୟପୁସ୍ତକର ହିମାଳୟ ଗିଳିବାକୁ ପଡ଼ୁନଥିଲା । ବର୍ତ୍ତମାନ କେବଳ ପରୀକ୍ଷାର ଯୁଗ । ପ୍ରତ୍ୟହ ପରୀକ୍ଷା, ପରୀକ୍ଷା ଉପରେ ପରୀକ୍ଷା,–ତା’ ଉପରେ ପରୀକ୍ଷା । ଏହିପରି ଭୀଷଣ ଅଗ୍ନି ପରୀକ୍ଷାରେ ଦଗ୍‌ଧୀଭୁତ ନହେଲେ ବିଶ୍ୱପଣ୍ଡିତଙ୍କଠାରୁ ପଟ୍ଟା-ପାଇବା ଛାତ୍ରମାନଙ୍କ ଦଗ୍‌ଧଭାଗ୍ୟରେ ଘଟେନାହିଁ । ବିଶ୍ୱବିଦ୍ୟାଳୟରୂପ ଅଗ୍ନି କୁଣ୍ଡରୁ ବାହାରି ପଟ୍ଟା ହାସଲ କରି ଆସିବାବେଳେ ଛାତ୍ରମାନଙ୍କର ଅସ୍ଥି ମାଂସ ମିଳାଇ ଯାଇଥାଏ, ସେତେବେଳେ ସେମାନେ ଶିଶୁରୂପୀ ଅକାଳବୃଦ୍ଧ । ତହିଁପରେ ଚାକିରୀପାଇଁ ଉମେଦବାର । ବାର ଅଛଦରାଙ୍କ ବିକୃତ ପାଦରେ ତୈଳମର୍ଦ୍ଦନ ନ କଲେ ତ୍ରାହି ମଧୁସୂଦନ ସ୍ମରଣପୂର୍ବକ ଦରିଦ୍ର ପାଞ୍ଚକ୍ଷର ମନ୍ତ୍ର ଜପ କରିବାକୁ ହେବ । ହାୟରେ ଶିକ୍ଷିତ ଅଦୃଷ୍ଟ ! ବିଶ୍ୱବିଦ୍ୟାଳୟ ପ୍ରଭୁଙ୍କର ତ ଦୟାର ପଟାନ୍ତର ନାହିଁ । ‘‘ଦୟା କଲେ ଛାମୁ କରଣେ, ନଅଶ ରଙ୍କିକି କଉଡ଼ି ପଣେ ।’’ ବସ୍‌, ଏବେ ସପ୍ତପୁରୁଷ ଉଦ୍ଧାର । ତାଙ୍କ ପଟ୍ଟା ଖଣ୍ଡିକୁ ତୁମ୍ଭେ କୋଥଳୀରେ ରଖି ଫୁଲ ଚନ୍ଦନ ଦେଇ ପୂଜାକର ତ, ଗୁଡ଼ ଲଗାଇ ଚାଟ, ତହିଁକି ସେ ଦାୟୀ ନୁହନ୍ତି ।

•••

 

ବିଂଶ ପରିଚ୍ଛେଦ

 

‘‘ମଧୁ, ଏ ମଧୁ !’’ ଦକ୍ଷିଣୀ ‘‘ଝଟକା’’ ଗାଡ଼ିର ଅସ୍ଥିଚର୍ମସାର ଘୋଡ଼ାପରି ଭୀମ ସିଂହ ସାହେବଙ୍କ କୋଠିଆଡ଼ୁ ଖର ଗତିରେ ଆସି ବସା ଖଣ୍ଡେ ଦୂର ଅଛି ସେହିଠାରୁ ଉଚ୍ଚସ୍ୱରରେ ଡାକିଲା,–‘ମଧୁ, ଏ ମଧୁ । ସେ ସ୍ୱର ବଡ଼ ବ୍ୟଗ୍ର ଏବଂ ଉଲ୍ଳାସବୋଳା । ମଧୁ ଘରଭିତରେ ଥିଲା । ଜଗନ୍ନାଥଙ୍କ ମଣୋହି ଶେଷରେ ଦ୍ୱାର ଖୋଲା ହେଲେ ଦର୍ଶନାର୍ଥୀମାନେ ଯେପରି ହୁଡାହୁଡ଼ି, ଠେଲାଠେଲି ହୋଇ ମନ୍ଦର ମଧ୍ୟରେ ପ୍ରବେଶ କରନ୍ତି; ସେହିପାରି ନାନାବିଧ ଚିନ୍ତା ଏକସମୟରେ ମଧୁର ମସ୍ତିଷ୍କରେ ପ୍ରବେଶ କରି ତାହାକୁ ବିବ୍ରତ କରୁଥିଲା । ଆନନ୍ଦ ସମୟରେ ଅନେକ କଥା ମନରେ ପଡ଼େ । ସ୍ୱୀୟ ଅତୀତ ଜୀବନର ଦୁଃଖ, ସାହେବଙ୍କ କୃପା ଏବଂ ଭୀମର ଅଗାଧ ସ୍ନେହ, ଏହିପରି ନାନା ଚିନ୍ତାରେ ସେ ବିଭୋର । ଏହି ସମୟରେ ଭୀମର ଡାକ ଶୁଣି, ସୁପ୍ତ ବ୍ୟକ୍ତି ହଠାତ୍‌ ଘନ ଗର୍ଜନରେ ଚମକି ଉଠିଲାପରି ମଧୁ ଭଗ୍ନଚିନ୍ତ ହୋଇ ଦେଖିଲା, ଭୀମ ଆସି ତାହାପାଖରେ ଉପସ୍ଥିତ । ତାହାର ମୁଖ ଏବଂ ନେତ୍ର ଆନନ୍ଦପ୍ରଭାବରେ ପ୍ରଦୀପ୍ତ । ସେ ମୃଦୁହାସ୍ୟରେ କହିଲା–‘‘ମଧୁ, ତୋତେ ଆଜି ଗୋଟାଏ ଶୁଭ ସମ୍ବାଦ ଦେବି, ତୁ ମୋତେ କଅଣ ଇନାମ ଦେବୁ କହ ?’’ ଭୀମ ଯେଉଁ ଶୁଭ ସମ୍ବାଦ ଦେବ, ମଧୁ ତାହା ଜାଣେ; ମାତ୍ର ତାହା ପ୍ରକାଶ କଲେ ଭୀମର ଉତ୍ସାହଭଙ୍ଗ ସଙ୍ଗେ ସଙ୍ଗେ କଥାର ରସଭଙ୍ଗ ହୋଇଯିବ, ଏହା ଭାବି ମଧୁ ନ ଜାଣିଲାପରି କହିଲା, ‘‘ତୋତେ ଆଉ ଇନାମ କଅଣ ଦେବି, ମୁଁ ତ ଗୋଟାଯାକ ତୋର । ଏ ପ୍ରାଣଟା ତ ତୋହରି ଉପରେ ନିର୍ଭରକରି ରହିଛି; ନୋହିଲେ ମୋହର ଧୂଳି ପାଉଁଶ ସୁଦ୍ଧା ଥାଆନ୍ତା ନାହିଁ । ମୋର ଏହି କେଶରେ କମ୍ବଳ ବୁଣି ତୋର ବସିବାର ଆସନ କରିଦେଲେ ବି ମୁଁ ତୋର ଋଣ ଶୁଝି ପାରିବି ନାହିଁ-।’’ ଭୀମ ମଧୁର ଏହି ବିନୟସିକ୍ତ କଥା ଶୁଣି ଜିହ୍ୱା ଦଂଶନପୂର୍ବକ କହିଲା,-‘‘ମଧୁ, ତୁ କଅଣ ପାଗଳ ହେଲୁଣି କି ? ଏ ସବୁ କଅଣ କହୁଛୁ ! ଆଉ ମୁଁ ବା ତୋର କଅଣ କରିଛି, ଯାହା କରନ୍ତି, ସବୁ ଈଶ୍ୱର । ତାଙ୍କର ହାତ, ତାଙ୍କର ଗୋଡ଼, ତାଙ୍କର ଦେହ, ସବୁ ତାଙ୍କରି, କେବଳ ମଧ୍ୟରେ ଗୋଟାଏ ‘‘ମୁଁ’’ କେଉଁଠୁ ଆସି ରହି ସବୁ ଅଲଗା କରିଦିଏ । ସେହି ଅନର୍ଥର ମୂଳ ‘‘ମୁଁ’ ଟା ବଡ଼ ଦୁଷ୍ଟ । ଯେପରି ଦୁଇଟି ଭାଇ ଏକ ଆତ୍ମା ଏକ ପ୍ରାଣ ହୋଇଥାଆନ୍ତି; ମାତ୍ର ଅପର ଜଣେ ଈର୍ଷାଳୁ ଆସି ସେମାନଙ୍କର ସେହି ଏକାତ୍ମତା ଏବଂ ଏକପ୍ରାଣତା ଭାଙ୍ଗିଦିଏ, ସେହି ଏହି ପରଶ୍ରୀକାତର ‘‘ମୁଁ’’ ସବୁ ଭେଦବୁଦ୍ଧିର କାରଣ । ମନୁଷ୍ୟର ନିଜରକ୍ଷଣ ଅସମ୍ଭବ, ସେ ପୁଣି ଅନ୍ୟର ରକ୍ଷାକର୍ତ୍ତା ହେବ କିପରି-? କାଠ କଣ୍ଢାଇର ତ ଜଣେ ନିର୍ମାଣକର୍ତ୍ତା ଅଛି, ପୁଣି ସେ କାହାକୁ ନିର୍ମାଣ କରିବ, ଏହା ଯେ ବଡ଼ ଅସଙ୍ଗତ ଆଉ ନିତାନ୍ତ ହାସ୍ୟକର କଥା । ସେ ଯାହା ହେଉ ଏବେ ଶୁଭ ଖବରଟା ଶୁଣ । ତୁ ଅଙ୍ଗ୍ରିଜୀରେ ଯେଉଁ ‘‘ଇମ୍‌ତାନ୍‌’’ ଦେଇଥିଲୁ, ତାହା ‘‘କାଏମ୍‌’’ ହେଲା । ମୁଁ ଏଇଛୁଣିକା ସାହେବଙ୍କ କତିରୁ ଶୁଣି ଆସିଲି । ସାହେବ ଭାରି ଖୁସି, ଯେ ଆସୁଛି ତାକୁ କହି ତୋତେ ଢେର ପ୍ରଶଂସା କରୁଛନ୍ତି । ତୁ ଏଥର ଖୁବ୍‌ଗୋଟାଏ ବଡ଼ ଚାକିରୀ ପାଇବୁ ।’’

 

ମଧୁ–ଖୁବ୍‌ବଡ଼ ଚାକିରୀ ? –ଘୋଡ଼ାପରି ନା ହାତୀପରି ?

ଭୀମ–ଘୋଡ଼ାହାତୀପରି ନୁହେଁ ରେ, ତୁ ଏବେ ଘୋଡ଼ାହାତୀରେ ଚଢ଼ିବୁ ।

ମଧୁ–ହଁ, ଏବେ ବୁଝିଲି, ଘୋଡ଼ାସଇଷ ହେବି, ନ ହେଲେ ହାତୀମାହୁନ୍ତ ହେବି ।

 

ଭୀମ–ଦୂର, ମୁଁ କଅଣ ତା କହୁଛି ? ତୁ ଘୋଡ଼ାସଇଷ କି ହାତୀମାହୁନ୍ତ ହେବୁ କାହିଁକି-? ତାହା ତୋର ଶତ୍ରୁ ହେଉ; ମାତ୍ର ତୁ ଘୋଡ଼ାସଇଷ ଆଉ ହାତୀମାହୁନ୍ତ ରଖିବୁ । ଆଛା, ମଧୁ । ତୁ ବଡ଼ ଚାକରୀ କଲେ ତୋର ଏ ଗରୀବ ଭୀମାନାକୁ ପଚାରିବୁ ନା ?

 

ଏହା ଶୁଣି ମଧୁର ଚକ୍ଷୁ ଅଶ୍ରୁ ଛଳଛଳ ହୋଇଆସିଲା । ସେ କୃତଜ୍ଞଦୃଷ୍ଟିରେ ଚାହିଁ କହିଲା,-‘‘ତାହା କହି ନା, ଭାଇ, ଈଶ୍ୱର ଏତେ କଷ୍ଟ ଦେଲେ,- ଆହୁରି ପଛକେ ଦେଉନ୍ତୁ; ମାତ୍ର ଅକୃତଜ୍ଞ ବୁଦ୍ଧି ନ ଦେଉନ୍ତୁ, ମୋର ବଡ଼ ଚାକିରୀ ପାଇବା ତ ଆକାଶକୁସୁମ, ଯଦି ତୋ କଲ୍ୟାଣରୁ ଏ ପୋଡ଼ା କପାଳରେ ତାହା ଘଟେ, ତେବେ ତୋତେ ନ ପଚାରିଲେ ସେଥିରେ ତୋର କିଛି କ୍ଷତି ନାହିଁ–କ୍ଷତି ସିନା ମୋର । ମନୁଷ୍ୟର ଅଧଃପତନର ଯେତେ କାରଣ ଅଛି, ସେଥି ମଧ୍ୟରେ କୃତଘ୍ନତା ପ୍ରଧାନ । କୃତଘ୍ନତାଠାରୁ ବଳି ପାପ ନାହିଁ । ମୁଁ ତୋତେ ନ ପଚାରିଲେ ତୁ ନରକଗାମୀ ହେବୁନାହିଁ, କିମ୍ବା ପଚାରିଲେ ଚତୁର୍ଭୁଜ ହୋଇ ସ୍ୱର୍ଗକୁ ଯିବୁନାହିଁ; ମାତ୍ର ମୋର ପାପ ରଖିବାକୁ ବିଶ୍ୱବ୍ରହ୍ମାଣ୍ଡରେ ସ୍ଥାନ ମିଳିବନାହିଁ । ଯେ ଉପକାରୀର ଉପକାର ବିସ୍ମୃତ ହୁଏ, ସେ ଦେବତା ହେଲେ ସୁଦ୍ଧା ପାମର । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ଉପକାର ବିସ୍ମୃତ ହୋଇଥିଲା; ମାତ୍ର ଶେଷ ଫଳ ଯାହା ହେଲା, ତାହା ଭାବିଲେ ଆଜି ଯୁଗାନ୍ତରରେ ସୁଦ୍ଧା ଚିତ୍ତ ଘୃଣାରେ ତିକ୍ତ ହୋଇଯାଏ ।’’ ଏହିପରି କଥୋପକଥନ ସମୟରେ ଉତ୍ତରଦିଗରୁ ମେଘ ଉଠାଇ ଯୁଦ୍ଧ ବାରପରି ଆକାଶଫଟା ଗର୍ଜନ କରିବାକୁ ଲାଗିଲା । ମର୍ମାହତର ଖର ତପ୍ତ ଶ୍ୱାସ ପ୍ରାୟ ଭୀଷଣ ବାୟୁ ପ୍ରବାହିତ ହେଲା । ସେଦିନ ପ୍ରାୟ ଦୁଇଶ ମହଣ ଚା ପତ୍ର ଖରାରେ ଶୁଖୁଥିଲା, ବର୍ଷାରେ ତିନ୍ତିଯିବା ଏବଂ ପବନରେ ଉଡ଼ିଯିବା ଆଶଙ୍କା କରି ସେଗୁଡ଼ିକର ରକ୍ଷଣାବେକ୍ଷଣ ସକାଶ ଭୀମ ଏବଂ ମଧୁ ଭୂରିତପଦ-ବିକ୍ଷେପରେ ବସାରୁ ବାହାରିଗଲେ ।

 

ଦିନେ ଅଟକେ ନାହିଁ,–ସୁଖେ ଦୁଃଖେ ଚାଲିଯାଏ । ଏଥି ମଧ୍ୟରେ ମଧୁ ଉନ୍ନତି-ନିଶୁଣୀର ଦୁଇ ତିନି ଫଳି ଉପରକୁ ଉଠିଯାଇଅଛି । ଅଧ୍ୟାତ୍ମିକ ବଳପରି ଚାରିତ୍ୟବଳ ମଧ୍ୟ ମାନବ ଆଗରେ ଉନ୍ନତିର ସୋପାନ ପକାଇଦିଏ ।

 

ମଧୁର ସେହି ଚାରିତ୍ରେବଳରେ ସାହେବ ସନ୍ତୁଷ୍ଟ । ବାଲ୍ୟକାଳରେ ଯେ ଦୃଷ୍ଟି ଏବଂ ଅବାଧ୍ୟ ଥାଏ, ପଛକୁ ସେ ଶାନ୍ତ ଏବଂ ଶିଷ୍ଟ ହୁଏ । ମଧୁର ଜୀବନରେ ତାହାହିଁ ପ୍ରମାଣିତ ହୋଇଅଛି । ସେ ସମ୍ପ୍ରତି ମାସିକ ଚଳିଶଟଙ୍କା ବେତନରେ ସାହେବଙ୍କ ପାଖରେ କିରୋଣୀ କାର୍ଯ୍ୟ କରୁଅଛି । ବେତନ ପାଇଲାକ୍ଷଣି ନେଇ ଭୀମ ହାତରେ ଦିଏ ତାହାର ମାସିକ ଖର୍ଚ୍ଚ ଯାଇ ଯାହା ବଳେ ଭୀମ ତାହା ଗଚ୍ଛିତ ରଖେ । ମଧୁର ବେତନରେ ଦୁହିଙ୍କର ଖର୍ଚ୍ଚ ଚଳାଇବା ସକାଶେ ସେ ଅନେକ ଥର ଭୀମକୁ ଅନୁରୋଧ କରିଥିଲା; ମାତ୍ର ଭୀମ ତାହା ପ୍ରତ୍ୟାଖ୍ୟାନପୂର୍ବକ କହିଥିଲା,-‘‘ମୋର ତ ବେତନ ଅଛି, ଖର୍ଚ୍ଚ ଯାଇ କିଛି କିଛି ମାସରେ ବଳେ, ଅଭାବ ତ ନାହିଁ, ଅକାରଣ କାହିଁକି ତୋର ଜଳଗ୍ରହ ହେବି ?’’ ମଧୁ ବାରମ୍ୱାର ଅକୃତକାର୍ଯ୍ୟ ହୋଇ ଆଉ ବାଧ୍ୟ କରେନାହିଁ । ମଧୁର ଇଂରାଜୀ ହସ୍ତଲିପି ଖୁବ୍‌ଭଲ, ଅନେକ ସମୟରେ ସାହେବ ତାହା ହାତରେ ଚିଠିପତ୍ର ଲେଖାନ୍ତି, କୁଲିମାନଙ୍କର ହାରୀ ଫେରାଦାର ଦରଖାସ୍ତ ସାହେବଙ୍କ ପାଖରେ ପଡ଼େ । ସାହେବ ସେଥିର ନିଷ୍ପତ୍ତିର ଭାର ମଧୁ ଉପରେ ନ୍ୟସ୍ତ କରନ୍ତି । ମଧୁ ଯେଉଁ ମୀମାଂସା କରେ, ତାହା ସାହେବଙ୍କର ମନୋମତ ହୁଏ । ମଧୁର ଚରିତ୍ର ଶରତକାଳର ନଦୀଜଳ ପ୍ରାୟ ନିର୍ମଳ ଏବଂ ଦେବ-ପାଦୋଦକ ପ୍ରାୟ ପବିତ୍ର । ଏହିହେତୁ କୁଲିମାନେ ତାକୁ ବିଶେଷ ଶ୍ରଦ୍ଧା କରନ୍ତି। ଉଚ୍ଚ ଅଧିକାରରେ ଥାଇ ସୁଦ୍ଧା ସେ କେବେ କାହାରିଠାରୁ କିଛି ହେଲେ ଉତ୍କୋଚ ଗ୍ରହଣ କରେ ନାହିଁ ପ୍ରଭ୍ୟୁତ କାହାରି ଅଭାବ ଦେଖିଲେ ସେ ଯଥାଶକ୍ତି ସାହାଯ୍ୟ କରେ । ଏ କାଳରେ ଯେ ଯେତେ ଉତ୍କୋଚ ନେଇପାରିଲା, ସେ ତେତେ ବାହାଦୂର । ଉତ୍କୋଚର ନାମ ହୋଇଛି ‘‘ଉପରି ଲାଭ ।’’ ଧର୍ମଭେକଧାରୀଙ୍କ ମଧ୍ୟରେ ଏହି ଉପରି ଲାଭଟା ଧର୍ମର ଅଙ୍ଗ ସ୍ୱରୂପ । ସେମାନେ ଯେଉଁ ହାତରେ ମାଳା ଜପନ୍ତି, ସେହି ହାତରେ ଗରିବଙ୍କ ତଣ୍ଟି ଚିପି ଉପରି ଲାଭ ରୂପ ଅମେଧ୍ୟ ଭକ୍ଷଣ କରିବାକୁ ଘୃଣାବୋଧ କରନ୍ତିନାହିଁ । ସମାଜରେ ସେମାନଙ୍କର ଉପାଧି, ‘‘ବିରାଡ଼ି ବୈଷ୍ଣବ’’ ବା ‘‘ତୁଳସୀ ବଣର ବାଘ ।’’ ସେମାନେ ବୁଡ଼ି ପାଣି ପିଇଲେ ଦେବତାଙ୍କର ବାପେ ସୁଦ୍ଧା ଟେର୍‌ ପାଇବେନାହିଁ । ସାନଠାରୁ ବଡ଼ ପର୍ଯ୍ୟନ୍ତ ଅନେକେ ଏହି ପାପରେ ଧାର୍ମିକ । ପ୍ରଭେଦ ଏତିକି ଯେ, ସାନ ଏହାକୁ ମିଠାଇଖିଆ ପୁରସ୍କାର କହନ୍ତି; ମାତ୍ର ଏହା ପବିତ୍ର ପୁରସ୍କାର ଶବ୍ଦର ଅଧୌତ କଳଙ୍କ । ବଡ଼ଲୋକଙ୍କର ତ ଏହା ତପ୍ତ ବୈତରଣୀ ପାର ହେବାର ନୌକାଭଡ଼ା । ମନୁଷ୍ୟ ହୋଇ ଯେ ମନୁଷ୍ୟର ରକ୍ତପାନ କରେ, ତାହାକୁ ଶୃଗାଳ ଶକୁନ ଜନ୍ମ ନ ଦେବା ବିଧାତାଙ୍କର ଗୋଟାଏ ପ୍ରକାଣ୍ଡ ଭ୍ରମ ନୁହେଁ ତ ଆଉ କଅଣ ? ଦୟା, ମାୟା, ସହାନୁଭୂତି ଉଠିଯାଇ ଏଣିକି ଉତ୍କୋଚର ମାତ୍ରା ବଢ଼ି ଉଠୁଅଛି; ସୁତରାଂ ନବ୍ୟ ଅଭିଧାନକାରମାନେ ଏହି ସବୁର ଅର୍ଥ ‘‘ଉତ୍କୋଚ’’ ବୋଲି ନିର୍ଦ୍ଦେଶ କରିବାକୁ ପରାଙ୍ମୁଖ ହେବେ ନାହିଁ ।

 

ଆମେରିକାରେ ବୈଜ୍ଞାନିକମାନଙ୍କର ଗୋଟିଏ ସଙ୍ଘ ଅଛି । ବଡ଼ ବଡ଼ ବୈଜ୍ଞାନିକମାନେ ସେଥିରେ ସଭ୍ୟ । ଆମ୍ଭମାନଙ୍କର ରେ ସାହେବ ସେଥିମଧ୍ୟରେ ଜଣେ ସେହି ସଙ୍ଘର କେତେ ଜଣ ସଭ୍ୟ ମଧ୍ୟରେ ପୃଥିବୀ ପରିଭ୍ରମଣ କରିବାସକାଶେ ବହାରିବେ ଏବଂ ଯେଉଁ ସ୍ଥାନରେ ଯେଉଁ ବିଷୟକ ବୈଜ୍ଞାନିକ ପରୀକ୍ଷାର ସୁବିଧା ହେବ, ସେହି ସ୍ଥାନରେ ରହି, ସେହି ବିଷୟର ପରୀକ୍ଷା କରିବେ । ପୃଥିବୀ ମଧ୍ୟରେ ଏହିପରି ଷାଠିଏ ଗୋଟି ସ୍ଥାନ ନିରୂପିତ ହୋଇଅଛି । ପ୍ରତ୍ୟେକ ସ୍ଥାନରେ ମାସେ ଲେଖାଏଁ ରହି ପରୀକ୍ଷା କରାଯିବ । ସାହେବ ସେହି ଦଳର ଅଧ୍ୟକ୍ଷ ମନୋନୀତ ହୋଇଅଛନ୍ତି; ସୁତରାଂ ତାଙ୍କୁ ଦୀର୍ଘ ପାଞ୍ଚବର୍ଷ କାଳ ପୃଥିବୀର ନାନାସ୍ଥାନରେ ବୁଲିବାକୁ ହେବ । ସେ ସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ଏବଂ ଉତ୍ସାହିତ ହୋଇଉଠିଲେ; ମାତ୍ର ତାଙ୍କ ଅନୁପସ୍ଥିତି ସମୟରେ ବିଶାଳ ଚା କାରଖାନା କିରୂପେ ପରିଚାଳିତ ହେବ, ସେ ବିଷୟ ଚିନ୍ତା କରିବାକୁ ଲାଗିଲେ । ଶେଷରେ ସ୍ଥିର କଲେ, ଜଣେ ସୁଦକ୍ଷ ମେନେଜର ରଖି କାରଖାନାର ସୂଚାରୁ ପରିଚାଳନାର ବ୍ୟବସ୍ଥା କରି ସେ ଯିବେ । ଅଳ୍ପଦିନ ମଧ୍ୟରେ ତଦନୁସାରେ କାର୍ଯ୍ୟ ମଧ୍ୟ ହେଲା । ମାସିକ ପାଞ୍ଚଶତ ଟଙ୍କା ବେତନରେ ଜଣେ ଇଉରୋପୀୟ ମେନେଜର ନିଯୁକ୍ତ ହେଲେ । ସେତେବେଳକୁ ଯେଉଁ କୁଲିମାନଙ୍କର କାର୍ଯ୍ୟକାଳ ଶେଷ ହୋଇ ଆସିଥିଲା, ସେମାନଙ୍କୁ ଉପଯୁକ୍ତ ପାଥେୟ ଏବଂ ପୁରସ୍କାରପ୍ରଦାନପୂର୍ବକ ବିଦାୟ ଦିଆଗଲା । ଭୀମସିଂହ ପାଥେୟ ଛଡ଼ା ତିନିଶ ଟଙ୍କା ପୁରସ୍କାର ପାଇଲା । ସାହେବଙ୍କ ସଙ୍ଗରେ କଲିକତା ଯାଇ ସେ ସେହିଠାରୁ ବିଦାୟ ନେବ । କୁଲି ଏବଂ କର୍ମଚାରୀମାନଙ୍କୁ ସାହେବ କିଛି କିଛି ପୁରସ୍କାର ଦେଇ ଯଥାରାତି କାର୍ଯ୍ୟ କରିବାକୁ ଉପଦେଶ ଦେଲେ ଏବଂ ସେମାନଙ୍କୁ ସୁଖ ସୁବିଧା ପ୍ରତି ସର୍ବଦା ସତର୍କ ଦୃଷ୍ଟି ରଖିବା ସକାଶେ ନବନୀଯୁକ୍ତ ମେନେଜରଙ୍କୁ ସନିର୍ବନ୍ଧ ଅନୁରୋଧ କଲେ । ଏହିପରି ଗମନର ପୂର୍ବବର୍ତ୍ତୀ କାର୍ଯ୍ୟମାନ ଶେଷ ହେଲା ।

 

ଅନନ୍ତର ସାହେବ ମଧୁ କଥା ଏହିପରି ଭାବିଲେ,-ମଧୁର ଦଶବର୍ଷ ପୂର୍ଣ୍ଣ ହୋଇଅଛି, ତାକୁ ଏତେଦିନ ଅଟକାଇ ରଖିବାର କଥା ନୁହେଁ, ଖାଲି ଏହି ଟଙ୍କାଟା ସକାଶେ ବାଧ୍ୟ ହୋଇ ରଖିବାକୁ ହୋଇ ଅଛି । ଏବେ ତାର ହିତାହିତ ବୁଝିବାର ବୟସ ଯଥେଷ୍ଟ ହୋଇଅଛି ଏବଂ ଶକ୍ତି ମଧ୍ୟ ଜନ୍ମି ଅଛି । ସେ ଏବେ ନିଜକୁ ନିଜେ ରକ୍ଷା କରିପାରିବ ଏବଂ ଅର୍ଥର ସଦ୍‌ବ୍ୟବହାର ମଧ୍ୟ କରିପାରିବ । ସେ ଧନୀ ପିତାର ପୁତ୍ର, ତାହା ପକ୍ଷରେ ଚାକିରୀରୂପ ଦାସତ୍ୱର ଆବଶ୍ୟକତା ନାହିଁ, ତେବେ ଯୋଗ୍ୟତା ଉପାର୍ଜନ ପରେ ଖାଲି ବସି ରହିବା ଭଲ ନୁହେଁ ବୋଲି ତାକୁ ଗୋଟାଏ କାର୍ଯ୍ୟରେ ଲଗାଇ ଦିଆଯାଇଥିଲା । ଚାକିରୀ ସିନା ନିଃସମ୍ୱଳର ସହାୟ; ନଚେତ୍‌ ସେଥିରେ ମନୁଷ୍ୟତା ବିକାଶ ପାଏନାହିଁ । ଯେ ପରାଧୀନତାର ବିବିଡ଼ ଶୃଙ୍ଖଳାରେ, ଆବଦ୍ଧ, ତାହାର ସ୍ୱାଧୀନ ଚିନ୍ତା ପଦେ ପଦେ କ୍ଷୂର୍ଣ୍ଣ ହୁଏ । ସ୍ୱାଧୀନ ବ୍ୟବସାୟ ମନକୁ ଉନ୍ନତ କରେ । ମନ ଉନ୍ନତ ହେଲେ ନୈତିକ ଜୀବନ ଲାଭହୁଏ ଏବଂ ହୃଦୟ ପ୍ରଶସ୍ତତର ହୁଏ । ଯେ ପର ପଦରେ ଆତ୍ମବଳୀ ଦିଏ, ତାହାର ହୃଦୟ ଚିର ସଙ୍କୀର୍ଣ୍ଣ ଏବଂ ତାହାର ଆତ୍ମା ପଙ୍ଗୁ ହୋଇଯାଏ । ନୂତନ ଚିନ୍ତା ବା ନୂତନ ଉଭାବନ ତାହାର ଦୁର୍ବଳ କ୍ଳୀବ ମସ୍ତିଷ୍କକୁ ସ୍ପର୍ଶ କରିପାରେନାହିଁ । ପରାଧୀନତା ପରି ଆତ୍ମୋନ୍ନତିର ପରିପନ୍ଥୀ ଆଉ କିଛି ନାହିଁ । ତାହା ତମୋମୟ କାରଗାର । ପଶୁ ପକ୍ଷୀ ପ୍ରଭୃତି ଇତର ପ୍ରାଣୀ ସୁଦ୍ଧା ପରାଧୀନତାକୁ ଘୃଣା କରନ୍ତି । ମାନବ ପକ୍ଷରେ ତ ତାହା ଶିରଶ୍ଚେଦ ଶାସ୍ତି । ପରାଧୀନାତା ସତ୍ତ୍ୱେ କେହି କେହି ମନିଷୀ ବ୍ୟକ୍ତି ଉନ୍ନତି ସୋପାନରେ ଆରୋହଣ କରି ଅଛନ୍ତି ସତ୍ୟ; ମାତ୍ର ପୂର୍ଣ୍ଣ ସ୍ୱାଧୀନତା ପାଇଥିଲେ, ସେମାନେ ଆହୁରି ଅସମ୍ଭାବିତ ଉନ୍ନତି କରିପାରି ଥାଆନ୍ତେ ଏଥିରେ ସନ୍ଦେହ ନାହିଁ । ପରାଧୀନତା ସେମାନଙ୍କ ଉନ୍ନତିକୁ ସୀମାବଦ୍ଧ କରିରଖିଅଛି । ମଧୁର ଶିକ୍ଷା ଅଛି, ସମ୍ୱଳ ଅଛି; ସୁତରାଂ ସେ ସ୍ୱାଧୀନ ବ୍ୟବସାୟରେ ଯଥେଷ୍ଟ ଅଗ୍ରସର ହୋଇ ପାରିବ । ତାହାର ଟଙ୍କା ତାକୁ ଦେଇ, ଏବେ ବିଦାୟ ଦେବା ଉଚିତ ।’’ ସାହେବଙ୍କର ଏହି ଚିନ୍ତାସ୍ରୋତ ଚାଲିଥିବା ସମୟରେ ମଧୁ ଆସି ଉପସ୍ଥିତ ହେଲା । ସାହେବ ତାହାକୁ କହିଲେ,-‘‘ମଧୁ, ଏବେ ତୋତେ ଘରକୁ ପଠାଇ ଦେବି, ତୋତେ କିଛି ଶିକ୍ଷା ଦେବାକୁ ମୋର ଉଦ୍ଦେଶ୍ୟ ଥିଲା, ସେ ଉଦ୍ଦେଶ୍ୟ ସିଦ୍ଧ ହୋଇଅଛି, ଏଣିକି ତୁ ସ୍ୱଦେଶକୁ ଯାଇ ମାତୃଭୂମିର କିଛି ଉପକାର କର । ତୋର ପିତାକୁ ତୁ ଆଜି ପତ୍ର ଲେଖ, ସେ କଲିକତା ପର୍ଯ୍ୟନ୍ତ ଆସନ୍ତୁ । ମୁଁ ତୋତେ ସଙ୍ଗରେ କଲିକତା ନେଇଯାଇ ତାଙ୍କର ଜିମା କରିଦେଇ ଆସିବି । ଆଉ ଅଧିକ ସମୟ ନାହିଁ, ମୋତେ ଅତିଶୀଘ୍ର ଆମେରିକା ଯିବାକୁ ହେବ । ଆଗାମୀ ଜାନୁୟାରୀ ପନ୍ଦର ତାରିଖରେ ତାଙ୍କୁ ଆସିବାକୁ ଲେଖିବୁ । ମୁଁ ତାଙ୍କ ଆସିବାର ସୁବିଧା କରିଦେବି । ଆମ୍ଭର ଜାହାଜ ଚାନ୍ଦବାଲି ଯିବ । ସେ ସେହି ଜାହାଜରେ ଆସିବେ । ପିତା ପୁତ୍ର ଦୁହେଁ ପୁଣି ସେହି ଜାହଜରେ କଲିକତାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଯିବ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ସେ ତୋର ଚିର ସହାୟ ହେଉନ୍ତୁ ।’’ ଏହା ଶୁଣି ମଧୁର ଚକ୍ଷୁ ଆନନ୍ଦରେ ଲୋତକସିକ୍ତ ହୋଇ ଆସିଲା । ସେ ଗଦ୍‌ଗଦ୍‍ ସ୍ୱରରେ କହିଲା–ହଜୁରଙ୍କର ମଙ୍ଗଳ ଆଦେଶ ମୋର ଦେବନିର୍ମାଲ୍ୟପରି ଶିରୋଧାର୍ଯ୍ୟ । ମୁଁ ହଜୁରଙ୍ଗ ସ୍ନେହ ଏବଂ ଦୟା ଜୀବନରେ ଭୁଲି ପାରିବିନାହିଁ । ହଜୁର ଏ ଅଧମ ବାଳକର ପିତୃତୁଲ୍ୟ ଅରାଧ୍ୟ ଦେବତା ।’’ ମଧୁ ଆଉ କିଛି କହିପାରିଲାନାହିଁ, ଆନନ୍ଦର ପ୍ରବଳ ଉଚ୍ଛ୍ୱାସ ତାହାର କଣ୍ଠରୋଧ କରିଦେଲା । ସେ ସାହେବଙ୍କ ପଦଦ୍ୱୟ ଭକ୍ତିପୂର୍ବକ ମସ୍ତକରେ ଲଗାଇ ପତ୍ର ଲେଖିବା ସକାଶେ ବସାକୁ ବାହାରିଗଲା ।

 

ମଧୁର ରେଜେଷ୍ଟରୀ ପତ୍ର ଯଥାସମୟରେ ହେମହରି ସାମନ୍ତଙ୍କର ହସ୍ତଗତ ହେଲା । ପତ୍ର ଆଣି ପ୍ରକାଶ ମହାଭାରତ । ଭଣ୍ଡ ବାବାଜି ଟଙ୍କାଗଛ ଲୋଭ ଦେଖାଇ ଠକାଇ ନେଇଯିବା, ଚା ବଗିଚାରେ ମଧୁକୁ ବିକ୍ରୟ କରିବା, ସାହେବଙ୍କର ସ୍ନେହ, ବାବାଜିର ମୃତ୍ୟୁ ଏବଂ ମଧୁର ଶିକ୍ଷୋନ୍ନତି ପ୍ରଭୃତି ଯାବତୀୟ ବିଷୟ ସେଥିରେ ବିସ୍ତାରିତ ରୂପେ ଲିଖିତ ହୋଇଥିଲା । ସାମନ୍ତ ଶଙ୍କାକମ୍ପିତ କରରେ ପତ୍ରଖଣ୍ଡି ଖୋଲି ପାଠକଲେ । ଅସମ୍ଭାଳ ଆନନ୍ଦରେ ତାଙ୍କର ନେତ୍ର ଅଶ୍ରୁବର୍ଷଣ କଲା । କ୍ଷଣକ ମଧ୍ୟରେ ଏ କଥା ଗ୍ରାମ ମଧ୍ୟରେ ରାଷ୍ଟ୍ର ହୋଇଗଲା । ଗ୍ରାମରେ ଗୋଟାଏ ଆନନ୍ଦ ଏବଂ ବିସ୍ମୟର ସ୍ରୋତ ବହିଗଲା । ଗ୍ରାମବାସୀ ଦଳ ଦଳ ହୋଇ ସାମନ୍ତଙ୍କ ଘରକୁ ଧାଡ଼ି ଦେଲେ । ସାମନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପତ୍ରଖଣ୍ଡି ଆମୂଳଚୂଳ ପାଠକଲେ । ପଢ଼ି ପଢ଼ି ତାଙ୍କର ତଣ୍ଟି ବସିଗଲା । ଶ୍ରୋତାବୃନ୍ଦ ସାମନ୍ତଙ୍କର ଧର୍ମବଳ ଏବଂ ମଧୁର ଶୁଭଦୃଷ୍ଟିର ଭୂୟସୀ ପ୍ରଶଂସା ଗାନ କଲେ ଏବଂ ସଙ୍ଗେ ସଙ୍ଗେ ଧୃର୍ତ୍ତ ଆଡ଼କାଟିର ଚତୁର୍ଦ୍ଦଶ ପୁରୁଷ ଉଦ୍ଦେଶ୍ୟରେ ଅନାଭିଧାନିକ ତିକ୍ତ ଆଶୀର୍ବାଦ ଅଜାଡ଼ିଦେଲେ । କେହି ବା କ୍ରୋଧରେ ଦନ୍ତ କଡ଼ମଡ଼ କରି ଉଠିଲେ । ଏହିପରି ଗୋଟାଏ ବ୍ୟର୍ଥ ଆସ୍ଫାଳନ ଆତ୍ମପ୍ରକାଶ କଲା । ସେଥିରୁ ପ୍ରତୀୟମାନ ହେଲା, ବାବାଜି ସେଠାରେ ଉପସ୍ଥିତ ଥିଲେ, ତାହାର ହାଡ଼ମାଂସ ଘେନି ଗୋଟାଏ ଅସୁରିକ କାଣ୍ଡ ସଂଘଟିତ ହୋଇଥାଆନ୍ତା । ତଥାପି କେହି କେହି ମୃଷ୍ଟିବଦ୍ଧ ହୋଇ, ଗୋଟାଏ ହାସ୍ୟକର ଶ୍ୱନ୍ୟ ସଂଗ୍ରାମର ଅଭିନୟ ଦେଖାଇବାରେ ତ୍ରୁଟି କରିନଥିଲେ । ସାମନ୍ତ ଆଉ ବିଳମ୍ୱ ନକରି ସେହିଦିନ ଚାନ୍ଦବାଲି ଯିବା ସକାଶେ ପ୍ରସ୍ତୁତ ହେଲେ । ତାଙ୍କୁ ଆଉ ଅନ୍ନଜଳ ରୁଚିଲାନାହିଁ । ଆନନ୍ଦରେ ତ ଉଦରପୂର୍ଣ୍ଣ ହୋଇଅଛି, ଆଉ ଅନ୍ନଜଳ ଧରିବ କାହିଁରେ ? ସେ ସଙ୍ଗରେ ଜଣେ ଲୋକ ନେଇ ସେହିଦିନ ରାତ୍ରିରେ ଚାନ୍ଦବାଲି ଗଲେ । ସେଠାରେ ଦୁଇଦିନ ରହି ଜାହାଜକୁ ଅପେକ୍ଷା କଲେ । ତୃତୀୟ ଦିନ ଜାହାଜ ଆସି ପହୁଞ୍ଚିଲା । ସେହି ଜାହାଜରେ ଚଢ଼ି ସେ କଲିକତା ଅଭିମୁଖରେ ଯାତ୍ରା କଲେ ।

 

ପୂର୍ବରୁ ସାହେବ ମଧୁକୁ ଘେନି କଲିକତା ଆସିଥିଲେ । ଜାହାଜ ଆସିବା ଦିନ ଏଧୁ ଏବଂ ଭୀମ ଆଗରୁ ଆସି ବନ୍ଦରରେ ଅପେକ୍ଷା କରିଥିଲେ । ଜାହାଜ ଲାଗିବାକ୍ଷଣି ଆରୋହୀମାନେ ଅବତରଣ କଲେ । ସାମନ୍ତ ମଧ୍ୟ ଓହ୍ଲାଇ ଆସିଲେ । ସେ ଅତିବୃଦ୍ଧ, ଜରା-ରାକ୍ଷସୀର ଧ୍ୱଂସପଟୁ ହସ୍ତର ଚିହ୍ନ ତାଙ୍କ ଶରୀରରେ ସ୍ପଷ୍ଟ ଦେଖା ଯାଉଅଛି । ପଞ୍ଜରା ହାଡ଼ ଗଣି ହେଉଛି । ଯମରାଜାର ନୋଟିସ ପ୍ରାୟ ମସ୍ତକରେ ଶୁକ୍ଳକେଶ ଫର ଫର ହୋଇ ଉଡ଼ୁଅଛି । ଆଖି ଝାପସା ମାରିଗଲାଣି । ଆଉ ପୂର୍ବପରି ସ୍ପଷ୍ଟ ଦେଖାଯାଉନାହିଁ । ମଧୁ ଏବଂ ଭୀମ ତାଙ୍କର ପଦସ୍ପର୍ଶପୂର୍ବକ ପ୍ରଣାମ କଲେ । ବୃଦ୍ଧ ହଠାତ୍‌ ଦୃଷ୍ଟିରେ ପୁତ୍ରକୁ ଚିହ୍ନି ପାରିଲେନାହିଁ । ଦଶବର୍ଷ ମଧ୍ୟରେ ମଧୁର ଯଥେଷ୍ଟ ଶାରୀରିକ ପରିବର୍ତ୍ତନ ଘଟିଅଛି; ଅଧିକନ୍ତୁ ସେ ମୂଲ୍ୟବାନ ପୋଷାକ ପରିଚ୍ଛଦରେ ଆବୃତ୍ତ । ଭୀମ ଉଚ୍ଚସ୍ୱରରେ କହିଲା–‘‘ଏ ଆପଣଙ୍କ ପୁଅ ମଧୁ ।’’ ତହୁଁ ବୃଦ୍ଧ ଅଧୀର ଆବେଗରେ ‘‘ମୋ ବାପ ମଧୁରେ’’ ବୋଲି କହି ପୁଅକୁ କୁଣ୍ଢାଇପକାଇଲେ । ଆଶ୍ୱିନ ମାସର ବିଦ୍ୟୁତ୍‌ବଜ୍ର ଶୂନ୍ୟ ବର୍ଷାଧାର ପ୍ରାୟ ନୟନରୁ ଅଶ୍ରୁ ଝରିପଡ଼ିଲା । ମଧୁ ମଧ୍ୟ ଭୋ ଭୋ ଶବ୍ଦରେ କାନ୍ଦି ପକାଇଲା । ତାହାର ବହୁଦିନ ସଞ୍ଚିତ ରୁଦ୍ଧ ବେଦନା ଅଶ୍ରୁ ପ୍ରବାହରୂପ ବହିଗଲା । ଦୁଃଖାଶ୍ରୁ ଆନନ୍ଦାଶ୍ରୁ ଏବଂ ସ୍ନେହାଶ୍ରୁ ପରସ୍ପର ମିଳିତ ହୋଇ ତ୍ରିବେଣୀଧାରା ବହିଗଲା । କିଛିକ୍ଷଣ ପର୍ଯ୍ୟନ୍ତ କାହାରି ତୁଣ୍ଡରୁ ବାକ୍ୟସ୍ଫୁର୍ତ୍ତ ହେଲାନାହିଁ । କେବଳ ପିତାପୁତ୍ର ଦୁହେଁ ପରସ୍ପରକୁ ଅଶ୍ରୁଜଳରେ ଅଭିଷକ୍ତ କଲେ । ଏ ମିଳନ ଆନନ୍ଦ ବିଚ୍ଛେଦ ପରେ ମିଳନ-ଆନନ୍ଦଠାରୁ ବଳି ଆଉ ଆନନ୍ଦ ନାହିଁ । ସେ ଆନନ୍ଦ ବଡ଼ ସୁଖପ୍ରଦ ଏବଂ ଶାନ୍ତିପ୍ରଦ । ସେ ଆନନ୍ଦ ଯେ ଉପଭୋଗ କରେ, ସେ ନବଜୀବନ-ଲାଭ ତୁଲ୍ୟ ମଣେ । ସେ ଆନନ୍ଦ ସମୁଦ୍ରଠାରୁ ଗଭୀର ଏବଂ ଅମୃତଠାରୁ ମଧୁର । ମିସିରି ସରବତ ପାନଦ୍ୱାରା କଫରୋଗୀର ବକ୍ଷନିବଦ୍ଧ ଶ୍ଲେଷ୍ମା ବାହାରିଗଲେ ସେ ଯେପରି ଆଶ୍ୱସ୍ତ ମଣେ, ସେହିପରି ପିତାପୁତ୍ରର ଘନୀଭୂତ ଦୁଃଖରାଶି ମିଳନାମୃତ ପାନରେ ତରଳିତ ହୋଇ ଅଶ୍ରୁରୂପରେ ବାହାରିଯିବାରୁ ଉଭୟେ ହୃଦୟବେଦନା ଲଘୁତର ମଣିଲେ । ହୃତନିଧି ପାଇଲେ ରଙ୍କ ଯେରୂପ ଆନନ୍ଦିତ ହୁଏ, ପୁତ୍ରକୁ ପାଇ ପିତା ସେହିରୂପ ଅପ୍ରତ୍ୟାଶିତ ପରମାନନ୍ଦ ଲାଭକଲେ । ବିଚ୍ଛେଦ ସିନା ମିଳନକୁ ମଧୁର କରେ ।

 

ଭୀମ ଖଣ୍ଡେ ଭଡ଼ାଗାଡ଼ି ଆଣି ଉପସ୍ଥିତ କଲା । ତିନିହେଁ ସେଥିରେ ବସିଲେ । ଅଶ୍ୱିନୀକୁମାରଦ୍ୱୟ ମେଲେରିଆଗ୍ରସ୍ତ କିମ୍ୱା ଦୁର୍ଭିକ୍ଷପୀଡ଼ିତ ପ୍ରାୟ କଙ୍କାଳ ସାର । ସେମାନେ ଅପୂର୍ବ ନୃତ୍ୟଭଙ୍ଗୀରେ ମନ୍ଥର ଗତିରେ ଚାଲିଲେ । ଗାଡ଼ି ଘଡ଼ ଘଡ଼ ଶବ୍ଦରେ ବିଚିତ୍ର ରାଗିଣୀ ବିସ୍ତାର କରି ସେ ନୃତ୍ୟରେ ଯୋଗ ଦେଲା । ବାଟରେ ଯାଉଁ ଯାଉଁ ପିତାପୁତ୍ର ମଧ୍ୟରେ ଅନେକ କଥା ହେଲା । ମଧୁ ଆତ୍ମ କାହାଣୀ ସବୁ ପିତାଙ୍କ ନିକଟରେ କହିଲା । ଭୀମର ପରିଚୟ ଦେଇ ତାହାର ଉପକାରର କଥା ମଧ୍ୟ କହିଲା । ବୃଦ୍ଧ ସଜଳ ନେତ୍ରରେ ସବୁ ଶୁଣିଲେ ଏବଂ ଭୀମକୁ କୋଳକୁ ଟାଣି ନେଇ ତାହା ମସ୍ତକରେ ହାତ ବୁଲାଉଁ ବୁଲାଉଁ ଆନନ୍ଦବୋଳା କରୁଣ ସ୍ୱରରେ କହିଲେ–‘‘ପୂର୍ବଜନ୍ମରେ ତୁ ମୋର ପୁଅ ଥିଲୁ, ଆଜିଠାରୁ ବଡ଼ ପୁଅ ହେଲୁ । ତୋର ୠଣ ମୁଁ ଜନ୍ମଜନ୍ମାନ୍ତରେ ଶୁଝିପାରିବ ନାହିଁ ।’’ ଭଣ୍ଡ ସାଧୁର କୀର୍ତ୍ତିକଳାପ ଶୁଣି ବୃଦ୍ଧ ସ୍ତମ୍ଭିତ ହୋଇରହିଲେ । ଘଡ଼ିଏଯାଏଁ ତାଙ୍କ ମୁଖରୁ ଭାଷା ବାହାରିଲା ନାହିଁ । ସେ ଦୀର୍ଘନିଃଶ୍ୱାସ ପକାଇ ଉର୍ଦ୍ଧ୍ୱକୁ ଚାହିଁ ମସ୍ତକଲେ ହସ୍ତ ସଂଯୋଗପୂର୍ବକ କହିଲେ,–‘‘ଭଗବାନ, ତୁମ୍ଭ ପବିତ୍ର ସୃଷ୍ଟିରେ ଏଭଳି ନାରକୀ ଜନ୍ମ ଗ୍ରହଣ କରନ୍ତି ? ତୁମ୍ଭେ ଅନ୍ତର୍ଯ୍ୟାମୀ, ମାନବ-ଅନ୍ତରର ଗୁପ୍ତ ପାପ ସୁଦ୍ଧା ତୁମ୍ଭର ଅଗୋଚର ନୁହେଁ । ପାପର ଦଣ୍ଡ ନ ଥିଲେ ଏ ସୃଷ୍ଟି କଅଣ ହୋଇଥାନ୍ତା ଦୟାମୟ ? ତୁମ୍ଭ କରୁଣାର ପଟାନ୍ତର ନାହିଁ, ଅଧମ ମାନବ ମୁଁ ତୁମ୍ଭ ମାୟା କଅଣ ବୁଝିପାରିବି ?’’ ଗାଡ଼ି ଯାଇ ସାହେବଙ୍କ ବଙ୍ଗଳାରେ ପହୁଞ୍ଚିଲା-। ସାହେବ ଖବରକାଗଜ ପଢ଼ୁଥିଲେ । ବୃଦ୍ଧ ଗାଡ଼ିରୁ ଓହ୍ଲାଇ ସାହେବଙ୍କ ଗୋଡ଼ ଉପରେ ମସ୍ତକ ରଖି କାନ୍ଦିବାକୁ ଲାଗିଲେ । ଯେମନ୍ତ କି ତାଙ୍କ ଅଶ୍ରୁ ଝରର ମୁହଁ କିଏ ଅଜ୍ଞାତରେ ମୁକୁଳା କରିଦେଲା । ସେହି ଅଶ୍ରୁ-ପ୍ରବାହରେ ସାହେବଙ୍କ ପଦ ପ୍ଳାବିତ ହୋଇଗଲା । ସେ ଶଶବ୍ୟସ୍ତ ହୋଇ ବୃଦ୍ଧକୁ ଉଠାଇ ହାସ୍ୟମୁଖରେ କହିଲେ,–‘‘ତୁମ୍ଭର ପୁଅକୁ ତ ପାଇଲ, ଆଉ କାନ୍ଦୁଛ କାହିଁକି-?’’ ବୃଦ୍ଧ ଆନନ୍ଦର ଆବେଗରେ କଇଁ କଇଁ ହୋଇ ଅର୍ଦ୍ଧସ୍ଫୁଟ ସ୍ୱରରେ କହିଲେ,-‘‘ସବୁ ଆପଣଙ୍କର ଦୟା । ମୁଁ ମଧୁଠାରୁ ସମସ୍ତ ଶୁଣିଅଛି, ଆପଣଙ୍କ ଭଳି ମହାପ୍ରାଣ ପୁରୁଷଙ୍କ ଦର୍ଶନରେ ମୋର ନେତ୍ର ପବିତ୍ର ହେଲା । ମୋର ଦୁଇଟି ଚକ୍ଷୁ ମଧ୍ୟରୁ ଗୋଟିଏ ଦଶବର୍ଷ ହେଲା ଫୁଟିଯାଇଥିଲା. ଆପଣ ଆଜି ମୋତେ ସେ ଚକ୍ଷୁଟି ଦାନ କଲେ । ଆଉ ତହିଁ ସଙ୍ଗେ ସଙ୍ଗେ ଦ୍ୱିତୀୟ ଜୀବନ ଦାନ ମଧ୍ୟ କଲେ । ଆପଣ ମନୁଷ୍ୟ ନୁହନ୍ତି, ମନୁଷ୍ୟର ହୃଦୟ ଏତେ ପ୍ରଶସ୍ତ ହୋଇପାରେନାହିଁ । ହୃଦୟର କୃତଜ୍ଞତା ପ୍ରକାଶ କରିବାକୁ ମୁଁ ଉପଯୁକ୍ତ ଭାଷା ପାଉନାହିଁ । ଆପଣଙ୍କର କାର୍ଯ୍ୟ କୃତଜ୍ଞତାର ସୀମା ଅତିକ୍ରମ କରି ବହୁଦୂର ଚାଲିଯାଇଅଛି ।’’ ସାହେବ ଆଉ କିଛି କହିବାକୁ ଅବସର ନ ଦେଇ କହିଲେ–‘‘ ନା, ସାମନ୍ତ, ମୁଁ କ୍ଷୁଦ୍ରାଦପି କ୍ଷୁଦ୍ରମାନବ, ମୋର ଶକ୍ତି ପରମାଣୁଠାରୁ କ୍ଷୁଦ୍ର, ମୁଁ ଆପଣଙ୍କର ଏପରି କିଛି କରିନାହିଁ–ଯାହାପାଇଁ ଆପଣଙ୍କର ମହତ୍‌ ପ୍ରଶଂସାର ଯୋଗ୍ୟ ହେବି । ସବୁ କାର୍ଯ୍ୟରେ ଏକମାତ୍ର ଅଦ୍ୱିତୀୟ କର୍ତ୍ତା ଇଶ୍ୱର । ଆପଣ ତାଙ୍କରି ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରନ୍ତୁ । ଆପଣ ବଡ଼ କ୍ଳାନ୍ତ ହୋଇଅଛନ୍ତି, ଏବେ ବସାକୁ ଯାଇ ବିଶ୍ରାମ କରନ୍ତୁ । ମୁଁ ଏଠାରେ ଆଉ ଦୁଇଦିନ ରହିବି, ଏଥିମଧ୍ୟରେ ଅନେକଥର ସାକ୍ଷାତ ହେବ । ଆପଣଙ୍କୁ ଏପରି ବୃଦ୍ଧ ଜାଣିଥିଲେ ମୁଁ ଏତେଦୂର ଆଣି କଷ୍ଟ ଦେଇନଥାନ୍ତି, ନିଜେ ଯାଇ ମଧୁକୁ ଆପଣଙ୍କ ପାଖରେ ଛାଡ଼ି ଆସିଥାନ୍ତି । ଆପଣ ମୋର ଅଜ୍ଞାତ ତ୍ରୁଟି ମାର୍ଜନା କରିବେ ।’’ ବୃଦ୍ଧ ଏହା ଶୁଣି ଅଶ୍ରୁ ସମ୍ୱରଣ କରିପାରିଲେ ନାହିଁ । ପୁନଶ୍ଚ ସାହେବଙ୍କ ପଦସ୍ପର୍ଶପୂର୍ବକ ଅତି ଲଜ୍ଜିତ ହୋଇ କାତର କଣ୍ଠରେ କହିଲେ, ‘‘ଆପଣ ଏପରି କଥା କହନ୍ତୁନାହିଁ, ତାହା ମୋର ଜୀର୍ଣ୍ଣ ହୃଦୟ ସହିପାରିବନାହିଁ, ଶତଧା ବିଦୀର୍ଣ୍ଣ ହୋଇଯିବ । ଇଶ୍ୱର ଯାହାଙ୍କୁ ବଡ଼ କରନ୍ତି ତାହାଙ୍କୁ ଏହିପରି ବିନୟ ନମ୍ରତାରୂପ ଦୁର୍ଲ୍ଲାଭ ମହାରତ୍ନରେ ମଣ୍ଡିତ କରନ୍ତି । ଆପଣ ଯେ କେତେ ବଡ଼, ତାହା ମୁଁ ଧାରଣା କରିପାରୁ ନାହିଁ । କ୍ଷୁଦ୍ର ହୃଦୟରୁ ଏଭଳି ଉଦାରତା କାହୁଁ ମିଳିବ, ବିଧାତା ଅଙ୍ଗାର-ଖଣିରେ ମଣି ରଖନ୍ତି ନାହିଁ । ମୁଁ ଆପଣଙ୍କର ସେବା-ଦାସ ହୋଇପାରିଲେ ଜନ୍ନ ସାର୍ଥକ ମଣନ୍ତି ।’’ ବୃଦ୍ଧ ଏହା କହି ସାହେବଙ୍କୁ ସଲାମ କରି ମଧୁ ଏବଂ ଭୀମ ସଙ୍ଗରେ ବସାକୁ ଗଲେ ।

 

କଲିକତାରେ ସାହେବଙ୍କର ଆଉ ଦୁଇ ଦିନ ରହିବାର କଥା ଥିଲା; ମାତ୍ର ବନ୍ଧୁମାନଙ୍କ ଅନୁରୋଧରେ ଅଧିକ ଦୁଇ ଦିନ ରହିବାକୁ ହେଲା । ଏଥିମଧ୍ୟରେ ତାଙ୍କ ସହିତ ସାମନ୍ତଙ୍କର ତିନିଚାରି ଥର ସାକ୍ଷାତ ଏବଂ କଥୋପକଥନ ହୋଇଅଛି । ସାମନ୍ତଙ୍କ ଘରର କଥା, ଗ୍ରାମର କଥା, ସମାଜର ରୀତିନୀତି, ଆଚାର ବ୍ୟବହାର ପ୍ରଭୃତି ଅନେକ କଥା ସାହେବ ଜାଣି ନେଇଅଛନ୍ତି । ଧୂର୍ତ୍ତି ଅଡ଼କାଟିର କଥା ମଧ୍ୟ ଛାଡ଼ ଯାଇନାହିଁ । ସାହେବ ପରିହାସ କରି କହିଥିଲେ–‘‘ଯାହାହେଉ ସେ ଯେ ଦୟା କରି ମରିଅଛି, ଏହି ଅନୁଗ୍ରହ ସକାଶେ ସେ ଆମ୍ଭମାନଙ୍କର କୃତଜ୍ଞତାର ପାତ୍ର । ବଞ୍ଚିଥିଲେ ସେ ଆହୁରି କେତେ ଘର ବୁଡ଼ାଇ, କେତେ ଲୋକଙ୍କର ଜୀବନ ମାଟି କରିଥାଆନ୍ତା । ମୁଁ ତାହା ନାମରେ ମୋକଦ୍ଦମା କରିବାକୁ ଇଚ୍ଛା କରିଥିବାରୁ ମୋତେ ବି ନାନା ହରବରରେ ପଡ଼ିବାକୁ ହୋଇଥାଆନ୍ତା । ସେ ମରିଯାଇ ସୁବୁଦ୍ଧିର କାର୍ଯ୍ୟ କରିଅଛି ସତ୍ୟ; ମାତ୍ର ତାହାର ଶତ୍ରୁ ସୁଦ୍ଧା ତାକୁ ଏଭଳି କଠୋର ନର୍ମମ ଅଭିଶାପ ଦିଅନ୍ତାନାହିଁ ।’’ ଏହିପରି ନାନା କଥାବାର୍ତ୍ତାରେ ତିନିଦିନ ଅତିବାହିତ ହେଲା । ଶେଷଦିନ ସାହେବ ପିତାପୁତ୍ରଙ୍କୁ ଡାକି କହିଲେ,–‘‘ଆଜି ରାତ୍ରିରେ ମୋତେ ଆସାମ ଯିବାକୁ ହେବ; ଅତଏବ ତୁମ୍ଭେମାନେ ଆଜି ବିଦାୟ ହୋଇଯାଅ ।’’ ଏହା କହି ସାହେବ ବେହେରାକୁ ଡାକି ହାତ ବାକ୍‌ସ ଆଣିବାକୁ ଆଦେଶ ଦେଲେ । ଆଦେଶ ପ୍ରତିପାଳିତ ହେଲା । ସାହେବ ଚାବି ଖୋଲି ବିଡ଼ାଏ ନୋଟ ବାହାର କରି,ମଧୁ ହାତରେ ଦେଲେ ଏବଂ କହିଲେ, ‘‘ଏ ତିନିଲକ୍ଷ ଟଙ୍କା ତୋର ଏହା ଗଣି ନେ ।’’ ଅନନ୍ତର ସେ ଟଙ୍କା କିପରି କେଉଁଠାରୁ ଆସିଲା, ସେଥିର ଆମୂଳ ବିବରଣ ବର୍ଣ୍ଣନାକଲେ ଏବଂ ସାମନ୍ତଙ୍କୁ ଅନାଇ କହିଲେ,–ମଧୁକୁ ଅନେକ ଦିନରୁ ଛାଡ଼ି ଦିଆଯାଇଥାଆନ୍ତି; ମାତ୍ର ତାକୁ କିଛି ଶିକ୍ଷା ନ ଦେଲେ ସେ ଏତେଗୁଡ଼ାଏ ଟଙ୍କାର ସଦ୍‌ବ୍ୟବହାର କରିପାରିବ ନାହିଁ, ଏହି ବିବେଚନାରେ ତାକୁ ଏଣ୍ଟ୍ରାନ୍‌ସ ପ୍ରର୍ଯ୍ୟନ୍ତ ପଢ଼ାଇବାକୁ ହେଲା । ଏହି ହେତୁ ବିଳମ୍ୱ ହେଲା ।’’ ପୁନଶ୍ଚ ମଙ୍ଗଳ-ଆଶୀର୍ବାଦବୋଳା ନେତ୍ରରେ ମଧୁକୁ ଚାହିଁ ସହାସ୍ୟବଦନରେ କହିଲେ,–‘‘ମଧୁ, ଭଣ୍ଡ ସାଧୁ ତୋତେ ଟଙ୍କାଗଛ ଦେବ ବୋଲି କହି, ବହଲାଇ ଆଣିଥିଲା, ତାହା କଥା ସାର୍ଥକ ହୋଇଅଛି,–ତୁ ବର୍ତ୍ତମାନ ଟଙ୍କାଗଛ । ଏହି ଟଙ୍କାଦ୍ୱାରା ତୁ ନିଜର ଏବଂ ସ୍ୱଦେଶର ଉନ୍ନତି କରିପାରିବୁ । ଏହା ଶୁଣି ମଧୁକୁ ଭେଳକା ମାରିନେଲା, ତାହା ପାଟିରୁ କଥା ବାହାରିଲା ନାହିଁ । ଏହା ସ୍ୱପ୍ନ କି ସତ୍ୟ, ତାହା ସ୍ଥିର କରିପାରିଲା ନାହିଁ, ନିଜର ଚକ୍ଷୁକୁ ମଧ୍ୟ ବିଶ୍ୱାସ କରିପାରିଲା ନାହିଁ, କିଏ ଯେପରି ତାହା ମସ୍ତିଷ୍କର ଯନ୍ତ୍ରମାନ ଗୋଳମାଳ କରିଦେଲା, ସେ କାଠପରି ଠିଆ ହୋଇ ରହିଲା । ବୃଦ୍ଧ ସାମନ୍ତ ଆଶ୍ଚର୍ଯ୍ୟର ଶେଷ ସୀମାକୁ ଉଠିଯାଇ କହିଲେ,–‘‘ଆପଣ ମନୁଷ୍ୟ ନା ଦେବତା କିମ୍ୱା ତହୁଁ ବଳି ଆଉ କିଛି ? ମୋର ଦୃଢ଼ ବିଶ୍ୱାସ, ଆପଣ ମୋ ବଂଶର ସୌଭାଗ୍ୟ ଦେବତା, ମୋତେ ଭୁଲାଇବା ପାଇଁ ମାନବରୂପ ଧାରଣ କରିଅଛନ୍ତି ।’’ ସାହେବ ତାଙ୍କୁ ଆଉ ଅଧିକ କହିବାକୁ ନ ଦେଇ, ମଧୁକୁ ପାଖକୁ ଟାଣିନେଇ ତାହାର ପୃଷ୍ଠରେ ସ୍ନେହର ହସ୍ତସଞ୍ଚାଳନପୂର୍ବକ କହିଲେ–‘‘ମଧୁ, ମୋତେ ମନରେ ରଖିଥିବୁ, ସମୟ ସମୟରେ ପତ୍ର ଲେଖିବୁ, ମୁଁ ମଧ୍ୟ ଲେଖିବି ।’’ ଏଥର ମଧୁ କଥା କହିଲା । ତାହାର ବାକ୍ୟ-ଭଣ୍ଡାରର ଦ୍ୱାର ଅଲକ୍ଷ୍ୟରେ; ମୁକୁଳା ହୋଇଗଲା । ସେ ସାଶ୍ରୁଲୋଚନରେ ସାହେବଙ୍କ ଗୋଡ଼ ଉପରେ ପଡ଼ି କହିଲା–‘‘ଆପଣ ମୋର ପିତାଠାରୁ ଅଧିକ, ମୋର ଚର୍ମରେ ଯୋତା ପ୍ରସ୍ତୁତ କରି ଆପଣଙ୍କ ପବିତ୍ର ପାଦରେ ପିନ୍ଧାଇଦେଲେ ସୁଦ୍ଧା ମୁଁ ଆପଣଙ୍କର ଦେବଦୁର୍ଲଭ ଦୟାର କଣିକାଏ ମାତ୍ର ପରିଶୋଧ କରିପାରିବି ନାହିଁ । ମୋର ଏହା ଗର୍ବସିକ୍ତ ଶୂନ୍ୟଗର୍ଭ କଥା ନୁହେଁ, ହୃଦୟର ଗଭୀରତମ ପ୍ରଦେଶସ୍ଥ ଆତ୍ମର କଥା । ମୁଁ ଆଜିଠାରୁ ଆପଣଙ୍କୁ ହୃଦୟର ସ୍ୱର୍ଣ୍ଣ ସିଂହାସନରେ ବସାଇ ଭକ୍ତି-ପ୍ରୀତିରୂପ ପୁଷ୍ପ ଚନ୍ଦନରେ ପୂଜା କରିବି ଏବଂ ମୋର ଜୀବନର ପ୍ରତ୍ୟେକ କାର୍ଯ୍ୟ ମଧ୍ୟରେ ଆପଣଙ୍କ ମହିମିତ ଦେବମୂର୍ତ୍ତି ଦର୍ଶନ କରି ଆତ୍ମା ପବିତ୍ର କରିବି ।’’ ଏହା ପରେ ଆହୁରି ଅନେକ କଥା ହେଲା, ତାହା ବିଚ୍ଛେଦର କଥା । ହିତୈଷୀ ସୁହୃଦବିଚ୍ଛେଦ ପ୍ରାଣାନ୍ତକ ବ୍ୟଥାଜନକ । ତାହା ଶୁଣିଲେ ପାଠକମାନଙ୍କର ଅନ୍ତରାତ୍ମା କାନ୍ଦିଉଠିବ; ସୁତରାଂ ଲେଖିବା ଆବଶ୍ୟକ ।

 

ସପୁତ୍ର ସାମନ୍ତ ଏବଂ ଭୀମ ସାହେବଙ୍କଠାରୁ ବିଦାୟ ଘେନି ଆସିଲେ । ବାଟରେ ସାମନ୍ତ ଭୀମକୁ କୁଣ୍ଢାଇ ପକାଇ କହିଲେ,‘‘ବାବା, ତୁ ଆଉ କୁଆଡ଼େ ଯିବୁ, ମୋ ସଙ୍ଗରେ ଚାଲ । ମୋର ଦୁଇ ପୁଅ ଥିଲେ, ଆଜିଠାରୁ ତିନିପୁଅ ହେଲେ । ତୋତେ ପୁତ୍ର ରୂପରେ ପାଇ ମୁଁ ଗୌରବ ଅନୁଭବ କରୁଅଛି । ତୋତେ ଭୂମିବାଡ଼ ଦେଇ ରଖିବି, ଘର କରିଦେବି, ବାହାଘର ମଧ୍ୟ କରାଇବି । ଯହିଁରେ ତୁ ବଡ଼ଲୋକ ପରି ସୁଖ ସ୍ୱଛନ୍ଦରେ ରହିବୁ ତାହା କରିଦେବି, ତୋର କୌଣସି ଅଭାବ ରହିବ ନାହିଁ ।’’ ଭୀମ ମୃଦୁହାସ୍ୟରେ ସମ୍ମତି ଜ୍ଞାପନ କଲା । ତହୁଁ ତିନିହେଁ ଯାଇ ଜାହାଜରେ ଚଢ଼ିଲେ । ଯଥାସମୟରେ ଚାନ୍ଦବାଲିରେ ଓଲ୍ଲାଇ, ସେହିଠାରୁ ସୁଆରି କରି ଶୀତଳପୁରରେ ପହୁଞ୍ଚିଲେ । ସାମନ୍ତଙ୍କ ଘରେ ଉତ୍ସବ ଲାଗିଲା, ସମସ୍ତେ ଆନନ୍ଦରେ ମଗ୍ନ । ଦେବାଳୟମାନଙ୍କରେ ମହାଆଡ଼ମ୍ୱରରେ ଷୋଡ଼ଶୋ–ପଚାରରେ ପୂଜାର ବ୍ୟବସ୍ଥା ହେଲା । କେଉଁଠାରେ ଚଣ୍ଡୀଗୁଣ୍ଡା, କେଉଁଠାରେ ରୁଦ୍ରାଭିଷେକ, କେଉଁଠାରେ ସହସ୍ର ନାମ ଆବୃତ୍ତି ଏହିପରି ନାନା ମଙ୍ଗଳାନୁଷ୍ଠାନରେ ଗ୍ରାମ କମ୍ପି ଉଠିଲା । ଦଶବର୍ଷ ପୂର୍ବରେ ଦିନେ ଯାହା ପାଇଁ ଏହି ଗ୍ରାମରେ ଦୁଃଖରେ ହାହାକାର ଉଠୁଥିଲା, ଆଜି ତାହାରିଲାଗି ସୁଖର ସ୍ରୋତ ବହିଯାଉଅଛି । ବୋଧହୁଏ ଆଜି ଦିନକୁ ଆଣିବା ସକାଶେ ସେ ଦିନଟି ଆସିଥିଲା ସୁଖ ଏହିପରି ଦୁଃଖ ରୂପରେ ଆସି ଏଣ୍ତୁଅପରି ରୂପ ବଦଳାଇଦିଏ-। ଅନେକେ ମଧୁକୁ ଦେଖିବାକୁ ଆସିଲେ । ମଧୁ ସମସ୍ତଙ୍କୁ ଯଥୋପଯୁକ୍ତ ଅଭ୍ୟର୍ଥନା କଲା । ସେମାନେ ଫେରି ଯିବାବେଳେ କୁହାକୁହି ହୋଇଗଲେ, ‘‘ମଧୁ ଖଲି ଇଂରାଜୀ ପଢ଼ି ଯୋଗ୍ୟ ହୋଇ ଆସିନାହିଁ, ଟଙ୍କାଗଛ ହୋଇ ଆସିଛି ।’’

 

କିଛିଦିନ ପରେ ଜଣେ ଜମିଦାର ଆକଣ୍ଠ ଋଣଗ୍ରସ୍ତ ହୋଇ ସ୍ୱୀୟ ବିଶାଳ ଜମିଦାର ଦୁଇଲକ୍ଷ ଟଙ୍କା ମୂଲ୍ୟରେ ମଧୁକୁ ବିକ୍ରୟ କଲା । ସେ ସମୟରେ ଜମିଦାରୀର ମୂଲ୍ୟ ଅଧିକ ଥିଲାନାହିଁ । ମଧୁ ଜମିଦାର ହୋଇ ଅବଶିଷ୍ଟ ଏକଲକ୍ଷ ଟଙ୍କା ଖର୍ଚ୍ଚ କରି ଜମିଦାରୀର ସଂସ୍କାର କଲା-। କୂପ ପୁଷ୍କରିଣୀ ଖନନ, ଦେବାଳୟ ନର୍ମାଣ, ଚିକିତ୍ସାଳୟ ଏବଂ ବିଦ୍ୟାଳୟ ସ୍ଥାପନ ପ୍ରଭୃତି ବହୁବିଧ ପ୍ରଜାହିତକର କାର୍ଯ୍ୟ ଦ୍ୱାରା ଅଳ୍ପଦିନ ମଧ୍ୟରେ ପ୍ରଜାମାନଙ୍କର ଭକ୍ତିଭାଜନ ହୋଇଉଠିଲା । ଭୀମକୁ ଦଶବାଟି ଭୂମି ଦେଇ ଗୋଟିଏ ସୁନ୍ଦର କୋଠା କରି ଦେଲା; ଅଧିକନ୍ତୁ ମାସିକ ପଚାଶ ଟଙ୍କା ବୃତ୍ତଦାନର ବ୍ୟବସ୍ଥା କରିଦେଲା । ତାହାର ପ୍ରଜାପାଳନର ସୁଖ୍ୟାତି ଦେଶ ମଧ୍ୟରେ କୋଟି କଣ୍ଠରେ ବିଘୋଷିତ ହେଲା । ସେଥିର ପୁରସ୍କାର ସ୍ୱରୁପ ରାଜସରକାରରୁ ସେ ‘ରାୟ ମହାପାତ୍ର’ ଉପାଧିରେ ଅଳଙ୍କୃତ ହୋଇ ସୁଖ ସ୍ୱଚ୍ଛନ୍ଦରେ କାଳଯାପନ କଲା । ସେହିଦିନଠାରୁ ମଧୁ ଆଖ୍ୟା ଲମ୍ୱିଯାଇ ନାମ ହେଲା, ‘ରାୟ ମଧୁସୂଦନ ସାମନ୍ତ ମହାପାତ୍ର କାଲି ଯେ ହେୟ, ନଗଣ୍ୟ, ଆଜି ସେ ଲକ୍ଷପୋଷୀ ରାଜା । ଈଶ୍ୱର ଯାହାକୁ ବଢ଼ାନ୍ତି, ଏହିପରି ଅସମ୍ଭାବିତ ରୂପେ ବଢ଼ାନ୍ତି । ‘ଭାଗ୍ୟଂ ଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷଂ ।’’ ମୁସଲମାନମାନେ କହନ୍ତି, ଆଲ୍ଲା ଦେଗା ତୋ ଛପର୍‍ ଫାଡ଼କେ ଦେଗା ।’

Image